ଦୃଶ୍ୟ ବାହାରେ ପକ୍ଷୀଟିଏ

ସେ ପକ୍ଷୀ ଅଛି ଓ ନାହିଁ ମଧ୍ୟ । ସମଗ୍ର ଅସ୍ତିତ୍ଵ ଗୋଟେ ପକ୍ଷୀସତ୍ତା ହୋଇ ଏ କବିତାରେ ଅଦୃଶ୍ୟ ଉଡାଣ ବଜାୟ ରଖିଛି ।


ଅନେକ କଷ୍ଟରେ ତିଆରି ଏ ଉପବନ
ଶାଖାଭର୍ତ୍ତି ଶ୍ୟାମଳ ଡାଳରେ ଦୋଳିଖେଳେ
ଥୋଳାଥୋଳା ଲାଲ୍ ଓ ସବୁଜ ଫୁଲଫଳ ।

ପାହାଡ ଝୋଟମୁଣ୍ଡର ଚୂଡାରେ
ପକ୍ଷୀଟି ମଳତ୍ୟାଗ କଲାବେଳେ
ପାହାଡର ପଥୁରିଆ ଅତୀତ ଅଜାଡି ହୋଇ ପଡେ
ଦିନେ ସେ କେତେ ଶ୍ୟାମଳ ଥିଲା !
ପକ୍ଷୀଟି ଗୀତ ଗାଏ,
ପାହାଡ ତା'ର ପ୍ରତିଧ୍ବନିରେ ଶୁଣାଏ କବିତା ପରି କିଛି ପଂକ୍ତି ।

ଏଇ ଝୋଟମୁଣ୍ଡିଆ ପାହାଡ ତଳେ ଧାରେ ପାଣି ଅଛି
ଏଇ ଧାରେ ପାଣି ହିଁ ଆମ ଭବିଷ୍ୟତର ଅର୍ଖିତ ଢୋକ,
ଏଇ ଝୋଟମୁଣ୍ଡିଆ ପାହାଡ ତଳେ
ଅନେକ ବିଜୁଳି ଓ ଘଡଘଡି ପୋତି ହୋଇକି ଅଛି
ଦୂର କରିବାକୁ ଅମାଅନ୍ଧକାର
ଅନେକ ଗାଁ' ଓ ସହରର ।

ଏଇ ହିଁ ଆମର ଶେଷତମ ଆଶା ଓ ଭରସା
ଧାରେ ପାଣି, ଗାରେ ଆଲୁଅର ।

ଯା'ର ଝୋଟମୁଣ୍ଡରେ ନିରନ୍ତର ମଳତ୍ୟାଗ କରେ ପକ୍ଷୀଟିଏ
ବିକ୍ଷେପଣ କରେ ହରେକ ଜାତି ବୀଜର
ସେଇ ବୀଜରେ ତିଆରି ପାହାଡ ଚୂଡାସ୍ଥ ଏ ଉପବନ ।

ଯେଉଁମାନେ ପାହାଡଟିକୁ ଦେଖିବାର ଇଚ୍ଛାକରି
ଗୋଡି ଓ ପଥର ଉପରେ ନିଜ ପାଦକୁ ଘୋଷାଡି ଆଗକୁ ବଢନ୍ତି
ସେଇମାନେ ଛୁଅଁନ୍ତି ଶିଖର ।

କେହି କେହି ପକ୍ଷୀଟି ଗାଉଥିବା ଗୀତର ମୁଖୁଡାକୁ ଶୁଷୁରି କରିଦିଅନ୍ତି ଓଠ ସନ୍ଧିରେ,
କେହି କେହି ପାହାଡର ଶିଳିଭୂତ ପ୍ରତିଧ୍ବନିକୁ ସଂରକ୍ଷିତ କରି ରଖିଦିଅନ୍ତି ହୃଦୟ ସନ୍ଧିରେ,
କେହି କେହି ଆରୋହଣର କଷ୍ଟକୁ ଗର୍ଭସ୍ଥ କରିବାକୁ ତୋଳିଆଣନ୍ତି
ଲାଲ୍ ଓ ସବୁଜ ଫୁଲଫଳ,
କେହି କେହି ଦବାଇ ଦିଅନ୍ତି କେମେରାର ବଟନ୍
ପତ୍ରର ହସ, ପକ୍ଷୀର ଗୀତ, ପାହାଡର ପ୍ରତିଧ୍ବନିକୁ
ପ୍ରସ୍ତରୀଭୂତ କରି ରଖିବାକୁ ନିଜ ନିଜର କାନ୍ଧଝୁଲାରେ ।

ଅନେକ କଷ୍ଟରେ ତିଆରି
ପାହାଡ ଚୂଡାସ୍ଥ ଏ ଉପବନ,
ଏଯାଏ ଗୋଟେ ପକ୍ଷୀର ମଳ
ଯାହାକୁ ରଖିଆସିଛି ସବୁଜ ଓ ଉଜ୍ଜୀବିତ ।

ସେଇ ପକ୍ଷୀଟିକୁ ତୁମେ ଦେଖିଛ କି ?
ପାହାଡର ଝୋଟଚୂଳକୁ ସାବ୍ଜା କରିଥିବା ପକ୍ଷୀଟି ଯେ କାଲିଠୁ ଅଦୃଶ୍ଯ !
ପହରି ରାତିଠୁ ପ୍ରଚଣ୍ଡ ଶବ୍ଦ ଶୁଭୁଚି ପାହାଡ ପାଦଦେଶରେ
ଏହା ବୋମା କି ଡିନାମାଇଟ୍ ନୁହେଁ,
ପିଲାଙ୍କ ତାଳଫୋଟକା ହୋଇଥିବ କି ?

ତମେ କହିପାରିବ କି
ପକ୍ଷୀ ଓ ପାହାଡର ହତ୍ୟା ପାଇଁ
କୌଣସି ଖସଡା ପ୍ରସ୍ତୁତ ହୋଇଥିଲା
ପାହାଡ ତଳି ଡାକବଙ୍ଗଳାରେ ?
ତୁମେ ଶୁଣିଛ କି
ଡେଣା ଫଡଫଡର ପ୍ରତିଧ୍ବନିକୁ କାହା ରକ୍ତାକ୍ତ ଝୁଲାମୁଣିରେ ?
ତୁମେ ଦେଖିଛ କି
ପଦିଏ ଗୀତ, ପଦିଏ କବିତା ପ୍ରସ୍ତରୀଭୂତ ହୋଇଯିବା
କାହା ମାର୍ବଲ୍ ର ନିର୍ମମ ଚଟାଣରେ ?

ସେଇ ନିଖୋଜ ପକ୍ଷୀଟିକୁ ତୁମେ ଦେଖିଛ କି ?
କେଉଁ ଘଞ୍ଚ ପତ୍ରସନ୍ଧିରୁ ପକ୍ଷୀଟିର ଗୀତ ତୁମେ ଶୁଣିଛ କି ?
ପକ୍ଷୀଟି ଏବେ ଦୃଶ୍ୟ ବାହାରେ ନା ଦୃଶ୍ୟ ଭିତରେ
ତୁମେ କହିପାରିବ କି ?

Report an Error