ଏକ ଲାଭଜନକ ଓ ଲୋଭନୀୟ ମରଣର ଅପେକ୍ଷାରେ

ଏ ଗପ ଷାଠିଏ ଓ ସତୁରୀ ଦଶକର ଓଡିଆ ଗ୍ରାମ୍ୟ ଜୀବନର ବାସ୍ତବ ଘଟଣା ଉପରେ ଆଧାରିତ । ଏହି ଗପସବୁକୁ ଗାଳ୍ପିକ ଯଦୁନାଥ ପଣ୍ଡା "ମାୟାବତୀ ଗାଁର ଗପ" ଶୀର୍ଷକରେ ପ୍ରକାଶିତ କରିଥିଲେ । ଓଡିଶାର ସାମାଜିକ ଓ ସାଂସ୍କୃତିକ ଜୀବନର ବାସ୍ତବତାକୁ ନେଇ ଏ ଗପ ସବୁ ଅନନ୍ୟ; ଉଭୟ ଭାବ ଓ ଶୈଳୀ ଦୃଷ୍ଟିରୁ ।


ଖବରଟା ଗାଁ ସୀମା ଡେଇଁ ଆଖପାଖ ଗାଁକୁ ବି ବ୍ୟାପୁଥିଲା । ନା, ରାଉତ ଘର ବୁଢ଼ୀକୁ ଆଉ ଭରସା ନାହିଁ; ଏଇ ଆଜି କି କାଲି ଚାଲିଯିବ । ଆଉ କିଏ କହିଲା ଏଇ ଘଟିକିଲାଣି ପରା, ଏବେ ଏଇ ଗଲା ଜାଣ, ଆଉ ଦଣ୍ଡେ କି ନିମିଷେର କଥା । ...ଦଣ୍ଡେ ନିମିଷେ ଥିଲା ପ୍ରାଣ ନ ନେଇ ପାରେ ଜନ୍ତୁରାଣ..।

ରାଉତ ଘର ଆଖପାଖ ପାଞ୍ଚଖଣ୍ଡ ଗାଁର ଜଣାଶୁଣା ଚାଷୀଘର । ଏବେକୁ ରାଉତ ଘର ଚାରି ଭାଇ ଭିତରୁ ବଡ଼ ଭାଇ ସୁରିଆ କଲିକତାରେ ଛେନା କାମ ଖଣ୍ଡେ କରୁଛି । ପାଖ ଗାଁର ନଖିଆ ସାହୁ କଲିକତାରେ ମାତବର ଛେନା ବେପାରୀ । ତା’ ପାଖରେ ରହି ସୁରିଆ କାମ କରୁଥିଲା ଯେ ବେପାରର କାଇଦା କଟକଣା ସବୁ ଜାଣିଲା ପରେ ଦି’ବର୍ଷ ହେଲା ନିଜ ବେପାର ନିଜେ ଜମେଇଲାଣି । କେହିକେହି କହନ୍ତି ପଇସା ଛାଣୁଛି । ରାଉତ ଘର ଦି’ବର୍ଷ ଭିତରେ ଦି’ ମାଣ ଜମି କିଣିଲେଣି । ଖଳାରେ କଳେଇ ବଦାଡ଼ିର ଆକାର ବି ବଢ଼ିଲାଣି, ତା’ ସାଙ୍ଗକୁ ଧାନ ଅମାରର ଆକାର ବି । ଧାନ ଦଶ ଛେଲା କରଜ ଲଗେଇଲେଣି । ପୋଖରୀ ଖୋଳି ମାଛ ଛାଡ଼ିଲେଣି । ନୂଆ ପୋଖରୀରୁ ମାଛ ଚୋରିକରି ନେଉଥିବାର ସନ୍ଦେହ କରି କାହାକାହା ସାଙ୍ଗରେ ଫୌଜଦାରୀ ବି କଲେଣି । ରାଉତ ଘର କିଛିକିଛି ଆଳ କରି କାହାକାହା ଉପରେ, ନୂଆ କରି ଗଜୁରୁଥବା ଧନବଳ ସାଙ୍ଗକୁ ବାହୁବଳର ଗାରିମା ଦେଖେଇବାକୁ ପଛେଇ ନାହାନ୍ତି । ମାଲିମୋକଦ୍ଦମାର ଧମକ ବି ଦେଲେଣି । ତାଙ୍କ ଘରେ ଏବେ ସଞ୍ଜବେଳେ ଗାଁର ଦି’ ତିନି ଜଣ ମାମଲତକାରିଆ ଲୋକଙ୍କର ଆସର ଜମେ । ସୁରିଆ କଲିକତାରୁ ପଠଉଥିବା ଦାର୍ଜିଲିଂ ଚା’ପାନ ଆଉ କେବେକେବେ ରସଗୋଲା ସେବନ ସାଙ୍ଗରେ ଗାଁ ସାହିର ଭଲମନ୍ଦ ବିଚାର ଆଲୋଚନା ପଡ଼େ ।

ପରେପରେ ସାରା ଗାଁର ଆକର୍ଷଣ ହେଲା ସୁରିଆ ରାଉତ କଲିକତାରୁ ଆଣିଥିବା ଗାଁର ପ୍ରଥମ ରେଡିକଳ - ରେଡିଓ, କିଏ କିଏ କହୁଥିଲେ ରେଡୁଅ । ରାଉତ ଘର ଆଗ ଗୋହିରୀରେ ଯେତେବେଳେ ବାଉଁଶ ପୋତାଯାଇ ରେଡିଓର ଏରିଏଲ ତାର ଟଣାଗଲା, ଆମ ପାହାଡ଼ ତଳି ଅପନ୍ତରା ଗାଁ ସେତେବେଳେ ସାରା ସଭ୍ୟ ଦୁନିଆ ସାଙ୍ଗରେ ଯୋଡ଼ିହେଇଗଲା ଭଳି ଲାଗିଲା । ସକାଳ ସଞ୍ଜେ ରେଡିଓ ଶୁଣିବାକୁ ପିଲାଠାରୁ ମାଇପେ ସମସ୍ତଙ୍କ ଭିଡ଼ ଜମିଲା ତାଙ୍କ ଘରେ । ରେଡିଓ ତାଙ୍କୁ ଏମିତି ନୂଆ ଜନପ୍ରିୟତା ଆଉ ଆଭିଜାତ୍ୟ ଦେଇଥିବା ଯୋଗୁଁ ରେଡିଓ ଶୁଣିବାକୁ ଆସୁଥିବା ଲୋକଙ୍କୁ ବି ରାଉତ ଘର ବେଶ ଅଭ୍ୟର୍ଥନା କରନ୍ତି । ରାଉତ ଘର ପିଲାଙ୍କ ସାଙ୍ଗରେ ସାଙ୍ଗ ହବାକୁ ସ୍କୁଲର ସବୁ ପିଲାଙ୍କ ଭିତରେ ପ୍ରତିଯୋଗିତା । କେବଳ ଆମ ଗାଁ ନୁହେଁ, ଆଖପାଖ ଗାଁର କେହିକେହି ବି ରାଉତ ଘର ଲୋକଙ୍କ ସଙ୍ଗେ ମହାପ୍ରସାଦ ଦେଇ ସୂର୍ଯ୍ୟ - ମଇତ୍ର ବସିଲେଣି । ପୁନେଇ ପରବରେ ଖଜାପିଠା ଦିଆନିଆ ହେଲାଣି । ଏବେଏବେ ରାଉତ ଘରର ନୂଆ ଖାନଦାନୀ ସାଙ୍ଗେ ତାଳଦେଇ ତାଙ୍କ ଘରେ ମଝିରେ ମଝିରେ ପିତୃଶ୍ରାଦ୍ଧ, ସତ୍ୟନାରାୟଣ ପାଲା, ପଞ୍ଚାନନ ମେଳା ଆଦି ଅଧିକରୁ ଅଧିକ ଆୟୋଜିତ ହେବାରେ ଲାଗିଲା । ଗାଁ ସାହିର ପାଞ୍ଚପଚିଶଙ୍କ ପତର ପଡ଼ିଲା ତାଙ୍କ ଘରେ । ଦିନକୁଦିନ ପାଞ୍ଚ ପଚିଶରୁ ବଢ଼ି ସେ ସଂଖ୍ୟା ପଚିଶ ପଚାଶ ହେଲା । ଗାଁର ପାଞ୍ଚ ପୁରୁଷର ଖାନଦାନି ଥିବା ନିଧି ବେହେରା କି ବୁଦ୍ଧି ବାରିକ ଘରେ ଯଦି ହରିହାଟରେ ଦୁଇ ଶହ ଲୋକ ଖାଇଲେ ତ ତମେ ନିଶ୍ଚିତ ହେଇଯିବ ଯେ ରାଉତ ଘର ତାଙ୍କ ଅଷ୍ଟପ୍ରହରୀ ବେଳକୁ ତିନି ଶହ ଲୋକଙ୍କୁ ଖାଇବାକୁ ଦେବେ । ତାଙ୍କ ଘରେ ଯଦି ସାତ ମୂର୍ତ୍ତି ଶାସନୀ ବ୍ରାହ୍ମଣ ନିମନ୍ତ୍ରଣ ହେବେ ତ ରାଉତ ଘର ଦଶ ମୂର୍ତ୍ତି । ତାଙ୍କ ଘରେ ଏଥର ଯଦି ପତରରେ ପୁରି ସୁଜି ସାଙ୍ଗକୁ ମାଲପୁଆ ଦିଆ ହେଇଥିବ ତ ତା’ପର ଥରକୁ ରାଉତ ଘରେ ନିଶ୍ଚେ ପତରରେ ରସଗୋଲା ପଡ଼ିବ । ବିଦାକି ବି ସେମିତି ଆଖିଦୃଶିଆ, ବେହେରା କି ବାରିକ ଘରଠାରୁ ନିଶ୍ଚେ ଆଠଣା କି ଟଙ୍କେ ଅଧିକ । ସେଥିପାଇଁ ରାଉତ ଘରେ କାମକାର୍ଯ୍ୟର ଲାଭନୀୟତା, ଲୋଭନୀୟତା ଓ ଆକର୍ଷଣୀୟତା ଆମ ଅଞ୍ଚଳରେ ଉଦାହରଣ ପାଲଟିବାକୁ ଲାଗିଲା । ବ୍ରାହ୍ମଣମାନଙ୍କର ବଡ଼ ଶ୍ରଦ୍ଧା ରାଉତ ଘରେ ପତର ପକେଇବାକୁ । ଅନ୍ୟ ଜାଗାରେ ବରଂ ନିମନ୍ତ୍ରଣ ବାତିଲ ହବ, ରାଉତ ଘର କାମ କିନ୍ତୁ ମାରା ହବନାହିଁ ।

ଖବରଟା ଶୁଣି ମୁକୁନ୍ଦ ରାସ୍ତା ଉପରେ ଥ’ ହେଇ ଠିଆ ହେଲା । ସୁରିଆ ରାଉତ ମା ଗୋଟିକିଆ ପକେଇଲାଣି, ଆଜି ଭିତରେ ଚାଲିଯିବ । ଏଇ ଅଧଘଣ୍ଟେ କି, ଖୁବ ଜୋର ଆଉ ମାତ୍ର ଘଣ୍ଟାକର କଥା । ମୁକୁନ୍ଦ ପାଖ ବାଘୁଆ ଗାଁ ମନ୍ଦିରରେ ଦି’ପହର ଠାଆ ଲଗେଇ, ପହଡ଼ ପକେଇ, ପ୍ରସାଦ ଧରି ଘରକୁ ଫେରୁଥିଲା । ସଅଳ ସଅଳ ଖାଇଦେଇ ଟିକେ ଗଡ଼ପଡ଼ ହେଇ ସୋର ଷ୍ଟେସନକୁ ଧାଇଁବ ଗାଡ଼ି ଧରିବାକୁ । କାଲି ସୁଦ୍ଧା ଯାଇ କଲିକତାରେ ପହଞ୍ଚି କାମରେ ଯୋଗ ନଦେଲେ ନହୁଏ । ମନୁଆ ସେପଟୁ ଜରୁରୀ ଖବର ପଠେଇଛି - ମାମୁଁ ବୁଧବାର ସୁଦ୍ଧା ଆସି କଲିକତାରେ ପହଞ୍ଚ । ମୁକୁନ୍ଦ କଲିକତାରେ ଗୋଟେ ମନ୍ଦିରରେ ପୂଜା କରେ, ସକାଳୁ ସକାଳୁ ଦୋକାନ ଦୋକାନ ବୁଲି ଫୁଲ ପକାଏ । ତା’ ସାଙ୍ଗକୁ ବଡ଼ବଡ଼ ବାବୁବାଡ଼ିମାନଙ୍କରେ ଦି’ ତିନିଟା ଘରୋଇ ଠାକୁର ବି ପୂଜା କରେ । ଯାହା ଆୟ ହୁଏ ନିଜ ଖର୍ଚ୍ଚ ତୁଲେଇ ଘରକୁ ଭଲ ଦି’ ପଇସା ପଠେଇ ଦିଏ । ଏମିତି ଚାଷବାସ ସମୟ କି ଘରର ଦାୟଦାୟିତ୍ୱ ସମ୍ଭାଳିବା କି ଦେହପା ଟିକେ ଖରାପ ହେଲେ ସପର ବଦଳେଇବାକୁ ପନ୍ଦର ଦିନ କି ମାସେ ପାଇଁ ଘରକୁ ଆସିବାକୁ ଦରକାର ପଡ଼ିଲେ ପାଖ ଗାଁର ସମ୍ପର୍କୀୟ ଭଣଜା ମନୁଆକୁ କାମରେ ଲଗେଇ ଦେଇ କି ଆସେ । ନହେଲେ ନାଗୁଆ କାମଟା ହାତଛଡ଼ା ହେଇଯିବ । କାହାକୁ କି ବିଶ୍ୱାସ । ଆଜିକାଲି ତ ଲୋକେ ଉପରେ ପଡ଼ୁଛନ୍ତି କାମ କରିବାକୁ । ମାସେ ପନ୍ଦର ଦିନ କରୁକରୁ ପୂରା ମାଡ଼ି ବସିବେ । ପେଟପାଟଣା ପୂରା ମାରା ହେଇଯିବ । ସେଥିପାଇଁ ମୁକୁନ୍ଦ, ଜଣାଶୁଣା ବିଶ୍ୱସ୍ତ ଭଣଜା ମନୁଆକୁ କାମରେ ଲଗେଇ ଦେଇଆସେ । ଘରକୁ ଆସି ରହିଲେ ବି ମୁକୁନ୍ଦ ପାଖ ବାଘୁଆ ଗାଁ ମନ୍ଦିରରେ ଦି’ପହର ବେଳଟା ପ୍ରସାଦ ଚଢ଼ାଏ । ଆଖପାଖ ଗାଁରେ ପୁରୋହିତି କାମ ବି ଦି’ ଚାରିଟା ମିଳିଯାଏ । ପାଖ ଗାଁର ଲୋକେ ସମସ୍ତେ, ତା’ ଅଜାଙ୍କ ଦୟାରୁ ମୁକୁନ୍ଦକୁ କର୍ମକାଣ୍ଡୀ ବ୍ରାହ୍ମଣ ହିସାବରେ ଜାଣନ୍ତି ।

ମନୁଆ ଖବର ପଠେଇଛି, ମୁକୁନ୍ଦ ଯାଇ ତୁରନ୍ତ କାମ ସମ୍ଭାଳିଲେ ସେ ଘରକୁ ଆସିବ । ତା’ ମାଇକିନିଆର ନଅ ପୂରି ଦଶ ମାସ ଚାଲିବ । କେତେବେଳେ କୋଉ କଥା । କହିଛି ପରା ପୋଇତି ସବୁବେଳେ ଅଣ ଆଇତି । ପୁଣି ପହିଲି ଗର୍ଭ, ଘରେ ଏକା ମାଆ ବୁଢ଼ୀଟା । ରାତି ବିକାଳେ ଯଦି କିଛି ଅସୁବିଧା ହେଲାତ ପାଖରେ ନିଜ ଲୋକଟା ଥିଲେ ଅଣ୍ଟାକୁ ବଳ ।

ମୁକୁନ୍ଦ ପାଞ୍ଚ ମିନିଟ ଯାକେ ପ୍ରସାଦ ଥାଳିଟା ହାତଚକି ଉପରେ ରଖି ପଥର ମୂର୍ତ୍ତିଟେ ଭଳି ଠିଆ ହେଇ ରହିଲା । ସେ ସ୍ଥିର କରିପାରିଲାନି ଆଗକୁ ଯିବକି ପଛକୁ ଯିବ । କଲିକତା ଯିବ ନା ଗାଁରେ ରହିଯିବ । ରାଉତ ଘର ସାଙ୍ଗେ ତା’ର ପିଲାବେଳୁ ପରିଚୟ । ପାଖ ନୂଆପାଟଣା ଗାଁ ତା’ ମାମୁଁ ଘର ଗାଁ । ଅଜା ତା’ର ଥିଲେ ଦଶ ଖଣ୍ଡ ଗାଁର ନାଁ ଡାକ ପଣ୍ଡିତ ଏବଂ ପୂଜକ । ମେଳା, ପୂଜା, ପୋଥିବସା ସବୁଥିରେ ଆଗ ଡାକ । ବୁଢ଼ାଙ୍କର କଣ୍ଠଟା ମନଜିଣା । ଶ୍ଳୋକ ଆବୃତ୍ତିରୁ ପୋଥି ଗାଇବା ଯାଏ ସମସ୍ତଙ୍କ ମନକୁ ପାଏ । ବୟସ ବଢ଼ିବା ସହିତ ଟିକେ ରହତିକ ହେଲାରୁ ସେ ପୂଜାପାଠକୁ ମୁକୁନ୍ଦକୁ ସାଙ୍ଗରେ ନେଇଯାଆନ୍ତି । ଅଜାଙ୍କ ସାଙ୍ଗରେ ବୁଲିବୁଲି ମୁକୁନ୍ଦ ବି ପୂଜା ପାଠ ସବୁ ଶିଖିଗଲା । ଏବେଏବେ ବୁଢ଼ା କୋଉଠିକି ଯାଇ ନ ପାରିଲେ ମୁକୁନ୍ଦ ଏକାଏକା ଯାଇ କାମ ଚଳେଇ ଦେଇ ପାରିଲା । ସେଇ ଯାହା ଶିଖିଥିଲା ତାକୁଇ କାମରେ ଲଗେଇ, ମୁକୁନ୍ଦ କଲିକତାରୁ ଯେଉଁ ଦଶ ପନ୍ଦର ଦିନ ଆସି ଘରେ ରହେ ସେତିକିରେ ପାଖଆଖ ଗାଁର ଘରୋଇ ପୂଜା ସବୁ ଚଳେଇ ଦିଏ । ଫଳେପୁଷ୍ପେ ଦି’ ପଇସା ଭଲ ରୋଜଗାର ହୁଏ । ରାଉତ ଘର ସବୁ ପୂଜା ପାର୍ବଣକୁ ଅଜାଙ୍କୁ ବଡ଼ ସମିହ କରି ନିମନ୍ତ୍ରଣ କରାହୁଏ । ସାଙ୍ଗରେ ଥାଏ ମୁକୁନ୍ଦ । ପୁରୋହିତ ହିସାବରେ ମାନସମ୍ମାନ ସାଙ୍ଗକୁ ଲୋଭନୀୟ ବିଦାକି । ତା’ ସାଙ୍ଗକୁ ଅପାଠୁଆ ରାଉତ ଘରର ଜମିବାଡ଼ି କାଗଜପତ୍ର, ଖଜଣା ପାଉତି ଇତ୍ୟାଦିର ମୁଖ୍ୟ ପରାମର୍ଶଦାତା ଥିଲେ ଅଜା । ସେଇ ସୂତ୍ରେ ଅଜାଙ୍କ ଅନ୍ତେ ବି ରାଉତ ଘର ସଙ୍ଗେ ମୁକୁନ୍ଦର ବଡ଼ ଆପଣାର ସମ୍ପର୍କ । ଏବେ ବି ରାଉତ ଘରେ ଯେ କୌଣସି ଶୁଭ କାମଟେ ହେଲେ ମୁକୁନ୍ଦ ପାଖକୁ କଲିକତାକୁ ଖବର ଯାଏ । ସୁବିଧା କରି ମୁକୁନ୍ଦ ବି ଆସି ପହଞ୍ଚିଯାଏ । ଲୁଗାପଟା ସାଙ୍ଗକୁ ରାଉତ ଘର ଭଲ ଦି’ ପଇସା ଦକ୍ଷିଣା ଦିଅନ୍ତି । ବ୍ରାହ୍ମଣ ଶ୍ରମଣଙ୍କୁ ରାଉତ ଘରେ ବଡ଼ ମାନ୍ୟ ।

ମୁକୁନ୍ଦ ସ୍ଥିର କଲା କଲିକତା ଯିବାଟାକୁ କୌଣସି ମତେ ଟାଳିଦବ । ମନୁଆକୁ କଣ ଗୋଟେ ଜରୁରୀ ବାର୍ତ୍ତା ପଠେଇ ବହଲେଇ ଦବ - ଏଇ ଯେମିତି ମାଆର କି ସ୍ତ୍ରୀର ଭୀଷଣ ଦେହ ଖରାପ । ପରିଆ ଆଉ ସେ ମିଶି ଆଜି କଲିକତା ଯିବା କଥା । ତାଙ୍କ ଗାଁ ପରିଆ କଲିକତା ଝୋଟ କଳରେ କାମ କରେ । ପରିଆକୁ ଟିକେ ସଟଲେଇ ତା’ରି ସାଙ୍ଗରେ ଖବରଟା ପଠେଇବ । ନହେଲେ ଏତେବଡ଼ ସୁଯୋଗଟା ହାତ ଛଡ଼ା ହେଇଯିବ । ରାଉତ ଘର ମା ବୁଢ଼ୀ ମରିବ ମାନେ ଶୁଦ୍ଧି କାମଟା ମାତବର ହବ । କିଛି ନହେଲେ ଚତୁର୍ଥ ଦିନରୁ ତ କ୍ରିୟାକର୍ମ, ବ୍ରାହ୍ମଣ ଭୋଜନୀ ସାଙ୍ଗକୁ ବିଦାକି, ଲୁଗାପଟା । ତାଙ୍କ ମାନମର୍ଯ୍ୟାଦାକୁ ଚାହିଁ ରାଉତ ଘର ତ ଆଉ ଏମିତିସେମିତି ନିନିଆଖିନିଆ କାମ କରିବେନି । ଦାନ, ଧର୍ମ ସାଙ୍ଗକୁ ଭୋଜନୀ ଦେବାରେ ତାଙ୍କର ନା’ ଡାକ ଅଛି । ଆଉ ମୁକୁନ୍ଦ ଗାଁରେ ଅଛି ମାନେ ତା’ ପାଳି ତ ଆଗେ ପଡ଼ିବ ।

ଏମିତି ତ ମୁକୁନ୍ଦ ପ୍ରାୟ ପନ୍ଦର ମାଇଲି ଭିତରେ ଆଖପାଖ ଗାଁକୁ ଭୋଜନୀ ଖାଇବାକୁ ଯାଏ । ତାଙ୍କର ଗୋଟେ ଭୋଜନୀଖିଆ ଦଳ ଅଛି । ଅନାମ ଦୀକ୍ଷିତ, ଜଡ଼ା ପାଣିଗ୍ରାହୀ, ନରି ପାଢ଼ୀ, ଛୋଟା ରାମ ତିଆଡ଼ୀ ଇତ୍ୟାଦି । କିଏ କୋଉଠି ସନ୍ଧାନ ପାଇଲେ ଦଳ ହେଇ ବାହାରନ୍ତି - କେବେ ନିମନ୍ତ୍ରଣ ପାଇ ତ ଆଉ କେବେ ବେନିମନ୍ତ୍ରଣିଆ । ହ, ବ୍ରାହ୍ମଣ ପୁଅ ପାତକ ନାଶକ, ସେଥିରେ ଲାଜ କଣ । ଭୋଜନୀ ଆଉ କଣ କି, ଅନ୍ୟ ଇତର ଜାତିର ପାତକ ନାଶନ । ଭୋଜନ ମାଧ୍ୟମରେ ତମେ ଇତର ପ୍ରାଣୀର ପାତକ ଭକ୍ଷଣ କଲ । ସେତିକି ଶକ୍ତି ବ୍ରାହ୍ମଣ ଛଡ଼ା ଆଉ କାହାର ଅଛି ! ଏ ଶଳା ମାଣିପୁର ଶିବ କୁମ୍ଭାର ବି ହାତ ଓଠ ଧରି ତାଙ୍କ ଦଳରେ ସାମିଲ ହେଇଥିଲା । ଅଜଣା ଦୂର ଜାଗା ହେଲେ ପଇତା ପକେଇ ବ୍ରାହ୍ମଣ ବେଶ ହେଇ ତାଙ୍କ ସାଙ୍ଗରେ ବାହାରେ । ଶଳାଟି ମହା ପେଟୁ, ମହଣେ ଓଜନର ଖାଇବ, ଖାଇବାରେ ପ୍ରବଳ ଲୋଭ । କୋଉଠୁ ଦୂର ଦୂରାନ୍ତର ଭୋଜନୀ ଖବର ଆଣିଦିଏ । ସେଇଥିପାଇଁ ତାକୁ ସାଙ୍ଗରେ ରଖିଥିଲେ ଏମାନେ । କିନ୍ତୁ ଥରଟେ କେମିତି କିଏ ଗୋଟେ ବାରିଦେଲା ଏଇଟା ମୋଟେ ବ୍ରାହ୍ମଣ ନୁହେଁ । ପଚାରି ଦେଲେ, ବ୍ରାହ୍ମଣ ତ ବୋଲ ପଇତାମନ୍ତ୍ର କି ସଂକଳ୍ପ ମନ୍ତ୍ର । ଶିବର ପାଟି ଖନି ବାଜିଗଲା । ଭୋଜନୀ ଜାଗାରୁ ପୂରା ଦଳଟାକୁ ହାତ ଧରି ଉଠେଇ ଦେଲେ । ମୁକୁନ୍ଦକୁ ବଡ଼ ହୀନସ୍ତା ଲାଗିଥିଲା ସେଦିନ । ଭାବିଥିଲା ଆଉ ଏ ଅଚ୍ଛବ ଧନ୍ଦାରେ ପଶିବନି ।

କିନ୍ତୁ ଠିକ୍ ପନ୍ଦରଦିନ ଯାଇନି ଛୋଟା ରାମ ତିଆଡ଼ୀ ଯେତେବେଳେ ଗୋଟେ ଭୋଜନୀ ସନ୍ଧାନ ଆଣିଲା ପ୍ରଥମେ ସେ ମନା କରିଦେଇଥିଲା । ତାଙ୍କ ଦଳର ଅନ୍ୟମାନେ ତାକୁ ଛାଡ଼ିକି ଗଲେ । ତା’ପରେ ପରେ ମୁକୁନ୍ଦର ମନଟା ବଡ଼ ଅସମ୍ଭାଳ ହେଲା । ସେ ଆଉ ଥୟ ଧରି ରହିପାରିଲାନି । ଶଃ, ମଣିଷର ଜିଭ ଲୋଭଟା କେଡ଼େ ପ୍ରବଳ ମୁକୁନ୍ଦ ସେଦିନ ହାଡ଼େହାଡ଼େ ଅନୁଭବ କରିଛି । ତା’ ଅବସ୍ଥା ଢିଙ୍କି କାନ୍ଧରେ ପକେଇ ଭୋଜନୀକୁ ଯାଇଥିବା ବ୍ରାହ୍ମଣ ଭଳିଆ ହେଲା । ....ଗୋଟେ ଭୋଜନୀ ଖିଆ ଦଳ, ତାଙ୍କ ଭିତରେ ଥିବା ଗୋଟେ ଅତର୍ଚ୍ଛିଆ ବ୍ରାହ୍ମଣ, ତା’ ବିକଳିଆ ପଣ ଯୋଗୁଁ ସମସ୍ତଙ୍କୁ ସଭାରେ ହୀନସ୍ତା ପରିସ୍ଥିତିରେ ପକୋଉଥିବାରୁ, ତାକୁ ଭୋଜନୀକୁ ନନେଇ ଗୋଟେ ଢିଙ୍କିରେ ବାନ୍ଧି ପକେଇ ଗଲେ । ଢିଙ୍କିରେ ବନ୍ଧା ହୋଇଥିବା ଲାଚାର ବ୍ରାହ୍ମଣ ମନେମନେ କଳ୍ପନା କରିବାକୁ ଲାଗିଲା ହେଇ ପତ୍ର ପଡ଼ିଲା, ପତ୍ରରେ ଘିଅ ସିଞ୍ଚା ହେଲା, ପାଚିଲା କଦଳୀ ଗଜାମୁଗ ଲାଗିଲା, . . . ପୁରି ପରସା ଗଲା, ମିଠା ଆସିଲା, ତରକାରୀ . . . । ତା’ ନାକରେ ସତକୁ ସତ ସବୁ ଜିନିଷର ବାସନା ଚହଟିବାକୁ ଲାଗିଲା । ଅସମ୍ଭାଳ ହେଇ ସେ ଢିଙ୍କିଟାକୁ କାନ୍ଧରେ ପକେଇ ସଭା ସ୍ଥଳରେ ହାଜର । ମୁକୁନ୍ଦର ବି ସେଇ ଅବସ୍ଥା ହେଲା । ତାଙ୍କ ଭୋଜନୀ ଦଳ ସେଦିନ ମାଇଲିଏ ହବ ଆଗେଇ ଯାଇଥିବ କି ନାହିଁ ମୁକୁନ୍ଦ ପଛରୁ ଧପାଲିକି ଯାଇ ତାଙ୍କ ସାଙ୍ଗରେ ଯୋଗ ଦେଲା । କିନ୍ତୁ ସେଇଦିନଠୁ ଶିବ କୁମ୍ଭାରକୁ ପୂରା ବାଟ ବନ୍ଦ ।

ଏମିତି ବି ଆହୁରି କେତେକେତେ ହୀନସ୍ତା ହବାକୁ ପଡ଼ିଛି । କେବେକେବେ ଦୂର ଜାଗାରୁ ଭୋଜନୀ ଖାଇ ଫେରୁଫେରୁ ରାତି ବେଶି ହେଇଛି । ଏତେ ରାତିରେ ଦଳେ ମଣିଷଙ୍କୁ ଏକାଠି ଦେଖି ପୋଲିସ ଅଟକ ରଖି ଫାଣ୍ଡିରେ ବସେଇଛି । ଆଉ ଥରେ ନିର୍ଜନ ରାତିରେ ଫେରୁଫେରୁ ଗୋଟେ ଗାଁ ଭିତରେ ଚୋରି କରିବାକୁ ବାହାରିଥିବା ଦଳେ ଚୋରଙ୍କ ହାବୁଡ଼ରେ ପଡ଼ିଲେ । ପ୍ରଥମେ ଚୋରମାନେ ଭାବିଥିଲେ ଏମାନେ ତାଙ୍କର ପ୍ରତିଦ୍ୱନ୍ଦ୍ଵୀ ଆଉ ଗୋଟେ ଦଳ । କିନ୍ତୁ ଡରରେ ହରି ପାଣିଗିରି ଚରଚର କରି ମୂତି ଦେଇ ସେଦିନ ବିନା ବାକ୍ୟ ବ୍ୟୟରେ ପ୍ରମାଣ କରି ଦେଲା ଯେ ଏମାନେ, ଚୋର ହେବା ପାଇଁ ଦରକାର ପଡ଼ୁଥିବା ନିହାତି ସିଂହ - ଛୁଆ ନହେଲେ ଶୃଗାଳ ଛୁଆ ବି ନୁହନ୍ତି; ମାମୁଲି ଶଶକ - ହୃଦୟ ଦଳେ ଭୋଜନ - କାଙ୍ଗାଳ ବ୍ରାହ୍ମଣ । ତଥାପି କୁଆଡ଼େ ହୋ ହଲ୍ଲା କରି ତାଙ୍କ ବେପାର ମାରା କରି ଦେବେ, ସେଥିପାଇଁ ଚୋରମାନେ ଏମାନଙ୍କୁ ଗୋଟେ ଚାହାଳି ଘରେ ପୂରେଇ ବାହାରୁ କବାଟ ବନ୍ଦ କରିଦେଇଗଲେ । ଆଉ ଧମକ ଦେଇ ଯାଇଥିଲେ ଯେ ପାଟି ଫିଟେଇବ ତ ଜୀବନ ପାଇଁ ଖତରା । ରୁଦ୍ଧ ଘରଟା ଭିତରେ ବନ୍ଦୀ ହବା ପରେ ଆରମ୍ଭ ହେଇଥିଲା ଯମ ଯନ୍ତ୍ରଣା; ଘୋର ବାୟୁ ପ୍ରଦୂଷଣ । ରାତି ଅନିଦ୍ରାକୁ ପେଟରେ ପଡ଼ିଥିବା ଗରିଷ୍ଠ ଭୋଜନ ତା’ କାରସାଦି ଦେଖେଇଲା - ବଦ ହଜମୀରୁ ସମସ୍ତଙ୍କର ଘନଘନ ମଳବାୟୁ ନିଷ୍କାସନ । ବେଡ଼ି ଉପରେ କୋରଡ଼ା ପରି ତା’ପରେ ଦେଖାଦେଲା ଘୋର ବିପର୍ଯ୍ୟୟ । ଲୋଭରେ ମେଞ୍ଚେ ଖାଇଦେଇଥିବା ଅନାମ ଦୀକ୍ଷିତକୁ ଅତର୍ଚ୍ଛିଆ ପୋଖରୀପାଣି ତଲବ ଦେଖେଇଲା । ଆରମ୍ଭ ହେଲା ଅନାମ ଉପରେ ମିଳିତ ବାକ୍ୟବାଣ, ଯେମିତି ସେଇ ଏକା କାନ୍ତାରିଆ, ଅସଂଯମୀ ସର୍ବଭକ୍ଷୀ ମ୍ଳେଚ୍ଛ, ଆଉ ଅନ୍ୟ ସମସ୍ତେ କୁଳୀନ, ସଂଯମୀ, ଆଉ ତପସ୍ୱୀ ବ୍ରାହ୍ମଣ । ଅନାମକୁ ଏସବୁ ଶାସ୍ତ୍ରବାଣୀ, ନିତିବାକ୍ୟ ଶୁଣିବାକୁ ତର ସହିଲାନି । ସେ ସେଇ ଘର ଭିତରେ ପୋଖରୀ ପାଣି କଲା ଏବଂ ଝଟକରି ହରି ପାଣିଗିରି କାନ୍ଧରେ ପଡ଼ିଥିବା ଗାମୁଛାଟାକୁ ଟାଣିନେଇ, ପାଣି ଅଭାବରେ ନିଜକୁ ଏବଂ ସବୁ ମଇଳାକୁ ପୋଛାପୋଛି କରି ଶୌଚ ହୋଇ ଅଧାକାନ୍ଥି ବାଟେ ବାହାରକୁ ଫୋପାଡ଼ି ଦେଇ ସାଷ୍ଟମ ହେବାବେଳକୁ ହରିଆ ପାଣିଗିରି ତା’ ବେକକୁ ଧରି ଆରମ୍ଭ କଲା ପ୍ରଚଣ୍ଡ ଆକ୍ରମଣ, ତା’ ପାକଲା ଗାମୁଛାକୁ ବିନା ଅନୁମତିରେ ଲୁଟି ନେଇଥିବା ଯୋଗୁଁ । ସମସ୍ତେ ମିଶି ତାକୁ କାବୁ କରି ଭୟ ଦେଖେଇଲେ ଏ ହଟ୍ଟଗୋଳ ଶୁଣି ଯଦି ଚୋରଦଳ ଫେରନ୍ତି ତେବେ ସମସ୍ତଙ୍କ ଅବସ୍ଥା ଘାୟଲ ହବ । ବାଧ୍ୟବାଧକତାରେ ହରିଆ ଚୁପ ରହିବାରୁ ସମସ୍ତେ ଚାନ୍ଦା କରି ହରିଆକୁ ଗୋଟେ ନୂଆ ଗାମୁଛା କିଣିଦବାକୁ ସ୍ଥିର ହେଲା । ସେଦିନ ମୁକୁନ୍ଦ ପୁଣି ଥରେ ପ୍ରତିଜ୍ଞା କରିଥିଲା ଆଉ ଏ ଅନାର୍ଯ୍ୟ ଧନ୍ଦାରେ ପଶିବ ନାହିଁ । ଶାସ୍ତ୍ର ବୁଝେଇଲାବେଳେ ଅଜା ଠିକ କହୁଥିଲେ ଏ ରସନା ଲାଳସା ବଡ଼ ଯାତନା । କିନ୍ତୁ ପ୍ରକୃତି ନୈବ ମୁଚ୍ୟତେ । ପରବର୍ତ୍ତୀ ଭୋଜନୀ ସନ୍ଧାନ ମିଳିଲାବେଳକୁ ମୁକୁନ୍ଦର ପୁଣି ସେଇ ମାନସିକ ତଲବ ଦେଖାଦେଲା । ମାଲିଆଣୀ ବୁଢ଼ୀ ଭେଣ୍ଡାକୁ ମେଣ୍ଢା କରି ଧରି ନେଇଯିବା ଭଳି ପୁଣି କଳ - କଣ୍ଢେଇ ଭଳି ସେ ଚାଲିଲା ଭୋଜନୀଖିଆ ଦଳ ସାଙ୍ଗରେ ।

ପୁଣି ଥରେ ଆସିଲା ଘୋରତର ବିପର୍ଯ୍ୟୟ, ଜୀବନ - ମରଣ ସଂକଟ - କିଟିକିଟି କଳା ରାତିରେ ପଡ଼ିଲେ ବ୍ରହ୍ମରାକ୍ଷସ କବଳରେ । ମୁକୁନ୍ଦ କଲିକତାରୁ ଆସିଥାଏ । ଜଗନ୍ନାଥ ସଡ଼କ ପାରେଇ ଗୋଟେ ମାତବରିଆ ଘରେ ମୃତକ ଭୋଜିର ସୁରାକ ମିଳିଥିଲା । ଫେରିଲାବେଳକୁ ଖଣ୍ଡମଣ୍ଡଳ ଶୂନଶାନ, ସାଇଁସାଇଁ ନିଶା ଗରଜୁଛି । ଗାଁ ମୁଣ୍ଡ ମଶାଣି ପାଖ ରାସ୍ତା ଦେଇ ନିଜ ଗାଁକୁ ଦଳଟାଯାକ ପଶିଲାବେଳକୁ ଦେଖାଗଲା ରାସ୍ତା ଉପରେ ଦି’ଚାରିଟା ବାଉଁଶ ଶୋଇପଡ଼ି ରାସ୍ତା ପୂରା ବନ୍ଦ । ମୁକୁନ୍ଦ ଦେହରେ ପିଟି ହେଇଗଲା ଅତର୍ଚ୍ଛିଆ ଅନାମ । ମନେ ପକେଇଲା ମୁକୁନ୍ଦ, ନା ଯିବାବେଳକୁ ତ ସବୁ ଠିକ ଥିଲା, ଏଇ ବାଟେ ଇ ତ ସେମାନେ ଯାଇଥିଲେ । ବ୍ରହ୍ମରାକ୍ଷସ ! କଳ - ଗାଉଣା ପରି ମୁକୁନ୍ଦ କଣ୍ଠରୁ ବାହାରି ପଡ଼ିଲା । ଅତର୍ଚ୍ଛିଆ ଅନାମ ହାଁ କରି ଚିତ୍କାର କରିବା ପୂର୍ବରୁ ମୁକୁନ୍ଦ ତା’ ପାଟିରେ ନିଜ ବେକରୁ ଗାମୁଛାଟା ଖୋଲି ବିଣ୍ଡା ମାରିଦେଲା । ଶରୀରର ସ୍ୱତସ୍ଫୁର୍ତ୍ତ କ୍ରିୟା ହିସାବରେ ଅନାମର ସମସ୍ତ ଭୟ, ଆବେଗ ତା’ର ଚିରାଚରିତ ଚରଚର ମୂତିପକେଇବାରେ ନିଷ୍କାସିତ ହେଲା । ମୁକୁନ୍ଦ ସମସ୍ତଙ୍କୁ ଚୁପ ରହିବାକୁ ଇଙ୍ଗିତ ଦେଇ ପଛେଇ ପଛେଇ ଚାଲିବାକୁ ନିର୍ଦ୍ଦେଶ ଦେଲା । ବ୍ରହ୍ମରାକ୍ଷସମାନଙ୍କର ତୁଖୁମ, ତାଙ୍କ ଆଡ଼କୁ ପଛ କରି ପଳେଇବ ତ ପଛରୁ ମାଡ଼ି ବସି ତମ ଜୀବନ ନେଇଯିବେ । ଅଜା କେତେଥର ବ୍ରହ୍ମରାକ୍ଷସ ହାବୁଡ଼ରେ ପଡ଼ିଥିଲେ । ସବୁଥର କିନ୍ତୁ ସାବାସି ନେଇ ଉଦ୍ଧାର ପାଇ ଆସିଥିଲେ ତାଙ୍କ ପାଣ୍ଡିତ୍ୟ ବଳରେ । ବ୍ରହ୍ମରାକ୍ଷସ ସେମାନଙ୍କ ପାଣ୍ଡିତ୍ୟ ପରୀକ୍ଷା କରିବାକୁ ବ୍ରାହ୍ମଣମାନଙ୍କୁ ଧରେ, ଠିକ ଉତ୍ତର ଦେଲ ତ ବଞ୍ଚିକି ଆସିଲ, ନହେଲେ ମଲ । ଅଜା କହନ୍ତି ଏଇ ବରଗଛରେ ଗୋଟେ ଜନ୍ତୁ ରହେ, ବିରାଟ ପଣ୍ଡିତ । ବ୍ରତ ବେଦୀରୁ ମୃତ୍ୟୁ ହେଇ ବ୍ରହ୍ମରାକ୍ଷସ ହେଇଛି । ଯିବାବେଳେ ଦେଖିଥିବ ଏଇ ବାଟେ ପାଞ୍ଚ ମୂର୍ତ୍ତି ବ୍ରାହ୍ମଣ ଯାଇଛନ୍ତି । ବାସ, ଫେରିବା ବାଟରେ ଧରିଛି । ଜାଣିଥିବ ଏ ଦଳକ ବ୍ରାହ୍ନଣ - କୁଳ - କଳଙ୍କ ହୀନିମାନିଆ ଭୋଜନୀଖିଆ କାଙ୍ଗାଳି । ବେକମୋଡ଼ି ବ୍ରାହ୍ମଣ କୁଳକୁ ଉଚିତ ଶିକ୍ଷା ଦେବାକୁ ରାସ୍ତା ମାଡ଼ି ବସିଥିବ । ସେଦିନ ପୁଣି ଥରେ ମନେମନେ କାନ ମୋଡ଼ି ହୋଇଥିଲା ମୁକୁନ୍ଦ; ବ୍ରାହ୍ମଣ ନାମଧାରୀ ମ୍ଳେଚ୍ଛ ଦଳଙ୍କ ଗହଣରେ ଏଇ ଦୁର୍ଦ୍ଦଶା ଭୋଗିବାକୁ ହିଁ ପଡ଼ିବ । ଶଳା ପଇତା ଖିଅକ ବି ସଫା କରୁ ନାହାନ୍ତି । ବଗ, ଢାଉକ, ଘୁଷୁରୀ ମାଂସ ବି ଖାଉଛନ୍ତି । ଦଳକଯାକ ଖାଲି ନିଜ ପେଟ ଧରି ବୁଲୁଛନ୍ତି ।

ସେମାନେ ସେଦିନ ପଛେଇ ପଛେଇ ପ୍ରାୟ ଦେଢ଼ ମାଇଲ ବାଟ ବୁଲି ଗାଁ ଭିତରେ ପଶିଥିଲେ । କିନ୍ତୁ ଗୋଟେ ସଂଶୟ ମୁକୁନ୍ଦ ମନକୁ ରାତି ସାରା ହନ୍ତସନ୍ତ କରିଥିଲା । ବ୍ରହ୍ମରାକ୍ଷସ ବରଗଛ ଭଳି ଏକ ସମ୍ଭ୍ରାନ୍ତ ଗଛକୁ ଛାଡି ବାଉଁଶ ଭଳି ଏକ ଅଚ୍ଛବ ଗଛକୁ ଆଶ୍ରା କଲା କାହିଁକି ! ବ୍ରାହ୍ମଣମାନଙ୍କ ଭଳି ବ୍ରହ୍ମରାକ୍ଷସମାନଙ୍କର କଣ ନୈତିକ ସ୍ଖଳନ ଘଟୁଛି ! ନା ବାଉଁଶ ଗଛଗୁଡ଼ାକୁ ସହଜରେ ନୁଏଁଇ ପକେଇ ରାସ୍ତା ବନ୍ଦ କରି ହବ ବୋଲି ତା’ର ଏ ଖେଳ ! ଯାହାହଉ ଏତେବଡ଼ ବିପଦରୁ ମୁକୁଳିଲା ପରେ ମୁକୁନ୍ଦ ସେଦିନ ବଜ୍ର ଶପଥ ନେଇଥିଲା ଏ ଅବର୍ଯ୍ୟା ଧନ୍ଦାରେ ଆଉ ପଶିବନି କି ଏ ମ୍ଳେଚ୍ଛ ଦଳଙ୍କ ସାଙ୍ଗେ ଆଉ ସାଙ୍ଗ ହବନି ।

ରାତିର ଗରିଷ୍ଠ ଭୋଜନର ପ୍ରଭାବରେ ଭୋରଟାରୁ ମୁକନ୍ଦକୁ ପୋଖରୀପାଣି ଦେଖେଇଲା । ଗାଁ ମୁଣ୍ଡ ନଈରେ ଶୌଚ ହେଇ ମୁକୁନ୍ଦ ସେ ବାଉଁଶ ଗଛ ଆଡ଼କୁ କୌତୂହଳରେ ଚାଲିଚାଲି ଗଲା । ମୁକୁନ୍ଦ ଛାତିରେ ଛନକା ପଶିଥିଲା । ବାଉଁଶ ଗଛଗୁଡ଼ାକ ଏଯାକେ ବି ସେମିତି ନଇଁ ପଡ଼ି ରାସ୍ତା ବନ୍ଦ କରିଛନ୍ତି । ଝାପ୍ସା ଅନ୍ଧାରରେ ମୁକୁନ୍ଦ ନିରିଖେଇ ଦେଖିଲା ବାଉଁଶ ଗଛ ଉପରେ ଗୋଟିଏ ନୁହେଁ ଅନେକ ବ୍ରହ୍ମରାକ୍ଷସ, ବରଂ ବ୍ରହ୍ମରାକ୍ଷସଙ୍କ ପରିବାରଟେ - ମାଙ୍କଡ଼ ପରିବାରଟେ ଆଶ୍ରୟ ନେଇ ଏଯାକେ ବି ଘୁମେଇଛନ୍ତି ବାଉଁଶ ଗଛଗୁଡ଼ିକ ଉପରେ ।

ରାଉତ ଘର ବୁଢ଼ୀର ହାଲ ବିଷୟରେ ଗୋଟେ ସରଜମିନ ତଦନ୍ତ କରିବା ପାଇଁ ମୁକୁନ୍ଦ ପ୍ରସାଦ ଥାଳିଟା ଘରେ ଥୋଇଦେଇ ଅଧମାଇଲି ଦୂର ନୂଆପାଟଣା ଗାଁ ଛକ ଆଡ଼େ ଆଗେଇଲା । ଲୋକଙ୍କ କଥାବାର୍ତ୍ତାରୁ ଯାହା ବୁଝିଲା ଯଥାକଥାକି ବୁଢ଼ୀ ଆଜି ରାତିଟା ଯଦି ପାରେଇଯିବ ତ କାଲି ସକାଳକୁ ଆଉ ନଥିବ । ଉର୍ଦ୍ଧ୍ବଶ୍ବାସ ଟେକିଲାଣି ପରା । ମୁକୁନ୍ଦ ତୁରନ୍ତ ପରିଆ ହାତରେ ମନୁଆ ପାଖକୁ ଖବର ପଠେଇଲା, ଏତେ ଦିନ ସମ୍ଭାଳିଲୁଣି ଆଉ ଟିକେ ସବରାତ କରିଯା, ଆଉ ମାତ୍ର ଦିନ ପନ୍ଦରଟା । ବୋଉ ଦେହ ଭୀଷଣ ଖରାପ, ଜୀବ ଯିବ କି ରହିବ ।

ପରଦିନ ସକାଳୁ ମୁକୁନ୍ଦର ମନ ଛକପକ ହେଲା । ସଅଳ ପୋଖରୀପାଣି ସାରି ସେ ନୂଆପାଟଣା ଆଡ଼େ ମାଡ଼ିଗଲା । ନୂଆପାଟଣା ତା’ ମାମୁଁ ଘର ଗାଁ । ମୁକୁନ୍ଦକୁ ସେଠି ସମସ୍ତେ ଜାଣନ୍ତି । ମାମୁଁ ଘର ଆଡ଼େ ଯିବା ବାହାନାରେ ରାଉତ ଘର ଆଗଦେଇ ଚାଲିଲା ଚାଲିଲା ହେଇ ଚାଲିଗଲା । ରାଉତ ଘର ଆଗରେ ଲୋକ ଗହଳି, ମୁକୁନ୍ଦ ଗୋଟେ ଅଜଣା ଉତ୍ତେଜନାରେ ସେଆଡ଼େ ଟାଉଟାଉ ହେଇ ମାଡ଼ିଗଲା । ବୁଢ଼ୀ ଚାଲିଗଲା ବୋଧହୁଏ ! କିଏ ଜଣେ ଡାକୁଛି ଦଉଡ଼ି ଆଣ ଦଉଡ଼ି । ହଁ, ସତ ତ କୋକେଇ ବାନ୍ଧିବାକୁ ଦଉଡ଼ି ବଳା ହେଲାଣି ବୋଧହୁଏ । ନାଃ, ମୁକୁନ୍ଦ ଯାଇ ଦେଖିଲା, କୋକେଇ ନୁହେଁ ଖଟିଆରେ ଦଉଡ଼ି ବନ୍ଧା ହଉଚି । ବୁଢ଼ୀର ଉର୍ଦ୍ଧ୍ଵଶ୍ୱାସ ଉଠୁଛି । ବୁଢ଼ୀ ହାଲ ଶୁଣି କାଲି ରାତିରେ ସୁରିଆ ରାଉତ କଲିକତାରୁ ଆସିଛି । ସୋର ଷ୍ଟେସନରେ ଓହ୍ଲେଇ କୁଆଡ଼େ ବୁଝିଆସିଛି ସୋରରେ କୋଉ ଗୋଟେ ରଥ ଡାକ୍ତର ବିଲାତରୁ ପାଠ ପଢ଼ି ଆସିଛି । ଖଟିଆରେ ପକେଇ ବୁଢ଼ୀକୁ ତା’ପାଖକୁ ନେବେ । ସେ କୁଆଡ଼େ ଇଞ୍ଜିସିନି ଦେଇ ବୁଢ଼ୀକୁ ଭଲ କରିଦବ ବୋଲି ସୁରିଆ ବାହାସ୍ଫୋଟ ମାରୁଛି । ତା’ ମାଆକୁ ସେ ବିଲାତ ଫେରନ୍ତା ଡାକ୍ତର ପାଖରେ ଚିକିଚ୍ଛା କରେଇବ । ତା’ ମାଆର ଜୀବନ ପାଇଁ ସେ ଯମ ସାଙ୍ଗରେ ଲଢ଼େଇ କରିବ । ମୁକୁନ୍ଦର ମନଟା ଟିକେ ଦବିଗଲା ଭଳି ଲାଗିଲା । ପରିଆ ଯାଇ ଆଜି କଲିକତାରେ ପହଞ୍ଚିଯିବଣି । ମନୁଆକୁ ବୋଧହୁଏ ଏବେ ଖବରଟା ଦଉଥିବ ।

କାହାକୁ କିଛି ନକହି ମନେମନେ କଣ ଗୁଡ଼େ ଗାରୁଗାରୁ ହେଇ ମୁକୁନ୍ଦ ଆଗକୁ ଆଗେଇଲା । ଆଇଚି ତ ମାମୁଁ ଘର ଆଡ଼େ ଟିକେ ବୁଲି ଆସିବ । ମାମୁଁ ଘରେ ନିଜ ଅଜା ଚାଲି ଗଲେଣି, ତାଙ୍କର ପୁଅପାତି ନଥିଲେ । ଅଜାଙ୍କ ସାନଭାଇ ସାନଅଜାଙ୍କ ଘରେ, ଘରର ଭଣଜା ହିସାବରେ ମୁକୁନ୍ଦକୁ ଭାରି ଆଦର କରନ୍ତି । ସାନ ଅଜାଙ୍କ ଉପରେ ନଜର ପଡୁପଡ଼ୁ଼ ମୁକୁନ୍ଦ ଗାରୁଗାରୁ ହେଇ କହିଲା - ଶଃ ମଣିଷଙ୍କର ଅଧିକ ପଇସା ହେଲେ ଆଉ କରିବେ କଣ, ଧୋବା ଚୁଲିରେ ଯାହା ଘିଅ ଢାଳିବେ । ଦେଖ ହୋ ମଲା ମଣିଷଟାକୁ ନେଇକି ଯାଉଛନ୍ତି ଡାକ୍ତର ପାଖକୁ । କଣନା ବିଲାତ ଫେରନ୍ତା ଡାକ୍ତର, ଇଞ୍ଜିସିନି ଦବ । ଡାକ୍ତରଗୁଡ଼ା କଣ ଯମ ଦେବତାର ଉପରେ ? ସେଣେ ତ ଯମ ପାଞ୍ଜି ପୋଛିଲାଣି ! କଥାର ଖିଅ ଧରିଲା ଭଳି ସାନ ଅଜା ବି କଥା ଯୋଡ଼ିଲେ - ହଁରେ କାଲି ପରା ମୁଁ ଦେଖିକି ଆସିଲି । ବୁଢ଼ୀ ବେଢଙ୍ଗିଆ ଦେଖାଗଲାଣି । ମୁହଁ ମୋଡ଼ି ହେଇଗଲାଣି । ପିତୃପୁରୁଷଙ୍କ ନାମ ସୁମରଣା କରି ପରା ବାଉଳିଚାଉଳି ହଉଥିଲା । ଶେଷକାଳ ନପହଞ୍ଚିଲେ ପିତୃପୁରୁଷ କାହାକୁ ଦେଖା ଦିଅନ୍ତି ? ହଉରେ ବାପା ପଇସାର ଜୁ ଦେଖଉଚନ୍ତି । ଏଇ ଛେନାପାଣି ପଇସା ପଶିବାରୁ ରାଉତ ଗର ଢାମ ଏବେ କହିଲେ ନସରେ ରେ ବାପ ।

ନୂଆ ଲୋକର ପାଟି ଶୁଣି ଘର ଭିତରୁ ବାହାରି ଆସିଲା ସାନଆଈ ଆଉ ଜଣେ କିଏ ତା’ପଛକୁ । ମୁକୁନ୍ଦ ଚିହ୍ନିଲା, ମାଳ ମାଉସୀ । ସାନ ଅଜାଙ୍କ ଭାଣିଜୀ । ହାଉଳି ଖାଇଲା ପରି ମାଳ ମାଉସୀ ବି ଡାକ ପକେଇଲା - ଆରେ ମୁକୁନ୍ଦା ତୁ କେତେବେଳେ ହାଜର, ଲେଖାରେ ମାଉସୀ ହେଲେ ବି ମାଳତୀ ଆଉ ମୁକୁନ୍ଦ ସମବୟସୀ । ସାଙ୍ଗ ହେଇ ଖେଳିଚନ୍ତି, ବୁଲିଛନ୍ତି । ମାଳ ମାଉସୀ ଏଇ ଦି’ବର୍ଷ ହେଲା ପାଖ ଗାଁ ନଦୀଗାଁରେ ବାହା ହେଇ ଯାଇଛି । ମକର ଯାତରା ଦେଖିବାକୁ ମାମୁଁ ଘର ବୁଲିଆଇଛି ।

ମୁକୁନ୍ଦ, ସାନ ଅଜା, ସାନ ଆଈ, ମାଳ ମାଉସୀ ସମେତ ରାଉତ ଘର ବୁଢ଼ୀର ଆସନ୍ନ ଏବଂ ପ୍ରାୟ ନିଶ୍ଚିତ ମରଣ ଅଥଚ ତା’ ପୁଅମାନଙ୍କର ବିଲାତି ଡାକ୍ତର ମାଧ୍ୟମରେ ତାକୁ ବଞ୍ଚେଇ ରଖିବାର ବିଫଳ ପ୍ରୟାସ ଉପରେ ସରଗରମ ଆଲୋଚନା କରୁଥିବାବେଳେ ତାଙ୍କ ସାଙ୍ଗରେ ଆସି ଯୋଗ ଦେଲା ସୁରିଆ ରାଉତର ଦଦେଇ ପୁଅ ଭାଇ ଚକରା । ଚକରା ବି ସେମାନଙ୍କ ସହ ଏକମତ ହେଇ କ୍ଷୋଭ ପ୍ରକାଶ କଲା - କଥାରେ ଅଛି ବଡ଼ ଥିଲେ ପଚାରି ସାନ ଥିଲେ ଉଚ୍ଚାରି । ଆଜିକାଲି ଆଉ ବଡ଼ସାନ କଥା କିଏ ମାନୁଛି । ପଇସା ତ ଲୋକକୁ ଅମରମତା କରିଛି । ମୁଁ ସୁରିଆକୁ କହିଲି ବୁଢ଼ୀର ଜାତକଟା ନେଇ ଟିକେ ନାହାକକୁ ଦେଖା । ମୋତେ କାହିଁକି ବୁଢ଼ୀ କଥା ଭଲ ଦେଖା ଯାଉନି । ବୁଢ଼ୀକୁ ପରା ସବୁ ବିପରୀତ ଦେଖା ଗଲାଣି । ନାହାକ ପାଖରୁ ଫେରି କି ବରଂ ଡାକ୍ତର ପାଖକୁ ନିଅ । କାହିଁକି ଅଯଥାରେ ଡାକ୍ତର ପୋଷିବ, ସେଇ ପଇସାରେ ବୁଢ଼ୀକୁ ଦାନ ଧରମ କରାଅ, ବ୍ରାହ୍ମଣ ପାଞ୍ଚ ଜଣ ଖୁଆଅ ।...ହ....ଉ ...ପଇସାର ଗଉଁ ଦେଖଉଚନ୍ତିରେ ବାପା ।. . . ତମେ ଦେଖ ବୁଢ଼ୀ ଡାକ୍ତରଖାନା ଧରୁଛି କି ନା. . . ମାଘମାସ ଜାଡ଼କୁ ଏ ଯଉଁ ଉତ୍ତରା ପବନ ସିଲିକୋଉଛି. . ଦେଖ ଅଧା ବାଟରୁ ଫେରିକି ଆଉଛନ୍ତି କି ନା । ଆମ ମକରା ପରା କହୁଥିଲା ତା’ କାମ ଛୁଟି କରି କି ଆଇଚି, ଆଜି ପଳେଇବ କଲିକତା, ତାକୁ ଅଟକେଇ କି ରଖିଲି । କେତେବେଳେ କୋଉକଥା । ବୁଢ଼ୀର ଘଡ଼ିକେ ଘୋଡ଼ା ଛୁଟୁଛି । ଯେତେ ହେଲେ ଖୁଡ଼ୀଟା । ତୁ ଯାଉଥିବୁ, ପୁଣି ଅଯଥା ସମୟ, ପଇସା ବରବାଦ କରି ଶୁଦ୍ଧ ଘରକୁ ଆସୁଥିବୁ ।

ମୁକୁନ୍ଦକୁ ଟିକେ ଆଶ୍ୱସ୍ତ ଲାଗିଲା । ପରିଆଟା ମନୁଆ ପାଖକୁ ଗଲାକି କେଜାଣି. . . ମନେ ମନେ ବି ଖୁସି ହେଲା ମାଳତୀ । ରାଉତ ଘର ବୁଢ଼ୀର ନାତୁଣୀମାନେ ମାଳତୀର ବଡ଼ ସାଙ୍ଗ । ବୁଢ଼ୀର ଝିଅ ଆଉ ମାଳତୀର ମାଆ ଏକା ସାଙ୍ଗ । ଯେତେବେଳେ ବି ସେ ମାମୁଁ ଘରକୁ ଆସି ବୁଢ଼ୀର ନାତୁଣୀମାନଙ୍କ ପାଖକୁ ଯାଏ ବୁଢ଼ୀ ମାଳତୀକୁ ନାତୁଣୀ ଲେଖାରେ ବଡ଼ ଟାପରା କରେ । ତା’ ବୁଢ଼ା ସାଙ୍ଗେ ବାହା କରେଇ ତା’ ସଉତୁଣୀ କରି ରଖି ଗୋଡ଼ ଘଷେଇବ ବୋଲି କହେ । ବୁଢ଼ୀଟା ଚାଲିଗଲେ ରାଉତ ଘର ତା’ ଶୁଦ୍ଧି ଘରଟା ବଡ଼ ଜାକଜମକରେ କରିବେ । ତା’ ନାତୁଣୀମାନେ ସବୁ ଶୁଦ୍ଧିଘରକୁ ଆସିବେ । ସବୁ ସାଙ୍ଗମାନଙ୍କ ସାଙ୍ଗରେ ଦେଖା ହେଇଯିବ । ସବୁଠୁ ବଡ଼ ମଜା ହବ ବୁଢ଼ୀର ବାରପତ୍ର ଦିନ ହେବ ଯଉଁ ଦଧି ଉଚ୍ଛବ । ଏ ଅଞ୍ଚଳରେ ସମ୍ପନ୍ନ ଖଣ୍ଡେଇତ ଘରେ କେହି ମଲେ ବାରଦିନ ଦିନ ଦଧି ଉଚ୍ଛବ ହୁଏ । ବୈଷ୍ଣବ ଅଧିକାରୀମାନେ ଦଧି ପାଣି ପକେଇ ଘର ଶୁଦ୍ଧି କରନ୍ତି, ସେଇବେଳେ ହୁଏ ଦଧି ଉଚ୍ଛବ । ମଙ୍ଗଳପୁରର ବୈଷ୍ଣବ ଅଧିକାରୀ ଦଳ ସେଦିନ କୃଷ୍ଣ ଲୀଳା କରନ୍ତି । କି ମନ ମତାଣିଆ ସେ କୃଷ୍ଣ ଲୀଳା । ସେ ଅଞ୍ଚଳଟା ଯେମିତି ସାକ୍ଷାତ ଗୋପପୁର ପାଲଟି ଯାଏ । ମାଳତୀକୁ ବଡ଼ ଉଚ୍ଛନ୍ନ କରେ ସେ ଦୃଶ୍ୟ । ଯମୁନା ପାରି ହେଇ ମଥୁରା ହାଟକୁ ଦଧି ବିକି ଯାଉଥିବା ଗୋପୀମାନଙ୍କୁ ଘାଟ କୋଉଡ଼ି ମାଗି ନାଉରୀ ସାଜିଥିବା ନଟବର କୃଷ୍ଣଙ୍କର ଯେଉଁ ହଟ । ଆହା! ମାଳତୀ ବିମୋହିତ ହେଲା ମନେ ମନେ । ପିଲାଟିବେଳୁ ମାଳତୀ ମାଆ ସାଙ୍ଗେ ଆସି ସେ ଲୀଳା ଦେଖିଛି । ଯେତେବେଳେ ବି ଆଖପାଖରେ ଦଧି ଲୀଳା ହବାର ଖବର ମିଳିଲେ ମାମୁଁ ଯାଇ ମାଆକୁ ନେଇ ଆସନ୍ତି । ମଧୁମଙ୍ଗଳ ହେଇ ଉଦିଆ ଅଧିକାରୀର ଯଉଁ ଫାର୍ସ । ହସେଇ ହସେଇ ପେଟରୁ ଭାତ କାଢ଼ିଦବ । କୁଟ୍ରି ଅଧିକାରୀର ମୃଦଙ୍ଗ ମାଡ଼କୁ ରଘୁଆ ଅଧିକାରୀର କୃଷ୍ଣ ବେଶ । ଆହା କି ମନ ମତାଣିଆ ସେ ଗୀତ - ବସନ୍ତ ଆସିଛି ଫୁଲର ସହର ବସିଛି. . . . । ବଜାନା ବଂଶୀ କାହ୍ନୁରେ ତୋତେ ମୋ’ ରାଣ । ଆହା. . . ଆଖି ମୁଦି ମାଳତୀ ଗୋଟେ ଆବେଶ ଭିତରକୁ ଚାଲି ଯାଇଥିଲା କୃଷ୍ଣପ୍ରିୟା ରାଧିକାଙ୍କ ଭଳି ।

ମାଳତୀର ଆବେଶ ଭାଙ୍ଗି ଦେଇ ମୁକୁନ୍ଦ ପଚାରିଲା - ଆଉ ମାଳମାଉସୀ ଏବେ ଦଶ ପନ୍ଦର ଦିନ ରହିବୁ ନା ? ତୋ ଶାଶୁ ଘରକୁ କେବେ ଫେରିବୁ । ମୁଁ ବି ଏବେ ଘରେ ଦଶ ପନ୍ଦର ଦିନ ରହିବି । ଚାଲୁନୁ ଆମ ଘର ଆଡ଼େ ଟିକେ ବୁଲି ଆସିବୁ । ମା ତୋ କଥା କେତେ ମନେ ପକୋଉଛି । ମାଳତୀ କି ଚାଉଁ କରି ଲାଗିଲା । ମୁକୁନ୍ଦ ଯେମିତି ପଚାରୁଛି - ମାଳ ମାଉସୀ ଯମ ପୁରକୁ କେବେ ଯାଉଛୁ ? ଏଇ ରାଉତ ଘର ବୁଢ଼ୀ ସାଙ୍ଗେ ତୋ ପାଞ୍ଜି ପୋଛା ହେଇଚିକି ? ମୁକୁନ୍ଦ ମୁହଁରୁ କଥା ଛଡ଼େଇନେଇ ସାନ ଆଈ କହିଲେ - ବାବା, ତାର ଯେଉଁ ରାହାବାଳୀ ଶାଶୁ । ଦଶ ପନ୍ଦର ଦିନ ରଖେଇ ଦବ ସେ ? ସେପଟେ ଯେମିତି ଶୁଣି ପାରିଛି ମାଳ ତା’ ବାପଘରୁ ମାମୁଁ ଘରକୁ ଆଇଚି ସିଧା ମାଳ ଦିଅରକୁ ଏଠିକି ପଠେଇ ଦେଇଚି - ଯା କହି ଆସିବୁ ମାଘ ମାସ ମାଣବସା ହବ । ପହିଲି ଗୁରୁବାର ପୂର୍ବରୁ ମାଳକୁ ଆଣି ଛାଡ଼ି ଦେଇ ଯିବେ । ଶୁଣି କି ତ ଆମର ମାଳ ଯିବାକୁ ଉଚ୍ଛନ୍ନ, ଆଜ୍ଞାକାରୀ ବୋହୂ ତ ! ଶାଶୁ ଆଜ୍ଞା ଅବଜ୍ଞା ହବନି । କହିଲି କିଲୋ ତମର ତ ଆଉ ଗୋଟେ ସାନ ବୋହୂ ଆସିଲାଣି ଘର ସମ୍ଭାଳିବାକୁ । ପିଲାଟା ଆଇଛି ଏତେ ଦିନ ପରେ, ହପ୍ତାଟେ ରହି ଟିକେ ଦେଖିଚାହିଁ ବୁଲିବାଲି ଯିବ । ଏଇ ମାଳ ତ ଆମର ତାଙ୍କ ମୁହଁ ସବୁ ବଢ଼େଇଛି । ଦେଖୁନୁ ତାଙ୍କ ଘରେ ଖଟିଖଟି କେମିତି ବୁଢ଼ୀ ଭଳିଆ ଦେଖା ଗଲାଣି ।

“ମାଇଁ ତୁ ମାମୁଁଙ୍କ ସାଙ୍ଗରେ ଖବର ପଠେଇଦେ ମୁଁ ଦଶ ପନ୍ଦର ଦିନ ରହି କି ଯିବି । ସେମାନେ ଯାହା କରୁଛନ୍ତି କରନ୍ତୁ । ଦି’ ବର୍ଷ ହେଲା ତାଙ୍କ ଘରେ ଖଟି ଖଟି ମୋ ହାଡ଼ ରସିଗଲାଣି । ତାଙ୍କର ତ ଆଉ ଗୋଟେ ବୋହୂ ଆଇଲାଣି । ତାଙ୍କ ବାଲିଙ୍ଗି ତାଙ୍କ ପାଖରେ ଥାଉ । ମୁଁ ଆଉ ଏଥର ଶୁଣିବିନି । ଏଥର ଝଡ୍ଡା ପନ୍ଦର ଦିନ ଏଠି ରହି ଫେରିବି ।”

ଆକାଶରୁ ଖସିଲା ଭଳି ଆଈ ଥ ହେଇ କି ମାଳ ମୁହଁକୁ ଚାହିଁଲେ । କିଲୋ ତୁଇ ଗାଉଛୁ ପୁଣି ତୁଇ ବଜଉଛୁ ! ମୁଁ ତ ସେଇ କଥା କହୁଥିଲି, ଦିଅର ଆଗରେ ଭଲେଇ ହେଇ କହିଲୁ ମାଆଙ୍କୁ କହିଦବ ମାମୁଁଙ୍କୁ କହିବି ଠିକ୍ ପହିଲି ଗୁରୁବାର ଆଗରୁ ନେଇ ଛାଡ଼ି ଦେଇ ଆସିବେ । କେଜାଣି ଲୋ ମାଆ, ଆଜିକାଲି ଝିଅଙ୍କର କେତେବେଳେ କୋଉ କଥା... ।

ପରଦିନ ମୁକୁନ୍ଦ ଆସି ନୁଆଗାଁ ଛକରେ କାନେଇଲା । ଚକରା ରାଉତର ସବୁ ଭବିଷ୍ୟବାଣୀ ନାକଚ କରି ରାଉତଘର ବୁଢ଼ୀ ଡାକ୍ତରଖାନାରୁ ଫେରି ଆସିଲା । ଇଞ୍ଜିସିନି ଦିଆଚାଲିଛି । ଚକରା ଭାଇ ମକରା, ଭାଇ କଥା ନ ଶୁଣି ସେଣେ କାମ ମାରା ହେଇଯିବ ବୋଲି ଏବେ କଲିକତା ପଳଉଛି । ଏଇ ବାଟରେ ଏବେ ଦେଖାହେଲା । ଶଳା ବିଲେଇତି ଡାକ୍ତର ଇଞ୍ଜିସିନିରେ କଣ ଅମର ମହୌଷଧି ଅଛି ! ମୁକୁନ୍ଦ ଭାବିଲା ସେ ଆଉ କଲିକତା ପଳେଇବ କି ! ଏ ମନୁଆକୁ କି ଭରସା ? ନକହି ନପୋଛି ଯଦି କାମଟା ଛାଡ଼ି ପଳେଇ ଆସିବ ତ ! ଏଇ ସମୟରେ ସେପଟୁ ମକରା ରାଉତର ପୁତୁରାଟା ଧଇଁସଇଁ ହେଇ ଆସି ଛକରେ କାହାକୁ କାହାକୁ ପଚାରିଲା ଆମ ଦାଦା ଏଇ ବାଟେ ଗଲାକି ? କେତେ ବାଟ ହବଣି ? କଥା କଣ ବୁଝୁ ବୁଝୁ ଜଣା ପଡ଼ିଲା ଯେ ମଙ୍ଗଳପୁରରୁ କମ୍ପାଉଣ୍ଡର ଆସି ବୁଢ଼ୀକୁ ଇଞ୍ଜସିନି ଦଉଥିଲା ଯେ କହିଲା ଇଞ୍ଜିସିନି ଚାଲୁନି । କଣ ଗୋଟେ କହୁଛି ଭେନ ମିଳୁନି ବୋଲି । ଶଃ, ମଣିଷୁଟା ଭିତରେ ଭେନ କି ବସ କୋଉଠୁ ଆସିବ, କି ଅଲୁକୁତି କଥା ! ବୁଢ଼ୀର ଚେତା ବୁଡ଼ି ଘଟିକିଲାଣି । ଚକରା ରାଉତ ତା’ ପୁଅକୁ ପଠେଇଛି ମକରାକୁ ବାଟରୁ ଫେରେଇନବା ପାଇଁ । ମୁକୁନ୍ଦକୁ ଟିକେ ହାଲୁକା ଲାଗିଲା । ସେଣେ ମନୁଆ ମଙ୍ଗଳପୁର ଅଲେଖ ସାଙ୍ଗରେ ତାଗିଦ କରି ଖବର ପଠେଇଛି ମାମୁଁକୁ କହିବୁ ହପ୍ତାକ ଭିତରେ ଆସି ପହଞ୍ଚିବ ତ ପହଞ୍ଚିବ, ନ ହେଲେ ତା’ କାମ ତା ପାଖରେ, ମୁଁ ଚାଲିଲି ଘରକୁ, ମୋତେ ଆଉ ଦୋଷ ଦବନି । କି ଅଲାଜୁକ ବେମୁରବା ଦେଖ ଏ ଟୋକା । ମାଇକିନା ମୋହରେ ପଡ଼ିଚି । ବ୍ରାହ୍ମଣ ପୁଅ ଦିଅଁ ପୂଜା ଭଳି ପୁଣ୍ୟ କାମ କରୁଛୁ, କଣ ନା ଛାଡ଼ିକି ପଳେଇବି । ଏଗୁଡ଼ା ମାଇପ ଲାଳସା ଛାଡ଼ିପାରିଲେନି, ଆଉ କି ବାହ୍ମୁଣ ହେବେ । ଯାହା ହଉ ହପ୍ତାଟେ ତ ମହଲତ ଦେଇଛି । ମୁକୁନ୍ଦ ଟିକେ ଥୟ ଧରିଲା ।

ମୁକୁନ୍ଦ ମାଳ ମାଉସୀକି ଘରକୁ ଡାକିନବା ବାହାନାରେ ଆସି ରାଉତ ଘର ଆଡ଼େ ଟିକେ ନଜର ପକେଇଲା । ବୁଢ଼ୀକି ବାହାରେ ଟିକେ ଖରାରେ ଆଣି ଶୁଏଇଛନ୍ତି । ଯାହା ବାହାରକୁ ନିଃଶ୍ୱାସ ଉଠୁଛି ଭିତରକୁ ଫେରୁଥିବା ଭଳି ଲାଗୁନି । ଗାଁ ସାହିର କିଏ କିଏ, ସୂର୍ଯ୍ୟ ମଇତ୍ର ବନ୍ଧୁ ଆସି ସବୁ ଦେଖି ଯାଉଛନ୍ତି - ଶେଷ ଦର୍ଶନ ! କିଏ ପାଟିରେ କ୍ଷୀର ଚାମଚଟେ ଦଉଛି ତ ଭିତରକୁ ଯାଉନି, ସବୁ କଳପାଟି ଦେଇ ବହି ଯାଉଛି । ବୁଢ଼ୀର ଝିଅ ଆଇଥିଲା ଦେଖିବାକୁ, ମାଆ ମାଆ ଡାକ ଛାଡିଲା, ବୁଢ଼ୀର ଜବାବ ନ ମିଳିଲାରୁ କୋହ ସମ୍ଭାଳି ନପାରି କାନ୍ଦିକାନ୍ଦି ଖଣ୍ଡମଣ୍ଡଳ କମ୍ପଉଛି । ମୁକୁନ୍ଦ ଡଗଡଗ ହେଇ ମାମୁଁଘର ଆଡ଼ିକି ପାହୁଣ୍ଡ ବଢ଼େଇଲା । ମାଳ ମାଉସୀ ଘରୁ ବାହାରି ଆସି ମୁକୁନ୍ଦକୁ ଦେଖି ପକେଇ ପଚାରି ପକେଇଲା - କିରେ ମୁକୁନ୍ଦ ରାଉତ ଘରପଟୁ କଣ କାନ୍ଦଣା ଶୁଭୁଛି । ତାଙ୍କ ବୁଢ଼ୀ ଚାଲି ଗଲାକି ?

ଯିବ ଯିବ ହଉଛି । ଉତ୍ସାହର ସହିତ କହିଲା ମୁକୁନ୍ଦ । ମାଳ ମାଉସୀକି ସାଙ୍ଗରେ ଧରି ମୁକୁନ୍ଦ ବାଟରେ ଯାଉଯାଉ ଦେଖିଲା ସୁରିଆ ରାଉତ କୁଆଡ଼େ ଧପାଲିଛି । ଲେଖାରେ ଅଜା ହବ ସେ, ତାକୁ ପଚାରି ବୁଝିଲା ମାଆର ଜାତକଟା ନେଇ ସେ ବିଲବାଙ୍କିଆ କେଶବ ନାହାକ ପାଖକୁ ଯାଉଛି । ମୁକୁନ୍ଦର ମନଟା ଉଚ୍ଚାଟ ହେଲା ଜାଣିବାକୁ, ନାହାକ କଣ କହିବ । ଏଥର ଟଙ୍କାର ବହପ ଭାଙ୍ଗିଛି, ଜାତକ ଧରି ଧାଇଁଛି ନାହାକ ପାଖକୁ । ସୁରିଆ ରାଉତକୁ କହିଲା - ଅଜା ମୁଁ ବି ଟିକେ ମୋ ମାଆର ଜାତକଟା ନାହାକକୁ ଦେଖେଇ ଥାଆନ୍ତି, ତା’ ଦିହଟା ବି ଭଲ ରହୁନି । ଏଇ ଯିବି ଯିବି ବୋଲି ହେଇ ରହି ଯାଉଛି । ଆଜି ଗୋଟେ ଯୋଗ ପଡ଼ିଛି । ତମେ ତ ଆମ ଘର ବାଟ ଦେଇ ଯିବ, ଟିକେ ଠିଆ ହୁଅ, ମୁଁ ଘରୁ ମୋ ମା ଜାତକଟା ଟିକେ ନେଇଆସେ । ତମରି ସାଙ୍ଗରେ ଯାଇ କାମଟା ମେଣ୍ଟେଇ ଦେଇ ଆସିବି ।

ବୁଢ଼ୀର ଜାତକଟା ଉପରେ ନଜର ପକେଇ ସୁରିଆ ରାଉତ ହାତକୁ ଫେରେଇ ଦଉଦଉ ନାହାକ କହିଲେ - ଆଉ ସେ ନୁହଁ ରାଉତ ପୁଅ । ବେଳ ରତରତ ହେଲାଣି, ଆଉ ଖାଲି ଡୁବିବାକୁ ବାକି । ଯାହା ଦାନ ପୁଣ୍ୟ କରେଇବା କଥା କରେଇ ଦିଅ । କହିଲା ଖାଇଯିବ ଯାହା ପେଟକୁ, ଦେଇ ଯିବ ଯାହା ବାଟକୁ । ଆଉ ଡାକ୍ତର, ବଇଦଙ୍କ ପିଛେ ପଇସା ଖର୍ଚ୍ଚ କରି ଲାଭ ନାହିଁ । ପାଞ୍ଜି ପୋଛା ସରିଲାଣି । ନାହାକଙ୍କ କଥା ନସରୁଣୁ ମୁକୁନ୍ଦ ତରତର ହେଇ କହି ପକେଇଲା - ଅଜା ଆଉ ବସିଲ କାହିଁକି ଉଠ । ବିଧିର ବିଧାନ କେ କରିବ ଆନ । ବୁଢ଼ା ପତର, ଦିନେ ନା ଦିନେ ତ ଝଡ଼ିବ ।

ରାଉତେ କହିଲେ - କିରେ ମୁକୁନ୍ଦ ତୁ ପରା କଣ ତୋ ମାଆର ଜାତକ . . . ହାଉଳି ଖାଇଲା ପରି ମୁକୁନ୍ଦ ପାକିଟିରୁ ଜାତକଟା କାଢ଼ି ନାହାକଙ୍କ ହାତକୁ ବଢ଼େଇ ଦଉଦଉ କହିଲା - ମୋ ମାଆର ଜାତକଟା ଟିକେ. . . . ନାହାକ ଜାତକଟାକୁ ଦେଖି ମୁକୁନ୍ଦ ମୁହଁକୁ ବଲବଲ କରି ଅନେଇଲେ । ମୁକୁନ୍ଦର ହାଲୁକ ଶୁଖିଗଲା । ମାଆର କଣ ରାଉତ ଘର ବୁଢ଼ୀ ସାଙ୍ଗରେ ପାଞ୍ଜି ପୋଛା ସରିଲାଣି କି ?

ନାହାକ ରହସ୍ୟମୟ ଭାବରେ ପଚାରିଲେ - ତୋର ବୟସ ?

ବତିଶ

ତୋ ମା କଣ ତୋ ପାଞ୍ଚ ବର୍ଷ ପରେ ଜନ୍ମ କିରେ ?

ଘଟଣାଟା ବଡ଼ ରହସ୍ୟମୟ ମନେ ହେଲା ।

ନାହାକେ ଜାତକଟା ପଢ଼ିଲେ “ଛତରା ଗ୍ରାମ ନିବାସୀ ନେତରା ତିଆଡ଼ୀଙ୍କ ତୃତୀୟ ଗର୍ଭକୁ କନ୍ୟା …….

ଓହୋ କେଡ଼େ କଥାଟାଏ ହେଲା ! ତରତରରେ ମାଆ ଜାତକ ବଦଳରେ ତା’ ନିଜ ସ୍ତ୍ରୀର ଜାତକଟା. . . । ହଉ କୋଉ ଆଉ ତା’ର ତା’ ମାଆର ଜାତକଟା ଦେଖେଇବାର ମତଲବ ଥିଲା ଯେ ! ଭଲ ହେଲା, ବରଂ ଡବଲ ଲାଭ । ନାହାକକୁ ଦକ୍ଷିଣା ଦବାକୁ ହବନି; ଅନିଚ୍ଛାକୃତ ପ୍ରମାଦ ଯୋଗୁଁ ଦକ୍ଷିଣା ଛାଡ଼ ।

ଫେରିବା ବାଟରେ ସୁରିଆ ଅଜାକୁ ବିଦାୟ ଦେଇ ମୁକୁନ୍ଦ ବାଟ କାଟି ମନୁଆ ଗାଁରେ ପହଞ୍ଚିଲା । ସମ୍ପର୍କୀୟ ଭଉଣୀ ମନୁଆ ମାଆକୁ ତାଗିଦ୍ କରି କହିଲା - ତୁ ଯାହା କହ ନାନୀ ଆଜିକାଲିକା ଟୋକାଗୁଡ଼ାଙ୍କୁ ମୂଳରୁ ବଡ଼ ବିଳପଶା କରି ରଖିଛ ତମେ ମାଆ ଆଉ ମାଇପମାନେ । ବାହାହବା ଯାକେ ମାଆ କାନିତଳେ ଆଉ ବାହା ହେଲା ପରେ ମାଇପ କାନିତଳେ ଜାକିଜୁକି ହେଇ ରହିବେ । ଦେଶ ଦୁନିଆ ବାହାରକୁ ବାହାରିଲେ ସିନା ପାଞ୍ଚ ପଚିଶଙ୍କ ସାଙ୍ଗରେ ମିଶିବ, ନଜର ଫେରିବ । ଶହେ ଦୁଇଶହ ରୋଜଗାର କରି ଶିଖିବ । ଟୋକାଟାକୁ ଗୋଟେ ଭଲ କାମରେ ଲଗେଇ ଦେଇଛି ଯେ ସେ କିନ୍ତୁ ଖାଲି ଉଚ୍ଛନ୍ନ ହଉଛି ପଳେଇ ଆସିବାକୁ । ସବୁ ଦୋଷ ତୋଅରି । ଏତେ ଦିନ ତ କାନି ତଳେ ପୁରେଇ ରଖିଲୁ । ଏବେ ପୁଣି ଆସିବାକୁ ଘଡ଼ିକି ଘଡ଼ି ଖବର ପଠଉଥିବୁ ।. . . .

ନାରେ ମୁକୁନ୍ଦ । ବୋହୂଟାର ଏ ଅବସ୍ଥା ଦେଖି ବଡ଼ ହନ୍ତସନ୍ତ ଲାଗୁଛିରେ । କାହାକୁ ଡାକିବି କିଏ ଅଛି ପାଖରେ ।

କାହିଁକି ମୁଁ କଣ ମରି ଯାଇଛି କି ? ହଅ, ମୁଁ ସିନା ମରୁଛି ମାଇଁ ମାଇଁ, ମାଇଁ ମନରେ କିନ୍ତୁ ଟିକିଏ ନାହିଁ; ମୁଁ ସିନା ନିଜର ବୋଲି କହି ନଗେଇ ହଉଛି, ତୁ ଆଉ କୋଉ ନିଜର ବୋଲି ଭାବୁଛୁ କି ? ଖବରଟେ ପଠେଇ ଦେଖ, ଆସି ହାଜର ହଉଛିକି ନା । କଲିକତାରେ ମୁଁ ସାଇକଲ ଚଢ଼ା ଶିଖି ଯାଇଛି ଲୋ ନାନୀ । ତୋ ବାତିନୀ ପାଇଲାମାତ୍ରେ ସାହୁଘରୁ କି ପଟ୍ଟନାଇକ ଘରୁ ସାଇକଲଟେ ମାଗିଆଣି ତୋ ପାଖରେ ଆସି ଧୂମଧଡ଼ାସ ହାଜର ହଉଛି କି ନା ଦେଖ । ମନୁଆକୁ ଖାଲି ଖବର ଦେ ସେ ଆଉ ଦି’ଟା ହପ୍ତା ଟିକେ କଲିକତାରେ ରହିଯାଉ ।

ଘରେ ନପଶୁଣୁ ମାଳ ମାଉସୀ ବଡ଼ ଆଗ୍ରହରେ ପଚାରିଲା - ରାଉତ ଘର ବୁଢ଼ୀ କଥା ନାହାକ କଣ କହିଲାରେ ମୁକୁନ୍ଦ ? ମୁକୁନ୍ଦକୁ ଟିକେ ଆଶ୍ଚର୍ଯ୍ୟ ଲାଗିଲା; ମାଳ ମାଉସୀର ରାଉତ ଘର ବୁଢ଼ୀ ପାଇଁ କି ଗରଜ ପଡ଼ିଛି ! ତା ମାଆ କଥା ନାହାକ କଣ କହିଲା, କାହିଁ ତ ଟିକେ ପଚାରିଲାନି ! ଅବଶ୍ୟ ରାଉତ ଘର ବୁଢ଼ୀ ପିଲାଟିବେଳୁ ମାଳ ମାଉସୀକୁ ବଡ଼ ସିନିହ କରେ । ମାଳ ମାଉସୀର ମାଆ ଆଉ ବୁଢ଼ୀର ଝିଅ ଏକା ସାଙ୍ଗ, ବଉଳ ବସିଥିଲେ । ମାଳ ମାଉସୀକୁ ବୁଢ଼ୀ ସଉତୁଣୀ ବୋଲି ଡାକେ । ସେଇଥି ପାଇଁ ଟିକେ ବ୍ୟସ୍ତ ହଉଥିବ !

ମୁକୁନ୍ଦ ଟିକେ ତରତର ହେଲା । ତା’ ହାତରେ ଏବେ ଖାଲି କାମ ହିଁ କାମ । ନାହାକ ଘରୁ ବାଟରେ ଫେରିବାବେଳେ ସୁରିଆ ରାଉତ ମୁକୁନ୍ଦକୁ ତାଙ୍କ ଘରକୁ ଟିକେ ଆସିବାକୁ କହିଥିଲେ । ଦାନ ଘେନିବା କି ପୋଥି ବସେଇବା କଥା ହବ ତ କେମିତି କଣ କରିବାକୁ ହବ ସେବିଷୟରେ ଆଲୋଚନା କରି ବ୍ୟବସ୍ଥା କରିବାକୁ ହବ । ଭଲ ହେଇଛି ମୁକୁନ୍ଦ ଗାଁରେ ଅଛି; ପୁରୋହିତ ଦାୟିତ୍ଵଟା ତ ତାକୁଇ ସମ୍ଭାଳିବାକୁ ହବ ।

ପରଦିନ ଦି’ପହର ସରିକି ମୁକୁନ୍ଦ ରାଉତ ଘରେ ପାଦ ଦଉଦଉ ଅବାକ ହେଇ ପଥରଟେ ଭଳି ଠିଆ ହେଲା । କତରା ଲଗା ବୁଢ଼ୀ କାନ୍ଥକୁ ଡେରି ବସିଛି । ମୁକୁନ୍ଦର ମଞ୍ଜ ହିମ ଶୀତଳ ହେଇଗଲା । କି କିମିଆ ୟେ.... . .

ଗତକାଲି ବଡ଼ପୁଅ ନାହାକ ପାଖକୁ ବାହାରିଗଲା ପରେପରେ ଆସି କି ପହଞ୍ଚିଲା ବୁଢ଼ୀର ସାନ ଭାଇ । ବୟସ ଭାରରେ ଅଣ୍ଟା ନଇଁଲାଣି କିନ୍ତୁ ଭାରି ତେଜ । ନାନୀର ବେରାମ କଥା ଶୁଣି ବସିବାଠୁଁ ଉଠିକି ଆସିଛି । ସାଙ୍ଗରେ ଘୋଡ଼ାମରା ଗାଁର ବଇଦଙ୍କୁ ବି ସାଙ୍ଗରେ ଧରିକି ଆଇଛି । ଘୋଡ଼ାମରା ବଇଦଙ୍କର ଏ ଖଣ୍ଡମଣ୍ଡଳରେ ନା’ ଡାକ । ସୁରିଆ ସିନା ଖାଲି ବିଲାତି ଡାକ୍ତର ପାଇଁ ହେଙ୍କଉ ଥିଲା, ବଇଦ କିନ୍ତୁ ନାଡ଼ି ଦେଖି କହିଲେ - ସାହାସ ବେମାରୀ ଫାହାସ ବେମାରୀ କିଛି ନୁହେଁ, ଘୋର କଫ ଦୋଷ । ବାତ, ପିତ୍ତ, କଫ ଦୋଷ ବିଚାର ନ କରି ଏ ମ୍ଳେଚ୍ଛ ବିଦ୍ୟା ପଢ଼ି ବିଲେଇତି ଔଷଧ କି କାମ କରିବ ? ବଇଦ ସାଙ୍ଗରେ ଆଣିଥିବା ଜଡ଼ିବୁଟିରେ ତିଆରି କ୍ୱାଥ ଆଉ ଚୂର୍ଣ୍ଣ ଖାଇଲା ପରେ ବୁଢ଼ୀ ପାଟିରୁ ଥୋଳାକୁ ଥୋଳା ତୁଳା ଭଳିଆ କଫ ବହି ଚାଲିଛି, ନାକରୁ ବହୁଛି ନଡ଼ାନଳୀ ମୋଟର ଶିଙ୍ଘାଣି । ଆଜି ସକାଳୁ ବୁଢ଼ୀ ହାତଠାରି କହିଲା ତାକୁ ଟିକେ ଧରିକି ବସେଇବାକୁ । ଆଜି ଦି’ପହରୁ ଟିକେଟିକେ ପାଟି ଫିଟିଲାଣି । ସୁରିଆ ରାଉତ କହିଛି ବଇଦ ଆପଣେ ଏଇଠି ହପ୍ତାଟେ ରହିବେ, ବୁଢ଼ୀକୁ ଚିକିଚ୍ଛା କରି ସୁସ୍ଥ କରି ଯିବେ । ଯିବାବେଳେ ତାଙ୍କର ମାସକର ରୋଜଗାର ତାଙ୍କୁ ସେ ଦେଇଦବ । ଗାଁର ମୁରବୀମାନେ ମତ ଦେଲେ ବୁଢ଼ୀର ଦେହ ପୂରା ଭଲ ହେଇଯାଉ, ତା’ପରେ ପୋଥିବସା କି ଦାନ ପୁଣ୍ୟ ଯାହା କରାଯିବ ।

ଶୀଘ୍ର ନେଇ ମାଳତୀକୁ ଛାଡ଼ିବାକୁ ତାଗିଦା କରି ମାଳତୀର ଶାଶୁ ଆଉ ଥରେ ତା’ ଦିଅରକୁ ପଠେଇ ଥିଲା । ମନୁଆ ବି ନୋଟିସ ପଠେଇ ଦେଇଛି ମୁକୁନ୍ଦ ମାମୁଁ ବୁଧବାର ସୁଦ୍ଧା ତମେ କଲିକତାରେ ପହଞ୍ଚ କି ନପହଞ୍ଚ ମୁଁ କଲିକତା ଛାଡ଼ିବି ।

ବୁଧବାର ମୁକୁନ୍ଦ କଲିକତା ଯାଉଥିବା କଥା ଶୁଣି ସାନ ଅଜା, ଆଈ ତାକୁ ନେହୁରା ହେଲେ ମାଳତୀକୁ ନେଇ ଯିବା ବାଟରେ ଟିକେ ତା’ ଶାଶୁ ଘରେ ଛାଡ଼ି ଦେଇ ଯିବାକୁ । ଅଜାଙ୍କର ସେଦିନ କଣ ବାଲେଶ୍ୱର କଚେରୀରେ ଜରୁରୀ କାମ ଅଛି ।

ମାଳତୀ ଆଉ ମୁକୁନ୍ଦ ସେଦିନ ବାଟରେ ଯାଉଁ ଯାଉଁ ରାଉତ ଘର ବୁଢ଼ୀକୁ ତାଙ୍କ ଘର ଆଗ ଅଗଣାରେ ବସି ଖରା ପୋଉଁ ଥିବାର ଦେଖିଲେ । ଏମାନଙ୍କୁ ଦେଖି କିଏ ଯାଉଚ ବୋଲି ବୁଢ଼ୀ ହାତ ଠାରିକି ପାଖକୁ ଡାକିଲା ।

ମାଳତୀ ଯାଇ ବୁଢ଼ୀକୁ ଜୁହାର ହେଲା; ବୁଢ଼ୀ ଦୋଦୋ ପାଞ୍ଚ ହେଇ ଶେଷରେ ଚିହ୍ନିଲା । ସୁକୁସୁକୁ ହେଇ କାନ୍ଦି କହିଲା - ଇଲୋ ମୋ ସଉତୁଣୀ କିଲୋ । ବୁଢ଼ୀଟେ ହେଇ ଥାଆ । ମୋ ବଅସ ନେଇ ପାକଲା ବାଳରେ ସିନ୍ଦୁର ନାଆ । କେବେ ଆଇଥିଲୁ ? . . .. ଆଏଁ ଏତେ ଦିନ ରହି ଗଲୁ ? ତୋ ଶାଶୁ ତୋତେ କିମିତି ଛାଡ଼ିଚି କିଲୋ ! ହଉ, ଠାକୁର ବଡ଼ଲୋକ ଲୋ ମା ! ତମମାନଙ୍କୁ ଆଉ ଦେଖିବି ବୋଲି ପରତେ ନଥିଲା । ହଉ ଯାଆ, ସଞ୍ଜ ବୁଡ଼ିବ. . । ଆଉ କିଏ ସାଙ୍ଗରେ ଯାଉଚି . .. ।

ମୁକୁନ୍ଦ ଜୁହାର ହବାକୁ ଯିବାବେଳକୁ ବୁଢ଼ୀ ଅଟକେଇ ଦେଇ କହିଲା - ଥାଉ ବାପା, ବାହ୍ମୁଣ ପୁଅ, ବରହ୍ମ ଗଣ୍ଠି ବହିଛୁ, ମୋର ପାପ ହବ । ତମରିମାନଙ୍କ କଇଲାଣରୁ ବଞ୍ଚିକି ଅଛି ବାପା, ମଡ଼ାମରା ଯମ ନଉଛି କାହିଁ. . । ଅଧା ବାଟରେ ଖାଲି ଦହଗଞ୍ଜ କରୁଛି ଯାହା ।

ବୁଢ଼ୀର ବଡ଼ ବୋହୂ ବଡ଼ ରାଉତାଣୀ ଆସି କହିଲା - କିରେ ମୁକୁନ୍ଦ ଆଜି କଣ କଲିକତା ଯାଉଛୁ କି ? ଆଉ ମାଆଙ୍କ ପାଇଁ ଏ ଶନି ମେଳାଟା ମାନସିକ କରିଥିଲି ଯେ ତୁ ତ ପଳେଇ ଯାଉଚୁ . . . । ହଉ ଯାଆ, ଖାଲି ଆଉ ମେଳାଟା ପାଇଁ କଣ ତୋତେ ଅଟକେଇ ରଖନ୍ତି. . . ତୋର ସେଣେ ଚାକିରି କଥା । ଦେଖେ ଶାସନ କ୍ଷେତରାନ୍ନାକୁ ନ ହେଲେ ଡାକିକି କାମଟା ତୁଲେଇବାକୁ ହବ. . …….

ମୁକୁନ୍ଦ ଫଁ କରି ଦୀର୍ଘଶ୍ଵାସଟେ ପକେଇଲା । ଟିକେ ଚିହିଁକି ଉଠି ତାଟକା ହେଲା ଭଳି ତା’ ଆଡ଼କୁ ଚାହିଁଲା ମାଳତୀ… ହସଖୁସିଆ ମାଳ ମାଉସୀର ଝାଉଁଳି ପଡ଼ିଥିବା ମୁହଁରେ ଉଦାସ ଭାବଟା ବି ମୁକୁନ୍ଦକୁ ଟିକେ ଅଖାଡ଼ୁଆ ଲାଗିଲା ଆଜି… ।

Report an Error