
ଦିକ୍ଦିକ୍ ହେଇ ଜଳୁଛି ଲଣ୍ଠନ । ଗୋଟେ ନୁହେଁ ଦିଇଟା ନୁହେଁ ଏକାଥରେ ସାତ ଆଠଟି ଲଣ୍ଠନ । ବିଛାଡ଼ି ପଡ଼ୁଛି ଆଲୁଅ । ଶେଷ ଶୀତର ସଂଜୁଆ ବାଆରେ ବିଭିନ୍ନ ଭଂଗୀରେ ଖେଳୁଛି ଲଣ୍ଠନର ଶିଖା । ଚାଦର ଘୋଡ଼ି ହୋଇ ବସିଛନ୍ତି ଦିବ୍ୟସିଂହ ମାଷ୍ଟ୍ରେ । ପ୍ରାୟ ସମସ୍ତେ ଆସି ସାରିଲେଣି ଟିଉସନ୍କୁ । ପାଠପଢ଼ା ଆରମ୍ଭ ଉପରେ । ଅଜୟ ଉଣ୍ଡୁଥାଏ ବାହାରକୁ । ଏ ପର୍ଯ୍ୟନ୍ତ ଆସିନି ସିଏ । ଦିବ୍ୟସିଂହ ସାର୍ ଯୋଉ ରାଗୀ, ଜାଣି ସୁଦ୍ଧା ସିଏ ଏତେ ବିଳମ୍ବ କରୁଛି କାହିଁକି ? ଅଯଥାରେ ଗୁଡ଼ାଏ ମାଡ଼ ଖାଇବ ବିଚାରୀ । ଗୋରା ପତଳା ଦେହରେ ବସିଯିବ ଦିବ୍ୟସିଂହ ସାର୍ଙ୍କ ନିର୍ମମ ବେତ । ଜାଗା ଅଜାଗା ଲାଲ୍ ପଡ଼ିଯିବ । ଖେଁ ଖେଁ ହେଇ ହସିବ ବଜାରୀ, ଛତରା ଟିନା । ଅସହଣି ମାଳତୀ ହସିବ ଆପ୍ରୋନ୍କୁ ମୁହଁରେ ଗୁଂଜି । ତେବେ ଅଜୟ କାହିଁକି ଏତେ ବ୍ୟସ୍ତ ତା ପାଇଁ ? ଏ ବ୍ୟସ୍ତତାର ନାଁ କ'ଣ ହେଇପାରେ ? ଆଗକୁ ଆଉ କିଛି ଭାବିବା ପୂର୍ବରୁ ହାଜର ହେଲା ଅପରାଧୀଟିଏ ପରି ସିଏ । ସାର୍ ଚିତ୍କାର କଲେ - ‘କ'ଣ କରୁଥିଲୁ କି ? କୋଉ ଟୋକା ସାଙ୍ଗରେ ଗପୁଥିଲୁ ନା କାହାକୁ ଅପେକ୍ଷା କରିଥିଲୁ ?’
ଚାପା ହସରେ ଉଛୁଳି ପଡ଼ିଲା ଟିଉସନ୍ ଘର । ଲାଜ ଅପମାନରେ ଆରକ୍ତ ଦିଶିଲା ସେ ।
‘ତୋ ଲଣ୍ଠନ କାହିଁ ?’
ତା’ର ସଂକ୍ଷିପ୍ତ ଉତ୍ତର ଥିଲା - ‘ଘରେ କିରାସିନ୍ ନାହିଁ ।’
ଦିବ୍ୟସିଂହ ସାର୍ ନରମି ଗଲେ ପରିସ୍ଥିତିକୁ ବୁଝି । ହଉହଉ ସେ ଅଜୟ ପାଖରେ ବସ । ତା’ରି ଲଣ୍ଠନରେ ଆଜି ପଢ଼ । ସାର୍ଙ୍କ ଆଦେଶ ମାନିଲା ସେ । ଭୟରେ ଥରୁଥିବା ପ୍ରାଣ ସତେ ଯେମିତି ରାହା ପାଇଲା । ଓଠରେ ଧାରେ ସରୁ ହସ ଫୁଟି ଉଠିଲା ।
କହିଲା - ‘ଘୁଞ୍ଚୁନୁ ।’
ଘୁଞ୍ଚିଗଲା ଅଜୟ ।
ସାର୍ ଉଦାହରଣ ଦେଇ ବୁଝେଇ ଦେଲେ ଅଙ୍କ ଓ ସେମିତି ଧାରାରେ ଅଙ୍କ ପାଞ୍ଚ ଖଣ୍ଡ କରି ଦେଖାଇବା ପାଇଁ ଆଦେଶ ଦେଇ ଉଠିଗଲେ ଚେୟାର ଉପରୁ । ଫୁସୁରୁ ଫାସର କ୍ରମେ ବଢ଼ି ଚାଲିଲା । ବଢ଼ିଲା କିରିକିରି ହସର ଧ୍ୱନି । ଅସହଣି ମାଳତୀ ଦେଖେଇ ଦେଖେଇ କହିଲା - ‘କାଲି ମୁଁ ବି ଲଣ୍ଠନ ଆଣିବିନି, ଟିନା ପାଖରେ ବସିବି ।’
ଟିନା କହିଲା - ‘କାଲି କେହି ବି ଲଣ୍ଠନ ଆଣିବନି ସବୁ ମୋ ପାଖରେ ବସିବ ।’
ପୁଣି ଅପମାନିତ ହେଲା ସେ । କିଛି କହିଲାନି । ଅଜୟ ସେକଥା ଭ୍ରୂକ୍ଷେପ ନକରି କଷିଲା ଅଙ୍କ । ନଇଁ ପଡ଼ିଲା ସେ । ମୋତେ ଟିକେ କହ ଏଇଟା କେମିତି ହେବ ? ଅଜୟ ତାକୁ ବୁଝେଇ ଦେଲା ଆଉ ଥରେ । ଲଣ୍ଠନର କ୍ଷୀଣ ଆଲୁଅ ଓ ଅଜୟର ଆଖି ପଡ଼ିଲା ତା’ ଢିଲା ଫ୍ରକ୍ର ଛାତି ଉପରେ । ଅଜୟ ତା’ ଆଖିକୁ ବାରଣ କଲା । ଆକଟିଲା ନିଜକୁ । ହେଲେ କେହି ବି ତା’ ବୋଲରେ ନଥିଲେ । ସେ ବୁଝିଲାବେଳକୁ ଅନେକ ଡେରି ହେଇ ସାରିଥିଲା ତଥାପି ସେ ସଚେତନ ହେଲା । ଖାଲି ଟିକେ ହସିଦେଲା ଅଜୟକୁ ଚାହିଁ । ଟିଉସନ୍ ସରିଲା । କିଏ କୁଆଡ଼େ ଦୌଡ଼ିଲେ । ଈର୍ଷା ଓ ହିଂସାରେ ଜଳୁଥିଲେ ସମସ୍ତେ । ତାକୁ କେହି ସାଙ୍ଗରେ ନେଲେନି । ଅନ୍ଧାର ରାସ୍ତାରେ ଏକା ଏକା ସେ ଯିବ କେମିତି ? ସେ ଠିଆ ହେଲା ଓ ଅପେକ୍ଷା କଲା ଚିହ୍ନା ହାଟ ଫେରନ୍ତି ତାଙ୍କ ଗାଁ ବାଟୋଇଟିଏକୁ । କାହିଁ କାହାରି ପାଦଶବ୍ଦ ଶୁଭୁନି ତ ? ଚୁପ୍ଚାପ୍ ଅନ୍ଧାରରେ ଠିଆ ହେଇଛି ସେ । ଅଜୟ ଡାକିଲା - ‘ଆ ମୁଁ ତମ ଘର ପାଖରେ ଛାଡ଼ିଦେବି ଆ ।’
ଖୁସି ହେଲା ସେ । ଅଜୟ ସହିତ ପାଦ ମିଳାଇ ଚାଲିଲା ସେ ଚୁପଚାପ୍ । କଥା ନାହିଁ, ବାର୍ତ୍ତା ନାହିଁ । ଅଜୟ ତଳକୁ ମୁହଁ ପୋତି ଚାଲିଛି । ଆଉ ଦେଖୁଚି ତା' ପାଦ ସହ ପାଦ ମିଳେଇ ଚାଲିଥିବା ଗୋଟେ ନରମ ପଦ୍ମକଢ଼ି ପରି ଦୁଇଟି ଫୁଙ୍ଗୁଳା ପାଦକୁ । ମନେମନେ ଭାବୁଥାଏ ଏ ରାସ୍ତା ନ ସରନ୍ତା କି ?
ବ୍ରେକ୍ କଷିଲା ବସ୍ । ଆସିଗଲା ନିର୍ଦ୍ଦିଷ୍ଟ ଛକ । ବସ୍ ରୁ ଓହ୍ଲାଇଲା ଅଜୟ । ପଛେପଛେ ତା’ର ପତ୍ନୀ । ପତ୍ନୀଙ୍କୁ ତାଙ୍କ ଘରେ ଛାଡ଼ି ସକାଳୁ ଉଠି ଅଜୟ ଚାଲିଲା ତା ପୂର୍ବ ଯୋଜନା ଅନୁଯାୟୀ । ନିଜର ପ୍ରିୟ ସାଙ୍ଗ ରମାକାନ୍ତର ଗାଁକୁ । ଅଜୟର ଶଶୁର ଘରଠାରୁ ରମାକାନ୍ତର ଘର ମାତ୍ର ବାର କିଲୋମିଟର । ସମୁଦ୍ରକୂଳିଆ ଗାଁ । ବଜାରରେ ଅପେକ୍ଷା କରିଥିଲା ମୋଟରସାଇକେଲ ଧରି ରମା । ଟ୍ରେକରରୁ ଓହ୍ଲଉ ଓହ୍ଲଉ କୁଣ୍ଢେଇ ପକେଇଲା ତାକୁ । ଛକରୁ ଗୋଟେ କିଲୋମିଟର ହେବନି ରମାର ଗାଁ । ଅଜୟ ବହୁବାର ଆସିଛି ଏ ଗାଁକୁ । ରମା ବି ଅନେକ ଥର ଯାଇଛି ଅଜୟର ଗାଁକୁ । କଲେଜବେଳର ବନ୍ଧୁତା କେତେବେଳେ ପାରିବାରିକ ସମ୍ପର୍କର ରୂପ ନେଇଗଲା ଜାଣି ହେଲାନି । ଅନେକ ଦିନ ପରେ ଆଜି ଭେଟ ହେଇଛନ୍ତି ଅଜୟ ଓ ରମା । ଜମି ଯାଇଛି ଗପ । ଅସରନ୍ତି କଥା ସବୁ ବାହାରି ଯିବାକୁ ବ୍ୟାକୁଳ । ସମୁଦ୍ର ମାଛ ଖାଇବାକୁ ଭଲପାଏ ଅଜୟ । ସେକଥା ଜାଣନ୍ତି ରମାର ମାଆ । ରମା ସ୍ତ୍ରୀ ବି ଭାରି ମେଳାପୀ ଓ ସୁଗୃହିଣୀ । ଅଜୟର ସମସ୍ତ ବାହାନା ଫେଲ୍ ମାରିଲା । ସେ ଆସି ପାରିଲାନି ମମତାର ଶିକୁଳି କାଟି । ସମସ୍ତଙ୍କ ଅନୁରୋଧ କ୍ରମେ ରହିଗଲା ସେ ରମାର ଗାଁରେ ସେ ଦିନଟି ।
ଦିନ ବିତି ନଇଁ ଆସିଲା ଆଉ ଏକ ସଂଜ ।
ରମା କହିଲା - ‘ଆ ଯିବା ଛକ ଆଡ଼େ ବୁଲି ଆସିବା, ଘରେ କେତେ ବସିବା ?’
ଗାଁ ମଝି ଗ୍ରାମଦେବତୀ ପୀଠକୁ ଲାଗି ଗୋଟେ ଘର ଭିତରୁ ଶୁଭିଲା ଚୁଡ଼ିର ରୁମ୍ଝୁମ୍ ଶବ୍ଦ । ଅଜୟ ଚାହିଁଲା ସେଆଡ଼େ । ଲଣ୍ଠନ କାଚକୁ କପଡ଼ାରେ ପୋଛୁ ପୋଛୁ ଉଠି ଆସିଲା ସେ । ହସି ହସି କହିଲା - ‘ଅଜୟ ନା ?’
ଅଜୟ ସ୍ତବ୍ଧ ହେଇଗଲା କିଛି ସମୟ ପାଇଁ । ପରସ୍ତ ପରସ୍ତ ଧୂଳିର ବେହରଣ ତଳୁ ମୁଣ୍ଡ ଟେକିଲା ଚିହ୍ନା ଚିହ୍ନା ସମ୍ପର୍କଟିଏ ।
-- ‘କ'ଣ ସହରରେ ରହି ଭୁଲିଗଲୁ ଗାଁ ମଣିଷଙ୍କୁ ?’
ରମା ଖୋଜୁଥାଏ ସମ୍ପର୍କର ଖିଅ ।
ଅଜୟ କହିଲା - ‘ତୁ ଏଠି ?’
-- ‘ମୁଁ ପରା ଏଇ ଗାଁର ବୋହୂ । ଆସ ଆସ ଘର ଭିତରକୁ ଆସ ।’
ରମା କହିଲା - ‘ନା ଭାଉଜ ! ଆମେ ଟିକେ ଛକରୁ ଫେରୁ ।’
ଅଜୟ ଓ ରମା ଚୁପ୍ଚାପ୍ ଚାଲିଛନ୍ତି ପରସ୍ପର ହାତ ଧରି ।
ରମା ପଚାରିଲା - ‘ତୁ ଆମ ଭାଉଜଙ୍କୁ ଚିହ୍ନିଲୁ କେମିତିକିରେ ?’
ଅଜୟ କହିଲା - ‘ସେ ଆମ ପାଖ ଗାଁ ଝିଅ, ମୋ ସାଙ୍ଗରେ ପଢୁଥିଲା ।’
-- ‘ସତେ ? ସିଏ ପରା ଆମ ରଙ୍କଦାଦା ଘର ବୋହୂ । ରଙ୍କଦାଦାର ବଡ଼ପୁଅ ଅନାଦିଭାଇକୁ ବାହା ହେଇଛି । ଭାରି ବଢିଆ ତାଙ୍କ ବ୍ୟବହାର । ସେମିତିକା ବୋହୂ ଆମ ଗାଁରେ ନାହିଁ କହିଲେ ଚଳେ ।’
ଆମ ଫେରିବା ବାଟକୁ ସେମିତି ଚାହିଁ ରହିଥିଲା ସେ ।
ଅଜୟ, ରମା ଢୋକେ ଚା' ପାଟିକୁ ନେଇଛନ୍ତି କି ନାହିଁ ସେ ଚୁଲିରେ ଜାଳ ମୁହାଁଇ ଦେଉ ଦେଉ କହିଲା - ‘ଚା' କେମିତି ହେଇଛି ? ଆମେ ତ ଗାଉଁଲି ଲୋକ ସହରୀ ଲୋକଙ୍କୁ ଖୁସି କରେଇ ପାରିବୁ କୋଉଠି ?’
ଅଜୟ ପାଟିରୁ ସ୍ୱତଃ ବାହାରି ଗଲା - ‘ଗାଁ ଲୋକମାନେ ନିଜ ଖୁସିକୁ ଚାହାଁନ୍ତି କୋଉଠି ?’
ହସିଲା ସେ ।
ଲଣ୍ଠନର ଧାରେ ଆଲୁଅ ଆହୁରି ମନଲୋଭା କରିଦେଲା ସେ ହସକୁ । ସେ ସେଇମିତି ମୁଣ୍ଡରେ ଓଢଣା ଓ ହାତରେ ଲଣ୍ଠନ ଧରି ଅଜୟ ଓ ରମାର ଫେରନ୍ତି ରାସ୍ତାକୁ ଆଲୋକିତ କରୁଥିଲା ଓ କ୍ରମେ କୋଉ ଗୋଟେ ବହିର ମଲାଟ ଛବି ଭଳି ଆପେ ଆପେ ଆଙ୍କି ହେଇ ଯାଉଥିଲା ଅଜୟର ହୃଦୟରେ ।