
ଜାଣିଛ !
ଯେତେବେଳେ ଦୁଃଖରେ ନଇଁପଡନ୍ତି ପର୍ବତମାନେ
ନଈସବୁ ଛାଣିଆଣନ୍ତି ଅର୍ନ୍ତଦାହ ଯେତେ,
ତମେ କୁହ ସମୁଦ୍ରର ସ୍ୱାଦ ଲୁଣି ।
ଯେତେବେଳେ କଷ୍ଟ ହୁଏ ତମକୁ ଓ ମତେ
ମତେ ଲାଗେ; ସବୁ ଦୁଃଖ ଅଭିଶାପ
ତମେ କିନ୍ତୁ କହ !
ଅଭିଶାପରେ ବି ଥାଏ ନିଜରପଣ ।
ମୁଁ କହେ;
ପ୍ରଜାପତି ସବୁ ଯାଯାବର
ରଂଗ ସବୁ କ୍ଷଣଭଙ୍ଗୁର
ତମେ ହସି ଦେଇ ପଚାର,
ଲୁହର ରଂଗ କେତେ ଗାଢ଼ ?
ଯେତେବେଳେ ଏକ୍ଲାଥାଏ, ନେପଥ୍ୟରେ !
ରଂଗ ମାଖେ ଚିବୁକରେ,
ପଚାରେ ତମକୁ, ତମେ କିଏ ମୋର ?
ମତେ ଉତ୍ତର ଫେରାଅ;
ମୁଁ ଆକାଶ ତୁମ ଉଡାଜାହାଜର
ଜାଣିଛ !
ଗଛମାନେ କଣ ଭାବୁଥିବେ ଏକାନ୍ତରେ
ରତ ରତ ସଂଜବେଳେ
ସେବେ ଯାଇଁ ଭାଙ୍ଗୁଥିବ ନୀରବତା
ଯେବେ ପକ୍ଷୀସବୁ ଫେରୁଥିବେ ନୀଡ଼କୁ
ତମେ ମଉନ ହେଇ ବସିଲେ,
ମତେ ଭାରି ଲାଜ ମାଡେ
ତମେ ଛୁଇଁଲେ,
ମୋ ଓଠ ଥରେ !
ତମେ ପଚାର; ଧ୍ଵନି ସବୁର ତୀବ୍ରତା କେତେ ?
ମୁଁ ମନେ ମନେ କହେ
ମୁଁ ତୁମଠୁଁ ଯେତିକି ପାଖେ !