ଚୁପଚାପ୍ ଚାଲିଯିବି

ଗୋଟେ ସମୟର ବୃତ୍ତରୁ ଆଉ ଏକ ସମୟର ବୃତ୍ତକୁ ଲମ୍ଫ ଦେଉଥିବା ଭାରତ ମାଝୀଙ୍କ କବିତାରେ ଗୋଟେ ବେପରୁଆ ଠାଣି ଥାଏ । ସାଧାରଣ ଜୀବନର ସ୍ପନ୍ଦନକୁ ବିଭୂତିରେ ରୂପାନ୍ତରିତ କରୁଥିବା ଏ କବିତା, ଏକ ଚମକ ଓ ଚୁମ୍ବକ ପରି ।


(୧)

ଗହୀର ହେଲାଣି ଗାର
ପାଲଟିବ ବୃତ୍ତ,
ଥରି ଥରି ଜଳିଲାଣି ନିଆଁ, ଦିଗବିଦିଗ
ତରଳି ତରଳି ସଂଗଠିତ ହେଲାଣି ସ୍ମୃତି
ଗହୀର ଅନ୍ଧାର ହେଲାଣି
କହିବି କହିବି,
ଚୁପଚାପ୍ ଚାଲିଯିବି !

ଖସିଯିବାରେ ଇ ମୋର ଆନଂଦ
ଇତିହାସର କାନକୁ, ଆଖିକୁ
ପେଟ, ପିଠି, ପାଟିଂକୁ ପଚାର,
ପଚାର ସ୍ମୃତି, ଦଂଭ, ଖଂବ
ଫାଟକ, କାଂଥ, ଆଗୁଳାମାନଂକୁ ପଚାର
ସଂବିଧାନ, ଆଇନ, ବିଧି, ନୀତି
ଉଇଲଗା ଶବ୍ଦଂକୁ,
କାହିଁକି ପ୍ରତି ମୋଡ଼ରେ
ଗୋଟେ ଶବ୍ଦ - ଖସ୍, ଖସ୍, ଖସ୍
ବ୍ୟଭିଚାର, ସଂତ୍ରାସ ????

(୨)

ଦଂଡେରୁହ, ଠିଆହୁଅ ସେ'ଠି ।

ଛଡେଇ ଦେଇଆସେ
ବାରବାଟୀରୁ ଶିଉଳି,
ଦୟାନଦୀରୁ ଛେଦେଇ ଦେଇଆସେ ରକ୍ତ,
ପୋଛିଦେଇଆସେ ଗୁଡ଼ହାଣ୍ଡିରୁ ପରଳ,
ଦାରୁବ୍ରହ୍ମକୁ ବତେଇ ଦେଇଆସେ
ମହୋଦଧୀର ବାଟ,
ଦଂଡେରୁହ, ଖାଇସାରେ ଛିଟ ଛିଟ
ବିସ୍ମୃତିର ଛାଟ !
କେଉଁ ନିୟଂତ୍ରଣ ରେଖା ରୋକିବ ମତେ ?
ମାର୍ ବାଜି ।

କେଉଁ ଦୁର୍ଦ୍ଦିନର ଦୁଃସାହସ ରୋକିବ ମତେ ?
ମାର୍ ବାଜି ।
କେଉଁ ଅନୁରାଗ, ଅସ୍ଥିରତା ନତଜାନୁ କରିବ ମତେ ?
ମାର୍ ବାଜି ।

ସବୁ ନାରଖାର ହେଇଗଲାଣି ସାମ୍ରାଜ୍ୟ,
ଧସେଇ ପଡ଼ିଲାଣି ଦୁର୍ଗ, ସିଂହାସନ, ମୁକୁଟ,
ଦରଜାରେ ଛିଡ଼ା ହେଲାଣି ସୌଦାଗର,
ଇତିହାସକୁ ରାଂପି ବିଦାରି, ଚିମୁଟି ରଗଡ଼ି
ବତୁରିଆସିଲାଣି ଭୋକ,
ଅଇ ଉଠିଲିଣି
ମହାନଦୀ, ତେଲ, ବୈତରଣୀର ପେଟରୁ
ହାତ ହଲାଇଲାଣି ଭୂଗୋଳ-
ମତେ ଭୁଲିଯାଅ, ମୁଁ ବି ତମକୁ ଭୁଲିଯିବି,
ଚୁପଚାପ୍ ଚାଲିଯିବି ।

(୩)

ପୁରୁଣା କାଂଥରୁ ଛଡ଼ାଇଦିଅ ଚୂନ,
ଅଂଟିରେ ଖୋସିପକାଅ ଅସରପି,
ଘଷି ମାଜି ଚିକ୍କଣକର
ଶଙ୍ଖ, ଚକ୍ର, ଗଦା, ପଦ୍ମ
ଜଂକଲଗା ନିହଣ, ପ୍ରଶ୍ନକର -
ବାକି ସଂଚିବ କ'ଣ ?

ଗଦା ଗଦା, ରାଶି ରାଶି, କିତା କିତା କାରୁଣ୍ୟ ?
ଚୁପଚାପ୍ ଚାଲିଯିବି,
ରାସ୍ତାରେ ସୋରିଷ ବୁଣିଦେଇଥିବି ।
ପାରିବି ??

Report an Error