ଦ୍ରୋହ ଓ ପ୍ରେମର ପ୍ରାର୍ଥନା

ଏହା ଗପ କି କବିତା ନୁହେଁ । ଏହା କେବଳ ଗୋଟେ ଉଚ୍ଛ୍ବାସ । ଅଦମ୍ୟ ନାସ୍ତିକତା ଭିତରେ ଟୋପେ ବିଶ୍ଵାସ ଯାହାକୁ ଆପଣ ପରମ୍ପରା ବୋଲି କହିପାରନ୍ତି । ଏହା ଇତିହାସ ଓ ସମୟକୁ ଆସ୍ଥାର ବିନ୍ଦୁରେ ବିମ୍ବିତ କରୁଥିବା କେଇପଦ କଥା ମାତ୍ର ।


ତମରି ସ୍ପର୍ଶରେ ମୃତ୍ୟୁ ପାଲଟିଯାଏ ଅମୃତ ।
ତମେ ମୃତ୍ୟୁକୁ ବରଣ କର ଓ ମୃତ୍ୟୁ ଅମର ପାଲଟିଯାଏ ତମ ପାରୁଶରେ ।
କେଜାଣି ସେ କେଉଁ କ୍ଷଣ
କେଉଁ ଦଣ୍ଡ, ଲିତା, ବିଲିତା, ଘଣ୍ଟା, ମିନିଟ୍ ଅବା ସେକେଣ୍ଡ ?
କେଉଁ ତାରିଖ, ତିଥି, ମାସ ଅବା ବର୍ଷ ?
ସେ ମହାକାଳର କେଉଁ ଟୋପାଏ ବିନ୍ଦୁ ଯୋଉଠି ତମେ ଘଟ ଛାଡ଼ି ଆଉ ଏକ ଘଟକୁ ବିଜେ କର !
ସେ ବିନ୍ଦୁ ଇ ଅମୃତ । ସେ ମୃତ୍ୟୁ ଇ ମହାଜୀବନ - ମହ ମହ ଜୀବନ ।

ହେ ଜୀବନ ଦେବତା !
ତମେ ମରଣକୁ ବରଣ କରି ଜୀବନକୁ ଚିନ୍ମୟ କରିଦିଅ ।

କୋଇଲି ବୈକୁଣ୍ଠରେ ସେ ଘୋର ନିଶାକାଳ ନା ଉଦୁଉଦିଆ ଖରାବେଳ ?
କୋଇଲି ବୈକୁଣ୍ଠର ଶିଆଳୀ ଲଟା ତଳେ ସେ ଛାଇ ଲେଉଟା ବେଳ ନା ଭୀଷଣ ଅନ୍ଧକାର ?
କୋଇଲି ବୈକୁଣ୍ଠର ନିଘଞ୍ଚ ରହସ୍ୟ ତଳେ ସେ ତୁଳସୀ ଓ ଦୟଣାର ବାସ୍ନା
ନା ତମେ ଆଉ ନାହିଁ ବୋଲି ଏକ ଚିତ୍କାରିତ ହାହାକାର ?
ସେ କୋଇଲି ବୈକୁଣ୍ଠ ନା ଆମ ସମସ୍ତଙ୍କ ମୃତ୍ୟୁର ଚିରନ୍ତନ ବିରାଳ ?

ଅଦ୍ଭୁତ ତୁମର ଦେବତାପଣ ।

ବେଳେବେଳେ ଲାଗେ ତମେ ଦେବତା ଇ ନୁହଁ ।
ତମେ ମୋ ପରି । ବୋଧେ ମୁଁ ବି ତମ ପରି - ଅହଂ ବ୍ରହ୍ମୋସ୍ମି ।
ମୁଁ ତୁମକୁ ଗଢେ ମୋର ମନରେ । ବସାଏ ତମକୁ ମୋର ଜୀବନ ଓ ଜଗତର ଚକା ବଇଠି ଉପରେ ।
ମୋରି ଭାବରେ ଓ ବାଗରେ ବନାଏ ତମକୁ ।

ମୋର ରକ୍ତରଙ୍ଗରେ ରଂଗାଏ ତୁମର ଅଧର ।
ମୋରି ଅଧଗଢା ସ୍ଵପ୍ନରେ ଗଢିଦିଏ ତୁମର ସେ ଚାଲୁଣି ପରିକା ଆଖି !
(ସେ କବି ଧନ୍ୟ, ଯେ କହିଥିଲା‘ ଭାଲୁଣୀ ପରାଏ କାଳିଆ ମୁହଁକୁ ବାଲୁଣି ପରିକା ଆଖି)
ମୋର ଦେହର ସାମା ତମକୁ କରେ ହାତ ପାଦ ନଥିବା ମାଦଳ ଠାକୁର ।
ତମେ ମୋର ବିସ୍ମୟର କିଟ୍ ହିଟ୍ କଳା ।
ତମେ ମୋର ପାଗଳ ଇଚ୍ଛାର ମହାନିମ୍ବ ଦାରୁ ।
ମୁଁ ଗଛ ପରି ବଢ଼େ ଓ କାଟି ପକାଏ ନିଜକୁ ।
ନିଜେ ନିଜକୁ କୁରାଢୀରେ କାଟି, ଚଉପଟ କରି ଘେନିଯାଏ ଅଣସରକୁ ।
ତାଟି ସେ ପାଖରେ ମୁଁ ଗୋଟେ ଦରପାଗଳା ବିଶ୍ୱକର୍ମା - ନିଜକୁ ଗଢୁ ଗଢୁ ଗଢିଦିଏ ତମକୁ ।
ତମେ ମୋର ଅପୂର୍ଣ୍ଣ ଇଚ୍ଛାର ପରିପୂର୍ଣ୍ଣ ମହାପ୍ରକାଶ ।
ମୋର ସୃଜନ, ତୁମର ମହାରାସ ।

ତମେ ଠିକ୍ ମୋରି ପରି ।

ସକାଳୁ ଉଠ, ଗାଧାଅ, ଦର୍ପଣରେ ମୁହଁ ଦେଖ, ଖାଅ, ଗୀତ - ନାଚ ଦେଖ ଓ ପହଡ ଯାଅ ।
ମୋର ନିଦ ଭାଙ୍ଗିଲେ ମୁଁ ଗାଏ - “ଉଠ ଉଠ ଶ୍ୟାମଘନ ମଧୁଯାମିନୀ ପାହିଲା” ।
ମୋର ଭୋକିଲା - ନ - ଅଙ୍କିଆ କଣ୍ଠରେ ବିଳାପ - “କୋଠ ଭୋଗଖିଆ ମୋ ଚକାଆଖିଆ”।
ମୋର ହତାଶଭରା ବାଲୁଚରରେ ଥକିହାରି ମୁଁ ଡାକ ପକାଏ - “ଜଗନ୍ନାଥ ହେ ଗୋସାଇଁ”
ମୋର କଳ୍ପନା ଫିଟି ପଡ଼େ ଯେବେ ମୁଁ ଦେଖେ –
“ଗାଈ ଦୁହୁଁ ଦୁହୁଁ କେଶ ଫିଟିଗଲା, ଚତୁର୍ଭୁଜ ହେଲେ ଅନନ୍ତ” ।
ଆଉ ମୋର ପାଗଳପଣର ଚରମ ଅବସ୍ଥାରେ ତମକୁ ମାଗେ -
‘ଦେ’ ମୋତେ ବାଇଆ କରି ଆରେ ମୋର କାଳିଆ ରଜା” ।

ଆମର ପାଗଳପଣ ବି ଦୟଣା ପରି ବାସେ । ତୁଳସୀ ଓ ଚନ୍ଦନ ବନରେ ଗୋଟେ ଅପୂର୍ବ ଉନ୍ମାଦଭରା ଆମର ସଂପର୍କ ।
ତମେ ପ୍ରଚଳ “ମତ୍ତବାରଣ” ହୋଇ ଆସ ମୋ “ଆରତବନର ଦଳନ” କରିବାକୁ ।
ତମେ ପତିତପାବନ ହୋଇ ମୋରି ଲାଗି ବସି ରୁହ ସିଂହଦ୍ଵାର ଗୁମୁଟରେ - ଖାସ୍ ମୋରି ଲାଗି ।
ମୁଁ ସେଇ ପାଗଳ ଯିଏ ତୁମର ବଡଦାଣ୍ଡରେ ହଜେଇ ଦିଏ ସବୁ କୁଳ, ଗୋତ୍ର, ଜାତି, ଧର୍ମ ଓ ପରିଚୟ ।

ଲିଭେଇଦିଏ ସବୁ ସୀମା ଓ ସଂକୋଚ ।
ମୁଁ ବିଟାଳ ବ୍ରାହ୍ମଣ ବଳରାମ ଦାସ ।
ମୁଁ ଜାତିରେ ଯବନ ସାଲବେଗ ।
ମୁଁ ଅର୍ଦ୍ଧମାନବୀ ଅର୍ଦ୍ଧବୈଷ୍ଣବୀ ମାଧବୀ ଦାସୀ ।
ମୁଁ ଦାସିଆ, ମୁଁ ବନ୍ଧୁ ମହାନ୍ତି, ମୁଁ ଅଜାମିଳ ପାପୀ ।
ମୁଁ ତମର ମରଣକୁ ଲୌକିକ ଆନନ୍ଦରେ ଅମୃତ କହୁଥିବା ଦଇତା ।
ମୁଁ ତମର ନବକଳେବର ଲାଗି ନିହାଣ ପଜାଉଥିବା ବିଶ୍ଵକର୍ମା ।
ମୁଁ ତମର ଘଟକୁ ନେଇ ପତାକା ଉଡଉଥିବା ମହାମୂର୍ଖ ରାଜନେତା, ଭାଟ, ଟାଉଟର ଓ ମହା ସ୍ବାର୍ଥପର ।

ମୋର ଦେହ ଭିତରେ ଏକାକାର ମାର୍କଣ୍ଡ ପୁଷ୍କରିଣୀ ଓ ମହୋଦଧି ।
ମୁଁ ପବିତ୍ରତମ ପାପୀ ଓ ମୋର ପାପିଷ୍ଠ କଳେବରରେ
ତମେ ମହାପୁଣ୍ୟର ଜ୍ୟୋତିର୍ମୟ ନବକଳେବର ।

ମୁଁ ଅଛି ବୋଲି ତମେ ଅଛ ।
କେହି କେହି କହନ୍ତି ତମେ ଅଛ ବୋଲି ମୁଁ ଅଛି ।
ହେଲେ ଏତିକି ଜାଣେ, ମୁଁ ନଥିଲେ ତମେ ଅଛ ବୋଲି ଜାଣି ପାରିବିନି ।
ତେଣୁ ମୁଁ ଓ ତମେ ଏକାକାର ହୋଇ ଏକା ସାଙ୍ଗରେ ରହିଛୁ ।
ମୋ ପରି ମୁଁ ତମକୁ ସାଜି ଦେଉଛି ।
ତମେ ମୋର ରାଜା ଓ ମୁଁ ତମର ରାଉତ ।
ତମେ ମୋର ଗୀତପ୍ରିୟ ରସିକ ଶେଖର, ଆଉ ମୁଁ ବାଇଗଣ କିଆରୀରେ ଗୀତଗୋବିନ୍ଦ ଗାଉଥିବା ବାୟାଣୀ ମାଲ୍ୟାଣୀ ।
ମଦନ ବାଣରେ ଅର୍ଦ୍ଧଉନ୍ମାଦ 'ଦେହି ପଦ ପଲ୍ଲବ ମୁଦାରମ୍” ବୋଲି ମୋ ଆଗରେ ବିକଳ ହୁଅ ତୁମେ - ଆଉ ମୁଁ ରାଧା ଗଉଡୁଣୀ ।

ମୁଁ ରଥ, ତମେ ମୋର ରଥୀ
ମୁଁ ପଥିକ, ତମେ ଅସରନ୍ତି ପଥ ।
ମୁଁ ଚଣ୍ଡାଳ ବିଟାଳ, ତମେ ନୀଳଚକ୍ରରେ ଫର ଫର ପତିତପାବନ ଚିରାଳ ।

ଶହ ଶହ ବର୍ଷ ଧରି ତମେ ଶୋଇ ରୁହ ଶିଆଳୀ ଲଟା ତଳେ ପାତାଳୀ ହୋଇ ।
ତମେ ନବଯୌବନ ନେଇ ନେତ୍ର ଫିଟାଅ ମହାବେଦୀରେ ।
ତମେ ପଟୁଆରକୁ ଦେଖ ଶଗଡିରେ ବସି ।
ତମେ ପଟୁଆର ନାୟକ ପହଣ୍ଡି ବିଜୟରେ ।
ତମେ ମୋ ସାଂଗରେ ଯୁଦ୍ଧକୁ ଯାଅ ଘୋଡ଼ାନ୍ତେ ଚଢି ।
ମୁଁ ଜିତିଲେ ତମେ ରାଜ ଚକ୍ରବର୍ତ୍ତୀ । ମୁଁ ହାରିଲେ ତମେ ପଳାତକ ଓ ପାତାଳୀ !
ମୁଁ ତମକୁ ଘେନିଯାଏ ମୋ ଆତ୍ମାରେ ।
ମୁଁ ବିଧର୍ମୀ ଗଜପତି ହାଫିଜ କାଦର –
ତମକୁ ନେଇ ଘୂରି ବୁଲୁଥାଏ ଅନ୍ଧାରୁ ଅନ୍ଧାର ।
ମୁଁ ବିଶର ମହାନ୍ତି, ମୋର ମୃଦଙ୍ଗ ଭିତରେ ତମେ ଗୋପ୍ୟ ହୋଇଥାଅ ନାଦ ପରି ।
ମୁଁ ବି କଳାପାହାଡ଼ - ଉଦ୍‌ଭ୍ରାନ୍ତ ଓ ଉଦ୍‌ବାସ୍ତୁ ।

ମୋର ପାପ ତମେ - ମୋର ମୋକ୍ଷ ବି ତମେ ।

ମୁଁ ଯିଏ ତମେ ସିଏ ।
ମୁଁ ଯାହା ନଥିଲି ତମେ ସେହି ।
ଯାହା ମୁଁ ନୁହେଁ, ସେ ବି ତମେ ।
ତମେ ମୋର ସବୁ କିଛି । ତମେ ମୋର କିଛି ନୁହଁ ବୋଲି କହେ ।
ତମେ ମୋର ପ୍ରେମ, ତମକୁ ମୁଁ ଜୀଏଁ ।

Report an Error