ଗାଉଁଲି ଲୋକ

ଗାଁ ବାସୁଥାଏ ତୁଳସୀ ଚଉଁରା ପରି ମହମହ, ତେଣିକି ମୋତେ ଗାଉଁଲି କହିଲେ କୁହ - ଗାଁକୁ ନେଇ ଆମ ସମୟର ଏକ ସୁନ୍ଦର ଓ ସରଳ କବିତା ।


ଗାଁରେ ଋତୁ ବଦଳେ
ରାତି ବଦଳେ
ଚିତ୍ର ବଦଳେ
ଚରିତ୍ର ବଦଳେ
ଉଁଚା ପିଣ୍ଡା ସେମିତି ଚେଇଁ ଶୋଇଥାଏ

କାଗଜ ଡଙ୍ଗା ଫେରେନା
କମ ମାଝୀ ଫେରେନା
ପିଲାଖେଳ ଫେରେନା
ପୁରୁଣା ପ୍ରୀତି ଫେରେନା
ଦୁଃଖ ଘା ହେଇ ପିଛା ଛାଡେନା

ଗାଁରେ
ଓଠରୁ ହସ ସରେନା
ଆଖିରୁ ଲୁହ ସରେନା
ଛାତିରୁ କୋହ ସରେନା
ସାହୁକାରର କରଜ ପିଠିରେ
ଲାଉହୋଇ ଝୁଲୁଥାଏ
ତଥାପି ହାଣ୍ଡିରୁ ଭାତ ସରେନା

ସଂପର୍କର ମୂଲ ଖୋଜେନି
ସପନରୁ ସତ ଖୋଜେନି
ପ୍ରେମରେ ପ୍ରାପ୍ତି ଖୋଜେନି
ସବୁ ଅପ୍ରାପ୍ତି ତ ପ୍ରେମର ସ୍ବର୍ଗପ୍ରାପ୍ତି...

ତଥାପି ଗାଁ ହସୁଥାଏ
ପୁନେଇର ଜହ୍ନ ପରି
ଗାଁ ରୁଷୁଥାଏ
ଅମେଇସା ରାତି ପରି
ଗାଁ ବାସୁଥାଏ
ତୁଳସୀ ଚଉଁରା ପରି ମହମହ
ତେଣିକି ମୋତେ
ଗାଉଁଲି କହିଲେ କୁହ.....

Report an Error