ମହାତ୍ମା ଗାନ୍ଧୀ ଓ ଓଡିଶା

ଗାନ୍ଧିଜୀ ସର୍ବ ପ୍ରଥମେ ଓଡିଶା ଆସିଥିଲେ ୧୯୨୧ ମସିହା ମାର୍ଚ୍ଚ ମାସ ୨୩ ତାରିଖରେ । ଗାନ୍ଧିଜୀଙ୍କର ଗୋପବନ୍ଧୁ ଦାସଙ୍କ ବିଷୟରେ ଖୁବ୍ ଭଲ ଧାରଣା ଥିଲା । ଗୋପବନ୍ଧୁ ଦାସଙ୍କ ଟେଲିଗ୍ରାମ୍ ପାଇ ଗାନ୍ଧିଜୀ ଓଡିଶା ଆସିଥିଲେ ।


ଫଟୋ - ୱିକିପିଡିଆ

ଅହିଂସା ଶବ୍ଦଟି ଯେତେବେଳେ କାନରେ ବାଜେ, ଆଖି ସାମ୍ନାରେ ସ୍ୱତସ୍ଫୁର୍ତ୍ତ ଭାବେ ଛବିଟିଏ ଆଙ୍କି ହେଇଯାଏ । ସେ ଛବିଟି ଏମିତି ଜଣେ ଲୋକଙ୍କର ଛବି ଯାହାଙ୍କ ବିନା ମୁକ୍ତିର କଳ୍ପନା କରିବା ସମ୍ଭବ ନଥିଲା । ଅତି ସାଧାରଣ ପରିପାଟିରେ ଥିବା, ଆଖିରେ ଗୋଲ ଚଷମା ଓ ହାତରେ ବାଡ଼ି ଧରିଥିବା ଛବିଟି ଯେ ଆମ ପ୍ରିୟ ମହାତ୍ମା ଗାନ୍ଧୀଙ୍କର, ସେ କଥା କହିବା ଅନାବଶ୍ୟକୀୟ ।

୧୮୬୯ ମସିହା ଅକ୍ଟୋବର ୨ ତାରିଖ ଦିନ ପ୍ରଭାତରେ ଆକାଶରେ ସୂର୍ଯ୍ୟ ଉଇଁବା ସହ ତତ୍କାଳୀନ ବ୍ରିଟିଶ ଇଣ୍ଡିଆ (ବର୍ତ୍ତମାନର ଗୁଜୁରାଟ) ର ପୋରବନ୍ଦର ଠାରେ ମୋହନଦାସ କରମଚନ୍ଦ ଗାନ୍ଧୀ ଭାରତ ମୁକ୍ତିର ଭବିଷ୍ୟତ ଭଳି ଉଇଁଥିଲେ ପିତା କରମଚନ୍ଦ ଗାନ୍ଧୀ ଓ ମାତା ପୁତଲୀ ବାଇଙ୍କ କୋଳରେ ।

ମୋହନଙ୍କ ଜେଜେବାପାଙ୍କ ନାଁ ଥିଲା ଉତ୍ତମଚନ୍ଦ ଗାନ୍ଧୀ । ସେ ପୋରବନ୍ଦରର ଦିୱାନ ଥିଲେ । ଗାନ୍ଧୀ ପରିବାର ପ୍ରାରମ୍ଭରୁ ହିଁ ଧନକୁ ନୁହେଁ ସତ୍ୟ ଓ ନିଷ୍ଠାକୁ ଗୁରୁତ୍ୱ ଦେଉଥିଲେ ।

ମୋହନଦାସ ଗାନ୍ଧୀଙ୍କ ପିତା କରମଚନ୍ଦ ଗାନ୍ଧୀଙ୍କର ଚାରୋଟି ବିବାହ ହୋଇଥିଲା । ମୋହନଦାସ ଗାନ୍ଧୀଙ୍କ ମାତା ପୁତଲୀ ବାଇ କରମଚନ୍ଦ ଗାନ୍ଧୀଙ୍କର ଚତୁର୍ଥ ପତ୍ନୀ ଥିଲେ ।

୧୮୭୪ ମସିହାରେ କରମଚନ୍ଦ ଗାନ୍ଧୀ ପରିବାର ସମେତ ପୋରବନ୍ଦରରୁ ରାଜକୋଟକୁ ଚାଲିଆସିଲେ ଓ ରାଜକୋଟରେ ନିଜର ଦିୱାନୀ କାର୍ଯ୍ୟ ଆରମ୍ଭ କଲେ । ତେଣୁ ମୋହନଦାସ ଗାନ୍ଧୀଙ୍କ ବାଲ୍ୟ ଜୀବନ ବିତିଲା ରାଜକୋଟରେ ଏବଂ ସେହିଠାରେ ସେ ମାତ୍ର ୧୧ବର୍ଷ ବୟସରେ ହାଇସ୍କୁଲ୍ ଶିକ୍ଷା ସମାପ୍ତ କଲେ ।

ମାତ୍ର ତେର ବର୍ଷ ବୟସରେ ମୋହନଦାସ ଗାନ୍ଧୀଙ୍କର ବିବାହ ହୋଇଥିଲା ତାଙ୍କ ଠାରୁ ବୟସରେ ବର୍ଷେ ବଡ଼ କସ୍ତୁରବାଙ୍କ ସହ ।

ପିଲାଦିନରୁ ମୋହନ ଖୁବ୍ ଲାଜକୁଳା ସ୍ୱଭାବର ଥିଲେ । କର୍ତ୍ତବ୍ୟନିଷ୍ଠ ଓ ସଚ୍ଚୋଟ ହେବାର ଗୁଣ ମଧ୍ୟ ତାଙ୍କର ପିଲାଦିନରୁ ହିଁ ପ୍ରସ୍ଫୁଟିତ ହେଇଥିଲା । ତାଙ୍କୁ ଯେକୌଣସି କାର୍ଯ୍ୟର ଭାର ଦିଆଯାଉଥିଲା ତାକୁ ସେ ନିଷ୍ଠାର ସହ ସମାପନ କରୁଥିଲେ । ପିଲାଦିନେ ବାୟୋସ୍କୋପ୍ ରେ ଦେଖିଥିବା ଶ୍ରବଣକୁମାରଙ୍କ ଉପାଖ୍ୟାନ ଓ ରାଜା ହରିଶ୍ଚନ୍ଦ୍ରଙ୍କ ନାଟକ ମୋହନଙ୍କ ଜୀବନକୁ ବେଶ୍ ପ୍ରଭାବିତ କରିଥିଲା ।

ସେ ଅହମ୍ମଦାବାଦରୁ ସ୍ନାତକ ଶିକ୍ଷା ସମାପ୍ତ କରି ଲଣ୍ଡନ ଯାଇଥିଲେ ଆଇନ ପଢ଼ିବା ପାଇଁ । ସେଠୁ ଫେରି ସେ ନିଜର ଓକିଲାତି ଜୀବନ ଆରମ୍ଭ କରିଥିଲେ । ଗୋଟାଏ କେସ୍ ପାଇଁ ତାଙ୍କୁ ଦକ୍ଷିଣ ଆଫ୍ରିକା ଯିବାକୁ ପଡିଥିଲା । ସେଠାରେ ମଧ୍ୟ ବ୍ରିଟିଶ୍ ଶାସନ ଚାଲିଥିଲା । ସେଠାରେ କଳା, ଗୋରା ଭେଦ ଭାବ ଚରମସୀମାରେ ଥିଲା । ମୋହନଦାସ ଗାନ୍ଧୀ ମଧ୍ୟ ସେଠାରେ ତୀବ୍ର ବର୍ଣ୍ଣ ବୈଷମ୍ୟତାର ଶିକାର ହୋଇଥିଲେ । ତେଣୁ ସେ ପଣ କରିଥିଲେ ଏ ବିଭେଦକୁ ଦୂର କରିବାକୁ ସାଧ୍ୟ ମତେ ଉଦ୍ୟମ କରିବେ ଏବଂ ସେଥିପାଇଁ ସେ କାର୍ଯ୍ୟ ମଧ୍ୟ କରିଥିଲେ ।

ଦୀର୍ଘ ଏକୋଇଶ ବର୍ଷ ଦକ୍ଷିଣ ଆଫ୍ରିକାରେ ବିତେଇବା ପରେ ମୋହନଦାସ କରମଚନ୍ଦ ଗାନ୍ଧୀ ଭାରତ ଫେରିଥିଲେ ୧୯୧୫ ମସିହାରେ ।

ବିଶ୍ଵକବି ରବୀନ୍ଦ୍ରନାଥ ଟାଗୋର ମୋହନଦାସ ଗାନ୍ଧୀଙ୍କର ବହୁତ ନିକଟବର୍ତ୍ତୀ ଥିଲେ ଯଦିଓ ଉଭୟଙ୍କ ବିଚାରଧାରାରେ ସାମାନ୍ୟ ପାର୍ଥକ୍ୟ ରହିଥିଲା । ଗାନ୍ଧିଜୀ କେବଳ ସ୍ୱରାଷ୍ଟ୍ର ପାଇଁ ଚିନ୍ତିତ ଥିବା ବେଳେ ବିଶ୍ଵକବି ବିଶ୍ଵଭାତୃତ୍ୱରେ ବିଶ୍ୱାସ କରୁଥିଲେ । ଭିନ୍ନ ଭିନ୍ନ ଆଦର୍ଶ ରହିଥାଇ ମଧ୍ୟ ଟାଗୋର ଓ ଗାନ୍ଧୀ ଅନେକ ସମୟରେ ମିଳିତ ଭାବେ ବିଭିନ୍ନ ସମସ୍ୟା ସମ୍ବନ୍ଧୀୟ ଆଲୋଚନା କରୁଥିଲେ । ସେ ହିଁ ମୋହନଦାସ ଗାନ୍ଧୀଙ୍କୁ ମହାତ୍ମା ଉପାଧି ଦେଇଥିଲେ । ସେବେଠୁ ଗାନ୍ଧିଜୀ ମହାତ୍ମା ଗାନ୍ଧୀ ନାମରେ ପରିଚିତ ହେଇଥିଲେ ।

ଦକ୍ଷିଣ ଆଫ୍ରିକାରୁ ଭାରତ ପ୍ରତ୍ୟାବର୍ତ୍ତନ କଲା ପରେ ହିଁ ମହାତ୍ମା ଗାନ୍ଧୀ ବ୍ରିଟିଶ ଶାସନରୁ ଭାରତକୁ ମୁକ୍ତ କରିବା ପାଇଁ ସକ୍ରିୟ ଭାବେ ଲଢ଼ିବା ଆରମ୍ଭ କରିଥିଲେ । ସତ୍ୟ ଓ ଅହିଂସାର ପଥରେ ଯାଇ ଭାରତୀୟଙ୍କୁ ସ୍ୱାଧୀନତାର ସ୍ୱାଦ ଚଖେଇବା ମହାତ୍ମା ଗାନ୍ଧୀଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ଭାରତୀୟ ଜାତୀୟ କଂଗ୍ରେସର ସକ୍ରିୟ ସଦସ୍ୟ ଭାବେ ଏବଂ ପରେ କଂଗ୍ରେସର ପ୍ରେସିଡେଣ୍ଟ ଭାବେ ମହାତ୍ମା ଗାନ୍ଧୀ ଦାୟିତ୍ୱ ଗ୍ରହଣ କରି ଭାରତର କୋଣ ଅନୁକୋଣରେ ମୁକ୍ତି ଆନ୍ଦୋଳନର ବାର୍ତ୍ତା ପହଞ୍ଚାଇବାକୁ ପ୍ରୟାସ କରିଥିଲେ ।

ସେହି ସମୟରେ ସେ ଓଡିଶାରେ ମୁକ୍ତି ସଂଗ୍ରାମକୁ ଦୃଢ଼ କରିବାକୁ ବିଭିନ୍ନ ସମୟରେ ସର୍ବମୋଟ ଆଠ ଥର ଓଡିଶା ଆସିଥିଲେ । ସେ ଓଡିଶାର ବିଭିନ୍ନ ଅଞ୍ଚଳକୁ ଯାଇ ସେଠାରେ ଲୋକମାନଙ୍କୁ ସଂଗଠିତ କରି ମୁକ୍ତି ପାଇଁ ପ୍ରେରିତ କରିବା ସହ ବିଭିନ୍ନ ପ୍ରକାର ସାମାଜିକ ବାର୍ତ୍ତା ମଧ୍ୟ ଦେଇଥିଲେ । ଓଡ଼ିଶାରୁ ଗରିବୀ, ଛୁଆଁ ଅଛୁଆଁ ଭେଦଭାବ ଦୂରେଇବା ପାଇଁ ସେ ବିଭିନ୍ନ ପଦକ୍ଷେପ ନେଇଥିଲେ ।

ଗାନ୍ଧିଜୀ ସର୍ବ ପ୍ରଥମେ ଓଡିଶା ଆସିଥିଲେ ୧୯୨୧ ମସିହା ମାର୍ଚ୍ଚ ମାସ ୨୩ ତାରିଖରେ । ଗାନ୍ଧିଜୀଙ୍କର ଗୋପବନ୍ଧୁ ଦାସଙ୍କ ବିଷୟରେ ଖୁବ୍ ଭଲ ଧାରଣା ଥିଲା । ଗୋପବନ୍ଧୁ ଦାସଙ୍କ ଟେଲିଗ୍ରାମ୍ ପାଇ ଗାନ୍ଧିଜୀ ଓଡିଶା ଆସିଥିଲେ । ସେ କଟକରେ ଓହ୍ଲେଇ ଥିଲେ ଓ ସେଠାରେ ଏକ ପ୍ରାଥମିକ ସଭାରେ ଅସହଯୋଗ ଆନ୍ଦୋଳନ ସମ୍ପର୍କରେ ନିଜର ବିଚାରକୁ ବ୍ୟକ୍ତ କରିଥିଲେ । ତାଙ୍କ ସଂଗ୍ରାମୀ ବାର୍ତ୍ତା କେବଳ ପୁରୁଷଙ୍କ ମଧ୍ୟରେ ସୀମିତ ନଥିଲା । ସେ ତାଙ୍କ ସଭାସ୍ଥଳକୁ, ଆନ୍ଦୋଳନକୁ ମହିଳାମାନଙ୍କୁ ମଧ୍ୟ ଆହ୍ୱାନ କରିଥିଲେ । ବ୍ରିଟିଶ ସରକାର ଗାନ୍ଧିଜୀଙ୍କ ସଭା ପାଇଁ କଟକର କୌଣସି ବଡ଼ ଓ ସୁବିଧାଜନକ ସ୍ଥାନକୁ ଗହଳି କରିବାକୁ ଅନୁମତି ଦେଲେନାହିଁ । ସେଥିପାଇଁ କାଠଯୋଡ଼ି ନଦୀର ବାଲି ଉପରେ ସଭା ଆୟୋଜିତ ହେଲା । ଗାନ୍ଧୀଙ୍କ ଡାକରାରେ ହଜାର ହଜାର ସଂଖ୍ୟାରେ ନର ନାରୀ ସେଠାରେ ଉପସ୍ଥିତ ହୋଇଥିଲେ । କାଠଯୋଡ଼ିର ବାଲି ଲୋକାରଣ୍ୟ ହୋଇ ଯାଇଥିଲା । ଶୁଣାଯାଏ ସେହି ସମୟରେ କେହି ଜଣେ ଗାନ୍ଧୀ ବିରୋଧୀ ବ୍ୟକ୍ତି ଗାନ୍ଧିଜୀଙ୍କ ଉପରକୁ ଏକ କୁଲା ପକେଇ ତାଙ୍କୁ ବିରୋଧ କରିବାକୁ ପ୍ରୟାସ କରିଥିଲା । କିନ୍ତୁ ଉତ୍କଳମଣି ଗୋପବନ୍ଧୁ ଦାସ ସେହି କୁଲାକୁ ସେହି ସଭାରେ ନିଲାମ ଡାକି ବିକ୍ରି କରିଦେଇଥିଲେ ।

ସେହିଥର ଗାନ୍ଧିଜୀ ଯେଉଁ ଓଡିଶା ଆସିଥିଲେ, କଟକର ସ୍ୱରାଜ ଆଶ୍ରମରେ ତାଙ୍କର ରହଣିର ବ୍ୟବସ୍ଥା କରାଯାଇଥିଲା ।

ମାର୍ଚ୍ଚ ପଚିଶରେ ସେ ଭଦ୍ରକ ଯାଇଥିଲେ । ପରେ ଗୋପବନ୍ଧୁ ଦାସଙ୍କ ସହ ପୁରୀର ବନ ବିଦ୍ୟାଳୟ ପରିଦର୍ଶନ କଲେ ଓ ପୁରୀରେ ଏକ ବିରାଟ ଜନ ସମାଗମରେ ଭାରତର ମୁକ୍ତି ସଂଗ୍ରାମ ବିଷୟରେ ବକ୍ତବ୍ୟ ରଖିଥିଲେ । ପୁରୀରୁ ସେ ବ୍ରହ୍ମପୁର ମଧ୍ୟ ଯାଇଥିଲେ ଏବଂ ସେହିଠାରେ ଗାନ୍ଧିଜୀଙ୍କ ପ୍ରଥମ ଓଡିଶା ପରିଦର୍ଶନର ଅନ୍ତ ହେଇଥିଲା ।

ଦ୍ୱିତୀୟ ଥର ଗାନ୍ଧିଜୀ ଓଡିଶା ଆସିଥିଲେ ୧୯୨୫ ଅଗଷ୍ଟ ୧୯ ରେ । ସେଥର ସେ ମଧୁସୂଦନ ଦାସଙ୍କ ଉତ୍କଳ ଟ୍ୟାନେରୀ ପରିଦର୍ଶନ କରିଥିଲେ ଓ ତାଙ୍କୁ ସେହି କାର୍ଯ୍ୟରେ ସହଯୋଗ ଓ ସମର୍ଥନ ଦେଇଥିଲେ । ଅଗଷ୍ଟ କୋଡ଼ିଏ ସନ୍ଧ୍ୟାରେ ଗାନ୍ଧିଜୀ କଟକରୁ କଲିକତା ବାହାରିଯାଇଥିଲେ ।       ତୃତୀୟ ଥର ଗାନ୍ଧିଜୀ ଓଡିଶା ଆସିଥିଲେ ୪ ଡିସେମ୍ବର ୧୯୨୫ ରେ । ଗାନ୍ଧିଜୀ ୪ ରୁ ୨୧ ପର୍ଯ୍ୟନ୍ତ ଓଡିଶାରେ ରହିଥିଲେ । ତୃତୀୟ ଥର ଗାନ୍ଧିଜୀ ଓଡିଶା ଆସିଥିଲେ ଖଦି କପଡ଼ା ଉପରେ ଲୋକଙ୍କୁ ସୂଚନା ଦେବା ପାଇଁ ଏବଂ ଓଡିଶାର ଆର୍ଥିକ ଦୂର୍ବଳ ଶ୍ରେଣୀଙ୍କୁ ଖଦି କପଡ଼ା କାଟି ଆତ୍ମନିର୍ଭରଶୀଳ ହେବାକୁ ପ୍ରେରିତ କରିଥିଲେ । ଗାନ୍ଧିଜୀଙ୍କ ଆଗମନରେ ସେଥର ଲୋକଙ୍କ ଭିତରେ ଏକ ସୁନ୍ଦର ବାର୍ତ୍ତା ଖେଳିଯାଇଥିଲା ଯେ ଘରେ ଘରେ ଅରଟ ଘୁରିବ, ଲୋକଙ୍କ ଦୁଃଖ ଦୁର୍ଦଶା ଦୂର ହେବ, ଲୋକମାନେ ସତ୍ୟ ଓ ଅହିଂସା ପଥରେ ଚାଲି ମୁକ୍ତି ପାଇଁ ଲଢ଼ିବେ ।

ଗାନ୍ଧିଜୀ ବ୍ରହ୍ମପୁରର ଅନେକ ଖଦି ତିଆରି କେନ୍ଦ୍ର ବୁଲି ଦେଖିଥିଲେ । ଭଦ୍ରକରେ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ଥ ହେଇଥିବା ଅଞ୍ଚଳ ବୁଲିଥିଲେ । ସେଥର ଖୁବ୍ ବେଶି ବୁଲାବୁଲି ଯୋଗୁଁ ଗାନ୍ଧିଜୀଙ୍କ ଶରୀର ଅସୁସ୍ଥ ହୋଇପଡିଥିଲା ଓ ସେ କିଛି ଦିନ ବିଶ୍ରାମ ନେବା ପରେ ଡିସେମ୍ବର କୋଡ଼ିଏରେ କଟକରେ ଏକ ମିଟିଂରେ ଯୋଗ ଦେଇଥିଲେ ଏବଂ ତା ପରଦିନ ହିଁ ସେ ଓଡିଶା ଛାଡିଥିଲେ ।

ମହାତ୍ମା ଗାନ୍ଧୀଙ୍କ ଚତୁର୍ଥ ଓଡିଶା ଆଗମନ ହେଇଥିଲା ଡିସେମ୍ବର ୨୨ ୧୯୨୮ ରେ । ସେଥର ସେ ମାତ୍ର ଗୋଟିଏ ଦିନ ପାଇଁ ଓଡିଶା ଗସ୍ତରେ ଆସିଥିଲେ । ପ୍ରଥମେ ଝାରସୁଗୁଡାରେ ଅଟକି ଏକ ସଭାରେ ଯୋଗ ଦେଇ ବିଭିନ୍ନ ସମସ୍ୟା ଉପରେ କଥାବାର୍ତ୍ତା ହୋଇଥିଲେ । ସେଠୁ ସେ ସମ୍ବଲପୁର ଯାଇଥିଲେ । ସମ୍ବଲପୁରର ମହାନଦୀ କୂଳରେ ଏକ ସଭା ଡକାଇ ସେ ଲୋକଙ୍କୁ ବାର୍ତ୍ତା ଦେଇଥିଲେ । ଉକ୍ତ ସଭାରେ ଗାନ୍ଧୀଙ୍କ ସହ ସ୍ଥାନୀୟ ବାସିନ୍ଦା ବିଭିନ୍ନ ସମସ୍ୟା ସମ୍ବନ୍ଧରେ ମଧ୍ୟ ଆଲୋଚନା କରିଥିଲେ ।

ଗାନ୍ଧିଜୀ ୫ ମଇ ୧୯୩୪ ରେ ପଞ୍ଚମ ଥର ପାଇଁ ଓଡିଶା ଆଗମନ କରିଥିଲେ । ଗାନ୍ଧିଜୀଙ୍କ ପଞ୍ଚମ ଓଡିଶା ପରିଦର୍ଶନ ଓଡିଶା ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କାରଣ ସେହିଥର ଗାନ୍ଧୀ ଓଡିଶାରେ ପଦଯାତ୍ରା ଆରମ୍ଭ କରିଥିଲେ । ସେ ମଇ ପାଞ୍ଚରୁ ମଇ ଷୋହଳ ପର୍ଯ୍ୟନ୍ତ ଓଡିଶାରେ ରହିଥିଲେ । ସେ ପାଞ୍ଚ ତାରିଖ ଦିନ ଝାରସୁଗୁଡାରେ ପହଞ୍ଚିଥିଲେ । ସେହିଦିନ ସେ ଝାରସୁଗୁଡା ଓ ସମ୍ବଲପୁରର ଜନସାଧାରଣଙ୍କୁ ଅସ୍ପୃଶ୍ୟତା ଦୂର କରି ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ସଚେତନାତ୍ମକ ବାର୍ତ୍ତା ଦେଇଥିଲେ । ତା'ର ଠିକ ପର ଦିନ ସେ ଅନୁଗୁଳ ଯାଇଥିଲେ ଓ ସେଠାରେ ମଧ୍ୟ ଅସ୍ପୃଶ୍ୟତା ଦୂରୀକରଣ ବାର୍ତ୍ତା ଓ ମୁକ୍ତିର ଗାଥା କହି ଜନତାଙ୍କୁ ପ୍ରେରିତ କରିଥିଲେ । ମହାତ୍ମା ଗାନ୍ଧୀ ପୁରୀରେ ପହଂଚିଥିଲେ ମଇ ୭ରେ । ମଇ ଆଠରେ ସେ ପୁରୀଠାରେ ଉତ୍କଳମଣି ଗୋପବନ୍ଧୁଙ୍କର ମୂର୍ତ୍ତି ଉଦ୍ଘାଟନ କରିଥିଲେ । ମଇ ୮ରୁ ମଇ ୧୬ ପର୍ଯ୍ୟନ୍ତ ସେ ପୁରୀରୁ କଟକ ପଦଯାତ୍ରା କରିଥିଲେ । ଗାନ୍ଧିଜୀଙ୍କ ପଦଯାତ୍ରା ମୁକ୍ତିକାମୀ ଓଡିଶାବାସୀଙ୍କ ମନୋବଳକୁ ଖୁବ୍ ଦୃଢ଼ କରିଥିଲା । ଗାନ୍ଧିଜୀ ସେହି ପଦଯାତ୍ରା ସମୟରେ କାଦୁଆ ଆଶ୍ରମ, ସତ୍ୟଭାମାପୁର, ବାଲିଅନ୍ତା ଆଦି ବିଭିନ୍ନ ସ୍ଥାନରେ ସ୍ୱଳ୍ପ ସମୟ ପାଇଁ ରହିଥିଲେ । ମଇ ୧୬ ଦିନ ଗାନ୍ଧିଜୀ ଓଡିଶାରୁ ପାଟଣା ଅଭିମୁଖେ ବାହାରିଯାଇଥିଲେ ।

ଷଷ୍ଠଥର ଗାନ୍ଧିଜୀ ଓଡିଶା ଆସିଥିଲେ ସେହି ଖୁବ୍ କମ ଦିନର ବ୍ୟବଧାନ ଭିତରେ । ସେ ୨୧ ମଇ ୧୯୩୪ରେ ଓଡିଶା ଆସି 'ହରିଜନ ପଦଯାତ୍ରା'କୁ ପୁନର୍ବାର ଆରମ୍ଭ କରିଥିଲେ । ସେଥର ସେ ଯାଜପୁରରୁ ଭଦ୍ରକ ପଦଯାତ୍ରା କରିଥିଲେ ।  ସେହି ପଦଯାତ୍ରାରେ ଗାନ୍ଧିଜୀ କଟକର ଅନେକ ଗ୍ରାମୀଣ ଅଞ୍ଚଳ, କେନ୍ଦ୍ରାପଡ଼ା, ଯାଜପୁରର ବରୀ, କବିରପୁର ଆଦି ଅଞ୍ଚଳକୁ ଅତିକ୍ରମ କରି ଭଦ୍ରକରେ ପହଂଚିଥିଲେ । ସେ ତାଙ୍କର ପଦଯାତ୍ରାକୁ ଜୁନ୍ ୭ ପର୍ଯ୍ୟନ୍ତ ଅବ୍ୟାହତ ରଖିଥିଲେ ।

ଗାନ୍ଧିଜୀ ତାଙ୍କ ସପ୍ତମ ଓଡିଶା ଆଗମନରେ ପୁରୀର ଡେଲାଙ୍ଗ ଅଞ୍ଚଳକୁ ଆସିଥିଲେ । ସେଠାରେ ସେ 'ଗାନ୍ଧୀ ସେବା ସଙ୍ଘ' ର ବାର୍ଷିକ କଂଫରେନ୍ସର ରେ ଯୋଗଦେବାକୁ ଆସିଥିଲେ । ତାଙ୍କ ସହ ସେଥର ସେହି ସଭାରେ ସର୍ଦ୍ଦାର ବଲ୍ଳଭଭାଇ ପଟେଲ ଓ ରାଜେନ୍ଦ୍ର ପ୍ରସାଦ ମଧ୍ୟ ଯୋଗ ଦେଇଥିଲେ । ସେହି ସାପ୍ତାହ ଧରି କାର୍ଯ୍ୟକ୍ରମ ପାଇଁ ମାର୍ଚ୍ଚ ୨୫ ୧୯୩୮ ରୁ ମାର୍ଚ୍ଚ ୨୯ ୧୯୩୮ ପର୍ଯ୍ୟନ୍ତ ଗାନ୍ଧିଜୀ ଓଡିଶାରେ ରହିଥିଲେ ।

ଗାନ୍ଧିଜୀ ଅଷ୍ଟମ ଥର ପାଇଁ ଓଡିଶା ଆସିଥିଲେ ଜାନୁଆରୀ କୋଡ଼ିଏ ୧୯୪୬ରେ । ତାହା ଗାନ୍ଧିଜୀଙ୍କ ଶେଷତମ ଓଡିଶା ପରିଦର୍ଶନ ଥିଲା । ସେଥର ସେ ମାଡ୍ରାସ (ବର୍ତ୍ତମାନର ଚେନ୍ନାଇ ) ଯିବା ରାସ୍ତାରେ ଓଡିଶାରେ ନିଜ ସମର୍ଥକଙ୍କୁ ଭେଟିଥିଲେ । ସେ ତାଙ୍କ ସମର୍ଥକଙ୍କୁ ବାଲେଶ୍ୱର, ଭଦ୍ରକ, କଟକ ଏବଂ ବ୍ରହ୍ମପୁରରେ ଭେଟିଥିଲେ, ମାଡ୍ରାସକୁ ଟ୍ରେନ ଯୋଗେ ଯାଉଥିବାବେଳେ । ତେଣୁ ଷ୍ଟେସନ ଗୁଡ଼ିକରେ ଗାନ୍ଧିଜୀଙ୍କୁ ଭେଟିବାକୁ ଜନତାଙ୍କର ଅସମ୍ଭବ ଭିଡ଼ ହୋଇଥିଲା ।

ଭାରତର ମୁକ୍ତି ଆନ୍ଦୋଳନରେ ଓଡିଶାର ଅବଦାନ ଅନନ୍ୟ । ସେହି ଅନନ୍ୟ ଅବଦାନକୁ ଅନୁପ୍ରାଣିତ କରିଥିଲେ ମହାତ୍ମା ଗାନ୍ଧୀ । ଗାନ୍ଧିଜୀଙ୍କ ଡାକରାରେ ଓଡିଶାର କୋଣ ଅନୁକୋଣରୁ ହଜାର ହଜାର ନରନାରୀ ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ । ଅନେକ ଓଡ଼ିଆ ସଂଗ୍ରାମୀ ଗାନ୍ଧିଜୀଙ୍କ ଆହ୍ୱାନରେ ଦେଶର ମୁକ୍ତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ ।

ସତ୍ୟ ଓ ଅହିଂସା ଥିଲା ଗାନ୍ଧିଜୀଙ୍କ ଆଦର୍ଶ । ସେ ସେହି ପଥରେ ଯାଇ ଭାରତକୁ ମୁକ୍ତ କରିବାର ସ୍ୱପ୍ନ ଦେଖିଥିଲେ । ଅବଶ୍ୟ ସେହି ସମୟରେ ମୁକ୍ତି ପାଇଁ ଓ ସମ୍ପୂର୍ଣ୍ଣ ସ୍ୱରାଜ ପାଇଁ ଅନେକ ସଂଗ୍ରାମୀ ଗାନ୍ଧିଜୀଙ୍କଠାରୁ ଅଲଗା ହୋଇ ସଶସ୍ତ୍ର ସଂଗ୍ରାମ କରୁଥିଲେ ଓ ସେମାନଙ୍କର ସଂଗ୍ରାମ ମଧ୍ୟ ଇଂରେଜ ଶାସନ ଉପରେ ଭୀଷଣ ଭାବେ ପ୍ରଭାବ ପକାଉଥିଲା । କିନ୍ତୁ ଗାନ୍ଧିଜୀଙ୍କ ଅହିଂସାର ମାର୍ଗକୁ ସର୍ବାଧିକ ଭାରତୀୟ ଅନୁସରଣ କରୁଥିଲେ ଓ ଗାନ୍ଧିଜୀଙ୍କ ଉପରେ ଗଭୀର ବିଶ୍ୱାସ ରଖିଥିଲେ ।

ଗାନ୍ଧିଜୀ ଜଣେ ଧାର୍ମିକ ମଣିଷ ଥିଲେ, କିନ୍ତୁ ଧର୍ମାନ୍ଧ ନଥିଲେ । ଧର୍ମରେ ଥିବା ନାନାଦି କୁସଂସ୍କାରକୁ ସେ ବିରୋଧ କରୁଥିଲେ । ଛୁଆଁ ଅଛୁଆଁ ଭଳି ଏକ ଧାର୍ମିକ କୁସଂସ୍କାରକୁ ଘୋର ବିରୋଧ କରିବାକୁ ଯାଇ ଗାନ୍ଧିଜୀ ଅନେକ ଧାର୍ମିକ ବ୍ୟକ୍ତି ଓ ଧାର୍ମିକ ଅନୁଷ୍ଠାନର ଆକ୍ରୋଶର ଶିକାର ମଧ୍ୟ ହୋଇଥିଲେ । ସେ ଏକ ଅତ୍ୟନ୍ତ ସରଳ ଜୀବନ ଯାପନ କରୁଥିଲେ । ଗାନ୍ଧିଜୀ ଧର୍ମ ନିରପେକ୍ଷ ଥିଲେ । ସବୁ ଧର୍ମକୁ ସମାନ ପ୍ରକାର ସମ୍ମାନ ଦେଇ ଏକ ଭାଇଚାରାର ସମ୍ପର୍କରେ ରହିବା ପାଇଁ ସେ ସମସ୍ତ ଭାରତବାସୀଙ୍କୁ ଆହ୍ୱାନ କରିଥିଲେ ।

Report an Error