ଅଲମ୍ପିଆ ବିଷୟରେ କିଛି କଥା

୨୦୧୬ରେ ଜଣେ ଶିଳ୍ପୀ ତଥା ଫଟୋଗ୍ରାଫର୍ ମ୍ୟୁଜିୟମ୍ ଭିତରେ ‘ଅଲମ୍ପିଆ’ ଛବି ଆଗରେ ଲଙ୍ଗଳା ହେଇ ସମାନ ଭଙ୍ଗୀରେ ଶୋଇପଡିଲେ । ତାଙ୍କୁ ଅବଶ୍ୟ ସଙ୍ଗେ ସଙ୍ଗେ ଗିରଫ କରାଯାଇଥିଲା । ଏବେ ଆମ ଭାରତରେ ଏମିତି ଗୋଟେ ଲଙ୍ଗଳା କଥାକୁ ନେଇ ସୋସିଆଲ୍ ମିଡିଆ ଓ ମୁଖ୍ୟଧାରାର ମିଡିଆ ଉଠୁଛି ପଡୁଛି ।


ଚିତ୍ର - ୱିକିମିଡିଆ କମନ୍ସ

ଛବିଟିକୁ ବିଖ୍ୟାତ ଚିତ୍ରଶିଳ୍ପୀ ଏଡୱାର୍ଡ ମନେ ଆଙ୍କିଥିଲେ ଓ ଛବିଟି ୧୮୬୫ରେ ପ୍ୟାରିସ୍ ସାଲୋନରେ ପ୍ରଦର୍ଶିତ ହେଇଥିଲା । ଛବିରେ ଅଛି ଜଣେ ଗୌରବର୍ଣ୍ଣା ନଗ୍ନ ନାରୀ ସିଧାସଳଖ ସାମ୍ନାକୁ ଅନେଇ ଅଳସ ଭଙ୍ଗୀରେ ବିଛଣାରେ ଦରଶୁଆ ହୋଇ ଅଛନ୍ତି ଓ ବିଛଣାର ସେପଟେ ଜଣେ କଳାରଙ୍ଗର ନିଗ୍ରୋ ମହିଳା ଫୁଲତୋଡା ଧରି ଠିଆହୋଇ ତାଙ୍କୁ ଅନେଇଛି । ଅର୍ଦ୍ଧଶାୟିତା ସ୍ତ୍ରୀଲୋକର ପାଦ ପାଖ ବିଛଣାରେ ଛିଡା ହେଇଛି ଗୋଟେ କଳା ବିଲେଇ । ୫୧.୪ ଗୁଣନ ୭୪.୮ ସାଇଜର ଏହି ଛବିଟିକୁ ମନେ କ୍ୟାନଭାସ୍ ଉପରେ ତୈଳ ରଙ୍ଗରେ ଆଙ୍କିଛନ୍ତି । ଛବିର ଶୀର୍ଷକ ଦେଇଛନ୍ତି ‘ଅଲମ୍ପିଆ’ । ଏପରି କିଛି ସାଧାରଣ ବିଷୟବସ୍ତୁକୁ ନେଇ ସେ ସମୟରେ ଏତେ ବଡ ଆକାରର ଛବି ଅଙ୍କାଯାଉନଥିଲା । ଏତେ ବଡ ଆକାରର ଛବି ପ୍ରାୟତଃ ଐତିହାସିକ କିମ୍ବା ପୌରାଣିକ ବିଷୟବସ୍ତୁ ସମ୍ବଳିତ ଛବି ପାଇଁ ହିଁ ବ୍ୟବହୃତ ହେଉଥିଲା । ବିଷୟ ଓ ପ୍ରୟୋଗ ଆଦି ଅନେକ ଦିଗରୁ ‘ଅଲମ୍ପିଆ’ ସେ ସମୟରେ ଅଭିନବ, ଚର୍ଚ୍ଚିତ ଓ ବିବଦମାନ ଥିଲା । କେହି କେହି ଛବିଟିକୁ ବିଶ୍ୱ କଳା ଇତିହାସରେ ପ୍ରଥମ ଆଧୁନିକ ଛବିର ମାନ୍ୟତା ଦେବାକୁ ବି ଆଗଭର ହେଇଥାନ୍ତି ।

ଛବିଟି ପ୍ରଦର୍ଶନୀରେ ପ୍ରଦର୍ଶିତ ହେଲାପରେ ବିବାଦର ଘେର ଭିତରକୁ ପଶିଯାଇଥିଲା । ବିବାଦର ପ୍ରଥମ କାରଣଟି ହେଲା, ଛବିର ପରିବେଶରୁ ଜଣାପଡିଯାଇଥିଲା ବିଛଣାରେ ଥିବା ସ୍ତ୍ରୀଲୋକଟି ଏକ ବେଶ୍ୟା । ସ୍ତ୍ରୀଲୋକଟି ମୁଣ୍ଡରେ ଅର୍କିଡ୍ ଫୁଲ ଖୋସିଥିଲା । ହାତର ମଣିବନ୍ଧରେ ବ୍ରେସଲେଟ୍ ପିନ୍ଧିଥିଲା ଓ କାନରେ ଥିଲା ତା'ର ମୋତିର କାନଫୁଲ । ବିଛଣାରେ ଅଡୁଆ ହୋଇ ବିଛେଇ ହେଇ ରହିଥିଲା ପ୍ରାଚ୍ୟ ଦେଶର ସାଲ୍ ଆଉ ବେକ ଚାରିପଟରେ ଗୁଡେଇ ହୋଇ ରହିଥିଲା ଗୋଟେ କଳାରଙ୍ଗର ରିବନ୍ ଆଉ ପାଦରେ ଚପଲ ପିନ୍ଧି ହିଁ ସେ ଶୋଇଥିଲା । ପରିବେଶଟି ଧନୀ ଓ ସ୍ୱଚ୍ଛଳ ଲାଗୁଥିଲା । ଫୁଲଧରି ଠିଆ ପରିଚାରିକା ଗୋଟାପଣ ପୋଷାକ ଭିତରେ ଥିବାବେଳେ ମାଲିକିଆଣୀ ଅଦ୍ଭୁତ ଲଙ୍ଗଳା ହୋଇ ଶୋଇଥିଲା । ବେଶ୍ୟାମାନଙ୍କ ଭିତରେ ଅଲମ୍ପିଆ ନାମଟି ମଧ୍ୟ ଜଣାଶୁଣା ଥିଲା । ଊନବିଂଶ ଶତାବ୍ଦୀର ପ୍ୟାରିସ୍ ସହରରେ ବେଶ୍ୟାଙ୍କୁ ଗାଳି କଲାବେଳେ ଅଲମ୍ପିଆ ବୋଲି କୁହାଯାଉଥିଲା । ତେବେ କଳା ସମାଲୋଚକମାନେ ସେମିତି କିଛି ନିର୍ଦ୍ଦିଷ୍ଟ ଭାବରେ ଏକମତ ହୋଇପାରିନାହାଁନ୍ତି ଯେ, ମନେ ଏହି ଛବିର ନାମକରଣ ‘ଅଲମ୍ପିଆ’ କାହିଁକି କଲେ ।

ଛବିରେ ଦରଶୁଆ ମହିଳାର ଛବି ପାଇଁ ମନେ ତାଙ୍କର ଅନ୍ୟ କେତୋଟି ବିଖ୍ୟାତ ଛବିରେ ମଡେଲ ଭାବରେ ବ୍ୟବହାର କରିଥିବା ସେ ସମୟର ପ୍ୟାରିସ୍ ସହରର ପରିଚିତ ମଡେଲ୍ ତଥା ଚିତ୍ରଶିଳ୍ପୀ ଭିକ୍ଟୋରିନେ ମେଉରେଙ୍କୁ ନେଇଥିଲେ । ସହରରେ ଯେହେତୁ ଭିକ୍ଟୋରିନେଙ୍କର ପରିଚିତି ଥିଲା, ତେଣୁ ଛବିରେ ତାଙ୍କୁ ଦେଖି ଅନେକ ଚିହ୍ନି ପକେଇଥିଲେ । ଭିକ୍ଟୋରିନେ ମେଉରେ ଚିତ୍ରଶିଳ୍ପୀ ମନେଙ୍କର ଅନେକ ଛବିରେ ମଡେଲ୍ ଭାବରେ ମଧ୍ୟ ପୋଜ୍ ଦେଇଛନ୍ତି ।

ପରମ୍ପରାବାଦୀ ଓ ରକ୍ଷଣଶୀଳ ସମାଲୋଚକମାନେ ମନେ ଓ ତାଙ୍କ ଛବିକୁ ପ୍ରବଳ ବିରୋଧ କରିଥିଲେ । ଛବିଟିିକୁ ଅନୈତିକ ଓ ଅଶ୍ଳୀଳ ବୋଲି ଦୋଷାରୋପ କରାଯାଇଥିଲା । ଏମିତିକି ସେ ସମୟର ପ୍ରଶାସକ ଆବଶ୍ୟକୀୟ ପଦକ୍ଷେପ ନ ନେଇଥିଲେ ସେ ଛବିକୁ ହୁଏତ ବିରୋଧିମାନେ ସଂପୂର୍ଣ୍ଣ ନଷ୍ଟ କରିଦେଇଥା'ନ୍ତେ । ପ୍ରଦର୍ଶନୀକୁ ବୁଲିବାକୁ ଆସିଥିବା ଦର୍ଶକମାନେ ସେମାନଙ୍କ ଛତା ଓ ହାତ ବାଡିରେ ଛବିକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ । ଛବିରେ ଦରଶୁଆ ସ୍ତ୍ରୀ ଲୋକକୁ କିଏ ମାଈ ଗରିଲା କହିଲା ତ କିଏ କହିଲା ଚିତ୍ରଶିଳ୍ପୀ ଏଡୱାର୍ଡ ମନେ ସୌନ୍ଦର୍ଯ୍ୟ ବଦଳରେ ପ୍ରକୃତ ଅସୁନ୍ଦରପଣ ଓ ବିକୃତିକୁ ହିଁ ଆଙ୍କିଛନ୍ତି । ‘ଅଲମ୍ପିଆ’ ଛବି ଆଙ୍କିଲାବେଳକୁ ମନେ ଧାର୍ମିକ, ପୌରାଣିକ ଓ ଐତିହାସିକ ବିଷୟକୁ ନେଇ ଛବି ଆଙ୍କିବେନି ବୋଲି ଘୋଷଣା କରି ଆଗରୁ ଅନେକଙ୍କ ରୋଷର ଶିକାର ହୋଇସାରିଥା'ନ୍ତି । ସେ ସମୟରେ ସମାଜ ବଡ ରକ୍ଷଣଶୀଳ ଥାଏ (ଆଜିବି ସେମିତି ଅଛି )। ଚିତ୍ରଦୁନିଆ ପାଇଁ କେତେ ପ୍ରକାର ନୀତି ନିୟମ ସମାଜ ପ୍ରଣୟନ କରୁଥାଏ (ଆଜିବି ସେମିତି କରୁଛି) । ଚିତ୍ରର ବିଷୟବସ୍ତୁକୁ ନେଇ ଚିତ୍ରର ବିଭାଗୀକରଣ ସେତେବେଳେ ହେଇଥାଏ (ଆଜି ବି ହେଉଛି) । ବିଭାଗୀକରଣର ସବୁଠାରୁ ଉପରେ ଥାଏ ଐତିହାସିକ ଛବି । ତା' ତଳକୁ ବାଇବେଲର ବିଷୟ ଓ ଚରିତ୍ରମାନଙ୍କୁ ନେଇ ଛବି । ତା' ତଳକୁ ଆଲେଖ୍ୟ ଅଙ୍କନ । ସବା ଶେଷକୁ ଥାଏ ଭୂଦୃଶ୍ୟ ଅଙ୍କନ ଓ ଷ୍ଟିଲ୍ ଲାଇଫ୍ ଛବି । ସେମିତି ଏକ ନୈତିକତାକୁ ମାନଦଣ୍ଡ କରି ଧରିଥିବା ରକ୍ଷଣଶୀଳ ସମାଜ ଓ ସେସମୟରେ ଜଣେ ଚିତ୍ରଶିଳ୍ପୀ ସାଧାରଣ ବେଶ୍ୟାକୁ ସୁଦୁ ଲଙ୍ଗଳା କରି ଶୁଆଇ ଛବି କରିବ ? ଏକଥା ନୁହେଁ ଯେ ଏଡୱାର୍ଡ ମନେ ଚିତ୍ରକଳାର ଇତିହାସରେ ପ୍ରଥମକରି ଜଣେ ଲଙ୍ଗଳା ନାରୀକୁ ତାଙ୍କ ଛବିରେ ଆଙ୍କିପକାଇଲେ । ଏଡୱାର୍ଡ ମନେ ତ ତାଙ୍କ ଆଗରୁ ଟିସନ୍ ଙ୍କ ଦ୍ୱାରା ଅଙ୍କାଯାଇଥିବା ‘ଭିନସ୍ ଅଫ୍ ଅରବିନୋ’ ପରି ଛବିରୁ ଉଦବୁଦ୍ଧ ହୋଇ ଛବି ଆଙ୍କିଛନ୍ତି । ଅସୁବିଧା ହେଲା ଟିସନ୍ ତାଙ୍କ ଛବିରେ ଭିନସଙ୍କୁ ଆଙ୍କିଛନ୍ତି କିନ୍ତୁ ଏଡୱାର୍ଡ ମନେ ସେ ଯାଗାରେ ଆଙ୍କିଛନ୍ତି ଏକ ବେଶ୍ୟାକୁ । କିଏ ସହିଥା'ନ୍ତା ଶିଳ୍ପୀର ଏଇ ଧୃଷ୍ଟତାକୁ ? ଆଗରୁ ଛବିରେ ଯେଉଁ ଭଙ୍ଗୀରେ ଦେବୀମାନେ ଶୋଉଥିଲେ ସେଇ ଭଙ୍ଗୀରେ ଏଡୱାର୍ଡ ମନେ ଜଣେ ବେଶ୍ୟାକୁ ଶୁଆଇ ଛବି ଆଙ୍କିଥିଲେ । ପ୍ରକୃତରେ ଆଧୁନିକ ଓ ସମସାମୟିକ ଜୀବନ ଏବଂ ପୌରାଣିକ ବାଇବେଲୀୟ ଜୀବନ ଭିତରେ ପାର୍ଥକ୍ୟ ଦର୍ଶାଇବାକୁ ଚେଷ୍ଟା କରିଥିଲେ ଏଡୱାର୍ଡ ମନେ । ହେଲେ ତାଙ୍କ କଥା ଶୁଣିବ ବା କିଏ ? ସମାଲୋଚନା ଏତେ ତୀବ୍ର ହେଲା ଯେ, ଏଡୱାର୍ଡ ମନେ ବିଚରା ଶେଷକୁ ଦେଶ ଛାଡି ସ୍ପେନ୍ ପଳେଇଲେ । ଆଲୋଚନା ସମାଲୋଚନା ତ ହେଲା, କିନ୍ତୁ ମନେଙ୍କର ଲାଭ ହେଲା ଯେ ଇମ୍ପ୍ରେସନିଷ୍ଟ ଆନ୍ଦୋଳନରେ ତାଙ୍କ ନାଁ ସମ୍ମାନର ସହ ନିଆଗଲା । ଏଡୱାର୍ଡ ମନେ ଏଇ ‘ଅଲମ୍ପିଆ’ ଛବି ମାଧ୍ୟମରେ ଊନବିଂଶ ଶତାବ୍ଦୀର ଛବି ଆଙ୍କିବାର ଗୁଡେ ନୀତି ନିୟମ, ଶୈଳୀ ଓ ବିଷୟବସ୍ତୁ ଚୟନ ଆଦିକୁ ଭାଙ୍ଗି ପକାଇଲେ । ପରେ କଳା ସମାଲୋଚକମାନେ ହିସାବ କରି କହିଲେ, କ୍ଲାସିକାଲ୍ ଛବିର ଯୁଗରୁ ଏଇ ମୋଡରୁ ହିଁ ଆଧୁନିକ ଯୁଗ ଭିତରକୁ ଛବି ପାଦ ପକାଇଲା ।

ଛବିରେ ଫୁଲଧରି ଠିଆ ପରିଚାରିକାକୁ ଆଙ୍କିବା ପାଇଁ ମନେ ଲରା ନାମକ ଜଣେ ମଡେଲକୁ ନେଇଥିଲେ । ଫ୍ରାନ୍ସରେ ଦାସ ପ୍ରଥା ଉଠିବାର ପନ୍ଦର ବର୍ଷ ପରେ ଏ ଛବି ଅଙ୍କାଯାଇଥିଲା । ଜଣେ ଶ୍ୱେତାଙ୍ଗ ବେଶ୍ୟା ଓ ଜଣେ କୃଷ୍ଣକାୟ ପରିଚାରିକାକୁ ଗୋଟିଏ ଛବିରେ ରଖିବା ନେଇ ପରେ ଅନେକ କଳା ସମାଲୋଚକ ବିଭିନ୍ନ ସମୟରେ ବିଭିନ୍ନ କଥା ଉଠେଇଛନ୍ତି । ଏମିତିକି ଏ ଛବିକୁ ନେଇ କରାଯାଇଥିବା ଅଧିକାଂଶ ସମାଲୋଚନାରେ ବେଶୀ ଭାଗ ଆଲୋଚନା ଶ୍ୱେତାଙ୍ଗ ମହିଳାଙ୍କ ବିଷୟରେ ହେଇଥିବାରୁ ପରବର୍ତ୍ତୀ କିଛି ସମାଲୋଚକ ଏନେଇ ଆପତ୍ତି କରି ବର୍ଣ୍ଣବୈଷମ୍ୟର କଥା ପକେଇଛନ୍ତି । ପରେ ଜଣେ କଳାକାର ଏଇ ଛବିକୁ ଓଲଟାଇ ଆଙ୍କିଥିଲେ । ଅର୍ଥାତ୍ ସମାନ ପରିବେଶରେ ଏକ କଳା ସ୍ତ୍ରୀଲୋକ ବିଛଣାରେ ଶୋଇଛି ଓ ଜଣେ ଶ୍ୱେତାଙ୍ଗ ମହିଳା ଫୁଲତୋଡା ଧରି ପରିଚାରିକା ହେଇ ଠିଆହେଇଛି । ଛବିଟି କିନ୍ତୁ ମନେଙ୍କ ଜୀବନକାଳ ଭିତରେ ବିକ୍ରି ହୋଇପାରିନଥିଲା । ୧୮୯୦ରେ ଚିତ୍ରଶିଳ୍ପୀ କ୍ଲାଉଡ୍ ମୋନେ ଲୋକମାନଙ୍କଠାରୁ ଟଙ୍କା ସଂଗ୍ରହ କରି ମନେଙ୍କ ବିଧବା ପତ୍ନୀଙ୍କ ପାଖରୁ ଛବିଟିକୁ କିଣିବାକୁ ଚେଷ୍ଟା କରିଥିଲେ । ୨୦,୦୦୦ ଫ୍ରାଙ୍କ୍ ସଂଗ୍ରହ କରିବାକୁ ତାଙ୍କୁ ଅନେକ ଚିଠି ଲେଖିବାକୁ ପଡିଥିଲା । ଶେଷରେ ୧୮୯୦ରେ ଆବଶ୍ୟକୀୟ ଅର୍ଥ ଯୋଗାଡ ହୋଇଥିଲା ଓ ଛବିଟିକୁ ଫ୍ରାନ୍ସର ସରକାରଙ୍କୁ ଦିଆଯାଇଥିଲା । କିନ୍ତୁ ସେତେବେଳର ସରକାର ମଧ୍ୟ ଅଲମ୍ପିଆକୁ ପ୍ରସିଦ୍ଧ ଲୁଭ୍ରା ମ୍ୟୁଜିୟମ୍ ରେ ସ୍ଥାନ ଦେଇନଥିଲେ । ଅଲମ୍ପିଆ ଶେଷରେ ୧୯୦୭ ମସିହାରେ ଯାଇଁ ଲୁଭ୍ରାରେ ଟଙ୍ଗା ହେଇଥିଲା ।

ମନେ ମନକୁମନ ହଠାତ୍ ଏ ଛବି ଆଙ୍କିପକାଇନଥିଲେ । ଏଥିପାଇଁ ସେ ଅନେକ ଗୁଡେ ଛବିର ରେଫେରେନ୍ସ ନେଇଥିଲେ । ମୁଖ୍ୟତଃ ସେ ଇଟାଲୀୟ ରେନେଁସା ସମୟର ଚିତ୍ରଶିଳ୍ପୀ ଟିସନ୍ ଙ୍କ ଏକ ଛବିକୁ ଆଗକୁ ନେଇଥିଲେ । ୧୫୩୨ - ୩୪ ବେଳକୁ ‘ଭିନସ୍ ଅଫ୍ ଅରବିନୋ’ ନାମରେ ୪୭ ଗୁଣନ ୬୫ ଇଞ୍ଚର ଏକ ତୈଳଚିତ୍ର ଆଙ୍କିଥିଲେ ଟିସନ୍ । ଛବିରେ ଥିବା ଶାୟିତ ନଗ୍ନ ସୁନ୍ଦରୀ ହେଉଛନ୍ତି ରୋମାନ୍ ଦେବୀ ଭିନସ୍ । ଭିନସ୍ ହେଉଛନ୍ତି ସୌନ୍ଦର୍ଯ୍ୟ, ପ୍ରେମ, କାମନା, ପ୍ରଜନନ, ସମୃଦ୍ଧି ଓ ଯୌନତାର ଦେବୀ । ଟିସନ୍ ଙ୍କ ଛବିରେ ଭିନସ୍ ବାଁ ହାତର ପୋଜିସନ୍ ବଦଳାଇଛନ୍ତି ମନେ । ଟିସନ୍ ବିଛଣାରେ କୁକୁର ରଖିଥିବାବେଳେ ମନେ ରଖିଛନ୍ତି କଳା ବିଲେଇକୁ । ଟିସନ୍ ଙ୍କ ଛବିରେ ପରିଚାରିକା ତଳକୁ ମୁହଁ କରି ସାନ ପିଲାଟିକୁ ଦେଖୁଥିବାବେଳେ ମନେଙ୍କ ଛବିରେ ପରିଚାରିକା ଅଲମ୍ପିଆକୁ ଏକଲୟରେ ଚାହିଁ ରହିଛି । ଅଲମ୍ପିଆର ପାଦରେ ଚପଲ ଥିବାବେଳେ ଭିନସ୍ ଙ୍କ ପାଦ ଖାଲି ଅଛି । ‘ଭିନସ୍ ଅଫ୍ ଅରବିନୋ’ର ପରିବେଶ ଘରୁଆ ହେଇଥିବାବେଳେ ଅଲମ୍ପିଆ ଛବିର ପରିବେଶରେ ବେଶ୍ୟାର କାମ ଉତ୍ତେଜନା ଭରିରହିଥିଲା । ଟିସନ୍ ପୁଣି ତାଙ୍କ ଛବିରେ ଶୋଇଥିବା ଭିନସ୍ ଆଙ୍କିଛନ୍ତି ହାଇ ରେନେସାଁ ଚିତ୍ରଶିଳ୍ପୀ Giorgioneଙ୍କ ସ୍ଲିପିଙ୍ଗ ଭିନସ୍ ଛବି ପାଖରୁ ପ୍ରଭାବିତ ହେଇ । କୁହାଯାଏ ଏଇଟି Giorgioneଙ୍କ ଶେଷ ଛବି ଥିଲା ଓ ମଲାବେଳକୁ ସେ ଛବିଟିକୁ ସଂପୂର୍ଣ୍ଣ ବି କରିପାରିନଥିଲେ । ଛବିରେ ଥିବା ଭୂଦୃଶ୍ୟ ଓ ଆକାଶକୁ ପରେ ଟିସନ୍ ଆଙ୍କି ଶେଷ କରିଥିଲେ । କିନ୍ତୁ ଛବିର କମ୍ପୋଜିସନ୍ ଓ ଦରଶୁଆ ନଗ୍ନ ନାରୀର ବିଷୟ ପରବର୍ତ୍ତୀ ଅନେକ ଚିତ୍ରଶିଳ୍ପୀଙ୍କୁ ସେମିତି ଆଙ୍କିବାକୁ ପ୍ରେରିତ କରିଛି । ମନେଙ୍କ ଅଲମ୍ପିଆ ପାଖରେ କଥାଟି ପହଂଚିଲାବେଳକୁ ବାର ବାଙ୍କରେ ବୁଲି ବୁଲି ଆସିଥିଲା । ଜଣେ ଶିଳ୍ପୀଙ୍କ ଛବି ଅନ୍ୟ ଜଣେ ଶିଳ୍ପୀଙ୍କୁ କେମିତି ପ୍ରଭାବିତ କରେ ଓ ଗୋଟେ ଛବି କେମିତି ଆଉ ଏକ ଛବିକୁ ଜନ୍ମ ଦିଏ, ତା'ର ଚମତ୍କାର ଉଦାହରଣ ଭାବରେ ଏହାକୁ ନିଆଯାଇପାରେ । ଯେମିତି ସ୍ଲିପିଙ୍ଗ ଭିନସ୍ ଛବି ପାଖରୁ ଆସିଲା ଟିସନ୍ ଙ୍କ ଛବି, ସେମିତି ଟିସନ୍ ଙ୍କ ଭିନସ୍ ଅଫ୍ ଅରବିନୋ (୧୫୩୪)ରୁ ପ୍ରଭାବିତ ହେଲା Bordoneଙ୍କ ସ୍ଲିପିଙ୍ଗ ଭିନସ୍ ଉଇଥ୍ କ୍ୟୁପିଡ୍ (୧୫୪୦) । ସେଥିରୁ ପ୍ରଭାବିତ ହେଇ ଅଙ୍କାହେଲା Annibale Carracciଙ୍କ ସ୍ଲିପିଙ୍ଗ ଭିନସ୍ (୧୬୦୨) । ତାକୁ ରେଫେରେନ୍ସ ନେଇ Artemisia Gentileschi ଆଙ୍କିଲେ ସ୍ଲିପିଙ୍ଗ ଭିନସ୍ (୧୬୨୫) । Artemisia Gentileschi ଛବିରୁ ୧୬୩୯ ମସିହାରେ ଅଙ୍କାହେଲା Guido Reniଙ୍କ Reclining Venus with Cupid । ତାପରେ ଆସିଛି Diego Velaquezଙ୍କ Venus at Her Mirror ୧୬୩୯ରେ । Velaquezଙ୍କ ଛବି ପରେ ୧୭୯୨ରେ ଆସିଛି Goyaଙ୍କ Maja naga2 ଓ Alexandre Cabanelଙ୍କ The Birth of Venus ଅଙ୍କାହେଇଛି ୧୮୬୩ରେ । ଏଡୱାର୍ଡ ମନେଙ୍କ ଅଲମ୍ପିଆ ଯାଇଁ ୧୮୬୩ରେ ଅଙ୍କାହେଇଛି । ଏ ସବୁଗୁଡା ଛବିର ମୂଳ ଯାଇଁ ରହିଛି ୧୪୯୯ର ଏକ ଉଡକଟ୍ ପାଖରେ । ନଗ୍ନ ନାରୀଟିର ଶାୟିତା ଭଙ୍ଗୀଟି ସେଇଠୁ ଆସିଛି । ଅର୍ଥାତ୍ ୧୪୯୯ରୁ ଏ ଯାତ୍ରା ଆରମ୍ଭ ହେଇ ମନେଙ୍କ ପାଖରେ ୧୮୬୩ରେ ପହଂଚିଛି । କଥା କିନ୍ତୁ ସେଇଠି ସରିଯାଇନି । ବଡ କଥା ହେଲା ମନେଙ୍କ ଛବି ଆଲୋଚିତ ଓ ସମାଲୋଚିତ ହେଲାପରେ ଅଲମ୍ପିଆକୁ ନେଇ ପରେ ଅନେକ ଶିଳ୍ପୀ ବିଭିନ୍ନ ଦୃଷ୍ଟିରୁ ବିଭିନ୍ନ ବାଗରେ ବିଭିନ୍ନ ଦିଗରୁ ତାକୁ ଉପସ୍ଥାପିତ କରିଛନ୍ତି । ପୁଣି ଯେଝା ବାଟରେ ଆଙ୍କିଛନ୍ତି, ମୂର୍ତ୍ତି ଗଢିଛନ୍ତି ଓ ପରଫରମାନ୍ସ ବି କରିଛନ୍ତି ।

୧୮୭୪ରେ ପଲ୍ ସେଜାଁ ମନେଙ୍କ ଛବି ଅଲମ୍ପିଆକୁ ରେଫେରେନ୍ସ ନେଇ ମଡର୍ଣ୍ଣ ଅଲମ୍ପିଆ ଆଙ୍କିଥିଲେ । ଛବିରେ ସେଜାଁ ବେଶ୍ୟା, ତା'ର କାଳି ପରିଚାରିକା, କଳା ବିଲେଇ, ଫୁଲତୋଡା ଓ କପଡାକୁ ରଖିଥିଲେ କିନ୍ତୁ ସେସବୁକୁ ଅଲଗା ଭାବରେ ଅଲଗା ଯାଗାରେ ରଖିଥିଲେ । ଛବିଟି ଇମ୍ପେ୍ରସନିଷ୍ଟ ଶୈଳୀରେ ଦ୍ରୁତ ବ୍ରସ ଚାଳନା କରି ଉଜ୍ୱଳ ବର୍ଣ୍ଣ ପ୍ରୟୋଗ କରି ଆଙ୍କିଥିଲେ । ନୂଆ କଥା ଭାବରେ ସୋଫାରେ ଭଲ ପୋଷାକ ପରିପାଟୀରେ ଜଣେ ପୁରୁଷକୁ ବସେଇଥିଲେ । ପୂରା ପରିବେଶ ଲାଗୁଥିଲା ଯେମିତି ପରିଚାରିକା ଜଣକ କପଡା ଉଠେଇ ଜଣେ ନଗ୍ନ ନାରୀକୁ ପୁରୁଷ ଆଗରେ ପ୍ରଦର୍ଶିତ କରୁଛି । ମାଗ୍ରିତି ବି ଅଲମ୍ପିଆ ନାମରେ ଛବି କରିଥିଲେ, ଯାହାକୁ କି ବନ୍ଧୁକ ଦେଖାଇ ଦିବାଲୋକରେ ଚୋରି କରାଯାଇଥିଲା ।

୨୦୧୬ ଜାନୁୟାରୀରେ ଜଣେ ପରଫରମାନ୍ସ ଶିଳ୍ପୀ ତଥା ଫଟୋଗ୍ରାଫର୍ ମ୍ୟୁଜିୟମ୍ ଭିତରେ ‘ଅଲମ୍ପିଆ’ ଛବି ଆଗରେ ଲଙ୍ଗଳା ହେଇ ସମାନ ଭଙ୍ଗୀରେ ଶୋଇପଡିଲେ । ତାଙ୍କୁ ଅବଶ୍ୟ ସଙ୍ଗେ ସଙ୍ଗେ ଗିରଫ କରାଯାଇଥିଲା । ଏବେ ଆମ ଭାରତରେ ଏମିତି ଗୋଟେ ଲଙ୍ଗଳା କଥାକୁ ନେଇ ସୋସିଆଲ୍ ମିଡିଆ ଓ ମୁଖ୍ୟଧାରାର ମିଡିଆ ଉଠୁଛି ପଡୁଛି । ବଲିଉଡ୍ ଚଳଚ୍ଚିତ୍ର ଅଭିନେତା ରଣବୀର ସିଂଙ୍କର ଏକ ଲଙ୍ଗଳା ଫଟୋ ବଜାରକୁ ଆସିଛି । ତାଙ୍କୁ ପ୍ରବଳ ଟ୍ରୋଲ୍ କରାଯାଉଛି । ଦେଶର ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ବି ହେଉଛି । କିଛି ବର୍ଷ ତଳେ ଟପ୍ ମଡେଲ୍ ମଧୁ ସାପ୍ରେ ଓ ମିଲିନ୍ଦ ସୁମନଙ୍କ ଏକ ଯୋତା କଂପାନୀ ପାଇଁ କରିଥିବା ବିଜ୍ଞାପନ ଓ ଏମ୍ ଏଫ୍ ହୁସେନଙ୍କ ସରସ୍ୱତୀ ରେଖାଚିତ୍ର କଥା ଏବଂ ତାକୁ ନେଇ ଉତ୍ପନ୍ନ ବିବାଦ କଥା ଅନେକଙ୍କର ମନେ ଥିବ । ବିବାଦ ପାଇଁ ହୁସେନଙ୍କୁ ଭାରତ ଛାଡି କତାର ଯିବାକୁ ପଡିଥିଲା । ସମୟ କିଛି ବଦଳିନି । ଆଜିବି ଯଦି ମନେ ଅଲମ୍ପିଆ ପରି ଛବି ଆଙ୍କିଥା'ନ୍ତେ ତେବେ ସମାନ ବିବାଦରେ ନିଶ୍ଚୟ ଫସିଥା'ନ୍ତେ ।

Report an Error