ଦୂରଛାଇର ମଞ୍ଚ

ଗାଁରୁ ପ୍ୟାରିସ ପର୍ଯ୍ୟନ୍ତ ପହଞ୍ଚିବାରେ ଗୁରୁ ସୁକଲ୍ୟାଣଙ୍କ ଭୂମିକା ସେ ବୁଝିପାରନ୍ତି । ଆଜି ଯୋଉ ସମ୍ମାନ ଓ ଖ୍ୟାତି ପାଇଛନ୍ତି ତା’ ପଛରେ ଗୁରୁଙ୍କ କେତେ ନିଷ୍ଠା, ଅବଦାନ ତାହା ସେ ଜାଣନ୍ତି । ଅପରୂପା ପାଉଥିବା ପ୍ରତ୍ୟେକ ସମ୍ମାନ ସେ ଗୁରୁଙ୍କୁ ଉତ୍ସର୍ଗ କରିଛନ୍ତି ।


“ଚମତ୍କାର”

“ଧନ୍ୟବାଦ”

“ନାଁ ଟା ?”

‘ଅପରୂପା’

‘ସତରେ ତମେ ଅପରୂପା ।'

‘ଆପଣଙ୍କର ଶିଷ୍ୟ ହେବା ଯୋଗ୍ୟତା ଅଛି ?’

‘ତୁମକୁ ସ୍ୱାଗତ’

ଏହା ଥିଲା ନୃତ୍ୟାଙ୍ଗନା ଅପରୂପା ଓ ଗୁରୁ ଶ୍ରୀ ସୁକଲ୍ୟାଣ ଦାସଙ୍କ ମଧ୍ୟରେ କଥୋପକଥନର କିଛି ଅଂଶ ।

ଅପରୂପା ଛୋଟ ଗାଁରୁ ଆସି ନିଜକୁ ନୃତ୍ୟ କ୍ଷେତ୍ରରେ ପ୍ରତିଷ୍ଠିତ କରାଇ ପାରିଛନ୍ତି । ଆହୁରି ସଫଳ ହେବା ପାଇଁ ଚେଷ୍ଟିତା । ନିଜ ଦକ୍ଷତାକୁ ଉପର ସ୍ତରକୁ ନେବା ପାଇଁ ସେଭଳି ଦକ୍ଷ ଲୋକଙ୍କ ପାଖେ ନିଜ ପ୍ରତିଭାର ପ୍ରଦର୍ଶନ ଦରକାର ବୋଲି ଅପରୂପା ସେହି ଚେଷ୍ଟାରେ ରହନ୍ତି । ସୁମିତ ଅପରୂପାଙ୍କ ପ୍ରତି କେବଳ ଆକୃଷ୍ଟ ନୁହଁ, ନିଜର ସମସ୍ତ ସାମର୍ଥ୍ୟ ଅପରୂପାଙ୍କ ବିକାଶ ଓ ଖୁସି ପାଇଁ ବିନିଯୋଗ କରିବାରେ କେବେ କାର୍ପଣ୍ୟ ବୋଧ କରନ୍ତି ନାହିଁ ।

ଅପରୂପା ଯେ ଜଣେ ଅସାମାନ୍ୟା ସୁନ୍ଦରୀ ଓ ପ୍ରତିଭାରେ ଭରପୂର ଥିବା ନୃତ୍ୟାଙ୍ଗନା ସେଥିରେ ସନ୍ଦେହ ନାହିଁ । ତେବେ ଏତେବଡ଼ ସହରରେ ସେ ତ ଏଭଳି ଏକୁଟିଆ ନୁହଁନ୍ତି । ଆହୁରି ଅନେକ ଅଛନ୍ତି । କଥା ହେଉଛି ନିଜକୁ ସୋପାନ ପରେ ସୋପାନ ଅତିକ୍ରମ କରି ଆଗେଇ ନେବା । ଏଠି ଅହରହ ଚାଲିଛି ପ୍ରତିଯୋଗିତା । ପ୍ରତିଦ୍ୱନ୍ଦ୍ଵୀମାନେ ସଦା ତତ୍ପର । ଗାଁରୁ ଆସିବା ପରେ ଅପରୂପା, ସୁମିତଙ୍କ ସାହାଯ୍ୟରେ ଆଗକୁ ନୃତ୍ୟଶିକ୍ଷା ଜାରି ରଖିପାରନ୍ତି । ସହରର ଖର୍ଚ୍ଚ, ନିଜ ପାରିଲା ପଣିଆର ମାପକାଠି ସବୁକିଛିର ଜିମ୍ମା ସୁମିତଙ୍କ କାନ୍ଧରେ ଓ ସୁମିତ ଖୁସିର ସହ ସବୁକିଛି ତତ୍ପରତାର ସହ କରନ୍ତି । ଆଗକୁ ଯିବା ଇଚ୍ଛା ଓ ନୃତ୍ୟ ପ୍ରତି ସମର୍ପଣ ଅପରୂପାଙ୍କୁ ପାଦେ ପାଦେ ଆଗେଇ ନେଇଛି । ବର୍ତ୍ତମାନ ସେ ସହରର ନାମୀ ନର୍ତ୍ତକୀମାନଙ୍କ ମଧ୍ୟରେ ଜଣେ । ଅପରୂପାଙ୍କ ରହିବା, ଯିବା ଆସିବା, ଖାଇବା ପିଇବା, ଶିକ୍ଷା ଦାୟିତ୍ୱ ସବୁ ସୁମିତଙ୍କର । ବିବାହ ହେଇନି ସତ କିନ୍ତୁ ସୁମିତ ଜଣେ ଧୈର୍ଯ୍ୟବାନ ସ୍ୱାମୀ ବୋଲି ନିଜକୁ ପ୍ରମାଣିତ କରାଇ ସାରିଲେଣି । ଅପରୂପା ବି ସୁମିତଙ୍କୁ ଭଲପାଆନ୍ତି ।

ଗୁରୁ ସୁକଲ୍ୟାଣ ଦାସ ଜଣେ ଖ୍ୟାତି ସଂପନ୍ନ ଗୁରୁ । ଅନେକେ ତାଙ୍କ ଶିଷ୍ୟ ହେବା ସୁଯୋଗ ପାଇବା ପାଇଁ ଚାହିଁ ବସିଥାଆନ୍ତି । ତାଙ୍କରି ଶିଷ୍ୟମାନେ ବିଦେଶ ଯିବା, ଅନେକ ସୁନାମଧନ୍ୟ ଦେଶ ବିଦେଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିିବା ଓ ନିଜ ମାନ ବଢ଼ାଇ ପାରିବା ସୁଯୋଗ ପାଇଥାଆନ୍ତି । ନିଜକୁ ସୁଦୁର ପ୍ରସାରୀ କରିବାରେ ଗୁରୁ ସୁକଲ୍ୟାଣ ଦାସଙ୍କ ଶିଷ୍ୟା ହେବା ଯେ ଅତ୍ୟନ୍ତ ଦରକାରୀ ତାହା ଅପରୂପା ଜାଣିସାରିଥିଲେ ।

ଅପରୂପା ତାଙ୍କ ପ୍ରଥମ ସୋପାନ ବର୍ତ୍ତମାନ ପରିଷ୍କାର ରୂପେ ସେ ଅଧିକାର କରିସାରିଲେ । ଗୁରୁଙ୍କ ଶିକ୍ଷାରେ ଅପରୂପା ହୋଇ ଉଠିଲେ ଅସାମାନ୍ୟା । କ୍ରମେ ତାଙ୍କ ନୃତ୍ୟରେ ଲାବଣ୍ୟତା ଫୁଟି ଉଠିଲା । ରାଜ୍ୟର ପ୍ରଥମ ଧାଡ଼ି ନୃତ୍ୟାଙ୍ଗନାଙ୍କ ମଧ୍ୟରେ ସେ ଜଣେ ହୋଇପାରିଲେ । ଗୁରୁ ତାଙ୍କ ସମସ୍ତ ଜ୍ଞାନ କୌଶଳ ନେଇ ଅପରୂପାଙ୍କୁ ପୂର୍ଣ୍ଣରୂପ ଦେବା ପାଇଁ ସତେ ବା ସାଧନା କରୁଛନ୍ତି । ସୁକଲ୍ୟାଣ ଯେତିକି ଜ୍ଞାନର ଅଧିକାରୀ ଅପରୂପା ସେତିକି ଆଗ୍ରହୀ । ତେଣୁ ଦୁଇଜଣଙ୍କ ଉଦ୍ୟମରେ ଅନେକ କାଳଜୟୀ ନୃତ୍ୟ ରଚନା ସମ୍ଭବ ହେଲା । ତଥାପି ଗୁରୁ ସଂପୂର୍ଣ୍ଣ ବୋଲି ଭାବୁ ନଥାନ୍ତି ।

‘ତୁମ ଅଭିନୟରେ ଏବେ ବି ତ୍ରୁଟି ରହିଛି ଅପରୂପା ।'

'କୁହନ୍ତୁ ମୁଁ କ’ଣ କରିବି ?'

‘ତୁମେ କ’ଣ ପ୍ରେମ କେବେ ଅନୁଭବ କରିବ ?’

‘କାହାର ଛୁଆଁରେ ତମ ଦେହ ଶିହରି ଉଠିଚି?’

‘କିନ୍ତୁ ମୁଁ ତ ଚେଷ୍ଟା କରୁଛି ।’

'ଯୋଉ ଯାଏଁ ତମେ ଅନୁଭବ କରିନ, ଦେଖେଇବ କେମିତି ?'

ଅପରୂପା କ୍ଷୁବ୍‌ଧ । ସୁକଲ୍ୟାଣ ଅସନ୍ତୁଷ୍ଟ । ଗୁରୁଙ୍କ ସନ୍ତୁଷ୍ଟି ପାଇଁ ଅପରୂପା ଅଧିକ ପରିଶ୍ରମ କରନ୍ତି । କିନ୍ତୁ ରାଧାକୃଷ୍ଣଙ୍କ ପ୍ରେମଲୀଳାକୁ ନୃତ୍ୟାଭିନୟ ମାଧ୍ୟମରେ ଏକ ବିସ୍ମୟ ସୃଷ୍ଟି କରିବାକୁ ଗୁରୁ ସୁକଲ୍ୟାଣ ଯେତେ ଆଗ୍ରହୀ ସେତିକି ସନ୍ତୁଷ୍ଟ ହୋଇ ପାରୁନଥାନ୍ତି ଅପରୂପାଙ୍କ ଅଭିନୟରେ । ନୃତ୍ୟରେ ଅପରୂପା ଏମିତି ବୁଡ଼ି ଯାଆନ୍ତି ଯେ ସୁମିତଙ୍କ ଉପସ୍ଥିତି ବି ଅଧିକ ଖୁସି ଦିଏନି ତାଙ୍କୁ । କେବଳ ନିଜ ଆବଶ୍ୟକତା ପାଇଁ ସେ ସୁମିତଙ୍କ ପାଖେ ରୁହନ୍ତି ସତ ଆନ୍ତରିକତାର ଘୋର ଅଭାବ ସୁମିତ ମଧ୍ୟ ପରିଲକ୍ଷ୍ଯ କରିପାରିଲେଣି ।

ନୃତ୍ୟାଭ୍ୟାସ ପାଇଁ ଅପରୂପାଙ୍କୁ ଗୁରୁଙ୍କ ପାଖରେ ଅଧିକ ସମୟ ରହିବାକୁ ପଡେ । ଦିହେଁ ମିଶି ଅନେକ କାର୍ଯ୍ଯକ୍ରମରେ ଭାଗ ନେବା ପାଇଁ ଦେଶ ବିଦେଶ ଭ୍ରମଣ କରନ୍ତି । ଗୁରୁଙ୍କ ଅପରୂପାଙ୍କ ପ୍ରତି ଏତେ ଉଦାର ଭାବ ଦେଖି ଅନ୍ୟ ଶିଷ୍ୟାମାନେ ଅସୂୟା ଭାବ ହେତୁ କୁତ୍ସାରଟନା କରନ୍ତି ଓ ଏହା କାନକୁ ଦୁଇକାନକୁ ଯାଇ ଏକ ଖବର ହୋଇଯାଏ ।

ପ୍ୟାରିସରେ ଏକ କାର୍ଯ୍ୟକ୍ରମ ଥାଏ । ସେଠିକା ‘ଭାରତୀୟ ସଂସ୍ଥା’ ନିମନ୍ତ୍ରଣ କରିଥାଆନ୍ତି । କାର୍ଯ୍ୟକ୍ରମ ପରେ ଦୁଇଦିନ ପ୍ୟାରିସ ଭ୍ରମଣର ସୁବିଧା ବି ଦିଆଯାଇଥାଏ । ସେଠିକା ସଂଗଠନ ଭାରି ଖୁସି ଥାଆନ୍ତି ଅପରୂପାଙ୍କ ନୃତ୍ୟରେ । ବେଶ କିଛି ଧନ ଅର୍ଜନ ମଧ୍ୟ ହେଇପାରିଥାଏ । ଗୁରୁ ସୁକଲ୍ୟାଣଙ୍କ ସମେତ ପୁରା ସମୂହ ଦଳ ମାନେ ବାକି ନୃତ୍ୟାଙ୍ଗନା, ସଂଗୀତ ପରିଚାଳନାରେ ଥିବା ବ୍ୟକ୍ତି ବିଶେଷ ସମସ୍ତେ ଅତ୍ୟନ୍ତ ଖୁସି । ସେଠିକା ଭାରତୀୟଙ୍କ ଭବ୍ୟ ଅଭ୍ୟର୍ଥନାରେ ଅତି ଉଲ୍ଲସିତ ।

ପ୍ୟାରିସ୍ ଫେସନ ଷ୍ଟୋରର ଆଧୁନିକ ପୋଷାକରେ ଅପରୂପା ପରୀ ଭଳି ସୁନ୍ଦର ଲାଗନ୍ତି । ଅନେକ ଦିନର ସାଧନା ପରେ ଏହି ଯୋଉ ନୂଆ ମୋଡ଼ ଆସିଛି ଅପରୂପାଙ୍କ ଜୀବନରେ ତାକୁ ସେ ମନଭରି ବଂଚିବାକୁ ଚାହାନ୍ତି ।

ଗାଁରୁ ପ୍ୟାରିସ ପର୍ଯ୍ୟନ୍ତ ପହଞ୍ଚିବାରେ ଗୁରୁ ସୁକଲ୍ୟାଣଙ୍କ ଭୂମିକା ସେ ବୁଝିପାରନ୍ତି । ଆଜି ଯୋଉ ସମ୍ମାନ ଓ ଖ୍ୟାତି ପାଇଛନ୍ତି ତା’ ପଛରେ ଗୁରୁଙ୍କ କେତେ ନିଷ୍ଠା, ଅବଦାନ ତାହା ସେ ଜାଣନ୍ତି । ଅପରୂପା ପାଉଥିବା ପ୍ରତ୍ୟେକ ସମ୍ମାନ ସେ ଗୁରୁଙ୍କୁ ଉତ୍ସର୍ଗ କରିଛନ୍ତି । ଲୋକଙ୍କ ତାଳିବେଳେ ସେ ଷ୍ଟେଜରୁ ଦେଖନ୍ତି କୋଉଠି ଗୋଟିଏ କୋଣରେ ଦୁଇଟି ଆଖିର ଆତ୍ମସନ୍ତୋଷ ଓ ବିଶ୍ୱାସ ।

ସୁକଲ୍ୟାଣଙ୍କ ଜୀବନରେ କେହି ନଥାନ୍ତି । ଅପରୂପା ତାଙ୍କ ଶିଷ୍ୟା କେବଳ ନୁହନ୍ତି । ତାଙ୍କ ପାଇଁ ସର୍ବସ୍ୱ ପାଲଟି ଯାଇଛନ୍ତି । ତାଙ୍କ ବ୍ୟତିରେକ ସେ ଜୀବନରେ ଆଉ କିଛି ଦେଖନ୍ତିନି କି ଚାହାନ୍ତିନି ।

ନିବିଡ଼ ଏହି ସଂପର୍କକୁ ଆଉ ପାଦେ ଆଗେଇ ଦେଇଥାଏ ପ୍ୟାରିସର ସୁନ୍ଦର ସନ୍ଧ୍ୟା । ଆଲୋକମାଳାର ଦିକ୍‌ଦିକ୍ ଆଲୋକ ଓ ମତୁଆଲା ସଂଗୀତରେ ଦିହେଁ ଖୁବ୍ ନିବିଡ଼ ହୋଇ ଗୁରୁ ଶିଷ୍ୟା ସଂପର୍କକୁ ଅନ୍ୟ ଏକ ପରିଚୟ ଦେଇ ଦିଅନ୍ତି ।

ପ୍ୟାରିସରୁ ଫେରିବାବେଳେ ଅପରୂପାଙ୍କ ମୁହଁରୁ ଉକୁଟି ଆସୁଥାଏ ଏକ ସ୍ନିଗ୍ଧତା ଯାହା ତାଙ୍କ ଗୋଲାପି ଆଭାକୁ ଦ୍ୱିଗୁଣିତ କରୁଥାଏ ।

ଅପରୂପା ଓ ସୁମିତଙ୍କ ସଂପର୍କର ଆଉ କିଛି ମାନେ ନଥିଲା । ସୁମିତଙ୍କ ଘର ଛାଡ଼ି ଅପରୂପା ବର୍ତ୍ତମାନ ସୁକଲ୍ୟାଣଙ୍କ ସହିତ ରହିବାରେ ଲାଗିଲେ । ଦୁହେଁ ପ୍ରେମରେ ଅନେକ ସୁନ୍ଦର ନୃତ୍ୟ ରଚନାମାନ ସୃଷ୍ଟି କଲେ । ଯେତିକି ଖ୍ୟାତି ପାଇଲେ, ସେତିକି ବିଖ୍ୟାତ ବି ହେଲେ । ସୁକଲ୍ୟାଣ ବିବାହ ପାଇଁ ମନସ୍ଥ କରି ନିଜ ବିରହୀ ଜୀବନକୁ ସଜାଡ଼ି ଚାଲନ୍ତି । ସନ୍ନ୍ୟାସୀ ଭଳି ଜୀବନ ଥିଲା ତାଙ୍କର । ବର୍ତ୍ତମାନ ଘର କରିବା, ପଇସା ଅର୍ଜନ ସହିତ ନାନା ସ୍ୱପ୍ନ ଦେଖନ୍ତି ।

ଦିହିଁଙ୍କ ପ୍ରେମ ବର୍ତ୍ତମାନ ସହରର ସବୁଠାରୁ ବଡ଼ ବିଷୟ ହୋଇ ପ୍ରତ୍ୟେକ ସ୍ତରରେ ଆଲୋଚିତ ହେଉଛି ।

ପ୍ରେମରେ ବୁଡ଼ି ରହିଥିବା ଦୁଇ କଳାକାରଙ୍କ ଦ୍ୱାରା ସୁନ୍ଦର ନୃତ୍ୟ ରଚନା ହୁଏ ।

‘ରୂପା ୟେ ଦିନେଶ ହଂସ । ଆମ ପାଇଁ ଏକ ବଡ଼ ଖବର ନେଇ ଆସିଛନ୍ତି ।’ ସୁକଲ୍ୟାଣ କହନ୍ତି ।

ଅନେକ ଆଲୋଚନା ଚାଲେ ସେହି ଖବରକୁ ନେଇ । ଖବର ତ ନୁହେଁ ଏ ଏକ ବଡ଼ ସୁଯୋଗ । ପୂରା ପୃଥିବୀ ଭ୍ରମଣ । ଅନେକ ଦେଶରେ ରହିଛି କାର୍ଯ୍ୟକ୍ରମ । ଦୁହିଁଙ୍କ ପରିଶ୍ରମକୁ ଦେଶ ବିଦେଶ ସବୁଠି ପ୍ରଶଂସା ମିଳିଛି । ପାଖାପାଖି ଗୋଟିଏ ବର୍ଷର କାର୍ଯ୍ୟକ୍ରମ । ଗୁରୁ ସୁକଲ୍ୟାଣଙ୍କ ଅନୁଷ୍ଠାନରୁ ଘୁଙ୍ଗୁର ଶବ୍ଦ, ତବଲା, ପଖଜ, ହାରମୋନିୟମର ସୁର, ତାଳର ମୂର୍ଚ୍ଛନା ସବୁବେଳେ ଶୁଣାଯାଏ । ଅତ୍ୟନ୍ତ ଚଳଚଞ୍ଚଳ ହୋଇ ଉଠେ ଅନୁଷ୍ଠାନଟି । ସମସ୍ତେ ଉତ୍ସାହିତ । ତୁମେ ମୋ ପାଇଁ ସୌଭାଗ୍ୟ ଆଣିଦେଲ ରୂପା । ସ୍ନେହରେ ଆଲିଙ୍ଗନ କରି କହନ୍ତି ସୁକଲ୍ୟାଣ । ‘ମୁଁ ସଂପୂର୍ଣ୍ଣ ହେଇଗଲି ତୁମ ପାଖରେ । ତୁମେ ମୋ ଗୁରୁ, ମୋ ସଖା, ମୋ ଆଜନ୍ମ ସାଥୀ । କହି ନିଜକୁ ହଜାଇ ଦିଅନ୍ତି ଅପରୂପା ।'

ଯାତ୍ରା ଆରମ୍ଭ ହୁଏ । ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶ । ଲଣ୍ଡନର ସୁନ୍ଦର ମଖମଲି ସକାଳରେ ଆତ୍ମହରା ହୋଇ ଉପଭୋଗ କରିଥାନ୍ତି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦୁହେଁ । ଜୀବନରେ ଯାହା ଚିନ୍ତା ବି କରିନଥିଲେ ସେସବୁ ପାଇଛନ୍ତି । ସନ୍ଧ୍ୟାରେ କାର୍ଯ୍ୟକ୍ରମ ଓ ଦିନବେଳେ ଭରପୂର ସମୟ ଥାଏ ବୁଲିବା ପାଇଁ । ସମ୍ଭ୍ରାନ୍ତ ଶ୍ରେଣୀୟ ବ୍ୟକ୍ତିମାନେ ଅପରୂପାଙ୍କ ନୃତ୍ୟ ଓ ସୌନ୍ଦର୍ଯ୍ୟରେ ମୁଗ୍‌ଧ । ଅନେକ ଉପହାର ଆସେ ତାଙ୍କ ପାଇଁ । ଦାମୀ ପୋଷାକ, ଅଳଙ୍କାର । ଆତ୍ମସନ୍ତୋଷରେ ଭରିଯାଆନ୍ତି ଅପରୂପା ।

ଦିନେଶ ସବୁ ପ୍ରକାର ବ୍ୟବସ୍ଥା କରି ଦେଇଥାନ୍ତି । ଏହି ବ୍ୟବସ୍ଥାରେ ଆକର୍ଷଣର କେନ୍ଦ୍ର ପାଲଟିଥିବା ଅପରୂପାଙ୍କ ପାଇଁ ।

ସୁକଲ୍ୟାଣଙ୍କ ଦେହ କିଛି ଅସୁସ୍ଥ ରହିଲା । ତେଣୁ ଅପରୂପାଙ୍କୁ ଗାଡ଼ିରେ ବୁଲାଇବା ଦାୟିତ୍ୱରେ ଦିନେଶ ନିଜେ ରହିଲେ ।

ଆଗରୁ ଲଣ୍ଡନ ସାଥିରେ ପରିଚିତ ଥିବା ଦିନେଶ ଅପରୂପାଙ୍କୁ ଅନେକ ସୁନ୍ଦର ସୁନ୍ଦର ଜାଗା ସବୁ ବୁଲାନ୍ତି । ପ୍ରାୟ ପ୍ରତିଦିନ ଅଲଗା ଅଲଗା ସ୍ୱପ୍ନ ଭଳି ଲାଗୁଥିବା ଜାଗା ଦେଖିବା, ଦାମୀ ହୋଟେଲରେ ଖାଇବା ଓ ଦାମୀ ଲୋକଙ୍କ ସହ ମିଶିବା ଦିନେଶ ବାବୁଙ୍କ ଅଜବକାଏଦା, ଠାଣି, ଦାମୀ ଗାଡ଼ି, ସମ୍ଭ୍ରାନ୍ତ ବ୍ୟବହାର ଏହି ସବୁ ଦେଖି ଅପରୂପା ଜାଣିପାରିଥିଲେ ଦିନେଶ ଜଣେ ଅତି ଧନୀ ଶ୍ରେଣୀର ଲୋକ ।

ଲଣ୍ଡନରୁ ଗ୍ରୀସ୍‌, ବର୍ଲିନ୍‌, ପ୍ୟାରିସ ଇତ୍ୟାଦି ଅନେକ ସ୍ଥାନରେ କାର୍ଯ୍ୟକ୍ରମର ବ୍ୟବସ୍ଥା ଥିଲା । ବର୍ଲିନ କାର୍ଯ୍ୟକ୍ରମ ଦିନ ଅପରୂପାଙ୍କ ଦେହ ଅତ୍ୟନ୍ତ ମାତ୍ରାରେ ଖରାପ ହୋଇଗଲା । ସୁକଲ୍ୟାଣ ଅନ୍ୟମାନଙ୍କୁ ନେଇ କାର୍ଯ୍ୟକ୍ରମକୁ ଚଳେଇ ଦେଲେ କିନ୍ତୁ ଦର୍ଶକ ଅସନ୍ତୁଷ୍ଟ ହେଇ ଫେରିଲେ । ଦିନେଶ କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା ହେତୁ ସେ ମଧ୍ୟ ବ୍ୟସ୍ତ ହେଲେ ।

‘ସୁକଲ୍ୟାଣଜୀ ଆପଣ ମ୍ୟାଡାମ୍‌ଙ୍କ ଯତ୍ନ ନେଇ ପାରିବେନି ଆମକୁ କୁହନ୍ତୁ । ଶ୍ରେଷ୍ଠ ଆକର୍ଷଣ ସେ ଏହି କାର୍ଯ୍ୟକ୍ରମରେ । ଆହୁରି ଅନେକ ବାକି ଅଛି । ମୋ ମାନହାନି କରିବାକୁ ଚାହୁଁନି କାରଣ କାଲି ଆପଣଙ୍କ ସ୍ଥାନରେ ପୁଣି ଆଉ କାହାକୁ ନେଇ କାର୍ଯ୍ୟକ୍ରମ କରିବି କିନ୍ତୁ ମୁଁ ଆଉ ମୋ କମ୍ପାନୀ ବିଶେଷ ମନୋରଂଜନ ଦେଇପାରିବା ସ୍ୱୀକୃତି ଦେଇଛନ୍ତି ଏଠିକା ଲୋକଙ୍କୁ । ଦିନେଶ କହିଲେ କ୍ଷୋଭର ସହ ।

ସୁକଲ୍ୟାଣ ଏହି କଥାଟିକୁ ସହଜରେ ନେଇ ପାରିଲେ ନାହିଁ ।

ଅପରୂପା ଠିକ ହେଲେ । ଦିନେଶ ମଧ୍ୟ ଅଧିକ ଯତ୍ନଶୀଳ ରହିଲେ ଅପରୂପାଙ୍କ ପ୍ରତି । ଦିନେଶ ଯେତିକି ଆଗ୍ରହ ନେଇ ପଚାରୁଥାନ୍ତି ଠିକ୍ ସମୟରେ ଔଷଧ ଖାଇବା କଥା, ଶୋଇବା ଓ ଅନ୍ୟାନ୍ୟ ଭଲ ମନ୍ଦ, ସୁକଲ୍ୟାଣ ସେମିତି ଉଦାସ ରୁହନ୍ତି ଅପରୂପାଙ୍କ ପ୍ରତି ।

ଦିହିଁଙ୍କ ଭିତରେ ଏହି କଥାକୁ ନେଇ ଚର୍ଚ୍ଚା ବି ହୁଏ । ଚର୍ଚ୍ଚା କ୍ରମେ କଥା କଟାକଟି ଆଡକୁ ଯାଏ । ସୁକଲ୍ୟାଣ ଅପରୂପାଙ୍କ ମଧ୍ୟରେ ବୟସର ଫରକ ମଧ୍ୟ ଦିହିଁଙ୍କ ବିଚାରଧାରା ତାରତମ୍ୟକୁ ବଢ଼ାଇ ଦିଏ ।

ସୁକଲ୍ୟାଣ ହତାଶ ହୋଇପଡ଼ନ୍ତି ଓ ଅପରୂପା ଏକୁଟିଆ ହୋଇ ଉଦାସ ହେଇ ରହନ୍ତି । ଦୁବାଇ, କ୍ବାଲାଲାମ୍ପୁର, ହଂକଂ ଇତ୍ୟାଦି ଅନେକ ସ୍ଥାନରେ କାର୍ଯ୍ୟକ୍ରମ ଥାଏ । ନିର୍ଦ୍ଦେଶକ ଓ ନୃତ୍ୟାଙ୍ଗନା ମଧ୍ୟରେ ତାଳମେଳ କିଛି ସ୍ଥାନରେ ଉତ୍କଟ ପରିଲକ୍ଷିତ ହୁଏ ।

ଅନ୍ୟମାନେ ବହୁତ ଚେଷ୍ଟା କରନ୍ତି ବୁଝାଇବା ପାଇଁ । କିନ୍ତୁ କିଛି କାମ କରେନି । ମନ ଫଟାଫଟି ବର୍ତ୍ତମାନ ସମସ୍ତେ ଜାଣିଲେଣି ।

ସୁକଲ୍ୟାଣ ନିଜ ଉପରୁ ନିୟନ୍ତ୍ରଣ ହରାଇ ସାରିଛନ୍ତି । ଦୁଃଖରେ ଭାଙ୍ଗି ପଡ଼ିଲେଣି । ଅପରୂପା ସେଥିପ୍ରତି ଉଦାସ । ସେ ଚାହାନ୍ତି ନିଜ ଭବିଷ୍ୟତ ସଜାଡ଼ିବା ପାଇଁ । ନୃତ୍ୟରେ ମନୋନିବେଶ କରନ୍ତି । ଦିନେଶଙ୍କ ସାଥିରେ ବୁଲନ୍ତି ଓ ବିଦେଶର ଅନେକ ସ୍ଥାନକୁ ଉପଭୋଗ କରନ୍ତି । ଅପରୂପା ଜାଣନ୍ତି ସୁକଲ୍ୟାଣଙ୍କ ପାଖେ କଳା ଅଛି । ଧନ ନାହିଁ । ଜୀବନ ଏତେ ସହଜ ରହିବନି ସୁକଲ୍ୟାଣଙ୍କ ସାଥିରେ । ପ୍ରତି ସ୍ତରରେ ସେ ଜୀବନକୁ ଭଲ ଭାବରେ ଦେଖିଛନ୍ତି । ଗାଁରୁ ଆସି, ସୁମିତଙ୍କ ସହ ସଂପର୍କ ପୁଣି ସୁକଲ୍ୟାଣଙ୍କ ସହ ପରିଚୟ ଆଉ ଏବେ ସେ ଜଣେ ପ୍ରତିଷ୍ଠିତ ନୃତ୍ୟାଙ୍ଗନା । ପାହାଚ ପାହାଚ ଚଢ଼ିଲେ ଶୀର୍ଷରେ ପହଞ୍ଚି ହୁଏ । ଯଦି ପାହାଚକୁ ଭଲ ପାଇ ବସିବେ ତେବେ ଶୀର୍ଷ ସବୁବେଳେ ଅପହଞ୍ଚ ରହିବ ଏହା ଅପରୂପା ଅନୁଭବ କରି ବିଦେଶ କାର୍ଯ୍ୟକ୍ରମ ସରିବା ପରେ ଦିନେଶଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ।

ସୁକଲ୍ୟାଣ ନିଜକୁ ଦୁନିଆରୁ ଦୂରେଇ ନେଲେ । ଏହି ହତାଶ ଜୀବନକୁ ସେ ହଜାଇ ଦେଲେ କୋଉ ଅଖ୍ୟାତ ଗାଁ ଭିତରେ । ନିଜ ଅନୁଷ୍ଠାନ, ନିଜ ବିଦ୍ୟା ସବୁ ସେ ତ୍ୟାଗ କରି ନିରୁର୍ଦ୍ଦିଷ୍ଟ ଜୀବନ ବଂଚିବା ଶ୍ରେୟସ୍କର ମନେ କଲେ । ବହୁତ ବର୍ଷ ପରେ ସରକାରଙ୍କ ଦ୍ୱାରା ପୁରସ୍କୃତ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଗୁରୁ ସୁକଲ୍ୟାଣ ଦାସଙ୍କୁ ଖୋଜା ପଡ଼ିଲା । କେହି ଜଣେ ସାମ୍ବାଦିକ ତାଙ୍କୁ ଅଜ୍ଞାତବାସରୁ ଫେରେଇ ଆଣି ସରକାରଙ୍କ ଦ୍ୱାରା ଦିଆଯାଉଥିବା ସମ୍ମାନ ନେବା ପାଇଁ ରାଜି କରାଇବାକୁ ବହୁତ ଚେଷ୍ଟା କଲେ ।

ସମ୍ମାନ ନେବା ଦିନ ଅକସ୍ମାତ ସୁକଲ୍ୟାଣଙ୍କ ହୃଦଘାତରେ ମୃତ୍ୟୁ ହେଲା । ସମ୍ମାନ ଓ ପ୍ରେମ ସେମିତି ରହିଗଲେ ଦୂରତାରେ ।

Report an Error