ଡେମୋକ୍ରାସି

ଆମ ସମୟର ରାଜନୀତି ଓ ବ୍ୟବସ୍ଥାକୁ ନେଇ ଏକ କଟାକ୍ଷ ଅଛି ଏ ଗପରେ । ଗୋଟେ ଛୋଟ ଘଟଣା ଭିତରେ ଗୋଟେ ବଡ ବାର୍ତ୍ତା ଦେଉଛି ଏ ଗପ ।


ଲୋକଟା ଗୋଟିଏ ଭୟଙ୍କର ଦୃଷ୍ଟିରେ ମତେ ଚାହିଁ ରହିଥିଲା । ଭୟଙ୍କର ମାନେ ମୁଁ ତାକୁ ଦେଖି ନ ଡରିଲେ ବି, ମନେ ମନେ ରାଗିଯାଉଥିଲି । ପାଖ ଟେବୁଲରେ କହୁଣିକୁ ଶକ୍ତ ଭାବେ ଲଦି ଦେଇ ବିକଟାଳ ଚାହାଣିରେ ଚାହିଁଛି ।

ମୁଁ ଜଣଙ୍କ ଇଣ୍ଟରଭ୍ୟୁ ପାଇଁ ଆସିଛି ଏହି କାଫେକୁ । ଗଣତନ୍ତ୍ରର ପଥଚ୍ୟୁତ କ୍ରମ ବିନ୍ୟାସରେ ଭାରତର ଭବିଷ୍ୟତ ବିଷୟରେ କଥୋପକଥନ ମଧ୍ୟରେ ମୋ ନଜର ସେହି ଅସ୍ୱାଭାବିକ ଲୋକଟିର ଉପସ୍ଥିତି ଓ ତୀକ୍ଷ୍‌ଣ ଆକ୍ରୋଶଭରା ବିସ୍ଫୋରିତ ଚକ୍ଷୁ ଆଡକୁ ଆପେ ଚାଲିଯାଇ, ମୋ ଭାବନାକୁ ଉଦ୍‌ବେଳିତ କରୁଛି ।

ମୋ ସାମ୍ନାରେ ଅଛନ୍ତି ଶାସକ ଦଳର ଜଣେ ବଡ଼ ନେତା । ମୋ ଜର୍ଣ୍ଣାଲିଷ୍ଟ କ୍ୟାରିୟର ପାଇଁ ମଧ୍ୟ ଏହି ଇଣ୍ଟରଭ୍ୟୁ ଏକ କ୍ରାନ୍ତି ଆଣିପାରିବ ବୋଲି ମୋର ଆଶା । ସୁନିଲ ଓ ମୁଁ ଦୁହେଁ ଏହି ଇଣ୍ଟରଭ୍ୟୁଟି କରିବା କଥା । ଅବଶ୍ୟ ସୁନିଲ ମତେ ରାସ୍ତା ଦେଖାଇଛି । କିନ୍ତୁ ଅନ୍ୟକୁ ଧକ୍କା ଦେଇ ଆଗକୁ ଚାଲି ପାରିଲେ ହିଁ ଦୁନିଆ ତୁମର । ସୁନିଲର ଅନୁପସ୍ଥିତିର ପୂରା ଫାଇଦା ଉଠେଇଛି ମୁଁ ।

‘ମୁଁ ମୋନା ଦାସ୍‌’ । ସ୍ମାର୍ଟ ଇଣ୍ଟେଲିଜେଣ୍ଟ ଓ ଅପରଚୁନିଷ୍ଟ । ଜୀବନରେ ସଫଳ ହେବା ସମସ୍ତ ରାସ୍ତା ମତେ ମାଲୁମ୍ । ଆଜି ମୋର ଏହି ବିଶେଷ ଆର୍ଟିକଲ ଏବଂ ଇଣ୍ଟରଭ୍ୟୁ କାଲି ସକାଳେ ଗୋଟିଏ ଘଟଣା ହେଇଯିବ । କିଛି ଲୋକଙ୍କ ପାଇଁ ଦୁଃଖଦ ଘଟଣା (ସୁନିଲ ମୁହଁଟି ପ୍ରାୟ ସ୍ପଷ୍ଟ ଦେଖାଯାଉଛି) ବିଚରା ହତବାକ ହୋଇ ମତେ ଚାହିଁବ । କିଛି ଜଣଙ୍କ ପାଇଁ ଈର୍ଷା ଓ କେହି ଖୁସି ବି ହେଇପାରନ୍ତି । ହୁ କେୟାର୍ସ - ‘ଆପଣ କହିବାକୁ ଚାହାଁନ୍ତି ଯେ ବିରୋଧି ଦଳର ଶାସନକାଳ ସମୟରେ ଗଣତନ୍ତ୍ରର ହତ୍ୟା କରାଯାଇଛି’?

ମୁଁ ମୋ ପ୍ରଶ୍ନକୁ ଆହୁରି ସ୍ପଷ୍ଟ କଲି । ‘ନିଶ୍ଚୟ’ ନେତା ଜଣଙ୍କ ଭୟଙ୍କର ଦେଖାଗଲେ ସେ ବିକଟାଳ ଚାହାଣି ବର୍ତ୍ତମାନ ନେତାଙ୍କ ଚକ୍ଷୁକୁ ସଞ୍ଚରି ଯାଉଛି ।

‘ଆପଣ ବିସ୍ତୃତ ଭାବେ କହିପାରିବେ କି’? ତାଙ୍କ ମାନସିକ ଉଦ୍‌ବେଦନର ସଠିକ୍ ନିୟୋଜନ କରି ମୋ ପ୍ରଶ୍ନ ବୁଲେ୍‌ଟ ଟି ‘ଧୁମ୍‌’ କିନା ତାଙ୍କ ମୁଣ୍ଡରେ ଗଳେଇ ଦେଲି ।

ସେ, “ବି’... ପ୍...., ବି’.. ପ୍, ମୋ ଚାରିଟି ପେଟ୍ରୋଲ ଟାଙ୍କି ବନ୍ଦ କରାଇଲା । ମୋ ପୁଅର ବିୟର ପାର୍ଲର ଲାଇସେନ୍‌ସ ଜବତ ହେଲା । ମୋ ପଛରେ ସିବିଆଇ ଲଗାଇଲା........ ବି’.....ପ୍...... ବି’...... ପ୍..... ବିପ୍‌......... ଗଣତନ୍ତ୍ର ଆଉ କୋଉଠି ରହିଲା । ଆମ ଭଳି ଦେଶଭକ୍ତ ଯଦି ସରକାରଙ୍କ ଦ୍ୱାରା ନିର୍ଯ୍ୟାତିତ ହେବେ ଗଣତନ୍ତ୍ର ରହିବ”?

ମୁଁ ଭାବୁଥାଏ ଏହା ମଧ୍ୟରୁ ସେନ୍‌ସର କେତେ ରହିବ କେତେ ପବ୍ଳିଶ୍ ହବ ।

ଲୋକଟି ମୋ ପାଖାପାଖି ଆସି ସାରିଥାଏ । ସେଇ ବିକଟାଳ ନଜର । ବର୍ତ୍ତମାନ ତାହା ଆହୁରି ତୀବ୍ର ।

ନେତାଜଣକ ଯିବାକୁ ଉଠିଲେ ।

‘ଦେଖିଚାହିଁ କରିବେ ।’ କହି ସେ ବିଦାୟ ଦେଲେ । ମୁଁ ବି ଉଠିଲି ।

ଲୋକଟି ତା ହଳଦିଆ ଦାନ୍ତ ଦେଖାଇ ମାଡ଼ି ଆସୁଛି ।

“ମ୍ୟାଡ଼ାମ୍ ଆପଣଙ୍କ ସିଷ୍ଟମ୍ ଅନ୍ ନଥିଲା । ସାର୍‌ଙ୍କ ଭଏସ୍ ରେକର୍ଡ଼ ହେଇନି ।” କହି ହସି ହସି ଚାଲିଗଲା ।

ମୁଁ ଗଣତନ୍ତ୍ରର ଉତ୍‌ଥାନ୍ ପତନକୁ ବିୟର ପାର୍ଲର ଓ ପେଟ୍ରୋଲ ପମ୍ପରେ ତଉଲି ଚାଲିଥିଲି ।

Report an Error