ଆଦିମ ଖୁସି ଓ ମିଛ ଅହମିକା

ଅଧେ ଗାଁ ଆଲୋକିତ ଥିଲା, ନାଚୁଥିଲା ଏକ ଆଦିମ ଖୁସିରେ । ଆର ଅଧକ ଶୋଇବାର ବାହାନା କରୁଥିଲା ଅହମିକାର ମିଛ ଅନ୍ଧାରରେ ।


ପିଲାଦିନେ ଗାଁରେ ମାଇକ୍ ବାଜିଲେ ଆମର ଖୁସି କହିଲେ ନସରେ । ବାହାଘର, ବ୍ରତଘର, ଘରପ୍ରତିଷ୍ଠା କି ଏକୋଇଶିଆ ପୂଜା । ଯାହା ଚାଳ ଛପର ଉପରେ ମାଇକ୍ ବନ୍ଧାଗଲା ତାଙ୍କ ଘର ସାମ୍ନା ଦାଣ୍ଡରେ ଆମର ଧୂଳିଉଡ଼ା ଖେଳ । ମାଇକ୍‌ବାଲାର ଗଉଁ କହିଲେ ସରିବନି । ‘ହେଇ ମାଇକ୍ ଆସିଗଲା’ । ଆମେ ଧାଉଁ । ବ୍ୟାଟେରୀ ଠାରୁ ଚୁଙ୍ଗା ପର୍ଯ୍ୟନ୍ତ ଟ୍ରଲିରୁ ଧରାଧରି କରି ଓହ୍ଲାଉ । ମେସିନ୍‌ଟାକୁ କିନ୍ତୁ ମାଇକ୍‌ବାଲା ହିଁ ଓହ୍ଲାଏ, ବଡ଼ ଯତ୍ନରେ । ପିଣ୍ଡାକୋଣରେ ଗୋଟେ ଚିନି ଅଖା ପକାଯାଏ ମାଇକ୍‌ବାଲା ପାଇଁ । ମାଇକ୍‌ବାଲା ବସେ ବଡ଼ କାଇଦାରେ । ତା’ପରେ କୁକୁର ବସା ଗ୍ରାମୋଫୋନ୍ ରେକର୍ଡ଼କୁ ବାହାର କରି ତାକୁ ଥରେ ଗାମୁଛାରେ ସଫା କରି, ଆଉଥରେ ଫୁଙ୍କିଫୁଙ୍କି ସଫା କଲା ପରେ ଆସ୍ତେକିନା ଥୁଏ ଘୁରୁଥିବା ମେସିନ୍ ଉପରେ । ପିନ୍ ଲାଗିଥିବା ହ୍ୟାଣ୍ଡେଲଟିକୁ ଅତି ସନ୍ତର୍ପଣରେ ଥୁଏ । ତା’ପରେ ଚାଳରେ, କିମ୍ବା ଜାମୁଗଛ ଡାଳରେ ବନ୍ଧାଯାଇଥିବା ଚୁଙ୍ଗାରୁ ଭାସିଆସେ ‘ମା’ ତୁମେ ଜଗତର ସାହା ଭରସା’ । ତା’ପରେ କେତୋଟି ଭଜନ । ଭଜନ ପରେ ମାଇକ୍‌ବାଲା ଲଗାଏ ‘ମାଇଚିଆ ଗୋଖେଇ ସାହୁ, ମାଇପ ହାତରୁ କହୁଣି ଖାଉ’ ଏଇଠୁ ଆମର ନାଚ ଆରମ୍ଭ ହୁଏ । ନାନୀ, ଅପା ଓ ଦେଇମାନେ ଲାଜେଇ ଯାଆନ୍ତି ଏ ଗୀତ ଶୁଣି । ମାଇପ ହାତରୁ ସତକୁ ସତ କହୁଣୀ ଖାଉଥିବା କିଛି ମାଇଚିଆ ପ୍ରକୃତିର ଲୋକଙ୍କୁ ଚିଡ଼ାନ୍ତି ବଡ଼ଭାଇମାନେ । ଯିଏ ଯାହା ବରାଦ କରେ ଆମେ ବୀରଦର୍ପରେ ଆଣି ଯୋଗାଇ ଦେଉ । ପାଣି, ପନିକି, ହେମଦସ୍ତା, ବାଲଟି, କରଚୁଲି, ହଣ୍ଡା, ହାଣ୍ଡିଠୁ ଆରମ୍ଭ କରି କଦଳୀପତ୍ର, ଦୂବ, ବେଲପତ୍ର, ଯିଏ ଯାହା କହିଲା ଦୌଡ଼ି ଯାଇ ନେଇ ଆସୁ । ଏସବୁକୁ ନେଇ ଆମ ପିଲାଙ୍କ ଭିତରେ ଏକପ୍ରକାର ପ୍ରତିଯୋଗିତା ଲାଗେ । ଖେଳିଖେଳି ହାଲିଆ ହେଇ ପଡ଼ିଲାବେଳକୁ ପବନରେ ଭାସି ଆସିବ ମହମହ ଡାଲି ଛୁଙ୍କ । ତା’ମାନେ ଭାତ ହେଇସାରିକି ଡାଲି ବି ଛୁଙ୍କ ହେଇଗଲା, ଆଉ କେତେ ସମୟ ଯେ ? ପୁଣି ମାତିବୁ ଦ୍ୱିତୀୟ ଦଫା ଖେଳରେ ।

ଖେଳୁଖେଳୁ ହଠାତ୍ ମୋର ନଜର ପଡ଼ିଲା ରଙ୍ଗା ଉପରେ । ରଙ୍ଗା ଆମଠୁ ଦୁଇବର୍ଷ ଖଣ୍ଡେ ସାନ ହେବ । ମୁଁ ତାକୁ ଯେତେ ଡାକିଲେ ବି ସେ ଆସୁନି । ପଚାରିଲି ତୁ ବିଜୁଘର ଦାଣ୍ଡକୁ ଆସୁନୁ କାହିଁକି ? ରଙ୍ଗା ତା’ ଗଳିପଡୁଥିବା ହାଫ୍ ପେଣ୍ଟକୁ ଟେିକ ନେଇ କହିଲା- ‘ବିଜୁ ମନା କରିଛି ।’ ମୋର ମନେପଡ଼ିଲା ବିଜୁର ଆଉ ରଙ୍ଗାର ନଟୁ ଖେଳକୁ ନେଇ ପହରଦିନ ବାଡ଼ିଆପିଟା ହେଇଥିଲା, ବିଜୁ କହିଥିଲା - ‘ତୁ ଆମ ଦେଈ ବାହାଘର ଭୋଜିକୁ ଆସିପାରିବୁନି । ଆସିଲେ ବାଡ଼େଇବି ।’ ସେଇକଥାକୁ ନେଇ ରଙ୍ଗା ମନମାରି ଠିଆ ହେଇଛି । ସାହିଯାକ ପିଲା ଖେଳୁଛନ୍ତି, ନାଚୁଛନ୍ତି, ଭୋଜି ଖାଇବେ ବୋଲି ପେଟରେ ପେଟେ ଆନନ୍ଦ ଧରି ବୁଲୁଛନ୍ତି ଆଉ ରଙ୍ଗା ମନମାରି ବସିଛି । ମୋତେ ଭଲ ଲାଗିଲାନି ଏକଥା । ମୁଁ ବିଜୁକୁ କହିଲି । ବିଜୁ କହିଲା- ‘ନା ମୋଟେ ନୁହେଁ, ତାକୁ ମୋଟେ ଡାକିବାନି ।’ ସାଙ୍ଗମାନେ ସବୁ ପରସ୍ପରର ମୁହଁକୁ ଥରେ ଓ ବିଜୁର ମୁହଁକୁ ଥରେ ଚାହିଁଲେ ହେଲେ ବିଜୁ ଯଦି ମନାକରିଦିଏ ତାଙ୍କ ଭୋଜିକୁ ଆମ ସମସ୍ତଙ୍କୁ ? କେହି ଆଉ କିଛି କହିଲେନି ବରଂ ନିରବ ରହି ବିଜୁର ନିଷ୍ପତ୍ତିକୁ ମାନିଲେ । ମୋ ମନ କିନ୍ତୁ ମାନୁ ନଥାଏ । ରଙ୍ଗାର କରୁଣ ଚାହାଣି, ଅସହାୟ ଠାଣି ମୋତେ ଅଥୟ କଲା । ଖେଳ ମଝିରେ ମୁଁ ବିଜୁକୁ କହୁଥାଏ ରଙ୍ଗାକୁ ଡାକିବା ପାଇଁ । ରଙ୍ଗାକୁ ବି କହୁଥାଏ ତୁ ବିଜୁକୁ କହ ସେ ତୋତେ ଡାକୁ । କେହି କାହାକୁ ଡାକୁ ନଥାନ୍ତି । ହଠାତ୍ ଦାମ ଜେଜ କହିଲେ - ‘ଏ ବିଜୁ ଗଲୁ ରଙ୍ଗା ଘରୁ ଦଅଡ଼ (ପଙ୍ଗତରେ ବସିବା ନିମନ୍ତେ ଉଦ୍ଦିଷ୍ଟ ସୁଦୀର୍ଘ ହେଁସୁଆତିରେ ବୁଣା ଆସନ) ଟା ନେଇ ଆସିବୁ ?’

ଏଥର ବିଜୁ କରେ କ’ଣ ? ମୋତେ କହିଲା - ‘ତୁ ଯାଆ ନେଇ ଆସିବୁ ।’

ମୁଁ କହିଲି - ‘ନା ତୁ ଚାଲ ।’ ବାଧ୍ୟ ହେଇ ବିଜୁ ମୋ ସହିତ ଗଲା ରଙ୍ଗାର ଘରକୁ । ରଙ୍ଗାର ବୋଉକୁ କହିଲୁ ଦଅଡ଼ ଦେବା ପାଇଁ । ଜରରେ କମ୍ପୁଥିବା ରଙ୍ଗାମା’ କହିଲେ - ‘ସଙ୍ଗାରେ ଅଛି ନେଇ ଯା ।’ ଆମେ ସଙ୍ଗା ଆଡକୁ ଚାହିଁଲାବେଳକୁ ରଙ୍ଗା ଏକା ଡ଼ିଆଁକେ ସଙ୍ଗାରୁ ବାହର କରିଆଣିଲା ଦଅଡ଼ । ତା’ପରେ ରଙ୍ଗା ମିଶିଗଲା ଆମ ସହ । ମନଭରି ଭୋଜି ଖାଇଲୁ । ବିଜୁ ଖାଇବା ନେଇ ଦେଇଆସିଲା ରଙ୍ଗାମା’ ପାଇଁ ।

ପରବର୍ତ୍ତୀ ସମୟରେ ଆମେ ସାଙ୍ଗ ହେଇ ଗଣେଶ ପୂଜା, ସରସ୍ୱତୀ ପୂଜା, ରଥ ଯାତ୍ରା କରୁ ବିଜୁଙ୍କ ଘରେ । ବିଜୁର ବାପା ଦାମ ଜେଜ ବହୁତ ଭଲପାଆନ୍ତି ପିଲାଙ୍କୁ, କେବେ ବାରଣ କରନ୍ତିନି ଆମର ଏହି ଛୋଟଛୋଟ ଖୁସିକୁ ବରଂ ସହଯୋଗ କରନ୍ତି । ବିଜୁ ମୋର ହିସାବରେ ଦାଦା ହେବ, ତେଣୁ ତା’ବାପା ମୋର ଜେଜ । ଗାଁ ଛାଡ଼ିବା ଦିନଯାଏଁ କିନ୍ତୁ ବିଜୁ, ରଙ୍ଗା ଓ ମୁଁ ପ୍ରତିଦିନ ଗାଁମୁଣ୍ଡ ବରଗଛ ତଳେ ବସୁ । ଗାଁର ସବୁ ପର୍ବ - ପର୍ବାଣୀ, ବାହାଘର, ବ୍ରତଘର ଏମିତିକି ପ୍ରତି ସଂକ୍ରାନ୍ତିରେ ଠାକୁରାଣୀ ଗାଧୁଆ, ସପ୍ତାଘର ଧୁଆ ଆମ ଦାୟିତ୍ୱରେ ଥିଲା ।

ସମୟ ଓ ଜୀବନ ମୋଡ଼ ନେଲେ । ସଂସାର ଓ ଚାକିରି ଅନ୍ୱେଷଣରେ ମୁଁ ଭୁବନେଶ୍ୱର ଆସିଲି । ରଙ୍ଗା ଓ ବିଜୁ ଗାଁରେ ରହିଗଲେ । ପ୍ରଥମେ କିଛି ବର୍ଷ ସେମାନେ ଦୁଇଜଣ ମିଶିକି ଗାଁର ସବୁ କାମ ଚଳେଇଲେ, ମଝିରେ ମଝିରେ ମୋତେ ଡାକନ୍ତି । ମୋର ପରାମର୍ଶ ନିଅନ୍ତି । ହଠାତ୍ କ’ଣ ହେଲା କେଜାଣି ଆମ ବନ୍ଧୁତାରେ ଗୋଟେ ଅଜଣା ଦୂରତା ଛାଇଗଲା । କେହି କିଛି ଜାଣିବା ଆଗରୁ ସବୁ ବଦଳିଗଲା । ମୁଁ ଅନୁଭବ କଲି ରଙ୍ଗା ଓ ବିଜୁଙ୍କ ପାଇଁ ମୋର ଆଉ ଏତେଟା ଆବଶ୍ୟକତା ନାହିଁ । ଏପଟେ ମୋର ବି ପିଲା - ଛୁଆଙ୍କ ସମସ୍ୟା ବି ବଢ଼ିଗଲା । ତେଣୁ ଆଉ ମୁଁ ଆଗପରି ଗାଁକୁ ନିୟମିତ ଯାଇପାରିଲିନି । ସତକଥା ହେଲା ରଙ୍ଗା, ବିଜୁଙ୍କର ମୋ ପାଖକୁ ଆଉ କଲ୍ ଆସୁନଥିଲା । ତେଣୁ ମୋର ଇଚ୍ଛା ମରିମରି ଯାଉଥିଲା । ଅବଶ୍ୟ ବୟସ ବଢ଼ିବା ସହ ସମସ୍ୟା ବଢ଼େ ଆଉ ଆଗ୍ରହ କମେ ।

ନିର୍ବାଚନବେଳକୁ ଉଭୟ ସାଙ୍ଗଙ୍କ ଅନୁନୟ - ବିନତି ତୁ ବହୁଦିନ ହେଲା ଗଲୁଣି ଗାଁକୁ ଆସିନୁ, ଆ । ରଙ୍ଗା କଥା ବିଜୁ କହୁନି କି ବିଜୁ କଥା ରଙ୍ଗା କହୁନି । ଗାଁରେ ପହଞ୍ଚି ବୁଝିଲାବେଳକୁ ବିଜୁ ବିଜେପିରେ ତ ରଙ୍ଗା ବିଜେଡ଼ିରେ । ଉଭୟ ଉଭୟଙ୍କର ଚରମ ଶତ୍ରୁ । ଉଭୟ ଉଭୟଙ୍କ ବିରୁଦ୍ଧରେ ଗପୁଛନ୍ତି ଯେ ସରୁନାହିଁ । ଶୁଣିଶୁଣି ମୋ କାନ ତାବଦା ହେଇଗଲା । ଯେତେ ବୁଝାଇଲେ ବି କେହି ବୁଝିବାକୁ ନାରାଜ । ଭୋଟ୍ ନଦେଇ ପଳେଇ ଆସିଲି । କାହାକୁ ଦେବି ? ଯାହାକୁ ଦେଲେ ବି ଦୁଇବନ୍ଧୁ ମୋତେ ବିଶ୍ୱାସ କରିବେନି । ଶୁଣିଲି, ଇଲେକ୍ସନ୍ ପରଦିନ କୁଆଡ଼େ ରଙ୍ଗାକୁ ବିଜୁ ବାଡ଼େଇଛି । ଦୁହେଁ ଏବେ ଥାନାରେ । ରଙ୍ଗାକୁ ଫୋନ୍ କଲି ସେ ବିଜୁ ବିରୁଦ୍ଧରେ ଗପିଲା । ଗପିଲା ମାନେ ତାକୁ ଜୀବନରୁ ମାରିଦବାକୁ ବି କହିଲା । ବିଜୁର ସମାନ ପରିସ୍ଥିତି । ମୁଁ କହିଲି - ‘ତମ ଦୁଇଜଣଙ୍କୁ ମୁଁ ଆଉ କେବେ ଫୋନ୍ କରିବନି କି ତମେ ଦୁହେଁ ମୋତେ କେବେବି ଫୋନ୍ କରିବନି ।’

ବିଜୁର ପୁଅ ବାହାଘର । ମୁଁ ଆସିଛି ବୋଲି ଜାଣିପାରି ବିଜୁ ଆସି ଆମ ଦୁଆର ଆଗରେ ଠିଆ ହେଇଛି । ସାହସ କରି ମୋତେ ଡାକି ପାରୁନି କି କଥା ହେଇପାରୁନି । ମୁଁ ଜାଣି ନଜାଣିଲା ଭଳିଆ ବରଗଛ ମୂଳକୁ ବାହାରିଲି । ବିଜୁ ମୋତେ ଅଟାକଇ ଦେଇ କହିଲା - ‘ରାଗିଛୁ ?’

ମୁଁ କହିଲି - ‘ନାଁ ତ ?’

‘ଆଉ କଥା ହଉନୁ ?’

‘କାହା ସହ କଥା ହେବି, ମୋ ସାଙ୍ଗ ସହ ନା ଜଣେ ରାଜନୈତିକ ଦଳର ଲୋକ ସହ ?’

ବିଜୁ ତଳକୁ ମୁହଁପୋତି ନିରବ ରହିଲା । ତଥାପି କହିଲା - ‘ପୁଅ ବାହାଘର ଆଜି ତାର ଚତୁର୍ଥୀ ତୁ ଆସିବୁ ଭୋଜିକୁ ।’

ମୁଁ କିଛି କହିଲିନି ।

ରଙ୍ଗାକୁ ଡାକିଲି - ‘ଆ ବିଜୁର ପୁଅ ବାହାଘର ଭୋଜିକୁ ଯିବା ?’

ରଙ୍ଗା କହିଲା - ‘ପାଗଳ ହେଲୁ ନା କ’ଣ, ତୁ ଯାଆ, ମୋର ଯିବାର ନାହିଁ ।’

ମୁଁ କହିଲି - ‘ତୁମେ ଦୁଇଜଣ କେବେବି ମୋତେ ଆଉ ଫୋନ୍ କରି ଗାଁକୁ ଆସିବାକୁ ଡାକିବନି ।’

ବିଜୁ ପୁଅର ଚତୁର୍ଥୀରେ ଡିଜେ ବାଜୁଥିଲା । ହାଲୋଜିନ ଲାଇଟରେ ଚମକୁୁଥିଲା ।

ଅଧେ ଗାଁ ଆଲୋକିତ ଥିଲା, ନାଚୁଥିଲା ଏକ ଆଦିମ ଖୁସିରେ । ଆର ଅଧକ ଶୋଇବାର ବାହାନା କରୁଥିଲା ଅହମିକାର ମିଛ ଅନ୍ଧାରରେ ।

Report an Error