ଓଡ଼ିଶାର ପାରମ୍ପରିକ କଳା କାରିଗରି: ଢୋକରା

କାହିଁ କେତେକାଳରୁ ଓଡିଶାର ଲୋକମାନେ ହାତ ତିଆରି ପିତଳ ଜିନିଷ ବ୍ୟବହାର କରିଆସୁଥିଲେ । ତେବେ ଢୋକରା କଥା ଟିକିଏ ଅଲଗା । ଢୋକରା କାଷ୍ଟିଂ ପାଇଁ ଓଡିଶାର ନାଁ ଅଛି । ଏହା ଆମର ଏକ ପାରମ୍ପରିକ ଲୋକକଳା; ଯାହାକୁ ନିର୍ଦ୍ଦିଷ୍ଟ କେତେକ ଅଂଚଳର ଲୋକ ହିଁ ତିଆରି କରନ୍ତି ।


ଫଟୋ - ସୁମିତ୍ରା ପାଢୀ

ଢୋକରା ବିଷୟରେ ଆଗରୁ ଯେ ଧାରଣା ନଥିଲା ସେକଥା ନୁହେଁ; ତେବେ ସେ ବିଷୟରେ ଆଦୌ ଓଡ଼ିଆରେ କେବେ କିଛି ଲେଖାଯାଇନି ବା ସେ ସମ୍ପର୍କିତ ବହି ଯେତେବେଳେ ନାହିଁ ଜାଣିଲି ସେତେବେଳେ ଟିକେ ବିଷଦ ଗବେଷଣା କଲି । ଭେଟିଲି ଅନେକ କାରିଗରଙ୍କୁ । ସେଇମାନଙ୍କଠୁ ପଚାରି ପଚାରି ଆଦାୟ କରିଥିବା ଧାଡ଼ି ସବୁ ଆଣି ଯୋଡ଼ିଲି ଏଇଠି । ତେବେ ଏ ପ୍ରକ୍ରିୟାରେ ସବୁଠୁ ବେଶୀ ସହଯୋଗ କରିଥିଲେ ଢେଙ୍କାନାଳର ବସନ୍ତ ମଉସା ଓରଫ୍ ବସନ୍ତ ବେହେରା । ବୟସ ପାଖାପାଖି ବାସ୍ତରୀ ।

ଗଲା ସାତ ବର୍ଷ ତଳେ ସଦେଇବାରିଣୀରୁ ସଜବାଜ ଘରବାର ଧରି ସପ୍ତଶଯ୍ୟା ପାହାଡ଼ ତଳିକୁ ଉଠି ଆସିବାକୁ ହୋଇଥିଲା ବସନ୍ତ ମଉସାଙ୍କୁ । ସାଙ୍ଗରେ ଥିଲେ ପତ୍ନୀ ବାସନ୍ତୀ ମାଉସୀ ଓ ପିଲାମାନେ । ଏ ନୂଆ ଜାଗାରେ ତାଙ୍କ ପାଇଁ ନା ଥିଲା ଭୂଇଁ ଖଣ୍ଡେ, ନା ଥିଲା ଘର । ପଲିଥିନ୍ ଘର, ଅଭାବ ଅସୁବିଧାକୁ ଆଡ଼େଇ ବସନ୍ତ ମଉସା ପୁଣି ଅଣ୍ଟା ଭିଡ଼ିଲେ ଢୋକରା ଜିନିଷ ତିଆରି କରିବାକୁ । କାରିଗର କ'ଣ ନିଜ କାରିଗରିକୁ ଛାଡ଼ି ରହିପାରେ ? ମଉସା କହନ୍ତି ଢୋକରା ତିଆରି ପଦ୍ଧତି ଏବେ ଢେର୍ ବଦଳି ଗଲାଣି ।

କାହିଁ କେତେକାଳରୁ ଓଡିଶାର ଲୋକମାନେ ହାତ ତିଆରି ପିତଳ ଜିନିଷ ବ୍ୟବହାର କରିଆସୁଥିଲେ । ତେବେ ଢୋକରା କଥା ଟିକିଏ ଅଲଗା । ଢୋକରା କାଷ୍ଟିଂ ପାଇଁ ଓଡିଶାର ନାଁ ଅଛି । ଏହା ଆମର ଏକ ପାରମ୍ପରିକ ଲୋକକଳା; ଯାହାକୁ ନିର୍ଦ୍ଦିଷ୍ଟ କେତେକ ଅଂଚଳର ଲୋକ ହିଁ ତିଆରି କରନ୍ତି । ସିଥୁଲିଆ ନାମକ ଏକ ଆଦିମ ସମ୍ପ୍ରଦାୟର ଅଧିବାସୀ ଏହି କାରିଗରି କରିଆସୁଥିଲେ । ଢେଙ୍କାନାଳର ଘନିଆରାମ, ଥାଟାରିଆନ ଓ ଘେରିଆନ୍ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହା କରୁଥିଲେ ।

ଓଡିଶାର ମୁଖ୍ୟତଃ ଢେଙ୍କାନାଳ ସଦେଇବାରିଣୀରେ ଏହା ହେଉଥିଲେ ମଧ୍ୟ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା, କେଉଁଝର ଜିଲ୍ଲାର କାଇମାଟି, ପୁରୀ ହରଡଗଡିଆ ଆଦି ଅଞ୍ଚଳର କାରିଗରମାନେ ମଧ୍ଯ ଢୋକରା କାଷ୍ଟିଂ ଉପରେ ନିର୍ଭର କରନ୍ତି ଜୀବନ ଜୀବିକା ପାଇଁ ।

ଢୋକରା ଜିନିଷଗୁଡିକ ଆମ ଲୋକସଂସ୍କୃତି ଦ୍ୱାରା ପ୍ରଭାବିତ । ଆଗରୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ତିଆରି ପାଇଁ ନହେଲେ ଝିଅ ବାହା ହୋଇ ବିଦା ହେବାବେଳେ ଭାରଥୁର ଦେବା ପାଇଁ ଯାହା କିଛି ଦରକାର ପଡେ ସେତକ କେବଳ ତିଆରି ହେଉଥିଲା । ଏବେ ଏବେ କିନ୍ତୁ ଡିଜାଇନରମାନେ ଆସି କେତେ ନା କେତେ ନୂଆ ଡିଜାଇନ୍ ସହ ନୂଆ ନୂଆ ସାଜସଜ୍ଜା ଓ ବ୍ୟବହାର୍ଯ୍ୟ ଜିନିଷପତ୍ର ବି ତିଆରି କରେଇଲେଣି । ତେଣୁ ଆଗକାଳିଆ କଳାକୌଶଳ ଆମକୁ ଆଉ ଦେଖିବାକୁ ମିଳୁନି । ଆଣ୍ଟିକ୍ ନାଁରେ ଯାହା ସବୁ ବଜାରରେ ଉପଲବ୍ଧ, ସେସବୁରୁ ଅନେକ ପାତିନା କରାହୋଇ ଆଣ୍ଟିକ୍ ଲୁକ୍ ପାଉଥିବା ଜିନିଷ । ପାରମ୍ପରିକ କଳାକୌଶଳ ଉପରେ ଧାରଣା ଥିବା ଯେକୌଣସି ଲୋକ ଏହାକୁ ସାଙ୍ଗେସାଙ୍ଗେ ଚିହ୍ନିଦେବ ।

ଆଗରୁ ମାତ୍ର ତିନି ଚାରୋଟି ଢୋକରା ଜିନିଷ ତିଆରି ହେଉଥିଲା ।

୧. ମାଣ ତିଆରି ହେଉଥିଲା ମାଣବସାରେ ଚ଼ାଉଳ ମାପିବା ପାଇଁ ।

୨. ତିଆରି ହେଉଥିଲା ଛୋଟ ବଡ ଡିବିରି ମାନ । ବିଜୁଳି ଆଲୁଅ ତ ନଥିଲା ତେଣୁ ଡିବିରିରେ କିରୋସିନ୍ ଦେଇ ଆଲୁଅ ଜଳାଉଥିଲେ ଲୋକ ।

୩. ଗୋଟ ଲକ୍ଷ୍ମୀ ହାତୀ ବି ତିଆରି ହେଉଥିଲା I ହାତୀ ଉପରେ ବସୁଥିଲେ ଲକ୍ଷ୍ମୀ ନାରାୟଣ । ଏଇଟା ମାଣବସାବେଳେ ଦରକାର ହେଉଥିଲା ।

୪. ଘରେ ନିୟମିତ ଦରକାର ହେଉଥିବା ଦୀପ ବି ତିଆରି ହେଉଥିଲା ।

ମଉସା କହନ୍ତି ତାଙ୍କ ବାପାଙ୍କ ଅମଳରେ ଏଇ ଚ଼ାରି ପ୍ରକାର ଜିନିଷ ହେଉଥିଲା । ତା ପୂର୍ବରୁ, ମାନେ ଜେଜେବାପାଙ୍କ ସମୟରେ ମୁଦି, ମୋଟା ମୋଟା ବଳା, ତିନି ଚ଼ାରି ଆଙ୍ଗୁଳି ମୋଟାର ଚୁଡ଼ି, ଅଣ୍ଟା କରାଟ ଆଦି ତିଆରି ହେଉଥିଲା । ସେ ନିଜେ ଯେତେବେଳେ ଶିଖିବା ଆରମ୍ଭ କଲେ, ଯାଇଥିଲେ ଶାନ୍ତିନିକେତନ, କଲିକତା ଗୋଟେ ଟ୍ରେନିଂରେ ଯୋଗ ଦେବାକୁ । ସେଇ ଅବସରରେ ଡିଜାଇନରଙ୍କ ଠାରୁ ସେ ଶିଖିଲେ ହାତୀ, ଚ଼ଢ଼େଇ, ମାଛ, କଇଁଛ ଇତ୍ୟାଦି ।

ଢୋକରା ଜିନିଷଟେ ତିଆରି ପାଇଁ ପିତ୍ତଳ, ବି ୱାକ୍ସ, କୋଇଲା ବା କାଠ, କୁଇ/କାହାଳୀ, ହାତୁଡି, ପାଣି, କାଦୁଅ, ବିଲ ମାଟି, ଉଈ ମାଟି, କୁଣ୍ଡା, ଚୁଲି ଇତ୍ୟାଦି ଦରକାର ହୁଏ ।

ଆଗ ଘରକୁ ଘରୁ ଯାଇ ପୁରୁଣା ପିତ୍ତଳ ଜିନିଷ ସଂଗ୍ରହ କରି ଅଣାଯାଏ । ସେସବୁକୁ ଟୁକୁରା ଟୁକୁରା କରି ଭାଙ୍ଗିବାକୁ ହୁଏ । ସଂଗ୍ରହ କରିବାକୁ ହୁଏ ବି ୱାକ୍ସ, ବିଲ ମାଟି, ଉଈ ମାଟି । ତାପରେ ନାଲି ମାଟି, ପାଣି, କୁଣ୍ଡାକୁ ଉପଯୁକ୍ତ ଅନୁପାତରେ ମିଶାଇ ଭଲରେ ଚକଟା ଯାଏ । ମାଟିର ଏହି ମିଶ୍ରଣରେ ଏକ ମୂଳ ମଡେଲ୍ ତିଆରି କରାଯାଏ । ତା ଉପରେ ପୂରା ମସୃଣ ମାଟିର ଏକ ପତଳା ଆସ୍ତରଣ ଦିଆଯାଏ । ଏତକ ପରେ ମଡେଲଟିକୁ ଶୁଖାଇବାକୁ ଛାଡିଦିଆଯାଏ । ଏହି ମାଟି ଚକଟିବା ଓ ମଡେଲ୍ ତିଆରି କରିବା କାମ ଘରର ସ୍ତ୍ରୀଲୋକମାନେ କରନ୍ତି । ଏ ଶୁଖିବା ଭିତରେ ମହମ ସୂତା ବାହାର କରାଯାଇସାରିଥାଏ ।

ଆଗରୁ ମହମ ଜଙ୍ଗଲରୁ ସଂଗ୍ରହ କରାଯାଉଥିଲା । ମହୁ ସଂଗ୍ରହ କରି ଆଣୁଥିବା ଲୋକ ମହୁ ନେଇସାରିବା ପରେ ଫେଣାଟି କାରିଗରମାନଙ୍କୁ ଦେଇଦେଉଥିଲେ । ଏମାନେ ସେଇଟାକୁ ଆଣି ହାଣ୍ଡିରେ ଫୁଟେଇ ପ୍ରସେସିଙ୍ଗ୍ କରି ମହମ ତିଆରି କରୁଥିଲେ । ଫେଣାକୁ ପାଣିରେ ପକାଇ ଫୁଟାଇବା ପରେ ସେଥିରୁ ଚିକିଟା ଅଂଶ ବାହାରି ଚାରିପାଖେ ହାଣ୍ଡିରେ ଲାଗିଯାଏ । ସେଇଟାକୁ ଛାଙ୍କି ରଖିଦେଇ ବାକି ସବୁ ଫିଙ୍ଗି ଦିଆଯାଏ । ସେଇ ମହମ ଖଣ୍ଡ ସବୁକୁ ପୁଣି ଆଟିକାରେ ଗରମ କରି ତରଳାଇ ସେଥିରେ ଝୁଣା ଓ ସୋରିଷ ତେଲ ମିଶାଯାଏ । ତାକୁ ପୁଣି ଛାଙ୍କି ମଇଳା ସବୁ ବାହାର କଲାପରେ ମିଶ୍ରଣ ପୁଣି ଟାଣ ହୋଇଯାଏ । ତେଣୁ ତାକୁ ଖରାରେ ଦେଇ ଟିକିଏ ନରମ କରିବା ପରେ ଅଟା ପରି ଚକଟି ଦିଆଯାଏ । ସେଇ ଚକଟାକୁ ସେଉ ତିଆରି ମେସିନ୍ ରେ ପୂରେଇ ଲମ୍ବା ଲମ୍ବା ମହମ ସୂତା ସବୁ ବାହାର କରାଯାଏ । ଏବେ କିନ୍ତୁ ବଜାରରେ ମିଳୁଥିବା ମହମ ଖଣ୍ଡ, ଝୁଣା ଓ ପିଚୁରେ ତିଆରି ହେଉଛି ସୂତା ।

ମହମ ସୂତାକୁ ମାଟିର ମଡେଲ୍ ଚାରିପାଖରେ ସ୍ତ୍ରୀ ଲୋକ ଗୁଡେ଼ଇ ସାରିବା ପରେ ଆଖି, ନାକ, କାନ ଆଦିକୁ ଗଢନ୍ତି ପୁରୁଷ ଲୋକ । ମୂର୍ତ୍ତିଟି ହୋଇସାରିବା ପରେ ପୁଣି ଗୋଟେ ମାଟିର ପରସ୍ତ ଚ଼ଢ଼ାଯାଏ । ତା ଉପରେ ପୁଣି ଆଉ ଗୋଟେ ଟାଣ ନାଲି ମାଟିର ପରସ୍ତ । ଭିତର ମାଟିଟା ଫମ୍ପ୍ସା ବିଲ ମାଟି ହୋଇଥିବାବେଳେ ଉପର ନାଲି ମାଟିଟା ଉଇ ହୁଙ୍କାରୁ ସଂଗ୍ରହ କରାଯାଇଥାଏ । ସେଇଟା ବଡ଼ ଟାଣ । ମାଟି ପରସ୍ତରେ ପିତ୍ତଳ ଭିତରକୁ ଢଳା ହେବା ପାଇଁ ଗୋଟେ କାହାଳୀ କରାଯାଇଥାଏ । ସେଇ ମୁହଁ ପାଖରେ ଖଣ୍ଡ ପିତ୍ତଳ ରଖି ମୁହଁଟାକୁ ପୁଣି ମୁଦ ଦିଆହୋଇଯାଏ । ସେଇ ବାଟେ ତରଳ ପିତ୍ତଳ ଭିତରକୁ ଯାଇ ନିଆଁରେ ତରଳି ଯାଇଥିବା ମହମର ଜାଗା ନେଇଯାଏ । କିଛି ସମୟ ପରେ ନିଆଁରୁ ମାଟି ଛାଞ୍ଚକୁ ବାହାର କରି ଥଣ୍ଡା ହେବା ପାଇଁ ଛାଡ଼ି ଦିଆଯାଏ । ତାପରେ ହାତୁଡ଼ିରେ ଉପର ମାଟି ପରସ୍ତକୁ ଭାଙ୍ଗି ଦିଆଯାଏ । ଏଥର ପ୍ରସ୍ତୁତ ହୋଇ ସାରିଥାଏ ଢୋକରା ଜିନିଷ ।

ଗୋଟିଏ ଜିନିଷ ତିଆରି କରିବାକୁ ଅନେକ ସମୟ ଓ ଶ୍ରମ ଖର୍ଚ୍ଚ କରନ୍ତି ଆମ କାରିଗରମାନେ । ସେଇ ଅନୁସାରେ କିନ୍ତୁ ମୂଲ୍ୟ ମିଳେନା I ନୂଆ ପିଢ଼ିର ପିଲାମାନେ ତେଣୁ ଆଗ୍ରହ ଦେଖାଉ ନାହାନ୍ତି କାମରେ I ସେମାନଙ୍କ ଅସୁବିଧା ଓ ଢୋକରାର ପୂର୍ବ ପଦ୍ଧତି ଏବଂ ଏବେର ପଦ୍ଧତି ବିଷୟରେ ଆହୁରି ଅନେକ କଥା ଅଛି । ସେସବୁ ଆଉ କେବେ ।