ଦୀପ ଅହର୍ନିଶ

ଅନ୍ଧାରର ଗମ୍ଭୀରୀ ଘରେ ଅହର୍ନିଶି ଜଳୁଥିବା ଦୀପର ଏ କବିତା ।


ତୋ ସହ ମୋର କିଛି କଥା ଅଛି
ହେ ମୋର ଗମ୍ଭୀରୀ ଘରେ ଜଳୁଥିବା ଦୀପ ଅହର୍ନିଶ
କେତେ ଶତାବ୍ଦୀର ଝଡ଼ ତୁ ପାରି ହେଇ ଆସିଛୁ ।

ମୁଁ ତ ଖାଲି ଡରିଲି ଝଡ଼ ଦେଖି ଅଂଧାର ଦେଖି
ସଂତସଂତିଆ ଘର ଦେଖି
ମତେ ତ ଅଜଣା
ଘେରି ରହିଥିବା ତୋର ଉଷ୍ଣ କୋଳର ଯାଚନା ।

ମୁଁ କଣ୍ଟାରେ ଚାଲିଲେ ତୁ ଥିଲୁ
ମୁଁ ଝୁଣ୍ଟି ପଡ଼ିଲେ ତୁ ତୋଳି ଧରିଲୁ
ମୁଁ ଜଳୁଥିଲି ଲିଭୁଥିଲି
ସରିଯାଉଥିଲି ଭାବି ହେଉଥିଲି କ୍ଷୀଣ
ଅଥଚ ତୋ ଚିରା ପଣତରେ ଗଢା
ଆଶ୍ରା ଭିତରେ ମୁଁ ଥିଲି ଅମଳିନ ।

ମୋ ନିରବତାରୁ ପ୍ରସରୁଥିବା ଆଲୁଅ
ମୋ ସ୍ୱରରୁ ନିର୍ଗତ ଉତ୍ତାପ
ମୋ ଗୀତରେ ଫୁଟୁଥିବା ଅଂଧାର ରାତିର ତାରା
ତୋର ବଂଧନୀ ଭିତରୁ ବାହାରି
ତୋ ଅସୀମରେ ଜଳୁଥିଲେ ଅଖଣ୍ଡ
ହେ ମୋର ଗମ୍ଭୀରୀ ଘରେ ଜଳୁଥିବା ଦୀପ ଅହର୍ନିଶ ।

Report an Error