ଏ କେଉଁ ପୃଥିବୀ ମୋର

ଲୁଟପାଟ, ଯୁଦ୍ଧ ଓ କଷଣର ଏ ପୃଥିବୀରେ ଲହୁଲୁହାଣ ଭବିଷ୍ୟତ ଓ ଲହୁଲୁହାଣ ଭାଗ୍ୟର କବିତା ଇଏ । ସମୟର ଭୀଷଣ ଚିତ୍ର ଭିତରେ କବିତାର ଟୋପାଏ ଆଶ୍ଵାସନା ।


ଟିକି ଟିକି ହୋଇ କଟିଯାଏ ମୁହୂର୍ତ୍ତ
ଦେଖାଯାଏନି ପୂର୍ବାକାଶରେ ଆଗାମୀ କାଲିର ସୂର୍ଯ୍ୟ
ଜୀବନର ମାଛ ବଜାରରେ ହଜିଯାଉଥାଏ
ବିବେକର ସ୍ଵର ।

କୋଉଠି ଖୋଜିବା ଆଶ୍ରୟ
ସବୁଠି ତ ଚାଲିଛି ଲୁଟପାଟ, ଯୁଦ୍ଧ ଓ କଷଣ
ଲହୁଲୁହାଣ ଭବିଷ୍ୟତ ଲହୁଲୁହାଣ ଭାଗ୍ୟ ।

ଘଡି କୁ ଘଡି ବଦଳୁଥାଏ ପୃଥିବୀର ମାନଚିତ୍ର
ପଦାକୁ ଗୋଡ କାଢିଲେ ଖାଇଯାଏ ଡର
ମଣିଷକୁ ବି ଏଠି କୁକୁର ଭଳି
ଶୁଙ୍ଘି ଶୁଙ୍ଘି ବଞ୍ଚିବାକୁ ହୁଏ
କାଳେ କିଏ ଚଳେଇ ଦେବ ବେକରେ ଖୁର !

ସଂସାରୀ ପାଲଟିଯାଏ ଶରଣାର୍ଥୀ
ଗୋଟିଏ ରାତିରେ ବଦଳିଯାଏ ତା ପୃଥିବୀ
ଭୁଷୁଡି ପଡେ ଘର
ଛିଣ୍ଡି ପଡେ ଆକାଶ
ଜରଜରେଇ ଯାଏ ବିଶ୍ବାସ ।

ଟିଭି ଖୋଲିଲେ ପ୍ରତିଦିନ ବ୍ରେକିଂ ନ୍ୟୁଜରେ
ଚମକି ଯାଏ ଈଶ୍ବରଙ୍କ ଆତ୍ମହତ୍ୟାର ଖବର
ସତରେ ଅଚିହ୍ନା ଅଜଣା
ଏ କେଉଁ ପୃଥିବୀ ମୋର !