ରଂଗମଂଚ ଓ ବ୍ୟାବସାୟିକତା

ନାଟକର ବ୍ୟବସାୟୀକରଣ ଜରୁରୀ କି ନା ? କେବଳ କଳାତ୍ମକ ଉତ୍କର୍ଷ ପାଇଁ ଆଗାମୀ ସମୟରେ ନାଟକରେ ବଜାରବାଦର ପ୍ରବେଶକୁ ପ୍ରତିରୋଧ କରିବା ଠିକ୍ କି ? ଅନୁଦାନ ଖର୍ଚ୍ଚ କରିବା କ’ଣ କେବଳ ନାଟକ କରିବାର ଅଭିପ୍ରାୟ । ଆଗାମୀ ପିଢ଼ିର ନାଟକକୁ ପ୍ରଫେସ୍‌ନାଲ କରିବା ଜରୁରୀ ନୁହେଁ କି ?


ଏ ସମ୍ବନ୍ଧରେ ସବୁବେଳେ ଚର୍ଚ୍ଚା ହୋଇଥାଏ - ରଂଗମଂଚ କ’ଣ ସଫଳ ବ୍ୟବସାୟର ସ୍ରୋତ ନୁହେଁ କି ? ଓଡ଼ିଆ ରଂଗମଂଚ ବ୍ୟାବସାୟିକ ଦୃଷ୍ଟିକୋଣରୁ ସଫଳ ନୁହେଁ । ବ୍ୟାବସାୟିକ ଦୃଷ୍ଟିକୋଣରୁ ଓଡ଼ିଆ ରଂଗମଂଚର ସ୍ଥିତି ଅତ୍ୟନ୍ତ ଦୟନୀୟ । ସତ କଥା । ଓଡ଼ିଶାର ଅନ୍ୟ ପ୍ରାନ୍ତ କଥା ଛାଡ଼, ଭୁବନେଶ୍ୱରର ପ୍ରତିଷ୍ଠିତ ରଂଗମଂଚରେ ଟିକେଟେଡ୍ ନାଟକ ହୁଏନି । ଭୁବନେଶ୍ୱରର ମୁଖ୍ୟ ସ୍ରୋତରେ ନାଟକ କରୁଥିବା ଅନେକ ସଂସ୍ଥା ଟିକେଟେଡ୍ ନାଟକ କରିବାକୁ ପଛଘୁଂଚା ଦିଅନ୍ତି । ହିନ୍ଦୀ ରଂଗମଂଚ ପରି ଓଡ଼ିଆ ରଂଗମଂଚ କେବଳ ସରକାରୀ ଅନୁଦାନ ଉପରେ ନିର୍ଭରଶୀଳ ।

ଫଳରେ ଏଠି ଫେଷ୍ଟିଭାଲ ପ୍ରଚୁର ହୁଏ; କିନ୍ତୁ ବ୍ୟାବସାୟିକ ଦୃଷ୍ଟିକୋଣ ରଖି ଟିକେଟେଡ୍ ସୋ’ କରିବାର ଦୁଃସାହସ କ୍ୱଚିତ୍ କରିଥାନ୍ତି । ଏ କ୍ଷେତ୍ରରେ କିଛି ନାଟ୍ୟସଂସ୍ଥା ବ୍ୟତିକ୍ରମ ନିଶ୍ଚିତ । ମୁକ୍ତି ଓ ସବୁଜ (ପ୍ରାୟତଃ ସବୁ ନାଟକ) ତଥା ଜୀବନରେଖା ଓ ଉତ୍ତରପୁରୁଷ ପରୀକ୍ଷାମୂଳକ ଭାବେ କିଛି ନାଟକ ଟିକେଟେଡ୍ ସୋ’ କରିଥାନ୍ତି ।

ନାଟ୍ୟାନୁଷ୍ଠାନ କହନ୍ତି କି ଟିକେଟେଡ୍ ସୋ’ରେ ଦର୍ଶକ ଆସନ୍ତିନି, ପଇସା ଉଠେନି । କିପରି କରିବୁ ?

କଳାକାରମାନେ କହନ୍ତି କି ଆମକୁ ରଂଗମଂଚରୁ ପଇସା ମିଳେନି, ଦୈନନ୍ଦିନ ଜୀବନ ଜୀବିକା ପାଇଁ ଅନ୍ୟ ସାଧନ ଅବଲମ୍ବନ କରିବାକୁ ପଡ଼ିଥାଏ । ନାଟକ କିପରି କରିବୁ ? ସତ କଥା, ଜୀବନ ଜୀବିକା ବଡ଼ । ବଂଚିବାକୁ ହେଲେ ରୋଜଗାର କରିବା ନିହାତି ଆବଶ୍ୟକ । ନାଟକ ଯଦି ସର୍ବନିମ୍ନ ଆବଶ୍ୟକତା ପୂରଣ କରୁଥାନ୍ତା; ତା’ହେଲେ ଅନେକ କଳାକାର କିଛିଦିନ ହେଉ ପଛେ; ନାଟକ କରିବାକୁ ଆଗଭର ହୁଅନ୍ତେ ।

ଯଦିଓ ଅନେକ ସଂସ୍ଥାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରିପୋଟ୍ରି ଗ୍ରାଣ୍ଟ ମିଳିଥାଏ; ମାତ୍ର ସେଠି କଳାକାରମାନଙ୍କୁ ଯେ ପାରିଶ୍ରମିକ ମିଳେ ତାହା ଯକ୍ଷ ପ୍ରଶ୍ନ !!!

ରଂଗମଂଚର ବ୍ୟାବସାୟିକତା । ଏହା ଏକ ଜଟିଳ ହେଲେ ମଧ୍ୟ ଅବଶ୍ୟମ୍ଭାବୀ ପ୍ରଶ୍ନ । ଇଂରାଜୀରେ ଦୁଇଟି ଶବ୍ଦ ଅଛି; କମର୍ସିଆଲ ଓ ପ୍ରଫେସନାଲ ।

ଆମ ଭାଷାରେ ଉଭୟ ଶବ୍ଦର ଅର୍ଥ ସମାନ । ଯାହା କଲେ ବଦଳରେ ଆମକୁ ପଇସା ମିଳେ । ତେବେ ସେହି କର୍ମକୁ କମର୍ସିଆଲ କିମ୍ବା ପ୍ରଫେସ୍‌ନାଲ ଭାବେ ଆମେ ମଣିଥାଉ । ଆମ ରଂଗମଂଚରେ ଅଭିନୟ କିମ୍ବା ନିର୍ଦ୍ଦେଶନା ବଦଳରେ ପଇସା ମିଳେନା । ଯଦିଓ ନିର୍ଦ୍ଦେଶକମାନେ ଡିପାର୍ଟମେଣ୍ଟ ଓ ଯାତ୍ରା ନାଟକରେ ଅଭିନୟ କିମ୍ବା ନିର୍ଦ୍ଦେଶନା ବଦଳରେ ଅର୍ଥ ରୋଜଗାର କରିଥାନ୍ତି । ମାତ୍ର ସୌଖିନ ଥିଏଟରରେ ଅଭିନେତା ଓ ନିର୍ଦ୍ଦେଶକଙ୍କୁ କୌଣସି ଅର୍ଥ ମିଳେନା । ନାରୀ ଅଭିନେତ୍ରୀ ଏଥିରେ ବ୍ୟତିକ୍ରମ ନିଶ୍ଚିତ । କିଛି କିଛି ଅଭିନେତା ଅର୍ଥ ବଦଳରେ ହିଁ ଅଭିନୟ କରିଥାନ୍ତି । ସେମାନଙ୍କ ସଂଖ୍ୟା ନଗଣ୍ୟ ।

ଏଠି ନାଟକ ହୁଏ । ନାଟକ ଦଳମାନେ ନାଟକ କରିଥାନ୍ତି । ପୋଷ୍ଟର ପାଖରୁ ଆରମ୍ଭ କରି ବ୍ୟାନର ପର୍ଯ୍ୟନ୍ତ, ଗେଟ୍ ସଜା ପାଖରୁ ଆରମ୍ଭ କରି ଜଳପାନ ପର୍ଯ୍ୟନ୍ତ, ସେଟ୍ ପାଖରୁ ଆରମ୍ଭ କରି ଆଲୋକ ପରିଚାଳକ ପର୍ଯ୍ୟନ୍ତ, ମେକ୍‌ଅପ୍ ମ୍ୟାନ୍ ପାଖରୁ ଆରମ୍ଭ କରି ସଂଗୀତ ନିର୍ଦ୍ଦେଶକ ପର୍ଯ୍ୟନ୍ତ, ନାରୀ ଅଭିନେତ୍ରୀଠୁ ଆରମ୍ଭ କରି ଅଡିଟୋରିୟମ୍ ବୁକ ପର୍ଯ୍ୟନ୍ତ, ଦୈନନ୍ଦିନ ରିହର୍ସାଲ ପାଖରୁ ଆରମ୍ଭ କରି ମଣ୍ଡପ କର୍ମଚାରୀଙ୍କୁ ଦିନବେଳା ଆସିବା ପାଇଁ ଅର୍ଥ ଦେବା ପର୍ଯ୍ୟନ୍ତ; ନାଟକ ଦଳର ମୁଖ୍ୟଙ୍କୁ ଅର୍ଥ ବ୍ୟୟ କରିବାକୁ ପଡ଼ିଥାଏ । ଏ ଅର୍ଥ କେଉଁଠୁ ଆସେ ?

ନିଜ ପକେଟ୍‌ରୁ, ଡୋନେସନ୍‌ରୁ, ବିଜ୍ଞାପନରୁ, ସରକାରୀ ଅନୁଦାନରୁ । କଳାକାର ଏ ସବୁରୁ ବାଦ ପଡ଼ିଥାଏ । ନା ସେ ଅର୍ଥ ଆୟ କରିବାର ସ୍ରୋତରେ ଥାଏ; ନା ସେ ଦିଗରେ ସେ କୌଣସି ଯୋଗଦାନ କରିଥାଏ । ତାକୁ ଅଭିନୟ କରିବାର ଯେଉଁ ଗୁରୁ ଦାୟିତ୍ୱ ଦିଆଯାଇଥାଏ; ସେହି କାର୍ଯ୍ୟରେ ହିଁ ସେ ନିମଗ୍ନ ଥାଏ । କଦବା କ୍ୱଚିତ୍ କେଉଁଠି କଳାକାରଙ୍କୁ ସାମାନ୍ୟ ପାରିଶ୍ରମିକ ମିଳିଥାଏ । ତାହା ସମୁଦ୍ରକୁ ଶଂଖେ ପରି ।

ଟିକେ ପୂର୍ବକୁ ଯିବା । ଗାଁ ଗହଳିରେ ନାଟକ ହୁଏ । ଗାଁ ଲୋକେ ଚାନ୍ଦା ଆଦାୟ କରିଥାନ୍ତି । ସବୁ ଖର୍ଚ୍ଚ ବହନ କରାଯାଏ, ଫାଙ୍କା ଯାଗାରେ ମଂଚ ବନ୍ଧାଯାଏ । ସମସ୍ତେ ଲାଗିପଡ଼ନ୍ତି ନାଟକ ମଂଚାୟନ କରିବାରେ । ଯାହା ଆଦାୟ ହୁଏ । ଖର୍ଚ୍ଚ ହୁଏ । ଭୋଜିଭାତ ହୁଏ । ସମସ୍ତେ ନାଟକର ସଫଳତାରେ ଖୁସିଥାନ୍ତି । ତାହାହିଁ ଥାଏ ପାରିଶ୍ରମିକ । ବହୁତ ପାରିବାରିକ ପରିବେଶ । ଏ ସବୁ ସୌଖିନ ଭାବେ ଚାଲେ । ସମ୍ପୂର୍ଣ୍ଣ ସୌଖିନ ।

କିନ୍ତୁ ଏବେ ସ୍ଥିତି ବଦଳିଛି । ନାଟକ ବଦଳିଛି । ନାଟରେ ପ୍ରୟୋଗ ବଦଳିଛି । ମଂଚ ବଦଳିଛି । ଅତ୍ୟଧିକ ଦରବୃଦ୍ଧି ବିନା ରିହାତି ସତ୍ତ୍ୱେ ରବୀନ୍ଦ୍ର ମଣ୍ଡପ ବର୍ଷ ତମାମ୍ ବୁକିଂ ରହୁଛି । ଅଧିକାଂଶ ବୁକିଂ ନାଟକ ପାଇଁ ରହୁଛି । ନାଟ୍ୟଦଳମାନେ ନାଟକ ପାଇଁ ତାରିଖ ପାଉନାହାନ୍ତି । ରବୀନ୍ଦ୍ର ମଣ୍ଡପ ବୁକ୍ କରିପାରୁ ନାହାନ୍ତି ।

ମଂଚସଜା, ରୂପସଜା, ମଂଚରେ ପ୍ରପ୍‌ସର ଭରପୂର ନାଟକକୁ ଅଧିକ ଖର୍ଚ୍ଚବହୁଳ କରୁଛି । ଅନେକ କାମ ଯାହା ପୂର୍ବରୁ ଯୋଗାଡ଼ଯନ୍ତ୍ର ମାଧ୍ୟମରେ କରାଯାଉଥିଲା ଆଜି ତାହା ଅର୍ଥ ବଦଳରେ ହେଉଛି । ଖୁବ୍ ପଇସା ଖର୍ଚ୍ଚ କରାଯାଉଛି । ନାଟକର ଭବ୍ୟତା ବଢ଼ିବାରେ ଲାଗିଛି । ଦିଲ୍ଲୀ ଓ ମୁମ୍ବାଇରେ ପରିବେଷିତ ନାଟକ ଶୈଳୀରେ ଭୁବନେଶ୍ୱରରେ ନାଟକ ମଂଚାୟନ ହେଉଛି ।

ପ୍ରଥମେ କଳାକାରମାନେ ସାଇକେଲ୍‌ରେ କିମ୍ବା ପାଦରେ ଚାଲିଚାଲି ଆସୁଥିଲେ; ମାତ୍ର ଜଗତୀକରଣ ପ୍ରଭାବରେ ହେଉ ଅବା ସାଧନର ଉପଲବ୍‌ଧତା ଯୋଗୁଁ ଯାତାୟତର ମାଧ୍ୟମ ବଦଳିଛି । ରିହର୍ସାଲ ପାଇଁ ନିତ୍ୟ ଯିବାଆସିବା ପାଇଁ ମୋଟରସାଇକେଲ୍‌ରେ ପେଟ୍ରୋଲ ପୋଡ଼ିବାରେ ଅର୍ଥ ବ୍ୟୟ ହେଉଛି । ମାତ୍ର ପ୍ରତିବଦଳରେ କଳାକାରକୁ କିଛି ବି ମିଳୁନାହିଁ । ଏହା ହିଁ ସତ୍ୟ ।

ପ୍ରଥମେ ସୌଖିନ ରଂଗମଂଚରେ ଅଭିନୟ କରୁଥିବା କଳାକାରମାନେ ପ୍ରାୟତଃ ସରକାରୀ କର୍ମଚାରୀ ଥିଲେ । ଯୁବକମାନେ ଯେଉଁମାନେ ଅଭିନୟକୁ ଆସୁଥିଲେ ସେମାନଙ୍କର ଆବଶ୍ୟକତା ନଗଣ୍ୟ ଥିଲା । ପାଠପଢ଼ା କିମ୍ବା ଜୀବକାର୍ଜନ ଏତେ ପ୍ରତିଯୋଗିତାମୂଳକ ନଥିଲା । ସରକାରୀ ଚାକିିରିଆ, ବ୍ୟାଙ୍କ ଓ ଏଲଆଇସି କର୍ମଚାରୀମାନେ ଅଧିକ ନାଟକ କରୁଥିଲେ । ନିଜ ନିଜ ଆୟରୁ କିଛି ଅଂଶ ବ୍ୟୟ କରୁଥିଲେ । ଏବେ ପ୍ରତିଦ୍ୱନ୍ଦ୍ୱିତାମୂଳକ ବଜାରରେ ଘରୋଇ ସଂସ୍ଥାରେ କାର୍ଯ୍ୟରତ ଅନେକଙ୍କ ନିକଟରେ ଘର ଚଳାଇବାକୁ ଅର୍ଥ ଅଭାବ । ନାଟକ ପାଇଁ ଅର୍ଥ ବ୍ୟୟ କରିବା ସ୍ୱପ୍ନ ସଦୃଶ ।

ଏବେ ଅନେକ କିଛି ବଦଳିଛି । ନାଟକରେ ବୟସ୍କ ବ୍ୟକ୍ତିଙ୍କର ଅଭାବ ରହିଛି । ଫଳରେ ଦଳକୁ ଅନୁଭବ କମ୍ ମିଳୁଛି । ଯୁବବର୍ଗଙ୍କ ନିକଟରେ ଅନୁଭବର ଅଭାବ । ପରିଶ୍ରମର ଅଭାବ । ଦାୟିତ୍ୱର ଅଭାବ । ତ୍ୟାଗର ଅଭାବ, ସମର୍ପଣର ଅଭାବ । ଯୁବବର୍ଗଙ୍କ ନିକଟରେ ପାଠପଢ଼ା, ଚାକିରି, ଜୀବିକା, ଅର୍ଥଉପାର୍ଜନର ଚାପ ପ୍ରବଳ ।

ବଢ଼ିଛି ତ ସରକାରୀ ଅନୁଦାନ । ବଢ଼ୁଛି ନାଟଦଳ ସଂଖ୍ୟା । ସରକାରୀ ଅନୁଦାନ ଆଶାରେ ଗଢ଼ି ଉଠୁଛି ଅନେକ ନାଟଦଳ । ବଳି ପଡ଼ନ୍ତି ଅଭିନେତା ଓ ନିର୍ଦ୍ଦେଶକ । ଉଭୟେ ଲହୁଲୁହାଣ ହୋଇ ଯୁଦ୍ଧକ୍ଷେତ୍ରକୁ ଡେଇଁ ପଡ଼ନ୍ତି । ନାଟକ ମଂଚାୟନ କରିବାକୁ ଯତପରୋନାସ୍ତି ପ୍ରୟାସ କରିଥାନ୍ତି । ନାଟକ ମଂଚାୟନ ମଧ୍ୟ କରିଥାନ୍ତି । ମାତ୍ର କେବଳ ସରକାରୀ ଅନୁଦାନ ଉପରେ ଭରସା କରି ନାଟକ କରିବା ହେତୁ ସେମାନଙ୍କୁ କୌଣସି ପାରିଶ୍ରମିକ ମିଳେନା । ରଂଗମଂଚ ବ୍ୟବସାୟୀକରଣ ହୋଇପାରେନା ।

ଯଦିଓ ନାଟକକୁ ସମ୍ପୂର୍ଣ୍ଣ ରୂପେ ବ୍ୟବସାୟିକତାରେ ପରିଣତ କରିବା କ୍ଷେତ୍ରରେ ନାଟକର କଳାତ୍ମକତା ଉପରେ ପ୍ରଭାବ ପଡ଼ିପାରେ । ନାଟକ କେବଳ କଳାତ୍ମକ ଉତ୍କର୍ଷତା ଲାଭ କରିବା ଧ୍ୟେୟ ହେବା ଉଚିତ୍ । ଏସବୁ ସତ୍ତ୍ୱେ ନାଟକକୁ ବ୍ୟବସାୟିକତାର ରୂପ ଦେବାକୁ ପଡ଼ିବ । କଳାତ୍ମକତାକୁ ଗୁରୁତ୍ୱ ଦେଇ ନାଟକର ବ୍ୟବସାୟୀକରଣ ଆଗାମୀ ସମୟର ଆହ୍ୱାନ । ଆଶା ଭବିଷ୍ୟତର ନାଟ୍ୟପିଢ଼ି ଏ ଦିଗରେ ଚିନ୍ତା କରିବେ ।

ଏହା ଆଜିର ଆବଶ୍ୟକତା । ମୁଣ୍ଡିଆଳମାନେ ବିଚାର କରିବେ । କେବଳ କମର୍ସିଆଲ ନୁହେଁ; ଆମକୁ ନିଜକୁ ପ୍ରଫେସ୍‌ନାଲ ଭାବେ ଗଢ଼ିବାକୁ ହେବ । ନିଜକୁ ଓ ନିଜ ଦଳକୁ ପ୍ରଫେସ୍‌ନାଲ କରିବାକୁ ହେବ । ପହିଲେ ପହିଲେ ଏହା ଠିକ୍ ଲାଗି ନ ପାରେ କିନ୍ତୁ ଆଗାମୀ ସମୟରେ ଏହା ଆବଶ୍ୟକତା । ଉଭୟ ପ୍ରଫେସ୍‌ନାଲ ଓ କମର୍ସିଆଲ ଆପେକ୍ଷିକ ଶବ୍ଦ । ଯୁଗ ବଦଳିଛି । ସବୁଠି ପ୍ରଫେସ୍‌ନାଲମାନଙ୍କର ଆବଶ୍ୟକତା ପଡ଼ୁଛି । ନାଟକରେ ମଧ୍ୟ ପ୍ରଫେସନାଲିଜିମ୍‌ର ତତ୍ତ୍ୱ ଜରୁରୀ ।

Report an Error