ପାଞ୍ଚୋଟି ଆଭାସ ଗଳ୍ପ

ଆଭାସ ଗପର ଧାରା ଆମ ସମୟରେ ଢେର କମ୍ ଥିବାବେଳେ ଏଇ ପାଞ୍ଚୋଟି ଆଭାସ ଗପ ଆମ ପାଇଁ ଆଶାର କିରଣ ।


ଅଭିଶାପ

 ଆକାଶରୁ ସେଦିନ କୁଆପଥର ବଦଳରେ ପଥର ଖସିଲା । ସେଗୁଡ଼ିକ ପୁଣି ବାଛି ବାଛି ଖରାପ ଲୋକଙ୍କ କୁଡ଼ିଆ ସବୁ ଭାଙ୍ଗିଲା । ସବୁଠୁ ବଡ଼ ପଥର ଆସି ମୋ ଉପରେ ପଡ଼ନ୍ତେ ମୁଁ ପଡ଼ିଗଲି । ତଥାପି ‘ମୁଁ’...ସବୁଠୁ ଖରାପ ଲୋକଟା ବଞ୍ଚିଗଲି । ଲୋକେ କହିଲେ; "ଆହା, ଶଳାଟା ବଞ୍ଚିବାର ଅଭିଶାପ ପାଇଛି ରେ...!"
  ଯନ୍ତ୍ରଣା

ସେଦିନ ବାଟରେ ଯାଉ ଯାଉ ଭୁଲ୍ ର ଦେବୀଙ୍କ ସହ ଭେଟ ହେଲା । କିଏ ଜଣେ ସମସ୍ତଙ୍କୁ ଜୋର୍ ରେ ଡାକି କହିଦେଲା; “ହେଇରେ, ଦେଖ, ଦେଖ, ଭୁଲ୍ ର ଦେବୀ ଯାଉଛି ।” ଏତକ ଶୁଣି ସଭିଏଁ ମିଶି ଟେକା ପଥର ଫୋପାଡ଼ିବାରେ ଲାଗନ୍ତେ, ସେ ମୁହଁ ଫେରେଇ ନୀରବ ରହି ଓଲଟା ଦିଗରେ ଚାଲିଗଲେ । ଦେହରୁ ଧାର ଧାର ରକ୍ତ ଝରୁଥାଏ, ତଥାପି ମୁହଁରେ ତାଙ୍କର ଯନ୍ତ୍ରଣାର ଚିହ୍ନ ଟିକେ ନଥିଲା । ମୁଁ ତଟସ୍ଥ ହୋଇ ଚାହିଁ ରହିଥାଏ । ମାଆ ଆସି କହିଲା, “ଦେଖିଲୁ ତ... ଅତ୍ୟଧିକ ଯନ୍ତ୍ରଣାର ରୂପ କେମିତି ?”

ଈର୍ଷା
ତା’ଠାରୁ ଷୋଳ ଶହ ସଇଁତିରିଶ କିଲୋମିଟର ଦୂରରେ ଥିବାବେଳେ ମୁଁ ତାକୁ ପ୍ରଥମ ଥର ଦେଖିଲି । ସେତେବେଳକୁ ମୋତେ ବାଇଶି ବର୍ଷ ଛ’ ମାସ ତିନି ଦିନ ।

ଆମ ୟୁନିଭର୍ସିଟି ହଷ୍ଟେଲ୍ ରୁ ବାପା ପାଖକୁ ଆସିଥିବା ଗୋଟେ ଫୋନ୍ ବାଟେ ଘର ଭିତରକୁ ମେଞ୍ଚେ ମାଈ କଳା ଭଅଁର ବତାସ ପବନରେ ଶୁଖିଲା ପତ୍ର ଉଡ଼ିବା ପରି ଧସେଇ ପଶି ଆସିଲେ । ସେମାନେ ପୁଣି ବାଛି ବାଛି ଗୋରା ଝିଅମାନଙ୍କୁ ଘେରିଯାଇ ଘାଇଲା ମାଇଲା କରି ପକାଇଲେ ସତ କାହାକୁ କାମୁଡ଼ିଲେନି । ଦଳ ଭିତରୁ ତିନି ଚାରୋଟି ବାହାରି ଆସି କିନ୍ତୁ ମୋତେ ଫୋଡ଼ି ଦେଇଗଲେ । ମୁଁ ଖଣ୍ଡିଆ ଖାବରା ହୋଇ ପାଖ ଘରେ ମାଆ ରୁମ୍ ରେ ପଶି ଭିତରୁ କବାଟ ବନ୍ଦ କରିଦେଲି ।

ମାଆକୁ ବାହାର ଘଟଣା ହାତ ଠାରି ଝରକା କାଚ ବାଟେ ଦେଖେଇ ଦେଲି । ସେ ଥରୁଟେ ଅନେଇ ଦେଇ ପଚାରିଲା, “ତୁ କ’ଣ ଏମାନଙ୍କୁ ଆଗରୁ କେବେ ଭେଟି ନଥିଲୁ ?” ମୁଁ ମୁଣ୍ଡ ହଲେଇ ନାହିଁ କରିବାରୁ ସେ କହିଲା, “ଏମାନେ ପରା ଈର୍ଷା ।”

ସର୍ବଗିଳା

ବୟସ ବେଶୀ ନହେଲେ ବି ଦେହର ଚାରି ପାଞ୍ଚଟା ଅଙ୍ଗ ଅଚଳ, ଚମ ଧୁଡୁଧୁଡୁ । ତଥାପି ସେ ନିଲଠା ଚିରକାଳ ବଞ୍ଚିରହିବ ବୋଲି ସ୍ଥିର ନିଶ୍ଚିତ । ସେଥିପାଇଁ ଫୁଲଫଳ ଭର୍ତ୍ତି କୋଳି ଗଛଟାର ଫଳ, ଫୁଲ ସମେତ ଗଛକୁ କୋରି କୋରି ଖାଇ ଶେଷ କରିବା ପରେ ଏବେ ମଞ୍ଜିତକ ସାଇତି ରଖିଛି ।

ବର୍ଷା ଦିନ ଆସୁ ନଆସୁ, ଅସରାଏ ବର୍ଷା ହେଇଗଲେ ବି ଅଥୟ ହୋଇ ଦଉଡିଯାଇ ସାର, ଖତ ଦେଇ ପୋତି ପକାଉଛି ମଞ୍ଜି । ଗଛଗୁଡାକ ଶୀଘ୍ର ଶୀଘ୍ର ବଢି ଫଳ ଧରିଲେ ସିନା ସେ ଖାଇବ । ପୁଣି ମଞ୍ଜି ଗୋଟେଇ ରଖି ଗଛ କରିବ ଆଉ ଫଳ ଖାଇବ । ଏମିତି ଅନାଦି କାଳ ଯାଏ ଚାଲିବ ବୋଲି ସେ ଆଗତୁରା ଅତିକମ୍ ରେ ହଜାରେ ବର୍ଷିଆ ଗୋଟେ ଯୋଜନା କରି ରଖିଛି ।

ଭୋକ ତା’ର ଖୁବ୍ ବେଶୀ ।

ଚାଲାକି

ଆକାଶରେ ସେଦିନ ଗୋଟେ ବି କଳାମେଘ ନଥାନ୍ତି । ସଫା ନୀଳ ଆକାଶ ତଳେ ଭର୍ତ୍ତି ହେଇଥାନ୍ତି ଚଢେଇ, ଠେକୁଆ, ଭାଲୁ, ହାତୀ, ଫୁଲ ଆଦି ଭିନ୍ନ ଆକାର ନେଇଥିବା ଖଣ୍ଡ ଖଣ୍ଡ ଧୋବ ଫରଫର ମେଘ । ସେଥିରୁ ଦୁଇ ଚାରି ଖଣ୍ଡ ଭାଙ୍ଗି ଆମ ଘର ପାଖ ବାବୁଙ୍କ ଅଗଣାରେ ଖସି ପଡ଼ିଲେ ଯେ ବାବୁଙ୍କ ଘରବାଡ଼ି ସବୁ ଧୂଆଁରେ ଭର୍ତ୍ତି ହୋଇଗଲା ।

ତାଙ୍କ ଘରେ ମୋ ବ୍ରାହ୍ମଣୀ ବଡ ଭଉଣୀ ସିଙ୍କା ଆଉ ତା' ବୈଷ୍ଣବ ସାଙ୍ଗ ବିଙ୍କା ଚାକରାଣୀ ଥାଆନ୍ତି । ମୁଁ ଛାତ ଉପରୁ ଠିଆ ହୋଇ ଦେଖିଲି ଦୁହେଁ ବାବୁଙ୍କ ରୁମ୍ ଭିତରକୁ ଗୋଟେ ନଡ଼ିଆ, ଦି’ଟା ଲେମ୍ବୁ ଆଉ ଏଗାରଟା ଲିମ୍ବ ମଞ୍ଜି ବାଟରୁ ଉଠେଇ ନେଇ ପଶିଗଲେ । ଏପଟେ ମାଲିକାଣୀ ଦି ଛୁଆଙ୍କୁ ନେଇ ଫୁଲ ଗଛ ଆଉ ହଜାରେ ସରିକି ଫଳ ଚାରା ସବୁକୁ ପ୍ରାଣପଣେ ବଞ୍ଚେଇବାରେ ଲାଗିଥାଆନ୍ତି । ପଚିଶ୍ ମିନିଟ୍ ଭିତରେ ଶହେ ସରିକି ବାଦଲ୍ ର ଧୂଆଁରୁ ଗଛ ଲତା ସଭିଙ୍କୁ ବଞ୍ଚେଇ ନିଜେ ଧୂଆଁର ପ୍ରକୋପରେ ଅସୁସ୍ଥ ହୋଇ ଖେଁ ଖେଁ କାଶି ମାଲିକାଣୀ ଫେରିଲାବେଳକୁ ବାବୁ ଚିତ୍କାର ଛାଡ଼ି ଡାକିଲେ ତିନିହିଁଙ୍କୁ । କହିଲେ, “ଏ ଦୁଇଜଣ ପରିବେଶ ସାରା ଯୁଆଡ଼ୁ ଯାହା ପାଇଲେ ଗୋଟେଇ ରକ୍ଷା କଲେ... ତୁମେ ସବୁ କୁଆଡେ ମରୁଥିଲ କି. . . .?” ଆଉ କ’ଣ ସବୁ କହିଲେ ଯେ, ମୋତେ କିନ୍ତୁ କିଛି ଶୁଭିଲାନି । କିଛି ସମୟ ପରେ ଦେଖିଲାବେଳକୁ ମାଲିକାଣୀ ଛୁଆ ଦି’ଟାଙ୍କୁ ସାଙ୍ଗରେ ଧରି ପୁଟୁଳା ଗୋଟେ କାନ୍ଧରେ ପକେଇ ଗେଟ୍ ବାହାରକୁ ବାହାରିଗଲେ । ସିଙ୍କା, ବିଙ୍କା ସେତେବେଳ ଯାଏ ବାବୁଙ୍କ ପାଖରେ ବସି ଗପୁଥାଆନ୍ତି ।

ମୁଁ ସିଙ୍କା ନାନୀକୁ ଫୋନ୍ କରି ଏସବୁ କ’ଣ ହଉଚି ପଚାରିଲାରୁ ସେ କହିଲା, “ତୁ ପିଲାଟା ବୁଝିପାରିବୁନି । ଏଇଟା ହେଲା ଚାଲାକି । ମନ ଭିତରେ ଯଦି କେଉଁଠି କେବେ ନିଜ ଭବିଷ୍ୟତ କଥା ଭାବି ଅସୁରକ୍ଷିତ ଲାଗେ, ତେବେ ଏମିତି କିଛି ଗୋଟେ କରି ନିଜ ଆସନଟା ଜମେଇକି ଚକା ମାଡି ବସିଯିବାକୁ ହୁଏ, ଆଉ ଅସଲି ମାଲିକକୁ ତଡ଼ି ଦେବାକୁ ହୁଏ ।”