ଡର

କିଛି ଗୋଟିଏ ପଢ଼ି ପଢ଼ି ଶୋଇଯାଇଛି । ଧଡ଼ପଡ଼ ହୋଇ ଉଠିଲି । ହେଇ ତ ସୁମନ ଡାକିଲା, ‘ଦିଦି’ । ଗୋଟେ ନିଶ୍ୱାସରେ ଯାଇ କବାଟ ବି ଖୋଲି ଦେଲି । ନା କେହି ନାହାଁନ୍ତି । କ୍ରମେ ଏହି ଭାବନା ପ୍ରବଳ ହେଲା ।


ସେ ସବୁଦିନ ଠିକ୍ ଟାଇମରେ ଆସେ । ମୋର ବି ଠିକ୍ ଟାଇମରେ ହିଁ ଘରୁ ବାହାରିବାର ଥାଏ । କାମ ସବୁ ତାକୁ ବୁଝେଇଦେଇ ମୁଁ ନିଶ୍ଚିନ୍ତ ହୋଇ ଚାଲିଯାଏ । ହଁ, ମୋ ଘରେ କାମ କରୁଥିବା କାମବାଲି ସୁମନ କଥା କହୁଛି । ନିଜେ ସ୍ୱାବଲମ୍ବୀ ହେବା ପାଇଁ ସେ ବି କାମ କରେ ଓ ମୁଁ ବି । ଆମ ଶିକ୍ଷା, ଆମ ସାମାଜିକ ସ୍ତରକୁ ବାଦ୍ ଦେଲେ ସେ ବି ଜଣେ ମୋ ଭଳି ନିଜକୁ ସମସ୍ତଙ୍କ ମଧ୍ୟରେ ବାଣ୍ଟିଥିବା ସ୍ତ୍ରୀ ଲୋକଟିଏ । ତେଣୁ ତା ପ୍ରତି ମୋର ସମ୍ବେଦନା ରହିବା ସ୍ୱାଭାବିକ । ମୋ ଆବଶ୍ୟକତା ଲକ୍ଷରେ ହେଲେ ତାର ହଜାର ବା ଶହରେ, ମୁଁ ବି ସ୍ତ୍ରୀ ଓ ମାତୃଧର୍ମର ଅନୁଗାମୀ ଓ ନିଶ୍ଚିତ ଭାବରେ ସେ ମଧ୍ୟ । ତେଣୁ ସୁମନ ଓ ମୋ ଭିତରେ ଭାବର ଆଦାନ ପ୍ରଦାନ ଏକ ଭିନ୍ନ ସ୍ତରର ଗତି ହୋଇଯାଇଥିଲା ।

ମାର୍ଗଶୀର ମାସ ଆସିଲେ ରଙ୍ଗମାଟି ଲିପାଯିବ ବୁଧବାର ଦିନ । ଗୁରୁବାର ସକାଳୁ ତାର ଆମ ଘରେ କାମ ନଥାଏ କାରଣ ରାତି ପାହୁଣୁ ପୂଜା ସରିଥାଏ । କୋଉ ପୂଜା ପାଇଁ ଦୂବ, ବରକୋଳି ପତ୍ର ଆଣିବ ତ କେବେ ମୋ ଝିଅକୁ ସମର୍ଥନ କରି ମୋଠାରୁ ଗାଳି ଖାଇବ ତ କେବେ ଘରକୁ ମୋ ଦିଅର ଓ ତା ପରିବାର ଆସିଲେ ତାଙ୍କ ମନ ମୁତାବକ ମସଲା ବାଟି ରଖିବ । ମୋ ଶାଶୁ ଆସିଲେ ଡରି ଡରି ରହିଥିବ । ହେଇ ପାଟି କରିବେକି ? ମୋ କହିବା ପ୍ରସଙ୍ଗ ଏହା ଯେ ସେ ମୋ ମନର ସୂକ୍ଷ୍ମାତିସୂକ୍ଷ୍ମ ତାରକୁ ଛୁଇଁ ସାରିଥିଲା ।

ସବୁଦିନ ଭଳି ମୁଁ ଜାଣିଥିଲି ସେ ଆସିବ । ସନ୍ଧ୍ୟା ଗଡ଼ି, ରାତି ହେଲା ଆସିଲାନି । ତା ପରଦିନ ବି ଆସିଲାନି । ଦୀର୍ଘ ଆଠ / ନଅ ବର୍ଷ ସମୟ ସୀମା ମଧ୍ୟରେ ମୁଁ କେବେ ଏମିତି ଜାଣିନି । ଅଗତ୍ୟା ତା ଘରକୁ ଗଲି କିନ୍ତୁ କିଛି ଖବର ପାଇ ପାରିଲିନି । ଖାଲି ଜାଣିଲି ଦେହ ଖରାପ ହସ୍ପିଟାଲ ଯାଇଛି । ପାଞ୍ଚ ଦଶ ଦିନ ପରେ ଅଲଗା କାମବାଲି ପାଇଗଲି । କାମ ଚାଲିଲା ଦିନ ବି ଗଡ଼ି ଚାଲିଲା । ତା’ ଘର ଅନ୍ଧାର ଥାଏ । କିଛି ଖବର ପାଇପାରିଲିନି । ପ୍ରତିଦିନ ମନ ମଧ୍ୟରେ ସୁମନ ସବାର ହୁଏ ସେ ଏଇ କାମ ଏମିତି କରୁଥିଲା । ସେ ଏଇ ଟାଇମରେ ଆସୁଥିଲା । ଏମିତି ମନ ବ୍ୟସ୍ତ ଯୋଗୁଁ କେତେ କାହାକୁ ପଚାରିଛି ତା ଖବର । କିଛି ପାଇନି । ସାତ ଆଠ ଶହରୁ ତା ଦରମା ତିନି/ଚାରି ହଜାରରେ ପହଞ୍ଚିଥିଲା । ତା ବାକି ପଇସା ବି ନେବା ପାଇଁ ତା ଘରୁ କେହି ଆସିଲେନି । ମନକୁ ପାପ ଛୁଇଁଲା । କିଛି ଅସୁବିଧା ହେଲା କି ??

କିଛି ଗୋଟିଏ ପଢ଼ି ପଢ଼ି ଶୋଇଯାଇଛି । ଧଡ଼ପଡ଼ ହୋଇ ଉଠିଲି । ହେଇ ତ ସୁମନ ଡାକିଲା, ‘ଦିଦି’ । ଗୋଟେ ନିଶ୍ୱାସରେ ଯାଇ କବାଟ ବି ଖୋଲି ଦେଲି । ନା କେହି ନାହାଁନ୍ତି । କ୍ରମେ ଏହି ଭାବନା ପ୍ରବଳ ହେଲା । ବାଲକୋନିରେ ଠିଆ ହେଇଛି, ଦେଖାଗଲା ସେ ଆସୁଛି ମୋ ଗେଟ୍ ଖୋଲି । କିଛି ସମୟ ପରେ ନା କେହିନାହିଁ । ମାନସିକ ସ୍ତରରେ ମୁଁ ଭାଙ୍ଗି ପଡ଼ିଲି ।

“କିନ୍ତୁ ଏକଥା ସତ ଯେ ମୁଁ ଦେଖିଛି” ।

“ନା ମୋ ମନର ଭ୍ରମ ।”

ଏମିତି ଭାବି ଚାଲିଥାଏ ।

ଦି' ପହରେ ଶୋଇବା ମୋ ଅଭ୍ୟାସ କେବେହିଁ ନଥାଏ । ସେଦିନ ଆଖି ଲାଗିଯାଇଚି ହଠାତ୍ ମୋ ପାଖେ ଆସି ସୁମନ ଠିଆ ହେଲା । କିନ୍ତୁ ବହୁତ ଭୟଙ୍କର ଦେଖାଯାଉଥିଲା । ଆଖି ବଡ଼ ବଡ଼ କରି ହାତରେ ମାଡ଼ି ବସିଲା ମୋତେ । ଛାଡ଼ ଛାଡ଼ ଚିଲ୍ଲେଇ ବି ପାରୁ ନଥାଏ ମୋ ଶ୍ୱାସରୁଦ୍ଧ ହୋଇ ଆସୁଥାଏ ।

ଅସ୍ୱାଭାବିକ ଶବ୍ଦ ଶୁଣି ମୋ ଘର ଲୋକେ ଦଉଡ଼ି ଆସିଲେ ।

ଆଃ... ମୋ ଭୟଙ୍କର ସ୍ୱପ୍ନ ଥିଲା ଏହା ।

ଉଠିକି ପାଣି ପିଇ ଦୀର୍ଘ ନିଶ୍ୱାସ ନେଇ ମୋ ସ୍ୱପ୍ନ କଥା ଶୁଣେଇବାକୁ ଯାଉଛି ଘର ବେଲ ବାଜିଲା । କବାଟ ପାଖରୁ ସୁମନ ହସି ହସି ଆସୁଛି । “ଦିଦି ଗାଁକୁ ପଳେଇଥିଲି । ସରି ! କେତେ କଷ୍ଟ ହେଲା ନାଁ ଗପି ଚାଲିଲା ।

ମୁଁ, ଏମିତି କି ଘରେ ଯୋଉ ଅବସ୍ଥାରେ ସ୍ତ୍ରୀ ଲୋକମାନେ ଡରନ୍ତି, କକ୍ରୋଚ, ବିଛା, ଝିଟିପିଟି କାହାକୁ ଡରେନି । ଏକୁଟିଆ ଘରେ ରହିଯାଏ । ଏମିତିକି ଥରେ ଘର ଭିତରେ ସାପ ପଶିଚି ଶୁଣି ଠେଙ୍ଗା ନେଇ ହାଜର ଥିଲି ମାରିବା ପାଇଁ ବୋଲି ମୋ ବୋଉଠୁ ଶୁଣି ଶୁଣି ଖୁସି ହେଇଯାଏ । କିନ୍ତୁ ସେଇ ସାହସୀ ଲୋକଟି ମନରେ ଡର ପଶିବାରୁ ମନର ଦ୍ୱନ୍ଦ୍ୱରେ ପ୍ରତିଫଳିତ ଭାବନା କୋଉ ଚିତ୍ର ଦେଖାଇଲା ! ବୋଧେ ସୁମନ ଯଦି ଆଉ ଦେଖା ନ ଦେଇଥାନ୍ତା ମୁଁ ଭୂତ, ପ୍ରେତରେ ବିଶ୍ୱାସ କରିବା ଆରମ୍ଭ କରିଦେଇଥାନ୍ତି ।

ହାଏରେ, ଡର ।

Report an Error