କରୋନା ଡାଏରୀ

ଗୋଟେ ଅସୁସ୍ଥ ସମୟର ଡାଏରୀ ଇଏ । ଆମ ସମୟର ସବୁଠୁ ଭୟଙ୍କର ମହାମାରୀ ସମୟର ଏକ ଦାରୁଣ ପ୍ରେମକାହାଣୀ । ମହାମାରୀର ସମୟକୁ କଳାରେ ରୂପାନ୍ତରିତ କରିବାର ଏହା ଏକ ସାର୍ଥକ ପ୍ରୟାସ ।


ଭୁବନେଶ୍ୱର
୧୮.୦୪.୨୦୨୦

ପ୍ରିୟ ନିଖିଲ,
ଆଶା କରେ ଭଲରେ ଥିବ । ହଁ ଏଇ ଆଶା ହିଁ ତ ବଞ୍ଚେଇ ରଖିଛି । ତଥାପି ମନ ଭିତରୁ କେହି କହୁଛି ସବୁ ଠିକ୍ ହବ । କିନ୍ତୁ ବାହାରକୁ ଦେଖିଲେ, ଟିଭି ଖୋଲିଲେ, କାହା ସାଥିରେ ବି ଫୋନ୍‌ରେ କଥାହେଲେ ଦୁନିଆ ବିଷୟରେ ବାସ୍ତବରେ ଜାଣିଲେ ବହୁତ ଡର ଲାଗୁଛି । ସତରେ କ’ଣ ସେଇଟା ଆମ ଶେଷ ଦେଖାଥିଲା ଧନ ? ଆମେ କ’ଣ ଆଉ ମିଶି ପାରିବା ? ଆମ ସ୍ୱପ୍ନ ଏମିତି ବାକି ରହିଯିବ ? ଜାଣିଥିଲେ ତୁମ ଛାତିର ନିବିଡ଼ତାକୁ ଆହୁରି ଭୋଗିବାକୁ ଚେଷ୍ଟା କରନ୍ତି । ତୁମ ଆଖିରେ ଆଉ କିଛି ସମୟ ଅଟକି ଯାଆନ୍ତି । ଯିବାବେଳେ ତୁମ ପାଇଁ ଯୋଉ ରୁମାଲ ରଖିଥିଲି ସେମିତି ଥିଲା । ତମେ ସବୁବେଳେ ଭୁଲିଯାଅ । ଅବସ୍ଥା ଏମିତି ହେବ ଜାଣିଥିଲେ, ଦୌଡ଼ି ଯାଆନ୍ତି ପଛରେ ।

ନିଖିଲ, ଶୁଣ ନା, ତମର ମନେ ଅଛି ଯୋଉ ଡ୍ରେସ୍ ଟି ତମେ ଗଲା ଥର ଆଣିଥିଲ ସେଇଟା ପିନ୍ଧି ବସି ଲେଖୁଛି । ଆଜିକୁ ପାଖାପାଖି ଗୋଟିଏ ମାସ ହେଲା ତୁମେ ଯିବା । ଗତ କିଛି ଦିନ ହେଲା ଯାହା ଚାଲିଛି ଏମିତି ହବ କିଏ ଜାଣିଥିଲା ? ତୁମେ ଯିବା ପରେ ମୁଁ ପୁଣି ମୋ ଅଫିସ୍‌, ବାପାଙ୍କ କାମ ଓ ମୋ ଘର, ଗଛ ଫଳ, ଫୁଲ ଭରା ମୋ ଦୁନିଆରେ ମନ ଲଗେଇବାକୁ ଚେଷ୍ଟା କରୁଥିଲି କି ଏହି ‘କରୋନା’ ମାରାତ୍ମକ ରାକ୍ଷସ ପୂରା ଦୁନିଆରେ ତାଣ୍ଡବ ଆରମ୍ଭ କଲା । ବାପାଙ୍କ ଦେହ ଯାହା ବି କିଛି ଭଲ ହେଇଥିଲା, ଏହି ଡର ଆଉ ଚିନ୍ତାରେ ସେ ସଂପୂର୍ଣ୍ଣ ଶଯ୍ୟାଶାୟୀ ହୋଇ ପଡ଼ିଲେ । କିଛି ଜିନିଷ ରଖିଛି ଓ କିଛି ଭାରି ସତର୍କତା ସହିତ ଯାଇ ଆଣୁଛି । କଥା ପଦେ କହିବାକୁ କେହି ନାହିଁ । ନିରାଶା ଓ ଅନ୍ଧକାର ସମୟ ଲାଗୁଛି ଜୀବନ ।

୨୫.୦୪.୨୦୨୦

ଆଜି ଆମ ଘର ପାଖେ ଗୋଟିଏ ରୋଗୀ ଧରାପଡ଼ିଲେ । ଆମ ଘରଠାରୁ ଡାହାଣକୁ ଗଲେ ଯୋଉଁ ନିମ ଗଛ ଅଛି, ଠିକ୍ ତାକୁ ଲାଗି ହଳଦୀ ରଙ୍ଗର କୋଠାଟି, ବାସ ସେଇ ଘର । ନିମ ଗଛ ମନେ ଥିବା ନା । କେତେ ରାଗ ରୁଷା, ତା ପାଖେ ଆମର କେତେ କଥା । ସେଠି ରୁହନ୍ତି ମହାନ୍ତି ମଉସା । ତା’ଙ୍କ ପୁଅ ଫେରିଥିଲେ ସିଙ୍ଗାପୁରରୁ । ଠିକ୍ ତ ଥିଲେ ପୁଣି କ’ଣ ହେଲା । ଏହି ଘର ପାଖ ଖବର ବି ଟିଭିରୁ ଜାଣି ପାରିଲି ଜାଣିଚ, ଆମ ପୂରା ଏରିଆ ସିଲ୍ । କ’ଣ କରିବି ? ବାପାଙ୍କ ମେଡ଼ିସିନ୍ କେମିତି ଆଣିବି ? କ’ଣ ଏ କରୋନା ? କେବେ ବନ୍ଦ ହେବ ଏଇ ସବୁ ? ଜୀବନ ପୁଣି ସୁସ୍ଥ ହେବ କେବେ ? ମଣିଷ ଦେଖିବାକୁ ମିଳୁନି ରାସ୍ତାରେ । ଏକୁଟିଆ ଜୀବନ ଅସ୍ତବ୍ୟସ୍ତରେ ଧନ ମୋର । କ’ଣ ହେବ କେଜାଣି ?

୨୯.୦୪.୨୦୨୦

ଆଜି ବାପା ହଠାତ୍ କାହିଁକି ମତେ ପାଖକୁ ଡ଼ାକି କୋଉଠି କ’ଣ ସମ୍ପତ୍ତି ଅଛି ତା ହିସାବ ଦେଲେ । ଭାଇ ତ ଆମେରିକାରେ । ତାର ଆସିବା ଅସମ୍ଭବ । ଆଉ ରେନା ଅପା ବାହା ହେଇ ଲଣ୍ଡନରେ ସେ ଦୁହେଁ ଡରିମରି ରହିଛନ୍ତି । ଆଜି କିଛି ସ୍ୱାସ୍ଥ୍ୟ କର୍ମୀ ଆସି ମୋର ଆଉ ବାପାଙ୍କ ବ୍ଲଡ ନେଇଛନ୍ତି । ଆମ ଘର ପାଖେ ସେ ମହାନ୍ତି ମଉସାଙ୍କ ଘର କଥା କହୁଥିଲି ନା । ହଁ ସେଥିପାଇଁ । କିଛି ନାହିଁ ଯେ, ତଥାପି ଡର ଲାଗୁଚି । ବାପାଙ୍କ ମେଡ଼ିସିନ୍ ଆଉ ଦୁଇ ଦିନ ଯିବ କ’ଣ କରିବି ? ଘରେ ଜିନିଷ ସବୁ ସରି ଆସିଲାଣି । କେବେ ଏତେ ଏକଲା ଲାଗି ନଥିଲା । ନିଃସଙ୍ଗତା ମଣିଷର ସବୁଠୁ ବଡ଼ ଶତ୍ରୁ ଆଜି ଜାଣୁଛି । ଘର, ଅଫିସ୍ ସାଙ୍ଗସାଥିରେ ମନ ଚାହୁଁଥିଲା, ଏକୁଟିଆ ରହି ଶାନ୍ତି ଖୋଜିବାକୁ । ଆଜି ଏକୁଟିଆ କେବଳ ମୁଁ ନୁହେଁ ଦୁନିଆ ସାରା ସମସ୍ତେ ବେସାହାରା । ଅଶାନ୍ତ ମନ, ଅଶାନ୍ତ ଜୀବନ ଅଶାନ୍ତ ବାତାବରଣ ।

୦୧.୦୫.୨୦୨୦

ନିଖିଲ, ତୁମ ବିନା କିଛି ଭଲ ଲାଗୁନି । ନିଃସଙ୍ଗତା ଓ ଅନିଶ୍ଚିତତା ଜାବୁଡ଼ି ଧରିଛି ମୋର ସଂପୂର୍ଣ୍ଣ ସତ୍ତାକୁ । ହସିବା ପାଇଁ ବାହାନା ବି ନାହିଁ । ଚାରିଆଡ଼େ ମାସ୍କ କିଏ କାହାକୁ ଚିହ୍ନିପାରୁ ନାହାଁନ୍ତି । ଏହି କରୋନାର ଲକ୍ଷଣ ଥଣ୍ଡାର ଲକ୍ଷଣ ଭଳି ତେଣୁ ବହୁତ ସାବଧାନ ରହିବା ଦରକାର ହଉଛି । ମନେ ଅଛି ଥରେ ବର୍ଷାରେ ଓଦା ହେଇ ଥରୁଥିଲି । ମୋ ଅଭ୍ୟାସ ତ ତମେ ଜାଣ ବର୍ଷା ଦେଖିଲେ ଦଉଡେ ଓଦା ହେବା ପାଇଁ । କେତେ ପାଟି କର, ଗାଳିକର । ମୁଁ ତୁମକୁ ଦେଖିଲେ ଛୋଟ ପିଲା ହେଇଯାଏ । କିଛି କଥା ଶୁଣେନି । ଆଜି ମତେ ଆକଟ କରିବାକୁ କେହି ନାହିଁ । ନିଜକୁ ସୁରକ୍ଷିତ ରଖିବା ଓ ସୁସ୍ଥ ରଖିବା ଗୋଟିଏ ବଡ଼ ଚୁନୌତି । ଯଦି ତୁମେ ମୋ ଜୀବନରେ ଏତେ ସୁନ୍ଦର ସ୍ମୃତି ସବୁ ସଜାଇ ନ ଥାନ୍ତ, ମୁଁ ଆଜି ବାସ୍ତବତାକୁ ଭୁଲିବାର ବାହାନା ଖୋଜି ପାଇ ନଥାନ୍ତି । ତୁମ ହସ, ତୁମ ଆଖି ଓ ଆମ ଅପାସୋରା ଅଭୁଲା ଦିନ ସବୁ ମତେ ଜୀବନ୍ତ ରଖି ପାରିଛି ।

୨୦.୦୫.୨୦୨୦

ବହୁତ ଦିନ ପରେ ଲେଖୁଛି । ବାପାଙ୍କ ଦେହ ବହୁତ ଖରାପ । ମଧୁମେହ ତ ଜାଣିଥିଲ । ଏବେ କାହିଁକି କେଜାଣି ବ୍ଳଡ଼ ପ୍ରେସର ବି ବଢ଼ିକି ରହୁଛି । ବାପାଙ୍କୁ ହସ୍‌ପିଟାଲ ଆଣିବାକୁ ହେଲା । ଡର, ଦୁଃଖ, ନିରାଶା ସହିତ ଏକୁଟିଆ ଲଢ଼ୁଛି । ରାତି ଅନିଦ୍ରା ରହିବାକୁ ହଉଛି ବାପାଙ୍କ ସହିତ । କେହି ନଜର ଦଉନାହାନ୍ତି । ନର୍ସ ଆଜି ଜଣେ ତ କାଲି ଆଉ ଜଣେ । ଡାକ୍ତର ବି ଠିକ୍‌ରେ ଆସୁ ନାହାଁନ୍ତି । କରୋନା ପାଇଁ କେହି ଘରୁ ବାହାରୁ ନାହାନ୍ତି । ଭାଇ, ଅପା ସବୁ ଫୋନ୍‌ରେ ମତେ ଧୈର୍ଯ୍ୟ ଧରିବାକୁ କହୁଛନ୍ତି । କିନ୍ତୁ ମୁଁ ଯେ ଏଠି ଏକୁଟିଆ । ବାପା ସତେ ଯେମିତି ଆଉ ବଞ୍ଚିବାକୁ ଚାହୁଁ ନାହାନ୍ତି । ମୁଁ ତାଙ୍କୁ ଟାଣି ଧରିଛି ।

ନା ! ବାପାଙ୍କୁ ରହିବାକୁ ପଡ଼ିବ । ମୋ ପାଇଁ । ତୁମକୁ ଯଦି ଛାଡ଼ି ନଥାନ୍ତି, ଯିବାକୁ ମୋତେ ସାହାରା ମିଳି ଯାଆନ୍ତା । ବହୁତ କଷ୍ଟରେ ଅଛି ମୋ ପ୍ରାଣ ।

୦୨.୦୬.୨୦୨୦

ଦୁଃଖର ସହ କହୁଛି । ବାପା ଚାଲିଗଲେ । ବାପାଙ୍କ ଶେଷକୃତ୍ୟ ମତେ ହିଁ କରିବାକୁ ହେଲା । ଭାଇ ଗୋଟିଏ ପୁଅ ବୋଲି ମମି ସବୁବେଳେ କୁହେ, ‘ଯା ହଉ ମୁଖାଗ୍ନି ଦେବା ପାଇଁ କେହି ଅଛି’ । କିନ୍ତୁ ପୁଅ ତ ରହିଲା ଦୂରରେ । ଖାଲି ହୃଦୟଟା ଧକ୍‌ଧକ୍ ହଉଛି ବୋଲି ଜାଣୁଛି ମୁଁ ବଞ୍ଚିଛି । ଜୀଅନ୍ତା ଶବ ମୁଁ ନିଖିଲ, ଏବେ ଜୀଅନ୍ତା ଶବ । ଖାଲି ଘର । ଖାଲି ସହର । ଏ ଜୀବନ ମାଟିରେ ଘୋଷାଡ଼ି ହଉଥିବା ପୋକ ଭଳି ଲାଗିଲାଣି ।

୧୮.୦୬.୨୦୨୦

ତୁମେ ଫୋନ୍ ଉଠେଇନି । ଉଠେଇବା ଅବସ୍ଥାରେ ନାହିଁ ନିଖିଲ୍ ମୁଁ । ମୁମୂର୍ଷୁ କରୋନା ରୋଗୀ ମୁଁ । ଆଜି ବହୁତ ସାହସ କରି ଲେଖି ପାରୁଛି । ମୋ ଦେହର ପ୍ରତି ଅଙ୍ଗରେ କରୋନା ଭୂତାଣୁର ରାଜତ୍ୱ ଚାଲିଛି । ମୋ ନାକରୁ ଗଳା ହେଇ ମୋ ଛାତିରେ ଅଟକି ରହିଛନ୍ତି ଅସଂଖ୍ୟ ଦୁର୍ଦ୍ଦଶା କରୋନା ଭୂତାଣୁ । ଜାଣିଛି ମୋ ଅବସ୍ଥା ଅଧିକରୁ ଅଧିକ ଖରାପ ହୋଇଗଲାଣି । ମୋ ପାଖକୁ ଆଉ କେହି ଆସୁ ନାହାଁନ୍ତି । ମୃତ୍ୟୁର ବାସ୍ କିଛି ପାହାଚ ବାକି ଅଛି । ଆଖିରୁ ଅନବରତ ଲୁହ ବୋହି ଚାଲିଛି । ପ୍ରତି ନିଃଶ୍ବାସ ନେବାବେଳେ ଭାବୁଛି ମୁଁ ମରିନି କାହିଁକି । ମୋ ଦେହସାରା ଯନ୍ତ୍ରଣା । କଥା ବି କହି ପାରୁନି । ଶେଷ ବିଦାୟ ନିଖିଲ୍ । ତୁମକୁ ବହୁତ ଭଲପାଏ । ଏକ ଅସଫଳ ପ୍ରେମର ଶେଷ କଥା, ନିଜର ଯତ୍ନ ନେବ ।

ତୁମର, ଅଳକା
ବିଦାୟ