ସମକାଳର ଫ୍ୟାସନ ଓ ଆଦିବାସୀ ଅଳଙ୍କାର

ପ୍ରତ୍ୟେକ ଅଳଙ୍କାରର ନିଜସ୍ୱ ଶୈଳୀ ଓ ତିଆରି କରିବାର ଢାଞ୍ଚା ରହିଛି । ପ୍ରଥମେ କାରିଗର ପିତ୍ତଳ ସିଟ୍ ନେଇ ମାର୍କର ବ୍ୟବହାର କରି ସିଟ୍ ଉପରେ ଆବଶ୍ୟକ ଆକୃତି ଆଙ୍କନ୍ତି । ତାପରେ ସେଇ ଆକୃତିକୁ କଟର୍ ବ୍ୟବହାର କରି କାଟି ଦିଅନ୍ତି ।


ଫଟୋ - ସୁମିତ୍ରା ପାଢୀ

ଟ୍ରାଇବାଲ୍ ଜୁଏଲାରୀ ପ୍ରତି ମୋର ଆକର୍ଷଣ ପିଲାଟି ଦିନରୁ । ବେଙ୍ଗଲର ଜଣେ ଶିକ୍ଷକ ଆମକୁ ସେତେବେଳେ ଇଂରାଜୀ ପଢ଼ାଉଥିଲେ । ତାଙ୍କ ପତ୍ନୀଙ୍କ ନାଁ ଥିଲା ପାୟଲ୍ ଓ ସେ ତାଙ୍କ ସ୍ମୃତିରେ ଗୋଟିଏ ସୁନ୍ଦର କାରୁକାର୍ଯ୍ୟ ହୋଇଥିବା ପାଉଁଜିଟେ ସବୁବେଳେ ପାଖରେ ରଖୁଥିଲେ। ଏମିତିକି ଶ୍ରେଣୀଗୃହକୁ ଆସିବାବେଳେ ବି ସେଇଟି ଡିକ୍ସନାରୀର ଶେଷ ପୃଷ୍ଠାରେ ନହେଲେ ଡାଏରୀର ଶେଷ ପୃଷ୍ଠାରେ ରଖା ହୋଇଥାଏ । କୁଟିକାମ ହୋଇଥିବା ସେଇ ପାଉଁଜିଟି ସେମିତି ସ୍ମୃତିରେ ଥାଏ । ପରେ ଯେତେବେଳେ ଟ୍ରାଇବାଲ୍ ଜୁଏଲାରୀ ତିଆରି ପାଇଁ ପ୍ରସିଦ୍ଧ ଢେଙ୍କାନାଳ ଜିଲ୍ଲା କରମୂଳ ଗାଁର କାରିଗରଙ୍କୁ ଭେଟିଲି ସେଇଠୁ ଆଗ ଆଣିଥିଲି ଗୋଟେ ପାଉଁଜି । ଅତୀତ ସ୍ମୃତିରେ ଥିବା ସେଇ ସମାନ ଡିଜାଇନ୍‌ର ପାଉଁଜିଟି ଆବଶ୍ୟ ପାଇନି ଏଯାଏଁ । ବଡ଼ ହେବା ପରେ ପରେ ବିଭିନ୍ନ ସମ୍ମିଳନୀ ଓ କାର୍ଯ୍ୟକ୍ରମରେ ଅନେକଙ୍କୁ ଟ୍ରାଇବାଲ୍ ନେକଲେସ୍‌ ପିନ୍ଧିବାର ଦେଖିଛି । ତେଣୁ ମୋର କଲେକସନ୍‌ରେ ବି ସେଥିରୁ ଗୁଡ଼ାଏ ସାମିଲ୍ ହୋଇଯାଇଛନ୍ତି । ବିଶେଷ କରି ଓଡ଼ିଶାରେ ତିଆରି ପିତ୍ତଳର ଟ୍ରାଇବାଲ୍ ଜୁଏଲାରୀ ।

ଓଡ଼ିଶାରେ ଅନେକ ଜନଜାତି ରହିଛନ୍ତି । ସେଥି ଭିତରୁ ଅଧିକାଂଶ ଜନଜାତିର ମହିଳାମାନେ ପିତ୍ତଳ, ରୂପା ଓ ଅନ୍ୟାନ୍ୟ ଧାତୁରେ ନିର୍ମିତ ଅଳଙ୍କାର ସବୁ ପିନ୍ଧନ୍ତି । ଏହା ମୁଖ୍ୟତଃ ରାୟଗଡା, ଫୁଲବାଣୀ, ଗଜପତି, କୋରାପୁଟ, ନବରଙ୍ଗପୁର ଏବଂ ଢେଙ୍କାନାଳ ଜିଲ୍ଲାରେ ମିଳିଥାଏ । ପ୍ରତ୍ୟେକ ଜନଜାତିର ନିଜସ୍ୱ ସଂଗୀତ, ନୃତ୍ୟ, ଭାଷା, ସଂସ୍କୃତି ରହିବା ପରି, ରହିଛି ବି ସ୍ୱତନ୍ତ୍ର ଅଳଙ୍କାର । ଅଳଙ୍କାର ତିଆରି କରିବାବେଳେ କାରିଗରମାନେ ସ୍ଥାନୀୟ ସାମଗ୍ରୀ ବ୍ୟବହାର କରି ସୁନ୍ଦର ଅଳଙ୍କାରମାନ ତିଆରି କରନ୍ତି, ଯାହାର ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ଅର୍ଥ ମଧ୍ଯ ରହିଥାଏ । ଅବଶ୍ୟ ସେସବୁ ଅର୍ଥ ଏବେ ଡ଼ିଜାଇନର୍ ମାନଙ୍କର ହସ୍ତକ୍ଷେପରେ କୁଆଡ଼େ ହଜିଗଲାଣି । ଆଜିକାଲି ବିଭାଗୀୟ ଦୋକାନରେ ଆଦିବାସୀ ଅଳଙ୍କାର ନାଆଁରେ ଯାହା ଆପଣ ପାଇବେ ତାହା ଅରିଜିନାଲ୍ ଠାରୁ ବହୁତ ଭିନ୍ନ । ତେବେ ଆଦିବାସୀ ଅଳଙ୍କାର ଦିନକୁ ଦିନ ଅନ୍ତର୍ଜାତୀୟ ବଜାରରେ ଲୋକପ୍ରିୟ ହେବାରେ ଲାଗିଛି । ବଜାରରେ ଏହାର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି । ଓଡ଼ିଶାର ଆଦିବାସୀ ଅଳଙ୍କାରଗୁଡିକୁ ସ୍ୱତନ୍ତ୍ର, ଚମତ୍କାର ଏବଂ ଆଧୁନିକ ଭାବରେ ବିବେଚନା କରାଯାଉଛି ।

ଆଦିବାସୀ ଅଳଙ୍କାର ତିଆରି କରିବାର ପ୍ରକ୍ରିୟା କିନ୍ତୁ ଖୁବ୍ କଷ୍ଟ ଓ ସମୟ ସାପେକ୍ଷ । ଗୋଟିଏ ଗୋଟିଏ ଅଳଙ୍କାର ତିଆରି କରିବା ପାଇଁ ପୂରା କାରିଗର ପରିବାର ଲାଗି ରହିଥା'ନ୍ତି । ତିଆରି ଚାଲେ; ଆଙ୍କଲେଟ୍, କାନଫୁଲ, ଖଡୁ, ମୁଣ୍ଡ କଣ୍ଟା, ବ୍ରେସଲେଟ୍, ମୁଦି, ଲକେଟ୍, ଚୋଖେର୍, ନେକଲେସ୍ ଆଦି । ତା ଭିତରେ ପୁଣି ବିଭିନ୍ନ ପ୍ରକାରର ଡିଜାଇନ୍ । ଏଇ ଯେମିତି କାନଫୁଲ ସବୁ; ଚକ ଆକୃତିର ପିତ୍ତଳ କାନଫୁଲ, ମୋଡ଼ାଯାଇଥିବା ବସନ୍ତ ପିତ୍ତଳ କାନଫୁଲ, ପତ୍ର କାନଫୁଲ, ଚାରିକୋଣିଆ ପିତ୍ତଳ କାନଫୁଲ, ସ୍ପାଇରାଲ୍ ଆକୃତିର କାନଫୁଲ ଇତ୍ୟାଦି । ତେବେ ଏସବୁ କେମିତି ତିଆରି ହୁଏ ଓ ଏଥିଲାଗି କ'ଣ କ'ଣ ସବୁ ଦରକାର ହୁଏ ମୁଁ ତାହା ନିମ୍ନରେ କହିଛି।

ଆଦିବାସୀ ଅଳଙ୍କାର ତିଆରି ପାଇଁ ଆବଶ୍ୟକ ଉପକରଣ ଏବଂ କଞ୍ଚାମାଲ:

• ପିତ୍ତଳ ସିଟ୍: ଏହା ଅଳଙ୍କାର ତିଆରି ପାଇଁ ବ୍ୟବହୃତ ହେଉଥିବା ମୁଖ୍ୟ ସାମଗ୍ରୀ ।
• ମାର୍କର୍: ପିତ୍ତଳ ସିଟ୍ ଉପରେ ଏକ ଆବଶ୍ୟକୀୟ ଆକୃତି ଆଙ୍କିବା ପାଇଁ ଏହା ବ୍ୟବହୃତ ହୁଏ ।
• କଟର: ପିତ୍ତଳ ସିଟ୍ ରୁ ଇଚ୍ଛା ମୁତାବକ ଆକୃତି କାଟିବା ପାଇଁ ଏହା ବ୍ୟବହୃତ ହୁଏ ।
• ନିହାଣ: ଏଗୁଡିକ ପିତ୍ତଳ ସିଟ୍ ଉପରେ ଡିଜାଇନ୍ ଖୋଦେଇ ପାଇଁ ବ୍ୟବହୃତ ହେବା ସହ ପିତ୍ତଳ ଧାତୁ କାଟିବା ପାଇଁ ମଧ୍ୟ ବ୍ୟବହୃତ ହୁଏ ।
• ହାତୁଡ଼ି: ପିତ୍ତଳ ସିଟ୍ କୁ ଆକାର ଦେବା ପାଇଁ ବ୍ୟବହୃତ ହୁଏ ।
• ମେଟାଲ୍ ରୁଲର୍: ଏହା ଏକ ସିଧା ରେଖା ଆଙ୍କିବା ପାଇଁ ବ୍ୟବହୃତ ହୁଏ ।
• ହାଫ୍ ରାଉଣ୍ଡ ଫାଇଲ୍: ଆଭ୍ୟନ୍ତରୀଣ ବକ୍ରପୃଷ୍ଠକୁ ସଫାସୁତୁରା କରିବା ପାଇଁ ଏହା ବ୍ୟବହୃତ ହୁଏ ।
• ନାଇଟ୍ରିକ୍ ଏସିଡ୍: ପିତ୍ତଳ ସିଟ୍ ଉପରେ ଅବାଞ୍ଛିତ ଚିହ୍ନଗୁଡିକ ତରଳାଇ ସଫା କରିବା ପାଇଁ ଏହା ବ୍ୟବହୃତ ହୁଏ ।
• ତାର ବ୍ରଶ୍: ଅଳଙ୍କାର ସଫା କରିବା ପାଇଁ ବ୍ୟବହୃତ ହୁଏ ।
• ଡିଭାଇଡର୍: ଏହା ଦୂରତା ଚିହ୍ନିବା ପାଇଁ ବ୍ୟବହୃତ ହୁଏ ।
• ପିତ୍ତଳ ତାର: ଅଳଙ୍କାର ତିଆରି ଓ ତିଆରି ଶେଷ କରିବା ପାଇଁ ବ୍ୟବହୃତ ସାମଗ୍ରୀ ।
• ଆନିଭଲ୍ : ଅଳଙ୍କାର ତିଆରି ପାଇଁ ବ୍ୟବହୃତ ହେଉଥିବା ଏକ ଧାତୁ ବ୍ଲକ ।
• ସୋପ୍ ନଟ୍: ଅଳଙ୍କାର ସଫା କରିବା ପାଇଁ ଏହା ବ୍ୟବହୃତ ହୁଏ ।

ଆଦିବାସୀ ଅଳଙ୍କାର ପ୍ରସ୍ତୁତ କରିବା ପ୍ରକ୍ରିୟା:

ପ୍ରତ୍ୟେକ ଅଳଙ୍କାରର ନିଜସ୍ୱ ଶୈଳୀ ଓ ତିଆରି କରିବାର ଢାଞ୍ଚା ରହିଛି । ପ୍ରଥମେ କାରିଗର ପିତ୍ତଳ ସିଟ୍ ନେଇ ମାର୍କର ବ୍ୟବହାର କରି ସିଟ୍ ଉପରେ ଆବଶ୍ୟକ ଆକୃତି ଆଙ୍କନ୍ତି । ତାପରେ ସେଇ ଆକୃତିକୁ କଟର୍ ବ୍ୟବହାର କରି କାଟି ଦିଅନ୍ତି। ଥରେ ନିଜ ଇଚ୍ଛା ମୁତାବକ ଆକୃତି ମିଳିଯିବା ପରେ କାରିଗର ପିତ୍ତଳ ସିଟ୍ ଉପରେ ଏକ ଡିଜାଇନ୍ ଆରମ୍ଭ କରନ୍ତି । ଚିଜେଲ୍ ଏବଂ ହାତୁଡ଼ି ବ୍ୟବହାର କରି ପିତ୍ତଳ ସିଟରେ ଖୋଦେଇ କରି କିଛି ଡିଜାଇନ୍ ବି ତିଆରି କରନ୍ତି । ଡିଜାଇନ୍ ତିଆରି ହେବା ପରେ କାରିଗରମାନେ କାନର ହୁକ୍ ଲଗେଇବା ପାଇଁ ବସ୍ତୁର ଗୋଟିଏ ମୁଣ୍ଡରେ ଛିଦ୍ର ତିଆରି କରନ୍ତି । ତାପରେ କାନ ପାଇଁ ପିତ୍ତଳ ତାର ବ୍ୟବହାର କରି ହୁକ୍ ଟି ପ୍ରସ୍ତୁତ କରାଯାଏ । ଏହା ଏକ ପ୍ରକାର ଶୈଳୀ ।

ଅନ୍ୟ ଏକ ଶୈଳୀ ଅନୁଯାୟୀ, କାରିଗରମାନେ ପିତ୍ତଳ ସିଟ୍ରୁ ଆବଶ୍ୟକ ଆକୃତି କାଟି ନେବା ପରେ ସେହି ସିଟ୍ ରେ ରୁଲର୍ ବ୍ୟବହାର କରି ଏକ ରେଖା ଆଙ୍କନ୍ତି ଏବଂ ନିହାଣ, ହାତୁଡ଼ି ବ୍ୟବହାର କରି ମଝି ଅଂଶକୁ କାଟି ଦିଅନ୍ତି । ପରେ, ଭିତର ପୃଷ୍ଠକୁ ହାଫ୍ ରାଉଣ୍ଡ ଫାଇଲ୍ ବ୍ୟବହାର କରି ମସୃଣ କରାଯାଏ । ଥରେ ଇଚ୍ଛା ମୁତାବକ ଆକୃତି ପାଇଯିବା ପରେ ଏହାର ଚାରିପାଖରେ ପିତ୍ତଳର ପତଳା ତାର ଗୁଡ଼ଇ ଦିଆଯାଏ । ସବୁ ସରିବା ପରେ ପ୍ରସ୍ତୁତ ଅଳଙ୍କାରକୁ ନାଇଟ୍ରିକ୍ ଏସିଡ୍ ରେ ପକାଇ ସାରି ସଫା କରାଯାଏ ।

ନାଇଟ୍ରିକ୍ ଏସିଡ୍ ଦ୍ରବଣକୁ ଏକ ପାତ୍ରରେ ଉପଯୁକ୍ତ ଅନୁପାତରେ ପାଣିରେ ମିଶାଇ ଦିଆଯାଏ ଏବଂ ପ୍ରସ୍ତୁତ ଅଳଙ୍କାରକୁ ସେହି ମିଶ୍ରଣରେ କିଛି ମିନିଟ୍ ପାଇଁ ବୁଡ଼ାଇ ଦିଆଯାଏ । ଏହା ଅଳଙ୍କାର ପୃଷ୍ଠରେ ଥିବା ଅବାଞ୍ଛିତ ଚିହ୍ନଗୁଡ଼ିକୁ ମିଳାଇ ଦିଏ । ନାଇଟ୍ରିକ୍ ଏସିଡ୍ ଅଳଙ୍କାରକୁ ଉଜ୍ଜ୍ୱଳ କରିବାରେ ମଧ୍ୟ ସାହାଯ୍ୟ କରେ । ଅଳଙ୍କାରକୁ ନାଇଟ୍ରିକ୍ ଏସିଡ୍ ଦ୍ରବଣରୁ ବାହାର କରିବା ପରେ ପୁଣି ସାଧାରଣ ପାଣିରେ ଧୋଇ ଦିଆଯାଏ । ଅଳଙ୍କାର ଧୋଇବା ପାଇଁ ସୋପ୍ ନଟ୍ ବ୍ୟବହାର କରାଯାଏ । ଦୁଇ ତିନୋଟି ସୋପ୍ ନଟ୍ ପାଣିରେ ବୁଡ଼ାଇ ଅଳଙ୍କାରକୁ ସେହି ମିଶ୍ରଣରେ ବୁଡ଼ାଇ ତାର ବ୍ରଶ୍ ବ୍ୟବହାର କରି ସ୍କ୍ରବ୍ କରାଯାଇ ଭଲ ଭାବରେ ଧୋଇ ଦିଅଯାଏ ।

ଏତେ ପରିଶ୍ରମ ସତ୍ତ୍ଵେ ବି କାରିଗରମାନେ ଅଭାବର ଥାଆନ୍ତି । ଗରାଖ ଖୋଜୁଥାଆନ୍ତି ଓ ମୋ ପରି ତାଙ୍କ କଥା ଶୁଣୁଥିବା କେହି ଗୋଟେ ଲୋକ ପାଇଗଲେ, 'ମାଡାମ୍ ! କିଛି ପଇସା ଦରକାର ଥିଲା ନିହାତି, ଏତେକ ଜିନିଷ ରଖି କିଛି ଦେଇଥାଆନ୍ତୁ । ଆପଣ କଉଠି ଗୋଟେ ନିଶ୍ଚୟ ମଥେଇ ଦେବେ' କହି ଧରେଇ ଦିଅନ୍ତି ।

Report an Error