ଟିସିଆସ୍ ଙ୍କ ଦୃଷ୍ଟିରେ ଭାରତ

ଟିସିଆସ୍ ଙ୍କ ନିକଟରେ ଜଣେ ସଫଳ ଚିକିତ୍ସକ ହେବା ବ୍ୟତୀତ ଜଣେ ଉତ୍ତମ ଲେଖକ ହେବାର ସମସ୍ତ ଗୁଣ ରହିଥିଲା । ପାରସ୍ୟରେ ସତର ବର୍ଷରୁ ଅଧିକ ସମୟ ରହିବା ଫଳରେ ସେ ନିଜର ପାରସ୍ୟ ଅନୁଭୂତିକୁ ଆଧାର କରି ସମକାଳର ପାରସ୍ୟର ଇତିହାସକୁ ରଚନା କରିଛନ୍ତି ।


ଟିସିଆସ୍ କିଏ ଆଉ କାହିଁକି ତାଙ୍କର ଦୃଷ୍ଟିରେ ଭାରତ ଯେମିତି ଦିଶିଥିଲା ସେହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା କରିବା ଭଳି ଏମିତିରେ ଆବଶ୍ୟକତା କ'ଣ ରହିଛି ? ଆରମ୍ଭରୁ ଆମକୁ ଏଇ ଦୁଇଟି ପ୍ରଶ୍ନ ନିଶ୍ଚୟ ଆକ୍ରାନ୍ତ କରିପାରେ । ଏଇ ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାକୁ ଗଲାବେଳେ ଆମେ ଦେଖିବା ଯେ ସେ ଗ୍ରୀସ୍ ର କାରିଆ ଉପକୂଳରେ ନାଇଡସ୍ ନାମକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ନିର୍ଦ୍ଦିଷ୍ଟ ଭାବରେ କେବେ ଜନ୍ମ ହୋଇଥିଲା ସେ ବିଷୟ ଅଜ୍ଞାତ ରହିଅଛି ମାତ୍ର ଏତିକି କୁହାଯାଇପାରିବ ଯେ ସେ ଖ୍ରୀପୂ ୪୧୬ ପୂର୍ବରୁ ଯଥେଷ୍ଟ ବିଖ୍ୟାତ ଥିଲେ । ମାତ୍ର ତାଙ୍କର ସେ ସମୟର ସମାଜରେ ବିଖ୍ୟାତ ହେବାର ପଛରେ ଥିବା କାରଣ ନିଶ୍ଚିତ ତାଙ୍କର ଲେଖକପଣରେ ନଥିଲା । ଟିସିଆସ୍ ଙ୍କ ପିତା ନାଇଡସ୍ ର ପୁରୋହିତ ବର୍ଗର ଅନ୍ତର୍ଭୁକ୍ତ ଥିଲେ ଆଉ ସେହି କାରଣରୁ ସେସମୟର ସମାଜରେ ଜଣେ ପ୍ରତିପତ୍ତିଶାଳୀ ବ୍ୟକ୍ତିତ୍ୱ ଥିଲେ । କେବଳ ସେ ଜଣେ ପୁରୋହିତ ବର୍ଗର ବ୍ୟକ୍ତି ଥିଲେ ସେକଥା ନୁହଁ ତାଙ୍କର ସମକାଳର ସମାଜରେ ପ୍ରଭାବର କ୍ଷେତ୍ରଟି ରହିଥିଲା ଅନ୍ୟତ୍ର । ପୁରୋହିତ ହେବା ସହିତ ସେ ଜଣେ ଚିକିତ୍ସକ ଥିଲେ ଏବଂ ଚିକିତ୍ସା କରୁଥିବା କାରଣରୁ ତାଙ୍କୁ ଅନେକେ ଜାଣିଥିଲେ । ଟିସିଆସ୍ ତାଙ୍କର ପିତାଙ୍କ ସହଯୋଗୀ ହିସାବରେ ଚିକିତ୍ସା କାମ ଆରମ୍ଭ କରିଥିଲେ । ଏବଂ ଜଣେ ସଫଳ ଚିକିତ୍ସକ ହିସାବରେ ତାଙ୍କର ନାମ ଚାରିଆଡେ ବ୍ୟାପିଯାଇଥିଲା । ସେ ଜଣେ ଚିକିତ୍ସକ ହିସାବରେ ଏଇଭଳି ପ୍ରସିଦ୍ଧ ହୋଇଯାଇଥିଲେ ଯେ ଲୋକେ ତାଙ୍କୁ ଚିକିତ୍ସା ବିଜ୍ଞାନର ଜନକ ତଥା ନିକଟବର୍ତ୍ତୀ କସ୍ ଅଂଚଳରେ ଜନ୍ମିତ ହିପୋକ୍ରାଟସଙ୍କ ଦ୍ୱିତୀୟ ବୋଲି ବିବେଚନା କରୁଥିଲେ । ଖ୍ରୀପୂ ୪୧୬ ବେଳକୁ ଜଣେ ଚିକିତ୍ସକ ହିସାବରେ ସେ ଯଥେଷ୍ଟ ପ୍ରସିଦ୍ଧି ଅର୍ଜନ କରିଥିଲେ ବୋଲି ପ୍ରାମାଣିକ ଭାବରେ କୁହାଯାଇପାରେ କାରଣ ସେହି ବର୍ଷ ସେ ପାରସ୍ୟର ପ୍ରସିଦ୍ଧ ସମ୍ରାଟ ଦାରିଅସ୍ ଦ୍ୱିତୀୟଙ୍କର ଚିକିତ୍ସକ ହିସାବରେ କାର୍ଯ୍ୟ କରିବାପାଇଁ ପାରସ୍ୟକୁ ଯାତ୍ରା କରିଥିଲେ । ପାରସ୍ୟରେ ସେ ପାଖାପାଖି ସତର ବର୍ଷ ଜଣେ ଚିକିତ୍ସକ ହିସାବରେ ରହିଯାଇଥିଲେ । ସେଇଠେ ସେ ପାରସ୍ୟର ସମ୍ରାଟ ଉଭୟ ଦାରିଅସ୍ ଦ୍ୱିତୀୟ ଏବଂ ତାଙ୍କର ଉତ୍ତରାଧିକାରୀ ଦାରିଅସ୍ ତୃତୀୟଙ୍କର ବ୍ୟକ୍ତିଗତ ଚିକିତ୍ସକ ଆକାରରେ ପ୍ରଭୂତ ଖ୍ୟାତି ଅର୍ଜନ କରିଥିଲେ । ଏଇଠି ଉଲ୍ଲେଖଯୋଗ୍ୟ ଯେ ଦାରିଅସ୍ ତୃତୀୟ ହେଉଛନ୍ତି ସେହି ବିଖ୍ୟାତ ସମ୍ରାଟ ଯାହାଙ୍କୁ ଯୁଦ୍ଧରେ ପରାସ୍ତ କଲାପରେ ଆଲେକଜାଣ୍ଡର ସେଇଠୁ ଭାରତକୁ ଆକ୍ରମଣ କରିବା ପାଇଁ ମନସ୍ଥ କରିଥିଲେ । ସେତେବେଳେ ପାରସ୍ୟ ସହିତ ଭାରତର ନିୟମିତ ଯୋଗସୂତ୍ର ରହିଥିଲା । ରାଜନୈତିକ, ବାଣିଜ୍ୟିକ ତଥା ଧର୍ମଗତ ସଂପର୍କ ଥିଲା ସେହି ଯୋଗସୂତ୍ରର ଆଧାର ।

ଟିସିଆସ୍ ପାରସ୍ୟରେ ପ୍ରାୟ ସତର ବର୍ଷରୁ ଅଧିକ ସମୟ ଦରବାରୀ ଚିକିତ୍ସକ ହିସାବରେ କାର୍ଯ୍ୟ କରିବା ପରେ ଖ୍ରୀପୂ ୩୯୮ରେ ନିଜ ଦେଶକୁ ଫେରି ଆସିଥିଲେ । ତାହା ପରଠାରୁ ଟିସିଆସ୍ ସଂପର୍କରେ ଆଉ କୌଣସି ତଥ୍ୟ ଉପଲବ୍ଧ ନାହିଁ ।

ସେ ଯାହାହେଉ ପାରସ୍ୟରେ ରାଜା ଦାରିଅସ୍ ଙ୍କ ଦରବାରରେ ରହିଥିବା ସମୟରେ ଟିସିଆସ୍ ଭାରତ ସଂପର୍କରେ ଅନେକ କଥା ଶୁଣିବାକୁ ପାଇଥିଲେ । ସେ ସମୟରେ ପାରସ୍ୟର ସମ୍ରାଟଙ୍କ ନିର୍ଦ୍ଦେଶରେ ଯେଉଁ କର୍ମଚାରୀମାନେ ଭାରତକୁ ଏକପ୍ରକାର କୂଟନୈତିକ ସଂପର୍କ ସ୍ଥାପନ କରିବାକୁ ଯାଉଥିଲେ ସେମାନଙ୍କ ଦ୍ୱାରା ପ୍ରଦତ୍ତ ବିବରଣୀଗୁଡିକ ସଂପର୍କରେ ଟିସିଆସ୍ ଜଣେ ଚିକିତ୍ସକ ହିସାବରେ ରାଜାଙ୍କ ପ୍ରିୟପାତ୍ର ହୋଇଥିବା କାରଣରୁ ବେଶ୍ ଭଲଭାବରେ ଅବଗତ ଥିଲେ । ଏହା ଛଡା ଯେଉଁ ବ୍ୟବସାୟୀମାନେ ପାରସ୍ୟରୁ ଭାରତକୁ ବେପାର କରିବା ପାଇଁ ଯାଉଥିଲେ, ଯେଉଁ ରାଜପ୍ରତିନିଧିମାନେ ପାରସ୍ୟର ରାଜାଙ୍କ ତରଫରୁ ଉପଢୌକନମାନ ଧରି ଭାରତୀୟ ରାଜାମାନଙ୍କୁ ପ୍ରଦାନ କରୁଥିଲେ, ଏହି ଉଭୟ ଉତ୍ସ ଟିସିଆସ୍ ଙ୍କ ଭାରତ ସଂପର୍କିତ ଜ୍ଞାନକୁ ଅଧିକ ସମୃଦ୍ଧ କରୁଥିଲା । ଏହାଛଡା ଭାରତର ଉତ୍ତରପଶ୍ଚିମ ଅଂଚଳରେ ଥିବା ରାଜାମାନଙ୍କ ତରଫରୁ ଯେଉଁ ଭାରତୀୟ କର୍ମଚାରୀମାନେ ପାରସ୍ୟର ଦରବାରକୁ ଆସୁଥିଲେ ସେମାନଙ୍କୁ ପ୍ରତ୍ୟକ୍ଷ ଭାବରେ ଭେଟିବା ଏବଂ ସେମାନଙ୍କଠାରୁ ଭାରତ ବିଷୟରେ ଜାଣିବା ଟିସିଆସ୍ ଙ୍କ ପକ୍ଷରେ ସହଜ ଥିଲା ।

ଏଇଠି ଉଲ୍ଲେଖଯୋଗ୍ୟ ଯେ ସେହି ବିଶେଷ ସମୟରେ ପାଶ୍ଚାତ୍ୟ ଦେଶରେ ଭାରତ ସଂପର୍କିତ ଧାରଣା ଅତ୍ୟନ୍ତ ଅସ୍ପଷ୍ଟ ଥିଲା । ପାଶ୍ଚାତ୍ୟ ଜଗତରେ ଲୋକେ ଭାରତ ସଂପର୍କରେ ଯାହା ଯାହା ଧାରଣା ପୋଷଣ କରୁଥିଲେ ତାହା ମୁଖ୍ୟତଃ ମିଲେଟସଙ୍କ ଭୂଗୋଳ ଏବଂ ହେରୋଡଟସଙ୍କ ଲିଖିତ ଇତିହାସ ଉପରେ ଆଧାରିତ ଥିଲା । ମିଲେଟସଙ୍କ ଭୂଗୋଳରେ ଭାରତର କେବଳ ଭୌଗୋଳିକ ଅସ୍ତିତ୍ୱ ସଂପର୍କରେ କିଛି ବିବରଣୀ ରହିଥିଲା । ଆଉ ହେରୋଡଟସଙ୍କ "ଇତିହାସ"ରେ ଯାହା ଯାହା ଭାରତ ବୃତ୍ତାନ୍ତ ରହିଥିଲା ତାହାର ସତ୍ୟାସତ୍ୟକୁ ନେଇ ପାଶ୍ଚାତ୍ୟ ଜଗତରେ ଅନେକ ସନ୍ଦେହ ରହିଥିଲା । ହେରୋଡଟସ ତାଙ୍କର "ଇତିହାସ"ରେ ଭାରତ ବିଷୟକ ଅନେକ କଥାର ଅବତାରଣା କରିଥିଲେ ହେଁ ଏକଥା ପ୍ରାସଙ୍ଗିକ ଯେ, ସେ ନିଜ ଜୀବନକାଳରେ କଦାପି ଭାରତକୁ ଯାଇନଥିଲେ । ତେଣୁ ସେ ଭାରତ ସଂପର୍କରେ ଯାହା ଯାହା ଲେଖିଛନ୍ତି ତାହା କେବଳ ଶୁଣାକଥା । ହେରୋଡଟସ ଭାରତ ବିଷୟରେ ଲେଖିବାବେଳେ ଯେଉଁ ଶୁଣାକଥାକୁ ଆଧାର କରି ଲେଖିଛନ୍ତି ସେହି ସବୁ ଶୁଣାକଥା ହେଉଛି ସମକାଳର ପାଶ୍ଚାତ୍ୟ ଜଗତରେ ପ୍ରଚଳିତ ଶୁଣାକଥା । ହେରୋଡଟସ ପ୍ରତ୍ୟକ୍ଷ ଭାବରେ ସେମିତି କୌଣସି ଭାରତ - ଯାତ୍ରୀ ସହିତ କଥାବାର୍ତ୍ତା କରି ନାହାଁନ୍ତି । ସେ ସମୟର ଲୋକମୁଖରେ ଯାହା ପ୍ରଚଳିତ ଥିଲା ସେଥିରୁ କିଛିକୁ ସଂଗ୍ରହ କରି ସେସବୁକୁ ସେ ତାଙ୍କର ଭାରତ ବିବରଣୀରେ ଲିପିବଦ୍ଧ କରିଛନ୍ତି । ଏଇଠି ଲକ୍ଷ୍ୟ କରିବାର କଥା ହେଉଛି, ଗୋଟିଏ ଶୁଣାକଥା ଯଦି କୌଣସି ଅଂଚଳରେ ଦୀର୍ଘ ଦିନ ଧରି ପ୍ରଚଳିତ ହୋଇଥାଏ, ଯଦି ସେଥିରେ ଆବଶ୍ୟକୀୟ ସଂଶୋଧନ କରିବା ପାଇଁ କୌଣସି ଉପଯୁକ୍ତ ପ୍ରତ୍ୟକ୍ଷଦର୍ଶୀ ଉପସ୍ଥିତ ନଥାନ୍ତି ତାହାହେଲେ ସେହି ଶୁଣାକଥାରେ କ୍ରମଶଃ ଅଧିକରୁ ଅଧିକ କଳ୍ପନାର ବ୍ୟବହାର ଦେଖାଯାଇଥାଏ ।

ଟିସିଆସ୍ ବି ହେରୋଡଟସ୍ ଙ୍କ ଭଳି ଭାରତକୁ କଦାପି ଯାଇ ନାହାଁନ୍ତି । ଅବଶ୍ୟ ଆଜି ଆମକୁ ଆଶ୍ଚର୍ଯ୍ୟ ଲାଗିପାରେ ଯେ ପାରସ୍ୟ ଆଉ ଭାରତ ମଧ୍ୟରେ ନିୟମିତ ଲୋକମାନଙ୍କର ଯାହା ଆଗରୁ ଉଲ୍ଲେଖ କରାଯାଇଛି, ରାଜନୈତିକ, ଅର୍ଥନୈତିକ ତଥା ଧର୍ମଗତ କାରଣରୁ ଯିବା ଆସିବା ଲାଗି ରହିଥିବା ସମୟରେ ଟିସିଆସ୍ ଙ୍କର ଭାରତ ସଂପର୍କରେ ଯଥେଷ୍ଟ ଆଗ୍ରହ ଥିବା ସତ୍ତ୍ୱେ ଭାରତକୁ ଯାଇ ନପାରିବା । ବିଶେଷ ଭାବରେ ଜଣେ ଦରବାରୀ ଚିକିତ୍ସକ ହୋଇଥିବା କାରଣରୁ ଏବଂ ବିଶେଷ ଭାବରେ ଭାରତରେ ସାପକାମୁଡା ରୋଗୀର ସଫଳ ଚିକିତ୍ସା କରାଯାଇପାରୁଥିବା କାରଣରୁ ସାପକାମୁଡା ଚିକିତ୍ସା ସଂପର୍କରେ ଭାରତରୁ ଶିକ୍ଷାଲାଭ କରି ତାହାକୁ ପାଶ୍ଚାତ୍ୟ ଜଗତରେ ଯଥେଷ୍ଟ ଅର୍ଥକରୀ କରିପାରିବା ଭଳି ବ୍ୟବସାୟଗତ ବିଚାର ତାଙ୍କର ନିଶ୍ଚୟ ରହିଥିବ । ତଥାପି ଟିସିଆସ୍ ଭାରତକୁ ନଯାଇପାରିବା ପଛର କାରଣ ଆକାରରେ କେବଳ ଏତିକି ଅନୁମାନ କରାଯାଇପାରେ ଯେ, ସେ ପାରସ୍ୟର ଜଣେ ସଫଳ ଦରବାରୀ ଚିକିତ୍ସକ ଭାବରେ ବହୁ ପରିମାଣରେ ବ୍ୟସ୍ତ ରହୁଥିବା କାରଣରୁ ଅନ୍ୟତ୍ର ଯିବା ପାଇଁ ସମୟ ପାଇନାହାଁନ୍ତି ।

ଟିସିଆସ୍ ଙ୍କ ନିକଟରେ ଜଣେ ସଫଳ ଚିକିତ୍ସକ ହେବା ବ୍ୟତୀତ ଜଣେ ଉତ୍ତମ ଲେଖକ ହେବାର ସମସ୍ତ ଗୁଣ ରହିଥିଲା । ପାରସ୍ୟରେ ସତର ବର୍ଷରୁ ଅଧିକ ସମୟ ରହିବା ଫଳରେ ସେ ନିଜର ପାରସ୍ୟ ଅନୁଭୂତିକୁ ଆଧାର କରି ସମକାଳର ପାରସ୍ୟର ଇତିହାସକୁ ରଚନା କରିଛନ୍ତି । ସେଥିରୁ ଭାରତ ସଂପର୍କରେ କିଛି କିଛି ବିବରଣୀ ମିଳିଥାଏ । ଏହାଛଡା ସେ ଭାରତ ସଂପର୍କରେ ନିଜର ସିଦ୍ଧାନ୍ତକୁ ଗୋଟିଏ ସ୍ୱତନ୍ତ୍ର ବହି ଆକାରରେ ରଚନା କରିଥିଲେ । ସେହି ବହିର ନାଆଁ ଥିଲା "ଇଣ୍ଡିକା" । ଏହାର ବହୁବର୍ଷ ପରେ ମୌର୍ଯ୍ୟବଂଶର ପ୍ରତିଷ୍ଠାତା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସମୟରେ ଗ୍ରୀକ୍ ପରିବ୍ରାଜକ ମେଘାସ୍ଥିନିସ୍ (୩୫୦ ଖ୍ରୀପୂ - ୨୯୦ ଖ୍ରୀପୂ ) ଭାରତକୁ ଆସିଥିଲେ ଆଉ ତାଙ୍କର ଭାରତ ବିବରଣୀ ବି ଇଣ୍ଡିକା ନାମରେ ଆମର ପରିଚିତ । ମେଘାସ୍ଥିନିସଙ୍କ ଇଣ୍ଡିକାରୁ ତତ୍କାଳୀନ ଭାରତ ସଂପର୍କରେ ଅନେକ ପ୍ରାମାଣିକ ତଥ୍ୟ ମିଳୁଥିବାବେଳେ ତାହାର ଆଗରୁ ରଚିତ ଟିସିଆସ୍ ଙ୍କ ଇଣ୍ଡିକା ପୁସ୍ତକଟି କାଳକ୍ରମରେ ହଜିଯାଇଅଛି । ମାତ୍ର ସୌଭାଗ୍ୟର ବିଷୟ ଯେ ଟିସିଆସ୍ ଙ୍କ "ଇଣ୍ଡିକା"ର ୮୫୮ ଖ୍ରୀଷ୍ଟାବ୍ଦରେ ଏକ ସଂକ୍ଷିପ୍ତ ରୂପ ପ୍ରକାଶ କରାଯାଇଥିଲା । ମୂଳ ଟିସିଆସ୍ ଙ୍କ ଇଣ୍ଡିକାକୁ ସଂକ୍ଷିପ୍ତ କରିଥିଲେ ଫୋଟିଅସ୍ ନାମକ ଜଣେ ଲେଖକ । ତେଣୁ ଟିସିଆସ୍ ଙ୍କ ଭାରତ ବିବରଣୀ କହିଲେ ଆମ ଆଗରେ ଯାହା ଉପଲବ୍ଧ ତାହା ହେଉଛି ଫୋଟିଅସ୍ କୃତ ଟିସିଆସ୍ ଙ୍କ ଇଣ୍ଡିକାର ସଂକ୍ଷିପ୍ତସାର ।

ଏଇଠି ଗୋଟିଏ ପ୍ରଶ୍ନ ଆସିବ ହେରୋଡଟସ୍ ଏବଂ ଟିସିଆସ୍ ଉଭୟେ ଭାରତକୁ ଆସିନାହାଁନ୍ତି ଅଥଚ ଉଭୟେ ଭାରତ ଉପରେ କିଛି କିଛି ଇତିହାସମୂଳକ ବିବରଣୀ ରଚନା କରିଯାଇଅଛନ୍ତି । ଯଦି ହେରୋଡଟସ୍ ଙ୍କ "ଇତିହାସ" ରେ ରହିଥିବା ଭାରତ ବିବରଣୀକୁ ଆମେ କଳ୍ପନାର ପରିପ୍ରକାଶ ବୋଲି ପ୍ରାଥମିକ ଭାବରେ ବିଚାର କରି ସେଥିରୁ ଯଥାସମ୍ଭବ ତଥା ସର୍ବନ୍ୟୁନ ବାସ୍ତବିକତାକୁ ଖୋଜିବା ହିଁ ଆମର ଇତିହାସ ଚର୍ଚ୍ଚା ବୋଲି ମନେକରୁଛୁ, ତାହାହେଲେ ଟିସିଆସ୍ ଙ୍କ "ଇଣ୍ଡିକା" କୁ କ'ଣ ଠିକ୍ ସେହିଭଳି ପଢି ଠିକ୍ ସେହିଭଳି କଳ୍ପନାରୁ ବାସ୍ତବିକ ଇତିହାସକୁ ଖୋଜିବା ? ଏହାର ଉତ୍ତର ଉଭୟ ହଁ ଆଉ ନାଁରେ ରହିବ । ଟିସିଆସ୍ ଙ୍କ ପାରସ୍ୟ ରହଣି କାଳରେ ଭାରତର ଉତ୍ତରପଶ୍ଚିମର କିଛି ଅଂଶ ପାରସ୍ୟର ସିଧାସଳଖ ଅର୍ଥାତ ପ୍ରତ୍ୟକ୍ଷ ଶାସନାଧୀନରେ ରହିଥିଲା । ତେଣୁ ଜଣେ ଦରବାରୀ ଚିକିତ୍ସକ ହିସାବରେ ଟିସିଆସ୍ ଭାରତ ସଂପର୍କରେ ଯାହା ଯାହା ଶୁଣିଥିଲେ ତାହା ଅନେକ ପରିମାଣରେ ବାସ୍ତବ ଥିଲା । ତାହା ଛଡା ସେ ଭାରତରୁ ଯିବା ଆସିବା କରିଥିବା ଅନେକ ଭାରତଯାତ୍ରୀଙ୍କ ସହ ପ୍ରତ୍ୟକ୍ଷ ଭାବରେ ଆଲୋଚନା କରିଥିବା ଅନେକ ପରିମାଣରେ ସମ୍ଭବ । ଅନ୍ୟପକ୍ଷରେ ଇତିହାସର ଜନକ ହେରୋଡଟସ୍ କେବଳ ଭାରତ ସଂପର୍କରେ ନିଜର ଆଖପାଖ ଅଂଚଳରେ ଯାହା ଯାହା ପ୍ରଚଳିତ କଥା ରହିଥିଲା ତାହାକୁ ନିଜର କଳ୍ପନା ଶକ୍ତିରେ ଲିପିବଦ୍ଧ କରିଯାଇଛନ୍ତି । ସେ ଦୃଷ୍ଟିରୁ ଦେଖିଲେ ତୁଳନାତ୍ମକ ଭାବରେ ହେରୋଡଟସ୍ ଙ୍କ ଅପେକ୍ଷା ଟିସିଆସ୍ ଙ୍କ ଭାରତ ବିବରଣୀ ଇତିହାସ ଦୃଷ୍ଟିକୋଣରୁ ପ୍ରଥମ ପ୍ରାମାଣିକ ଭାରତ ବିବରଣୀ ହେବା ଉଚିତ ।

ପ୍ରତ୍ୟେକ ତଥ୍ୟର ପ୍ରତ୍ୟକ୍ଷ ଅନୁସନ୍ଧାନ, ପୁଙ୍ଖାନୁପୁଙ୍ଖ ଆଲୋଚନା ସତ୍ତ୍ୱେ ଟିସିଆସ୍ ଙ୍କ ଭାରତ ବିବରଣୀ ବା "ଇଣ୍ଡିକା" ଠିକ୍ ସେହିଭଳି ଗୋଟିଏ ପ୍ରାମାଣିକ ବିବରଣୀ ଆକାରରେ ଆଜି ଆମ ପାଖରେ ରହିନାହିଁ । ଏହାକୁ ଠିକ୍ ହେରୋଡଟସ୍ ଙ୍କ "ଇତିହାସ" ଭଳି ଏକ ବୈଦେଶିକ ଭାରତ ଦୃଷ୍ଟି ଅର୍ଥାତ୍ ଭାରତ ସଂପର୍କରେ କାଳାନୁକ୍ରମିକ ଭାବରେ ଦ୍ୱିତୀୟ ଭାରତ ବିବରଣୀ ହିସାବରେ ଦେଖାଯାଏ । ଏଥିରେ ବି ସେହି ହେରୋଡଟସ୍ ଜାତୀୟ କଳ୍ପନାର ଚିତ୍ର ଦେଖାଯାଏ । ଟିସିଆସ୍ ଙ୍କ ଲେଖା ସେମିତି ପ୍ରାମାଣିକ ହୋଇ ନ ପାରିବା ପଛରେ ରହିଛି କେବଳ ଗୋଟିଏ ମାତ୍ର କାରଣ । ଆଗରୁ ଉଲ୍ଲେଖ କରାଯାଇଛି ଯେ ଟିସିଆସ୍ ଙ୍କ "ଇଣ୍ଡିକା" ପୁସ୍ତକଟି କାଳକ୍ରମରେ କୁଆଡେ ହଜିଯାଇଅଛି ଆଉ ଟିସିଆସ୍ ଙ୍କ "ଇଣ୍ଡିକା" ହିସାବରେ ଯାହା ଏବେ ଉପଲବ୍ଧ ରହିଛି ତାହା ହେଉଛି ମୂଳପାଠର ସଂକ୍ଷିପ୍ତ ସାର ଯାହା ଏହି ପୁସ୍ତକଟି ରଚନା କରାଯିବାର ଦୀର୍ଘ ସମୟ ପରେ ଅର୍ଥାତ୍ ୮୫୮ ଖ୍ରୀଷ୍ଟାବ୍ଦରେ ଭିନ୍ନ ଜଣେ ଲେଖକ ଫୋଟିଅସ୍, ଦି ପାର୍ଟ୍ରିଆର୍କ ଅଫ୍ କନଷ୍ଟାଣ୍ଟିନୋପଲଙ୍କ ଦ୍ୱାରା ସଂପାଦନ କରାଯାଇଥିଲା । ତେଣୁ ମୂଳପାଠକୁ ସଂକ୍ଷିପ୍ତ କଲାବେଳେ ଫୋଟିଅସ୍ ନିଜେ ଭାରତ ସଂପର୍କରେ ଯାହା ତାଙ୍କୁ ଉପଯୁକ୍ତ ମନେ ହୋଇଛି ତାହାକୁ ସେ ରଖିଛନ୍ତି । ତେଣୁ ଅନେକ ସମୟରେ ନିଜର ମାତ୍ରାଧିକ କଳ୍ପନାର ପ୍ରୟୋଗ ହୋଇଅଛି । ଏହା ସହିତ ଆଉ ଗୋଟିଏ କଥା ଆମର ମନେ ରଖିବା ଉଚିତ ଯେ ଗ୍ରୀକ୍ ମାନେ ସେ ସମୟରେ ନିଜକୁ ସବୁଠାରୁ ସଭ୍ୟ ଜାତି ବୋଲି ବିଚାର କରୁଥିଲେ । ପୃଥିବୀର ଅନ୍ୟ ସମସ୍ତ ଅଂଚଳକୁ ସେମାନେ ନିଜର ସଭ୍ୟତାର ପରିମାପକରେ ବିଚାର କରିବାକୁ ଆଗଭର ହୋଇଥାନ୍ତି । ସେମାନେ ସବୁ ସମୟରେ ଉଦଗ୍ରୀବ୍ ରହିଥାନ୍ତି ଯେପରି ସୁଯୋଗ ମିଳିଲେ ସେମାନେ ସମଗ୍ର ପୃଥିବୀକୁ ଗ୍ରୀକୀକରଣ ବା ହେଲେନାଇଜ୍ କରିଦେବେ । ଟିସିଆସ୍ ଙ୍କ ଭାରତ ବିବରଣୀକୁ (ସଂକ୍ଷିପ୍ତ ସାର)କୁ ମଧ୍ୟ ସେହି ଦୃଷ୍ଟିକୋଣରୁ ଦେଖାଯାଇଥାଏ ।

ସେ ଯାହାହେଉ ଟିସିଆସ୍ ଙ୍କ ଭାରତ ବିବରଣୀରେ ଅର୍ଥାତ୍ ତାଙ୍କର ଇଣ୍ଡିକାରୁ ଆମକୁ ଭାରତ ସଂପର୍କିତ ଅନେକ କାଳ୍ପନିକ କାହାଣୀ ଦେଖିବାକୁ ମିଳେ । ତାହା ଭିତରେ ପ୍ରମୁଖ ଭାବରେ ରହିଛି ଆସିରୀୟ ରାଣୀ ସେମିରାମିସ୍ ଙ୍କ ଭାରତ ଆକ୍ରମଣର କାହାଣୀ । ରାଣୀ ସେମିରାମିସ୍ ଏହି ଯୁଦ୍ଧ ପାଇଁ ପ୍ରାୟ ତିନିଲକ୍ଷ ଷଣ୍ଢଙ୍କୁ ବଳି ଦେଇଥିଲେ । ତାହାର ମାଂସକୁ ଶ୍ରମିକ ଆଉ ପଥୁରିଆଙ୍କ ମଧ୍ୟରେ ବାଣ୍ଟିଦେଇଥିଲେ । ଆଉ ତାହାପରେ ରାଣୀଙ୍କର ନିର୍ଦ୍ଦେଶକ୍ରମେ ସେହି ଷଣ୍ଢମାନଙ୍କ ଚମଡାରେ ନିର୍ମାଣ କରାଯାଇଥିଲା କେତୋଟି ହାତୀ ଆଉ ସେହି ନକଲି ହାତୀଙ୍କ ପେଟରେ ଅସ୍ତ୍ର ଶସ୍ତ୍ର ସହ ଲୁଚି ବସିଥିଲେ ରାଣୀ ସେମିରାମିସ୍ ଙ୍କ ସୈନ୍ୟମାନେ, ଆକ୍ରମଣ ପାଇଁ ପ୍ରସ୍ତୁତ । ଟିସିଆସ୍ ଙ୍କ ଅନୁସାରେ ରାଣୀ ସେମିରାମିସ୍ ଙ୍କର ସେହି ଭାରତ ଆକ୍ରମଣ ସଫଳ ହେଲାନାହିଁ । ଐତିହାସିକମାନେ ଟିସିଆସ୍ ଙ୍କର ଏହି ଆସିରୀୟ ରାଣୀ ସେମିରାମିସ୍ ପ୍ରସଙ୍ଗକୁ କେବଳ ଏକ କାହାଣୀ ଭଳି ମନେ କରନ୍ତି । ଏହାର କୌଣସି ପ୍ରାସଙ୍ଗିକତା ନାହିଁ । ସେମାନଙ୍କ ମତରେ ଏହା ହୋମରଙ୍କ ପ୍ରସିଦ୍ଧ ଟ୍ରୋଜାନ୍ ଯୁଦ୍ଧର ଏକ ଭାରତୀୟ ପୃଷ୍ଠଭୂମି ପ୍ରଦାନ କରିବା ଭଳି କଳ୍ପନା ମାତ୍ର ।

ଭାରତର ସମୃଦ୍ଧି ତଥା ରହସ୍ୟମୟତା ସଂପର୍କରେ ଟିସିଆସ୍ ତାଙ୍କର "ଇଣ୍ଡିକା"ରେ ଗୋଟିଏ ବିଚିତ୍ର ଉଲ୍ଲେଖ କରିଛନ୍ତି । ସେହି ଉଲ୍ଲେଖଟି ସୁନା ସଂପର୍କରେ । ଭାରତ ଆବହମାନକାଳରୁ ଏକ ସ୍ୱର୍ଣ୍ଣପ୍ରସୂ ଦେଶ ହିସାବରେ ବାହାରେ ପ୍ରଖ୍ୟାତ । ଟିସିଆସ୍ ଉଲ୍ଲେଖ କରିଛନ୍ତି ଭାରତରେ ଏମିତି କିଛି ସ୍ଥାନରେ ସୁନାର ଝରଣା ରହିଛି । ସେହି ଝରଣାରେ ପାଣି ବଦଳରେ ନିରନ୍ତର ସୁନା ବୋହୁଥାଏ । ବର୍ଷରେ ଥରେ ଲୋକେ ମାଠିଆ ଧରି ସେହି ଝରଣାରୁ ମାଠିଆ ଭର୍ତ୍ତି ସୁନା ନିଜ ଘରକୁ ଆଣିଥାନ୍ତି । ସେହି ମାଠିଆଗୁଡିକ ମାଟିରେ ତିଆରି । ମାଟିର ମାଠିଆରେ ଯେତେବେଳେ ଝରଣାରୁ ତରଳ ସୁବର୍ଣ୍ଣ ଭର୍ତ୍ତି ହୋଇ ତଳକୁ ଆସେ ସେତେବେଳେ ବାଟରେ ଜମାଟ ବାନ୍ଧିଯିବା କାରଣରୁ ମାଠିଆରେ ଫାଟ ହୁଏ ଆଉ ସେଥିରୁ ଖଣ୍ଡିଏ ଖଣ୍ଡିଏ ତଳକୁ ଖସିପଡେ । ସୁନାଦାଗ ଥିବା ସେହି ଖପରାମାନ ବାଟରେ ସେମିତି ପଡିଥାଏ ଆଉ ଖରାରେ ଚକଚକ କରୁଥିବା ସେହି ଖପରାକୁ ଦେଖି ଲୋକେ ଠିକ୍ ଠଉରାଇ ପାରନ୍ତି ଅସଲ ସୁବର୍ଣ୍ଣ ଝରଣାଟିକୁ ବାଟ କେଉଁଦିଗରେ ପଡିଛି ! ଏଇ ସୁବର୍ଣ୍ଣ ଝରଣା ବିଷୟରେ ଟିସିଆସ୍ ଆହୁରି କହିଛନ୍ତି ଯେ ଏହି ସୁବର୍ଣ୍ଣ ଝରଣାର ଠିକ୍ ତଳେ ଲୁହା ରହିଥାଏ । ସେହି ଲୁହା ଭାରି ଅଦ୍ଭୁତ । ତାହାକୁ ଭୂଇଁରେ ପୋତିଲେ ଆକାଶରେ ମେଘ ଆଉ ବଜ୍ର ବାଟଭାଙ୍ଗି ଯିବ । ସେ ନିଜେ ପରୀକ୍ଷା କରି ଦେଖିଛନ୍ତି, ଏହା ସଂପୂର୍ଣ୍ଣ ସତ । ଏହି ବିଶେଷ ଲୁହାରେ ନିର୍ମିତ ତାଙ୍କ ପାଖରେ ଦୁଇଟି ଖଣ୍ଡା ରହିଛି, ଗୋଟିଏ ସେଥିରୁ ତାଙ୍କୁ ପାରସ୍ୟର ରାଜା ଦେଇଥିଲେ ଆଉ ଆରଟି ତାଙ୍କୁ ଦେଇଥିଲେ ପାରସ୍ୟର ରାଜମାତା ।

ଟିସିଆସ୍ ତାଙ୍କର ବିବରଣୀରେ ଭାରତୀୟମାନଙ୍କୁ ନୀତିନିଷ୍ଠ ବୋଲି ବର୍ଣ୍ଣନା କରିଛନ୍ତି । ସେମାନେ ସବୁବେଳେ ସୂର୍ଯ୍ୟ ଆଉ ଚନ୍ଦ୍ରଙ୍କୁ ଅନୁସରଣ କରି ଚଳୁଥାନ୍ତି । ସୂର୍ଯ୍ୟ ଆଉ ଚନ୍ଦ୍ର ସନ୍ତୋଷ ହେଲେ ତାଙ୍କର ଯାବତୀୟ ସନ୍ତୋଷ ।

ଭାରତରେ ସୂର୍ଯ୍ୟ ପୃଥିବୀର ଅନ୍ୟପ୍ରାନ୍ତର ସୂର୍ଯ୍ୟ ତୁଳନାରେ ଦଶଗୁଣ ବଡ । ଯଦି ସେ କେଉଁଠି ଟିକିଏ ଅବିଗୁଣ ଦେଖିବେ ଏମିତି ଖରା ବୃଷ୍ଟି କରିବେ ଯେ ଚାରିଆଡ ଛାରଖାର ହୋଇଯିବ ।

ଭାରତରେ ସମୃଦ୍ଧି ସହ ଏମିତି ଗୋଟିଏ ସୂର୍ଯ୍ୟ ଭୟ ନିରନ୍ତର ବିରାଜମାନ କରୁଥିଲା ବୋଲି ଲେଖିଛନ୍ତି ଟିସିଆସ୍ ।

Report an Error