ଫ୍ରାନ୍ଜ଼ କାଫକାଙ୍କ ପାଞ୍ଚଟି କ୍ଷୁଦ୍ରାତିକ୍ଷୁଦ୍ର ଗଳ୍ପ

ଫ୍ରାନ୍ଜ଼ କାଫକା, ପୃଥିବୀର ଆଧୁନିକ ଗଳ୍ପକଳାର ଅନ୍ୟତମ ଦିଗଦ୍ରଷ୍ଟା । କାଫକା କେବଳ ଲେଖକ ନୁହନ୍ତି, ସେ ଗତ ଶତାବ୍ଦୀର ସବୁଠୁ ସୁନ୍ଦର ଓ ମାର୍ମିକ କଥାଶିଳ୍ପୀ । ତାଙ୍କ ଗପର ପାଞ୍ଚୋଟି ଛୋଟ ଛୋଟ ଅନୁବାଦ ।


ଫଟୋ - ୱିକି କମନ୍ସ

ଅକସ୍ମାତ ସାହି ରାସ୍ତା ରାତି ଅନ୍ଧାରରେ

ତୁମେ ଯେତେବେଳେ ଠିକ କରିନେଲ ଯେ ଆଜି ସନ୍ଧ୍ୟାରେ ତୁମେ ଘରେ ହିଁ ରହିବ, ଘରପିନ୍ଧା ଲୁଗା ପିନ୍ଧି, ରାତିଖିଆ ସାରି ବତୀ ଲଗେଇ ଟେବୁଲ ଆଗରେ ବସି ସାରିଥାଅ କିଛି ଲେଖାପଢାପାଇଁ, ଯେଉଁଥିଲାଗି ଶୋଇବା ଆଗରୁ କିଛି ସମୟ ଦେବାକୁ ତୁମେ ବାଧ୍ୟ ହୋଇଥାଅ; ଯେତେବେଳେ ବାହାରେ ପାଗ ପ୍ରକୃତରେ ଖରାପ, ତେଣୁ ଘରେ ରହିବା ହିଁ ସ୍ୱାଭାବିକ ବୋଲି ତୁମେ ଠିକ କରିନେଇଥାଅ ଏବଂ ଟେବୁଲ ଆଗରେ ଅନେକ ସମୟ ଧରି ଏଭଳି ଚୁପଚାପ ତୁମେ ବସିରହିଥାଅ ଯେ ହଠାତ ସେଠାରୁ ଉଠି ବାହାରକୁ ଚାଲିଯିବା ଯେ କାହାକୁ ବି ବିସ୍ମିତ ଲାଗିବ, ଯେତେବେଳେ ପୁଣି ବାହାରେ ପାହାଚ ସବୁ ଅନ୍ଧାର ଓ ମୁଖ୍ୟ - ଦ୍ୱାରରେ ବି ତାଲା ପଡିସାରିଥିବ; ଅଥଚ ତୁମେ ଅକସ୍ମାତ ଭାବେ ଏକ ଉତକ୍ଷିପ୍ତ ଅତୃପ୍ତିରେ ଲୁଗାବଦଳେଇ ଅନାବନା ତରବରିଆରେ ଫୋପାଡ଼ିଲା ଭଳି ଶବ୍ଦ କେତୋଟିରେ ମନକୁ ମନ ନିଜକୁ କୈଫିୟତ ଦେଉ ଦେଉ ତୁମେ ପ୍ରକୃତରେ ବାହାରକୁ ଗୋଡ କାଢି ସାରିଥିବ ଓ ଘର କବାଟକୁ ପଛପଟିଆ ସେତିକି ଜୋରରେ ବନ୍ଦ କରିଥିବ ଯାହାର ଭାଗମାପ ତୁମେ ପଛରେ ଛାଡି ଆସିଥିବା ଅସୁଖ ଭାବ ସହ ସମାନ ।

ତୁମେ ସେତେବେଳ ସୁଦ୍ଧା ସାହି - ରାସ୍ତା ଉପରକୁ ଚାଲିଆସିଥବ ଓ ତୁମର ଅଙ୍ଗ - ପ୍ରତ୍ୟଙ୍ଗ ଏବେ ଯେତିକି ଉନମୁକ୍ତତା ଅନୁଭବ କରିପାରୁଥିବେ, ତୁମେ ତାହାର ପ୍ରତ୍ୟୁତ୍ତରରେ ସାମାନ୍ୟ ଅଧିକ ଚଳଚଞ୍ଚଳ ହୋଇଉଠିଥିବ ଏବଂ ସେ ସବୁର ପ୍ରଭାବରେ ଯେକୌଣସି କାର୍ଯ୍ୟ ଲାଗି ତୁମ ଭିତରେ ଯଥେଷ୍ଟ ସମ୍ଭାବିତ ଶକ୍ତି ନିବିଷ୍ଟ ରହିଥିବା ଠଉରେଇ ପାରି ସାଧାରଣ ବିଶେଷତ୍ବତାଠାରୁ ଯଥେଷ୍ଟ ଅଧିକ ପ୍ରାଧାନ୍ୟତା ସହ ଚିହ୍ନିପାରୁଥିବ ଯେ ତୁମର ଅନ୍ତଃସ୍ଥିତ ଶକ୍ତି ଯେକୌଣସି ପରିବର୍ତ୍ତନକୁ ବିନା କ୍ଳେଶରେ କେବଳ ଗ୍ରହଣ ନୁହେଁ, ହାସଲ କରି ନିଜ ଅକ୍ତିଆରରେ ରଖିପାରିବ ମଧ୍ୟ ।

ଏହିଭଳି ଏକ ମାନସିକତାରେ ଓତଃପ୍ରୋତ ଡୁବିରହି ଯେତେବେଳେ ତୁମେ ସେଇ ସୁଦୀର୍ଘ ସାହି ରାସ୍ତାରେ ଲମ୍ବା ଲମ୍ବା ପାଦ ପକେଇ ଚାଲିଥିବ ଆଗକୁ ଆଗକୁ, ସେହି ସନ୍ଧ୍ୟାରେ ତୁମେ ସଂପୂର୍ଣ୍ଣ ମୁକ୍ତ ଓ ବିମୁକ୍ତ ନିତିଦିନିଆ ତୁମର ସାଧାରଣ ପରିଚୟମାନଙ୍କରୁ; ଏବଂ ସେହି ସାଧାରଣ ପରିଚୟ ଯେତେ ହଜି ହଜି ଯାଉଥିବେ ତୁମ ମନର ଅନ୍ୟାନ୍ୟ ଚିହ୍ନା ଓ ଅଚିହ୍ନା ଅସମଞ୍ଜସ୍ୟ ରୂପରେଖମାନଙ୍କ ସହିତ । ସେତେବେଳେ ତୁମେ କୌଣସି ଏକ ନିର୍ଦ୍ଧିଷ୍ଟ ଭାବେ ଅଙ୍କିତ ଗାଢ଼ ରଙ୍ଗର ରେଖାଚିତ୍ର ରୂପେ ନିଜକୁ ଦେଖୁ ଦେଖୁ, ନିଜ ଜଙ୍ଘ ଉପରେ ଦୃଢ ଭାବେ ହାତରଖି, ଅତ୍ୟନ୍ତ ଉତ୍କଣ୍ଠିତ ପ୍ରକୃତରେ ଦେଖିବାକୁ ନିଜର ପ୍ରକୃତ ରୂପରେଖ, ପରିଚୟ ।

ଏହି ସବୁ କଥା ଆହୁରି ଗଭୀର ଓ ବଳବତ୍ତର ହୋଇଯାଇଥାନ୍ତି, ଯଦି ସଂଧ୍ୟାର ସେହି ବିଳମ୍ବିତ ପ୍ରହରରେ କୌଣସି ବନ୍ଧୁ ତୁମର ଭେଟ ହୋଇଯାଏ ଅକସ୍ମାତ ଏବଂ ଜାଣିବାକୁ ଚାହିଁଥାଅ ତୁମେ କିଭଳି କଟୁଥାଇପାରେ ଜୀବନ ତାଙ୍କର ।

ଦିନେ ରାତିରେ ସାହି ରାସ୍ତାରେ

ରାତିର ସାହି ରାସ୍ତାରେ ନିରୁଦ୍ଧିଷ୍ଟ ଚାଲୁ ଚାଲୁ ତୁମେ ଦେଖିବ ବେଶ ଦୂରରେ କେହି ଜଣେ ବ୍ୟକ୍ତି । ଯେହେତୁ ତୁମ ଆଗରେ ରାସ୍ତାଟି ଏକ ଢାଲୁ ଉପରକୁ ଉଠିଯାଇଥିବ, ସେହି ଉଚ୍ଚତାରୁ ପୂର୍ଣମୀ ଜହ୍ନର ଆଲୁଅ ସତେ ଯେପରି ତୁମ ଆଡ଼କୁ ଧାଇଁ ଆସୁଥିବ । କିନ୍ତୁ ତୁମେ ଚାହିଁଲେ ବି ସେହି ବ୍ୟକ୍ତି ପାଖରେ ପହଞ୍ଚିପାରିବାର ସମ୍ଭାବନା ନଥିବ; ଏପରିକି ସେ ଜଣକ ଜରାଜୀର୍ଣ୍ଣ ହୋଇଥିଲେ ମଧ୍ୟ; ଏପରିକି ଅନ୍ୟ କିଏ ଜଣେ କ୍ରୋଧରେ ରଡି କରି ତାକୁ ଗୋଡେଇ ଯାଏ ବି, ତୁମେ ସେହିଭଳି ଗୋଡେଇବା ଲାଗି ନିଚେଷ୍ଟ ଛାଡ଼ିଦେବ ।

ହୋଇପାରେ ଯେହେତୁ ବର୍ତ୍ତମାନ ଗଭୀର ରାତି ଏବଂ ପୂର୍ଣମୀ ଜହ୍ନର ଆଲୁଅରେ ତୁମ ଆଗରେ ବେଶ ଉଚ୍ଚା ଢାଲୁ ଆଡ଼କୁ ରାସ୍ତାଟି ଲମ୍ବି ଯାଇଥିବାରୁ ସେଠାରେ ପହଂଚିବା ତୁମ ସାଧ୍ୟରେ ନଥିବ; ଅବଶ୍ୟ ହୋଇପାରେ ମଧ୍ୟ ସେ ଦୁଇ ଜଣ ଗୋଡିଆଗୋଡି ଆରମ୍ଭ କରିଥିବେ କେବଳ କୌତୁକରେ, ହୋଇପାରେ ସେ ଦୁହେଁ କୌଣସି ତୃତୀୟ ବ୍ୟକ୍ତିକୁ ଗୋଡ଼ାଇ ଥାଇ ପାରନ୍ତି ମଧ୍ୟ । ପ୍ରଥମ ବ୍ୟକ୍ତି ଜଣକ ହୋଇପାରେ ପ୍ରକୃତରେ ନିର୍ଦ୍ଦୋଷ ଓ ଦ୍ଵିତୀୟ ବ୍ୟକ୍ତି ତାକୁ ହତ୍ୟା କରିବାକୁ ଗୋଡ଼େଇଛି ଏବଂ ତୁମେ ସେହି ଘଟଣାରେ ଛନ୍ଦି ହୋଇ ଯାଇପାର । ସେ ଦୁହେଁ, ହୋଇପାରେ, ପରସ୍ପର ବିଷୟରେ ମୋଟରୁ କିଛି ଜାଣନ୍ତି ନାହିଁ, ଏକା ଏକା ଭାବେ ଯାହା ଦୌଡୁଛନ୍ତି ଯେ ଯାହା ଘରକୁ; ହୋଇପାରେ ସେମାନେ ରାତିକୁ ଭଲ ପାଉଥିବା ରାତ୍ରୀଚର ମଣିଷ, କିମ୍ବା ହୋଇପାରେ ପ୍ରଥମ ବ୍ୟକ୍ତି ଜଣକ ପ୍ରକୃତରେ ସଶସ୍ତ୍ର ।

ପାଖ ଗାଁକୁ ଯାଇପାରିବା ......

ଜେଜେବାପା ଅନେକ ଥର କହୁଥିଲେ - "ମଣିଷ ଜୀବନ ଆଶ୍ଚର୍ଯ୍ୟ ଓ ଅହେତୁକ ଭାବେ ସ୍ୱଳ୍ପ ସ୍ଥାୟୀ"। ମୋ ଲାଗି, ପଛକୁ ଫେରି ଚାହିଁ ଜୀବନକୁ ଦେଖିଲେ, ମନେ ହୁଏ, ପୂର୍ବ କ୍ରମେ ହିଁ ଜୀବନ ଏଭଳି ସ୍ୱଳ୍ପ ସ୍ଥାୟୀ ଯେ ମୁଁ ବୁଝିବାରେ ଅକ୍ଷମ, ଉଦାହରଣ ସ୍ୱରୂପ, ତୁମ ଭଳି କୌଣସି ଯୁବକ କିଭଳି ବା ନିଷ୍ପତି ନେଇ ପାରେ ଯେ କୌଣସି ପାଖ ଗ୍ରାମରେ ସେ ପ୍ରକୃତରେ ପହଂଚି ଯାଇ ପାରିବ, ବାଟରେ ଦୁର୍ଘଟଣା କଥା ଛାଡ଼, ମଣିଷର ଗୋଟିଏ ଜୀବନ କାଳ ଯେ ସେହି ଯାତ୍ରା ଲାଗି ଆବଶ୍ୟକ ପର୍ଯ୍ୟାପ୍ତ ସମୟଠାରୁ ଯଥେଷ୍ଟ କମ ହୋଇଥାଇ ପାରେ, ଏହି ନିଚ୍ଛକ ସମ୍ଭାବନାଟି ତୁମ ମନକୁ ଆକ୍ରାନ୍ତ କରି ହିଁ ନଥିବ !

ଝରକାରୁ ନିରୁଦ୍ଦିଷ୍ଟ ଅନେଇ ରହିଥିବାବେଳେ

ବସନ୍ତ ୠତୁର ଦିନ ସବୁ ଯେଉଁଭଳି ଭାବେ ଶୀଘ୍ର ଶୀଘ୍ର ଦିନ ପରେ ଦିନ ଉଦ୍ଭାସିତ ହେବା ଆରମ୍ଭ କରିଛନ୍ତି, ଏପରି ସମୟରେ କେଉଁଭଳି ଜୀବନ ବଂଚିବା ଆମେ ? ଆଜିର ପ୍ରତ୍ୟୁଷରେ ଆକାଶ ଧୁମଳ ଧୂସର ଦିଶୁଥିଲା, ଏବେ କିନ୍ତୁ ଝରକା ଦେଇ ଅନେଇଲେ ଆଶ୍ଚର୍ଯ୍ୟାଭିଭୂତ ହୋଇଯିବ ଯେ କିଏ ଏବଂ ତୁମ ଅଜାଣତରେ ଖୋଲା ଝରକାର ଏରୁଣ୍ଡି ଉପରେ ତୁମର କହୁଣି ଓ ପାପୁଲିରେ ମୁହଁ ଓ ଗାଲ ବିଶ୍ରାମ ନେଇ ସାରିଥିବେ ।

ସୂର୍ଯ୍ୟ ପ୍ରାୟ ଅସ୍ତ ହେବା ଉପରେ ଏବଂ ଝରକା ତଳକୁ ରାସ୍ତା ଉପରେ ତୁମେ ଦେଖିବ ଅସ୍ତଗାମୀ ସୂର୍ଯ୍ୟଙ୍କ ଆଲୋକ କିଭଳି ଉଦ୍ଭାସିତ କରିଦେଇଥିବ ଛୋଟିଆ ଝିଅଟିର ମୁହଁ; ଝିଅଟି ନିଜ ଭିତରେ ମଗ୍ନରହି ଚାଲୁ ଥିବ ପାଦ ପରେ ପାଦ ଥାପି, ଏବଂ ସେଇ ମୁହୂର୍ତ୍ତରେ ହିଁ ତା ପଛରୁ ତାକୁ ପାରକରି ଆଗେଇ ଯାଉଥିବା ମଣିଷଟିର ଛାଇ ତଳେ ଝିଅଟି ନିଷ୍ପ୍ରଭ ହୋଇ ଯାଉଥିବ । କିନ୍ତୁ ପର ମୁହୂର୍ତ୍ତରେ ମଣିଷଟି ତାକୁ ପାରକରି ଆଗକୁ ଚାଲି ଯାଇଥିବ ଓ ଝିଅଟିର ମୁହଁ ପୂର୍ବ ଅପେକ୍ଷା ଆହୁରି ବି ଉଦ୍ଭାସିତ ଦେଖାଯାଉଥିବ ।

ଶେଷ ସିଦ୍ଧାନ୍ତ

ନୈରାଶ୍ୟଗ୍ରସ୍ତ ମାନସିକତାରୁ ନିଜକୁ ଉନ୍ମୁକ୍ତ କରିପାରିବା; ଯଦି ବି ନିଜର ଦୃଢ ମନୋବଳ ତୁମର କେବଳ ଆୟୁଧ, ତଥାପି ସହଜ ହିଁ ମନେ ହୋଇଥାଏ । ଚୌକି ଛାଡି ଛିଡା ହେବାକୁ ମୁଁ ନିଜକୁ ବାଧ୍ୟକରେ, ଟେବୁଲ ଚାରିପାଖେ ବଡ଼ ବଡ଼ ପାହୁଣ୍ଡ ପକେଇ ଟହଲ ମାରେ, ବେକ ମୁଣ୍ଡ ବ୍ୟାୟାମ ଭଂଗିରେ ଦୋହଲାଏ, ଆଖି ଚାରିପାଖ ମାଂସପେଶିମାନଙ୍କୁ ସଂଚାଳିତ କରି ଆଖିରେ ଉଜ୍ୱଳତା ଆଣେ । ମୋ ମନରେ ଯାହା ଥିଲେ ବି ସବୁକୁ ଲୁଚେଇ ଉତ୍ସାହର ସହ ମତେ ଦେଖାକରିବାକୁ ଆସିବା ସକାଶେ 'ଏ' କୁ ଆମନ୍ତ୍ରଣ ଜଣାଏ, ଏକା ରୁମରେ ବସୁଥିବା 'ବି' ର ଉପସ୍ଥିତି ସମ୍ଭ୍ରମତାର ସହ ସହ୍ୟକରେ, ପରବର୍ତ୍ତୀ ସୁଦୀର୍ଘ ସମୟ ଲାଗି ଯେତେ ମାନସିକ ଦ୍ଵନ୍ଦ ଓ ଯନ୍ତ୍ରଣା ଭୋଗିବାକୁ ହେଲେ ବି 'ସି' ଯାହା ସବୁ କହେ ସବୁ ଆତ୍ମସ୍ଥ କରେ ।

ଏତେ ସବୁ କରିପାରିବା ଲାଗି ସକ୍ଷମତା ସତ୍ତ୍ୱେ, କୌଣସି ମୁହୁର୍ତ୍ତରେ ବି ଅକ୍ତିଆର ବାହାରକୁ କିଛି ଗୋଟେ ଖସିଯିବା ଏଡେଇ ହୋଇପାରେନାହିଁ, ଯଦିଚ ବା ସେଥି ସହ, ସହଜ ସରଳ ହେଉ ବା ଜଟିଳ ପୀଡାଦାୟକ, ସବୁ ଘଟଣାଚକ୍ର ଠପ ହୋଇଯାଏ ଏବଂ ମୁଁ ପୁନର୍ବାର ମୋର ସେହି ହିନିମାନିଆ ମାନସିକତାର ବଳୟ ଭିତରକୁ ଫେରିଆସିଥାଏ ।

ତେଣୁ, ନିହାତି ନିରୀହ ଭାବେ ସବୁକିଛି ଗ୍ରହଣ କରିନେବା ହିଁ ସର୍ବୋତ୍ତମ ପନ୍ଥା ହୋଇଥାଇପାରେ । ନିଜକୁ ସମ୍ପୂର୍ଣ ଦ୍ଵିଧାହୀନ ଏକ ଉପସ୍ଥିତିରେ ପରିଣତ କରିନେଇ ଯଦି ବି ସେଭଳି ପରିସ୍ଥିତି ଆସେ ଯେତେବେଳେ ତୁମେ ଘୋଷାରି ହୋଇ କୌଣସି ଦିଗକୁ ଚାଲିଯାଇଥାଉପାର, ତେବେ ବି ଚାହିଁବ ନାହିଁ ନିଜ ଇଚ୍ଛାରେ ପାଦଟିଏ ବି ଆଗକୁ ପକେଇବାଲାଗି; ମନରେ କୌଣସି କ୍ଷୋଭ ନରଖି ଗୃହପାଳିତ ପଶୁକଂ ଦୃଷ୍ଟିରେ ହିଁ ସମସ୍ତଙ୍କୁ ଚାହୁଁଥିବ; ଅର୍ଥାତ, ସିଧାସଳଖ କହିଲେ ଯାହା ଟିକକ ବି ଜୀବନ ତୁମ ମଧ୍ୟେ ବାକି ରହି ଯାଇଥାଇପାରେ ନିଜ ହାତରେ ହିଁ ତୁମେ ତା'ର ବେକ ଚିପି ଦେବ ଏବଂ ଶ୍ମଶାନ ଭୂଇଁର ଅନ୍ତିମ ନିସ୍ତବ୍ଧତା ହିଁ ବଢି ବଢି ଚାଲିଥିବା ବ୍ୟତିରେକ ଅନ୍ୟ କିଛି ହିଁ ନଥିବ ।

ଏହି ଭଳି ଏକ ପରିସ୍ଥିତି ଯଦି ଉପୁଜିଥାଏ, ନିଜ ଭ୍ରୂଲତାକୁଂ ଆଙ୍ଗୁଠିରେ ଆଉଁସୁଥିବା ତୁମଲାଗି ସର୍ବୋତ ଭାବେ ଉଚିତ କର୍ମ ହୋଇପାରେ ।

ମୂଳ ଜର୍ମାନ - ଫ୍ରାନ୍ଜ଼ କାଫକା
ଇଂରାଜୀ ଅନୁବାଦ - ୱିଲା ଏବଂ ଏଡୱିନ ମୁର
ଓଡିଆ ଅନୁବାଦ - ଶୈଳେନ୍ଦ୍ର ନାରାୟଣ ପଟ୍ଟନାୟକ

Report an Error