ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୩୯)

ନୂଆ ପ୍ରଜନ୍ମର କଥାକାର ଲୋପାମୁଦ୍ରା ମିଶ୍ରଙ୍କ ଉପନ୍ୟାସ "ଚିତ୍ରଲିପି" ଧାରାବାହିକ ଭାବେ ପ୍ରକାଶ ପାଉଛି । ପ୍ରତିଦିନ ଏହି ଉପନ୍ୟାସର ଏକ ଏକ ଅଧ୍ୟାୟ ଆପଣମାନେ "ବାଟୋଇ"ରେ ପଢୁଛନ୍ତି ।


(ପୂର୍ବ ପ୍ରକାଶିତ ଉତ୍ତାରୁ)

ମୋନାଲି ଥିଲା ବାଙ୍ଗାଲୋରରେ, ଲଳିତ୍ ସହ । ସେମାନେ ମ୍ୟାରେଜ୍ ରେଜିଷ୍ଟ୍ରେସନ୍ କରିନେଇଥିଲେ । ଲଳିତ ବାଙ୍ଗାଲୋରରେ ଏକ ପ୍ରତିଷ୍ଠିତ କମ୍ପାନୀରେ ଉଚ୍ଚପଦସ୍ଥ କର୍ମଚାରୀ ଭାବେ ଯୋଗ ଦେଇଥିଲା । ମୋନାଲିର ଘରଲୋକ ମୋନାଲି ଓ ଲଳିତଙ୍କ ସମ୍ବନ୍ଧକୁ ସ୍ୱୀକାର ନକରିବାରୁ ମୋନାଲି ବାଧ୍ୟ ହୋଇ ଘରୁ ଲୁଚି ପଳେଇ ଆସିଥିଲା ଲଳିତ ସହ ।

ମହୀଶୂରରୁ ବାଙ୍ଗାଲୋରରେ ମୋନାଲି ରହୁଥିବା ଜାଗାର ଦୂରତା ୧୪୩ ରୁ ୧୪୫ କିଲୋମିଟର । କିନ୍ତୁ ଏତେ ମାସ ଭିତରେ ସୁକନ୍ୟା ଥରଟେ ବି ମୋନାଲିକୁ ଭେଟିବାକୁ ଫୁରସତ ପାଇନାହିଁ । ଲଳିତ୍ ଓ ମୋନାଲି ମଧ୍ୟ ନୂଆ ଘର ବସେଇବାର ବ୍ୟସ୍ତତା ଭିତରେ ସୁକନ୍ୟାକୁ ଭେଟିବାକୁ ଯାଇ ପାରିନାହାଁନ୍ତି । ସୁକନ୍ୟାର ଟ୍ରେନିଂ ସରିବାର ସମୟ ନିକଟତର ହେଉଥିଲା । ମୋନାଲିକୁ ସୁକନ୍ୟା ଜଣାଇଲା । ମୋନାଲି ବ୍ୟସ୍ତ ହେଲା ସୁକନ୍ୟାକୁ ଭେଟିବାକୁ । ସେହି ସପ୍ତାହ ଶନିବାର ଦିନ ଟ୍ରେନିଂ ସାରି ସୁକନ୍ୟା ମୋନାଲିକୁ ଭେଟିବାକୁ ବାହାରିଲା ।

ମୋନାଲି ଅନେକ ବଦଳିଯାଇଛି । ସୁକନ୍ୟା ବି ଆଉ ଆଗ ଭଳି ନାହିଁ । ମୋନାଲିର ବେଶଭୂଷାରେ ଏକ ସମ୍ଭ୍ରାନ୍ତପଣ ବାରି ହେଇଯାଉଛି । କଥାବାର୍ତ୍ତା ମଧ୍ୟ ମାପିଚୁପି କରୁଛି ମୋନାଲି । ନିଜର ଛୋଟିଆ ଫ୍ଲାଟ୍ ଘରଟିକୁ ବେଶ୍ ସୁନ୍ଦର କରି ସଜେଇଛି । ସେ ନିଜର କଥାବାର୍ତ୍ତା କରିବାର ଶୈଳୀ ମଧ୍ୟ ସାମାନ୍ୟ ବଦଳେଇ ଦେଇଛି । ସୁକନ୍ୟା ମୋନାଲିର ଆଖି ଦେଖି ସ୍ପଷ୍ଟ ପଢିପାରୁଥିଲା ସେ ଦୁଇ ଆଖିରେ ଏବେ ଆତ୍ମବିଶ୍ୱାସ ସହ ଆତ୍ମବଡିମା ଓ ଅହଂକାରର ଚିହ୍ନମାନ ଉଙ୍କି ମାରୁଛନ୍ତି ।

କଥାବାର୍ତ୍ତା ଭିତରେ ମୋନାଲି ସୁକନ୍ୟାକୁ ତନ୍ମୟ ବିଷୟରେ ପଚାରିଲା । ତନ୍ମୟର ନାଁ ଶୁଣି ସୁକନ୍ୟାର ଛାତିରେ ଏକ ପୁରୁଣା ଯନ୍ତ୍ରଣା ରୁଗ୍ ରୁଗ୍ ହେଇ ଜଳିବାକୁ ଲାଗିଲା । ଆଖିରୁ ଗଡି ଆସୁଥିବା ଦୁଇ ଟୋପା ଲୁହକୁ ଲୁଚେଇବାକୁ ସେ ମୋନାଲିର ଘର କାନ୍ଥ ଆଡ଼େ ଦେଖିଲା । କାନ୍ଥରେ ଝୁଲୁଛି ମୋନାଲି ଓ ଲଳିତଙ୍କର ଏକ ବିରାଟ ଯୁଗଳ ଫୋଟୋ । ସେ ଫୋଟୋ ପାଖରେ ସୁକନ୍ୟାର ଆଖି ଅଟକିଗଲା । ତାର ମନେ ପଡ଼ିଲା ସେ ଦିନେ ଲଳିତକୁ ଦେଖି ମନେ ମନେ କହିଥିଲା, "ଏ ଲଳିତ ମୋ ତନ୍ମୟ ଭଳି କେବେ ହେଇପାରିବନି । ମୋ ତନ୍ମୟ ବହୁତ ଟ୍ୟାଲେଣ୍ଟେଡ୍, ମେଡିକାଲ୍ ସ୍ଟୁଡେଣ୍ଟ୍" । ସୁକନ୍ୟା ଏବେ ନିଜର ସେ ଅପରିପକ୍ୱତା ପାଇଁ ଲଜ୍ଜିତ ହେଲା । ସୁକନ୍ୟାର ଅନ୍ୟମନସ୍କତା ଦେଖି ମୋନାଲି ପଚାରିଲା, "କୋଉଠି ହଜିଗଲୁ ? କେମିତି ଅଛନ୍ତି ଆମ ଡାକ୍ତରବାବୁ ? ବାହା କେବେ ହେଉଛ ତୁମେ ?"

ସୁକନ୍ୟା ଗମ୍ଭୀର ହେଇ କହିଲା, "ସବୁ ପ୍ରେମର ଶେଷ ପରିଣତି ବିବାହ ହେଇନଥାଏ ମୋନାଲି । କିଛି ପ୍ରେମକୁ ଆଖିର ଲୁହରେ ଭସେଇ ବିଦାୟ ଦିଆଯାଏ । କିଛି ପ୍ରେମକୁ ଚାପୁଡ଼ା ମାରି ହୃଦୟରୁ ହଟେଇବାକୁ ହୁଏ । ଆଉ କିଛି ଅପ୍ରେମ ମଧ୍ୟ ରହିଯାଇଥାଏ, ଜାଣୁ ସେ ଅପ୍ରେମ ସହ କ'ଣ କରାଯାଏ ? ସେ ଅପ୍ରେମକୁ କେବଳ ଅଣଦେଖା ହିଁ କରାଯାଇପାରେ । ତେଣୁ ମୁଁ ଜାଣେନି ସେ ତନ୍ମୟ ଏବେ କୋଉଠି ଓ କ'ଣ କରେ" ।

ମୋନାଲି ଆଶ୍ଚର୍ଯ୍ୟ ହୋଇ ସୁକନ୍ୟାର କଥା ଶୁଣୁଥିଲା । ଶୁଣିସାରି କହିଲା, "ତୁ କ'ଣ କହିଲୁ ମୁଁ କିଛି ବୁଝିପାରିଲିନି । ତୁ ସେ କବି, କ'ଣ ତ ତାଙ୍କ ନାଁ ? ହଁ, ପ୍ରୀତମ୍, ସେହି ପ୍ରୀତମଙ୍କ ସହ ମିଶି ଏସବୁ ଡାଏଲଗ୍ ମାରିଲୁଣି । କିରେ ତନ୍ମୟ ସହ ବ୍ରେକଅପ୍ କରିଦେଲୁ ନା କ'ଣ ?"

ସୁକନ୍ୟା ହସି ହସି କହିଲା, "ଆରେ ଗୋଟେ ଜମାନା ହେଲାଣି ମୁଁ ସେ ସୁକନ୍ୟାରୁ ବାହାରି ନୂଆ ସୁକନ୍ୟା ହେବାକୁ । ସେ ପୁରୁଣା ଲୋକଗୁଡ଼ାଙ୍କୁ ଆଉ ମନେ ପକାନା" ।

"ତାହେଲେ ମୁଁ ବି ତ ସେହି ପୁରୁଣା ଲୋକ । ମୋତେ ବି ତାହେଲେ ତୁ ଭୁଲି ଯାଇଥିଲୁ ବୋଧେ?", ମୋନାଲି ପଚାରିଲା ।

ସୁକନ୍ୟା ମୋନାଲିର ପାଖକୁ ଘୁଞ୍ଚି ଆସି ତା ଗାଲକୁ ହାତରେ ଚିପି ଦେଇ କହିଲା, "ହଁ ତୁ ଏବେ ଆଉ ଗୋଟେ ନୂଆ ମୋନାଲି । କିନ୍ତୁ ମୁଁ ମୋର ପୁରୁଣା ମୋନାଲିକୁ ବି ତୋ ଭିତରେ ଦେଖି ପାରୁଛି । "

ସୁକନ୍ୟା ସେଦିନ ମୋନାଲିର ଘରେ ରହିଲା । ପରଦିନ ରବିବାର । ସେମାନେ ବାଙ୍ଗାଲୋର ପାଖାପାଖି କିଛି ଜାଗା ବୁଲାବୁଲି କଲେ ଓ ସେହିଦିନ ଲଞ୍ଚ୍ ପରେ ସୁକନ୍ୟା ନିଜ ଜାଗାକୁ ଫେରି ଆସିଲା ।

ଟ୍ରେନିଂ ପରେ ସୁକନ୍ୟା ଫେରିଲା ଓଡିଶା । ସ୍ନେହା ସୁକନ୍ୟାକୁ ଦେଖି ବିଶେଷ ଖୁସି ହେଉନଥିଲେ । ସେ ବ୍ୟସ୍ତ ରହୁଥିଲେ ନିଜ କାମରେ । କଟକରେ ସ୍ନେହାଙ୍କର ଜାଗା କିଣା ସରି ସେଠି ଘର ତିଆରି ଚାଲିଥିଲା । ଦୀପୁର ପରୀକ୍ଷା ଫଳ ବାହାରିବାର ଥିଲା । ସୁବ୍ରତ ଘରର କୌଣସି କଥା ଆଉ ବୁଝୁନଥିଲେ କି ଘରକୁ ବିଲକୁଲ ଆସୁନଥିଲେ । ମାଧବୀ ଚାକିରୀ ଛାଡ଼ି ଚାଲିଯିବାକୁ ପ୍ରସ୍ତୁତ ହେଉଥିଲେ ।

ସୁକନ୍ୟା ଘରକୁ ଫେରି ସର୍ବପ୍ରଥମେ ଗଲା ବିକିକୁ ଭେଟିବାକୁ । ସ୍ନେହା ସୁକନ୍ୟାକୁ କିଛି ପଚାରିଲେନାହିଁ, ସେ କୁଆଡ଼େ ଯାଇଥିଲା ଓ କାହା ପାଖକୁ ଯାଇଥିଲା । ସୁକନ୍ୟାକୁ ସ୍ନେହାଙ୍କର ଏ ପରିବର୍ତ୍ତିତ ବ୍ୟବହାର ଚକିତ କରୁଥିଲା । ସେ ମାଧବୀଙ୍କୁ ପଚାରିଲା, "ମାଉସୀ ତୁମେ କାହିଁକି ଚାଲିଯିବାକୁ ଚାହୁଁଛ ? କଲ୍ଲୋଳ ଭାଇଙ୍କ ସହ ତ ତୁମେ ରହିପାରିବନି । ତେବେ ତୁମେ ରହିବ କୋଉଠି ଏଠୁ ଗଲେ ? "

ମାଧବୀ କହିଲେ, "ସୁକମାଆ, ଏ ଭିତରେ ଅନେକ କିଛି ବଦଳି ଯାଇଛି । ମୁଁ ଆଉ ଏଠି ରହିବାକୁ ଚାହୁଁନି । ଜାଣିଛ, କଲ୍ଲୋଳର ବାପା ଚାଲିଗଲେ ହୃଦଘାତରେ । ମୋର ସେଥିପାଇଁ ଟିକେ ବି ଦୁଃଖ ନାହିଁ । କଲ୍ଲୋଳ ଏବେ ଚାହୁଁଛି ମୋତେ ସେ ଘରକୁ ଫେରେଇନେବାକୁ । ମୀନା (କଲ୍ଲୋଳର ସାନମାଆ) ବି ଚାହୁଁଛି ମୁଁ ସେ ଘରକୁ ଫେରିଯାଏ । କିନ୍ତୁ ମୁଁ ସେ ଘରକୁ କେବେ ବି ଫେରିବିନି । ସେଇଟା କିଶୋରର ଘର ଥିଲା । ମୁଁ ତ ବିଜୟଙ୍କର ପତ୍ନୀ, ମୋର ସେ ଘରେ କେବଳ ମୀନାର ଅଧିକାର । ଏଇକଥା କହିଲାରୁ ମୀନା କାନ୍ଦିଲା । କଲ୍ଲୋଳ ଯେଉଁ ଝିଅକୁ ବାହା ହେଉଛି, ତାକୁ ନେଇ ସେ ଏଠିକୁ ଆସିଥିଲା । ସେ ଝିଅ କହିଲା ମୁଁ ଯଦି ନଫେରେ ସେ ଓ କଲ୍ଲୋଳ ବାହା ହେବେ ନାହିଁ । ମୁଁ ଆଉ କଣ କରିଥାନ୍ତି ? ମୋତେ ଏ ଘର ଛାଡ଼ି ଯିବାକୁ ହିଁ ହେବ" ।

"କିନ୍ତୁ ତୁମେ ତ କହୁଥିଲ ନା ସେ ଘରକୁ ଫେରିବନି?", ସୁକନ୍ୟା ପଚାରିଲା ।

"ହଁ, ସେ ଘରକୁ ମୁଁ ଫେରିବିନି । କଲ୍ଲୋଳ ନୂଆ ଘର ତିଆରି କରିଛି । ପ୍ରତିଷ୍ଠା ହେବ ଖୁବ୍ ଶୀଘ୍ର । ଆମେ ସମସ୍ତେ ସେହି ଘରେ ରହିବୁ । କଲ୍ଲୋଳ କହିଲା - ଯେଉଁ ଘରେ ମୋ ମାଆ ସହ ଏତେ ବଡ଼ ଅନ୍ୟାୟ ହେଇଛି ସେ ଘର ବି ମୋ ପାଇଁ ନର୍କ", କହିସାରି ମାଧବୀ ନିଜ ଆଖିକୁ କାନିରେ ପୋଛିଲେ ।

ସୁକନ୍ୟା କିଛି ସମୟ ଚୁପ୍ ରହିଲା ପରେ ପଚାରିଲା,"ମମି କ'ଣ କହୁଛନ୍ତି ? "

"ସେ କ'ଣ କହିବେ ? ସେ ତ ଏବେ ସବୁବେଳେ ବ୍ୟସ୍ତତା ଭିତରେ ରହୁଛନ୍ତି । ଅଫିସ୍,ଦୀପୁ ବାବୁଙ୍କ ପଢ଼ାପଢି ଓ ନୂଆ ଘର ତିଆରି ଏସବୁ କଥା ବୁଝୁ ବୁଝୁ ତାଙ୍କୁ ଫୁରସତ ମିଳୁନି ଟିକେ ବସିବାକୁ । ଆଉ ହଁ, ତୁମ ବାପାଙ୍କ ସହ ତାଙ୍କର ଭୀଷଣ ଝଗଡା ହେଇଛି । ମୁଁ ତୁମକୁ ଗୋଟେ କଥା କହିବି କହିବି ହେଇ କହିପାରୁନଥିଲି । ଆଜି ସନ୍ଧ୍ୟାରେ ତୁମ ମମି ନୈନା ପାର୍ଲରକୁ ଯିବେ, ସେତିକି ବେଳେ ମୁଁ ତୁମକୁ ସବୁ କହିବି । ଏବେ ମୁଁ ଯାଉଛି ରୋଷେଇଟା ବସାଇଦିଏ", ମାଧବୀ ଏତିକି କହି ଚାଲିଗଲେ ରୋଷେଇ ଘର ଆଡ଼େ । ସୁକନ୍ୟା ମାଧବୀଙ୍କ ଆଡ଼େ ଦେଖି ମାଧବୀଙ୍କ ଭବିଷ୍ୟତର ପୁଅ, ବୋହୂ, ନାତି ନାତୁଣୀରେ ଭରପୁର ସୁନ୍ଦର ସଂସାର କଥା ଭାବିବାକୁ ଲାଗିଲା ଓ କିଛି ସମୟ ଛାଡ଼ି ଏ ଘରେ ମାଧବୀଙ୍କ ସହ ବିତେଇ ଥିବା ନିଜର ପୁରୁଣା ସ୍ମୃତି କିଛି ମନେପକାଇ ଆଖିରୁ ଲୁହ ଟିକେ ଝରେଇ ପକାଇଲା ।

ଦୀପୁ ପରୀକ୍ଷା ପରେ କୋଚିଂ ପାଇଁ କଟକରେ ରହୁଥିଲା । ଏଣ୍ଟ୍ରାନ୍ସ୍ ପରୀକ୍ଷା ଦେଇସାରି ଫେରିବ ତିନି ଦିନ ପରେ । ସୁକନ୍ୟା ଦୀପୁକୁ ଭେଟିବାକୁ ଅନେଇ ବସିଥିଲା । ଦୀପୁ ଶୀଘ୍ର ଆସିଲେ ତା ସହ ସୁକନ୍ୟା ଖୁବ୍ ଗପିବ । ସେହି କଥା ସ୍ନେହାଙ୍କୁ କହିଲାରୁ ସ୍ନେହା କହିଲେ,"ବିକିଠାରୁ କ'ଣ ଦୀପୁ ତୋ ପାଇଁ ବେଶି ବଡ଼ ? ବିକି ତୋର ନିଜର ଭାଇ ବୋଲି ସିନା ତାକୁ ଭେଟିଲୁ । ଦୀପୁ କ'ଣ ତୋ ନିଜ ଭାଇ କି ?"

ସ୍ନେହାଙ୍କ କଥା ଚାଉଁକରି ସୁକନ୍ୟାର ଛାତିରେ ଲାଗିଗଲା । ସେ କିଛି ଉତ୍ତର ଫେରେଇଲା ନାହିଁ । କିନ୍ତୁ ମନେ ମନେ ଭାବିଲା, "ସତରେ ମୁଁ ଦୀପୁଠୁ ବହୁତ ଦୂରେଇ ଯାଉଛି । ଦୀପୁ ପ୍ରତି ଅନ୍ୟାୟ କରୁଛି " ।

ସନ୍ଧ୍ୟାରେ ସ୍ନେହା ପାର୍ଲର୍ ବାହାରିଗଲେ । ମାଧବୀ ଦୁଇ କପ୍ ଚା' ଧରି ଆସି ସୁକନ୍ୟାର ରୁମ୍ ରେ ବସିଲେ ।

ସୁକନ୍ୟା ଚା' କପ୍ ଉଠେଇଲା । ଚା'ରୁ ଗୋଟେ ଢ଼ୋକ ନେଇ କହିଲା, "ମାଉସୀ ତୁମ ହାତ ତିଆରି ଚା'କୁ ମୁଁ ବହୁତ ମିସ୍ କରୁଥିଲି । ମୋର ଚା' ଅଭ୍ୟାସଟା ତୁମର ଏଇ ଟେଷ୍ଟି ଚା' ପାଇଁ ହିଁ ହେଲା । ତୁମେ ତ ପଳେଇବ, ଆଉ କିଏ ଏତେ ଟେଷ୍ଟି ବନେଇ ଆମକୁ ଦେବ ?"

ମାଧବୀ ହସି ହସି କହିଲେ, "ତୁମେ ବି କୋଉ ଆଉ ଆଗ ଭଳି ଘରକୁ ଆସୁଛ ଯେ ? ତୁମ ମମି ବି ତ କଟକ ଚାଲିଯିବେ । ନିଜ ଘରେ ରହିବେ । ତାଙ୍କର ବଦଳି ବିଷୟରେ ସେ ବୁଝା ବୁଝି କରୁଛନ୍ତି । "

ମାଧବୀଙ୍କ କଥା ସରିନି ସୁକନ୍ୟା କଥା ଛଡ଼େଇ ନେଇ ପଚାରିଲା, "ମାଉସୀ ତୁମେ ଗୋଟେ କଣ କହିବ କହୁଥିଲ ପା ? କୁହ ଏବେ ?"

ମାଧବୀ ଚା' କପ୍ ଟା ଧରି ଟିକେ ଡ୍ରଇଂରୁମ୍ ଆଡ଼େ ଚାଲିଗଲେ ଓ ଫେରିଆସି କହିଲେ, "ସୁକମା, ତୁମ ମମି ତୁମ ନାଁରେ ତୁମ ଗାଁରେ ଥିବା କିଛି ଜମିକୁ ବିକ୍ରି କରିଦେଇ ସେ ଜାଗା କଟକରେ କିଣିଛନ୍ତି । ସେ ଯେଉଁ ସ୍ତ୍ରୀଲୋକ ବାରମ୍ବାର ତୁମ ମମିଙ୍କୁ ଫୋନ୍ କରେ, ସେ ତୁମର ଗୋଟେ କିଛି ହେବ । ତାଙ୍କ ନାଁଟା କ'ଣ ତ.. ହଁ, ବିନୋଦିନୀ । ସେ ହିଁ ସେ ଜମି ବିକ୍ରି କରେଇଛି । ଅଧା ଟଙ୍କା ବୋଧେ ସେ ରଖିଛି । ଅଧା ତୁମ ମମି ଆଣିଛନ୍ତି । ଖୁବ୍ ବଡ଼ ଗୋଟେ ସମ୍ପତ୍ତି ଥିଲା ତୁମ ନାଁରେ । ମୁଁ ନିଜେ ଶୁଣିଛି । ତୁମ ବାପା ଏସବୁ କଥା କିଛି ଜାଣନ୍ତିନି । ତୁମ ବାପାଙ୍କୁ ବିନୋଦିନୀ ଆଉ ତୁମ ମମି ଡକେଇଥିଲେ କିଛି ଗୋଟେ ଦସ୍ତଖତ ପାଇଁ । ତୁମ ବାପା କହିଲେ -"ଯଦି ମୋ ଝିଅକୁ କିଛି ଭାଗ ନମିଳେ ତାହେଲେ ମୋର ସେ କଥାରେ ଆଦୌ ପଶିବାର ନାହିଁ । ସୁକନ୍ୟାକୁ ଯଦି କିଛି ମିଳିବ କୁହ, ତାହେଲେ ମୁଁ ଯିବି" । ସୁକମା, ଏମାନେ ଦୁଇଜଣ ପୁଣି କଥାବାର୍ତ୍ତା ହେଲେ ଯେ ସୁବ୍ରତ ବାବୁଙ୍କୁ କିଛି ଜଣେଇବେ ନାହିଁ । ଜମି ବିକ୍ରି କରିଦେଲେ । ମୋତେ ଲାଗୁଛି ଜମି ବୋଧେ ତୁମ ଜେଜେ ତୁମ ନାଁରେ ରଖିଥିଲେ । ଦୀପୁବାବୁଙ୍କୁ କିଛି ମିଳିବାର ନଥିଲା, ସେଥିପାଇଁ ବୋଧେ ତୁମ ମମି ଏମିତି କଲେ" ।

ମାଧବୀଙ୍କ କଥା ସୁକନ୍ୟା ଚୁପଚାପ୍ ଶୁଣୁଥିଲା । ମାଧବୀଙ୍କ କଥା ଶେଷ ହେବାରୁ ସୁକନ୍ୟା ଚଟାପଟ କହି ପକାଇଲା, "ମାଉସୀ ସେ ଜମି ମୋ ଜେଜେ ନୁହଁ, ମୋ ଆଈଙ୍କର । ମୋ ମାଆ ଭାଗର ଜମି ସେଇଟା ଥିଲା । ମାଆ ପରେ ମୋତେ ମିଳିବାର ଥିଲା । "

ମାଧବୀ ଆଶ୍ଚର୍ଯ୍ୟ ହେଇ କହିଲେ, "କ'ଣ ? ଜମି ସ୍ନେହା ଦିଦିଙ୍କର ଥିଲା ? କିନ୍ତୁ ସେଇଟା ତ ତୁମ ଜେଜେଙ୍କ ଘର ପାଖରେ ଥିଲା!"

ସୁକନ୍ୟା ଗମ୍ଭୀର ହେଇ କହିଲା, "ହଁ ମୋ ଆଈଙ୍କ ଘର ଏବଂ ମୋ ଜେଜେଙ୍କ ଘର ପାଖରେ । ସେ ଜମି ସ୍ନେହା ଦିଦିଙ୍କର ନୁହେଁ ମୋ ମାଆ ମନ୍ଦାକିନୀଙ୍କର ଥିଲା । ସ୍ନେହା ଦିଦି ମୋ ନିଜ ମାଆ ନୁହଁନ୍ତି, ସେ ତାହା ପ୍ରମାଣ କରି ଦେଖେଇ ଦେଲେ । " ମାଧବୀ ଆଶ୍ଚର୍ଯ୍ୟ ହେଇ କହିଲେ, "ସୁକମା, କ'ଣ କହୁଛ ତୁମେ ?"

ସୁକନ୍ୟା କହିଲା, "ମାଉସୀ ମୁଁ ଯାହା କହୁଛି, ସବୁ ସତ କହୁଛି । ମମି ଜାଣିନାହାଁନ୍ତି ଯେ ମୁଁ ଜାଣିଯାଇଛି ସେ ମୋ ନିଜ ମମି ନୁହଁନ୍ତି ବୋଲି । ମାଉସୀ ମୋ ନିଜ ମମି ମୋତେ ଜନ୍ମ ଦେଇସାରି ମରିଯାଇଥିଲେ । ଏଇ ମମି ମୋ ବାପାଙ୍କର ଦ୍ୱିତୀୟ ପତ୍ନୀ ହେଇ ଆସି ମୋତେ ପାଳିଲେ । ସେ ବହୁତ ଲମ୍ବା କାହାଣୀ ମାଉସୀ । ତୁମକୁ କେବେ ଫୁରସତରେ କହିବି । କିନ୍ତୁ ଆଜି ମମି ଫେରିଲେ ତାଙ୍କଠାରୁ ତାଙ୍କ ନୂଆ ଜାଗାର ହିସାବ ନିଶ୍ଚୟ ମାଗିବି ।"

ସେଦିନ ରାତିରେ ଖାଇ ସାରିଲା ପରେ ସୁକନ୍ୟା ସ୍ନେହାଙ୍କୁ ତାଙ୍କ ନୂଆ ଜମି ଓ ଘର ତିଆରି ଖର୍ଚ୍ଚର ହିସାବ ମାଗିଲା । ସ୍ନେହା କହିଲେ, "ତୋର ସେସବୁରେ ମୁଣ୍ଡ ଖେଳେଇବା କ'ଣ ଦର୍କାର ? ମୁଁ ଲୋନ୍ କରି ବଡ଼ କଷ୍ଟରେ ଜାଗା ବକଟେ କିଣିଛି, ଆମ ସମସ୍ତଙ୍କ ପାଇଁ । ତୋ ବାହାଘର ମୁଁ ମୋ ନିଜ ଘରେ କରେଇବି, କୋଉ ଭଡ଼ାଘର କି ସରକାରୀ କ୍ୱାର୍ଟର୍ସରେ ନୁହେଁ ।"

ସୁକନ୍ୟା ଜାଣିଗଲା ସ୍ନେହା ତାକୁ ବାହାଘର କଥା କହି କଥାର ମୋଡ଼ ବଦଳେଇବାକୁ ଚେଷ୍ଟା କରୁଛନ୍ତି । ତେଣୁ ସୁକନ୍ୟା ତା'ର ପ୍ରଶ୍ନକୁ ଆଉଥରେ ଦୋହରେଇଲା - ମମି, ତୁମେ ସେ ବେକାର ବାହାଘର ଫାଘର କଥା କୁହନି । ତୁମେ ମୋତେ କୁହ, ତୁମେ ଏତେ ଟଙ୍କା ଲୋନ୍ କୋଉଠୁ ଆଣିଲ ? ଆଉ ଲୋନ୍ ଯଦି ଆଣିବାର ଥିଲା ମୋତେ ପଢେଇଲାବେଳେ କାହିଁକି ଆଣୁନଥିଲ ? ସେତେବେଳେ କାହିଁକି ବାପାଙ୍କ ଉପରେ ଚାପ ପକାଉଥିଲ ?"

ସ୍ନେହା ଉତ୍ୟକ୍ତ ହୋଇଯାଇ କହିଲେ, "କ'ଣ ଗୋଟେ ଚାକିରୀ ପାଇଗଲୁ ବୋଲି ତୋର ଡେଣା ବାହାରି ପଡ଼ିଲା ନାହିଁ ! ଆରେ ମୋର ଏତେ ଦିନର ଚାକିରୀ ଥିଲା, ମୋର କ'ଣ ସେଭିଂସ୍ ନଥିଲା ନା କ'ଣ ? ନା ମୋତେ ଋଣ ଦେବା ପାଇଁ କୌଣସି ବ୍ୟାଙ୍କ୍ ନାହିଁ ? ମୋତେ ତୁ ହିସାବ ମାଗୁଛୁ ? ତୋର ଏତେ ସାହସ ? ତୋତେ ଖୁଏଇ, ପିଏଇ, ପଢ଼େଇ, ଲେଖେଇ ଛୋଟରୁ ବଡ଼ କଲି ତ, ଏବେ ହିସାବ ନମାଗିବୁ କେମିତି ?"

ସୁକନ୍ୟା ବି ରାଗିଯାଇ ବଡ଼ ପାଟି କରି କହିଲା, "ହଁ, ମମି ସେହି ଖୁଆଇବା ପିଆଇବାର ହିସାବ ତୁମେ କରିନେଲ, ନୁହେଁ ? ବାଃ, କି ସୁନ୍ଦର ହିସାବ ତୁମେ ଲଗେଇଲ ! ସତରେ ମମି ତୁମର ଜବାବ ନାହିଁ" ।

ସୁକନ୍ୟାର କଥା ଶୁଣି ସ୍ନେହାଙ୍କ ମୁଣ୍ଡ ଗୋଳମାଳ ହେଇଗଲା । ସେ କଣ କହିବେ କିଛି ଚିନ୍ତା କରି ନପାରି ଟିକେ ରହିଯାଇ କହିଲେ, "କ'ଣ ଜାଣିବାକୁ ଚାହୁଁଛୁ ତୁ ? କ'ଣ ତୋର ଉଦ୍ଦେଶ୍ୟ ?"

ସୁକନ୍ୟା ଏଥର ଶାନ୍ତ ହେଇ କହିଲା, "ମମି ଯେଉଁ ଜାଗାଟାକୁ ତୁମେ ବିନୋଦିନୀ ସହ ମିଶି ବିକ୍ରି କରିଦେଲ, ସେ ଜାଗାଟା କେବଳ ବିନୋଦିନୀର ନଥିଲା, ସେଥିରେ ମନ୍ଦାକିନୀଙ୍କର ବି ଭାଗ ଥିଲା । ତୁମେ ମନ୍ଦାକିନୀଙ୍କ ଝିଅକୁ ଖୁଏଇ ପିଏଇ ବଡ଼ କରିଥିଲ ନା ! ତା'ରି ହିସାବ କରିନେଲ, ନୁହେଁ ? ତୁମ ସହିତ ତାହେଲେ ମୋର ଆଉ କି ସମ୍ପର୍କ ରହିଲା ମମି ?"

ସ୍ନେହା ଏକଦମ୍ ଚୁପ୍ ହେଇଗଲେ । ମୁଣ୍ଡକୁ ଦୁଇ ହାତରେ ଜାବୁଡ଼ି ଧରି କିଛି ଗୋଟେ ଭାବିବାକୁ ଲାଗିଲେ । ସୁକନ୍ୟା ଉଠି ଯାଉଥିଲା । ସ୍ନେହା ତାକୁ ନାଁ ଧରି ଡ଼ାକି କହିଲେ, "ତୁ ମୋରି ଝିଅ । ହଁ ତୁ କେବଳ ମୋ ଝିଅ । ତୋତେ ମୋ ବିରୁଦ୍ଧରେ କେହି ମିଛ କହିଛି । ତୁ ବିଶ୍ୱାସ କର୍ ମୋତେ " ।

ବିଶ୍ୱାସ କରିବା କଥା ଶୁଣି ସୁକନ୍ୟା କହିଲା, "ତୁମେ ଏବେ ଯଦି ମୋତେ ସବୁ ହିସାବ ଦେଖେଇ ପାରିବ, ତାହେଲେ ମୁଁ ତୁମକୁ ବିଶ୍ୱାସ କରିବି ।"

ସ୍ନେହା ଏଥର ଖୁବ୍ ରାଗିଗଲେ । ବସିଥିବା ଜାଗାରୁ ଉଠିପଡ଼ି କହିଲେ, "କ'ଣ ଗୋଟେ ହିସାବ ହିସାବ ହେଉଛୁ ? ମୁଁ ଭାବିଥିଲି ମୁଁ ଯାହା ନିଷ୍ପତ୍ତି ନେଇଥିଲି ଠିକ୍ ନେଇଥିଲି । କିନ୍ତୁ ଏବେ ଭାବୁଛି ମୁଁ ମହାମୂର୍ଖ ଥିଲି । ତୋତେ ଯଦି ଲାଗୁଛି ତୋ ସହ ମୁଁ ଅନ୍ୟାୟ କରିଛି, ଯାଆ ପଳା ମୋ ଘରୁ । ଯିଏ ତୋତେ ନିଜର ଲାଗୁଛନ୍ତି, ପଳା ତାଙ୍କ ପାଖକୁ । ଯାଆ, ପଳା ମୋ ସାମ୍ନାରୁ " ।

ସ୍ନେହା ପୁଣି ବସିପଡ଼ି କାନ୍ଦିବାକୁ ଲାଗିଲେ । ସୁକନ୍ୟା ନିଜ ରୁମ୍ କୁ ଯାଇ ଭିତରୁ କବାଟ ବନ୍ଦ୍ କରିଦେଲା । ମାଧବୀ ସୁକନ୍ୟାର କବାଟ ବାଡେ଼ଇଲେ । ସେ ଖୋଲିଲାନି । ମାଧବୀ ସ୍ନେହାଙ୍କ ପାଖକୁ ଆସି ତାଙ୍କୁ ବୁଝେଇବାକୁ ଚେଷ୍ଟା କଲେ । ସ୍ନେହା ମାଧବୀଙ୍କୁ ମଧ୍ୟ ଗାଳି କଲେ । ମାଧବୀ ସେଠୁ ଉଠି ଚାଲିଗଲେ ।

ଦୀପୁର ଆସିବା ଦିନକୁ ଅପେକ୍ଷା ନକରି ସୁକନ୍ୟା ନିଜର ଜିନିଷପତ୍ର ରଖା ରଖି କରି ସକାଳୁ ବାହାରି ପଡ଼ିଲା । ସ୍ନେହା କିଛି କହିଲେନି । ମାଧବୀ ଅଟକାଇବାକୁ ଚେଷ୍ଟା କଲେ । ସୁକନ୍ୟା କହିଲା, "ମାଉସୀ ମୋ ଭଳି ତୁମେ ବି ଏ ଘରର ଦୁଇ ଦିନିଆଁ ଅତିଥି । ଅତିଥି ସବୁଦିନ ପାଇଁ ରହିପାରନ୍ତିନି । ମୋତେ ଯିବାକୁ ଦିଅ । "

"ତୁମେ ଏବେ କୁଆଡ଼େ ଯିବ ସୁକମା?", ମାଧବୀ ବ୍ୟସ୍ତ ହେଇ ପଚାରିଲେ ।

"ଆଜି କଟକରେ ରହିବି । କାଲି ଓଡିଶା ଛାଡ଼ିବି । ମୋର ପୋଷ୍ଟିଙ୍ଗ୍ ହାଇଦ୍ରାବାଦରେ ହେଇଛି । ପନ୍ଦର ଦିନ ଅଛି ଜଏନିଙ୍ଗ୍ କୁ । ସେଠି ମୋର ସାଙ୍ଗ ଜଣେ ମୋ ପାଇଁ ଘର ଦେଖିଛି । ଗଲେ ଘର ପାଇଁ ଦରକାରୀ ଜିନିଷ କିଣା କିଣି କରିବି । ମୋର ଅନେକ କାମ ଅଛି । ଏଠି ବସି ରହିଲେ କିଛି ହେବନି ।", ସୁକନ୍ୟା କହିଲା ଓ ଘରୁ ବାହାରିଗଲା ।

ଘରୁ ବାହାରିଲାବେଳେ ସୁକନ୍ୟାର ଆଖିରେ ଲୁହ ଜକେଇ ଆସୁଥିଲା । ଘର ସାମ୍ନାରେ ଥୁଆ ହେଇଥିବା ତା ସ୍କୁଟିଟାକୁ ଦେଖି ସୁକନ୍ୟାର ନିଜ ପୁରୁଣା ଦିନ କଥା ମନେ ପଡିଯାଉଥିଲା । ସେ ସ୍କୁଟିକୁ ଟିକେ ଆଉଁଷିଦେଲା ହାତରେ । ମାଧବୀ ଆସି ଠିଆ ହେଇଥିଲେ ଗେଟ୍ ପାଖରେ । ସୁକନ୍ୟା ନଇଁପଡ଼ି ମାଧବୀଙ୍କ ପାଦ ଛୁଇଁଲା । ମାଧବୀ କାନ୍ଦି ପକେଇଲେ । ସୁକନ୍ୟାର ଆଖିରୁ ବି ଟପ୍ ଟପ୍ ହେଇ ଦୁଇଟୋପା ଲୁହ ଖସି ପଡ଼ିଲା । ସେ ଆଉଥରେ ବୁଲିପଡି ଘରଟାକୁ ଦେଖିଲା । ବୁନିର ଘର ଆଡ଼େ ଦେଖିଲା । ସବୁଆଡେ ଟିକେ ଟିକେ ଆଖି ବୁଲେଇ ଆଣି ସିଧା ରାସ୍ତାରେ ଚାଲିଲା । କ୍ଷୀରୋଦ ବାବୁଙ୍କ କ୍ୱାର୍ଟର୍ସ ପାଖରେ ହେଇଛି, ପୁଣି ଥରେ ଅନେକ ଦିନ ପରେ ତାଙ୍କ ଘର ସାମ୍ନାରେ ସେ ପ୍ରତିମାଙ୍କ ଛାୟାକୁ ଦେଖିପାରିଲା । ସୁକନ୍ୟାକୁ ମନେ ହେଲା ପ୍ରତିମାଙ୍କର ଛାୟା ହସି ହସି ତାକୁ ବିଦାୟ ଦେଉଛନ୍ତି । ସୁକନ୍ୟା ଅଳ୍ପ ଟିକେ ହସିଲା, ଆଖିରୁ ଲୁହ ପୋଛିଲା ଓ ଆଗେଇ ଗଲା ।

ସେଦିନ ରାତିରେ କଟକରେ ବିକିର ଘରେ ରହିଲା ସୁକନ୍ୟା । ବିକି ସୁକନ୍ୟାକୁ ଅନେକ ବୁଝେଇଲା ସ୍ନେହାଙ୍କୁ ଫୋନ୍ କରି 'ସରି' କହିବା ପାଇଁ । ସୁକନ୍ୟା କିନ୍ତୁ ନିଜ ଜିଦରେ ଅଟଳ ଥିଲା । ସ୍ନେହା ବି ତାଙ୍କ ଆଡୁ ଫୋନ୍ କଲେନାହିଁ । ସୁବ୍ରତ ଫୋନ୍ କରିଥିଲେ ସୁକନ୍ୟାକୁ । ସୁକନ୍ୟା ସୁବ୍ରତଙ୍କ ଉପରେ ଖୁବ୍ ରାଗିଲା ଓ ରାଗିକରି କହିଲା, "ତୁମ ପରିବାର ସହ ଯାହା କିଛି ହେଇଛି ସବୁ ତୁମରି ପାଇଁ ହେଇଛି । ତୁମ ପ୍ରଥମ ପତ୍ନୀ ଆତ୍ମହତ୍ୟା କଲା, ତୁମରି ପାଇଁ । ତୁମର ଯଦି ଦାୟିତ୍ୱ ନେବାର କ୍ଷମତା ନଥିଲା ତାହେଲେ ତୁମେ ବାହା ହେଉଥିଲ କାହଁକି ? ତୁମେ କ'ଣ ସତରେ ଥରେ ବାହାହୋଇ ଜାଣି ପାରିଲନି ଯେ ତୁମେ କାହାର ସ୍ୱାମୀ ହେବାକୁ ଅଯୋଗ୍ୟ ବୋଲି ? ପୁଣି ଥରେ ବାହା ହେଇ ପଡ଼ିଲ କୋଉ ଖୁସିରେ ?"

ସୁବ୍ରତ ଲଜ୍ଜିତ ହେଉଥିଲେ । ତାଙ୍କୁ ଦିନେ ଏଭଳି ପ୍ରଶ୍ନର ସାମ୍ନା କରିବାକୁ ହେବ, ସେକଥା ସେ ଆଗରୁ ବିଲକୁଲ ଜାଣିନଥିଲେ, ତେଣୁ ସେ ପ୍ରସ୍ତୁତ ନଥିଲେ । ସେ ଶାନ୍ତ ଓ ଗମ୍ଭୀର ହୋଇ କହିଲେ, "ତୁ ଯେତେବେଳେ ସବୁ ଜାଣି ଯାଇଛୁ, ସେତେବେଳେ ଏଇଟା ବି ଶୁଣିଥିବୁ ସ୍ନେହାଙ୍କୁ ବାହା ହେବା ପାଇଁ ମୁଁ ପ୍ରସ୍ତାବ ଦେଇନଥିଲି । ସ୍ନେହା ନିଜ ଆଡୁ ମୋତେ ଆଉ ତୋତେ ଗ୍ରହଣ କରିବାକୁ ମୋତେ ଏକ ପ୍ରକାର ବାଧ୍ୟ କରିଥିଲେ । କେବଳ ତୋ ଖୁସି ପାଇଁ, ତୋରି ଭଲ ପାଇଁ....

ସୁକନ୍ୟାର କ୍ରୋଧ ଆଉ ଅଭିମାନ ତାକୁ ଧୀରେ ଧୀରେ ଖୁବ୍ କ୍ଲାନ୍ତ କରି ପକାଉଥିଲା । ସେ ଆଉ ବେଶି କିଛି ଯୁକ୍ତି ତର୍କ କରିବା ଅବସ୍ଥାରେ ନଥିଲା । ପାଟି କରି କରି ତା'ର ତଣ୍ଟି ବସି ଯାଇଥିଲା । ସ୍ୱର ତା'ର ଧିମା ହେଇ ଆସିଲା । ସେ ଧୀର କଣ୍ଠରେ କହିଲା,"ବାପା, ଢେର୍ ହେଇଗଲା ମୋର ଖୁସି । ମୋତେ ଆଉ ବେଶି ଖୁସି ଦରକାର ନାହିଁ । ମୋତେ ଏବେ ସେ ସମ୍ପର୍କମାନଙ୍କର ଅଡୁଆ ସୂତା ଭିତରୁ ମୁକ୍ତି ଦିଅ । ମୁଁ ଆଉ କାହା ପାଖକୁ ଫେରିବାକୁ ଚାହେଁନି । ମୁଁ ମୋ ନିଜର ହେଇ ବଞ୍ଚିବାକୁ ଚାହେଁ । ସେମାନେ ଶାନ୍ତିରେ ରୁହନ୍ତୁ, ତୁମେ ବି ଶାନ୍ତିରେ ରୁହ, ମୁଁ ବି ଶାନ୍ତିରେ ରହିବାକୁ ଚେଷ୍ଟା କରିବି । ଆମେମାନେ ଆଉ କେବେ ଏକାଠି ନହେଲେ ହିଁ ଶାନ୍ତି ପାଇପାରିବା " । ଏତିକି କହି ସୁକନ୍ୟା ନିଜ ଆଡୁ ଫୋନ୍ କାଟିଦେଲା ।

(କ୍ରମଶଃ...)

ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୩୮)