କେତୋଟି ଆଭାସ ଗପ

ଗପ ସବୁବେଳେ କାହାଣୀ ନୁହେଁ । ଏହା ଅନେକ ସମୟରେ ଏକ ଆଭାସ ବା ଇଙ୍ଗିତ ବି ହୋଇପାରେ ।


୧. ମୁକ୍ତି

ଆଷାଢ଼ ଆକାଶରୁ ବର୍ଷାବିନ୍ଦୁ ହୋଇ ଝରି ପଡ଼ିଲେ ମେଞ୍ଚେ ଖୁସି । ମେଘମୁକ୍ତ ହେବାର ଇଚ୍ଛାରେ ଖସି ପଡ଼ିଥିବା ସେ ଖୁସିମାନଙ୍କୁ ଆଞ୍ଜୁଳାରେ ଗୋଟେଇ ନେଇ ମାଆ ମୋର ଉଡ଼େଇ ଦେଲା ଅସୀମ ଦିଗବଳୟ ଆଡ଼େ । ମୁକ୍ତିର ଆନନ୍ଦରେ ବିଭୋର ହୋଇ ସେମାନେ ଏଥର ଡେଣା ଲଗେଇ, ସବୁ ବାଧା ବନ୍ଧନକୁ ପଛରେ ପକାଇ ଉଡ଼ିଗଲେ ଆପଣା ଆପଣା ସ୍ଵପ୍ନର ଇଲାକା ଆଡ଼େ ।

୨.ନିଦ

ନିଦର କୁଆଡେ ଡେଣା ଅଛି ବୋଲି ମୁଁ କେଉଁଠୁ ଠାଏ ଶୁଣିଥିଲି । ହେଲେ କିଛି ଦିନ ତଳେ ଅଧରାତିରେ କାହାକୁ କିଛି ନକହି ମୋ ପରି ପିଲା ପାଖରୁ ବି ସେ ଯେତେବେଳେ ଫୁର୍ କିନା ଉଡିଗଲା ସେତେବେଳେ ମୋ ପାଖରେ ବିଶ୍ୱାସ ନ କରିବାର ଆଉ ଚାରା ନଥିଲା । ତାକୁ ଦିନା କେତେ ଅଣନିଶ୍ୱାସୀ ହୋଇ ତିନି ଲୋକର ପୋଲିସ୍ ଲଗାଇ ଖୋଜିବା ପରେ ବି ସେ ମିଳିଲାନି ।

କିଛିଦିନ ତଳେ ଜୀବନ ଶଗଡ ଟିକେ ଆଗେଇବା ଲାଗି ରାସ୍ତା ଫର୍ଚ୍ଚା ଦିଶିବାରୁ, ସେଦିନ ଦିପହରଟାରେ ଆକାଶ ଆଡୁ ଆସି ଧଡାସ୍ କରି ଅଗଣା ଖଟିଆଟା ଉପରେ ପଡିଲା । ଦିନା କେତେ ଖାଇ ପିଇ ମଉଜ କରି ବେଶ୍ ଆରାମରେ ରହିଲା । ହେଲେ ପ୍ରକୃତି ଦାଉରୁ ଯେଉଁଦିନ ଫର୍ଚ୍ଚା ଦିଶୁଥିବା ବାଟଟା ଟିକେ ଟିକେ ଅନ୍ଧାରିଆ ଦିଶିବା ଆରମ୍ଭ କଲା ଆଉ ଜୀବନ ଗାଡି ଆଗକୁ ଯିବା ଆଶାଟା ମରିମାରି ଶୁଖି ଶାଙ୍କୁଡି ଗଲା, ସେଇଦିନଠୁ ଏ ନିଦଟା ବି ଛୁ ଚମ୍ପଟ ଦେଇ ଯାଇଛି ଯେ ଯାଇଛି । ଆଉ ଧରାଛୁଆଁ ଦଉନି ।

୩.ଖୁସି

ପାଣ୍ଡରାର ଘର କେଶୁରା ଘରଠୁ ଅଳ୍ପ କେଇ କୋଶ ବାଟ । ହେଲେ ପାଣ୍ଡରି ରହେ ପାରାଦ୍ୱୀପ ବନ୍ଦରଠୁ ଦଶ ଯୋଜନ ଦୂରରେ । ପାଣ୍ଡରି ସମୁଦ୍ର ପାଖେ ରହିଛି ବୋଲି, ଖୋଲା ପବନ ଖାଇବାକୁ ପାଉଛି ବୋଲି ହିଁ ଖୁସିରେ ଅଛି’ ବୋଲି ସମସ୍ତେ ଭାବୁଥିଲେ । ହେଲେ ଯେଉଁଦିନ ପାଣ୍ଡରି ଖବର ପାଇଲା ପାଣ୍ଡରା ଗୋଟେ ବଡ଼ ଝଙ୍କାଳିଆ ଆମ୍ବ ଗଛରେ ସୁନ୍ଦର ବସାଟିଏ କରି ଆରାମରେ ଅଛି, ସେଦିନ ପାଣ୍ଡରିର ମୁହଁର ରଙ୍ଗ ବଦଳିଗଲା । ତା ଫେଣ୍ଡେରା ମୁହଁକୁ ଦେଖି ସମସ୍ତେ ବୁଝିଗଲେ ଯେ, ପାଣ୍ଡରା ସେପଟେ ଭୁବନେଶ୍ୱରର ଧୂଳି ଧୂଆଁରେ ଛାଟିପିଟି ହେବା ଖବର ପାଇ ପାଣ୍ଡରି ଏଯାଏଁ ଖୁସିରେ ଥିଲା । ସେଇଥିଲାଗି ସିନା ପାଣ୍ଡରା ଖୁସିରେ ରହିବା ଖବର ଶୁଣି ତା ମୁହଁଟା ଏମିତି ଶେତା ପଡିଗଲା ।

ସେଇଦିନର ଘଟଣା ପରଠୁ ପାଣ୍ଡରି ଆଉ ତା’ ଆଖପାଖରେ ରହୁଥିବା ସବୁ ବିରାଡି ବୈଷ୍ଣବଙ୍କ ଖୁସିର ରହସ୍ୟଟା ସାଇବେରିଆରୁ ଶୀତଦିନ କଟେଇବାକୁ ଆସିଥିବା ସବୁ ଚଢେଇମାନେ ବି ବୁଝିଗଲେ ।

୪. ମାମଲା

ପରୀ ରାଇଜର ସୃଷ୍ଟି ସମୟରୁ ସେଠାରେ ଫୁଟୁଥିବା ଇଟିମା ଜାତିର ଫୁଲଙ୍କ ସହ କିଛି ଦିନ ତଳେ ନୂଆ କରି ଧସେଇ ପଶିଥିବା କିଛି ଶ୍ରମିକ ପ୍ରଜାପତିଙ୍କର ଝଗଡା ହେଲା ।

ଶାନ୍ତି ପ୍ରିୟ ଇଟିମା ପ୍ରଜାତିର ଫୁଲ ନିଜ ଜାଗା ବଦଳାଇ ଚୁପ୍ ହୋଇଗଲେ ଯଦିଓ, ଅଝଡା ପ୍ରଜାପତିଗୁଡ଼ାକ କିନ୍ତୁ ସେମିତି ଫଡ଼ଫଡ଼ ହଉଥା’ନ୍ତି । ହେଲେ ଘଟଣା ସେତେବେଳେ ମଜାଦାର ମୋଡ଼ ନେଲା ଯେତେବେଳେ ଜଣାପଡିଲା ଦୁଇ ହଜାର ମାଇଲ୍ ଦୂରରେ ଗୋଟେ ଅପନ୍ତରାରେ ରହୁଥିବା କୁକୁର ଗୋଷ୍ଠୀ ଏଇ ମାମଲାର ବିଚାର କରିବା ପାଇଁ ସଭା ଆୟୋଜନ କରିବାର ନିଷ୍ପତ୍ତି ନେଲେ । ଅଥଚ ଏ ବିଷୟରେ ଫୁଲ କି ପ୍ରଜାପତି ସହ କଥା ହେବାର ସାହସ ନଥିଲା କାହାର । ତେଣୁ ଖୋଜି ଲୋଡ଼ି କୁଆଡେ଼ ନିଜ ଅପନ୍ତରାରେ ରହୁଥିବା ସଁବାଳୁଆକୁ କାଠଗଡ଼ାର ଆସାମୀ କରି ଡାକିଲେ ପ୍ରଜାପତିର ସିଏ ଡ୍ୟାସ୍ ବୋଲି । ଯାହା ସଁବାଳୁଆ କହେ ।

୫.ମାଲିକାଣୀ

ଘରର କେହି ନ ହେଉ ପଛେ, ପିଢାରେ କିନ୍ତୁ କାଉଟିଏ ବି ବସେଇବାକୁ ଦେବନି ବୋଲି ମନେ ମନେ ପଣ କରି କାମ କରିବା ବାହାନାରେ ବ୍ରାହ୍ମଣୀ ସିନିଆ ଘରେ ପଶିଲା । ବର୍ଷ ବର୍ଷ ଧରି ୨୫ ବର୍ଷ ଯାଏ କାଉଟିଏକୁ ବି ପିଢା ଉପରେ ବସି ରହିବାକୁ ନଦେବାରେ ସିଦ୍ଧହସ୍ତ ହେବା ପରେ ଯାଇ ସେ ଜଣ ଜଣ କରି ମାଲିକଙ୍କ ପରିବାରର ସବୁ ଲୋକଙ୍କୁ ବାହାର କରିଦେଲା ।

ସମସ୍ତେ ତା ଜ୍ୱାଳାରେ ଅତିଷ୍ଠ ହୋଇ ଘର ଛାଡ଼ି ଚାଲିଗଲା ପରେ ସେ ଏବେ ନିଜକୁ ଘରର ମାଲିକାଣି ବୋଲି ଚାରିଆଡେ଼ କହି ବୁଲୁଛି । ଘରକୁ କାଳେ କେତେବେଳେ କିଏ ଫେରିଆସି ପାରେ ବୋଲି ଦୁଆର ମୁହଁରେ ଲମ୍ବା ବାଡ଼ିଟିଏ ଧରି ଜଗି ବସିଛି ।

ଅବେଳ ସବେଳରେ ମାଲିକଙ୍କର କେହି କୁଣିଆ ମଇତ୍ର ବାଟରେ ଯାଉଯାଉ ଅଚାନକ୍ ଆସିଗଲେ “ଘର ଜଗିଛି ପରା” କହିଦେଇ ଆଉ ଧରାଛୁଆଁ ନ’ଦେଇ ଲୁଚି ପଡ଼ୁଛି । ସେମାନେ ନିଜ ଲୋକ କାହାକୁ ନ’ପାଇ ଫେରିଗଲା ପରେ ଆଶ୍ୱସ୍ତ ହୋଇ ଗୋଟେ ଲମ୍ବା ଦୀର୍ଘଶ୍ୱାସ ପକାଇ “ଯାହା ହେଉ ଆଉ ଗୋଟେ କଣ୍ଟା ଗଲା” କହି ମାଲିକାଣି ହେବା ଖୁସିରେ ଗାଁ ଲୋକଙ୍କ ଆଗରେ ଓଠ ବଙ୍କେଇ ଟିକେ ହସିଦେଇ ଆତ୍ମଗର୍ବରେ ମୁହଁ ମୋଡ଼ି ଘରେ ଗଳି ଯାଉଛି ।

ସେ ଏବେ ମାଲିକାଣି ପରା ! ହସିବନି ?

Report an Error