ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୪୧)

ନୂଆ ପ୍ରଜନ୍ମର କଥାକାର ଲୋପାମୁଦ୍ରା ମିଶ୍ରଙ୍କ ଉପନ୍ୟାସ "ଚିତ୍ରଲିପି" ଧାରାବାହିକ ଭାବେ ପ୍ରକାଶ ପାଉଛି । ପ୍ରତିଦିନ ଏହି ଉପନ୍ୟାସର ଏକ ଏକ ଅଧ୍ୟାୟ ଆପଣମାନେ "ବାଟୋଇ"ରେ ପଢୁଛନ୍ତି ।


(ପୂର୍ବ ପ୍ରକାଶିତ ଉତ୍ତାରୁ)

ଦେବାଞ୍ଜନର କଲ୍ କୁ ବାରମ୍ବାର କାଟିଲା ପରେ, ତାକୁ ହ୍ୱାଟ୍ସଆପରୁ ବ୍ଲକ୍ କଲା ପରେ, ତା' ମେସେଜକୁ ଇଗ୍ନୋର୍ କଲାପରେ ମଧ୍ୟ ସେ ସୁକନ୍ୟାର ପଛ ଛାଡ଼ୁନଥିଲା । ସେଦିନ ସେ ଅଲଗା ଗୋଟେ ନମ୍ବରରୁ ସୁକନ୍ୟାକୁ କଲ୍ କରି କହିଲା, "ମୁଁ ତୁମ ଆପାର୍ଟମେଣ୍ଟ୍ ଗେଟ୍ ପାଖରେ ଠିଆ ହେଇଛି । ଯଦି ତୁମେ ତଳକୁ ଆସି ମୋତେ ଦେଖା ନକର, ମୁଁ ଉପରକୁ ଯାଇ ତୁମ ପଡୋଶୀଙ୍କ ଘର କଲିଙ୍ଗ୍ ବେଲ୍ ଟିପିବି ।"

ସୁକନ୍ୟା ଚିଡିଯାଇ ତଳକୁ ଆସିଲା । ଦେବାଞ୍ଜନ ସୁକନ୍ୟାର ହାତ ଧରି ତାକୁ ଏକପ୍ରକାର ଟାଣିନେଲା ତା' ଗାଡ଼ି ଭିତରକୁ । ସୁକନ୍ୟା ଭୀଷଣ ଭାବେ ଭୟଭୀତ ହୋଇଯାଇଥିଲା । ଦେବାଞ୍ଜନ କହିଲା, "ପ୍ଲିଜ୍ ସୁକନ୍ୟା, ଥରେ ମୋ କଥା ଶୁଣ । ମୁଁ ତୁମର କୌଣସି କ୍ଷତି କରିବାକୁ ଚାହେଁନି । ମୁଁ ତୁମକୁ କେବଳ ଭଲପାଏ । ବହୁତ ଭଲପାଏ । ସ୍ୱରା ସହ ମୋର କୌଣସି ସମ୍ପର୍କ ନାହିଁ । ଇନଫ୍ଯାକ୍ଟ ଆମେ ଦୁଇବର୍ଷ ହେଲା ଅଲଗା ରହୁଛୁ । ଆମର ବି ଖୁବ୍ ଶୀଘ୍ର ଡିଭୋର୍ସ୍ କନଫର୍ମ୍ ହେଇଯିବ । ମୁଁ କେବଳ ତୁମକୁ ଚାହେଁ ସୁକନ୍ୟା । ପ୍ଲିଜ୍ ମୋତେ ଏମିତି ଆଭଏଡ୍ କରନାହିଁ, ମୁଁ ବଂଚିପାରିବିନି ।"

ସୁକନ୍ୟାର ଦେବାଞ୍ଜନ ପ୍ରତି ଘୃଣା ଆସିଯାଇଥିଲା । ସେ ଗମ୍ଭୀର ହେଇ କହିଲା, "ଦେଖନ୍ତୁ ମିଷ୍ଟର୍ ମୁଁ ଆପଣଙ୍କ ପାରିବାରିକ କଳି ଭିତରେ ପଶିବାକୁ ଆଦୌ ଚାହେଁନି । ଆପଣଙ୍କ ଡିଭୋର୍ସ୍ ହେବା ନହେବା ସହ ମୋର ମଧ୍ୟ କିଛି ଯାଏ ଆସେ ନାହିଁ । ଆପଣଙ୍କ ଡିଭୋର୍ସ୍ ପରେ ମୁଁ ଆପଣଙ୍କ ଜୀବନର ସେହି ଅଂଶ ହେବାକୁ ଚାହେଁନି କି ଚାହିଁନଥିଲି କେବେ ।"

-- ତୁମେ ମିଛ କହୁଛ ସୁକନ୍ୟା । ମୁଁ ଜାଣେ ତୁମେ ବି ମୋତେ ଭଲ ପାଉଥିଲ । ମୋ ପାଇଁ ତୁମ ମନରେ ଫିଲିଙ୍ଗ୍ସ୍ ଥିଲା, ଏବେ ବି ଅଛି ।

-- ଆପଣ ଭୁଲ ବୁଝିଛନ୍ତି ମିଷ୍ଟର୍ ଦେବ୍, ମୁଁ ଆପଣଙ୍କୁ କେବଳ ଜଣେ ଭଲ ବନ୍ଧୁ ଭାବେ ଗ୍ରହଣ କରିଥିଲି, ଏହା ଛଡ଼ା ଆଉ କିଛି ନୁହେଁ । ସେଦିନ ଆପଣଙ୍କ ମିସେସ୍ ଆମ ଅଫିସରେ ଯେଉଁ କାଣ୍ଡ କଲେ, ତା'ପରେ ତ ମୋର ଆପଣଙ୍କ ସହ ବନ୍ଧୁତା ବଜାୟ ରଖିବା ବିଲକୁଲ ବି ଉଚିତ ନୁହେଁ । ପ୍ରଥମେ ତ ଆପଣ ମୋତେ ମିଛ କହିଥିଲେ ଯେ ଆପଣ ଅବିବାହିତ, ତାପରେ ଆପଣଙ୍କ ମିସେସଙ୍କର ଅବାନ୍ତର ଅଭିଯୋଗ... ପ୍ଲିଜ୍ ଆପଣ ମୋଠାରୁ ଦୂରେଇ ରୁହନ୍ତୁ । ମୁଁ ଆପଣଙ୍କ ଆଗରେ ହାତ ଯୋଡୁଛି, ଆପଣ ମୋତେ ଶାନ୍ତିରେ ବଞ୍ଚିବାକୁ ଦିଅନ୍ତୁ ।"

କଥା କହୁ କହୁ ସୁକନ୍ୟା କାନ୍ଦିପକେଇଲା । ଦେବାଞ୍ଜନ ସେହି ସମୟରେ ସୁକନ୍ୟାକୁ ନିଜ ଆଡ଼କୁ ଭିଡ଼ିନେଇ କହିଲା,"ନା, ମୁଁ ତୁମକୁ ମୋଠାରୁ ଦୂରେଇ ଦେଇ ପାରିବିନି । ମୁଁ ତୁମକୁ ପାଇବାକୁ ଚାହେଁ, ଯେମିତି ବି ହେଉ ପାଇବାକୁ ଚାହେଁ ।"

ଦେବାଞ୍ଜନର ଏଭଳି ଆଚରଣରେ ସୁକନ୍ୟା କ୍ଷୁବ୍ଧ ହେଇଗଲା । ସେ ଦେବାଞ୍ଜନକୁ ଠେଲିଦେଇ ନିଜଠୁ ଅଲଗା କରିଦେଲା ଏବଂ ଆକସ୍ମିକ ଭାବେ ଦେବାଞ୍ଜନର ଗାଲରେ ଚଟକଣାଟେ ବସେଇ ଦେଲା । ଦେବାଞ୍ଜନ କିଛି କହିବା ଆଗରୁ ସୁକନ୍ୟା କାର୍ ର ଡୋର୍ ଖୋଲି ଝଡ଼ ପରି ଗାଡ଼ି ଭିତରୁ ବାହାରି ଚାଲିଗଲା ।

ଦିବ୍ୟା ଓ ବିକିଙ୍କୁ ସୁକନ୍ୟା ଏ ବିଷୟରେ ଜଣାଇଲା । ବିକି ଫୋନରେ ସୁକନ୍ୟାକୁ କହିଲା, "ଚଟକଣା ମାରିବା ଠିକ୍ ହେଲାନାହିଁ । ଏସବୁ କଥା ସ୍ୱରା ସହ ଆଲୋଚନା କରିଥିଲେ ଭଲ ହେଇଥାନ୍ତା । ହଉ ଯାହା ତ ହେବାରେ ହେଇଗଲାଣି, ଏବେ ସେ ସବୁ କଥା ଭୁଲିଯାଆ ।"

ଦିବ୍ୟା କିନ୍ତୁ ଅଲଗା କିଛି କହିଲା । ଦିବ୍ୟାଠାରୁ ସୁକନ୍ୟା ଜାଣିବାକୁ ପାଇଲା ଦେବାଞ୍ଜନର ବନ୍ଧୁମାନେ ସୁକନ୍ୟାକୁ ଦେଖି ମୁରୁକି ହସିବାର କାରଣ ହେଉଛି ଦେବାଞ୍ଜନ ସେମାନଙ୍କୁ କୁହେ, ସୁକନ୍ୟା ସହ ତା'ର ଶାରୀରିକ ସମ୍ପର୍କ ରହିଛି । ସୁକନ୍ୟା ଓ ସେ ମିଶିକରି ନାରୀ ପୁରୁଷଙ୍କର କିଛି ବିଶେଷ ମୁହୂର୍ତ୍ତର ଚିତ୍ର ଆଙ୍କନ୍ତି ଓ ଏବଂ ସେହି ଚିତ୍ର ଅଙ୍କା ସମୟରେ ପରସ୍ପର ପରସ୍ପରଙ୍କ ଶରୀରରୁ ପୋଷାକ ଖୋଲି ସେହି ବିଶେଷ ମୁହୂର୍ତ୍ତର ଚିତ୍ର ପାଲଟି ଯାଆନ୍ତି । ଦିବ୍ୟାର ଜଣେ ବନ୍ଧୁ ଦେବାଞ୍ଜନର ପଡୋଶୀ । ସେ କହୁଥିଲେ ଏବେ ଦେବାଞ୍ଜନ ସେମାନଙ୍କୁ କହୁଛି ସୁକନ୍ୟାର ଏକାଧିକ ବିବାହିତ ପୁରୁଷଙ୍କ ସହ ସମ୍ପର୍କ ରହିଛି । ଏହି କଥା ଦେବାଞ୍ଜନ ଜାଣିଲା ପରେ ସେ କୁଆଡ଼େ ତା' ଆଡୁ ସମ୍ପର୍କ ଭାଙ୍ଗି ଦେଇଛି ଏବଂ ସୁକନ୍ୟାକୁ ନିଜଠୁ ଦୂରେଇ ଦେଇଛି । ଦେବାଞ୍ଜନ ଆହୁରି ବି କହି ବୁଲୁଛି, "ଯେଉଁ ନାରୀ ଅବିବାହିତା ହୋଇ ନାରୀ ପୁରୁଷଙ୍କ ମିଳନର ଚିତ୍ର ଆଙ୍କିପାରେ, ସେ କେତେ ବଡ଼ ଖେଳାଳି ହେଇଥିବ, କେତେ ନଷ୍ଟ ଚରିତ୍ରା ହେଇଥିବ ତୁମେମାନେ ଅନୁମାନ କରିନିଅ ।"

ଏକଥା ଶୁଣି ସୁକନ୍ୟାର ମୁଣ୍ଡ ଘୂରେଇ ଦେଲା । ସେ କାନ୍ଦ କାନ୍ଦ ହେଇ ଦିବ୍ୟାକୁ କହିଲା, "ମୁଁ ପ୍ରତିଥର ମଣିଷ ଚିହ୍ନିବାରେ କାହଁକି ଭୁଲ କରି ବସେ ଦିବ୍ୟା ? କାହିଁକି ପ୍ରତ୍ୟେକ ଥର ଆଘାତ ପାଏ ?"

ଦିବ୍ୟା ସୁକନ୍ୟାର ପାଖରେ ବସିଲା । ତା' ହାତକୁ ନିଜ ହାତରେ ନେଇ କହିଲା, "କେବଳ ତୁମେ ନୁହେଁ ସୁକନ୍ୟା, ସେ ରାସ୍କେଲ୍ ଟାକୁ ମୁଁ ବି ଚିହ୍ନିପାରିନଥିଲି । ମୁଁ ଭାବିଥିଲି ଖୁବ୍ ଭଦ୍ର ପିଲାଟେ । ଛାଡ଼ ତୁମେ ତା' କଥା, ଏଥର ଛୁଟିରେ ଚାଲ ମୋ ଭାଇ ଭାଉଜଙ୍କୁ ଭେଟିଆସିବା । ନର୍ଥ୍ - ଇଷ୍ଟ୍ ବୁଲାବୁଲି ବି ହେଇଯିବ । ମୋ ଭାଇ ଗୌହାଟିରେ ରହନ୍ତି । ତୁମର ତ ଏବେ ଓଡିଶା ଯିବାର ନାହିଁ, ମୋ ସହ ଚାଲ ଗୌହାଟି । ଯିବ ତ ?"

ନର୍ଥ୍ - ଇଷ୍ଟ୍ ନାଁ ଶୁଣି ସୁକନ୍ୟାର ସୁବ୍ରତଙ୍କ କଥା ମନେ ପଡ଼ିଲା । ସେ ଆଖିରୁ ଲୁହ ପୋଛି କହିଲା, "ମୋ ବାପା ରହନ୍ତି ଆସାମର ତେଜପୁରରେ । ତାଙ୍କ ସହ ଅନେକ ଦିନ ହେବ ଦେଖା ହେଇନାହିଁ । ମୋର ବି ବହୁତ ଇଚ୍ଛା ବାପାଙ୍କୁ ଭେଟିବାକୁ । ହଁ, ମୁଁ ଯିବି ତୁମ ସହ । ବାପାଙ୍କ ଠିକଣାଟା ତାଙ୍କ ଅଫିସରୁ ବୁଝିନେଇ ସିଧା ତାଙ୍କ ଘରକୁ ଯାଇ ପହଞ୍ଚିଯିବି । ବାପା ସରପ୍ରାଇଜ୍ଡ୍ ହେଇଯିବେ ମୋତେ ଦେଖି ।" ସୁକନ୍ୟାର ଓଠରେ ହସ ଖେଳିଗଲା । ତା ଆଖି ଚିକମିକ କରି ଉଠିଲା । ସୁକନ୍ୟାର ହସ ଦେଖି ଦିବ୍ୟା ବି ଟିକେ ଉଲ୍ଲସିତ ହୋଇ ଉଠିଲା ।

ଦିବ୍ୟା ଓ ସୁକନ୍ୟା ନର୍ଥ୍ - ଇଷ୍ଟ୍ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ, ଏହି ସମୟରେ ସୁକନ୍ୟାର ଅଫିସରେ ଆଉଗୋଟିଏ କଥାକୁ ନେଇ ବହୁତ ଚର୍ଚ୍ଚା ଚାଲିଥିଲା । ତାହା ଥିଲା ସୁକନ୍ୟାର ଦିବ୍ୟା ସହ ସମ୍ପର୍କକୁ ନେଇ । ଦିବ୍ୟା ସେଦିନ କ୍ୟାଣ୍ଟିନରେ ବଡ଼ ପାଟି କରି କହିଲା, "ମୋ ବୟଫ୍ରେଣ୍ଡ୍ ୟୁ.ଏସ୍. ରେ ଅଛି । ନା ମୁଁ ଲେସବିଆନ୍, ନା ମୁଁ ବାଇସେକ୍ସୁଆଲ୍, ମୁଁ ଏକଦମ ଷ୍ଟ୍ରେଟ୍ । ଯଦି ବି ମୁଁ ସମଲିଙ୍ଗୀ ହେଇଥାନ୍ତି, ତେବେ ବି ମୁଁ ଏହାକୁ ଅପରାଧ ବୋଲି ଭାବି କେବେ ଲୁଚେଇ ନଥାନ୍ତି । ଆପଣମାନେ ଟ୍ୱେଣ୍ଟିଫାର୍ଷ୍ଟ୍ ସେଞ୍ଚୁରୀର ମଣିଷ ତ ? ଏତେ ନୀଚ୍ଚ କେମିତି ହେଇପାରୁଛି ଆପଣମାନଙ୍କ ଚିନ୍ତାଧାରା ? ସୁକନ୍ୟା ଉପରେ ଈର୍ଷା କରି ଏତେ ସବୁ ବାଜେ ରିୟୁମର୍ ସ୍ପ୍ରେଡ୍ କରି କି ଲାଭ ମିଳୁଛି ଆପଣମାନଙ୍କୁ ?"

ଦିବ୍ୟାର ପାଟିଗୋଳ ଶୁଣି ସୁକନ୍ୟା ଆସି ତାକୁ ନିରବ ହେବାକୁ ଅନୁରୋଧ କରି ସେଠାରୁ ଡାକି ନେଇଗଲା । ଦିବ୍ୟା ଓ ସୁକନ୍ୟା ସେଠାରୁ ଚାଲିଗଲା ପରେ କିଛି ଜଣ ପରସ୍ପରଙ୍କର ମୁହଁକୁ ଦେଖା ଦେଖି ହୋଇ ନିରବରେ ଚାପା ହସ ହସିଲେ ।

ଦେବାଞ୍ଜନ ସହ ସୁକନ୍ୟାର ପୁଣିଥରେ ଦେଖା ହେଲା ସେହି କିଛିଦିନ ଭିତରେ ଏକ ଚିତ୍ର ପ୍ରଦର୍ଶନୀରେ । ଦେବାଞ୍ଜନ ଉପରେ ସୁକନ୍ୟାର ନଜର ପଡିବା କ୍ଷଣି ସୁକନ୍ୟା ସେ ସ୍ଥାନ ଛାଡ଼ି ଚାଲି ଆସିଲା । ଦେବାଞ୍ଜନର ଦୁଇଜଣ ବନ୍ଧୁ ମଧ୍ୟ ସେଦିନ ଦେବାଞ୍ଜନ ସହ ଥିଲେ । ସେମାନେ ସୁକନ୍ୟାକୁ ଦେଖି ଦେବାଞ୍ଜନ ଆଡ଼େ କ'ଣ ଗୋଟେ ଠାରି ଦେଇଥିଲେ । ସୁକନ୍ୟା ସେଇଟା ମଧ୍ୟ ଦେଖି ନେଇଥିଲା ଏବଂ ତାହା ତାକୁ ଖୁବ୍ ଅପମାନଜନକ ମନେ ହୋଇଥିଲା ।

ଏଇଠି କହି ରଖେ ମୋର ସୁକନ୍ୟା ସହ ପ୍ରଥମଥର ଯେବେ ଟ୍ରେନରେ ଦେଖା ହୋଇଥିଲା ସେବେ ମୋ ଭାଇ ମୋତେ ତାହା ସହ ବେଶି କଥା ନହେବାକୁ ଠାରି ଦେଇଥିଲା । ସେବେ ମୁଁ ଜାଣିନଥିଲି କେଉଁ କାରଣ ପାଇଁ ସେ ମୋତେ ସୁକନ୍ୟା ସହ ମିଶିବାକୁ ବାରଣ କରୁଥିଲା । ପରେ ବୁଝିଲି ମୋ ଭାଇ ପ୍ରଥମେ ଦେବାଞ୍ଜନର ପଡୋଶୀ ଥିଲା । ସେ ସେହି ସମୟରେ ଦେବାଞ୍ଜନର ଘର ପାଖରେ ରହୁଥିଲା ଯେଉଁ ସମୟରେ ସୁକନ୍ୟା ବରାବର ଦେବାଞ୍ଜନର ଘରକୁ ଯିବା ଆସିବା କରୁଥିଲା । ସମସ୍ତେ ସେତେବେଳେ ସୁକନ୍ୟାକୁ ଏକ ଚରିତ୍ରହୀନା ଝିଅ ମନେ କରୁଥିଲେ ଏବଂ ସେମାନଙ୍କୁ ଦେବାଞ୍ଜନ ହିଁ କହିଥିଲା ସୁକନ୍ୟା ଏକାଧିକ ବିବାହିତ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିଛି । ମୋ ଭାଇ ଏଇ କାରଣରୁ ଟ୍ରେନରେ ସୁକନ୍ୟାକୁ ଦେଖି ମୋତେ ତା ସହ ନମିଶିବାକୁ ଠାରରେ ଜଣାଇଦେଇଥିଲା । ସୁକନ୍ୟା ଓ ଦିବ୍ୟା ନର୍ଥ୍ - ଇଷ୍ଟ୍ ପାଇଁ ବାହାରି ଯାଇଛନ୍ତି, ବିକି ଫୋନକରି ଜଣାଇଲା ସେ ହାଇଦ୍ରାବାଦ ଆସୁଛି । ସୁକନ୍ୟାକୁ ସେଥର ଖୁବ୍ ଦୁଃଖ ଲାଗିଲା ଯେ ସେ ବିକିକୁ ହାଇଦ୍ରାବାଦରେ ଦେଖା କରି ନପାରି ଗୌହାଟି ଚାଲିଯାଉଛି । ତଥାପି ସେ ତା'ର ବାପାଙ୍କୁ ଅନେକ ଦିନ ପରେ ଭେଟିବାକୁ ଯାଉଥିବାରୁ ବହୁତ ଖୁସି ଥିଲା ।

ଗୌହାଟିରେ ପ୍ରଥମେ ସୁକନ୍ୟା ଦିବ୍ୟାର ଭାଇ, ଭାଉଜଙ୍କ ଘରେ ଗୋଟେ ଦିନ ରହିଲା ଏବଂ ପରଦିନ ଦିବ୍ୟାର ଭାଇଙ୍କର ଜଣେ ବନ୍ଧୁଙ୍କ ସହାୟତାରେ ସୁବ୍ରତଙ୍କ ଅଫିସ୍ ଓ ଘରର ଠିକଣା ବୁଝି ଏକା ଏକା ତେଜପୁର ବାହାରିଗଲା ।

ସାଢ଼େ ତିନି ଘଣ୍ଟାରୁ ଚାରି ଘଣ୍ଟା ଭିତରେ ସୁକନ୍ୟା ସୁବ୍ରତଙ୍କ ଘର ପାଖରେ ପହଞ୍ଚିଗଲା । ସେଦିନ ରବିବାର ଥିଲା । ସୁକନ୍ୟା ନିଶ୍ଚିତ ଥିଲା ଯେ ତା ବାପା ଘରେ ଥିବେ ଏବଂ ସୁକନ୍ୟାକୁ ଅଚାନକ ଡୋର୍ ପାଖରେ ଦେଖି ପକେଇ ଖୁସିରେ ଆତ୍ମହରା ହେଇ ଉଠିବେ ।

ସୁକନ୍ୟା ସୁବ୍ରତଙ୍କ ଗେଟ୍ ପାଖରେ ଦେଖିଲା ନେମ୍ ପ୍ଲେଟରେ ସୁବ୍ରତଙ୍କ ନାଁ ତଳକୁ ଆଉ ଜଣଙ୍କ ନାଁ ଲେଖା ଯାଇଛି । ସେ ବୁଝିଗଲା ବାପା କହନ୍ତି ସେ ପରିବାର ନେଇ ରହୁନଥିବାରୁ ତାଙ୍କ ସହ ଆଉ ଜଣେ ପୁଅପିଲା ବି ରହନ୍ତି । ସୁକନ୍ୟା ବିନା ଶବ୍ଦରେ ଗେଟ୍ କୁ ଠେଲି ଭିତରକୁ ଗଲା । ଭିତରେ ନାନାଦି ଫୁଲ ଗଛର ଛୋଟିଆ ବଗିଚାଟିଏ କରିଛନ୍ତି ସୁବ୍ରତ । ବଗିଚାରେ ଦୁଇଟି ଚୌକି ଓ ଗୋଟେ କାଠର ଷ୍ଟୁଲ୍ ଥୁଆ ହେଇଛି । ବଗିଚା ଦେଇ ଆଗକୁ ଯାଉ ଯାଉ ସୁକନ୍ୟାର ନାକରେ ମଟନ୍ ତରକାରୀର ବାସ୍ନା ପିଟି ହେଇଗଲା । ସେ ବାସ୍ନା ଶୁଙ୍ଘି ସୁକନ୍ୟା ଜାଣିପାରିଲା ସେଇଟା ତା ବାପାଙ୍କ ହାତରନ୍ଧା ତରକାରୀର ସ୍ୱାଦିଷ୍ଟ ବାସ୍ନା ।

ସୁକନ୍ୟା ଡୋର୍ ବେଲ୍ ଦେଲା । ଜଣେ ତୋଫା ଗୋରା, ମଧ୍ୟମ ଉଚ୍ଚ ଓ କୁଞ୍ଚୁକୁଞ୍ଚିଆ ବାଳ ଥିବା ମଧ୍ୟ ବୟସ୍କ ବ୍ୟକ୍ତି କବାଟ ଖୋଲିଲେ । ସୁକନ୍ୟାକୁ ଦେଖି ବ୍ୟକ୍ତି ଜଣକଙ୍କର ମୁହଁରେ ଗୁଡ଼ାଏ ପ୍ରଶ୍ନ ଉଙ୍କି ମାରୁଥିବା ଭଳି ସୁକନ୍ୟାର ମନେ ହେଲା । ସୁକନ୍ୟା କିନ୍ତୁ ହସି ହସି ତାଙ୍କୁ ହାତ ଯୋଡ଼ି ନମସ୍କାର କରି କହିଲା, "ଅଙ୍କଲ୍ ବାପା ଅଛନ୍ତି ?"

ବ୍ୟକ୍ତି ଜଣକ କହିଲେ, "ହଁ ସୁବ୍ରତ କିଚେନ୍ ରେ ଅଛନ୍ତି । ତୁମେ ଆସ ଭିତରକୁ ।"

କିଚେନରୁ ଥାଇ ସୁବ୍ରତ ବଡ଼ ପାଟିରେ ପଚାରିଲେ, "ଜିତୁ, କିଏ ଆସିଛନ୍ତି କି ?"

ସୁକନ୍ୟାକୁ ବୈଠକ ଘରକୁ ଡ଼ାକି ନେଉ ନେଉ ଜିତୁ ନାମକ ବ୍ୟକ୍ତି ଜଣକ ସୁବ୍ରତଙ୍କ ଉଦ୍ଦେଶ୍ୟରେ କହିଲେ, "ତୁମ ଝିଅ ସୁକନ୍ୟା ଆସିଛନ୍ତି ।"

ସୁକନ୍ୟାର ନାଁ ଶୁଣି ସୁବ୍ରତ ଦୌଡ଼ି ଆସିଲେ କିଚେନ୍ ରୁ । ସୁକନ୍ୟାକୁ କୁଣ୍ଢେଇ ପକେଇଲେ ସୁବ୍ରତ । ସୁକନ୍ୟା ବି ସୁବ୍ରତଙ୍କ ଛାତିରେ ମୁଣ୍ଡ ରଖି ଭୋ ଭୋ କରି କାନ୍ଦି ପକେଇଲା । ବାପା - ଝିଅଙ୍କର ଏଭଳି କନ୍ଦାକଟା ଦେଖି ଜିତୁ ସେ ଜାଗାରୁ ଚାଲିଗଲେ ତାଙ୍କ ବେଡରୁମ୍ ଭିତରକୁ ।

ସୁକନ୍ୟା ସୁବ୍ରତଙ୍କୁ ଜଣାଇଲା ସେ କେମିତି ଗୌହାଟି ଆସିଲା ଓ ଗୌହାଟିରୁ ତେଜପୁର । ସୁବ୍ରତ ସୁକନ୍ୟାର ବ୍ୟାଗ୍ ନେଇ ଗେଷ୍ଟ୍ ରୁମ୍ ରେ ରଖିଲେ ଓ ତାକୁ ଫ୍ରେସ୍ ହେଇଯିବା ପାଇଁ ବାଥରୁମ୍ ଦେଖେଇ ଦେଲେ ।

ଖିଆପିଆ ସରିଲା । ସନ୍ଧ୍ୟାରେ ଗାର୍ଡେନରେ ବସି ବାପା, ଝିଅ ଅନେକ କଥା ହେଲେ । ସୁବ୍ରତଙ୍କୁ ସୁକନ୍ୟା କହିଲା, "ତୁମେ ଜାଣିଥିଲ ମୋ ଆଈଙ୍କ ସମ୍ପତ୍ତିରେ ସେ ବିନୋଦିନୀର ଯେତିକି ଅଧିକାର ଅଛି ମୋର ବି ସେତିକି ଅଛି, କିନ୍ତୁ ତୁମେ କେବେ କିଛି ନକହି ଚୁପ୍ ରହିଲ । କାହିଁକି ?"

ସୁବ୍ରତ ଅପରାଧୀଟିଏ ଭଳି ମୁଣ୍ଡ ତଳକୁ କରି କହିଲେ, "ତୋ ବାର୍ଥ ସାର୍ଟିଫିକେଟ୍ ମୋ ପାଖରେ ନଥିଲା । ସେଇଟା ବୋଧେ ସ୍ନେହା ଲୁଚେଇ ରଖିଥିଲେ । ସେଇଟା ବିନା ପ୍ରମାଣ କରିବା ମୁସ୍କିଲ୍ ଥିଲା ତୁ ସେ ସମ୍ପତ୍ତିରୁ ଅର୍ଦ୍ଧେକ ପାଇବାକୁ ହକଦାର ।"

-- ମମି ଯେତେବେଳେ ବିନୋଦିନୀ ସହ ମିଶି ସେ ଜମି ବିକ୍ରି କରିଦେଇ ଟଙ୍କା ନେଇ ଆସିଲେ, ତୁମେ ତାଙ୍କୁ କିଛି କହିଲ ନାହିଁ କାହିଁକି ?

-- କ'ଣ କହିଥାନ୍ତି ତାଙ୍କୁ ? ସେ ତ ତୋର ସବୁ ଦାୟିତ୍ୱ ନେଇ ତୋତେ ଛୋଟରୁ ବଡ଼ କରିଛନ୍ତି । କଟକରେ ଘର କରିବା ପାଇଁ ମୁଁ ବି ଟଙ୍କା ଦେବାକୁ ଅସମର୍ଥ ହେଲି । ତେଣୁ...

-- ତେଣୁ ମୋତେ ଖୁଆଇ ପିଆଇ ବଞ୍ଚେଇ ରଖିଥିବାର ମୂଲ୍ୟଟା ଅସୁଲ କରିନେବାକୁ ତାଙ୍କୁ ଅନୁମତି ଦେଇଦେଲ, ନୁହେଁ ?"

-- ଅନୁମତି ? କିଏ କାହାକୁ ଅନୁମତି ମାଗିଲା ? ସ୍ନେହା ସେ ବିଷୟରେ ମୋତେ କେବେ କିଛି ପଚାରିନାହାଁନ୍ତି । ସେ ଓ ବିନୋଦିନୀ ମୋ ବିନା ପରାମର୍ଶରେ, ମୋଠାରୁ ସବୁକଥା ଲୁଚେଇ ରଖି ଏସବୁ କାମ କରିଛନ୍ତି । ତୁ ଛାଡେ ସେ କଥା । ତୁ ତ ନିଜେ ଏବେ ନିଜ ଗୋଡ଼ରେ ଠିଆ ହେଲୁଣି, ଭଲ ଇନକମ୍ କରୁଛୁ, ତୋର କ'ଣ ହେବ ସେ ସମ୍ପତ୍ତି ? ପୈତୃକ ସମ୍ପତ୍ତିରେ ଅଯୋଗ୍ୟମାନେ ଲୋଭ ରଖନ୍ତି, ତୁ ତ ଆମର ଯୋଗ୍ୟା କନ୍ୟା । ସୁକନ୍ୟା ବୋଧେ କିଛି କହିଥାନ୍ତା, କିନ୍ତୁ ଜିତୁ ସେଠିକୁ ଆସି ସୁବ୍ରତଙ୍କୁ ଡାକିଲେ । ସୁବ୍ରତ ସୁକନ୍ୟାକୁ ଭିତରକୁ ଯିବାକୁ କହି ନିଜେ ଜିତୁଙ୍କ ସାଙ୍ଗରେ ବଜାର ଆଡ଼େ ଯିବେ କହି ଉଠିଗଲେ ।

ସୁକନ୍ୟାକୁ ଆସାମ ବୁଲେଇବା ପାଇଁ ସୁବ୍ରତ କିଛିଦିନ ଅଫିସରୁ ଛୁଟି ନେଇ ତାକୁ ବୁଲାବୁଲି କରେଇଲେ । ସୁକନ୍ୟା ଖୁସି ଥିଲା । ଜିତୁ ବି ସେମାନଙ୍କ ସହ ବୁଲାବୁଲି କରିବାକୁ ଯାଉଥିଲେ । ଦିନେ ସୁକନ୍ୟା ଜିତୁଙ୍କୁ ପଚାରିଲା, "ଅଙ୍କଲ୍ ଆପଣଙ୍କ ଫ୍ୟାମିଲି କୋଉଠି ରହନ୍ତି ?" ସୁକନ୍ୟାର ପ୍ରଶ୍ନରେ ଜିତୁ ଚିଡ଼ି ଉଠିଲା ଭଳି ଦିଶିଲେ ଓ ସେ ଜାଗାରୁ ଉଠି ଚାଲିଗଲେ ।

ସୁକନ୍ୟା ଦେଖୁଥିଲା ଜିତୁ ଫୋନରେ କେବେ କାହା ସହ କଥା ହୁଅନ୍ତିନି । ସୁବ୍ରତଙ୍କ ଘର କାନ୍ଥରେ ଓ ବେଡରୁମ୍ ରେ କେବଳ ସୁବ୍ରତ ଓ ଜିତୁଙ୍କ ଜଏଣ୍ଟ୍ ଫଟୋର ଦୁଇଟି ଫ୍ରେମ୍ ବ୍ୟତୀତ ଜିତୁଙ୍କ ପରିବାର କିମ୍ବା ସୁବ୍ରତଙ୍କ ପରିବାରର କାହାରି ଫଟୋ କେହି ଲଗେଇନାହାଁନ୍ତି । ଘରର ସାଜସଜା କିନ୍ତୁ ଏତେ ସୁନ୍ଦର ହେଇଛି ଦେଖିଲେ କେହି କହିବେନି ଏ ଘରେ କେବଳ ଦୁଇଜଣ ପୁରୁଷଲୋକ ବର୍ଷ ବର୍ଷ ଧରି ରହୁଛନ୍ତି ।

ସୁକନ୍ୟାକୁ ଆସିବାର ପାଞ୍ଚଦିନ ହେଇଗଲାଣି । ସୁବ୍ରତ ସୁକନ୍ୟାକୁ ନେଇ ଆସାମର ମେଖଲା ଚଦର ଏବଂ ଆଉକିଛି ପାରମ୍ପରିକ ଜିନିଷର ସପିଙ୍ଗ୍ କରେଇ ଆଣିଥିଲେ । ସୁକନ୍ୟା ବୁଲାବୁଲି କରି ଥକି ଯାଇଥିଲା । ସେ ଟିକେ ବିଛଣାରେ ଗଡ଼ି ପଡ଼ିଲା । ବେଡ୍ ରେ ପଡ଼ୁ ପଡ଼ୁ ତାକୁ ନିଦ ଆସିଗଲା । ସୁବ୍ରତ ସୁକନ୍ୟାକୁ ଖାଇବାକୁ ଡାକିବାକୁ ଆସିଲେ । ସୁକନ୍ୟା ଉଠିଲାନାହିଁ ।

କିଛି ସମୟ ପରେ ସୁକନ୍ୟାର ନିଦ ଭାଙ୍ଗିଗଲା ଗୋଟେ ପାଟିଗୋଳ ଶୁଣି । ସୁବ୍ରତ ଓ ଜିତୁଙ୍କର ଖୁବ୍ ଜୋରରେ କଥା କଟାକଟି ଲାଗିଥିଲା । ସୁକନ୍ୟା ବେଡ୍ ରେ ଥାଇ ଶୁଣିଲା ଜିତୁ କହୁଛନ୍ତି, "ତୁମେ ତ ମୋତେ ପ୍ରମିଜ୍ କରିଥିଲ ଆଉ ସେମାନଙ୍କ କଥାରେ ମୁଣ୍ଡ ପୂରେଇବନି କି ସ୍ନେହା ପାଖକୁ କେବେ ଯିବନି ! ଏବେ କ'ଣ ହେଲା ? ଇଏ ପୁଣି କାହିଁକି ଆସିଛି ଏଠିକି ?"

ସୁବ୍ରତ କହୁଥିଲେ, "ଓହୋ, ତୁମେ ଟିକେ ଧୀରେ କଥା କୁହ । ମୁଁ କ'ଣ ଆଉ ଯାଉଛି କି ସ୍ନେହା ଘରକୁ ? ତୁମେ କ'ଣ ଜାଣିନ ମୋର ସ୍ନେହାଙ୍କ ସହ ଆଉ କୌଣସି ସମ୍ପର୍କ ନାହିଁ ବୋଲି ? କିନ୍ତୁ ସୁକନ୍ୟା ! ସୁକନ୍ୟା ମୋ ଝିଅ । ତା'ର ମୋ ଛଡ଼ା ନିଜର ବୋଲି ଆଉ କିଏ ଅଛି କହିଲ ? ମୁଁ ମୋ ଝିଅକୁ କେବେ ବି ଛାଡ଼ି ଦେଇପାରିବିନି ।"

-- ଝିଅ ! କୋଉଠି ଥିଲା ଯେ ଏ ଝିଅ ? ଦିନେ ନାହିଁ କାଳେ ନାହିଁ... ଆଚ୍ଛା ତୁମକୁ ଯଦି ଏତେ ଝିଅ ଦର୍କାର ଥିଲା ମୁଁ ଯେତେବେଳେ କହୁଥିଲି ଗୋଟେ ଛୁଆ ଆଡପ୍ଟ୍ କରିବା ସେତେବେଳେ ମୋ କଥାକୁ କେମିତି ହସିକି ଉଡେଇ ଦେଉଥିଲ ?

-- ଏବେ ବି ହସିକି ଉଡେଇବି । କିଏ ଦେବ ଆମକୁ ଛୁଆ ? ଆଜି ଯାଏଁ ଆମକୁ ଆମର ପଡୋଶୀମାନେ କପଲ୍ ବୋଲି ଗ୍ରହଣ କରି ପାରିଛନ୍ତି ? ଷ୍ଟ୍ରେଟ୍ କପଲ୍ ଙ୍କୁ ତ ଛୁଆ ମିଳୁନି, ଆମ ଭଳି ସମଲିଙ୍ଗୀଙ୍କୁ ପୁଣି ବାହାର ରାଜ୍ୟରେ ଛୁଆ ମିଳିବ ! ହସିବିନି ତ ଆଉ କ'ଣ କରିବି ? ଆଚ୍ଛା ତୁମେ ଯଦି ସତରେ ମୋତେ ଭଲ ପାଉଛ, ସୁକନ୍ୟାକୁ କ'ଣ ନିଜ ଝିଅ ବୋଲି ଗ୍ରହଣ କରିପାରିବନି ?

-- ନା, ସୁବୁ ମୁଁ ପାରିବିନି । ମୁଁ ତୁମ ଛଡ଼ା ଆଉ କିଛି ଚାହେଁନି । ତୁମକୁ ଆଉ କେହି ଭଲ ପାଉ, ମୁଁ ବି ସେଇଟା ଚାହେଁନା ।

-- ହ୍ୱାଟ୍ ନନ୍ସେନ୍ସ୍ ଜିତୁ, ସୁକନ୍ୟା ମୋ ଝିଅ !

-- ହଁ, ମୁଁ ତା ଭିତରେ ତା ମାଆକୁ ଦେଖିପାରୁଛି ।

-- ଆର୍ ୟୁ ମ୍ୟାଡ୍ ଜିତୁ ? ତା' ମାଆକୁ ମୁଁ ବି ଭଲ କରି ଦେଖିନି । ତା' ଡେଥ୍ କୁ କୋଡିଏ ବର୍ଷରୁ ଅଧିକ ହେଇଗଲାଣି ।

ସୁବ୍ରତ ଓ ଜିତୁଙ୍କର ସବୁ କଥା ସୁକନ୍ୟା ଶୁଣୁଥିଲା । ସବୁ ଶୁଣି ତା' ମୁଣ୍ଡ ଘୂରେଇ ଦେଲା । ସେ ବିଶ୍ୱାସ କରି ପାରୁନଥିଲା ତା' ବାପା ସେମାନଙ୍କୁ ଓଡିଶାରେ ଛାଡ଼ି ଏଠି ଜଣେ ପୁରୁଷଙ୍କ ସହ ସଂସାର ବାନ୍ଧି ରହିଛନ୍ତି । ସ୍ନେହାଙ୍କ ପାଇଁ ସୁକନ୍ୟାର ମନରେ ଦୟା ସୃଷ୍ଟି ହେଲା ଆଉ ସୁବ୍ରତଙ୍କ ପାଇଁ ଘୃଣା, ଭୀଷଣ ଘୃଣା । ସେ କବାଟ ଖୋଲି ସିଧା ଯାଇ ସୁବ୍ରତଙ୍କ ସାମ୍ନାରେ ଠିଆ ହେଇଗଲା ଓ କହିଲା, "ବାପା, ତୁମେ ଏଯାଏଁ ମମିଙ୍କୁ ଡିଭୋର୍ସ୍ ଦେଇନ, ୟାଙ୍କ ସହ ତୁମର ସମ୍ପର୍କଟା ଲିଗାଲ୍ ନୁହେଁ । ମମି ଚାହିଁଲେ...।"

ସୁକନ୍ୟା ଆଉ କିଛି କହିପାରିଲାନି । ବାହାରେ କେହିଜଣେ ଡୋର୍ ବେଲ୍ ଦେଲେ । ସୁବ୍ରତ ଯାଇ କବାଟ ଖୋଲିଲେ । ଦିବ୍ୟା ଆସିଯାଇଥିଲା ସୁକନ୍ୟା ସହ ତେଜପୁର ବୁଲିବାକୁ । ଦିବ୍ୟାକୁ ଦେଖି ସୁକନ୍ୟା ଖୁସି ହେଇ ପାରିଲାନାହିଁ । ଦିବ୍ୟାକୁ ରୁମ୍ କୁ ଡ଼ାକିନେଇ ସୁକନ୍ୟା କହିଲା, "ମୁଁ ଆଉ ଗୋଟେ ମୁହୂର୍ତ୍ତ ଏଠି ରହିବାକୁ ଚାହେଁନି । ଚାଲ ଯିବା । ଏଠି ରହିଲେ ମୁଁ ଅଣନିଶ୍ୱାସୀ ହେଇ ମରିଯିବି । ମୋତେ ଜନ୍ମ ଦେଇସାରି ମୋ ମାଆ କାହିଁକି ଆତ୍ମହତ୍ୟା କଲେ ଏବେ ମୁଁ ବୁଝୁଛି । ମୋ ମମିଙ୍କୁ ବି ମୁଁ ଭୁଲ ବୁଝିଛି । ସେ ଏଯାଏଁ ବଞ୍ଚି ରହିଛନ୍ତି କେମିତି ସେଇଟା ତ ଆଶ୍ଚର୍ଯ୍ୟର କଥା । ତାଙ୍କ ଜାଗାରେ ଆଉ କେହିଥିଲେ ନିଶ୍ଚୟ ପାଗଳ ହେଇଯାଇଥାନ୍ତା ନହେଲେ ଆତ୍ମହତ୍ୟା କରିଦେଇଥାନ୍ତା । "ଦିବ୍ୟା ସୁକନ୍ୟାର କଥା କିଛି ବୁଝି ପାରୁନଥିଲା । ସୁବ୍ରତ ବଡ଼ ବିବ୍ରତ ହୋଇ ସୁକନ୍ୟାକୁ କହିଲେ, "ତୁ କିଛି ଜାଣିନୁ ମାଆ । ତୁ କିଛି ବୁଝିନୁ । ତୁ ମୋ କଥା ଥରେ ଶୁଣୁ । ଥରଟେ ଖାଲି ଶୁଣୁ ।"

ସୁକନ୍ୟା ଚିଲେଇ କରି କହିଲା, "ମୁଁ ଛୋଟ ପିଲା ନୁହେଁ ବାପା, ମୁଁ ସବୁ ବୁଝିଛି । ତୁମେ ଏ ପୁରୁଷ ସହ ସମ୍ପର୍କରେ ରହିବା ପାଇଁ ଆମ ସମସ୍ତଙ୍କୁ ଅବହେଳିତ କରି ପକେଇ ଦେଇ ଆସିଛ । ଦୀପୁ, ମୋ ଛୋଟ ଭାଇ ଦୀପୁ.. ଆଃ କେତେ ଏକୁଟିଆ ହେଇଯାଇଥିବ ସେ..! ନା ଆଉ ନୁହେଁ..।"

ଦିବ୍ୟା ସୁକନ୍ୟାଠାରୁ ସବୁକଥା ଶୁଣିଲା ଓ ତାକୁ ବୁଝେଇଲା ସୁବ୍ରତଙ୍କ ପକ୍ଷ ଶୁଣିବା ପାଇଁ । ସେମାନେ ସମସ୍ତେ ଗେଷ୍ଟରୁମ୍ ରେ ବସିଲେ । ସୁବ୍ରତ କହିଲେ, "ଜିତୁଙ୍କ ସହ ମୋର କଲେଜ ସମୟରୁ ସମ୍ପର୍କ, ଆଜି କି କାଲିର ନୁହେଁ । ମୋ ପାଇଁ ଜିତୁ ତା'ର ପରିବାର, ବନ୍ଧୁ, ସମ୍ପର୍କୀୟ ସମସ୍ତଙ୍କୁ ଛାଡ଼ିଦେଇଛନ୍ତି । ସେତେବେଳେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ କୁହାଯାଉଥିଲା । ତେଣୁ ଆମେ ନିଷ୍ପତ୍ତି ନେଇଥିଲୁ ଜୀବନରେ କେବେ ବାହା ହେବୁନାହିଁ । କିନ୍ତୁ ମୋ ବାପା ମୋତେ ବାଧ୍ୟ କଲେ ମନ୍ଦାକିନୀଙ୍କୁ ବିବାହ କରିବା ପାଇଁ । ବିବାହ ପୂର୍ବରୁ ମୁଁ ମନ୍ଦାକିନୀଙ୍କୁ ମୋ ସମ୍ବନ୍ଧରେ ସବୁକିଛି କହିଥିଲି । ମନ୍ଦାକିନୀ ସବୁ ଜାଣି ବି ମୋତେ ଅନୁରୋଧ କରିଥିଲେ ତାଙ୍କୁ ବିବାହ କରିବା ପାଇଁ । କାରଣ ସେତେବେଳେ ସେ ବଦନାମ ହେଇଯାଇଥିଲେ ମୋ ବାପାଙ୍କ ପାଇଁ । ମୁଁ ତାଙ୍କୁ କ୍ଲିଅରଲି କହିଥିଲି ମୁଁ ବାଇସେକ୍ସୁଆଲ୍ ଏବଂ ଜିତୁଙ୍କ ସହ କମିଟେଡ୍ ବୋଲି । ସେ କିନ୍ତୁ କହିଥିଲେ ତାଙ୍କୁ ସେସବୁ କିଛି ଫରକ୍ ପଡ଼େନି । ମୋର ଶହେ ମନା ପରେ ବି ସେମାନେ ମାନିଲେନି ଆଉ ମୋ ବାହାଘର ହେଇଗଲା ମନ୍ଦାକିନୀଙ୍କ ସହ । ମୋ ବାହାଘର ପରେ ଏଇ ଜିତୁଙ୍କ ଅବସ୍ଥା ଶୋଚନୀୟ ହେଇଯାଇଥିଲା । ସେ ବିଷ ଖାଇଦେଇଥିଲେ । ବଡ଼ କଷ୍ଟରେ ଭଲ ହେଇ ଫେରିଲେ । ଜିତୁ ମୋଠୁ ଦୂରେଇ ଯାଇଥିଲେ । ମୁଁ ଚେଷ୍ଟା କରିଥିଲି ମନ୍ଦାକିନୀଙ୍କ ସହ ସଂସାର କରିବା ପାଇଁ । କିନ୍ତୁ ସେ କ'ଣ କଲେ ? ଛୋଟଛୁଆଟାକୁ ଜଣେ ନର୍ସ ହାତରେ ଦେଇ ଆତ୍ମହତ୍ୟା କରିଦେଲେ । ତାପରେ କ'ଣ ହେଲା ? ସ୍ନେହାଙ୍କୁ ଜଣେ ଡାକ୍ତର ଧୋକା ଦେଲା । ସେ ମୋତେ ବ୍ୟବହାର କଲେ ନିଜ ଇଜ୍ଜତ ଫେରେଇ ଆଣିବା ପାଇଁ । ମୁଁ ତ ତାଙ୍କୁ କହିନଥିଲି ମୋ ଝିଅର ଦାୟିତ୍ୱ ନେବା ପାଇଁ ! ମୁଁ ତ ତାଙ୍କୁ ବାଧ୍ୟ କରିନଥିଲି ମୋତେ ବିବାହ କରିବା ପାଇଁ । ବରଂ ସେ ମୋତେ ଧମକ ଦେଇଥିଲେ ଯଦି ମୁଁ ତାଙ୍କୁ ବାହା ନହେଉଛି ସେ ମନ୍ଦାକିନୀଙ୍କର କ'ଣ ଗୋଟେ ଚିଠି ରଖିଛନ୍ତି ସେଇଟା ପୁଲିସକୁ ଦେଖେଇ ମୋତେ ଜେଲ୍ ପଠେଇଦେବେ । ମୁଁ ସ୍ନେହାଙ୍କ କଥା ମାନିଗଲି । କିନ୍ତୁ ବାହା ହେବା ପୂର୍ବରୁ ତାଙ୍କୁ ମୋ ବିଷୟରେ ମୁଁ ସବୁ ସତ କହିଛି, ସେ ସେତେବେଳେ କିଛି ବୁଝିବା ଅବସ୍ଥାରେ ନଥିଲେ । ନରୋତ୍ତମ୍ କଲେଜରେ ଆମ ତଳ ବ୍ୟାଚରେ ପଢୁଥିଲା । ସେ ଯେତେବେଳେ ସ୍ନେହାଙ୍କୁ ମୋ ଆଉ ଜିତୁଙ୍କ ସମ୍ପର୍କ ବିଷୟରେ କହିଲେ ସେତେବେଳେ ସ୍ନେହା ନିଜେ ଚାହିଁଲେ ମୁଁ ତୁମମାନଙ୍କଠାରୁ ଦୂରେଇ ରୁହେ । କଲେଜରେ ନରୋତ୍ତମ୍ ମୋତେ ଚାହୁଁଥିଲା, କିନ୍ତୁ ମୁଁ ଜିତୁଙ୍କୁ । ନରୋତ୍ତମ୍ କିନ୍ତୁ ସ୍ନେହାଙ୍କୁ ମୋ ବିଷୟରେ ମିଛ କହିଲେ ଯେ ମୁଁ ନରୋତ୍ତମ୍ ଙ୍କ ସହ ପ୍ରତାରଣା କରିଥିଲି । ସ୍ନେହାଙ୍କର ମୋ ପ୍ରତି ଘୃଣା ବଢ଼ିବାରେ ଲାଗିଲା । ସେ ମୋତେ ତୁମମାନଙ୍କ ସହ ମିଶିବାକୁ ଦେଉନଥିଲେ । ତୁ କହ ମାଆ, ମୁଁ ସେତେବେଳେ କରିଥାନ୍ତି କ'ଣ ? ଏଇ ଜିତୁଙ୍କ ଛଡ଼ା ସେତେବେଳେ ମୋ ପାଖରେ ଆଉ କେହି ନଥିଲେ ମୋ ଦୁଃଖକୁ ବୁଝିବା ପାଇଁ । ଜିତୁଙ୍କୁ ମୁଁ କେମିତି ଦୂରେଇ ଦେଇଥାନ୍ତି ? ଆଉ ଯେବେ ତୋର ଗ୍ରାଜୁଏସନ୍ ଚାଲିଥିଲା ସେବେ ମୁଁ ଜାଣିବାକୁ ପାଇଲି ବିନୋଦିନୀଙ୍କ ସହ ମିଶି ସ୍ନେହା ତୋ ଭାଗର ସମ୍ପତ୍ତିଟା ବିକ୍ରି କରିଦେଉଛନ୍ତି । ମୁଁ ପ୍ରତିବାଦ କରିଛି । କିନ୍ତୁ ସେତେବେଳେ ସେମାନେ ମୋତେ ବହୁତ ଗାଳି ଗୁଲଜ କଲେ । ଏମିତି କି ଦୀପୁ ବି ମୋତେ ମୋ ସେକ୍ସୁଆଲ୍ ଓରିଏଣ୍ଟସନ୍ କୁ ନେଇ କଟୁ କଥା କହିଲା । ସେମାନେ ମୋତେ କହିଲେ ସେମାନଙ୍କ ସହ ଯେମିତି ମୁଁ ଆଉ କୌଣସି ପ୍ରକାର ସମ୍ପର୍କ ନରଖେ, ଆଉ ଯେମିତି ସେ ଆଡ଼େ ମୁଁ ବିଲକୁଲ ନଯାଏ ।"

ସୁବ୍ରତଙ୍କ କଥା ଶୁଣି ସୁକନ୍ୟା କହିଲା, "ଦୀପୁ ତୁମକୁ କଟୁ କଥା କହିଲା ? ସେ କ'ଣ ଜାଣେ...?"

-- ହଁ ସେ ସବୁ ଜାଣେ । ତାକୁ ତା ମାଆ ଆଉ ଆଈ ସବୁକଥା କହିଛନ୍ତି । ସେ ଏଇଟା ବି ଜାଣିଛି କି ତୁ ତା' ସାବତ ଭଉଣୀ ।

ସୁକନ୍ୟା କାନ୍ଦିବାକୁ ଲାଗିଲା । ଦିବ୍ୟା ସୁକନ୍ୟାର ଲୁହ ପୋଛିଲା । ଜିତୁ କହିଲେ, "ସୁବୁ ସ୍ନେହାଙ୍କଠାରୁ ଡିଭୋର୍ସ ନେବାକୁ ଅନେକ ଥର ଚାହିଁଛନ୍ତି । ପିଲାଙ୍କ ଦାୟିତ୍ୱ ନେବା କଥା ବି କହିଛନ୍ତି । କିନ୍ତୁ ସେ ସେତେବେଳେ କୌଣସି କଥାରେ ରାଜି ହେଉନଥିଲେ । ଏବେ ଏଇ କିଛି ବର୍ଷ ତଳେ ସ୍ନେହା ଓ ସୁବୁଙ୍କର ମ୍ୟୁଚୁଆଲ୍ ଡିଭୋର୍ସ ହେଇଗଲା, ଯେତେବେଳେ ସ୍ନେହା ସୁକନ୍ୟାର ଟଙ୍କାରେ ନିଜର ଘର ବନେଇ ନେଲେ । ମୁଁ ଆଉ ସୁବୁ ବି ଆଇନସମ୍ମତ ଭାବେ ଏକାଠି ରହୁଛୁ । ଆମର ତ ବୟସ ହେଲାଣି । ଆମେ କେବଳ ପରସ୍ପରର ସାହାରାରେ ଏ ଜୀବନଟା କାଟି ଦେବୁ ବୋଲି ଯାହା ସାଙ୍ଗରେ ରହୁଛୁ.."

ସୁକନ୍ୟା କାନ୍ଦୁଥିଲା ଓ ଭାବୁଥିଲା, "ମୁଁ କାହାକୁ ଦୋଷ ଦେବି ? କାହାର ଭୁଲ ପାଇଁ ଆମ ପରିବାରଟା ଏମିତି ହେଇଗଲା ? ମୋ ଜୀବନଟା ଏତେ ଅସଜଡ଼ା ହେଇଯିବା ପଛର କାରଣ କ'ଣ ? ବାପାଙ୍କର ଏଇ ସମ୍ପର୍କ ନା ମମିଙ୍କର ସ୍ୱାର୍ଥ ? ନା କାହାର କିଛି ଦୋଷ ନାହିଁ । ଦୋଷ ତ ଆମ ବଞ୍ଚୁଥିବା ସମୟର ଆଉ ସମାଜର ।"

ସୁକନ୍ୟା ଲୁହ ପୋଛିଲା ଓ କହିଲା, "ଛାଡ, ଯାହା ତ ହେବାର କଥା ହେଇଯାଇଛି । ସବୁ ଦୋଷ ମୋର ଆଉ ମୋ ଏକ୍ସପେକ୍ଟେସନ୍ ର । ବୁଦ୍ଧ ଠିକ କହିଥିଲେ,"କାମନାର ବିନାଶରେ ଦୁଃଖର ବିନାଶ ।" ମୋର କେବଳ ଏତିକି ଦୁଃଖ ରହିଗଲା ମୁଁ ମୋ ଜନ୍ମଦାତ୍ରୀ ମାଆକୁ ଟିକେ କୁଣ୍ଢେଇ କାନ୍ଦିବାର ସୁଯୋଗ ପାଇଲିନି । ସେ ବିଚାରୀ ଏ ଦୁନିଆଁର ପାପ ଭାରକୁ ସମ୍ଭାଳି ନପାରି ଚାଲିଗଲା । ମୁଁ ତାକୁ ଆଉ କେବେ ବି ଦୋଷ ଦେବିନି ଯେ ସେ ମୋତେ ଏକ୍ଲା ଛାଡ଼ି ଚାଲିଯାଇ ଭୁଲ କଲା ।"

ସୁକନ୍ୟାର କଥା ଶୁଣି ଜିତୁ ଉଠିଯାଇ ଗୋଟେ ଆଲମାରୀ ଭିତରୁ ଗୋଟେ ବଡ଼ ଫଟୋ ଫ୍ରେମ୍ ଆଣି ସୁକନ୍ୟା ଆଗରେ ଥୋଇଲେ । ଦିବ୍ୟା ଫଟୋଟା ଦେଖି କହିଲା, "ସୁକନ୍ୟା ତୁମେ ତ ପୂରା ତୁମ ମାଆଙ୍କର ଜେରକ୍ସ୍ କପି ।" ସୁକନ୍ୟା କହିଲା, "ମୁଁ ବିଲକୁଲ ତା'ରି ଭଳି ଦେଖିବାକୁ । ତା' ହୃଦୟଟା ବି ମୋରି ଭଳି ହେଇଥିବ ନିଶ୍ଚୟ । ଜାଣିଛ, ମୁଁ ବି ଦିନେ ପଙ୍ଖାରେ ରଶି ଲଗେଇ ଝୁଲି ପଡ଼ିଥିଲି, ଠିକ୍ ତା'ରି ଭଳି । ମୋର ସୌଭାଗ୍ୟ ସେତେବେଳେ ମୋ ପାଖରେ ମୋ ଭାଇ ଥିଲା । ହଁ, ମୋତେ ଦୀପୁ ସେଦିନ ବଞ୍ଚେଇଦେଲା, କିନ୍ତୁ ତା'ର ଦୁର୍ଭାଗ୍ୟ ତାକୁ ବଞ୍ଚେଇ ରଖିବା ପାଇଁ ତା'ର ନିଜର ବୋଲି କେହି ଜଣେ ନଥିଲେ । ସେ କ'ଣ ଜାଣିଥିଲା ସେ ଯାହାଙ୍କ ପାଖରେ ନିଜ ରକ୍ତକୁ ସମର୍ପି ଦେଇ ଯାଉଛି ସେହି ମହିଳା ଜଣକ ତା'ର କୁନି ଝିଅଟାକୁ ଅସ୍ତ୍ର କରି ନିଜର ଭବିଷ୍ୟତର ସୌଧ ଗଢିବାର ସ୍ୱପ୍ନ ଦେଖିବ !"

ସୁବ୍ରତଙ୍କର ଘରୁ ଫେରିଲାବେଳେ ସୁକନ୍ୟା କହିଆସିଥିଲା, "ମୁଁ ଆସିବି ଆଉଥରେ, ଯଦି କେବେ ଇଚ୍ଛା ହୁଏ ।"

ହାଇଦ୍ରାବାଦରେ ସୁକନ୍ୟା ନିର୍ଜୀବ ଯନ୍ତ୍ରଟିଏ ଭଳି ବଞ୍ଚୁଥିଲା । ତା' ଚିତ୍ରଅଙ୍କାକୁ ନେଇ ବିଭିନ୍ନ ଲୋକ ଭିନ୍ନ ଭିନ୍ନ କଥା କହିବା ଆରମ୍ଭ କରିଦେଲେ । ଦିନେ ସେ ଅଫିସରେ କାହାକୁ କିଛି ନଜଣେଇ ଟ୍ରେନ୍ ଧରିଲା ଓଡିଶାକୁ । ସେହିଦିନ ମୋର ତା' ସହ ଦେଖା ହେଇଥିଲା । ସେଦିନ ସେ ଓଡିଶା ଆସିନଥିଲା ସବୁଦିନ ପାଇଁ ଓଡିଶା ଫେରି ଆସିବାକୁ । ସେଦିନ ସେ ଆସିଥିଲା କିଛି ଗୋଟେ ଖୋଜିବାକୁ । ସେ ଜିନିଷଟା କ'ଣ ସେକଥା ମୋତେ ସେ କହିନଥିଲା, ସେଇଟା ସେ ପାଇଲା କି ନାହିଁ ତାହା ବି ସେ ମୋତେ କହିନଥିଲା ।

ମୋତେ ଅନେକ କିଛି କଥା ଫୋନରେ କହିଲା ପରେ ଦିନେ ସୁକନ୍ୟା ହଜିଗଲା, ଯେମିତି ସେ ପୂର୍ବରୁ ଅନେକ ଥର ହଜିଯାଇଛି । କିନ୍ତୁ ସେଥର ସେ ହଜିବାର କିଛିଦିନ ପରେ ହ୍ୱାଟ୍ସଅପରେ ମୋତେ ଗୋଟେ ଫଟୋ ପଠେଇଲା । ଫଟୋଟି ସମ୍ଭବତଃ ଗୋଟେ ଅଫିସରେ ଉଠା ଯାଇଥିଲା । ଫଟୋରେ ସୁକନ୍ୟା ସହ ଆଉଜଣେ ଥିଲେ । ସୁକନ୍ୟା ଓ ସେ ପୁଅ ଦୁହେଁ ବେକରେ ଫୁଲମାଳ ପକେଇ ଥିଲେ । ସୁକନ୍ୟା ହସୁଥିଲା । ସେ ପୁଅ ଖୁବ୍ ଖୁସି ଥିବା ଭଳି ଦିଶୁଥିଲା । ମୁଁ ଯଦିଓ ସୁକନ୍ୟାର ସମସ୍ତ ସାଙ୍ଗସାଥିଙ୍କ ନାଁ ଜାଣିଥିଲି, କିନ୍ତୁ କାହାକୁ ଜଣଙ୍କୁ ବି ଦେଖିନଥିଲି । ଫଟୋ ଦେଖି ମୁଁ କେବଳ ଅନୁମାନ ଲଗେଇଲି, କିଏ ହେଇଥିବ ଏଇ ଭାଗ୍ୟବାନ ପିଲାଟି ! କିଏ ବିକି..? ନା ନା... ସେ ତ ସୁକନ୍ୟାର ଭାଇ ! ତେବେ କ'ଣ ତନ୍ମୟ ଫେରିଆସିଲା ସୁକନ୍ୟାର ଜୀବନକୁ ? କିନ୍ତୁ ସେ ତ ଥରେ ଫେରି ଆସି ସୁକନ୍ୟାକୁ କ୍ଷମା ମାଗିଥିଲା । କିନ୍ତୁ ସୁକନ୍ୟା ତାକୁ କ୍ଷମା ନଦେଇ ଫେରେଇଦେବା ପରେ ସେ ଏବେ ୟୁ.ଏସ୍ ରେ ତା' ଆମେରିକାନ୍ ୱାଇଫ୍ ସହ ଖୁସିରେ ଅଛି । ତେବେ ଇଏ କ'ଣ ରୂପେଶ୍ ? ହେଇପାରେ ! କିନ୍ତୁ ଶୋଭା ? ରୂପେଶ କ'ଣ କେବେ ଶୋଭାକୁ ଧୋକା ଦେଇପାରେ ? ନା, ସମ୍ଭବ ନୁହେଁ ।

ମୁଁ ଏତେ କଥା ଭାବୁଥିଲାବେଳେ ସୁକନ୍ୟା ମୋତେ ଆଉ ଗୋଟେ ଫଟୋ ପଠେଇଲା । ପୂରା ଗୋଟେ ଫ୍ୟାମିଲି ଫଟୋ ନବଦମ୍ପତିଙ୍କ ସହ । ମୁଁ ଆଶ୍ଚର୍ଯ୍ୟ ହେଇ ଲେଖିଲି, "ଏମାନେ ସମସ୍ତେ କିଏ ? ମୁଁ ତ କାହାକୁ ବି ଚିହ୍ନିନି ।" ସେ କହିଲା, "ସରି ତୁମକୁ ଆଗରୁ ଜଣେଇ ପାରିନି । ତୁମେ କିନ୍ତୁ ନିଶ୍ଚୟ ଆସିବ କାଲିର ପାର୍ଟିକୁ । ତୁମକୁ ସବୁକଥା ଫୁରସତରେ କେବେ ଦିନେ ନିଶ୍ଚୟ କହିବି ।"

ସୁକନ୍ୟା ହ୍ୱାଟ୍ସଆପରେ ଗୋଟେ ନିମନ୍ତ୍ରଣ ପତ୍ର ପଠେଇ ଦେଇ ଅଫଲାଇନ୍ ହେଇଗଲା । କାର୍ଡରେ ସୁକନ୍ୟାର ନାଁ ସହ ସେ ପିଲାର ନାଁ ଦେଖି ମୁଁ ଆହୁରି ଆଶ୍ଚର୍ଯ୍ୟ ହେଲି ଏବଂ ପୁଣିଥରେ ସୁକନ୍ୟାର ମୁହଁରୁ ସବୁକଥା ଶୁଣିବାକୁ ଅପେକ୍ଷା କରି ରହିଲି ।

(କ୍ରମଶଃ...)

ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୪୦)