ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୪୦)

ନୂଆ ପ୍ରଜନ୍ମର କଥାକାର ଲୋପାମୁଦ୍ରା ମିଶ୍ରଙ୍କ ଉପନ୍ୟାସ "ଚିତ୍ରଲିପି" ଧାରାବାହିକ ଭାବେ ପ୍ରକାଶ ପାଉଛି । ପ୍ରତିଦିନ ଏହି ଉପନ୍ୟାସର ଏକ ଏକ ଅଧ୍ୟାୟ ଆପଣମାନେ "ବାଟୋଇ"ରେ ପଢୁଛନ୍ତି ।


(ପୂର୍ବ ପ୍ରକାଶିତ ଉତ୍ତାରୁ)

ହାଇଦ୍ରାବାଦରେ ସୁକନ୍ୟାର ନୂଆ ଚାକିରି । ନୂଆ ଜାଗା, ନୂଆ କାମ, ନୂଆ ଲୋକ ସବୁ ନୂଆଙ୍କ ଭିତରେ ସୁକନ୍ୟା ନିଜ ଜୀବନକୁ ନୂଆ କରି ସଜାଉଥିଲା । ସେ ପୁରୁଣା ସମ୍ପର୍କମାନଙ୍କୁ ଭୁଲିବାକୁ ଖୁବ୍ ଚେଷ୍ଟା କରୁଥିଲା । ନୂଆ ଜବ୍ ରେ କାମର ଭୀଷଣ ଚାପ ତାକୁ ତା'ର ପୁରୁଣା ଦିନମାନଙ୍କୁ ଭୁଲିଯିବାରେ ସାହାଯ୍ୟ ମଧ୍ୟ କରୁଥିଲା ।

ସୁକନ୍ୟାର ନୂଆ ଚାକିରି ପୁରୁଣା ହେବାକୁ ଲାଗିଲା । କିଛି ନୂଆ ଲୋକ ଆପଣାର ହେବାକୁ ଲାଗିଲେ ତ ଆଉ କିଛି ନୂଆ ଲୋକ ପୁରୁଣା ହେବା ପୂର୍ବରୁ ଶତ୍ରୁ ବନିଗଲେ ।

ଦିନ, ମାସ, ବର୍ଷ କଟୁଥିଲା ସୁକନ୍ୟାକୁ ସ୍ନେହା କିମ୍ବା ଦୀପୁ କାହାରି ଫୋନ୍ ଆସୁନଥିଲା । ସୁବ୍ରତ ଏଇ ଭିତରେ ଅନେକ ଥର ଫୋନ୍ କରି ତାକୁ ବୁଝେଇବାକୁ ଚେଷ୍ଟା କରିଛନ୍ତି ସ୍ନେହାଙ୍କୁ କଲ୍ କରି ସରି କହିବା ପାଇଁ ଏବଂ ଓଡିଶା ଯାଇ ବୁଲି ଆସିବା ପାଇଁ । ସୁକନ୍ୟା କିନ୍ତୁ ସଫା କହିଦେଇଛି ସେଆଡ଼େ ସେ ଆଉ କୌଣସି ଦିନ ଯିବନାହିଁ ।

ଅନେକ ଦିନ ପରେ ବିକି ଆସିଥିଲା ହାଇଦ୍ରାବାଦ, ଗୋଟେ ଜାତୀୟସ୍ତରର ସାହିତ୍ୟ ସଭାରେ ଯୋଗ ଦେବାକୁ । ସୁକନ୍ୟା ତାକୁ ନିଜ ଘରକୁ ନିମନ୍ତ୍ରଣ କରିଥିଲା । ସେଦିନ ସୁକନ୍ୟା ଅଫିସରୁ ଛୁଟି ନେଇଥିଲା । ରାତିରେ ବିକି ସୁକନ୍ୟାର ଘରେ ରହିଲା । ସାରା ରାତି ଦୁହେଁ ଖୁବ୍ ଗପିଥିଲେ । ଏ ଭିତରେ ସୁକନ୍ୟା ଆଙ୍କିଥିବା ଚିତ୍ରଗୁଡ଼ିକୁ ବିକି ଭଲ କରି ଦେଖିଲା । ଚିତ୍ରଲିପିର ଚିତ୍ର ସବୁ ଦେଖି ସେ ତା'ର ହୃଦୟର କଥା ବୁଝିଗଲା । ସେହି ଚିତ୍ର ସବୁକୁ ଗୋଟି ଗୋଟି କରି ନିଜ କ୍ୟାମେରାରେ ଉଠେଇନେଲା । ବିକି ସୁକନ୍ୟାକୁ ପରାମର୍ଶ ଦେଲା ସେ ତା'ର ପରିବାର ପାଖକୁ ଫେରିଯାଉ । ସୁକନ୍ୟା ସେହି ସମାନ କଥା ବିକିକୁ କହିବାରୁ ବିକି କହିଲା, "ମୋ କଥା ଅଲଗା ସୁକନ୍ୟା । ସ୍ନେହା ଆଣ୍ଟି ମୋ ଷ୍ଟେପ୍ ମଦର୍ ନୈନା ଭଳି ଏତେ ଖରାପ ଲୋକ ନୁହଁନ୍ତି । ମୁଁ ଆଜି ଆଉଥରେ ବି କହିବି ଯଦି ସେ ତୁମକୁ ସେଦିନ କୋଳେଇ ନେଇ ନଥାନ୍ତେ, ହୁଏତ ତୁମକୁ ତୁମ ମାଉସୀ ବିନୋଦିନୀ ତାଙ୍କ ରାସ୍ତାର କଣ୍ଟା ଭାବି ସେହି ଛୋଟ ଦିନରୁ ହିଁ ରାସ୍ତାରୁ ହଟେଇ ଦେଇଥାନ୍ତେ । ଟଙ୍କାର ଲୋଭ ସମସ୍ତଙ୍କର ଥାଏ, ଯଦି ସ୍ନେହା ଆଣ୍ଟି ଲୋଭ କରିଛନ୍ତି ତାକୁ ମଣିଷର ଏକ ସ୍ୱାଭାବିକ ପ୍ରବୃତ୍ତି ବୋଲି ବିଚାର କରି ତାଙ୍କୁ ତୁମେ କ୍ଷମା ଦିଅ ସୁକନ୍ୟା ।"

ସୁକନ୍ୟା କିଛି ସମୟ ଚୁପ୍ ରହିଲା ପରେ କହିଲା, "ମୋର ହୃଦୟ ତୁମ ଭଳି ନୁହେଁ ବିକି ଭାଇ । ମୁଁ କବିଙ୍କ ଭଳି ଉଦାର ହେଇ ପାରିବିନି ।" ବିକି ସାମାନ୍ୟ ହସି କହିଲା, "ତୁମକୁ କିଏ କହିଲା ସବୁ କବିଙ୍କ ହୃଦୟ ଉଦାର ? ହଁ କିଛି କବିଙ୍କ ହୃଦୟ ବେଶ୍ କୋମଳ ହେଇଥାଏ, ଠିକ ତୁମ ଭଳି । ଆଉ ତୁମେ ବି ଜଣେ କବି ବୋଲି ମୁଁ ତ ଆଗରୁ ଅନେକ ଥର କହିସାରିଛି । ଏ ଯେଉଁ ଚିତ୍ର ସବୁ ତୁମେ ଆଙ୍କ, ସେସବୁ କବିତା ନୁହେଁ ତ ଆଉ କ'ଣ 'ଚିତ୍ରଲିପି' ?

ନିଜର 'ଚିତ୍ରଲିପି' ନାଁଟିକୁ ଭୁଲିଯାଇଥିଲା ସୁକନ୍ୟା । ବିକିଠୁ ଆଉଥରେ ଅନେକ ଦିନ ପରେ ସେଇ ନାଁଟି ଶୁଣି ସେ ଖୁସି ହେଇଗଲା । ବିକି କହିଲା,"ଶୁଣ,ମୁଁ ନିଷ୍ପତ୍ତି ନେଇଛି ମୋର ଆଗାମୀ କବିତା ସଙ୍କଳନର ପ୍ରଚ୍ଛଦ ଆଙ୍କିବେ ଚିତ୍ରଲିପି । ସୁକନ୍ୟା ହସି ହସି କହିଲା,"ହଁ ନିଶ୍ଚୟ । ମୁଁ କଫି ଆଣି ଆସୁଛି ।"

ସେଦିନ ବିକିଠାରୁ ସୁକନ୍ୟା ଶୁଣିବାକୁ ପାଇଥିଲା ମାଧବୀ ସ୍ନେହାଙ୍କ ଘର ଛାଡ଼ି ଚାଲିଯାଇଛନ୍ତି । ସ୍ନେହାଙ୍କର କଟକରେ ଘର ତିଆରି ଶେଷ ହେଇଯାଇଛି । ସ୍ନେହା ନିଜ ଚାକିରି କଟକକୁ ବଦଳି କରି ନେଇଛନ୍ତି । ସେ ଓ ଦୀପୁ କଟକରେ ରହୁଛନ୍ତି । ଦୀପୁ ଏଥର ତୃତୀୟ ଥର ପାଇଁ ମେଡିକାଲ୍ ଏଣ୍ଟ୍ରାନ୍ସ୍ ପରୀକ୍ଷା ଦେଉଛି । ଏଥର ମେଡିକାଲ୍ ନହେଲେ ସେ ଅନ୍ୟ କିଛି କୋର୍ସ୍ ରେ ଆଡ଼ମିସନ୍ ନେଇଯିବ । ବିକି ଏତେ ସବୁ କଥା କେମିତି ଜାଣିଲା ବୋଲି ସୁକନ୍ୟା ତାକୁ ପଚାରିଲାରୁ ବିକି କହିଲା ତା'ର ଦୀପୁ ସହ କେବେ କେବେ ପରିବା ମାର୍କେଟରେ ଦେଖା ହେଇଯାଏ ।

ବିକି ସହ ଏବେ ସୁକନ୍ୟା ରୀତିମତ କଥାବାର୍ତ୍ତା ହୁଏ । ସେମାନେ କଥା ହୁଅନ୍ତି କବିତା ବିଷୟରେ, ଚିତ୍ର ବିଷୟରେ, ଜୀବନ ବିଷୟରେ । ବିକି ସୁକନ୍ୟାକୁ ଚିତ୍ରର ଜୀବନ କାହାଣୀ ଶୁଣାଏ, ସୁକନ୍ୟା ବିକିକୁ ଜୀବନର ଚିତ୍ର ଆଙ୍କି ପଠାଏ ।

'ଚିତ୍ରଲିପି'ର ଚିତ୍ରକଳା ସୋସିଆଲ୍ ମିଡିଆରେ ଲୋକପ୍ରିୟ ହେବାରେ ଲାଗେ । କଳାପ୍ରେମୀ, ଚିତ୍ରପ୍ରେମୀମାନେ ଜାଣନ୍ତି 'ଚିତ୍ରଲିପି' ଆଙ୍କୁଛନ୍ତି ଜୀବନର ଚିତ୍ର । ଚିତ୍ରଲିପି ଚିତ୍ରରେ ଚିତ୍ରରେ କହୁଛନ୍ତି ଅନେକ କାହାଣୀ । ଚିତ୍ରଲିପିର ପ୍ରଶଂସକମାନେ ଚିତ୍ରଲିପିକୁ ଚିହ୍ନନ୍ତି, କିନ୍ତୁ ସୁକନ୍ୟାକୁ ଜାଣନ୍ତିନି ।

ଚିତ୍ରଲିପି ଏବେ କେବଳ ଓଡିଶା ନୁହେଁ, ସାରାଦେଶରେ ନିଜ ଚିତ୍ର ପାଇଁ ପରିଚିତି ପାଇ ସାରିଥାଏ । ଚିତ୍ରଲିପିର ମୁହଁ ସେ ଯାଏଁ କେହି ଦେଖିନଥାନ୍ତି, କିନ୍ତୁ ତା'ର ଚିତ୍ରକୁ ଦେଖିଲେ ନାଁଟା ନଦେଖି ବି କହି ହୁଏ ଏ ଚିତ୍ରର ଶିଳ୍ପୀ ହେଉଛନ୍ତି ଚିତ୍ରଲିପି ।

ନୂଆବର୍ଷ ପାଇଁ ସୁକନ୍ୟାର ଅଫିସ୍ ଫ୍ରଣ୍ଟ୍ ରିସେପ୍ସନ୍ ପାଖରେ ନୂଆ ଗୋଟେ ବଡ଼ ପେଣ୍ଟିଙ୍ଗ୍ ଲଗାଯାଇଥିଲା । ସମସ୍ତେ ସେ ଅଦ୍ଭୁତ ରୂପେ ସୁନ୍ଦର ଦିଶୁଥିବା ଚିତ୍ରଟିକୁ ଦେଖି ଅଭିଭୂତ ହେଇ ଯାଉଥିଲେ । ସୁକନ୍ୟା ମଧ୍ୟ ଚିତ୍ରଟିକୁ ଦେଖି ମୁରୁକି ହସି ନିଜ ସିଟ୍ କୁ ଚାଲିଆସିଲା । ସୁକନ୍ୟାର ପଛେ ପଛେ ଆସିଲା ସୁକନ୍ୟାର କଲିଗ୍ ଦିବ୍ୟା । ସେ ସୁକନ୍ୟାକୁ ସନ୍ଦେହ ଦୃଷ୍ଟିରେ କିଛି ସମୟ ଦେଖିଲା । ସୁକନ୍ୟା କହିଲା, "କାମ ବହୁତ ଅଛି ।"

ଦିବ୍ୟା କହିଲା, "ସେଇଟା ବି ତୁମରି କାମ ନା ? ମୋତେ ଲାଗୁଛି ସେ ଚିତ୍ରଲିପି ତୁମେ ।"

ସୁକନ୍ୟା ହସିଦେଇ କହିଲା, "ନା ନା, ମୁଁ ନୁହେଁ ।"

ଦିବ୍ୟା ସୁକନ୍ୟାର ପାଖକୁ ଘୁଞ୍ଚି ଆସି କହିଲା, "ରବୀନ୍ ସାର୍ ପେଣ୍ଟିଙ୍ଗ୍ ଟାକୁ ପୂରା ପଚିଶ ହଜାର ଟଙ୍କା ଦେଇ କିଣିଛନ୍ତି । ତୁମକୁ କେତେ ମିଳିଛି କୁହ ?" ସୁକନ୍ୟା ନିଜ ଡେସ୍କଟପ୍ ଉପରେ ଝୁଙ୍କି ପଡ଼ି କାମ କରୁ କରୁ କହିଲା, "ଆରେ ସେ ଚିତ୍ରଲିପି ମୁଁ ନୁହେଁ, ତୁମେ ଯାଅ କାମ କର ।"

ଦିବ୍ୟା କିନ୍ତୁ ଛାଡ଼ିବା ଝିଅ ନୁହେଁ । ସେ ଅନେକ ଥର ସୁକନ୍ୟାର ଘରେ ସୁକନ୍ୟାକୁ ତୂଳୀ ଓ କାନଭାସ୍ ସହ ଦେଖିଛି । ସେ ସୁକନ୍ୟାକୁ କହିଲା, "ମୁଁ ଦେଖିଛି ତୁମ ଚିତ୍ର ।"

ସୁକନ୍ୟା ଦିବ୍ୟା ଆଡ଼େ ନଦେଖି କହିଲା, "ହଁ ମୁଁ ଆଙ୍କେ, କିନ୍ତୁ ଏତେ ଭଲ ନୁହେଁ ।"

ଦିବ୍ୟା ଏଥର ସୁକନ୍ୟାର କାନ ପାଖରେ କହିଲା, "ଯୋଉଦିନ ରାତିରେ ମୁଁ ତୁମ ଫ୍ଲାଟରେ ଥିଲି ସେଦିନ ମୁଁ ତୁମର ଏହି ନିର୍ଦ୍ଧିଷ୍ଟ ଚିତ୍ରଟିକୁ ତୁମ ଷ୍ଟଡି ରୁମ୍ ରେ ଦେଖିଥିଲି । ଏଥର ତୁମେ ଆଉ ମିଛ କହିପାରିବନି ଯେ ତୁମେ 'ଚିତ୍ରଲିପି' ନୁହେଁ । ତୁମେ କାହଁକି ନିଜର ଏଇ ପରିଚୟଟିକୁ ଲୁଚେଇ ରଖୁଛ ମୁଁ ଜାଣେନି, କିନ୍ତୁ ମୋ ପାଇଁ ଏଇଟା ଗର୍ବର ବିଷୟ ଯେ ମୁଁ 'ଚିତ୍ରଲିପି'ଙ୍କର ବାନ୍ଧବୀ ।"

ଦିବ୍ୟା ଏତିକି କହି ନିଜ ସିଟ୍ କୁ ଚାଲିଗଲା । ସୁକନ୍ୟା ଗାଲରେ ହାତ ରଖି କିଛି ସମୟ ବସି ରହିଲା । କିଛି ଗୋଟେ ଭାବିବାକୁ ଲାଗିଲା ଓ ନିଜେ ନିଜକୁ କହିଲା, "ମୁଁ ଯେ ଚିତ୍ରଲିପି, ଏଇଟାକୁ ଗୋପନ ରଖିବା ତ ନିହାତି ଜରୁରୀ ନୁହେଁ ! ମୁଁ ତ ସତରେ କିଛି ଅପରାଧ କରୁନାହିଁ । ତେବେ ଚିତ୍ରଲିପି କାହଁକି ଲୁଚି ରହିବ ? ନା ସେ ଏବେ ଆଉ ଲୁଚି ରହିବନି ।"

ଚିତ୍ରଲିପିର ଚେହେରା ସାମ୍ନାକୁ ଆସିଲା । ସୁକନ୍ୟା ରହୁଥିବା ଆପାର୍ଟମେଣ୍ଟକୁ କିଛି କିଛି କଳାପ୍ରେମୀ ଚିତ୍ରଲିପିକୁ ଭେଟିବା ପାଇଁ ଆସିବାକୁ ଲାଗିଲେ ।

ହାଇଦ୍ରାବାଦର ଏକ ଚିତ୍ର ପ୍ରଦର୍ଶନୀରେ ଚିତ୍ରଲିପିଙ୍କର ଚିତ୍ର ପାଖରେ ଅଟକି ଯାଇଥିବା ଯୁବ ଇଞ୍ଜିନିୟର୍ ଦେବାଞ୍ଜନ୍ ଚିତ୍ରଲିପିଙ୍କୁ ଭେଟିବାକୁ ଖୁବ୍ ଆଗ୍ରହୀ ହେଇ ପଡ଼ିଥିଲେ । ଚିତ୍ରଲିପିର ଠିକଣା ସଂଗ୍ରହ କରି ସେ ଆସିଥିଲେ ସୁକନ୍ୟାର ଆପାର୍ଟମେଣ୍ଟକୁ । ପ୍ରଥମ ଦେଖାରେ ସେ ସୁକନ୍ୟାକୁ କହିଥିଲେ, "ମୋର ବିଶ୍ୱାସ ହେଉନି ଆପଣ ହିଁ ଚିତ୍ରଲିପି ! କେତେ ୟଙ୍ଗ୍ ଆପଣ ! ଆଉ ଆପଣଙ୍କ ଆର୍ଟ୍ ପରି ଆପଣଙ୍କ ସୌନ୍ଦର୍ଯ୍ୟ । ବିସ୍ମିତ କଲା ଭଳି ସୁନ୍ଦର ଆପଣ ।"

ଦେବାଞ୍ଜନଙ୍କ ଘର ଓଡିଶା । ସେ କଳାପ୍ରେମୀ । ସେ ସୌମ୍ୟଦର୍ଶୀ । ସେ ମିଷ୍ଟଭାଷୀ । ସେ ଏକ ସୁପ୍ରତିଷ୍ଠିତ କମ୍ପାନୀରେ ସିନିୟର୍ ଇଞ୍ଜିନିୟର୍ । ତାଙ୍କର ବ୍ୟକ୍ତିତ୍ୱ ମଧ୍ୟ ଖୁବ୍ ପ୍ରଭାବଶାଳୀ । ଏସବୁ ସୁକନ୍ୟାକୁ ଖୁବ୍ ଭଲ ଲାଗିଥିଲା । ସେଥିପାଇଁ ସେ ସେଦିନ ଦେବାଞ୍ଜନଙ୍କ ସହ ଅନେକ ସମୟ କଥା ହେଇଥିଲା ଏବଂ ତାଙ୍କ ନମ୍ବର୍ କୁ ମୋବାଇଲରେ ସେଭ୍ କରି ରଖିଥିଲା । ପରେ ଦେବାଞ୍ଜନ ଯେବେ ବି ସୁକନ୍ୟାକୁ ଫୋନ୍ କରିଛନ୍ତି ସୁକନ୍ୟା ଯେତେ ବ୍ୟସ୍ତ ଥିଲେ ମଧ୍ୟ ତାଙ୍କ ସହ କିଛି ସମୟ କଥା ହେଇଯାଏ । କିଛି ବର୍ଷ ହେବ ପୁଅଙ୍କ ସହ ଅଯଥା ଗପିବାକୁ ଖୁବ୍ ଘୃଣା କରୁଥିବା ସୁକନ୍ୟା କାହିଁକି ଯେ ଦେବାଞ୍ଜନଙ୍କ ସହ କଥା ହେବାକୁ ପସନ୍ଦ କରୁଥିଲା ସେ ନିଜେ ବି ବୁଝି ନଥିଲା ।

ଦିବ୍ୟା ସହ ସୁକନ୍ୟା ଦେବାଞ୍ଜନ ବିଷୟରେ କଥା ହେଲା । ଦିବ୍ୟା କହିଲା, "ହଁ ୟାକୁ ହିଁ କହନ୍ତି ପ୍ରେମ ।" ସୁକନ୍ୟା ହସିଲା ହୋ ହୋ ହେଇ । ହସି ସାରି କହିଲା, "ପ୍ରେମ ଗୋଟେ ନିହାତି ଫାଲତୁ ଜିନିଷ । ମୋତେ ଲାଗେ ପ୍ରେମରେ ଭଲ ପାଇବା ନଥାଏ ।"

"ଏଁ.. ପ୍ରେମରେ ଭଲ ପାଇବା ନଥାଏ ? ଆଉ କ'ଣ ଚୋପାଟା ଥାଏ ? କି କଥା କହୁଛ ତୁମେ ?", ଦିବ୍ୟା ଆଶ୍ଚର୍ଯ୍ୟ ହେଇ ସୁକନ୍ୟାକୁ ଦେଖି ଏତିକି କହିଲା ।

ସୁକନ୍ୟା ହସି ହସି କହିଲା,"ମୋ ସହ ଯାହା ହେଇଛି ସେଇଥିରୁ ମୁଁ ବୁଝିଛି ପ୍ରେମରେ ଭଲ ପାଇବା ନଥାଏ । ପ୍ରେମ ସ୍ୱାର୍ଥରୁ ଆରମ୍ଭ ହୁଏ ଓ ଘୃଣାରେ ଶେଷ ହୁଏ ।"

ଦିବ୍ୟା ସୁକନ୍ୟାର ସୋଫା ଉପରେ ଚକାମାଡ଼ି ବସି କହିଲା, "ତାହେଲେ ତୁମେ ଏ ଦେବାଞ୍ଜନ ସହ କାହିଁକି ଏତେ ଗପୁଛ ? କାହିଁକି ଅଫିସରେ ବସି ତା ସହ ଭିଡ଼ିଓ ଚାଟ୍ କରୁଛ ?"

ସୁକନ୍ୟା ଟିକେ ଗମ୍ଭୀର ହୋଇ କହିଲା, "ମୁଁ ବୋଧେ ତା' ଠାରୁ କିଛି ଚାହୁଁଛି । ନିଶ୍ଚୟ କିଛି ଅନ୍ତର୍ନିହିତ ସ୍ୱାର୍ଥ ଅଛି ମୋର, ଯାହା ମୁଁ ଏବେ ଜାଣିପାରୁନି । ହଁ, ଏ ସମ୍ପର୍କ ନିଶ୍ଚୟ ଘୃଣାରେ ଶେଷ ହେବାକୁ ଯାଉଛି । ଦିବ୍ୟା, ତୁମେ ମୋତେ ଏ ସମ୍ପର୍କଠୁ ଦୂରେଇ ରହିବାର ରାସ୍ତା ବତାଅ । ମୁଁ ସେ ପିଲାକୁ କେମିତି ଆଭଏଡ୍ କରିବି କୁହ ।"

ଦିବ୍ୟା ସୁକନ୍ୟାର ହାତକୁ ଧରି ବୁଝେଇଲା ଭଳି କହିଲା, "ତୁମେ ମୋଠାରୁ ବୟସରେ ଆଉ ବୁଦ୍ଧିରେ ଉଭୟରେ ବଡ଼ । ମୁଁ ତୁମକୁ କି ରାସ୍ତା ବତେଇବି ? ତଥାପି କହୁଛି ତୁମେ ସେ ପିଲା ପ୍ରତି ଯଦି ଆଟ୍ରାକଟେଡ୍ ହେଇ ପଡିଛ, ତାହେଲେ ସେଇଟା ବଡ଼ କିଛି ଗୋଟେ ଅଘଟଣା ନୁହେଁ । ତୁମ ଜୀବନରେ ସେମିତି କେହି ଏବେ ନାହାଁନ୍ତି । ତୁମେ ତୁମ ନିଜର ଲୋକଙ୍କ ପାଖରୁ ନିଜକୁ ଦୂରେଇ ରଖିଛ । ଯଦି ଦେବାଞ୍ଜନ ତୁମକୁ ଭଲ ଲାଗୁଛନ୍ତି ଓ ତୁମେ ତାଙ୍କୁ ଭଲ ଲାଗୁଛ ତେବେ ତୁମେ ଦୁହେଁ ଆଗକୁ ବଢ । ଆଉ ଶୁଣ, ଆଗକୁ ବଢିବା ଆଗରୁ ଦେବାଞ୍ଜନଙ୍କ ବିଷୟରେ ଭଲ କରି ସବୁ ବୁଝିନିଅ । ହଁ, ଆଉଗୋଟେ କଥା ବାହାଘର ବେଳକୁ କିନ୍ତୁ ଘର ଲୋକଙ୍କୁ ନିଶ୍ଚୟ ଜଣାଇବ । ବୁଝିଲ ?"

ବାହାଘର କଥା ଶୁଣି ସୁକନ୍ୟା ହସିଲା ଓ ହସି ହସି ଚୁପ୍ ହେଇଗଲା । କିଛି ସମୟ ଚୁପ୍ ରହିଲା ପରେ ସୁକନ୍ୟା କହିଲା, "ଦିବ୍ୟା,ବାହାଘରର ସ୍ୱପ୍ନ ଦେଖିବା ମୁଁ ଅନେକ ଆଗରୁ ଛାଡ଼ି ଦେଇଛି । ଜାଣିଛ ମୁଁ ମୋ ପରିବାରକୁ କେବଳ ଏଇଥିପାଇଁ ଏବେ ଘୃଣା କରେ ଯେ ମୋ ବାପା ମୋ ମାଆଙ୍କୁ ବାହା ହେଇଥିଲେ ବୋଲି । ବାହାଘର ଗୋଟେ ନିହାତି ପୁରୁଣାକାଳିଆ ବ୍ୟବସ୍ଥା । ଆଜିଯାଏଁ ସେଥିରେ କୌଣସି ଆଖିଦୃଶିଆ ପରିବର୍ତ୍ତନ ଆସିପାରିନି । ସେ ଫାଲତୁ ବ୍ୟବସ୍ଥାରେ ମୁଁ ମୋ ନିଜକୁ କେବେ ବାନ୍ଧି ପାରିବିନି ଦିବ୍ୟା । ଆଇ ରିଅଲି ହେଟ୍ ମ୍ୟାରେଜ୍ ।"

ସୁକନ୍ୟାର କଥାରେ ଦିବ୍ୟା ଆଶ୍ଚର୍ଯ୍ୟ ହେଲା । ବଡ଼ ବଡ଼ ଆଖି କରି ସେ ସୁକନ୍ୟାକୁ ଦେଖିଲା ଓ କହିଲା, "ତାହେଲେ ତୁମେ କ'ଣ କେବେ ବାହା ହେବନି ?"

ସୁକନ୍ୟା ମୁରୁକି ହସି କହିଲା, "ବୋଧେ ନା "

-- ତାହେଲେ ସେ ଟୋକା ସହ କାହିଁକି ଗପୁଛ ?

-- ଗପିବାକୁ ଭଲ ଲାଗୁଛି ବୋଲି ଗପୁଛି । କାହା ସହ କଥା ହେବାର ଅର୍ଥ କ'ଣ ବିବାହ କରିବା ?

ଦିବ୍ୟା ସୁକନ୍ୟା ଆଡ଼କୁ ଦେଖି ନିଜ ଦୁଇ ହାତକୁ ଯୋଡ଼ି ନମସ୍କାର ଭଙ୍ଗୀ କରି କହିଲା, "ମୋତେ ତୁମେ ଆଉ କିଛି କୁହନା । ତୁମ ମୁଣ୍ଡରେ କ'ଣ ଚାଲୁଛି ତାହା ବୁଝିବାକୁ ମୁଁ ଅସମର୍ଥ ।" ଏହି ସମୟରେ ସୁକନ୍ୟାର ଫୋନକୁ ଦେବାଞ୍ଜନର କଲ୍ ଆସିଲା । ସୁକନ୍ୟା ଫୋନ୍ ଧରି ଷ୍ଟଡିରୁମ୍ ଆଡ଼େ ଚାଲିଗଲା ।

ସୁକନ୍ୟାର ଘରେ ଥିବା ଏକ ଚିତ୍ରକୁ ଦେବାଞ୍ଜନ ଖୁବ୍ ପସନ୍ଦ କରିଥିଲେ । ସୁକନ୍ୟା ସେଇଟିକୁ ଦେବାଞ୍ଜନଙ୍କୁ ଉପହାର ସ୍ୱରୂପ ଦେଇଦେବାକୁ ଚାହୁଁଥିଲା । କିନ୍ତୁ ଦେବାଞ୍ଜନ କହିଲେ ସେଇଟିକୁ ସୁକନ୍ୟା କୌଣସି ଏକ ଏକ୍ଜିବିସନ୍ ପାଇଁ ରଖୁ । ଚିତ୍ରଟିକୁ ସୁକନ୍ୟା ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଦେଲା । ଚିତ୍ରଟିକୁ ସୁକନ୍ୟାର କଳାକାର ବନ୍ଧୁମାନେ ଭୁରି ଭୁରି ପ୍ରଶଂସା କଲେ । ଚିତ୍ରଟି ଭାଇରାଲ୍ ହେବାକୁ ଲାଗିଲା । କିଛି ଲୋକ ସୁକନ୍ୟାର ସେହି ଚିତ୍ରକୁ ଅଶ୍ଳୀଳ କହି ତା'ର ସେହି ଚିତ୍ରକୁ ବିରୋଧ କଲେ । ଚିତ୍ରଟି ସୁକନ୍ୟା ତା'ର ସେହି ମାଆଙ୍କୁ ମନେ ପକେଇ ଆଙ୍କିଥିଲା ଯିଏ ତାକୁ ଆଉ ଜଣେ ମହିଳାଙ୍କ କୋଳରେ ଥୋଇ ଦେଇ ଆତ୍ମହତ୍ୟା କରିବାକୁ ଚାଲିଯାଇଥିଲେ । କିନ୍ତୁ ଲୋକମାନେ ଭାବିଲେ ଚିତ୍ରଟି ହିନ୍ଦୁ ଧର୍ମର ଜଣେ ଦେବୀଙ୍କର ଚିତ୍ର । ସେହି ଦେବୀଙ୍କ ଦେହରେ ଅଳ୍ପ ଲୁଗା, ତାଙ୍କ ବେକରେ ଦଉଡିର ଫାଶ, ଓଠ ବାହାରକୁ ବାହାରି ଆସି ଦାନ୍ତରେ ଚାପି ହେଇଯାଇଥିବା ତାଙ୍କ ଲାଲ୍ ଟହ ଟହ ଜିଭ ଓ ସ୍ତନ ଦୁଇଟିରୁ ଅମୃତ ବୋହି ଆସି ନାଭି ପାଖରେ ଶୁଖିଯାଇଥିବା ଚିତ୍ରକୁ ସାଧାରଣ ଲୋକେ ସହ୍ୟ କରି ପାରିଲେନାହିଁ । ସେମାନେ ଚିତ୍ରଲିପି ନାଁରେ ବିଭିନ୍ନ ଜାଗାର ଥାନାରେ ଅଭିଯୋଗ କଲେ । ଚିତ୍ରଲିପିକୁ ଗିରଫ କରିବାକୁ ଦାବୀ କରାଗଲା । ବିକି ଆସିଲା ସୁକନ୍ୟା ପାଖକୁ । ବିକି ଓ ଆଉ କିଛି ଜଣ କଳାକାର ବନ୍ଧୁଙ୍କ ସହାୟତାରେ ସୁକନ୍ୟା ଥାନା, କୋର୍ଟ, କଚେରୀକୁ ଦୌଡିବାରୁ ମୁକ୍ତ ହେଲା । ଲୋକଙ୍କ ମାନସିକତା ଉପରେ ସୁକନ୍ୟାର ଦୟା ଆସୁଥିଲା । ସେ ତା'ର ସେହି ଚିତ୍ର ପାଇଁ କ୍ଷମା ମାଗିନେଲା ଓ କ୍ଷମା ମାଗି ସାରି କହିଲା,"ଯେଉଁ ଦେବୀଙ୍କ ଆତ୍ମହତ୍ୟାକୁ ଆପଣମାନେ ସହି ପାରିଲେନାହିଁ, ଦୟାକରି ତାଙ୍କୁ ଥରେ ମାନବୀ ରୂପରେ ଦେଖନ୍ତୁ । ସେହି ଚିତ୍ର ଆପଣମାନେ ଘରେ ଘରେ ଦେଖିପାରିବେ ।"

ଚିତ୍ରଲିପିର ସେ ବିବାଦୀୟ ଚିତ୍ର ପରେ ତା'ର ଆପାର୍ଟମେଣ୍ଟକୁ ଅନେକ ଲୋକ ଆସିଲେ ତାକୁ ଭେଟିବାକୁ । ଅନେକ କଳାକାର ମଧ୍ୟ ସୁକନ୍ୟାକୁ ଭେଟିବାକୁ ଆସୁଥିଲେ । ସେମାନଙ୍କ ଭିତରେ ଅଧିକାଂଶ ଥିଲେ ପୁରୁଷ । ଚିତ୍ରଲିପିକୁ ଭେଟିବାକୁ ଆସୁଥିବା ଲୋକମାନଙ୍କୁ ସୁକନ୍ୟାର ପଡୋଶୀମାନେ ଧୀରେଧୀରେ ସନ୍ଦେହ ଦୃଷ୍ଟିରେ ଦେଖିବାକୁ ଲାଗିଲେ, କାରଣ ପଡୋଶୀମାନେ ପ୍ରାୟ ସମସ୍ତେ ବୃତ୍ତିରେ ଇଞ୍ଜିନିୟର କିମ୍ବା କର୍ପୋରେଟ ସେକ୍ଟରରେ କାମ କରୁଥିଲେ ଏବଂ ଚିତ୍ରକଳା କିମ୍ବା କବିତା ସହ ସେମାନଙ୍କର ବିଶେଷ କିଛି ସମ୍ପର୍କ ନଥିଲା । ତେଣୁ ସେମାନେ ସୁକନ୍ୟାର ବନ୍ଧୁମାନଙ୍କୁ ସମୟ ଅସମୟରେ ସୁକନ୍ୟାର ଘରକୁ ଆସିବାର ଦେଖି ସୁକନ୍ୟାକୁ ଏକ ବାଜେ ଝିଅର ଆଖ୍ୟା ଦେଇଦେଲେ । ସୁକନ୍ୟା କିନ୍ତୁ ଆଉ ଲୋକଙ୍କ କଥାକୁ ଖାତିର କରୁନଥିଲା । ସେ ବୁଝି ଯାଇଥିଲା ଏ ଅଦରକାରୀ ଲୋକମାନଙ୍କ ଅନାବଶ୍ୟକୀୟ ଚର୍ଚ୍ଚାକୁ ଭୟ କରି ନିଜ ଜୀବନଶୈଳୀକୁ ବଦଳେଇ ଦେଲେ ଜୀବନ ବଞ୍ଚିବା କଷ୍ଟକର ହେଇପଡ଼େ ।

ସୁକନ୍ୟା ଅଫିସରୁ ଫେରିଲେ କେବେ କେବେ କେଉଁ ବନ୍ଧୁଙ୍କୁ ଭେଟୁଥିଲା, କେବେ ଦେବାଞ୍ଜନଙ୍କ ସହ କଫି ପିଇବାକୁ ଯାଉଥିଲା, ମୋବାଇଲରେ ବିକି ସହ କଥା ହେଉଥିଲା,କିଚେନକୁ ଯାଇ ହାଲ୍କା ଖାଦ୍ୟ କିଛି ପ୍ରସ୍ତୁତ କରୁଥିଲା ଓ ରାତି ବେଶି ଘନେଇ ଆସିଲେ ସେ କାନଭାସ ସାମ୍ନାରେ ରଙ୍ଗତୂଳୀ ଧରି ବସି ଯାଉଥିଲା ।

ସେହି ଶନିବାର ଦିନ ସନ୍ଧ୍ୟାରେ ଦେବାଞ୍ଜନ ସୁକନ୍ୟାକୁ ତା'ର ଫ୍ଲାଟକୁ ନିମନ୍ତ୍ରଣ କରିଥିଲା । ଦେବାଞ୍ଜନର ପରିବାର ଓ ତା'ର ବ୍ୟକ୍ତିଗତ ଜୀବନ ବିଷୟରେ ସେ ପର୍ଯ୍ୟନ୍ତ ସୁକନ୍ୟା କିଛି ଜାଣିନଥିଲା । କାହାର ବ୍ୟକ୍ତିଗତ କଥା ଜାଣିବାକୁ ଓ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରିବାକୁ ସୁକନ୍ୟା ପସନ୍ଦ କରୁନଥିଲା । କିନ୍ତୁ ସେଦିନ ସେ ଦେବାଞ୍ଜନର ଘରକୁ ଯାଇ ତା' ଟୁ ବି.ଏଚ୍.କେ ଫ୍ଲାଟର ସଫା ସୁନ୍ଦର ସାଜସଜା ଦେଖି ଦେବାଞ୍ଜନକୁ ପଚାରିଦେଲା, "ତୁମେ କ'ଣ ଏ ଘରେ ଏକୁଟିଆ ରୁହ ?"

ସୁକନ୍ୟାର ଅଚାନକ ଏମିତି ପ୍ରଶ୍ନରେ ପ୍ରଥମେ ଦେବାଞ୍ଜନ ଟିକେ ହଡ଼ବଡେଇ ଗଲେ । କିନ୍ତୁ କିଛି ସମୟ ଛାଡ଼ି କହିଲା, "ହଁ ହଁ ଏକ୍ଲା । ମୁଁ ତୁମ ପାଇଁ ଚାହା ଆଣୁଛି ।"

କିଛି ଦିନ ଭିତରେ ଦେବାଞ୍ଜନର ଘରକୁ ସୁକନ୍ୟାର ଯିବା ଆସିବା ଲାଗି ରହିଲା । ସୁକନ୍ୟା ଦେବାଞ୍ଜନର ଘରକୁ ଏଇଥିପାଇଁ ଆସେ ଯେ ଦେବାଞ୍ଜନ ମଧ୍ୟ ଖୁବ୍ ସୁନ୍ଦର ଚିତ୍ର ଆଙ୍କନ୍ତି ଏବଂ ବିଶ୍ଵର ଅନେକ ଶ୍ରେଷ୍ଠ ଚିତ୍ରକରଙ୍କର କଳା କୃତି ସଂଗ୍ରହ କରି ରଖନ୍ତି । ସୁକନ୍ୟା ଓ ଦେବାଞ୍ଜନ ଏକାଠି ବସି ଏଇ ରଙ୍ଗୀନ ଦୁନିଆଁର କଥା ହୁଅନ୍ତି । ସେମାନେ ଆକାଶର ରଙ୍ଗ, ଫୁଲର ରଙ୍ଗ, ପ୍ରଜାପତିର ରଙ୍ଗ, ସମୁଦ୍ର, ଜଙ୍ଗଲ ଆଉ ମଣିଷ ମନର ନାନାଦି ରଙ୍ଗ ବିଷୟରେ ଆଲୋଚନା କରନ୍ତି । କଥା ହେଉ ହେଉ କେତେବେଳେ ସମୟ କଟିଯାଏ ଉଭୟଙ୍କୁ ଜଣା ପଡ଼େନି ।

ସୁକନ୍ୟା ଲକ୍ଷ୍ୟ କରେ ସେ କଥା ହେଉଥିବାବେଳେ ଦେବାଞ୍ଜନ ସୁକନ୍ୟାର ଆଖିକୁ ଏମିତି ଚାହିଁରହିଥାନ୍ତି ଯେମିତି ସେ କହୁଥିବା କଥାକୁ ଦେବାଞ୍ଜନ ଆଦୌ ଶୁଣୁନାହାଁନ୍ତି । ସୁକନ୍ୟାକୁ ଲାଗେ ଦେବାଞ୍ଜନ ଯେମିତି ସୁକନ୍ୟାର ଆଖି ଭିତରେ ବୁଡି ରହି କିଛି ଗୋଟେ ଭାବୁଛନ୍ତି ଅନ୍ୟମନସ୍କ ହୋଇ । ସୁକନ୍ୟା ସେତେବେଳେ ଟିକେ ଅପ୍ରସ୍ତୁତ ହେଇପଡେ ସତ କିନ୍ତୁ ନିଜକୁ ସଜାଡ଼ି ନିଏ ନାହିଁ । ବରଂ ସେହି ସମୟରେ ସେ କଥା କହିବା ବନ୍ଦ କରି ନିରବରେ ବସିଯାଏ ।

କିଛି ମାସର ଯିବା ଆସିବା ପରେ ସୁକନ୍ୟାକୁ ଲାଗିଲା ସେ ଯେବେ ଦେବାଞ୍ଜନଙ୍କର ଘରୁ ବାହାରି ଆସୁଛି ଦେବାଞ୍ଜନଙ୍କର ପଡୋଶୀ ତାକୁ ଦେଖି ଭୃକୁଞ୍ଚନ କରୁଛନ୍ତି । ଆହୁରି ମଧ୍ୟ ଦେବାଞ୍ଜନଙ୍କର ଜଣେ - ଦୁଇଜଣ ବନ୍ଧୁ ତାଙ୍କର ଫ୍ଲାଟ ସାମ୍ନାରେ ଅପେକ୍ଷା କରିଛନ୍ତି ଦେବାଞ୍ଜନଙ୍କୁ ଭେଟିବାକୁ । କିନ୍ତୁ ଦେବାଞ୍ଜନ ସେ ଯାଏଁ ତାର କୌଣସି ଜଣେ ବନ୍ଧୁଙ୍କ ସହ ସୁକନ୍ୟାର ପରିଚୟ କରେଇ ଦେଇନାହାଁନ୍ତି । ସୁକନ୍ୟାକୁ ଏସବୁ କଥା ଭଲ ଲାଗୁନଥିଲା ଏବଂ ଦେବାଞ୍ଜନଙ୍କ ଉପରେ ତା'ର ଗୋଟେ ପ୍ରକାର ସନ୍ଦେହ ଆସିଯାଇଥିଲା । ସେ ମନେ ମନେ ଭାବୁଥିଲା, "ମୋର ଏ ଆଡ଼େ ଆସିବା ବୋଧେ ଠିକ ହେଉନାହିଁ ।"

ସେହି ସମୟରେ ଗୋଟେ ପ୍ରୋଜେକ୍ଟ୍ କାମ ପାଇଁ ସୁକନ୍ୟା ଖୁବ୍ ବ୍ୟସ୍ତ ହେଇପଡିଥିଲା । ସେ ଆଉ ଦେବାଞ୍ଜନଙ୍କ ସହ ସେହି ସମୟରେ ଆଦୌ କଥା ହେଇପାରିନି କି ତାଙ୍କୁ ଭେଟିପାରିନି । ସେହି କିଛି ଦିନ ସୁକନ୍ୟା ନିଜ ଫୋନକୁ ସାଇଲେଣ୍ଟ୍ ରେ ରଖୁଥିଲା ।

ଦିନେ ଅଫିସରେ ସୁକନ୍ୟା କାମରେ ବ୍ୟସ୍ତ ଅଛି ଜଣେ ମହିଳା କର୍ମଚାରୀ ଆସି ସୁକନ୍ୟାକୁ ଜଣେଇଲେ , "ଆପଣଙ୍କୁ ଜଣେ ସୁନ୍ଦରୀ ମହିଳା ଅନେକ ସମୟ ହେଲା ରିସେପ୍ସନରେ ଅପେକ୍ଷା କଲେଣି । ଆପଣଙ୍କୁ ଖବର ଦିଆଯାଇଥିଲା, ଏଯାଏଁ ଯାଇନାହାଁନ୍ତି ? ଯାଆନ୍ତୁ ଭେଟ କରି ଆସନ୍ତୁ ।"

ସୁକନ୍ୟା ତା' କାମ ବନ୍ଦ କରି ୱେଟିଂରୁମ୍ କୁ ଗଲା । ଦିବ୍ୟା ମଧ୍ୟ ସୁକନ୍ୟାର ପଛେ ପଛେ ଆସିଲା ।

ୱେଟିଂରୁମ୍ ରେ ଖୁବ୍ ସୁନ୍ଦରୀ ଓ ସ୍ମାର୍ଟ୍ ଦିଶୁଥିବା ଯୁବତୀ ଜଣେ ସୁକନ୍ୟାକୁ ଅପେକ୍ଷା କରି ବସିଥିଲେ । ସୁକନ୍ୟା ତାଙ୍କ ସାମ୍ନାକୁ ଯାଇ ଠିଆ ହେଇଗଲା । ସେ ଯୁବତୀ ଜଣଙ୍କ ସୁକନ୍ୟାକୁ ସିଧା ଅନେଇ ପଚାରିଲେ, "ତୁମେ ସୁକନ୍ୟା ?"

ସୁକନ୍ୟା କହିଲା,"ହଁ, ମୁଁ ସୁକନ୍ୟା । ଆପଣଙ୍କ ପରିଚୟ ? "

"ସେ କଥା ପରେ ଜାଣିବ । ତୁମେ ପ୍ରଥମେ କୁହ, ତୁମର ବୟସ କେତେ ? ଦେଖିଲେ ତ ଲାଗୁଛି ବାଇଶି ପଚିଶ ଭିତରେ ହେବ । ତୁମକୁ କ'ଣ ତୁମ ବୟସରେ କେହି ପୁଅ ମିଳୁନାହାଁନ୍ତି ? ଦେଖିବାକୁ ତ ବେଶ୍ ସୁନ୍ଦର ଅଛ !"

ସୁକନ୍ୟା ରାଗିଯାଇ କହିଲା, "ଆପଣଙ୍କର ପ୍ରୋବ୍ଲେମ୍ କ'ଣ ? ଏଠିକି କାହିଁକି ଆସିଛନ୍ତି ? ମୋର ସମୟ ନଷ୍ଟ ନକରି କ'ଣ କହିବାକୁ ଚାହାଁନ୍ତି ସିଧା ସିଧା କୁହନ୍ତୁ ।"

ସେ ମହିଳାଜଣକ ସୁକନ୍ୟାର ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଥରେ ନଜର ବୁଲେଇ ଆଣି କହିଲେ, "ତୁମେ ମୋତେ କୁହ, ଏଇ ଅଫିସରେ ଚାକିରି କରିବା ତୁମର ଫୁଲ୍ ଟାଇମ୍ କାମ ନା ପାର୍ଟ ଟାଇମ କାମ ? ଏଇଟା ତୁମର ପାର୍ଟ୍ ଟାଇମ୍ ହିଁ ହେଇଥିବ । କାରଣ ତୁମର ମେନ୍ ବିଜନେସ୍ ତ ମ୍ୟାରେଡ୍ ଇଞ୍ଜିନିୟର୍ ଙ୍କ ଘରେ ରାତି ବିତେଇବା । ନା, କ'ଣ, ଭୁଲ କହିଲି ?"

ମହିଳାଙ୍କ ପାଖରୁ ଏଭଳି କଥା ଶୁଣି କ୍ରୋଧରେ ସୁକନ୍ୟାର ଆଖି ଲାଲ୍ ପଡିଗଲା । ଦିବ୍ୟା ଠିଆ ହେଇଥିଲା ସୁକନ୍ୟା ପାଖରେ । ସେ ଗର୍ଜି ଉଠି କହିଲା, "ଓ ମାଡାମ୍, କୋଉଠୁ ଆସିଲେ ଆପଣ ? ଆମ ଅଫିସରେ ଠିଆ ହେଇ ଆମ ଏମ୍ପ୍ଲୟୀଙ୍କୁ ମିସବିହେବ୍ କରୁଛନ୍ତି ! ବହୁତ ସାହସ ତ ଆପଣଙ୍କର ! ଭଲରେ ଭଲରେ ଏଠୁ ଯିବେ ନା ଆମେ ସିକ୍ୟୁରିଟିକୁ ଡାକିବୁ ?"

ଦିବ୍ୟାକୁ ଚୁପ୍ ହେଇଯିବାକୁ କହି ସୁକନ୍ୟା ସେ ମହିଳାଙ୍କୁ ଧୀର ଗଳାରେ କହିଲା, "ମୋ ବିଷୟରେ ଆପଣଙ୍କର ବୋଧହୁଏ କୌଣସି ଭୁଲ ଧାରଣା ରହିଛି । ଆପଣ ପ୍ରଥମେ କୁହନ୍ତୁ ତ ଆପଣ କେଉଁ ଉଦ୍ଦେଶ୍ୟରେ ମୋ ପାଖକୁ ଆସିଛନ୍ତି ?"

ଏଥର ସେ ମହିଳା ଜଣଙ୍କ ତାତ୍ସଲ୍ୟ କଲା ଭଳି ହସିଦେଇ କହିଲେ, "ଆଜି ପର୍ଯ୍ୟନ୍ତ କୌଣସି ସମ୍ବନ୍ଧରେ ଭୁଲ ଧାରଣାକୁ ରଖି ମୁଁ ଯୁକ୍ତି କରିବାକୁ ଯାଇନାହିଁ କି ଅଭିଯୋଗ କରିବାକୁ ଯାଇନାହିଁ । ମୋର ଧାରଣା ସତ୍ୟ ଓ ପ୍ରମାଣ ଭିତ୍ତିକ । ମୁଁ ଏଠିକୁ ଆସିବାର ଉଦ୍ଦେଶ୍ୟ ହେଉଛି ମୁଁ ଦେବାଞ୍ଜନଙ୍କର ଲିଗାଲି ୱେଡେଡ୍ ୱାଇଫ୍ ।"

(କ୍ରମଶଃ...)
ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୩୯)