ଦିିଗବିଜୟୀ

ତୃଷ୍ଣା ଇ ତ ପ୍ରେମ । ତେବେ ଏ ତୃଷ୍ଣାରେ ତୃପ୍ତି ବୋଲି କିଛି ନାଇଁ । ପାଣି ଢାଳିଦେବା ଓ ଢାଳିସାରିଲା ପରେ ଆଉ ପାଣି ଦେବିନି ବୋଲି କହିବା ଭିତରେ ଏଠି ଏକ ରହସ୍ୟର ଭାବ ବଳୟ ପ୍ରସାରିତ ହୋଇଯାଉଛି ।


(୧)

ସନ୍ଧ୍ୟା ପୁରା ହୋଇ ନାହିଁ ।

ମୁଁ ଘାସ ବାଛି ସାରି କଳସୀ କଳସୀ
ପାଣି ଢାଳୁଚି ମୋ ଧାନ କିଆରିରେ ।

ଏତେବେଳେ ଅପୂର୍ବ ବିଶାଳ ଏକ
ଘୋଡାରୁ ସେ ଓହ୍ଳାଇଲେ ।
ଆଗରେ ପଛରେ ଉଡୁଥିଲା
ସୁନାର ରୂପାର ଧୂଳି,
ଆଖି ପାଉଥିବା ଯାଏଁ ଦିଶୁଥିଲା
ଯେତେ ବନ ଗାଁ ଗଣ୍ଡା ପାହାଡ଼ ପର୍ବତ,
ଆଲୋକିତ ଦିଶୁଥିଲେ ।
ମୁଁ ଦେଖିଲି ପୋଷାକ ମୁକୁଟ ତାଙ୍କ
ସାଜସଜ୍ଜା ଖଣ୍ଡ ଖଣ୍ଡ ସୂର୍ଯ୍ୟରେ ତିଆରି ।

"ରାଜପୁତ୍ର, ଜଣେ ଦିଗବିଜୟୀ ରାଜପୁତ୍ର"
ମୁଁ ଅଧିର ହୋଇ ନିଜେ ନିଜକୁ କହିଲି,
ଫେରି ଯାଉଥିବା ଖରା ପକ୍ଷୀଙ୍କୁ ଡାକିଲି,
ମୁଠା ମୁଠା ଫୁଲ ଆଉ ପ୍ରଜାପତି
ବାରମ୍ବାର ଧରିଲି ଛାଡ଼ିଲି ।
ମୁଁ ବିଲକୁ କହିଲି ମୋର କ୍ଲାନ୍ତିକୁ କହିଲି,
"ଦେଖ ଦେଖ,ଇଏ ସେଇ ରାଜପୁତ୍ର
ଏତେଦିନେ ଆସିଛନ୍ତି ମୋ ଅଜସ୍ର
କାହାଣୀଙ୍କ ଫାନ୍ଦରୁ ମୁକୁଳି ।"

ଚାହୁଁ ଚାହୁଁ ସେ ପହଁଚିଗଲେ
ମୋର ଅତି ନିକଟରେ
କହିଲେ "ଏଠାରେ ପାଣି ଟିକେ ମିଳିବ କି,
ତଂଟି ଶୁଖି ଯାଉଚି ଶୋଷରେ ।"

ମୁଁ ତାଙ୍କୁ ପାଣି ଦେବି ?
ଲାଜରେ ମୋ ମୁଣ୍ଡ ନଇଁ ଗଲା ।
ମାଟି କାଦୁଅରେ ଗଢ଼ା ଦେହ ମୋର
ଥର ଥର ଥରି ଗଲା ।

ମାଟି ବଲ ବଲ ମୋର କଳସୀରୁ
ଗୋଳିଆ ପାଣିର ଧାରା ଉଛୁଳି ପଡିଲା
ତାଙ୍କ ହାତ ପାଦ ଆଉ ସମଗ୍ର ଶୋଷରେ ।
ଆମ ଦୁହିଙ୍କ ଚାରି ପାଖରେ
ପାଣିର ଆବର୍ତ କେତେ ଶୀଘ୍ର ଶୀଘ୍ର ଘୁରିଗଲା ।
କି ଅନନ୍ତ ଶୀତଳତା !
ଅଶେଷ ଜଳ ପ୍ରପାତ ସ୍ୱର୍ଗରୁ ବା ସେହିଠାରେ
ସେହି କ୍ଷଣି ଓଲ୍ହାଇ ପଡିଲା ।
ସନ୍ତୁଷ୍ଟ, ବିସ୍ମିତ ହୋଇ ସେ ମୋର ଦୁଇ ହାତ
ଧରିନେଲେ, ପଚାରିଲେ "ସତରେ କହିଲ
ଏତେ ମିଠା ପାଣି ତମେ କେଉଁଠୁ ପାଇଲ ?"

(୨)

ମଉନ ଅଚଳ ହୋଇ ରହିଛି ସେଇ ଦିନରୁ,
ଆଜିକାଲି କିଛି ନ କଲେ ବି
ଛାଏଁ ଛାଏଁ ଫସଲ କିଆରି ପୁୁରିଯାନ୍ତି
ପାଚିଲା ଧାନରେ ।

ମଧୁର ବହେ ପବନ, ମଧୁରତର କମ୍ପନ
ବାଜି ଉଠେ ଜୀବନରେ,
ସହସ୍ର ମଧୁ ଝରଣା ଛୁଟି ଆସି
ମିଶୁଛନ୍ତି ମୋ ଛୋଟିଆ ପୋଖରୀ ଦେହରେ ।
ସକାଳ ହେବା ମାତ୍ରକେ
ଚମ୍ପା ମଲ୍ଲୀବଉଳ ମାଳରେ ବାଟଘାଟ ଛାଇଯାଏ
ସନ୍ଧ୍ୟାରେ କଳସୀ ଗୋଟି ଆପେ ଭରିଯାଏ ।
ଗୋଟିଏ ଦୀପାଳି ମୋର ରାତି ହେଲେ
କୋଟି କୋଟି ହୋଇ ଜଳିଯାନ୍ତି
ଛାତି ତଳେ, ମାଟି ତଳେ ଉପରେ ଓ ଶୂନ୍ୟ ଗହୀରରେ ।

ସବୁବେଳେ କିନ୍ତୁ ତାଙ୍କ କଥା ଭାରି ମନେ ପଡେ ।
ଘୋଡା ଟାପୁ ଶବ୍ଦ ଶୁଭେ କାନ ଡେରି ଦେଲେ ।
ଦୂର ଦିଗବଳୟ ଦର୍ପଣରେ ତାଙ୍କ ଦୁଇ
ଆଖି ଯେବେ ଭାସିଯାଏ,
ମୁଁ ଆଖି ମିଳାଇ ଦେଲେ ପୁଣି ହଜିଯାଏ ।
ବେଳେବେଳେ ଦେଖେ ସିଏ
ଅଖଣ୍ଡ ଖରା ଭିତରେ ବୁଲୁଛନ୍ତି
ମୋତେ ଦେଖି ଲୁଚି ପଡୁଛନ୍ତି ।

ଏତେ ସବୁ ଆପଣାର ଥାଇ ଯଦି
ଏଠି ନ ରହିବେ ନ ରହନ୍ତୁ
ନିଶ୍ଚୟ କହୁଛି,
ଟୋପାଟିଏ ପାଣି ଆଉ ଦେବିନାହିଁ
ଆଉ ଥରେ କେବେ ଆସି ଯେତେ ବି ମାଗିଲେ ।

Report an Error