ଗଛଲତାଙ୍କ ନୂଆ ଘର

ଏ ଗପ ପିଲାଙ୍କ ପାଇଁ । ଶିଶୁ କଳ୍ପନାରେ ଜଗତର ସବୁ ସତ୍ୟ ଇ ସୁନ୍ଦର । ଏ ଗପର ପ୍ରକୃତି ଓ ପରୀ ସେମିତି ସୁନ୍ଦର ।


ଚିଂଟୁର ବାପା ସମୁଦ୍ର ବୁଡ଼ାଳି । କିଛିଦିନ ତଳେ ବାପାଙ୍କ ସାଙ୍ଗରେ ସମୁଦ୍ର ଭିତରଟା ଦେଖିବ ବୋଲି ସେ ପାଣି ଭିତରକୁ ଯାଇଥିଲା । ତା’ ଭିତରେ ଶଙ୍ଖ, ଛୋଟ ବଡ଼ ରଙ୍ଗୀନ୍ ମାଛ, ଶାମୁକା, ସମୁଦ୍ର କଙ୍କଡ଼ା, ଜେଲି ଓ ଅନେକ ପ୍ରକାରର ଜୀବ ଦେଖିଲା । ସେମାନଙ୍କୁ ପାଖରୁ ଟିକେ ଭଲରେ ଦେଖିବାକୁ ଗଲାବେଳକୁ ସେମାନେ ସବୁ ଛୋଟ ମୋଟ ବୁଦା ଆଢ଼ୁଆଳରେ ଲୁଚି ଯାଉଥାନ୍ତି ନହେଲେ ଘଞ୍ଚ ଶିଉଳି ଭିତରେ ରହି ଯାଉଥାନ୍ତି । ଏ ଶିଉଳି ଓ ବୁଦା ଗଛମାନଙ୍କର ପତ୍ର ସବୁ ବି ଖୁବ୍ ରଙ୍ଗୀନ୍ । ଏମାନଙ୍କୁ ଦେଖି ଚିଂଟୁର ଖୁସି କହିଲେ ନସରେ ।

ଚିଂଟୁର ସେଠୁ ଫେରିବାକୁ ଇଚ୍ଛା ନଥିଲେ ବି ବାପା ତାକୁ “ସମୟ ହୋଇଗଲାଣି ଆଉ ଥରେ ଆସିବା” କହି ନେଇ ଆସିଲେ । ଘରକୁ ଆସିବା ପରେ ଚିଂଟୁ ସେଠାରେ ଦେଖିଥିବା ଛୋଟ ଛୋଟ ରଙ୍ଗୀନ୍ ଶିଉଳି ଓ ବୁଦା ଗଛମାନଙ୍କର କଥା ନିଜ ସାଙ୍ଗମାନଙ୍କୁ କୁହେ । ସେଇ ଛୋଟ ଛୋଟ ଗଛମାନଙ୍କୁ ଘରେ ଆଣି ରଖିଲେ ହୁଅନ୍ତା କି ନାହିଁ ବୋଲି ମନେ ମନେ ବିଚାରେ ।

ଏ ଭିତରେ କିଛି ଦିନ ବିତି ଯାଇଥାଏ । ବାପାଙ୍କ ସହ ବାରବାର ସମୁଦ୍ର ଭିତରକୁ ଯିବା ଭିତରେ ସେ ପହଁରା ଶିଖି ଯାଇଥାଏ । ତେଣୁ ସେଥର କାହାକୁ କିଛି ନ କହି ଖୁବ୍ ସାହସରେ ଏକୁଟିଆ ସମୁଦ୍ର ଭିତରକୁ ଚାଲିଗଲା ଚିଂଟୁ । ତା’ର ସବୁଠୁ ବେଶୀ କୌତୂହଳ ଥିବା ଓ କୁହେଳିକାମୟ ଲାଗୁଥିବା ଲତାବୁଦାଟି ପାଖକୁ ଯାଇ ତା ଗୋଡ଼ଠାରୁ ମୁଣ୍ଡ ଯାଏ ଟିକେ ଆଉଁଷି ଦେଖିଲା । ଲତାଟିକୁ ସଲସଲ୍ (କୁତୁରୁକାଳିଆ) ଲାଗିଲା ବୋଲି ସେ ଆଉ ରହି ନପାରି ନିଜ ରୂପକୁ ଫେରି ଆସିଲା । ଚିଂଟୁ ସାମ୍ନାରେ ଏଥର କୁନି ପରୀ ।

କୁନି ପରୀକୁ ସାମ୍ନାରେ ପାଇ ଓ ସେ ପରୀଟିଏ ବୋଲି ଜାଣିସାରି ଚିଂଟୁ ନିଜ ମନକଥା ତାକୁ କହିବ ବୋଲି ଭାବିଲା । କହିଲା, “ଆମ ପୃଥିବୀରେ ଗଛଲତା ଜମା ନାହିଁ । ଛୋଟ ଛୋଟ ଘାସମାନେ ଯାହା ଅଛନ୍ତି । ମୋ ସହ ଖେଳିବା ପାଇଁ ବି ବେଶୀ କେହି ନାହାନ୍ତି ଏଠିକା ପରି । କେବଳ ଠେକୁଆ ସହ ଯାହା କିଛି ସମୟ ମୁଁ ଓ ମୋ ଭଉଣୀ ଖାଲି ଦଉଡ଼ା ଦଉଡ଼ି ଖେଳୁ । ଲୁଚାଲୁଚି ଖେଳିବା ପାଇଁ ବି ଜାଗା ଟିକେ ନାହିଁ । ତୁମର ତ ଏଠି ଲୁଚିବା ପାଇଁ ବହୁତ ଜାଗା ଅଛି । ଅନେକ ଜୀବ ବି ଅଛନ୍ତି ସାଙ୍ଗ ହେବା ପାଇଁ । ଏଠିକା ପରି କ’ଣ ଆମ ମାଟି ଉପରେ ଏସବୁ ହୋଇ ପାରିବନି ?”

କୁନି ପରୀ ଚିଂଟୁର ଇଚ୍ଛା ପୂରା କରିବାକୁ ସାଙ୍ଗେ ସାଙ୍ଗେ ହଁ ଭରି ଦେଲା । ମାଛମାନଙ୍କୁ ଡାକି ସବୁ ଲତା, ବୁଦା, ଶିଉଳି ଆଦି ଗୁଳ୍ମଙ୍କଠାରୁ ମଞ୍ଜି ସଂଗ୍ରହ କରି ଆଣିବାକୁ କହିଲା । ମଞ୍ଜି ଆଣି ଏକାଠି ହେବା ପରେ କୁନି ପରୀର ଇଶାରାରେ ସେମାନେ ଚିଂଟୁର ଘର ଚାରିପାଖରେ ଥିବା ବିସ୍ତୀର୍ଣ୍ଣ ପ୍ରାନ୍ତର ଉପରେ ଉଡ଼ି ଉଡ଼ି ମଞ୍ଜି ସବୁ ବୁଣି ଦେଇ ଫେରିଗଲେ ସମୁଦ୍ର ଭିତରକୁ । ସମୁଦ୍ର କୂଳେ କୂଳେ ଥିବା ଫୁଲ ଫଳ ସବୁକୁ ଚାରିଆଡେ଼ ବୁଣିବା କାମରେ ପ୍ରଜାପତି ଓ ଚଢେ଼ଇମାନଙ୍କୁ ଲଗାଇ ଦେଲା କୁନି ପରୀ ।

ସବୁ ଆଡେ଼ ମଞ୍ଜି, ଫୁଲ, ଫଳ ପଡ଼ିଯିବା ପରେ କୁନି ପରୀ ସମୁଦ୍ର ଭିତରୁ ଉପରକୁ ଉଠିଆସିଲା ଚିଂଟୁ ସହିତ । ମାଟି ଉପରେ ପହଞ୍ଚି ମା’ ବୋଲି ଥରେ ଡାକିଛି କି ନାହିଁ ମାଟିଆ ରଙ୍ଗର ଗୋଲଗାଲ୍ ମୁହଁଟେ ଭୂଇଁ ଉପରକୁ ଦିଶିଲା । କୁନି ପରୀ ତା ପାଖକୁ ଯାଇ ଟିକେ ଗେଲ ହେଇସାରି କହିଲା; “ମାଆ ! ଚିଂଟୁ କହୁଛି ପାଣି ଭିତରେ ଯେମିତି ତୋ ଦେହରେ ଗଛ ସବୁ ଅଛନ୍ତି ଏଠି ବି ସେମିତି ଗଛ ହେଲେ ଭଲ ହୁଅନ୍ତା । ତୋ ଦେହରେ ଏତେ ଜଣଙ୍କୁ କ’ଣ ତୁ ଆଶ୍ରୟ ଦେଇପାରିବୁ ?”

ଏଥର ମାଟି ଓଠରେ ସରୁ ହସ ଧାରଟେ ଦେଖାଗଲା । ସେଇଥିରୁ ଜଣାପଡ଼ିଗଲା ମାଟି ମାଆ ତା’ର ଏ କଥାରେ ରାଜି ବୋଲି । ତା’ ହସରେ ସୂର୍ଯ୍ୟର ଆଲୁଅ ପଡ଼ି ଚକ୍ ଚକ୍ କଲାବେଳକୁ ଚିଂଟୁ ଦଉଡ଼ିଯାଇ ମାଟିକୁ କୁଣ୍ଢେଇ ପକାଇଲା ଖୁସିରେ ।

ଚାହୁଁ ଚାହୁଁ ଗୋଟିଏ ଦିନରେ ପ୍ରଜାପତି, ଚଢେ଼ଇ ବୁଣିଥିବା ମଞ୍ଜି, ଫୁଲ, ଫଳରୁ ଗଛ ହୋଇଗଲା କୁନି ପରୀର କୁହୁକ ସ୍ପର୍ଶରେ । ଚିଂଟୁକୁ ଏଥର ଗଛମାନଙ୍କୁ ପୃଥିବୀ ସାରା ବିଛାଇ ହୋଇଯିବା ଲାଗି କହିବାକୁ କହିଲା କୁନି ପରୀ ।

ଚିଂଟୁର କଥା ଶୁଣି ଗଛମାନେ ନିଜ ଇଚ୍ଛାରେ ବିଭିନ୍ନ ଆଡ଼କୁ କ୍ଷେପି ଯାଇ ନିଜ ନିଜର ଜାଗା ବାଛି ନେଇ ବସିଗଲେ । ସେମାନେ ଧାଉଁଥିବାବେଳେ ପବନର ବେଗ ବଢ଼ିଗଲା । ପରେ ପରେ ଜୀବଜନ୍ତୁମାନେ ସବୁ ଘାସ ଗହଳରୁ ବାହାରି ନିଜ ନିଜ ଘର ତିଆରିବା ଲାଗି ଥାନଟି ମାନ ବାଛିନେଲେ । କିଏ ଗଛ ଡାଳରେ ବସା କରି ରହିଲା ତ, କିଏ ଗଛ କୋରଡ଼ରେ, କିଏ ଡାଳରେ ଓହଳି ଖେଳିଲା ତ କିଏ ଗଛ ମୂଳେ ଗୁମ୍ଫା କରି ରହିଲା ।

କୁନି ପରୀ ଓ ଚିଂଟୁର ଆଖି ଆଗରେ ଟାଙ୍ଗରା ଦିଶୁଥିବା ସାରା ପୃଥିବୀର ମାଟି ଉପରେ ସବୁଜ ରଙ୍ଗର ପରସ୍ତଟିଏ ଛାଇଗଲା ।

ସେଇ ଦିନଠୁ ଆମ ସହ ସାଙ୍ଗ ହୋଇ ଗଛମାନେ ଏଇ ପୃଥିବୀରେ ଅଛନ୍ତି । ଆମେ ସବୁ ଚିଂଟୁର ବଂଶଧର ବୋଲି କୃତଜ୍ଞତା ସ୍ୱରୂପ ଆମକୁ ଫଳ ଦେଉଛନ୍ତି ଖାଇବାକୁ; କାଠ ଦେଉଛନ୍ତି ଜିନିଷ ପତ୍ର ତିଆରି କରିବାକୁ, ଜାଳିବାକୁ, ଘର ବନେଇବାକୁ; ଅମ୍ଳଜାନ ଦେଉଛନ୍ତି ବଞ୍ଚି ରହିବାକୁ, ନିଶ୍ୱାସ ପ୍ରଶ୍ୱାସ ନେବାକୁ ।

ଆଜିଯାଏ ବି କୁନି ପରୀର କଥା ମାନି ଚଢେ଼ଇ ଓ ପ୍ରଜାପତି ଫୁଲ ଫଳର ମଞ୍ଜି ସବୁଆଡେ଼ ନେଇ ପକାଇବା କାମରେ ଲାଗିଛନ୍ତି ।