ଇଉକ୍ଲିଡ୍ ଙ୍କ "ଏଲିମେଣ୍ଟସ୍": ପାଠ୍ୟବସ୍ତୁର ମୂଳତତ୍ତ୍ୱ

ଇଉକ୍ଲିଡ୍ ଙ୍କ ଜୀବନୀ ସଂପର୍କିତ କିମ୍ବଦନ୍ତୀର ମାତ୍ରା ତାଙ୍କର ସମକାଳୀନ ଆଦ୍ୟ ଗୁଣୀଜନଙ୍କ ତୁଳନାରେ ଯଥେଷ୍ଟ କମ୍ । ସେ ଆଲେକଜାଣ୍ଡ୍ରିଆ ସହରରେ ରହୁଥିଲେ ଏବଂ ଆଲେକଜାଣ୍ଡରଙ୍କ ପରବର୍ତ୍ତୀ ରାଜା ଟଲେମିଙ୍କ ପ୍ରତିଷ୍ଠିତ ମ୍ୟୁଜିଅମ୍ ତଥା ଲାଇବ୍ରେରୀରେ ଗଣିତ ଶିକ୍ଷା ଦେଉଥିଲେ ।


ଫଟୋ - ୱିକିପିଡିଆ

ନିର୍ଦ୍ଦିଷ୍ଟ ଭାବରେ କୌଣସି ଅପରିହାର୍ଯ୍ୟ ଆବଶ୍ୟକତା ରହିଥାଏ ବୋଲି କାଳକୁ କାଳ ତାହାକୁ ଅଧ୍ୟୟନ କରାଯାଇଥାଏ ଆଉ ସଂକ୍ଷେପରେ କହିଲେ ତାହା ହେଉଛି ଆମର ପାଠ୍ୟ ପୁସ୍ତକର ଏକ ପରିଚିତ ସଂଜ୍ଞା । ଏହି ପର୍ଯ୍ୟାୟରେ ଧର୍ମଗ୍ରନ୍ଥ, ପୁରାଣ ଓ ନୀତିକଥାମାନ ତ ସ୍ୱାଭାବିକ ଭାବରେ ପାଠ୍ୟ ପୁସ୍ତକ ଆକାରରେ ଆମର ପରିସର ଭିତରକୁ ଆସିବ ମାତ୍ର ଏହା ସହିତ ଆଉ ଗୋଟିଏ ପ୍ରଶ୍ନ ଆମକୁ ଆନ୍ଦୋଳିତ କରୁଥିବ ଯେ, ଆମର ଏଇ ପୃଥିବୀ ଏପରି ହେଉଛି କାହିଁକି ? ଏହାର ଅସଲ ଉତ୍ତର ଖୋଜି ବସିଲାବେଳେ ଆମେ ଦେଖୁ ଯେ ଆମର ପ୍ରିୟ ଈଶ୍ୱର ଆମକୁ ସେ ସଂପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରୁ ନାହାଁନ୍ତି । ସତ୍ୟ ଯାହା ଧର୍ମକେନ୍ଦ୍ରିତ ଆବେଗ, ବିଶ୍ୱାସ ଆଉ ଈଶ୍ୱର ଆଧିପତ୍ୟ ଉପରେ ପ୍ରତିଷ୍ଠିତ ତାହା ଆମକୁ ଆଉ ପ୍ରାମାଣିକ ବୋଲି ଆମର ମନକୁ ଛୁଏଁ ନାହିଁ । ସେତିକିବେଳେ ଆମେ ସତ୍ୟ ପାଇଁ ବିକଳ୍ପ ଆଧିପତ୍ୟ ଖୋଜିବାର ପ୍ରୟାସ କରୁ । ଏବଂ ତାହାକୁ ପଢିବା ଆବଶ୍ୟକ ମନେକରୁ । ସେଇଥିପାଇଁ ମାନବ ସଭ୍ୟତାର ଆଦ୍ୟକାଳରେ ତଥା ଗ୍ରୀସ୍ ର ପ୍ରାକ୍ - ସକ୍ରେଟିସ୍ କାଳରେ ମିଲେଟର ଦାର୍ଶନିକ ଥେଲସ୍ ଜଳକୁ, ଆନାକ୍ସାଗୋରସ୍ ବାୟୁକୁ, ଜେନୋଫାନସ୍ କାଦୁଅକୁ ଏବଂ ଡେମୋକ୍ରିଟସ୍ "ଆଟମ୍" କୁ (ଯାହାକୁ ସେ ସର୍ବଶେଷ ଅବିଭାଜ୍ୟ ପ୍ରାକୃତିକ ଅବସ୍ଥା ବୋଲି କହୁଥିଲେ ଏବଂ ପରେ ବିଂଶ ଶତାବ୍ଦୀରେ ଆର୍ଣ୍ଣେଷ୍ଟ ରଥରଫୋର୍ଡ ଏହାକୁ ପରୀକ୍ଷାଗାରରେ ପ୍ରମାଣ କରିଥିଲେ) ଆଧିପତ୍ୟ ପ୍ରଦାନ କରିବା ସହିତ ଏହି ମୌଳିକ ବସ୍ତୁମାନ ପୃଥିବୀରେ ଯାହା ଯାହା ଘଟୁଛି ସେହି ସତ୍ୟର ସ୍ୱାଭାବିକ ନିୟନ୍ତ୍ରକ ବୋଲି ଧାରଣା ପୃଥିବୀକୁ ପ୍ରଦାନ କରିଯାଇଛନ୍ତି । ଅନ୍ୟ ସମସ୍ତ ତଥା ସମକାଳୀନ ବେବିଲୋନୀୟ, ସୁମେରୀୟ ଏବଂ ସିନ୍ଧୁ ସଭ୍ୟତାରେ ପୃଥିବୀର ସ୍ୱାଭାବିକ ସତ୍ୟକୁ ବୁଝିବା ପାଇଁ ସେତେବେଳର ସମାଜରେ ଅତ୍ୟନ୍ତ ପ୍ରାଥମିକ ସ୍ତରର ଚିକିତ୍ସା, ଖଗୋଳ ବିଦ୍ୟା ଏବଂ ବ୍ୟାବହାରିକ ଗଣିତର ଧାରଣା ରହିଥିଲା । ମାତ୍ର ଖ୍ରୀପୂ ଷଷ୍ଠ ଶତାବ୍ଦୀର ଗ୍ରୀସ୍ ରେ ଯାହାକୁ କୁହାଯାଏ ପୃଥିବୀର ସର୍ବପ୍ରଥମ ବିଜ୍ଞାନ ବିପ୍ଳବ ଆରମ୍ଭ ହୋଇଥିଲା ସେ ସମୟରୁ ସତ୍ୟର ସଂଧାନରେ ଆବେଗ ଆଉ ବିଶ୍ୱାସ ପରିବର୍ତ୍ତେ କାରଣର ସଂଧାନ, ପର୍ଯ୍ୟବେକ୍ଷଣ, ଯୁକ୍ତି ଚିନ୍ତକମାନଙ୍କ ଦ୍ୱାରା ପ୍ରତିଷ୍ଠିତ ହେବାକୁ ଲାଗିଲା । ଏବଂ ପୃଥିବୀର ସ୍ୱାଭାବିକତାକୁ ବୁଝିବା ଭଳି ଅପରିହାର୍ଯ୍ୟ କାରଣ ପାଇଁ ସେଇ ସମୟରୁ ମଣିଷର ଯେଉଁ ପାଠ୍ୟପୁସ୍ତକ ନିର୍ମାଣ ହେବାରେ ଲାଗିଥିଲା ତାହାର ସର୍ବ ପ୍ରଥମ ପ୍ରକାଶ୍ୟ ତଥା ଅର୍ଗାନାଇଜଡ୍ ରୂପ ହେଉଛି ଇଉକ୍ଲିଡ୍ ଙ୍କ ପ୍ରଣୀତ "ଏଲିମେଣ୍ଟସ୍", ଏଲିମେଣ୍ଟର ଅର୍ଥ ହେଉଛି ମୂଳତତ୍ତ୍ୱ ।

ଏଇଠି ଟିକିଏ ଆଗରୁ ଯାହା କୁହାଗଲା ଅର୍ଥାତ୍ ସର୍ବପ୍ରଥମେ ଆମର ଆଦ୍ୟସୂରୀମାନେ ମୂଳତତ୍ତ୍ୱକୁ ବୁଝିବା ଉପରେ ଗୁରୁତ୍ୱ ଦେଉଥିଲେ । ଏହି ମୂଳତତ୍ତ୍ୱକୁ ବୁଝିବା ସମୟରେ କହିବାକୁ ଗଲେ ସେମାନେ ଈଶ୍ୱରଙ୍କର ପ୍ରଚ୍ଛନ୍ନ ଉପସ୍ଥିତି ଏବଂ ଈଶ୍ୱରବିଶ୍ୱାସକୁ ସେହି ସମସ୍ତ ମୂଳତତ୍ତ୍ୱର ଆକାର ପ୍ରକାରକୁ ବସ୍ତୁତଃ ନିୟନ୍ତ୍ରିତ କରୁଥିବା ଭଳି ବିଶ୍ୱାସକୁ ଯଥା ସମ୍ଭବ ପ୍ରତିସ୍ଥାପନ କରି ତାହାର ଅର୍ଥାତ୍ ମୂଳତତ୍ତ୍ୱର ସଂରଚନାକୁ ଏକ ଭିନ୍ନ ଖଗୋଳାତ୍ମକ ସ୍ଥିତିରେ ବିଚାର କରିଛନ୍ତି । ଅତି ସରଳ ଭାବରେ କହିଲେ କୌଣସି ଗୋଟିଏ ଅଂକ କଷିବାକୁ ଗଲାବେଳେ ଆମେ ସେଇ ଅଂକର ନିର୍ମାଣ, ସେହି ଅଂକକୁ କଷିବାକୁ ଆମେ ଯିବା ପଛର ପ୍ରଚୋଦକ - କାରକ ଏବଂ ସେହି ଅଂକର ସଂଭାବିତ ଫଳାଫଳର କର୍ତ୍ତା ଆକାରରେ କୌଣସି ମହାମହିମ ଈଶ୍ୱରଙ୍କୁ ରଖି, ବିଶେଷରେ, ଉହାଡରେ ରଖି ଆମେ ଯେମିତି ନିଷ୍ଠାପର ଭାବରେ ସେହି ଅଂକଟିକୁ କଷିଥାଉ, ଇଏ ହେଉଛି ସେହିଭଳି କଥା । ମୂଳତତ୍ତ୍ୱର ଅଧ୍ୟୟନ ହେଉଛି ସେଇଭଳି କଥା । ଏକଥାକୁ ଆମକୁ ପ୍ରାମାଣିକ ଭାବରେ ଜାଣିବାକୁ ପଡିବ ଏବଂ ଏହିଭଳି ଜାଣିବା କାମଟି ଯେଉଁପରି ଆମର ଈଶ୍ୱରବିଶ୍ୱାସ ସହିତ କୌଣସି ପ୍ରକାରର ଦ୍ରୋହ ଆଚରଣ ନକରୁଥାଏ, ସେଥିପ୍ରତି ବି ସତର୍କ ରହିବାକୁ ପଡିବ ।

ଇଉକ୍ଲିଡ୍ ଙ୍କ ମୂଳତତ୍ତ୍ୱ ବା ଏଲିମେଣ୍ଟ ପ୍ରସଙ୍ଗକୁ ଯିବା ଆଗରୁ ଆମକୁ ଆଉ ଗୋଟିଏ କଥା ସ୍ମରଣକୁ ଆଣିବା ଆବଶ୍ୟକ । ଇତିହାସର ଜନକ ହେରୋଡୋଟସ୍ ପୃଥିବୀର ଆଦ୍ୟ ନାରୀକବି ସାଫୋଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି । ପୃଥିବୀର ଏହି ଆଦ୍ୟ ନାରୀକବି ସାଫୋ ଜଣେ ଲିରିକାଲ୍ ପୋଏଟ ବା ତାଙ୍କର କବିତାରେ ଗୀତିମୟତା ରହିଥିଲା । କିନ୍ତୁ ବିଶେଷ ଭାବରେ ତାଙ୍କର କବିତାରେ ମାନବଯୌନତା ବା ହୋମୋଏରୋଟିସିଜମ୍ ର ପ୍ରଭାବ ରହୁଥିବା କାରଣରୁ ଏବଂ ତାଙ୍କର ଏହି ମାନବଯୌନତା ନାରୀ ଏବଂ ନାରୀ ମଧ୍ୟରେ ଅନ୍ତରଙ୍ଗ ସଂପର୍କକୁ ପ୍ରତିଷ୍ଠା କରୁଥିବା କାରଣରୁ ନାରୀସମଲିଙ୍ଗତା ବା ଲେସବିଆନିଜିମ୍ ଭଳି ଗୋଟିଏ ଶବ୍ଦ ବିକଶିତ ହୋଇଥିଲା । ସାଫୋଙ୍କ ଜନ୍ମ "ଲେସବସ୍" ଦ୍ୱୀପରେ ଏବଂ ତାଙ୍କୁ "ଲେସବସ୍ ର କବି" ଆକାରରେ ପରିଚିତି ମିଳିଥିବା କାରଣରୁ ତାଙ୍କର କବିତାର ପ୍ରମୁଖ ସ୍ୱର ନାରୀ - ସମଲିଙ୍ଗତା ହୋଇଥିବାରୁ ନାରୀସମଲିଙ୍ଗତାକୁ ତାଙ୍କର ଜନ୍ମଦ୍ୱୀପର ନାଆଁ ଅନୁସାରେ ଲେସବିଆନିଜିମ୍ ବୋଲି କୁହାଯାଇଛି ।

ଏଇଠି ଲେସବିଆନିଜିମ୍ ବା ନାରୀସମକାମିତା ଉପରେ ଚର୍ଚ୍ଚା କରିବା ଭଳି ଆବଶ୍ୟକତା ନାହିଁ କିନ୍ତୁ "ଲେସବିଆନ୍ ରୁଲ୍" ବିଷୟରେ କିଛି କହିବାର ଆବଶ୍ୟକତା ରହିଛି । "ଲେସବିଆନ୍ ରୁଲ୍"ହେଉଛି ସୀସାରେ ତିଆରି ଖଣ୍ଡିଏ ଅତ୍ୟନ୍ତ ନମନୀୟ ରୁଲ୍ - ବାଡି ଯାହାକୁ କୌଣସି ପ୍ରାସାଦର ତଥା ତାହାର ଖିଲାଣ ବା ଆର୍କ ଆଦିର ନିର୍ମାଣବେଳେ ବ୍ୟବହାର କରାଯାଉଥିଲା । ତାତ୍ତ୍ୱିକ ଭାବରେ କହିଲେ ଏହି ରୁଲ୍ - ବାଡି ଖଣ୍ଡିକ ନମନୀୟ ହୋଇଥିବାରୁ ତଥା ସ୍ଥିର ହୋଇ ରହୁ ନଥିବାରୁ କୌଣସି ପ୍ରାସାଦ ବା ଘରବାଡି ନିର୍ମାଣ ସମୟରେ ଏହା ଯେକୌଣସି ରୂପ ତାହା ସିଧା ହେଉ କି ବକ୍ର ତାହାକୁ ମାପିବାରେ ଉପଯୁକ୍ତ ଭାବରେ ସହାୟକ ହେଉଥିଲା । ଆରିଷ୍ଟୋଟଲ୍ ଏହିଭଳି "ଲେସବିଆନ୍ ରୁଲ୍" କୁ ରାଷ୍ଟ୍ରର ନୀତିଗତ ଅବସ୍ଥାନରେ ବ୍ୟବହାର ଯୋଗ୍ୟ ବୋଲି ମେଟାଫୋରିକାଲି କହିଛନ୍ତି । ରାଷ୍ଟ୍ରନୀତି ସର୍ବଗ୍ରହଣୀୟ ରୂପ ଧାରଣ କରିବା ପାଇଁ "ଲେସବିଆନ୍ ରୂପ" ପରିଗ୍ରହଣ କରିବା ଆବଶ୍ୟକ, ଏହା ହେଉଛି ମହାନ ଚିନ୍ତାନାୟକ ଆରିଷ୍ଟୋଟଲ୍ ଙ୍କ ବକ୍ତବ୍ୟ । ଏଇଠି କହିବା କଥା ହେଉଛି ଆରିଷ୍ଟୋଟଲ୍ ଙ୍କ ଉଲ୍ଲେଖ କାରଣରୁ କୋଠାବାଡି କାମରେ ବ୍ୟବହୃତ ହେଉଥିବା "ଲେସବିଆନ୍ ରୁଲ୍" ଏକ ସଂଭ୍ରାନ୍ତ ପରିଚିତି ଅର୍ଜନ କରିବା ସହ ଜନପ୍ରିୟ ହୋଇଯାଇଥିଲା । ପ୍ରତ୍ୟେକ ପରିସ୍ଥିତି ଏବଂ ପରିବେଶ ଅନୁସାରେ ଗୋଟିଏ ପଥର ପାଇଁ ଯେଉଁ ସ୍ଥିରତା ରହିଥାଏ ସେଇଭଳି ସ୍ଥିରନୀତିରେ ପରିବର୍ତ୍ତନ ଆବଶ୍ୟକ । ଆରିଷ୍ଟୋଟଲ୍ ଙ୍କ ଏହି ଅବଧାରଣା ସମକାଳକୁ ପ୍ରଭାବିତ କରିଥିଲା । ଏବଂ ଏହିଭଳି ଆରିଷ୍ଟୋଟଲୀୟ ପ୍ରଭାବର ଦୃଶ୍ୟମାନ ପ୍ରତୀକ ହିସାବରେ ଲୋକେ "ଲେସବିଆନ୍ ରୁଲ୍" କୁ ଦେଖୁଥିଲେ ।

"ଲେସବିଆନ୍ ରୁଲ୍" ସହିତ ନାରୀ - ସମକାମର କୌଣସି ସଂପର୍କ ନାହିଁ । ମାତ୍ର ନାରୀକବି ସାଫୋଙ୍କ ଜନ୍ମସ୍ଥାନ ଲେସବସ୍ ଦ୍ୱୀପ ସହିତ ଏହାର ଗୋଟିଏ ଯୋଗସୂତ୍ର ରହିଅଛି । କୋଠାବାଡି କାମରେ ଗ୍ରୀକ୍ ଆଖପାଖ ଅଂଚଳରେ "ଲେସବିଆନ୍ ରୁଲ୍" ନାମକ ଯେଉଁ ସୀସାରେ ନମନୀୟ ମାପକାଠିଟି ତିଆରି ହେଉଥିଲା ସେଇଭଳି ନମନୀୟ ସୀସା କେବଳ ସେତେବେଳେ ଲେସବସ୍ ଦ୍ୱୀପରେ ହିଁ ମିଳୁଥିଲା । ସେଇଥିପାଇଁ ଏହି ମାପକାଠିର ଏହିପରି ଗୋଟିଏ ନାଆଁ ରହିଯାଇଛି ।

ରାଷ୍ଟ୍ରନୀତି ପାଇଁ "ଲେସବିଆନ୍ ରୁଲ୍" ଭଳି ଘରବାଡି ତିଆରିର ନମନୀୟ ମାପକାଠିକୁ ପ୍ରତୀକ ଆକାର ଆରିଷ୍ଟୋଟଲ୍ ବ୍ୟବହାର କରିଥିଲେ ମାତ୍ର ଏହା କ୍ରମଶଃ ବ୍ୟାପକ ତାତ୍ତ୍ୱିକତା ଅର୍ଜନ କରିଥିଲା । ଲୋକେ ଶିକ୍ଷାକୁ ମଧ୍ୟ ବିଶେଷ ଭାବରେ ଏହିଭଳି ଗୋଟିଏ ରୂପର ଆଧାରରେ ଦେଖିବାକୁ ଲାଗିଲେ । ଶିକ୍ଷାର ସର୍ବଦା ଏକ ନମନୀୟ ରୂପ ରହିବା ଆବଶ୍ୟକ, ଏକଥା ସେସମୟର ସମସ୍ତ ଚିନ୍ତାନାୟକ ଅନୁଭବ କରିଥିଲେ ।

"ଲେସବିଆନ୍ ରୁଲ୍" ର ପ୍ରତୀକାତ୍ମକତାରୁ ଆମକୁ ବସ୍ତୁତଃ ଦୁଇଟି କଥା ଜଣାପଡିଲା ଯାହା ଆମର ଶିକ୍ଷାଦାନ ଏବଂ ଶିକ୍ଷା ଗ୍ରହଣ ପାଇଁ ଏକାନ୍ତ ଭାବରେ ଆବଶ୍ୟକ । ଆରିଷ୍ଟୋଟଲ୍ ଏହି ଦୁଇଟିକୁ ଅଙ୍କ ଓ ଈଶ୍ୱର ବୋଲି ମନେ କରିଅଛନ୍ତି । ସେଇଥିପାଇଁ ସେ ନିଜର ଶିକ୍ଷାଦାନକୁ ଅଂକ ଏବଂ ଈଶ୍ୱରଙ୍କ ଉପରେ କେନ୍ଦ୍ରିତ କରୁଥିଲେ । ଯଦିଓ ଆରିଷ୍ଟୋଟଲ୍ ଅଂକ ଏବଂ ଦର୍ଶନ ଉପରେ ଅନେକ କିଛି ଲେଖିଯାଇଛନ୍ତି କିନ୍ତୁ ପ୍ରାଚୀନ ଗ୍ରୀସ୍ ର ସର୍ବଶ୍ରେଷ୍ଠ ଗଣିତଜ୍ଞ ହିସାବରେ ଇଉକ୍ଲିଡ୍ ଙ୍କୁ ବିବେଚନା କରାଯାଏ ।

ଏବେ ଇଉକ୍ଲିଡ୍ ଙ୍କ ନିକଟକୁ ପ୍ରତ୍ୟାବର୍ତ୍ତନ କରିବା ।

ଇଉକ୍ଲିଡ୍ ଙ୍କର ସମୟକାଳ ହେଉଛି ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ । ପୃଥିବୀର ଆଦ୍ୟକାଳର ଚିନ୍ତାନାୟକଙ୍କ ଭଳି ଇଉକ୍ଲିଡ୍ ଙ୍କର ଜୀବନୀ ଆଉ କୃତି ସଂପର୍କରେ ତାଙ୍କର ସମକାଳୀନ ଉଲ୍ଲେଖ ପ୍ରାୟତଃ ଅନୁପସ୍ଥିତ । ଅନେକ ମନେକରନ୍ତି ଇଉକ୍ଲିଡ୍ ବୋଲି କେହି ନଥିଲେ । ଗ୍ରୀସ୍ ରେ ପ୍ରଚଳିତ ଏଇଭଳି ଧାରଣା ସବୁକୁ ଜଣେ ନୁହଁ ଦଳେ ଏଇଭଳି ଏକାଠି କରି ରଖିଛନ୍ତି ଯାହାକୁ କୁହାଯାଉଛି ଏଲିମେଣ୍ଟ । ଏମିତିରେ ଏଲିମେଣ୍ଟର ଅନେକ ଧାରଣା ପିଥାଗୋରସ୍ (୫୭୦ - ୪୯୭ ଖ୍ରୀପୂ)ଙ୍କ ବିଚାର ଉପରେ ଆଧାରିତ । ଏହା ବ୍ୟତୀତ "ଏଲିମେଣ୍ଟ"ର ଅନେକ ପ୍ରାଚୀନ ସଂସ୍କରଣରେ କୌଣସି ଲେଖକର ନାଆଁ ନାହିଁ । ସର୍ବ ପ୍ରଥମେ ଗ୍ରୀସ୍ ର ଜଣେ ଦାର୍ଶନିକ ପ୍ରୋକୁଲସ୍ (୪୧୨ - ୪୮୩ ଖ୍ରୀଅ) ଏଲିମେଣ୍ଟସ୍ ହେଉଛି ଇଉକ୍ଲିଡ୍ ଙ୍କ ଲେଖା ବୋଲି ମତ ପ୍ରକାଶ କରିଥିଲେ। ଇଉକ୍ଲିଡ୍ ଙ୍କ ସମୟର ପ୍ରାୟତଃ ସାତଶହ ଆଠଶହ ବର୍ଷ ପରର କଥା ଇଏ । ତାହା ପରଠାରୁ ଏଲିମେଣ୍ଟସ୍ ର ଲେଖକ ଇଉକ୍ଲିଡ୍ ବୋଲି ପରିଚିତ ହେଲେ । ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ ଏହାର ଆରବିକ୍ ଅନୁବାଦ ସମଗ୍ର ମଧ୍ୟ ପ୍ରାଚ୍ୟର ଗଣିତ - ଭାବନାକୁ ପ୍ରଭାବିତ କରିଥିଲା । ୧୫୭୦ ଖ୍ରୀଅରେ ଏଲିମେଣ୍ଟସ୍ ର ସର୍ବପ୍ରଥମ ଇଂରାଜୀ ଅନୁବାଦ ପ୍ରକାଶିତ ହେବାପରେ କହିବାକୁ ଗଲେ ମଧ୍ୟଯୁଗର ଇଉରୋପ୍ ରେ ସବୁଠାରୁ ଅଧିକ ଛପା ହୋଇଥିବା ବହିର ତାଲିକାରେ ଦୁଇ ନମ୍ବରରେ ଥିଲା । ପ୍ରଥମରେ ଥିଲା ବାଇବେଲ୍ ।

"ଏଲିମେଣ୍ଟସ୍" ପୁସ୍ତକ ଅସଲରେ ଜ୍ୟାମିତି ଉପରେ ଲେଖା । ସେଥିରେ ବସ୍ତୁର ଆକାର ସଂପର୍କିତ ଗଣିତ ଲେଖା ହୋଇରହିଛି । ଏହା ଏପରି ବିସ୍ତୃତ, ଗଭୀର ଆଉ ପ୍ରାସଙ୍ଗିକ ଯେ ହଜାର ହଜାର ବର୍ଷ ପରେ ଅବିକୃତ ଭାବରେ ଗଣିତଜ୍ଞମାନେ ଏହାକୁ ଅଧ୍ୟୟନ ଓ ଅଧ୍ୟାପନ କରିଆସୁଛନ୍ତି । ସମତଳର କଥା କହିବାବେଳେ ରେଖା, ବିନ୍ଦୁ, ଆକାର ଏବଂ ଘନବସ୍ତୁର କଥାକୁ ଏବେବି ଇଉକ୍ଲିଡ୍ ଙ୍କ ଜ୍ୟାମିତି ବୋଲି କୁହାଯାଉଛି । ଏବଂ ଇଉକ୍ଲିଡ୍ ଙ୍କ ସହିତ ପୃଥିବୀ ଏହିଭଳି ଏକ ତାତ୍ତ୍ୱିକତାର ସହ ପରିଚିତ ହୋଇଛି ଯାହା ମୂଳତଃ ତର୍କ, ଅନୁମାନସାପେକ୍ଷ ବିଚାର ବା ଡିଡ୍ୟୁସିଭ୍ ରିଜନିଙ୍ଗ୍, ପ୍ରମାଣ ଏବଂ ପ୍ରମାଣସିଦ୍ଧ ଯୁକ୍ତି ଆଧାରିତ।

ଇଉକ୍ଲିଡ୍ ଙ୍କ ଜୀବନୀ ସଂପର୍କିତ କିମ୍ବଦନ୍ତୀର ମାତ୍ରା ତାଙ୍କର ସମକାଳୀନ ଆଦ୍ୟ ଗୁଣୀଜନଙ୍କ ତୁଳନାରେ ଯଥେଷ୍ଟ କମ୍ । କେବଳ ଏତିକି ଉପଲବ୍ଧ ଯେ, ସେ ଆଲେକଜାଣ୍ଡ୍ରିଆ ସହରରେ ରହୁଥିଲେ ଏବଂ ବିଶ୍ୱପ୍ରସିଦ୍ଧ ଆଲେକଜାଣ୍ଡରଙ୍କ ପରବର୍ତ୍ତୀ ରାଜା ଟଲେମି ( ୩୬୭ -୨୮୭ ଖ୍ରୀପୂ)ଙ୍କ ପ୍ରତିଷ୍ଠିତ ମ୍ୟୁଜିଅମ୍ ତଥା ଲାଇବ୍ରେରୀରେ ଗଣିତ ଶିକ୍ଷା ଦେଉଥିଲେ । ସେଇଠି ତାଙ୍କର ସମସାମୟିକ ଗଣିତଜ୍ଞ ଥିଲେ "ଇରେକା" ଶବ୍ଦକୁ ନେଇ ବିଖ୍ୟାତ ଆର୍କିମେଡିସ୍ । ଶିକ୍ଷକ ହିସାବରେ ଇଉକ୍ଲିଡ୍ ଥିଲେ ତୁଳନାତ୍ମକ ଭାବରେ ଅଧିକ ନିଷ୍ଠାପର ।

ଏକଥା ସତ ଯେ, ଇଉକ୍ଲିଡ୍ ବିରଚିତ ଏଲିମେଣ୍ଟ ବା ମୂଳତତ୍ତ୍ୱର ଯାହା ଆଜି ଯାଏଁ ଅବିକୃତ ଭାବରେ ରହିଅଛି ତାହାର ପରିମାଣ ଯଥେଷ୍ଟ ଅଳ୍ପ । ଇଉକ୍ଲିଡ୍ ଙ୍କ ମୂଳ ରଚନାର ବହୁଳାଂଶ କାଳଗର୍ଭରେ ହଜିଯାଇଅଛି । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉଇକ୍ଲିଡ୍ ଙ୍କ ମୂଳ ଲେଖା "ଏଲିମେଣ୍ଟସ୍"ର ଆଧାରରେ ବା ତାହାର କିଛି କିଛି ଅଂଶକୁ ବିସ୍ତାର କରିବାକୁ ଯାଇ ପରବର୍ତ୍ତୀ ସମୟରେ ଅନେକ ମହାନ ଗଣିତଜ୍ଞ ନିଜର ବହୁ ମୂଲ୍ୟ ସମୟର ଆରାଧନା କରିଛନ୍ତି । ସେମାନେ କିନ୍ତୁ ନିଜର ନାଆଁ ବା "ଏଲିମେଣ୍ଟସ୍"କୁ ଭିନ୍ନ କିଛି ନାଆଁରେ ନାମିତ କରିବାର ଧୃଷ୍ଟତା ପ୍ରଦର୍ଶନ କରିନାହାଁନ୍ତି । ଯାହା କିଛି ସେମାନେ ଲେଖିଛନ୍ତି ବା ଯାହାକିଛି ବିଚାର ସେମାନେ ବ୍ୟକ୍ତ କରିଛନ୍ତି ସେସବୁକୁ ସେମାନେ ଇଉକ୍ଲିଡ୍ ଏବଂ ତାଙ୍କ ବିରଚିତ "ଏଲିମେଣ୍ଟସ୍"ର ଛତ୍ରଛାୟାରେ ସମର୍ପଣ କରିଦେବା ଉଚିତ ବୋଲି ମନେ କରିଛନ୍ତି । ନିଜର ଏହିଭଳି ଜଣେ ଆଦ୍ୟସୂରୀକୁ ଅନତିକ୍ରମ୍ୟ ବୋଲି ପରବର୍ତ୍ତୀ ଅନେକ କାଳ ଯାଏଁ ବିବେଚନା କରାଯିବା ପଛରେ କେବଳ ଏତିକି କଥା ରହିଅଛି ବୋଲି ଧରିନେବାକୁ ହେବ । ତାହା ହେଉଛି ମୌଳିକତା, ତର୍କସଂଗତ ଔଚିତ୍ୟବୋଧ । ବିଶ୍ୱର ଏହି ପ୍ରଥମ ପାଠ୍ୟବସ୍ତୁ ଯଥା ଇଉକ୍ଲିଡ୍ ଙ୍କ ଏଲିମେଣ୍ଟସ୍ କୁ ସାମ୍ନାରେ ରଖି କେବଳ ଏତିକି କୁହାଯାଇପାରେ ଯେ ପ୍ରତ୍ୟେକ ଶିକ୍ଷାଦାନ ପାଇଁ ଉଦ୍ଦିଷ୍ଟ ପାଠ୍ୟବସ୍ତୁ ପଛରେ ସେହିଭଳି ମୌଳିକତା ଏବଂ ସୁସଂହତ ତର୍କର ଔଚିତ୍ୟବୋଧ ରହିଥିବା ଏକାନ୍ତ ଆବଶ୍ୟକ ।

ଦେଶ କାଳ ପାତ୍ରରେ ଏହା କଦାପି ସଂକୁଚିତ ହେବାର ନୁହଁ ।

ରାଜା ଟଲେମି ଥରେ ତାଙ୍କୁ ପଚାରିଥିଲେ, ଆପଣଙ୍କର ଏଲିମେଣ୍ଟକୁ ପଢି ମୁଁ କ'ଣ ସମଗ୍ର ଜ୍ୟାମିତିକୁ ଜାଣିପାରିବି ? ଏହାର ଗୋଟିଏ ସୁଚିନ୍ତିତ ଉତ୍ତର ରଖିଥିଲେ ଇଉକ୍ଲିଡ୍ । ତାହାହେଉଛି, ମହାଭାଗ, ଜ୍ୟାମିତିକୁ କିନ୍ତୁ କୌଣସି ରାଜପଥ ନାହିଁ ।

Report an Error