ଫିଲ୍ମି ଚା ବାଲା

ହତବାକ୍ ବାବୁନା ଦୋକାନ ବନ୍ଦ କରି ଘରକୁ ଗଲା । ତା ପରଦିନ ତାକୁ ସମସ୍ତେ ଦେଖିଲେ ଟିଭିରେ । ତା’ ପରେ ଫୋନ ଉପରେ ଫୋନ ବାବୁନାକୁ ବ୍ୟସ୍ତ କଲା । ସମସ୍ତଙ୍କ ସେଇ ଗୋଟିଏ କଥା “ବାବୁନା ତତେ ଚୁନ ଲଗେଇ ତୋଠୁ ଚା ପିଇଗଲେ ସୁଟିଂ ବାଲା ।


ବାଣୀ ବିହାର ଛକରୁ ରୁପାଲି ମାତ୍ର ଛଅ ମିନିଟ୍‌ର ରାସ୍ତା । ତା ଭିତରେ ପଡ଼େ ବାବୁନାର ଚା ଦୋକାନ । ପେଟ୍ରୋଲ ପମ୍ପଠାରୁ ମାତ୍ର ଟିକିଏ ବାଙ୍କ ବୁଲିଗଲେ ବାବୁନାର ଚା ଦୋକାନ । ସହରର ଏକ ବ୍ୟସ୍ତ ବହୁଳ ରାସ୍ତା । ଅନେକ ଲୋକଙ୍କ ଯିବା ଆସିବା । କେତେ ପ୍ରକାର ଲୋକ ଆସନ୍ତି ସେଠାରେ ‘ଖଟି’ କରନ୍ତି । ଚା ପିଅନ୍ତି । କେହି କେହି ନିଜ ଦୁଃଖ ବଖାଣନ୍ତି । ବାବୁନାକୁ ବୋଧେ ଚବିଶ କି ପଚିଶ ବର୍ଷ ହେବ । ପ୍ରାୟ ଛଅ ବର୍ଷ ହେଲାଣି ଦୋକାନ କଲାଣି । ବେଳେବେଳେ ତା’ ଦୋକାନକୁ ଆସନ୍ତି ଟିଭି ବାଲା । ସେଇ ଯୋଉ କ’ଣ ବୁମ୍ ନା ଫୁମ୍ ତାକୁ ଧରି । କ୍ୟାମେରା ଧରି ଆସନ୍ତି । ଚା ପିଅନ୍ତି । ସରକାର, ମିନିଷ୍ଟ୍ରି, ପୁଲିସି ସମସ୍ତଙ୍କୁ ଗାଳି କରନ୍ତି । ରାଷ୍ଟ୍ରପତିଠାରୁ ମୁଖ୍ୟମନ୍ତ୍ରୀ ଯାଏଁ କେତେ ଯେ ଗାଳି ଶୁଣନ୍ତି । ବାବୁନାର କିନ୍ତୁ ନଜର ଥାଏ ସେଇ ବୁମ୍ ଉପରେ । ଟିକିଏ ତା ପାଟିରେ ଲଗାନ୍ତେ । ସେ ବି କହନ୍ତା, କ’ଣ କହିବ ? କହିବ ଯାହା ସେ ଜାଣିଚି ।

ମା’ ଆଉ ତାର ସାନ ଭଉଣୀ ରହନ୍ତି ଗାଁରେ । ଦି ବର୍ଷ ତଳେ ଟିଭିଟିଏ କିଣି ଦେଇଥିଲା ଘରକୁ । ପଇସା କିଛି ରଖିଥିଲା । ପଇସା ପତର ଅଧିକା ନ ହେଲେ ବି ବାବୁନାର ଖର୍ଚ୍ଚ କ’ଣ ଯେ ? ସେଇ ଚା ଦୋକାନରେ ତା’ର ଦିନ ଆରମ୍ଭ ହୁଏ, ରାତି ସରେ । ଢ଼ିଲାଢ଼ିଲା ଟି ସାର୍ଟ ଓ ଓଭର ସାଇଜ ପ୍ୟାଣ୍ଟରେ ବାବୁନାକୁ ସମସ୍ତେ ସବୁବେଳେ ଦେଖନ୍ତି । ସାମ୍ନା ଦୋକାନରେ ଜଳଖିଆ ଆଉ ଦି ପହର ଖିଆ ହେଇଯାଏ ବାବୁନାର । କେବେ ଯଦି ରାତିରେ ସାଙ୍ଗ ଦୋସ୍ତ ସାଥିରେ ସିନେମା ଯାଏ କିଛି ଗରାଖ ପଚାରନ୍ତି ଦୋକାନ କାହିଁକି ବନ୍ଦ କରିଥିଲୁ ବୋଲି । ତେଣୁ ସେ କୁଆଡେ ବା ଯିବ ? ଯେହେତୁ କୁଆଡେ ଯାଏନି ତା’ର ଖର୍ଚ୍ଚ ବି ହୁଏନି । ମା’ କଥା ବହୁତ ମନେ ପଡ଼େ । ସାନ ଭଉଣୀ କଥା ବି ଭାବେ । ସେମାନଙ୍କୁ ଭଡ଼ା ଘରଟେ କରି ନେଇ ଆସିବା ବିଚାରେ, କିନ୍ତୁ ପାରେନି । ସହରର ଖର୍ଚ୍ଚ ଦେଖି ଡରଲାଗେ । ଯେବେ ଗାଁକୁ ଯାଏ, ଆଉ ଫେରିବାକୁ ମନ ଡାକେନି । ମା’ ହାତରୁ ଖାଇ ଘର ବାହାରେ ବସିଥାଏ । ସଂଜ ସରିକି ସାଙ୍ଗମାନେ, ଗାଁ ଲୋକ ସବୁ ଆସି ବାବୁନାକୁ ଘେରି ବସନ୍ତି । ଭୁନ୍‌ସୋରିଆ ବାବୁନା ସେମାନଙ୍କୁ ରାଜଧାନିଆ କଥା ଶୁଣାଏ । ସେଇ ଟିଭି ବାବାଙ୍କ କଥା ବି ଶୁଣେଇଦିଏ । କିଛି ପୁଲିସି ବାଲାଙ୍କ ଗୁଲିଗପ ବି ଗାଁରେ ଶୁଣେଇ ବାହା ପା ନିଏ ବାବୁନା ।

ଦିନକର କଥା, ସମସ୍ତେ ବସି ଟିଭି ଦେଖୁଛନ୍ତି । ଘର ବାହାର ଲୋକ ବାବୁନା ଆସିଛି ଗାଁକୁ ବୋଲି ଦେଖା କରିବାକୁ ଆସିଛନ୍ତି । ଟିଭିରେ ନିଉଜ ଦେଖୁଦେଖୁ ବାବୁନା କହିଲା ଏଇ ଭାଇନା ନିଇତି ଆସି ଚା ପିଅନ୍ତୁ ମୋଠୁ । ବର୍ତ୍ତମାନ ବାବୁନା ହିରୋ । ସମସ୍ତେ ସେଇ ଯୋଉ ଟିଭିରେ ଦେଖାଯାଆନ୍ତି ତାଙ୍କ କଥା ପଚାରି ବସିଲେ । କେତେ ଭାଗ୍ୟ ଭୁନ୍‌ସୋରରେ ଚା ଦୋକାନ କରିଚି ବୋଲି ତ ବାବୁ ଭାୟାମାନଙ୍କୁ ଦେଖୁଛି ବୋଲି ବାଃ ବାଃ କଲେ ।

ବାବୁନାକୁ ଆହୁରି ମଜା ଲାଗିଲା । ସେ ସେହି ବୁମ୍‌ଟିକୁ ଦେଖେଇ କହିଲା, “ହେଇ ୟାକୁ ପା ମୋ ବିସ୍କୁଟୁ ଡିବା ଉପରେ ଥୋଇ ଭାଇ ଚା ପିଅନ୍ତି ।” ଲୋକେ ଚିଡ଼ିଆଖାନାରେ ବାଘ ଦେଖିଲା ଭଳି ବାବୁନାକୁ ଦେଖିଲେ । ସେ ଯେ ଦିନେ ମହାନ ଲୋକ ହବ ସେଥିରେ ଆଉ ତିଳେ ମାତ୍ର ସନ୍ଦେହ ନାହିଁ ବୋଲି କହି ଧୀରେ ଧୀରେ ଯେ ଯା ଘରକୁ ଗଲେ ।

ଦୂରରେ ବସି ମା’ ସବୁ ଶୁଣୁଥିଲେ । କହିଲେ, “ବାବୁନାରେ ତୁ ସତ ଏଇ ଲୋକଙ୍କୁ ଦେଖୁ ?” “ହଁ ଲୋ ମା’ । ନିଇତି ଦେଖେ ଏମାନଙ୍କୁ । କେତେ କଥା । ବାକି ଖାତା ଚାଲେ ପା ।” ମା ଆଖି ବଡ଼ବଡ଼ କରି ଚାହିଁଲେ । ଭଉଣୀ କହିଲା, “ଭାଇ ସତ କହୁଚୁ ?” “ହଁ ଲୋ ! ଯେବେ ଯିବୁ ମୋ ସାଥିରେ ଦେଖେଇ ଦେବି ।”

“ହେଲେ ତୁ ଟିକିଏ ଟିଭିରେ ଦେଖାଯାଆନ୍ତୁନି ! ମା’ ଆଉ ମୁଁ ଗାଁ ସାରା କୁହନ୍ତୁ ।” ଭଉଣୀର ମୁହଁ ଖୁସିରେ ଦିକ୍‌ଦିକ୍ କଲା ।

ମା’ର ଉତ୍ସାହିତ କଣ୍ଠ ଶୁଭିଲା, ‘ହଁରେ ପୁଅ ତୁ ଟିକେ ଟିଭିରେ ଦିଶନ୍ତୁ !!’

“ହଉ ହେଲା ଆଉ । ଇୟେ ଗୋଟେ କଥା ।” କହିଲା ବାବୁନା ।

ଆଗରୁ ତ ଟିକେ ମନ ଥିଲା ହେଲେ ମା’ ଆଉ ଭଉଣୀ ତା’ ଭିତର ଆଶାକୁ ନୂଆ ପ୍ରେରଣା ଦେଇ ଦେଲେ ଯେମିତି । ସେଇ ଆଶାର ପୂରଣ ପାଇଁ ବାବୁନା ଟିକେ ତତ୍ପର ହୋଇ ପଡ଼ିଲା ।

ଦିନେ ଦଳେ ଲୋକ କ୍ୟାମେରା ଧରି ତା’ରି ଦୋକାନ ଆଗରେ କ’ଣ ଗୋଟିଏ ସୁଟିଂ କରିବାକୁ ଆସିଲେ । ବାବୁନାର ସେଦିନ ଆଉ କୋଉଥିରେ ମନ ନାହିଁ । ସୁଟିଂ ଦେଖୁଚି । ଚା ଗ୍ଲାସ ଧରି ଦୌଡୁଛି ସେମାନଙ୍କ ପାଖକୁ । ଧୀରେ ଧୀରେ ଗହଳି ବଢ଼ୁଛି । ସୁଟିଂ କରୁଥିବା ଲୋକଙ୍କ କାର୍ଯ୍ୟକଳାପ ମଧ୍ୟ ବଢ଼ୁଛି । ହେଇ ତ ସୁନ୍ଦରିଆ ଝିଅଟାଏ ବି ଆସିଲାଣି । ଏ ବୋଧେ ହିରୋଇନି । ଇଲୋ ମା’ ଦେଖ ତା ହିଲ ଜୋତା, ତା ଚୁଟି କ’ଣ ଝାଡୁ ଭଳିଆ ହେଇଚି । ସୁନ୍ଦର ସଜେଇ ହେଇ ଆସିଚି ।

ବାବୁନା ଏଥର ସିଧା ଯାଇ ଅଫର କଲା ସେମାନଙ୍କ ସୁଟିଂ ସରିବା ଯାଏ ଚା ମିଳିବ ଫ୍ରିରେ । କିନ୍ତୁ ବାବୁନା ସେମାନଙ୍କ ଫିଲ୍ମରେ ଦେଖାଯିବା ଦରକାର । ପ୍ରଥମେ ବାବୁନା ଅଫରକୁ ନେଇ ଖୁବ୍ ହସିଲେ ସେମାନେ । ତା’ ପରେ କହିଲେ ହଉ ଚା ବନା । ଅଦା, ଗୋଲମରିଚ, ଗୁଜରାତି ଛେଚି ବଢ଼ିଆ ଚା ବନେଇଲା ବାବୁନା । ଛୋଟ ପିଲା ଯିଏ ଚା ଦୋକାନରେ ବାବୁନାକୁ ସାହାଯ୍ୟ କରେ ସେ କ୍ଷୀର ଦୋକାନରୁ କ୍ଷୀର ଆଣି ଆଣି ନାକେଦମ । କିଛି ଚିନ୍ତା ନାହିଁ । ଆହୁରି ଉତ୍ସାହରେ ମାତିଚି ବାବୁନା । ପ୍ରତିଥର ଚା ଦେବାବେଳେ ପ୍ରତି କଳାକାର ସାଥିରେ ଫଟାେ ଉଠାଉଚି । ସେମାନେ ବି ଫ୍ରି ଚାରେ ଖୁସି ।

ସେଇଟାଥିଲା ଗୋଟିଏ ସର୍ଟ ଫିଲ୍ମ । ନୂଆ କଳାକାର, ସେହି ଦଳରେ ସମସ୍ତେ କଳାକାର ସମସ୍ତେ ନିର୍ଦ୍ଦେଶକ । ନିଜ ନିଜ ପକେଟ ଖର୍ଚ୍ଚରୁ ନିଜ କାହାଣୀକୁ ନେଇ ସର୍ଟ ଫିଲ୍ମଟେ କରୁଥିଲେ । ସେମାନଙ୍କୁ ମଜା ଲାଗିଲା ବାବୁନାର ଚା ଅଫର ।

ପ୍ରାୟ ତିନିଟା କି ଚାରିଟା ହବ ବାବୁନା ଶୁଣିଲା “ପ୍ୟାକ ଅପ୍’ ଜଣେ ଚିତ୍କାର କଲା । “ହୁଁ ମ୍‌” ବାବୁନା ବୁଝିଲା ତା ମାନେ ଫିଲ୍ମ ସୁଟିଂ ସରିଲା ।

ବାବୁନା ସନ୍ଧ୍ୟାରେ ମା’ ସାଥିରେ ଗପିଲା ତା’ ସୁଟିଂ ଏକ୍ସପେରିୟନ୍‌ସ । କେମିତି ଚା ନେଇ ହିରୋ, ହିରୋଇନି, ଭିଲେନ ସମସ୍ତଙ୍କୁ ଦଉଥାଏ । ଖଚାକ୍ ଖଚାକ୍ ତା ଫଟାେ ଉଠାଯାଉଥାଏ । କହି କହି ରାସ୍ତା ମଝିକୁ ତ ପୁଣି ରାସ୍ତାର ଏମୁଣ୍ଡରୁ ସେ ମୁଣ୍ଡ ବାୟା ଭଳି ଚାଲିଲାଣି । ତା ସବୁଦିନିଆ ଚା ଗରାଖ ତାର ଏଇ ବ୍ୟବହାର ଦେଖି ଆଶ୍ଚର୍ଯ୍ୟ ।

ଜଣେ ପଚାରିଲେ, “ବାବୁନା ଆଜି କ’ଣ ହେଇଚି କିରେ ? ଟୋକି ସମସ୍ୟାରେ ପଡିଲୁ କି ?

କିଏ କହିଲେ, ୟେ ତ ପ୍ରେମର ସାଇଡ ଇଫେକ୍‌ଟ । ସେଇ ଛୋଟ ହେଲପର ପିଲାଟି କହିଲା, ନା ! ୟେ ହଉଚି ଫିଲ୍ମର ବାୟା । ଆଜି ଦୁଇ ହଜାର ଟଙ୍କାର କ୍ଷୀର ମୁଁ ଆଣିଚି । ବାବୁନା ଭାଇ ଫ୍ରି ଚା ବାଣ୍ଟିଚି ସୁଟିଂ ବାଲାଙ୍କୁ । ପୂରା କଥା ଶୁଣି ସମସ୍ତେ ହସିଲେ ।

“ହସୁଚ କାହିଁକି, ମୋର କ’ଣ ଇଚ୍ଛା ନାହିଁ । ହଁ ହେଲା ହିରୋ ନ ହେଲେ ନାଇଁ ଚା ବାଲା ତ ହେଇଚି । ଫିଲ୍ମିରେ ମୋ ଚେହେରା ଦେଖିବେ ଆମ ଗାଁ ଲୁକ, ମୋ ମା’, ମୋ ଘରର ସମସ୍ତେ । ଆହୁରି ହଲ୍ ଭରି ଭରିକି ଲୋକ ଦେଖିବେ ମୋ ମୁହଁ । ଏଇଠି ଆମର ଶ୍ରୀୟା, ସ୍ୱାତୀ, ସ୍ତୁତି ହଲରେ ଫିଲ୍ମି ଦେଖିବେ ମୋ ଚା ଦୁକାନ ଦେଇ ଯିବାବେଳେ ଗାଡ଼ିରୁ ଓହ୍ଲେଇ ମତେ କହିବେ, ଆରେ ତୁ ତ ଫିଲ୍ମିରେ ଚା ବିକୁଥେଲୁ ।

ତା’ ପରେ ଫିଲ୍ମି ଚା ବାଲା କହିବେ ।

ସେଇ ଯୋଉ ବୁମ୍ ଧରିକି ଆସୁଥିଲେ ସେ ପୂରା କାହାଣୀ ଶୁଣିଲେ ଓ ପଚାରିଲେ, ବାପା ବାବୁନା, ସେ ଫିଲ୍ମି ନା କହତ । ଫିଲ୍ମି ନାଁ ମୁଁ କ’ଣ ଆଉ ପଚାରିଚି ? କହିଲା ବାବୁନା କାନ୍ଦୁଣୁ ମାନ୍ଦୁଣୁ ହେଇ ।

“ଆଚ୍ଛା ତା ହେଲେ କୋଉ ଫିଲ୍ମିରେ ତମେ ଦେଖାଦେବ ଆମେ କେମିତି ଜାଣିବୁ ଭଲା ?”

“ସତ କଥା ତ...” ବାବୁନା କାନ୍ଦି କାନ୍ଦି କହିଲା । ବାବୁନାର ହିରୋଗିରି ଫୁର୍ ହେଇଗଲା । ବିଚରା ବିକଳ ହେଇ କାନ୍ଦିଲା । ବୁମ୍ ବାଲା ଟିଭି ଭାଇଙ୍କ ସ୍ୱର ଶୁଭୁଥିଲା ।

ରାଜଧାନୀରେ ନିରୀହ ଚା ଦୋକାନୀଙ୍କୁ ଠକେଇ । ଶୀର୍ଷକରେ ଗୋଟିଏ ଅଭିଭାଷଣ । ବାବୁନାକୁ ତ ହତାଶ ଭାବ ଘାରିଥିଲା । ସେଇ ଭାଇ ଜଣକ ବୁମ୍ ଟା ଆଣି ବାବୁନା ପାଟି ପାଖେ ରଖି କହିଲେ “ହଁ କୁହ ବାବୁନା ଆଜି ତମ ସାଥିରେ କ’ଣ ହେଲା । ପ୍ରଥମେ ତମ ନାଁ କୁହ ? ବାବୁନା କାନ୍ଦି କାନ୍ଦି କହିଲା ସବୁ ।

କ୍ୟାମେରାରେ ବି ସୁଟିଂ ହେଲା ଆଉ ବୁମ୍ ବାଲା ଭାଇ ଯିବାବେଳେ କହିଲେ “ବାବୁନା ! ଅମୁକ ଟିଭିରେ ଆଜି ସନ୍ଧ୍ୟା ସାତଟାବେଳେ ତୋ ନିଉଜ୍ ବାଜିବ ।”

ହତବାକ୍ ବାବୁନା ଦୋକାନ ବନ୍ଦ କରି ଘରକୁ ଗଲା । ତା ପରଦିନ ତାକୁ ସମସ୍ତେ ଦେଖିଲେ ଟିଭିରେ । ତା’ ପରେ ଫୋନ ଉପରେ ଫୋନ ବାବୁନାକୁ ବ୍ୟସ୍ତ କଲା । ସମସ୍ତଙ୍କ ସେଇ ଗୋଟିଏ କଥା “ବାବୁନା ତତେ ଚୁନ ଲଗେଇ ତୋଠୁ ଚା ପିଇଗଲେ ସୁଟିଂ ବାଲା ? ତୁ କ’ଣ ଏତିକି ଜାଣିପାରିଲୁନି ।” ଆହା ବିଚରା ବାବୁନା, ଭାବିଥିଲା ଫିଲ୍ମି ଚା ବାଲା ହେବ । ହେଲେ ସେ ସବୁଦିନ ପାଇଁ ବିଚରା ବାବୁନା ପାଲଟିଗଲା ।

Report an Error