
ଏଇ ଘର ଭିତରେ
ଆଉ ଗୋଟେ ଘର ଥିଲା
ଘର ଚଟିଆର ।
ଘର ଚଟିଆର ନୀଡ ବଡ ବିପର୍ଯ୍ଯସ୍ତ,
ମୋର ବି ସେମିତି ।
ମୁଁ ଖେଳେଇ ଦେଇଥାଏ
ଜୀବନକୁ ଘରସାରା
ଏଇଠି ବହି, ସେଇଠି ଫୁଲଦାନୀ
ବେଡ ଉପରେ ମୋବାଇଲ ଓ ଅଧା ପିଆ ଚା’ କପ
ଫ୍ୟାନ ଉପରେ ସାତ ବର୍ଷର ଧୂଳି
ଅପୂଜା ଠାକୁର ଘରେ
ପ୍ରାଚୀନ ତାଳପତ୍ର ପୋଥିର ଗମରା ଗନ୍ଧ ।
ଘର ଚଟିଆ କୁଟା ଖିଅ ବୋହି ଆଣୁଥାଏ ଦୂରରୁ
କାଟୁଥାଏ, ଯୋଡୁଥାଏ ଓ ଫୋପାଡୁଥାଏ
ସ୍ବପ୍ନ ଓ ସଂସାର ଏମିତି
ସବୁଦିନ ସବୁ ଜାଗାରେ ବିପର୍ଯ୍ଯସ୍ତ ।
କେବେ ଦିନେ ଘର ଚଟିଆର ବସାରୁ ଖସିପଡେ
ଗୋଟେ କୋମଳ ଗୋଲାପୀ ମାଂସ ପିଣ୍ଡୁଳା
ତାକୁ ଘେରି ପିମ୍ପୁଡି ଓ ଅସରପା
ତାକୁ ଝାମ୍ପି ନେବାକୁ ତରକି ଠିଆ ହେଇଥାଏ ବିଲେଇ
ତା'ରି ଉପରେ ଚିଲ୍ଲେଇ ଚିଲ୍ଲେଇ ଚକ୍କର କାଟୁଥାଏ ଚଟିଆ ।
କେବେ ଦିନେ ମୋର ଅସତର୍କ ହାତରୁ
ଏମିତି ଖସି ଯାଇଥିଲା ସବୁଠୁ ସୁନ୍ଦର ଶବ୍ଦ
ଚିତ୍ର ପରି ଚମକୁଥିବା ଗୋଟେ ନିରାକାର ଭାବଲିପି
ତାକୁ ଝୁଣି ଝୁଣି ଖାଇଲେ ଶୃଗାଳ ଓ କୁକୁର
ତାକୁ ବୋହି ନେଇଗଲା ଶାଗୁଣା
ମୋ ଘର ଗୋଟେ ସୁନ୍ଦର ଶବ୍ଦର ଶ୍ମଶାନ ।
ଏଇ ଘରେ ଯେତିକି ପ୍ରବାସୀ ମୁଁ,
ସେତିକି ଉଦବାସ୍ତୁ
ଏଇ ଘର ଚଟିଆର ଜୀବନ ।