ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୪୨)

ନୂଆ ପ୍ରଜନ୍ମର କଥାକାର ଲୋପାମୁଦ୍ରା ମିଶ୍ରଙ୍କ ଉପନ୍ୟାସ "ଚିତ୍ରଲିପି" ଧାରାବାହିକ ଭାବେ ପ୍ରକାଶ ପାଉଛି । ଗତ ୪୧ ଦିନ ଧରି ଧାରାବାହିକ ଭାବରେ ଏହି ଉପନ୍ୟାସର ଏକ ଏକ ଅଧ୍ୟାୟ ଆପଣମାନେ "ବାଟୋଇ"ରେ ପଢୁଛନ୍ତି । ଆଜି ଏହି ଉପନ୍ୟାସର ଅନ୍ତିମ ଅଧ୍ୟାୟ ।


(ପୂର୍ବ ପ୍ରକାଶିତ ଉତ୍ତାରୁ)

ସୁକନ୍ୟା ସହ ମୋର ଆଉ କୌଣସି ଦିନ ଭେଟ ହେଇନାହିଁ । ସେଦିନ ତା' ମ୍ୟାରେଜ୍ ପାର୍ଟିକୁ ମୁଁ ଯାଇନଥିଲି । ପ୍ରଶ୍ନ ତ ଅନେକ ଥିଲା ମନରେ, କିନ୍ତୁ କାର୍ଯ୍ୟବ୍ୟସ୍ତ ରହି ସୁକନ୍ୟାକୁ ଫୋନ୍ କରିବାକୁ ଭୁଲି ଯାଇଥିଲି । ସେ ବି ଆଉ ମୋତେ କଣ୍ଟାକ୍ଟ୍ କରିନଥିଲା । ମୁଁ ଭାବିଲି ନୂଆ ବାହାଘର ହେଇଛି, ବୁଲାବୁଲି କରିବାକୁ ଯାଇଥିବେ କୁଆଡ଼େ, କାହିଁକି ସେମାନଙ୍କୁ ଅଯଥାରେ ଡିଷ୍ଟର୍ବ୍ କରିବି !

ସମୟ ଧୀରେ ଧୀରେ ଗଡ଼ିଗଲା । ମୁଁ ସୁକନ୍ୟାର କଥା ଭୁଲିବାକୁ ଲାଗିଲି । ସୁକନ୍ୟାର ଜୀବନରେ ଏବେ କ'ଣ ଘଟୁଛି, ସେ କେମିତି ଅଛି, କୋଉଠି ଅଛି ଏସବୁ ବିଷୟରେ ମୋର ଆଦୌ କୌଣସି ଧାରଣା ନଥିଲା । ଯଦି ବି କେବେ କେଉଁଦିନ ମୋର ସୁକନ୍ୟା କଥା ମନେପଡେ ତା'ର ସବୁ କଥା ମୋ ନିଜର ଗୋଟେ ପୁରୁଣା ସ୍ୱପ୍ନ ଭଳି ମୋତେ ଲାଗେ, କିମ୍ବା ଅନ୍ୟ କେଉଁଠୁ ଶୁଣିଥିବା କାହାଣୀଟିଏ ଭଳି ମୋର ମନେ ହୁଏ ।

ସୁକନ୍ୟାର ସେହି କାହାଣୀକୁ ବୋଧେ ମୁଁ ସବୁଦିନ ପାଇଁ ଅଧା ଲେଖା କରି ରଖି ଦେଇଥାନ୍ତି ଯଦି ସେଦିନ ଅଚାନକ ନାଟକୀୟ ଢଙ୍ଗରେ ସେମାନଙ୍କ ସହ ମୋର ମୋ ସାଙ୍ଗର ଘର ପାଖରେ ଭେଟ ହେଇନଥାନ୍ତା ।

ମୋର ଜଣେ ସାଙ୍ଗ ସପରିବାରେ ନୂଆକରି ଏ ସହରକୁ ଆସିଥାନ୍ତି । ସାଙ୍ଗର ସ୍ୱାମୀ ଡାକ୍ତର, ସ୍ତ୍ରୀ ଓ ପ୍ରସୂତି ବିଭାଗର । ତାଙ୍କ ପଡିଶାରେ ରହନ୍ତି ଏଇ ସହରର ପ୍ରତିଷ୍ଠିତ ସାଇକିଆଟ୍ରିଷ୍ଟ୍ । ସକାଳୁ ଦୁଇ ଘଣ୍ଟା ଓ ସନ୍ଧ୍ୟାରେ ଦୁଇ ଘଣ୍ଟା ସେ ତାଙ୍କ ନିଜ ଘରେ ରୋଗୀ ଦେଖନ୍ତି । ସେଦିନ ବି ତାଙ୍କ ଘର ସାମ୍ନାରେ ରୋଗୀଙ୍କ ଭିଡ଼ ଲାଗିଥିଲା । ମାନସିକ ରୋଗୀମାନେ ଏତେ ଧୀର ସ୍ଥିର ଭାବେ ଲଙ୍ଗ୍ ବେଞ୍ଚ୍ ଉପରେ ବସିଥିଲେ ଯେ ସେମାନଙ୍କୁ ଦେଖିଲେ ଲାଗୁନଥିଲେ ଏମାନେ ପ୍ରକୃତରେ କୌଣସି ରୋଗରେ ଆକ୍ରାନ୍ତ ।

ମୋ ସାଙ୍ଗ ସହ ମୁଁ ସେହି କ୍ଲିନିକର ଗେଟ୍ ଦେଇ ବାହାରକୁ ଆସୁଥିଲି ଦେଖିଲି ଜଣେ ମହିଳା ବସିଛନ୍ତି ଏବଂ ତାଙ୍କ ପାଖରେ ଠିଆ ହେଇଥିବା ବ୍ୟକ୍ତି ଜଣଙ୍କ ହାତରେ ଗୋଟେ ବଡ଼ ପେଣ୍ଟିଙ୍ଗ୍ ଧରିଛନ୍ତି । ସେ ବ୍ୟକ୍ତି ଧରିଥିବା ଚିତ୍ରଟି ଏଡ଼େ ସୁନ୍ଦର ହେଇଥିଲା ଯେ ମୋ ଆଖି ଆପେ ଟାଣି ହେଇଗଲା ସେହି ଚିତ୍ର ଆଡ଼େ । ମୁଁ ଦୂରରେ ଠିଆ ହେଇ ଚିତ୍ରଟିକୁ ଟିକେ ନିରେଖି ଦେଖିଲି ଓ ଆଶ୍ଚର୍ଯ୍ୟ ହେଇଗଲି ଚିତ୍ର ତଳେ 'ଚିତ୍ରଲିପି'ର ନାଁ ଦେଖି । ମୋ ସାଙ୍ଗ କହିଲା, "କ'ଣ ହେଲା ଏମିତି ଠିଆ ହେଲୁ କାହିଁକି ?"

ମୁଁ ତାକୁ କହିଲି, "ଦୁଇ ମିନିଟ ସମୟ ମୋତେ ଦେ, ମୁଁ ଟିକେ ସେ ଭାଇଙ୍କ ସହ କଥା ହେଇ ଆସେ ।"

ମୁଁ ସେ ବ୍ୟକ୍ତିଙ୍କ ପାଖକୁ ଗଲି ଏବଂ ତାଙ୍କୁ ସେହି ଚିତ୍ର ବିଷୟରେ ପଚାରିଲାରୁ ସେ କହିଲେ,"ହଁ ଚିତ୍ରଲିପି ଏଇ ଚିତ୍ର ଡାକ୍ତରବାବୁଙ୍କୁ ଉପହାର ଦେବା ପାଇଁ ପଠେଇଛନ୍ତି । ଏ ଯେଉଁ ମହିଳାଙ୍କୁ ଆପଣ ଏଠି ଦେଖୁଛନ୍ତି ଇଏ ହେଲେ ଚିତ୍ରଲିପିଙ୍କ ମମି । ୟାଙ୍କର ଚିକିତ୍ସା ହେଉଛି ଏଇ ଡାକ୍ତରଙ୍କ ପାଖରେ ।"

ମୁଁ ତାଙ୍କୁ ପଚାରିଲି, "ଏ କ'ଣ ସତରେ ସୁକନ୍ୟାଙ୍କ ମମି ସ୍ନେହା ମାଡାମ୍ ? "

ସେ ମୋତେ ଆଶ୍ଚର୍ଯ୍ୟ ହେଇ ଦେଖିଲେ ଓ ପଚାରିଲେ, "ହଁ, କିନ୍ତୁ ଆପଣ କିଏ ?"

ମୁଁ ତାଙ୍କୁ କହିଲି ଯେ ମୁଁ ତାଙ୍କ ଚିତ୍ରର ଜଣେ ବଡ଼ ପ୍ରଶଂସିକା । ବାସ୍ ସେତିକି କହି ମୁଁ ତାଙ୍କ ପାଖରୁ ଚାଲିଆସିଲି । ମୁଁ ସେ ବ୍ୟକ୍ତି ଜଣକର ପରିଚୟ ଏଇଥିପାଇଁ ପଚାରିଲିନାହିଁ, କାରଣ ମୋତେ ଲାଗୁଥିଲା ଯେ ସେ ବ୍ୟକ୍ତି ନିଶ୍ଚୟ ସୁକନ୍ୟାର ସାନ ଭାଇ ଦୀପୁ ହେଇଥିବେ ।

ମୁଁ ଘରକୁ ଫେରି ସୁକନ୍ୟାର ନମ୍ବର୍ ଲଗେଇଲି, ଲାଗିଲାନାହିଁ । ହ୍ୱାଟ୍ସଆପରେ ମେସେଜ୍ ଦେଲି, ମେସେଜ୍ ଡେଲିଭେରୀ ହେଲାନାହିଁ । ମନ ବଡ଼ ବିଚଳିତ ହେଉଥିଲା । ସୁକନ୍ୟାର ମମିଙ୍କୁ ମାନସିକ ରୋଗୀଙ୍କ ଭିତରେ ଦେଖି ମୋତେ ଖୁବ୍ ଆଶ୍ଚର୍ଯ୍ୟ ଲାଗିଥିଲା । ତାଙ୍କ ବିଷୟରେ ସବୁ କିଛି ଜାଣିବାକୁ ମୋର ଆଗ୍ରହ ବଢ଼ିବାରେ ଲାଗିଥିଲା ଏବଂ ସୁକନ୍ୟା ଭଲ ଅଛି କି ନାହିଁ ସେଥିପାଇଁ ବି ଚିନ୍ତା ବଢିଯାଇଥିଲା । ମୁଁ ନିଜ ଉପରେ ଖୁବ୍ ରାଗିଲି କାହିଁକି ସେ ବ୍ୟକ୍ତିଙ୍କଠାରୁ ସୁକନ୍ୟା ବିଷୟରେ କିଛି ନବୁଝି ଚାଲିଆସିଲି ବୋଲି ।

ସେଦିନ ରାତିରେ ସୁକନ୍ୟା ସହ ଯୋଗାଯୋଗ ନହେଇପାରିବାରୁ ବିଛଣାରେ ଖୁବ୍ ଛଟପଟ ହେଲି, କିନ୍ତୁ ଶୋଇପାରିଲିନି । ସକାଳୁ ଉଠି ସିଧା ଚାଲିଲି ମୋର ସାଙ୍ଗ ପାଖକୁ । ସେ ମୋତେ ବୁଝେଇଲା ଯେ ତାଙ୍କ ପଡୋଶୀ ଡାକ୍ତର ବହୁତ ଚିଡ଼ାଚିଡା ସ୍ୱଭାବର, ସେ ସ୍ନେହାଙ୍କ ଡିଟେଲ୍ସ୍ ତ ବିଲକୁଲ ଦେବେନାହଁ, ବରଂ ଖୁବ୍ ବେଶି ଚିଡ଼ି ଉଠିବେ । ମୁଁ କିନ୍ତୁ ମୋ ସାଙ୍ଗର କଥାକୁ ଖାତିର ନକରି ସେ ଡାକ୍ତରଙ୍କ ଘରକୁ ଗଲି । ତାଙ୍କ ପତ୍ନୀଙ୍କୁ ମୋ ସାଙ୍ଗ ସବୁକଥା କହିଲା ପରେ ସେ ତାଙ୍କ ସ୍ୱାମୀଙ୍କୁ ଜଣେଇଲେ । ସୁକନ୍ୟାର ନାଁ ଶୁଣି ଡାକ୍ତରବାବୁଙ୍କ ମୁହଁ ପ୍ରସନ୍ନ ହେଇଉଠିଲା । ମୁଁ ଦେଖିଲି ମୋ ସାଙ୍ଗ କହିଲା ଭଳି ଡାକ୍ତର ବିଲକୁଲ ଚିଡୁନାହାଁନ୍ତି । ମୁଁ ଡାକ୍ତରବାବୁଙ୍କୁ ସୁକନ୍ୟା ମୋତେ ପଠେଇଥିବା ପୁରୁଣା ମେସେଜ ଓ ଫଟୋ ଦେଖେଇଲି । ସେ ହସି ହସି କହିଲେ, "ନା ନା ମୁଁ ଆପଣଙ୍କୁ ଆଦୌ ଅବିଶ୍ୱାସ କରୁନାହିଁ । କିନ୍ତୁ ସତ କଥା ହେଲା ସ୍ନେହାଦେବୀଙ୍କ ନମ୍ବର ମୋ ପାଖରେ ନାହିଁ । ଚିତ୍ରଲିପିଙ୍କ ଚିତ୍ରର ମୁଁ ଜଣେ ବଡ଼ ପ୍ରଶଂସକ । ମୁଁ ତାଙ୍କର ଅନେକ ଚିତ୍ର ସଂଗ୍ରହ କରିଛି । ତାଙ୍କ ସହ ମୋର ଦେଖା ହେଇଥିଲା ରାଉରକେଲାର ଏକ ପ୍ରଦର୍ଶନୀରେ । ସେଇଠି ତାଙ୍କ ସହ କଥା ହେଲାବେଳେ ସେ ତାଙ୍କ ମାଆଙ୍କ ମାନସିକ ଅବସ୍ଥା ବିଷୟରେ ମୋତେ ଜଣାଇଥିଲେ ଏବଂ ସେବେଠୁ ମୁଁ ତାଙ୍କ ମାଆଙ୍କର ଚିକିତ୍ସା କରେ । ସ୍ନେହାଦେବୀ ବି ଏବେ ସୁସ୍ଥ ହେଇଗଲେଣି । ହଁ କେବେ କେବେ ମୁଁ ଚିତ୍ରଲିପିଙ୍କ ସହ କଥାବାର୍ତ୍ତା କରେ ଫୋନରେ । ମୋ ପାଖରେ ଚିତ୍ରଲିପିଙ୍କ ନମ୍ବର ଅଛି । କିନ୍ତୁ ତାଙ୍କୁ ନଜଣେଇ ତ ତାଙ୍କ ନମ୍ବରଟା ଆପଣଙ୍କୁ ଦେବା ଠିକ ହେବନାହିଁ ! ଆପଣ ଯଦି ତାଙ୍କ ନମ୍ବର ନିହାତି ଚାହାଁନ୍ତି ତେବେ ମୁଁ ତାଙ୍କୁ ଜଣେଇକରି ନମ୍ବରଟା ଆପଣଙ୍କୁ ଦେଇପାରିବି ।"

ଡାକ୍ତରବାବୁ ମୋ ସାମ୍ନାରେ ସୁକନ୍ୟା ସହ କଥା ହେଲେ ଓ ସୁକନ୍ୟା ତାଙ୍କୁ ଜଣେଇଲା ସେ ମୋର ଘନିଷ୍ଠ ବାନ୍ଧବୀ ବୋଲି । ଡାକ୍ତରବାବୁଙ୍କଠାରୁ ମୋବାଇଲ ନେଇ ମୁଁ ଦୁଇ ମିନିଟ କଥା ହେଲି ସୁକନ୍ୟା ସହ ଓ ଡାକ୍ତରଙ୍କଠାରୁ ନମ୍ବର ନେଇ ଘରକୁ ଫେରିଲି ।

ସୁକନ୍ୟାର ନୂଆ ନମ୍ବରକୁ ମୁଁ ମେସେଜ୍ କରି ମୋ ନମ୍ବରଟା ଦେଇଦେଲି ଏବଂ ତା' କହିବା ଅନୁସାରେ ତା' ଫୋନକୁ ଅପେକ୍ଷା କଲି ।

ସେଦିନ ରାତି ସାଢ଼େ ନଅ ପାଖାପାଖି ସୁକନ୍ୟାର ନୂଆ ନମ୍ବରରୁ ମୋତେ କଲ୍ ଆସିଲା । ମୁଁ ଫୋନ୍ ଉଠେଇ କହିଲି, "ତୁମେ ଏତେ ଦିନ ହେଲା କୋଉଠି ଥିଲ ? କେମିତି ଅଛ ? ମୁଁ ତୁମ ମମି ଓ ଦୀପୁଙ୍କୁ ଭେଟିଲି । ତୁମେ ଏବେ କୁହ, ସୌଭିକକୁ ବାହା ହେବାର ରହସ୍ୟ କ'ଣ ?"

ସୁକନ୍ୟା ହସି ହସି କହିଲା, "ଆରେ ଶିଳାଲିପି, ରୁହ ରୁହ ଏକାବେଳେ ଏତେ ପ୍ରଶ୍ନ ପଚାରନି । ମୁଁ ତୁମକୁ ସବୁ କହିବି, ନକହିଲେ ମୋ କାହାଣୀ ଅଧା ରହିଯିବନି ! ଆଉ ହଁ, ସେଦିନ ତୁମେ ମୋ ମମିଙ୍କ ସହ ଯାହାଙ୍କୁ ଭେଟିଥିଲ ସେ ଦୀପୁ ନୁହେଁ, ସେ ହେଲେ କବି ପ୍ରୀତମ ମହ୍ଲାର, ମାନେ ମୋ ବିକି ଭାଇ ।"

ସୁକନ୍ୟାର କଥା ଶୁଣିବା ପାଇଁ ମୁଁ ବାଲକୋନୀରେ ବସିଲି ଗୋଟେ ଚେୟାର ପକେଇ । ମୋ ମୋବାଇଲରେ ଫୁଲ୍ ଚାର୍ଜ୍ ଥିଲା । ସୁକନ୍ୟା ପୁଣି ଆରମ୍ଭ କଲା ସେଇଠୁ ଯେଉଁଠୁ ସେ ଛାଡିଥିଲା ।

ସୁକନ୍ୟା କହିଥିଲା ସେ ହାଇଦ୍ରାବାଦରୁ ଫେରିଛି ଗୋଟେ ଜିନିଷ ଖୋଜିବା ଉଦ୍ଦେଶ୍ୟରେ । କ'ଣ ଥିଲା ସେ ଜିନିଷଟି ? ସୁକନ୍ୟାକୁ ତା'ର ହାଇଦ୍ରାବାଦ ଠିକଣାରେ ଓଡିଶାରୁ କେହିଜଣେ ଉପହାର ପଠାଉଥିଲେ । ଯିଏ ସେ ଉପହାର ପଠାଉଥିଲେ ସେ ସୁକନ୍ୟା ବିଷୟରେ ସବୁ ଜାଣିଥିଲେ, ଏମିତିକି ସୁକନ୍ୟାର ଜନ୍ମଦିନ ବି ସେ ଜାଣିଥିଲେ, ତା'ର ରୁଚି, ପସନ୍ଦ, ନାପସନ୍ଦ ସବୁକିଛି ସେ ଜାଣିଥିଲେ । ପ୍ରତିଥର ଉପହାର ସହ ସେ ଗୋଟେ ଚିଠି ବି ଲେଖୁଥିଲେ ସୁକନ୍ୟାକୁ । ସେଥର ଉପହାରଟି ପାଇ ସୁକନ୍ୟା ସେହି ଠିକଣାରେ ପ୍ରତି ଉପହାର ଏବଂ ଚିଠିଟିଏ ଲେଖିଦେଲା । ଚିଠିରେ ସୁକନ୍ୟା ଲେଖିଥିଲା ସେ ତା'ର ସେହି ପ୍ରଶଂସକଙ୍କର ପରିଚୟ ଜାଣିବାକୁ ଚାହେଁ । ପ୍ରଶଂସକ ପରବର୍ତ୍ତୀ ଚିଠିରେ ଲେଖିଲେ, "ଆପଣ ନିଜେ ଆସି ମୋ ପରିଚୟ ଖୋଜି ନିଅନ୍ତୁ, ଏତେ ବି କଷ୍ଟ ନୁହେଁ ମୋତେ ଖୋଜିବା, ଆଉ ମୁଁ ଆଦୌ ବି ଭୟଙ୍କର ଲୋକ ନୁହେଁ । ନିହାତି ସାଧାସିଧା ଗରିବ ମଣିଷଟିଏ ।"

ସ୍ମାର୍ଟ୍ ଫୋନ୍ ଜମାନାରେ କେହି ଜଣେ ଚିଠି ଲେଖିବା ସୁକନ୍ୟାକୁ ବହୁତ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସୁକନ୍ୟା ସେହି ପତ୍ରଦାତାଙ୍କ ଉପହାର ଓ ପତ୍ର ଦ୍ୱାରା ଖୁବ୍ ପ୍ରଭାବିତ ହେଇପଡିଥିଲା । ଚିଠିରେ ପ୍ରେରକ ଜାଗାରେ ଗୋଟେ ଅଫିସ୍ ର ନାଁ ଥିଲା । ସୁକନ୍ୟା ସେହି ଅଫିସ୍ ଠିକଣାରେ ଦୁଇଟି ଚିଠି ପଠେଇଲା ପରେ ନିଷ୍ପତ୍ତି ନେଲା ନିଜେ ଯାଇ ଖୋଜିବ କିଏ ସେହି ପତ୍ର ପ୍ରେରକ ।

ସେଥର ଓଡିଶା ଆସି ସୁକନ୍ୟା ଭଦ୍ରକର ସେହି ନିର୍ଦ୍ଧିଷ୍ଟ ଅଫିସକୁ ଗଲା ତା'ର ସେହି ଚିଠି ପ୍ରେରକଙ୍କୁ ଖୋଜିବାକୁ । ଅଫିସରେ ପହଞ୍ଚି ଜାଣିଲା ସେଇଟି ଗୋଟେ ବ୍ରାଞ୍ଚ୍ ଅଫିସ୍ । ମୁଖ୍ୟ ଅଫିସ୍ ରାଉରକେଲାରେ ।

ଭଦ୍ରକର ସେହି ଅଫିସ୍ ସାମ୍ନାରେ ବି ମାଲିକଙ୍କ ନାଁ ଓ ନମ୍ବର୍ ଲେଖା ଥିଲା, କିନ୍ତୁ ସୁକନ୍ୟା ସେଆଡ଼େ ଦେଖିଲାନାହିଁ । କାରଣ ତାକୁ ଲାଗୁଥିଲା ଓନର୍ କୌଣସି ସାହାଯ୍ୟ କରିପାରିବେନାହିଁ, ବରଂ ସେ ଯଦି ଏ ବିଷୟରେ କିଛି ଜାଣନ୍ତି ତେବେ ସେ ସେହି ଚିଠି ଲେଖା କାମଟି କରିଥିବା କର୍ମଚାରୀଙ୍କୁ କାମରୁ ବାହାର କରି ଦେଇପାରନ୍ତି । ସୁକନ୍ୟା ତାହା ଚାହୁଁନଥିଲା । କୌଣସି ଉପାୟ ନପାଇ ସୁକନ୍ୟା ବାଧ୍ୟ ହୋଇ ଫ୍ରଣ୍ଟ୍ ଅଫିସରେ ବସିଥିବା ମହିଳା ଜଣଙ୍କୁ ତା' ପାଖରେ ଥିବା ଗୋଟେ ଲଫାଫାକୁ ବ୍ୟାଗରୁ ବାହାର କରି ଦେଖେଇଲା ଓ ପଚାରିଲା, "ଏଇ ଲେଟର୍ ଟି ଏଇ ଅଫିସରୁ ମୋ ପାଖକୁ ଯାଇଛି । ମୁଁ ବି ଦୁଇଟି ଲେଟର୍ ଏଇ ଠିକଣାରେ ପଠେଇଥିଲି । ଆପଣ କହିପାରିବେ କି କିଏ ମୋତେ ଏଇ ଚିଠି ପଠେଇଥିଲେ ? ଆପଣଙ୍କ ରେଜିଷ୍ଟରରେ ତ ସବୁ ଏମ୍ପ୍ଲୟୀଙ୍କ ଦସ୍ତଖତ ଥିବ, ଟିକେ ମ୍ୟାଚ୍ କରି ଦେଖି କୁହନ୍ତୁ ତ କାହା ହ୍ୟାଣ୍ଡରାଇଟିଂ ଏଇଟା ?"

ଅଫିସ୍ ରିସେପ୍ସନିଷ୍ଟ୍ କହିଲେ, "ମାମ୍ ଆପଣ ଆସିବେ ବୋଲି ସାର୍ ଜାଣିଥିଲେ । ସେ କହିଥିଲେ ଜଣେ କେହି ଲଫାଫା ଦେଖେଇ ହସ୍ତାକ୍ଷର ଚିହ୍ନିବାକୁ କହିଲେ ତାଙ୍କୁ ବସେଇବା ପାଇଁ । କିନ୍ତୁ ଆଜି ବୋଧେ ଆମ ଓନର୍ ଙ୍କ ସହ ଆପଣଙ୍କର କଥା ହେଇ ହେବନାହିଁ, ସେ ଏଇ ପାଖରେ ଗୋଟେ ହୋଟେଲରେ ବ୍ୟସ୍ତ ଅଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ମିଟିଂରେ । ତଥାପି ମୁଁ ସାର୍ ଙ୍କୁ ମେସେଜ୍ ଦେଇଦେଉଛି, ଆପଣ ବସନ୍ତୁ ।"

ରିସେପ୍ସନିଷ୍ଟ୍ ଙ୍କ ଠାରୁ ତାଙ୍କ ଅଫିସ୍ ମୁଖ୍ୟଙ୍କ ନାଁ ଶୁଣି ସୁକନ୍ୟା ସିଧା ଅଫିସର ସେହି ୱାଲ୍ ଆଡ଼େ ଦେଖିଲା ଯେଉଁଠି ଓନର୍ ଙ୍କ ନାଁ ଲେଖାଥିଲା 'ସୌଭିକ' । ସୁକନ୍ୟା ଆଶ୍ଚର୍ଯ୍ୟ ହେଲା ଓ ଭାବିଲା, "ସିମ୍ଫୋନିର ଭାଇ ସୌଭିକ ମୋତେ ଚିଠି ଲେଖୁଥିଲେ ? କିନ୍ତୁ କାହଁକି ? ସେ ମୋ ଠିକଣା କୋଉଠୁ ପାଇଲେ ?"

ସୌଭିକ ମେସେଜ୍ ପାଇବା କ୍ଷଣି ଅଫିସକୁ ଫେରିଆସିଲା । ସୁକନ୍ୟାକୁ ଦେଖୁ ଦେଖୁ ସେ ଖୁସିରେ ବିଭୋର ହେଇ ଉଠିଲା । ସୁକନ୍ୟା ଯେତିକି ଆଶ୍ଚର୍ଯ୍ୟ ହେଉଥିଲା ସୌଭିକ ସେତେ ବେଶି ଖୁସି ।

ସୌଭିକ ସୁକନ୍ୟାକୁ ଜଣାଇଲା ସେ ଗୋଟେ ପତ୍ରିକାର ପ୍ରଚ୍ଛଦରେ ଚିତ୍ରଲିପିର ଚିତ୍ର ଦେଖି ପତ୍ରିକା ସମ୍ପାଦକଙ୍କ ସହ ସମ୍ପର୍କ କରି ସୁକନ୍ୟାର ଠିକଣା ଯୋଗାଡ଼ କରିଥିଲା ।

ସେଦିନ ସୌଭିକ ସହ କଥାବାର୍ତ୍ତା ହୋଇ ସୁକନ୍ୟା ଜାଣିଲା ସିମ୍ଫୋନି ଓ ଅମ୍ବିକେଶଙ୍କର ବ୍ରେକଅପ୍ ହେଲାପରେ ସିମ୍ଫୋନି ଏକଦମ୍ ଭାଙ୍ଗି ପଡିଥିଲା, ସେଥିପାଇଁ ସେ ତା'ର କୌଣସି ବି ସାଙ୍ଗଙ୍କ ସହ ଯୋଗାଯୋଗ ରଖିବାକୁ ଚାହୁଁନଥିଲା । ଅମ୍ବିକେଶ ଦିଲ୍ଲୀରୁ ଫେରି ଓଡିଶାର ଏକ ପ୍ରତିଷ୍ଠିତ କଲେଜରେ ଅଧ୍ୟାପକ ଭାବେ ଯୋଗ ଦେଲା ଏବଂ ଚାକିରିର ଅଳ୍ପ ଦିନ ଭିତରେ ସ୍ଥାନୀୟ ବିଧାୟକଙ୍କ ଝିଅକୁ ବିବାହ କରିନେଲା । ଏସବୁ ସିମ୍ଫୋନି ସହି ପାରିଲାନି । ସେ ଖୁବ୍ ହଙ୍ଗାମା କରିଥିଲା ଅମ୍ବିକେଶରେ ବାହାଘର ମଣ୍ଡପ ପାଖରେ । କିନ୍ତୁ ପରେ ନିଜର ସେହି କାମ ପାଇଁ ଲଜ୍ଜିତ ଅନୁଭବ କରି ଦିଲ୍ଲୀ ଫେରି ଯାଇଥିଲା । ଏବେ ସେ ବିହାରରେ ଚାକିରି କରୁଛି । ଓଡିଶା ଆସିବାକୁ ତା'ର ବିଲକୁଲ ବି ମନ ନାହିଁ । ସେଥିପାଇଁ ସୌଭିକକୁ ହିଁ ତାଙ୍କ ବାପାଙ୍କର ସବୁ ବ୍ୟବସାୟ ଏକା ଏକା ବୁଝିବାକୁ ପଡୁଛି । ଓଡିଶାର ପ୍ରତି ଜିଲ୍ଲାରେ ତାଙ୍କର ବ୍ୟବସାୟ, କିନ୍ତୁ ବୁଝାବୁଝି କରିବାକୁ କେହି ନାହାଁନ୍ତି । ତେଣୁ ସୌଭିକ ନିଜର ଚାକିରି ଛାଡ଼ି ବାପାଙ୍କୁ ତାଙ୍କ ବ୍ୟବସାୟରେ ସାହାଯ୍ୟ କରୁଛି ।

ସୌଭିକ ସହ ସେଦିନ ଭଦ୍ରକରେ ଭେଟ କରି ରାତିକୁ ସୁକନ୍ୟା କଟକ ଫେରି ଆସିଲା ବିକିର ଘରକୁ । ବିକି ସୁକନ୍ୟାକୁ ବାଧ୍ୟ କଲା ଥରେ ଯାଇ ସ୍ନେହାଙ୍କୁ ଭେଟି ଆସିବା ପାଇଁ । ସୁକନ୍ୟା ବିକିକୁ ସାଙ୍ଗରେ ନେଇ ସ୍ନେହାଙ୍କ ନୂଆ ଘରକୁ ଗଲା । ପ୍ରଥମ ଥର ସୁକନ୍ୟା ସ୍ନେହାଙ୍କର ସେହି ଘରେ ପାଦ ଦେଉଥିଲା ଯେଉଁ ଘର ଠକେଇର, ଛଳନାର ଟଙ୍କାରେ ତିଆରି ହେଇଥିଲା । ସୁକନ୍ୟା ଓ ବିକି କଲିଂବେଲ୍ ଟିପିଲେ । କବାଟ ଖୋଲିଲା ଜଣେ ସରୁ ତନୁପାତଳୀ ଶ୍ୟାମଳୀ ଝିଅ । ସେ ସ୍ନେହାଙ୍କ ପାଖରେ କାମ କରୁଥିଲା । ସ୍ନେହାଙ୍କ ବିଷୟରେ ପଚାରିଲାରୁ ଝିଅଟି କହିଲା, "ମାଡାମ ନିଦ ଔଷଧ ଖାଇ ଶୋଇଛନ୍ତି । ଏବେ ବିଲକୁଲ ଉଠିବେନି । ଆପଣମାନେ ସନ୍ଧ୍ୟାରେ ଆସନ୍ତୁ ।"

ସୁକନ୍ୟା ଯେତେବେଳେ କହିଲା ସେ ସେହି ଘରର ଝିଅ, ସ୍ନେହାଙ୍କ ନିଜ ଝିଅ, ଝିଅଟି ଚଟାପଟ୍ କହି ପକେଇଲା, "ଓହୋ ଆପଣ ପରା ଆମ ସୁକନ୍ୟା ଦିଦି ! ମୁଁ ତ ଆପଣଙ୍କ ଫଟୋ ଦେଖିଛି ମାଡାମଙ୍କ ମୋବାଇଲରେ, ମାଡାମଙ୍କ ଆଲବମରେ । ମାଡାମ ସବୁବେଳେ ଆପଣଙ୍କ କଥା କୁହନ୍ତି । ଦୀପୁବାବୁ ମାଡାମଙ୍କୁ ଛାଡ଼ି ଚାଲିଗଲା ପରେ ମାଡାମଙ୍କ ମୁଣ୍ଡ ସିନା ଆଉ କାମ କରୁନି କିନ୍ତୁ ସେ ସବୁ କଥା ମନେ ରଖିଛନ୍ତି । ଆପଣମାନଙ୍କ ପିଲାଦିନ କଥା ସବୁବେଳେ କୁହନ୍ତି । ସବୁବେଳେ କହନ୍ତି, "ମୋ ଝିଅ ସୁକନ୍ୟା ମୋ ପାଖକୁ ନିଶ୍ଚୟ ଫେରି ଆସିବ ।"

ଝିଅଟାର କଥା ଶୁଣି ସୁକନ୍ୟା ଆଖିରୁ ଲୁହ ଝରି ଆସିଲା । ସ୍ନେହାଙ୍କ ରୁମ୍ କୁ ଦୌଡ଼ିଯାଇ ତାଙ୍କୁ ନିଦ୍ରିତ ଅବସ୍ଥାରେ ଦେଖି ଭୋ ଭୋ ହୋଇ କାନ୍ଦି ପକେଇଲା । ବିଛଣାରେ ନିର୍ଜୀବ ଭଳି ପଡ଼ି ରହିଥିବା ସ୍ନେହା ଖୁବ୍ ଦୁର୍ବଳ ଦିଶୁଥିଲେ । ତାଙ୍କ ମୁହଁରେ ପୂର୍ବର ସେ ଉଜ୍ଜ୍ୱଳତା ଆଉ ନଥିଲା ।

ଝିଅଟିଠାରୁ ସୁକନ୍ୟା ଶୁଣିଲା କେମିତି ଦୀପୁ ମେଡିକାଲ ନପାଇ ଇଂଜିନିୟରିଂ ପଢିଲା । ପଢ଼ା ଶେଷକରି ଭଲ ଗୋଟେ କମ୍ପାନୀରେ ଚାକିରି ପାଇଲା ପରେ ନିଜ ପସନ୍ଦର ଝିଅଟେକୁ ବିବାହ କରିବାକୁ ଚାହିଁଥିଲା । କିନ୍ତୁ ସେହି ଝିଅକୁ ସେ ବାହା ହେଇ ପାରିନଥିଲା ସ୍ନେହାଙ୍କର କେଉଁ ଗୋଟେ ଅତୀତରେ ଘଟିଥିବା ଘଟଣା ଯୋଗୁଁ । ଝିଅଟିର ବାପା ଜଣେ ଡାକ୍ତର, ସେ ସ୍ନେହାଙ୍କୁ ସେବେଠୁ ଜାଣିଥିଲେ ଯେବେ ସ୍ନେହା ନର୍ସ୍ ଥିଲେ । ସ୍ନେହାଙ୍କ ପାଇଁ ତାଙ୍କ ମନରେ ଖୁବ୍ ଖରାପ ଧାରଣା ଥିଲା । ସେଥିପାଇଁ ସେ ସ୍ନେହାଙ୍କ ପୁଅ ସହ ତାଙ୍କ ଝିଅର ସମ୍ପର୍କକୁ ସହ୍ୟ କରି ପାରିନଥିଲେ । ଦୀପୁ ସେହିକଥା ପାଇଁ ସ୍ନେହାଙ୍କ ଉପରେ ଖୁବ୍ କ୍ଷୁବ୍ଧ ହେଲା ଓ ଭୀଷଣ ଭାବେ ଗାଳି ଗୁଲଜ କଲା । ସ୍ନେହା ମୁହଁରେ ହାତ ଦେଇ କାନ୍ଦୁଥିଲାବେଳେ ଦୀପୁ ସେହି ସଙ୍ଗେ ସଙ୍ଗେ ସ୍ନେହାଙ୍କ ସହ ସମ୍ପର୍କ କାଟିଦେଇ ସବୁଦିନ ପାଇଁ ଘର ଛାଡ଼ି ଚାଲିଗଲା । ସେହି ଦିନରୁ ସେ ଆଉ କେବେ ବି ସ୍ନେହାଙ୍କୁ ଫୋନ କରିନି କି ଦେଖା କରିବାକୁ ଆସିନି । ସ୍ନେହାଙ୍କର ମାଆ ବି ସେହି ସମୟରେ ରୋଗରେ ପଡ଼ି ଚାଲିଗଲେ । ସ୍ନେହା ଏକଦମ ଏକ୍ଲା ହେଇଯାଇଥିଲେ । ଚାକିରିରୁ ଆଗୁଆ ଅବସର ନେଇଗଲେ ଓ ନିଜକୁ ଏଇ ଘରେ ବନ୍ଦ କରି ରଖିଦେଲେ । ଏବେ ଖାଲି ଗୁଡ଼ାଏ ଲେଖାଏଁ ନିଦ ଔଷଧ ଖାଇ ବିଛଣାରେ ପଡ଼ି ରହୁଛନ୍ତି ।

ସବୁ ଶୁଣି ସୁକନ୍ୟା ଆହୁରି ବ୍ୟସ୍ତ ହେଇପଡ଼ିଲା ସ୍ନେହାଙ୍କ ପାଇଁ । ନିଜକୁ ଧିକ୍କାର କଲା ସ୍ନେହାଙ୍କର ଏଭଳି ଅବସ୍ଥାରେ ବି ସେ ତାଙ୍କ ଉପରେ ରାଗ ରଖି ଓଡିଶା ଆସୁନଥିବାରୁ ।

ସ୍ନେହା ନିଦରୁ ଉଠିଲା ପରେ ସୁକନ୍ୟାକୁ ଦେଖି ବିକଳ ହୋଇ କାନ୍ଦିଲେ । ସ୍ନେହାଙ୍କୁ ଦେଖି ସୁକନ୍ୟା ଜାଣିଗଲା ସ୍ନେହାଙ୍କର ଅବସ୍ଥା ଗୁରୁତର । ମାନସିକ ଅବସ୍ଥା ତାଙ୍କର ଖୁବ୍ ଖରାପ । ତାଙ୍କୁ ଉପଯୁକ୍ତ ଚିକିତ୍ସା ଦର୍କାର । ସ୍ନେହାଙ୍କୁ ସେହି ଅବସ୍ଥାରେ ହାଇଦ୍ରାବାଦ ନେଇଯିବା ସୁକନ୍ୟା ପକ୍ଷେ ସମ୍ଭବ ନଥିଲା । ହାଇଦ୍ରାବାଦରେ ସୁକନ୍ୟା ନିଜେ ମଧ୍ୟ ବହୁତ ଗୋଟେ କଷ୍ଟକର ପରିସ୍ଥିତି ଦେଇ ଗତି କରୁଥିଲା । ତେଣୁ ସେ ନିଷ୍ପତ୍ତି ନେଲା ତା'ର ଚାକିରିକୁ ସେ ଓଡିଶାକୁ ବଦଳି କରି ଆଣିବାକୁ ଚେଷ୍ଟା କରିବ ଏବଂ ସ୍ନେହାଙ୍କ ପାଖରେ ରହି ତାଙ୍କୁ ତାଙ୍କର ପୂର୍ବାବସ୍ଥାକୁ ଫେରେଇ ଆଣିବ ।

ସ୍ନେହାଙ୍କ ଘରେ ସୁକନ୍ୟା ରହିଲା । ବିକି ସହ ସ୍ନେହାଙ୍କ ଚିକିତ୍ସା ବିଷୟରେ କଥା ହେଲା । ସେହି ସମୟରେ ସୌଭିକ ତାକୁ ଫୋନ୍ କଲା ଓ ସୁକନ୍ୟାର ଚାକିରି ବଦଳି ସମସ୍ୟା କଥା ଶୁଣି ସେ ତାଙ୍କ କଟକ ଅଫିସରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଭଲ ଦରମା ସହ ରହିବାକୁ ସୁକନ୍ୟାକୁ ଅଫର୍ ଦେଲା । ସୁକନ୍ୟା ଭାବିକରି ତାକୁ ଜଣେଇବ କହିଥିଲା ଓ ଅନେକ ଭାବିଲା ପରେ ସେ ସୌଭିକର ଅଫର୍ କୁ ଗ୍ରହଣ କରିନେଲା ।

କଟକକୁ ସବୁଦିନ ପାଇଁ ଚାଲିଆସିଥିଲା ସୁକନ୍ୟା । କଟକରେ ସ୍ନେହାଙ୍କର ଚିକିତ୍ସା ହେଉଥିଲା ଏବଂ କଟକରେ ସୌଭିକଙ୍କର ବ୍ୟବସାୟ ସୁକନ୍ୟାର ବିଚକ୍ଷଣ ବୁଦ୍ଧି ଯୋଗୁଁ ଖୁବ୍ ଉନ୍ନତି କରୁଥିଲା । ରାଉରକେଲାର ମୁଖ୍ୟ କାର୍ଯ୍ୟାଳୟରେ ଥାଇ ସୌଭିକର ବାପା କଟକ ବ୍ରାଞ୍ଚ୍ ର ମ୍ୟାନେଜର ସୁକନ୍ୟାକୁ ଭୁରି ଭୁରି ପ୍ରଶଂସା କରିଥିଲେ । ସେ ସୁକନ୍ୟାକୁ ରାଉରକେଲା ଡକେଇଥିଲେ । ସେଇଠି ସୌଭିକଙ୍କ ମାଆ ସହ ପ୍ରଥମ କରି ସୁକନ୍ୟାର ଭେଟ ହେଲା । ସେ ସୁକନ୍ୟାକୁ ଜଣେଇଲେ ସୌଭିକ ସେହିଦିନରୁ ସୁକନ୍ୟାକୁ ଭଲପାଏ ଯେବେ ସେ ସୁକନ୍ୟାକୁ ଗୋଟେ ଛୋଟ ସହରରେ ଗୋଟେ ଚୁଡ଼ି ଦୋକାନ ସାମ୍ନାରେ ଭେଟିଥିଲା । ସେଦିନ ସୁକନ୍ୟା ସୌଭିକକୁ ଲଳିତ ନାମକ ପିଲାଟିଏ ବୋଲି ଭାବି ତା ସହ କଥା ହେବାକୁ ତାକୁ ଅଟକାଇ ଦେଇଥିଲା ଏବଂ ପରେ ସେ ଲଳିତ ନୁହେଁ ବୋଲି ଜାଣି ସାରିଲା ପରେ ସେ ସେଠୁ ଦୌଡ଼ି ପଳେଇ ଯାଇଥିଲା ।

ସୌଭିକର ମାଆ ସୁକନ୍ୟାକୁ ସୁକନ୍ୟାର ସେହି ସବୁ ଚିତ୍ର ଦେଖେଇଲେ ଯାହା ସୌଭିକ ସଂଗ୍ରହ କରି ରଖିଥିଲା । ସେଦିନ ରାଉରକେଲାରେ ସୌଭିକର ଘରେ କାହିଁକି କେଜାଣି ସୁକନ୍ୟାର ଆଖିରେ ଲୁହ ଆସିଯାଇଥିଲା ।

କଟକ ଫେରିଲା ପରେ ଦିନେ ସିମ୍ଫୋନି ଫୋନରେ ସୁକନ୍ୟାକୁ କହିଲା, "ମୋ ଭାଇ ଭଳି ପ୍ରେମିକ ଏ ଦୁନିଆଁରେ କେହି ନଥିବେ । ଭଲପାଉଛି ବୋଲି ଦିନେ ହେଲେ କହିନି କିନ୍ତୁ ଜୀବନଠୁଁ ଅଧିକ ଭଲପାଉଛି । ତୋ ପ୍ରତି ତା'ର ଭଲ ପାଇବାକୁ ଦେଖି ମୁଁ ଜାଣିଲି ପ୍ରକୃତ ପ୍ରେମ କ'ଣ । ତୁ ତାକୁ ବାହା ହ କି ନ ହ, ସେ କିନ୍ତୁ କେବଳ ତୋତେ ହିଁ ଏମିତି ନିରବରେ ଭଲ ପାଉଥିବ । ତୋ ବିନା ଆଉ କାହାକୁ ଜୀବନସାଥୀ କରି ପାରିବନାହିଁ, ବଡ଼ ଅଜବ ସେ ପିଲା ।"

ବିକି ସହ ଦିନେ ସୌଭିକ ବିଷୟରେ ସୁକନ୍ୟା କଥା ହେଉଥିବାବେଳେ ବିକି ଗୋଟେ ପ୍ରେମ କବିତା ସୁକନ୍ୟାକୁ ପଢ଼ିବାକୁ ଦେଲା । ସୁକନ୍ୟା କବିତାଟିକୁ ତିନିଥର ପଢିଲା ଓ ପଢ଼ିସାରି ସଙ୍ଗେ ସଙ୍ଗେ ସୌଭିକକୁ ଫୋନ୍ ଲଗେଇ କହିଲା, "ଭଲ ପାଇବା କଥା ଆଉ କହିପାରିବିନି, ବାହାଘରରେ ମୋର ବିଶ୍ୱାସ ନାହିଁ, ତଥାପି ତୁମକୁ ହରେଇବାକୁ ଚାହେଁନି । କୁହ ମୁଁ କ'ଣ କରିବି ?"

ସୌଭିକ ସେପଟୁ କହିଲା, "ଏଇ ସଙ୍ଗେ ସଙ୍ଗେ କଟକ ବାହାରୁଛି । ତୁମେ ଯାହା କହିବ ମୁଁ ତାହା କରିବି । କହିବ ଯଦି ଜୀବନରୁ ସନ୍ୟାସ ନେଇଯିବାକୁ, ସେହି କ୍ଷଣି ପ୍ରସ୍ତୁତ ହେଇପଡ଼ିବି ।"

ସୁକନ୍ୟା ହସି ହସି କହିଲା, "ନା ନା ଜୀବନରୁ ନୁହେଁ, ଏବେ ଏଇ କିଛି ଦିନ ପାଇଁ କାମରୁ ସନ୍ୟାସ ନେଇ ଆମ ବାହାଘର କଥା ଚିନ୍ତା କର ।"

ବାସ୍, ବାହାଘର ପ୍ଲାନ୍ କରିବାକୁ ସେତିକି କଥା ହିଁ ଯଥେଷ୍ଟ ଥିଲା । ବାହାଘର ପରେ ବି ସୁକନ୍ୟା କଟକରେ ଆଉ ସୌଭିକ ଭଦ୍ରକରେ ରହୁଥିଲେ । ସୁକନ୍ୟା ଓ ସୌଭିକ କିଛି ଦିନ ପାଇଁ ବାହାରକୁ ବୁଲାବୁଲି କରିଯିବାକୁ ପ୍ରସ୍ତୁତ ହେଉଥିଲେ କିନ୍ତୁ ସେହି କିଛିଦିନ ଭିତରେ ସୌଭିକଙ୍କ ମାଆଙ୍କର ଦେହ ଖୁବ୍ ଖରାପ ହେଲା । ପରୀକ୍ଷାରୁ ଜଣାପଡ଼ିଲା କ୍ରୋନିକ୍ ଲିମ୍ଫୋସାଇଟିକ୍ ଲ୍ୟୁକେମିୟା, ଆଡଭାନ୍ସ୍ ଷ୍ଟେଜରେ ।

ବିକି ସୁକନ୍ୟାକୁ ପରାମର୍ଶ ଦେଲା ରାଉରକେଲା ସୌଭିକର ଘରକୁ ଯାଇ ରହିବାକୁ । କଟକରେ ସ୍ନେହାଙ୍କ ସବୁ କଥା ବିକି ନିଜେ ବୁଝିବ ବୋଲି ସୁକନ୍ୟାକୁ ସେ ପ୍ରତିଶ୍ରୁତି ଦେଲା । ସୁକନ୍ୟା ସେଦିନ ବିକିର ପାଦ ଧରି ପ୍ରଣାମ କରି କହିଥିଲା, "ଭାଇ ମୁଁ କ'ଣ ତୁମ ଋଣ କେବେ ଶୁଝି ପାରିବି ? ନା, ମୁଁ ଶୁଝିବାକୁ ଚାହେଁନି, ତୁମର ଧାରୁଆ ହେଇ ରହିବାକୁ ଚାହେଁ ।"

ବିକି ସୁକନ୍ୟାର ମୁଣ୍ଡ ଆଉଁଷି ଦେଇ କହିଥିଲା, "ପାଗିଳୀ ଭଉଣୀଟା ମୋର ।"

ସୌଭିକର ମାଆଙ୍କର କେମୋ ଥେରାପି ଚାଲିଥିଲା । ସୁକନ୍ୟା ତାଙ୍କ ପାଖରେ ସବୁବେଳେ ରହୁଥିଲା । ଘର ଓ ବିଜନେସ୍ ସବୁ କିଛି ବୁଝାବୁଝି କରୁଥିଲା, ତା ସହ ସମୟ ପାଇଲେ ସେ ତା'ର ଚିତ୍ରର ଦୁନିଆଁ ଆଡ଼େ ଟିକେ ବୁଲି ଯାଉଥିଲା, ନିଜ ଚିତ୍ରଲିପି ପରିଚୟକୁ ଖୋଜି ଅଣ୍ଡାଳି କାନଭାସ୍ ଉପରେ ରଙ୍ଗ ତୂଳୀ ସହ ଝାଡ଼ି ଦେଉଥିଲା ।

ସବୁ ପ୍ରକାର ଚେଷ୍ଟା ସତ୍ତ୍ବେ ସୌଭିକର ମାଆ ରହିଲେନାହିଁ । ଗଲାବେଳକୁ ସୁକନ୍ୟାକୁ କହିଦେଇ ଯାଇଥିଲେ, "ତୁମେ ଆସିଯାଇଛ, ତେଣୁ ଆମ ପରିବାର ପାଇଁ ମୋର ଆଉ ଚିନ୍ତା ନାହିଁ, ତୁମେ ସବୁ ପାରିବ । ସିମ୍ଫୋନି ତ ତୁମ ସାଙ୍ଗ, ତାକୁ ବୁଝେଇଦେବ, ଜଣେ ମଣିଷର ପ୍ରତାରଣାରେ ଜୀବନ ଶେଷ ହେଇଯାଏ ନାହିଁ ।"

ସ୍ନେହାଙ୍କର ଚିକିତ୍ସା ହେଉଥିଲା କଟକରେ କିନ୍ତୁ ସୁକନ୍ୟା ରହୁଥିଲା ରାଉରକେଲାରେ । ସୌଭିକ ମାଆଙ୍କର ଡେଥ୍ ପରେ ତାଙ୍କ ବାପା ବି ବିଜନେସରେ ଆଉ କୌଣସି ଆଗ୍ରହ ଦେଖାଉନଥିଲେ ଯଦିଓ ସାରାଜୀବନ ସେ ପରିବାରକୁ ଅବହେଳା କରି ବ୍ୟବସାୟ ଓ ଟଙ୍କା ପଛରେ ଧାଇଁଥିଲେ । ସୁକନ୍ୟା ଏବେ ନିଜେ ସବୁ ବିଜନେସ ବୁଝେ, ସୌଭିକ ତାକୁ ସହଯୋଗ କରେ । ସେମାନେ କେବେ କେବେ କଟକ ଯାଇ ସ୍ନେହାଙ୍କୁ ଦେଖି ଆସନ୍ତି । ସେଥର ସିମ୍ଫୋନି ଓଡିଶା ଆସିଥିଲା, ତାକୁ ମଧ୍ୟ ସାଙ୍ଗରେ ନେଇ କଟକ ଯାଇଥିଲେ ସୌଭିକ ଓ ସୁକନ୍ୟା । ସୁକନ୍ୟା ଓ ସିମ୍ଫୋନି କଟକରେ ତାଙ୍କ ପୁରୁଣା ଦିନକୁ ମନେ ପକେଇ ଅନେକ ହସିଲେ, ଅନେକ କାନ୍ଦିଲେ । ସେମାନେ ତାଙ୍କ ପୁରୁଣା କଲେଜକୁ ବୁଲିଯାଇଥିଲେ, ଫେରି ଆସିଲା ପରେ ବିକିର ଘରକୁ ଗଲେ । ବିକିକୁ ସୁକନ୍ୟା ଜଣାଇଲା ସେ ସ୍ନେହାଙ୍କୁ ନିଜ ସହ ରାଉରକେଲା ନେଇଯିବାକୁ ଚାହେଁ । ବିକି କିନ୍ତୁ ସେକଥାରେ ମନ କଷ୍ଟ କଲା । କାହିଁକି କେଜାଣି ସେ କାନ୍ଦି ପକାଇଲେ । ସେହି କିଛିଦିନ ଭିତରେ ସ୍ନେହାଙ୍କ ସହ ବିକି ଗୋଟେ ମଧୁର ସମ୍ପର୍କ ଭିତରେ ବାନ୍ଧି ହେଇଯାଇଥିଲା, ସ୍ନେହାଙ୍କ ଭିତରେ ସେ ତା ନିଜ ମାଆ ପ୍ରତିମାଙ୍କୁ ଦେଖୁଥିଲା, ସେଥିପାଇଁ ସେ ସ୍ନେହାଙ୍କୁ ଛାଡିବାକୁ ଆଦୌ ଚାହୁଁନଥିଲା ।

ସ୍ନେହା ବିକିର ଦାୟିତ୍ୱରେ ରହିଲେ । ଧୀରେ ଧୀରେ ସୁସ୍ଥ ହେଉଥିଲେ । ବିକି ଭିତରେ ସେ ଦୀପୁକୁ ଦେଖୁଥିଲେ, ତଥାପି ତାଙ୍କ ହୃଦୟ ଦୀପୁ ପାଇଁ କାନ୍ଦୁଥିଲା । ସୁକନ୍ୟା ଦୀପୁକୁ ଖବର ଦେଇଥିଲା ଫେରି ଆସିବା ପାଇଁ । ଦୀପୁ ପ୍ରଥମେ ରାଜି ହେଉନଥିଲେ ବି ପରେ ଅନେକ ବୁଝାସୁଝା କଲା ପରେ ଫେରି ଆସିବାକୁ ରାଜିହେଲା ।

ଦୀପୁ ସହ ସେହି ଝିଅର ନିର୍ବନ୍ଧ ହେଲା, ଯାହାକୁ ସେ ଚାହୁଁଥିଲା । ଦୀପୁର ନିର୍ବନ୍ଧ ଦିନ ସୁକନ୍ୟା ଲକ୍ଷ୍ଯ କଲା ବିକି ଓ ସିମ୍ଫୋନିଙ୍କର ବନ୍ଧୁତାରେ ଧୀରେ ଧୀରେ ଘନିଷ୍ଠତା ବଢୁଛି । ସେମାନଙ୍କୁ ସାଙ୍ଗରେ ହସୁଥିବା ଦେଖି ସେ ମନେମନେ ହସିଲା ଓ ସେମାନଙ୍କ ପାଖକୁ ଯାଇ କହିଲା, "ମୋ ଶାଶୁ କହିଥିଲେ ଜଣେ ମଣିଷର ପ୍ରତାରଣାରେ ଜୀବନ ଶେଷ ହେଇ ଯାଏ ନାହିଁ ।"

ବିକି ବି ହସି ହସି କହିଲା, "ହଁ ରେ ଚିତ୍ରଲିପି, ଜୀବନର କାନଭାସରେ ଅନେକ ରଙ୍ଗୀନ ଚିତ୍ର ଆପେ ଆପେ ଆଙ୍କି ହେଇଯାଏ ।"

ସିମ୍ଫୋନି ବି ଟିକେ ହସି ଦେଇ କହିଲା, "ଆଉ ସେ ଚିତ୍ର ସହ ଅନେକ ପ୍ରେମ କବିତା ବି ଯୋଡ଼ା ଯାଇପାରେ । ମୁଁ ଠିକ୍ କହିଲି ନା କବି ପ୍ରୀତମ୍ ମହ୍ଲାର ?" । ସମସ୍ତେ ଏକସଙ୍ଗେ ହସିଲେ ।

ଦୀପୁର ନିର୍ବନ୍ଧ ହେବା ଓ ବିକି ସହ ସିମ୍ଫୋନିର ପ୍ରେମ ସମ୍ପର୍କ ଗଢି ଉଠିଥିବା କଥା କହି ସେଦିନ ସୁକନ୍ୟା ଫୋନ୍ ରଖିଲା । ରାତି ଅନେକ ହେଇଯାଇଥିଲା । ମୁଁ ଶୋଇବାକୁ ଗଲି ।

କିଛି ଦିନ ଛାଡ଼ି ମୋ ପାଖକୁ ଗୋଟେ ପାର୍ସଲ୍ ଆସିଲା । ଖୋଲିକରି ଦେଖିଲି ଚିତ୍ରଲିପିର ଏକ ସୁନ୍ଦର ପେଣ୍ଟିଙ୍ଗ୍ । ଚିତ୍ରରେ ଜଣେ ଝିଅ କିଛି ଲେଖୁଛି, ତାଠୁ ଟିକେ ଦୂରରେ ଠିଆ ହେଇ ଆଉ ଜଣେ ଝିଅ ଦିଗବଳୟ ଆଡ଼େ ଦେଖି କିଛି ଭାବୁଛି । ପେଣ୍ଟିଙ୍ଗ୍ ଟି ମୋତେ ବହୁତ ଭଲ ଲାଗିଲା । ଚିତ୍ରଲିପିକୁ ଧନ୍ୟବାଦ ଜଣେଇବା ପାଇଁ ତାକୁ ଫୋନ୍ କଲି । ସେ ମେସେଜ କଲା ମିଟିଂରେ ବ୍ୟସ୍ତ ଅଛି, ପରେ କଥା ହେବ ।

ପରେ କଥା ହେବ କହି ପୂରା ପନ୍ଦର ଦିନ ପରେ ସୁକନ୍ୟା କଲ୍ କଲା । ତାକୁ ତା' କାହାଣୀର ବାକି ଚରିତ୍ରମାନଙ୍କ ବିଷୟରେ ପଚାରିଲି । ସେ କହିଲା, "ସମସ୍ତଙ୍କ କଥା ତ ଜାଣିଲ, ଆଉ ପୁଣି କିଏ ରହିଲେ ?"

ମୋର ଯେତିକି ଜଣଙ୍କ ନାଁ ମନେପଡ଼ିଲା ମୁଁ ପଚାରିଦେଲି, "ପୁପୁନ୍, ରିଙ୍କୁନ୍ , ରୂପେଶ୍, ନୈନା ଆଣ୍ଟି, ମାଧବୀ ମାଉସୀ ଏମାନେ ସମସ୍ତେ କେମିତି ଅଛନ୍ତି ?"

ସେ କହିଲା, "ପୁପୁନ୍ ଦୁର୍ନୀତି କରି ଧରା ପଡ଼ି ଥରେ ସସପେଣ୍ଡ୍ ହେଇଥିଲା । ଏବେ କେମିତି ଅଛି ମୁଁ ଜାଣିନି । ରିଙ୍କୁନ୍ ଭାଇ ଗୋଟେ ଦୋକାନ କରି ବେଶ୍ ଭଲରେ ଅଛି । ନୈନା ଆଣ୍ଟି ଆଉ କ୍ଷୀରୋଦ ଅଙ୍କଲ୍ ଏବେ ବିକି ଭାଇଙ୍କ ଗାଁ ଘରେ ରହୁଛନ୍ତି ତାଙ୍କ ସାନ ପୁଅ ସହ । ମାଧବୀ ମାଉସୀ ଆଉ ତାଙ୍କ ସଉତୁଣୀ ତାଙ୍କ ପୁଅ କଲ୍ଲୋଳ ପାଖରେ ଖୁସିରେ ଥିଲେ । କିନ୍ତୁ କଲ୍ଲୋଳର ପତ୍ନୀ ଦୁଇ ଦୁଇଟା ଶାଶୁଙ୍କ ସହ ଆଡ଼ଜଷ୍ଟ୍ କରି ନପାରିବାରୁ ଏବେ ସେ ଦୁଇ ବୁଢ଼ୀ ଆଉ ଗୋଟେ ଘରେ ସାଙ୍ଗରେ ରହୁଛନ୍ତି ।"

ମୁଁ ପୁଣି ପଚାରିଲି, "ରୂପେଶ୍ ? ତାଙ୍କ ଖବର କିଛି ଅଛି କି ? ତାଙ୍କ ବିଷୟରେ ତ ଆଉ କେବେ କିଛି କହିନ ?"

ସୁକନ୍ୟାର କଣ୍ଠ ଧୀର ହେଇଗଲା । ସେ ଟିକେ ସମୟ ଚୁପ୍ ରହିଗଲା ପରେ କହିଲା, "ସେ ଆଉ ଏ ଦୁନିଆଁରେ ନାହାଁନ୍ତି ।"

ସୁକନ୍ୟା ରୂପେଶ ବିଷୟରେ କହିଲାବେଳେ ତା' ମନର ଅବସ୍ଥା କିଭଳି ଥିବ ତାହା ମୁଁ ଜାଣିପାରୁନଥିଲି, କିନ୍ତୁ ମୋ ହୃଦୟରେ ବିରାଟ ଗୋଟେ ଭୂମିକମ୍ପ ସୃଷ୍ଟି ହେଇଗଲା ରୂପେଶ ଆଉ ନାହାଁନ୍ତି ଶୁଣି । ମୁଁ କାନ୍ଦି ପକେଇଲି ଓ ଅପେକ୍ଷାକୃତ ବଡ଼ ପାଟିରେ କହିଲି, "କ'ଣ କହୁଛ ତୁମେ ? କ'ଣ ହେଇଥିଲା ତାଙ୍କର ?"

ସୁକନ୍ୟା କହିଲା, "ସେ ଶୋଭାଲି ଦିଦିଙ୍କୁ ବାହା ହେଇଥିଲେ । ତାଙ୍କର ଛୋଟ ଝିଅଟେ ବି ହେଇଥିଲା । ସେ ତଥାପି ଚାକିରି ନକରି ପାର୍ଟି କାମ କରୁଥିଲେ । ଗତ ଇଲେକ୍ସନ୍ ସମୟରେ ଧର୍ମକୁ ନେଇ ଯେଉଁ ଘୃଣ୍ୟ ରାଜନୀତି ହେଉଥିଲା ତାକୁ ରୂପେଶ କଡା ସମାଲୋଚନା କରୁଥିଲେ । ରୂପେଶ କହୁଥିଲେ ସବୁ ମଣିଷଙ୍କୁ ଭଲପାଅ । ରୂପେଶଙ୍କର ପାର୍ଟି ବି ଧର୍ମକୁ ନେଇ ହେଉଥିବା ଦଙ୍ଗା, ବିବାଦକୁ ସାମ୍ନା କରିପାରୁନଥିଲା । ତେଣୁ ରୂପେଶ ନିଜେ ଏକ୍ଲା ଏକ୍ଲା 'ଘୃଣା' ବିରୁଦ୍ଧରେ ଲଢ଼ିବା ଆରମ୍ଭ କରିଦେଇଥିଲେ । ମଣିଷଙ୍କୁ ମାନବିକତାର ବାର୍ତ୍ତା ଦେଉଥିଲେ । କିନ୍ତୁ ଧର୍ମର ଠିକାଦାରମାନେ ତାଙ୍କ ମାନବ ପ୍ରେମର ବାର୍ତ୍ତାକୁ ସହ୍ୟ କରି ପାରିଲେନାହିଁ । ଦିନେ ରାତିରେ ରୂପେଶ ନିଖୋଜ ହେଇଗଲେ, ସକାଳୁ ଗୋଟେ ପରିତ୍ୟକ୍ତ ପୋଖରୀରେ ରୂପେଶଙ୍କ ଶବ ଭାସୁଥିଲା ।"

ରୂପେଶଙ୍କ କଥା କହିସାରି ସୁକନ୍ୟା କିଛି ସମୟ ଚୁପ୍ ହେଇଗଲା । ମୁଁ ବି କିଛି କହିବା ପାଇଁ ଶବ୍ଦ ପାଉନଥିଲି । କିଛି ମୁହୂର୍ତ୍ତର ନିରବତା ପରେ ସୁକନ୍ୟା କହିଲା, "ତୁମକୁ ଲାଗୁଥିବ ନା ମୋ ଜୀବନରେ ଆଉ କିଛି ଦୁଃଖ ନାହିଁ ? ସେମିତି କ'ଣ ହେଇପାରେ ? କେବେ ନୁହେଁ । ଜାଣିଛ ଅନେକ ପୂର୍ଣ୍ଣତା ଭିତରେ ବି ଗୋଟେ ବିରାଟ ଶୂନ୍ୟତା ମୋତେ ପ୍ରତି ରାତିରେ ଗୋଡେଇ ଗୋଡେଇ ଭୟ ଦେଖାଏ । କିଛିଦିନ ତଳେ ରୂପେଶଙ୍କ ଘରକୁ ଯାଇ ତାଙ୍କ ଝିଅକୁ ଦେଖି ଆସିଲି । ଠିକ ରୂପେଶଙ୍କ ଭଳି ହେଇଛି, ଭାରି ସୁନ୍ଦର । ଜାଣ ଶିଳାଲିପି, ମୁଁ ମାଆ ହେବାକୁ ଚାହେଁ, ହେଲେ ମୁଁ ଜାଣିନି ସୌଭିକ ବାପା ହେବାକୁ ଚାହାଁନ୍ତି କି ନାହିଁ । କିନ୍ତୁ ମୋର ନିଷ୍ପତ୍ତିକୁ ସେ ସମ୍ମାନ ଦେଖେଇ କାଲି ଗୋଟେ ଅର୍ଫାନେଜ୍ କୁ ମୋତେ ନେଇ ଯାଉଛନ୍ତି । ମୋ ଝିଅକୁ ମୁଁ କାଲି ଘରକୁ ଆଣିବି । ତୁମେ ତା ପାଇଁ ଭଲ ନାଁଟେ ବାଛିଥିବ ତ ! ଆଉ ହଁ ଶୁଣ, ମୋ କାହାଣୀ ମୋ ବାହାଘର ପର୍ଯ୍ୟନ୍ତ ରଖିବ, ବାକି ଏଇ କଥା ସବୁ ହଟେଇ ଦେବ । ମୋ କାହାଣୀର ଗୋଟେ ହାପି ଏଣ୍ଡିଂ ହେବା ଦର୍କାର, ବୁଝିଲ କି ନାହିଁ ? ହଉ ଏବେ ରଖିଲି, ପୁଣି ପରେ କେବେ କଥା ହେବି " ।

ସେଦିନ ସୁକନ୍ୟା ଫୋନ୍ ରଖିଲାବେଳେ ବୋଧେ କାନ୍ଦୁଥିଲା । ମୋ ଆଖିରେ ବି ଲୁହ ଆସିଯାଇଥିଲା । ମୁଁ ବୁଝିପାରୁନଥିଲି ସୁକନ୍ୟାର କାହାଣୀ ଶେଷ ହେଉଥିଲା କି ଆରମ୍ଭ ହେଉଥିଲା । ମୁଁ ସୁକନ୍ୟାର ପେଣ୍ଟିଂଟାକୁ ଭଲକରି ଦେଖିଲି । ଚିତ୍ରରେ କେବଳ ଦୁଇଟି ଝିଅ ନଥିଲେ ଆହୁରି ଅନେକ ଜଣ ଥିଲେ ଯାହାଙ୍କୁ ମୁଁ ଦେଖି ପାରିନଥିଲି । ସେମାନେ ସମସ୍ତେ ମୋତେ ସ୍ପଷ୍ଟ ଦିଶିଗଲେ । ପେଣ୍ଟିଂ ତଳେ ଲେଖା ଥିଲା 'ଚିତ୍ରଲିପି' । ମୁଁ ଚିତ୍ରଲିପି ଲେଖାଟା ଉପରେ ହାତ ବୁଲାଉ ବୁଲାଉ କହିଲି, "ହେ ଚିତ୍ରଲିପି, ଏଇ ଯେଉଁ କାହାଣୀକୁ ମୁଁ କାଗଜର ଏତେଗୁଡ଼ାଏ ପୃଷ୍ଠା ନେଇ ବି ଶେଷ କରି ପାରୁନଥିଲି ତୁମେ ମାତ୍ର ଗୋଟିଏ ପୃଷ୍ଠାରେ ପୂରା କାହାଣୀଟି ଆଙ୍କି ସାରି ଦେଇପାରିଛ ।"

ସମାପ୍ତ
ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୪୧)