ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୩୮)

ନୂଆ ପ୍ରଜନ୍ମର କଥାକାର ଲୋପାମୁଦ୍ରା ମିଶ୍ରଙ୍କ ଉପନ୍ୟାସ "ଚିତ୍ରଲିପି" ଧାରାବାହିକ ଭାବେ ପ୍ରକାଶ ପାଉଛି । ପ୍ରତିଦିନ ଏହି ଉପନ୍ୟାସର ଏକ ଏକ ଅଧ୍ୟାୟ ଆପଣମାନେ "ବାଟୋଇ"ରେ ପଢୁଛନ୍ତି ।


(ପୂର୍ବ ପ୍ରକାଶିତ ଉତ୍ତାରୁ)

ସୌଭିକର ହାତରେ ବିକିର ସଦ୍ୟ ପ୍ରକାଶିତ ବହି ଥିଲା । ସୁକନ୍ୟା ବହି ଆଡ଼କୁ ଦେଖିଲାରୁ ସେ କହିଲା, "କବିତା କେବେ ପଢ଼େନି । ପ୍ରଚ୍ଛଦରେ ତୁମ ଚିତ୍ର ଅଛି, ସେଥିପାଇଁ କିଣିନେଲି । ତୁମ ଚିତ୍ରର ମୁଁ ଗୋଟେ ବଡ଼ ପ୍ରଶଂସକ । ତୁମର ଗୋଟେ ପେଣ୍ଟିଙ୍ଗ୍ କୁ ମୁଁ ଏକ୍ଜିବିସନ୍ ରୁ କିଣିଥିଲି । ସେତେବେଳେ ଜାଣିନଥିଲି ତୁମେ ହିଁ ଚିତ୍ରଲିପି । ସିମ୍ଫୋନି ତୁମ ଫଟୋ ଦେଖେଇଲା ଓ ତୁମ ନାଁ ମୋତେ କହିଲା । ତୁମକୁ ମୁଁ ଆଗରୁ ଦିନେ ଭେଟିଥିଲି ସେକଥା ମୋର ମନେ ଅଛି । ତୁମର ମନେ ଅଛି ?"

ବିକି ପାଖରେ ଠିଆ ହେଇଥିଲା । ସୁକନ୍ୟା ସୌଭିକକୁ କ'ଣ କହିବ କିଛି ଚିନ୍ତା କରି ପାରୁନଥିଲା । ଦୁଇ ତିନିଥର ଛେପ ଢ଼ୋକିଲା ପରେ କହିଲା, "ହଁ ସେଦିନ ମୁଁ ଆପଣଙ୍କୁ ମୋ ସାଙ୍ଗର ବୟଫ୍ରେଣ୍ଡ୍ ଭାବିନେଇଥିଲି । ସରି, ମୁଁ ଆପଣଙ୍କୁ ସେଦିନ କ୍ଷମା ବି ମାଗିପାରିଲିନି । ସେଦିନର ଭୁଲ ପାଇଁ କ୍ଷମା କରିଦେବେ ।"

ସୌଭିକ ହସିଲା ସୁକନ୍ୟାର କଥା ଶୁଣି । ହସି ହସି କହିଲା, "ତିନି ଚାରି ବର୍ଷ ପରେ କ୍ଷମା ମାଗୁଛ ?"

ସୁକନ୍ୟା କହିଲା, "ଏ ତ ଗୋଟେ ସଂଯୋଗ ଯେ ଆପଣ ସିମ୍ଫୋନିର ଭାଇ । ଆପଣ ସିମ୍ଫୋନିର ଭାଇ ହେଇନଥିଲେ ହୁଏତ କେବେ ବି କ୍ଷମା ମାଗିବାର ସୁଯୋଗ ମିଳିନଥାନ୍ତା ।"

ସୌଭିକ ଓ ସୁକନ୍ୟାଙ୍କ କଥାବାର୍ତ୍ତା ଭିତରକୁ ବିକି ପଶି ପାରୁନଥିଲା । ସେଠି ଠିଆ ହେଇ ରହିବାକୁ ତାକୁ ଅଡୁଆ ଲାଗିଲା । ତା ସହ କଥା ହେବାକୁ କିଛି ଜଣ ଅପେକ୍ଷା ମଧ୍ୟ କରିଥିଲେ । ସେଥିପାଇଁ ସେ ସୁକନ୍ୟାକୁ ଜଣାଇ ଟିକେ ଦୂରକୁ ଚାଲିଗଲା ।

ସୌଭିକ ଏଥର ଟିକେ ସହଜ ହେଇ କହିଲା, "ତୁମ ଅଟୋଗ୍ରାଫ ମୋର ଦର୍କାର ।"

ସୁକନ୍ୟା ହସିଲା, ଖୁବ୍ ହସିଲା ଓ କହିଲା, "ଠିକ ଅଛି । କୋଉଠି ଦେବି କୁହନ୍ତୁ ।"

ସୌଭିକ ରୁମାଲ୍ ଟେ ବଢ଼େଇଦେଲା । ରୁମାଲରେ ଛୋଟ ହୃଦୟର ଚିତ୍ରଟେ ଆଙ୍କି ସେଥିରେ 'ୱିଥ୍ ଲଭ୍, ଚିତ୍ରଲିପି' ଲେଖିଲା ସୁକନ୍ୟା । ରୁମାଲକୁ ସୌଭିକ ଆଡ଼କୁ ବଢ଼େଇ ଦେଉ ଦେଉ ସୁକନ୍ୟା ହସି ହସି କହିଲା, "ମନେ ରଖିଥାନ୍ତୁ ଇଏ ମୋର ପ୍ରଥମ ଅଟୋଗ୍ରାଫ୍, ଆଉ ବୋଧେ ଶେଷ ବି ।"

ସୌଭିକ ରୁମାଲଟା ପକେଟରେ ଭର୍ତ୍ତି କରୁ କରୁ କହିଲା, "ଶେଷ କେବେ ନୁହେଁ । ମୋ ପାଖରୁ ଯାହା ଆରମ୍ଭ ହୁଏ ସେଇଟି ମୋ ପାଖରେ କେବେ ଶେଷ ହୁଏନି । ମୁଁ ସତ କହୁଛି । ମୋ କଥା ବିଶ୍ୱାସ ନହେଲେ ସିମ୍ଫୋନିକୁ ପଚାରିପାରିବ ।

ସୌଭିକର କଥା ସୁକନ୍ୟାକୁ ଅଜବ ଲାଗିଲା । ତଥାପି ସେ ହସିଲା । ସୌଭିକ ସୁକନ୍ୟାକୁ ଜଣାଇଲା ତା'ର ଇଞ୍ଜିନିୟରିଂ ପଢ଼ା ସରିଲା ପରେ ସେ ଦିଲ୍ଲୀରେ କିଛି ବର୍ଷ ଚାକିରି କରୁଥିଲା । ଚାକିରି କରିବା ସହ କିଛି ସୋସିଆଲ୍ ୱାର୍କ୍ ମଧ୍ୟ କରେ । ସ୍ଲମ୍ ଏରିଆର ଛୋଟ ପିଲାଙ୍କୁ ମାଗଣାରେ ପାଠ ପଢ଼ାଏ ଓ ବହି, ଖାତା ଯୋଗାଇ ଦିଏ । ଏବେ ଦୁଇବର୍ଷ ହେବ ଦିଲ୍ଲୀରୁ ଆସି ରାଉରକେଲାରେ ଚାକିରି କରୁଛି । ତାଙ୍କର ନିଜର ବିରାଟ ବ୍ୟବସାୟ ଥିଲେ ମଧ୍ୟ ସେ ନିଜେ କିଛି କରିବାକୁ ଚାହୁଁଥିବାରୁ ବାପାଙ୍କ ବ୍ୟବସାୟରେ ମନ ନଦେଇ ଚାକିରି କରୁଛି ଓ ଏବେ ଏବେ ନିଜ ପ୍ରଚେଷ୍ଟାରେ ମାଆଙ୍କ ସହ ମିଶି ଅନାଥ ଶିଶୁ, ଦୁଃଖୀ, ଗରିବ ଓ ଅସହାୟ ମହିଳାଙ୍କ ପାଇଁ ଛୋଟ ଗୋଟେ ସଂସ୍ଥା ଖୋଲି ସେମାନଙ୍କର ଥଇଥାନ ପାଇଁ କାର୍ଯ୍ୟ କରୁଛି ।

ସୌଭିକଠାରୁ ତା' ବିଷୟରେ ଏତେ କଥା ଶୁଣି ସୁକନ୍ୟାର ତା' ପ୍ରତି ମନୋଭାବ ଏକଦମ ଭିନ୍ନ ହୋଇଗଲା । ସୌଭିକ ପାଇଁ ତା ହୃଦୟଟି ସମ୍ମାନରେ ଭରିଗଲା । ସେ ସୌଭିକକୁ କହିଲା, "ସତରେ ଆପଣ ଗ୍ରେଟ୍ । ସିମ୍ଫୋନି ଆପଣଙ୍କ ବିଷୟରେ କେବେ କିଛି କହିନି କିମ୍ବା ମୁଁ ପଚାରିପାରିନି । ଆଗରୁ ଜାଣିଥିଲେ ହୁଏତ ଆଜି ମୁଁ ହଷ୍ଟେଲରେ ଆପଣଙ୍କୁ ଭେଟିବାକୁ ଅପେକ୍ଷା କରି ରହିଥାନ୍ତି । ଏବେ ମୋତେ ଲଜ୍ଜ୍ୟା ଲାଗୁଚି ଯେ ମୁଁ ଆପଣଙ୍କୁ ଏଇ କିଛି ସମୟ ପୂର୍ବରୁ ଅଟୋଗ୍ରାଫ୍ ଦେଉଥିଲି । ପ୍ରକୃତରେ ଅଟୋଗ୍ରାଫ୍ ତ ମୋର ଆପଣଙ୍କଠାରୁ ନେବା କଥା ।"

ସୌଭିକ ମୁରୁକି ହସି କହିଲା, "ନା ନା ମୁଁ ଏତେ ବି ଗ୍ରେଟ୍ ନୁହେଁ । ହଉ ମୋର ତ ଆଜି ଫେରିବା ଟାଇମ୍ ହେଇଗଲାଣି । ପରେ କେବେ ପୁଣି ନିଶ୍ଚୟ ଦେଖା ହେବା ଓ କଥା ହେବା । ଏବେ ତାହେଲେ ଆସୁଛି ।"

ସୁକନ୍ୟା ନିରବରେ ସୌଭିକକୁ ଦେଖୁଥିଲା ଓ ଭାବୁଥିଲା, "ଏ ଦୁନିଆଁ ଯେମିତି ଚିତ୍ର ବିଚିତ୍ର, ଏଠି ରହୁଥିବା ଲୋକମାନେ ବି ସେମିତି ଅଦ୍ଭୁତ ଭାବେ ବିଚିତ୍ର ।" ସୌଭିକ ସୁକନ୍ୟାର ଭାବନାକୁ ଚହଲେଇ ଦେଇ ଆଉଥରେ କହିଲା, "କୁଆଡ଼େ ହଜିଗଲ ଚିତ୍ରଲିପି ? ମୁଁ ତେବେ ଆସୁଛି ?"

ସୁକନ୍ୟା ପ୍ରକୃତିସ୍ଥ ହେଇ କହିଲା, "ହଁ ହଁ ଆପଣ ଆସନ୍ତୁ । ପରେ କେବେ ନିଶ୍ଚୟ କଥା ହେବା ।"

ଯିବା ପୂର୍ବରୁ ସୌଭିକ ସୁକନ୍ୟାକୁ ତା'ର କାର୍ଡ ଦେଇଯାଇ କହିଲା, "କେବେ ଯଦି ଇଚ୍ଛା କର ଏଇ ନମ୍ବରରେ କଲ୍ କରିପାରିବ ।"

ହଷ୍ଟେଲକୁ ଆସି ସୁକନ୍ୟା ସିମ୍ଫୋନିକୁ ସୌଭିକ ସହ ଭେଟ ହେବା କଥା କହିଲା । ସିମ୍ଫୋନି କଥାଟାକୁ ବେଶି ଗୁରୁତ୍ବ ନଦେଇ କହିଲା, "ହଁ ସେ କହୁଥିଲା ତୋ ଚିତ୍ର କୁଆଡ଼େ ତାକୁ ଭାରି ଭଲ ଲାଗେ । ମୋ ମାମାଙ୍କର ଲେଖା ସବୁ ମାଗାଜିନରେ ପବ୍ଲିସ୍ ହୁଏ, ସେଇଠି ସେ ମାମାଙ୍କ ଗପରେ ତୋର କେତେଟା ଚିତ୍ର ବି ଦେଖିଥିବାର କହୁଥିଲା । ସେଥିପାଇଁ ସେ ତୋତେ ଭେଟିବାକୁ ଚାହୁଁଥିଲା । ପାଗଳଟା ଗୋଟେ ।"

ସୁକନ୍ୟା କହିଲା, "ନା ତ ସେ ପାଗଳ ନୁହଁନ୍ତି ।"

ସିମ୍ଫୋନି କହିଲା, "ପାଗଳ ନୁହେଁ ତ ଆଉ କ'ଣ ? ଦରମା ଟଙ୍କା ସବୁ ଅନାଥ ଛୁଆ ଆଉ ବିଧବା ମହିଳାଙ୍କ ପାଇଁ ଖର୍ଚ୍ଚ କରିଦେଉଛି । ନିଜ ପାଇଁ ଟଙ୍କାଟେ ବି ସେଭ୍ କରୁନି କି ପାପାଙ୍କ ବିଜନେସରେ ଟିକେ ବି ଇଣ୍ଟରେସ୍ଟ୍ ନେଉନି । ପାପା ସେଥିପାଇଁ ତାକୁ ସବୁବେଳେ ୟୁସ୍ଲେସ୍ କହନ୍ତି । ଦେଖିବୁ ତୁ, ମୋର ଆଉ ଅମ୍ବିକେଶଙ୍କର ପଢ଼ାପଢି ଖାଲି ସରିଯାଉ, ଆମେ ଦୁଇଜଣ ମିଶି ପାପାଙ୍କ ବିଜନେସ୍ କୁ କେତେ ଉପରକୁ ନେଇଯିବୁ ।"

ସୁକନ୍ୟା ସିମ୍ଫୋନିକୁ ସୌଭିକ ସମ୍ବନ୍ଧରେ ଆଉ କିଛି ପଚାରିଲାନି । ସେଦିନର କଥା ସେଇଠି ରହିଲା ।

ସୁକନ୍ୟା ହଷ୍ଟେଲ୍ ଡାଇନିଂରୁ ବାହାରୁଥିବାବେଳେ ଫାର୍ଷ୍ଟ୍ ଇୟର୍ ଫିଜିକ୍ସ୍ ଅନର୍ସର ଝିଅଟେ ତାକୁ କହିଲା, "ଦିଦି ଆପଣଙ୍କ ପାଖରୁ ଗୋଟେ ଚାପ୍ଟର୍ ବୁଝିଥାନ୍ତି । ଆପଣ ଟିକେ ସମୟ ଦେଇପାରିବେ କି ?"

ସୁକନ୍ୟା ଝିଅଟାକୁ ସିଧା ଅନେଇ କହିଲା, "କ'ଣ ଏଇଠି ଏମିତି ଖାଇବା ଟ୍ରେ ଧରି ପାଠ ବୁଝିବ ?"

ଝିଅଟା ଡରି ଡରି କହିଲା, "ସରି ଦିଦି ।"

ଝିଅଟାର ଡରକୁଳା ମୁହଁକୁ ଦେଖି ସୁକନ୍ୟା ହସିଲା ଓ କହିଲା, "ଆରେ ଆରେ ଡ଼ରିଲ ନା କ'ଣ ? ମୋ କହିବା କଥା ହେଲା, ତୁମେ ଆସ ମୋ ରୁମ୍ ଆଡ଼େ । ଠିକ ଅଛି ? ଯାଅ, ଖାଇ ସାରି ଆସିବ, ମୁଁ ରୁମ୍ ରେ ଅଛି ।"

ଝିଅଟା ଖୁସି ହେଇ ଚାଲିଗଲା । ସୁକନ୍ୟା ବି ହସି ହସି ନିଜ ରୁମ୍ କୁ ଫେରିଲା । ଆସନ୍ତା ଶନିବାର ଘରକୁ ଯିବାର ପ୍ଲାନ୍ ରଖିଥିଲା ସେଥିପାଇଁ ସେହି ହିସାବରେ ପାଠ ସବୁ କମ୍ପ୍ଲିଟ୍ କରୁଥିଲା । ଖାତା ବହି ସଜାଡି ରଖି ଟିକେ ବିଛଣାରେ ଗଡିବାକୁ ବାହାରିଥିଲା ସେହି ଫାର୍ଷ୍ଟ୍ ଇୟର୍ ଝିଅଟା ଆସି ପହଞ୍ଚିଲା । ସୁକନ୍ୟା ତାକୁ ବସିବାକୁ କହିଲା । ତାକୁ ତା' ନାଁ ପଚାରିଲା । ଝିଅଟା କହିଲା, "ରୂପଶ୍ରୀ ।" ସୁକନ୍ୟା ଝିଅଟାକୁ ଦେଖିଲା ଓ ଭାବିଲା, "ରୂପଶ୍ରୀର ଘର ଲୋକ ତାକୁ ଠିକ୍ ନାଁଟେ ଦେଇଛନ୍ତି । ଗୋଲ ଆଉ ଛୋଟ ଗୋରା ମୁହଁକୁ ଚିକମିକ ଆଖି ଆଉ ନାଲି ନାଲି ଓଠରେ କେତେ ସୁନ୍ଦର ଦିଶୁଛି ଝିଅଟା ! ଝିଅଟାର ଦେହର ରଙ୍ଗ ତ ପୂରା ଦୁଗ୍ଧ ଭଳି ସଫେଦ, ତା ସହ ତା'ର ଗଢ଼ଣ ବି ବେଶ୍ ଆକର୍ଷଣୀୟ । ବାଃ.. ଖୁବ୍ ସୁନ୍ଦର !" ସୁକନ୍ୟା ଏମିତି ରୂପଶ୍ରୀକୁ ବିମୋହିତ ହୋଇ ଦେଖୁଥିବା ଦେଖି ରୂପଶ୍ରୀ କହିଲା, "ଦିଦି ଆପଣଙ୍କ ଫେସକଟିଙ୍ଗ୍ ଭାରି ସୁନ୍ଦର ।" ସୁକନ୍ୟା ଲାଜେଇ ଯାଇ କହିଲା, "ଚୁପ୍, ଏଠିକୁ ପାଠ ବୁଝିବାକୁ ଆସିଛ ନା ସୌନ୍ଦର୍ଯ୍ୟ ଚର୍ଚ୍ଚା କରିବାକୁ ଆସିଛ ? କୁହ କ'ଣ ବୁଝିପାରୁନ ।"

ସୁକନ୍ୟା ରୂପଶ୍ରୀକୁ ପାଠ ବୁଝେଇ ସାରି ତା ସହ ଅଳ୍ପ କଥାବାର୍ତ୍ତା ହେଲା । ପଢ଼ା ସାରି ରୂପଶ୍ରୀ ତା ବହି ଖାତା ଧରି ରୁମ୍ ରୁ ଚାଲିଗଲା ପରେ ସୁକନ୍ୟା ନିଜ ମୋବାଇଲ୍ ଖୋଲିଲା । କେତୋଟି ମେସେଜ୍ ଆସିଥିଲା ତା' ନମ୍ବରକୁ । ଗୋଟେ ମେସେଜ୍ ଶୋଭାଲି ଦିଦିଙ୍କ ପାଖରୁ ଆସିଥିଲା । ଲେଖିଥିଲେ ଗୋଟେ ଷ୍ଟ୍ରାଇକରେ ଯୋଗ ଦେବାକୁ ଯିବା ପାଇଁ । ସୁକନ୍ୟା କିଛି ରିପ୍ଲାଇ ଦେଲାନାହିଁ ସେ ମେସେଜର । ଆଉ ଗୋଟେ ମେସେଜ୍ ଆସିଥିଲା ଗୋଟେ ଅଜଣା ନମ୍ବରରୁ । ଲେଖାଥିଲା, "ଚିତ୍ରଲିପି ତୁମ ଚିତ୍ର ଖୁବ୍ ସୁନ୍ଦର ।" ସୁକନ୍ୟା ତାକୁ ରିପ୍ଲାଇରେ ଲେଖିଲା, "ମୋ ନମ୍ବର କୋଉଠୁ ପାଇଲ ?" କିଛି ସମୟ ଛାଡ଼ି ସେହି ନମ୍ବରରୁ ପୁଣି ମେସେଜ୍ ଆସିଲା, "ତୁମ ମହେଶ୍ ସାର୍ ଙ୍କର ଡେଥ୍ ହେଇଗଲା ।"

ଏହି ମେସେଜଟା ପଢି ସୁକନ୍ୟାର ଛାତି ଥରି ଉଠିଲା । ସେ ସେହି ନମ୍ବରରେ କଲ୍ କଲା । ତିନିଥର ରିଙ୍ଗ୍ ହେଲା ପରେ ଜଣେ ପିଲା ଫୋନ୍ ରିସିଭ୍ କଲା । ସୁକନ୍ୟାକୁ ସେ କହିଲା କି ସେ ସୁକନ୍ୟାର ପିଲାବେଳର ସାଙ୍ଗ ଯିଏ ସୁକନ୍ୟା ସହ ନବମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ସ୍କୁଲରେ ପଢୁଥିଲା । ପିଲାଟି ଏବେ ଓଡ଼ିଆ ଅନର୍ସ୍ ନେଇ ପ୍ଲସ୍ ଥ୍ରୀ ପଢୁଛି । ସେ ବହୁତ ଓଡ଼ିଆ ମାଗାଜିନ୍ ପଢ଼ାପଢି କରେ । ଗୋଟେ ମାଗାଜିନ୍ ରେ ସୁକନ୍ୟାର ଚିତ୍ର ସେ ଦେଖିଲା । ଚିତ୍ରରେ ଲେଖାଥିଲା ଚିତ୍ରଶିଳ୍ପୀ 'ଚିତ୍ରଲିପି' । ସେହି ମାଗାଜିନର ଏଡିଟର୍ ପିଲାଟାର ସମ୍ପର୍କୀୟ, ତାଙ୍କରିଠାରୁ ସେ ସୁକନ୍ୟା ବିଷୟରେ ଜାଣିବାକୁ ପାଇଲା ଓ ସେ ହିଁ ପିଲାଟାର ଅନୁରୋଧ ରକ୍ଷା କରି ସୁକନ୍ୟାର ନମ୍ବର ତାକୁ ଦେଇଛନ୍ତି ।

ସୁକନ୍ୟା ପିଲାଟିକୁ ପଚାରିଲା, "ମହେଶ୍ ସାର୍ ଙ୍କ ଡେଥ୍ ଖବର କ'ଣ ସତ ?"

ପିଲାଟି କହିଲା, "ଶହେ ପ୍ରତିଶତ । ଚାରିମାସ ହେଇଗଲାଣି ।" ସୁକନ୍ୟାର ଛାତି କୋରି ହେଇଗଲା । କାହିଁକି କେଜାଣି ତାକୁ ଖୁବ୍ ଇଚ୍ଛା ହେଲା ଭୋ ଭୋ କରି କାନ୍ଦିବାକୁ । ସୁକନ୍ୟାର ସ୍ୱର ଭଙ୍ଗାଭଙ୍ଗା ଶୁଭିଲା । ସେ କହିଲା, "ମୁଁ ଏବେ କଥା ହେଇପାରିବିନି । ଫ୍ରି ହେଇ ତୁମକୁ ଫୋନ୍ କରିବି ।"

"ମହେଶ ସାର୍ ଚାଲିଗଲେ ? କିନ୍ତୁ କାହଁକି ? ସେ ମୋର କିଏ ଯେ ମୁଁ ଏତେ ମନ କଷ୍ଟ କରୁଛି ? କାହଁକି କଷ୍ଟ କରିବିନି ? ଯାହା ହେଲେ ବି ସେ ମୋର ଶିକ୍ଷକ ଥିଲେ । ଭଲ ପାଠ ପଢ଼ାନ୍ତି ।", ସୁକନ୍ୟା ଏମିତି ଅନେକ ବେଳ ଯାଏଁ ଭାବିଚାଲିଲା । ସେଦିନ ତା' ଆଖିକୁ ବିଲକୁଲ ନିଦ ଆସିଲା ନାହିଁ । ଆଖି ବୁଜିଲେ ସେହି ଅନ୍ଧାର ଭିତରେ ସେ ଦେଖି ପାରୁଥିଲା ତା' ୟଙ୍ଗ୍ ହ୍ୟାଣ୍ଡସମ୍ ମ୍ୟାଥ୍ ଟିଚର୍ ମହେଶ୍ ଙ୍କୁ, କୈଶୋରରେ ଯାହାଙ୍କ ପ୍ରତି ସେ ଅଜାଣତରେ ଆକର୍ଷିତ ହୋଇପଡ଼ିଥିଲା ।

ସୁକନ୍ୟା ଶନିବାର ଦିନ ଘରକୁ ଗଲା । ଦୀପୁ ବି ଆସିଥିଲା । ଦୁଇଦିନ ହସ ଖୁସିରେ ଘରେ ସମୟ ବିତାଇ ସୁକନ୍ୟା ଫେରିଆସିଲା ହଷ୍ଟେଲକୁ ।

ସୁକନ୍ୟାର ପରୀକ୍ଷା ପାଖେଇ ଆସୁଥିଲା । ସେ ଆଉ ଘରକୁ ଯିବା କଥା ଚିନ୍ତା କଲାନାହିଁ । ଚିତ୍ର ଆଙ୍କିବା ମଧ୍ୟ ଅନେକ କମେଇ ଦେଇଥିଲା । ସିମ୍ଫୋନି ପଢିବାକୁ ଦିଲ୍ଲୀ ଯିବ ବୋଲି ଜୋରସୋରରେ ପଢ଼ାପଢି କରୁଥାଏ । ସୁକନ୍ୟା ଭାବୁଥାଏ "ଗ୍ରାଜୁଏସନ୍ ପରେ ଏମ୍.ସି.ଏ କରିବାକୁ ମମି କ'ଣ ରାଜି ହେବେ ? କିଛି ଟଙ୍କା ସଞ୍ଚୟ କରି ରଖିଥିଲେ ଭଲ ହୋଇଥାନ୍ତା ।" ସୁକନ୍ୟା ପଢ଼େ ଓ ସେହି ସୁନ୍ଦରୀ ଜୁନିଅର୍ ଝିଅ ରୂପଶ୍ରୀକୁ ବେଳେବେଳେ ପାଠ ବୁଝେଇଦିଏ । ଝିଅଟି ସୁକନ୍ୟା ପାଖକୁ ଆସିଲେ ସୁକନ୍ୟା ତା' ସହ କିଛି କଥାବାର୍ତ୍ତା ମଧ୍ୟ ହେଇଯାଏ ।

ସୁକନ୍ୟା ଦିନେ ଝିଅଟିକୁ ପାଠ ବୁଝାଉଥିଲାବେଳେ ଲକ୍ଷ୍ୟ କଲା ଝିଅଟା ତା' ଡାହାଣ ହାତର ଅନାମିକା ଆଙ୍ଗୁଠିରେ ସୁନ୍ଦର ପଥର ବସା ମୁଦିଟେ ପିନ୍ଧିଛି, ସୁକନ୍ୟାକୁ ସେହି ମୁଦିଟି ଖୁବ୍ ଆକର୍ଷଣୀୟ ଦିଶିଲା । ପଢ଼ା ସରିଲା ପରେ ଝିଅଟିକୁ ସୁକନ୍ୟା ପଚାରିଲା, "ବେଶ୍ ସୁନ୍ଦର ହେଇଛି ତୁମ ରିଙ୍ଗ୍ ।"

-- ଦିଦି ଡାଏମଣ୍ଡ୍ ରିଙ୍ଗ୍ । ମୋ ଏନଗେଜମେଣ୍ଟ୍ ରିଙ୍ଗ୍ ।

-- ଏଁ କ'ଣ କହିଲ ? ତୁମର ନିର୍ବନ୍ଧ ସରିଯାଇଛି ? ବୟସ କେତେ ତୁମକୁ ?

-- ଦିଦି ଅଠର ପୂରିଲାଣି ।

-- ତଥାପି ବି, ତୁମେ ଜଣେ ଭଲ ଷ୍ଟୁଡେଣ୍ଟ୍, ତୁମର ଫ୍ୟୁଚର୍ ଅଛି , ଏତେ ଅଳ୍ପ ବୟସରୁ ବାହା ହେଉଛ କେମିତି ? ତୁମ ପ୍ୟାରେଣ୍ଟ୍ସ୍ କେମିତି ରାଜି ହେଲେ ?

-- ଦିଦି ମୁଁ ଯାହାଙ୍କୁ ବାହା ହେଉଛି ମୋ ପାଠପଢ଼ାରେ ସେ ମୋତେ ସବୁବେଳେ ସହଯୋଗ କରିବେ, କେବେ ନପଢିବାକୁ କହିବେନି । ପାଠର ଭ୍ୟାଲୁ ତାଙ୍କୁ ବେଶ୍ ଜଣା ଦିଦି । ସେ ନିଜେ ଜଣେ ବ୍ରିଲିଆଣ୍ଟ୍ ଷ୍ଟୁଡେଣ୍ଟ୍ । ଆଇ.ଏ.ଏସ୍ ପ୍ରିପେୟାର୍ କରୁଥିଲେ, ଓ.ଏ.ଏସ୍ ପାଇଲେ । ସେ ଆଇ.ଏ.ଏସ୍ ନିଶ୍ଚୟ କ୍ୱାଲିଫାଇ କରିଥାନ୍ତେ କିନ୍ତୁ ଏଠି ଓଡ଼ିଶାରେ ଜଏନ୍ କରିଗଲେ ଗୋଟେ ତହସିଲ ଅଫିସରେ ତହସିଲଦାର ଭାବେ । ତାଙ୍କ ବାପାଙ୍କର ଥରେ ହାର୍ଟ୍ ଆଟାକ୍ ହେଲା, ସେ ସେଥିପାଇଁ ଆଉ ଦିଲ୍ଲୀ ଗଲେ ନାହିଁ ପ୍ରିପାରେସନ୍ ପାଇଁ ।

-- ଆଇ.ଏ.ଏସ୍ ନହେଲେ କ'ଣ ହେଲା, ଓ.ଏ.ଏସ୍ ବି କିଛି କମ୍ କଥା ନୁହଁ ।

-- ସେହିକଥା ପରା ଦିଦି, ମୋ ବାପା, ମାଆ କହିଲେ, ଏତେ ଭଲ ପ୍ରସ୍ତାବ କାହିଁକି ହାତଛଡ଼ା କରିବା ।

କହିଦେଇ ଝିଅଟା ହସିଲା ଖିଲ୍ ଖିଲ୍ ହେଇ । ସୁକନ୍ୟା ବି ହସିଦେଇ କହିଲା, "ତୁମ ପ୍ୟାରେଣ୍ଟ୍ସ୍ କ'ଣ କେବେ ଭାବିନାହାଁନ୍ତି, "ତହସିଲଦାର ଜ୍ୱାଇଁ ମିଳୁଛି ବୋଲି ଆମ ଝିଅଟାକୁ ଆମେ କାହିଁକି ଅଳ୍ପ ବୟସରେ ବାହା ଦେବୁ ? ଆମ ଝିଅ ନିଜେ ବି ତହସିଲଦାର ହେଇପାରିବ ।" ଏମିତି ଭାବିବା କଥା ସବୁ ଝିଅଙ୍କର ବାପା, ମାଆ । ନା କ'ଣ କହୁଛ ରୂପଶ୍ରୀ ?"

ରୂପଶ୍ରୀ ଧୀରେ ଧୀରେ କହିଲା, "ସବୁ ବାପା, ମାଆ ନିଜ ପିଲାଙ୍କର ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି ।"

-- କିନ୍ତୁ ଏଇଟା ଗୋଟେ ସୁରକ୍ଷିତ ଭବିଷ୍ୟତ ନୁହେଁ । କୋଉଠି ଦେଖିଛ କୋଉ ପୁଅର ବାପା, ମାଆ ତାଙ୍କ ପୁଅକୁ ଅଳ୍ପ ବୟସରେ ପଢ଼ା ପୂରା ନକରେଇ ବାହା କରେଇଦେଇଛନ୍ତି ? କେବେ ଦେଖିନଥିବ । ସମସ୍ତେ କହନ୍ତି ପୁଅ, ଝିଅଙ୍କ ଭିତରେ ଆମେ ଫରକ କରୁନା, କିନ୍ତୁ ସମସ୍ତେ କରନ୍ତି । ମୁଁ ମୋ ଘର କଥା କହୁଛି ଶୁଣ । ମୁଁ ଦଶମରେ ମୋ ସ୍କୁଲ୍ ଟପର୍ ହେଇଥିଲି, ୮୮% ମାର୍କ୍ସ୍ ଆଣିଥିଲି । ପ୍ଲସ୍ ଟୁରେ ବି ବହୁତ ଭଲ କଲି । ଜଏଣ୍ଟ୍ ଏଣ୍ଟ୍ରାନ୍ସ୍ ରେ ବି ଭଲ କଲି । କିନ୍ତୁ ମୋ ପ୍ୟାରେଣ୍ଟ୍ସ୍ ଙ୍କୁ ମୋର ଇଂଜିନିୟରିଂ ପଢ଼ିବାର ସ୍ୱପ୍ନ ତୁଚ୍ଛ ଲାଗିଲା ମୋ ଭାଇର ପାଠପଢ଼ା ଓ ସୁରକ୍ଷିତ ଭବିଷ୍ୟତ ସାମ୍ନାରେ ।

ଏତିକି କହିସାରି ସୁକନ୍ୟା ଦୀର୍ଘଶ୍ୱାସ ନେଲା । ରୂପଶ୍ରୀର ମୋବାଇଲ୍ ବି ରିଙ୍ଗ୍ ହେଲା । ରୂପଶ୍ରୀ ଯିବାକୁ ଉଠିଲା । ସୁକନ୍ୟା ବି ନିଜ ବହି ଥାକରୁ ବହି, ଖାତା ଆଣି ନିଜ ପାଠପଢ଼ାରେ ମନ ଦେଲା ।

ପରୀକ୍ଷା ଆଉ ମାତ୍ର ଅଳ୍ପ ଦିନ ବାକି ଅଛି । କଲେଜ୍ କ୍ୟାମ୍ପସକୁ ଏକ ବହୁତ ବଡ଼ ଆଇ.ଟି କମ୍ପାନୀ ଆସିଛି କଲେଜର ଶେଷବର୍ଷ ବି.ଏସ୍. ସି ପିଲାଙ୍କ ମଧ୍ୟରୁ କିଛି ବଛା ବଛା ଷ୍ଟୁଡେଣ୍ଟ୍ ଙ୍କୁ କମ୍ପାନୀରେ ଖାଲି ପଡ଼ିଥିବା ପଦ ପାଇଁ ଚୟନ କରିବାକୁ । ସୁକନ୍ୟା ବି.ଏସ୍. ସି ପଢ଼ୁଥିବା ସମୟରେ କମ୍ପ୍ଯୁଟରର କିଛି କୋର୍ସ୍ ମଧ୍ୟ କରିସାରିଥିଲା । ତାକୁ ଏହି ଚାକିରି ଏକ ସୁବର୍ଣ୍ଣ ସୁଯୋଗ ଭଳି ମନେ ହେଲା । କାରଣ ତାକୁ ଲାଗୁଥିଲା ସ୍ନେହା କିମ୍ବା ସୁବ୍ରତ ତାକୁ ଆଉ ଆଗକୁ ପଢିବାକୁ ବେଶି କିଛି ସହଯୋଗ କରିବାକୁ ଚାହୁଁନାହାନ୍ତି ।

ସୁକନ୍ୟା ସିମ୍ଫୋନିକୁ କ୍ୟାମ୍ପସ୍ ସିଲେକ୍ସନ୍ ବିଷୟରେ ଜଣେଇଲା । ସିମ୍ଫୋନିକୁ ଖୁବ୍ ରାଗ ଲାଗିଲା ସୁକନ୍ୟା ଉପରେ । ସେ ଚିଡିଯାଇ କହିଲା, "ତୋ ମୁଣ୍ଡ ଖରାପ ହେଇଗଲାଣି ବୋଧେ ସୁକନ୍ୟା ! ତୋ ଭଳି ଜଣେ ବ୍ରାଇଟ୍ ଷ୍ଟୁଡେଣ୍ଟ୍ ଗ୍ରାଜୁଏସନ୍ ପରେ ପଢ଼ା ଛାଡ଼ି ଚାକିରି କରିବାକୁ ଚାହୁଁଛି ! ସେ ଚାକିରି ଭୂତ ମୁଣ୍ଡରୁ ବାହାର କର ଆଉ ପଢ଼ା ପଢିରେ କନ୍ସେନ୍ଟ୍ରେଟ୍ କର ।"

ସୁକନ୍ୟା ସିମ୍ଫୋନି ସହ ଯୁକ୍ତି କଲା ନାହିଁ । କ୍ୟାମ୍ପସ୍ ସିଲେକ୍ସନ୍ ପାଇଁ ବାହାରିଗଲା ।

ପରୀକ୍ଷା ସରିବା ଆଗରୁ ସୁକନ୍ୟାର ଚାକିରିରେ ସିଲେକ୍ସନ୍ ହେଇଗଲା । ସେ ଘରକୁ ଜଣେଇଲା । ସ୍ନେହା ଖୁସି କିମ୍ବା ଦୁଃଖୀ କିଛି ଜଣାପଡିଲେ ନାହିଁ । ମାଧବୀ ଖୁସି ହେଇ କହିଲେ, "ସୁକମା ଘରକୁ ଆସ ମୁଁ ନିଜେ ରସଗୋଲା ବନେଇ ଖୁଆଇବି ତୁମକୁ ।"

ପରୀକ୍ଷା ପରେ ସୁକନ୍ୟା ଘରକୁ ଆସି ଜାଣିଲା ସ୍ନେହା କଟକରେ ଜାଗା କିଣି ସାରିଛନ୍ତି । ଜାଗା ପାଇଁ ଏତେ ଟଙ୍କା କୋଉଠୁ ଆସିଲା ପଚାରିବାରୁ ସ୍ନେହା ସୁକନ୍ୟା ଉପରେ ବିରକ୍ତ ହେଇଯାଇ କହିଲେ, "ତୋର ଜାଣିବା କ'ଣ ଦର୍କାର ?"

ସୁକନ୍ୟା ବି ବଡ଼ ପାଟିରେ କହିଲା, "ମୋର ଜାଣିବା ନିହାତି ଦର୍କାର । ସେହି ଟଙ୍କାର ଅଭାବ ପାଇଁ ମୁଁ ପଢ଼ା ଛାଡ଼ି ଚାକିରି କରିବାକୁ ପ୍ରସ୍ତୁତ ହେଉଛି, କିନ୍ତୁ ତୁମ ପାଖରେ ଏତେ ଗୁଡ଼ାଏ ଟଙ୍କା ଥିବା ସତ୍ତ୍ବେ ତୁମେ ମୋତେ ଇଞ୍ଜିନିୟରିଂ ପଢ଼େଇବାକୁ ରାଜି ହେଲନାହିଁ ! କାହଁକି ମମି ? କାହଁକି ତୁମେ ଏମିତି କଲ ଜବାବ ଦିଅ ମୋତେ । କାହଁକି ତୁମେ ମୋ ଭବିଷ୍ୟତ ସହ ଖେଳିଲ ?"

ସ୍ନେହା କହିଲେ, "ତୁ ତୋ ନିଜ ଭବିଷ୍ୟତକୁ ନିଜେ ନଷ୍ଟ କରିଛୁ ଆଉ ଏବେ ବି ଯାହା କରୁଛୁ ସବୁ ନିଜେ ହିଁ କରୁଛୁ । ଆଜେ ବାଜେ ପିଲାଙ୍କ ସହ ସାଙ୍ଗ ହେବୁ, ଆଲତୁ ଫାଲତୁ ଚିତ୍ର ଆଙ୍କି ପତ୍ରିକାରେ ଦେବୁ, ପାଠ ଛାଡ଼ି ଚାକିରି କରିବୁ, ଆଡ଼େ ସାଡେ ବୁଲିବୁ, ଏସବୁ କ'ଣ ମୁଁ ତୋତେ କହିଥିଲି କରିବାକୁ ? ମୋତେ କାହଁକି ତୁ ଦୋଷ ଦେଉଛୁ ? ତୁ ଚାକିରି କର ନା । ପି.ଜି. କର, ସିଭିଲ୍ସ୍ ପାଇଁ ଚେଷ୍ଟା କର । ମୁଁ କ'ଣ ତୋତେ ମନା କରୁଛି !"

ସୁକନ୍ୟା କହିଲା, "ହଉ ଠିକ୍ ଅଛି ମୁଁ ଚାକିରି ନକରି ଆଇ.ଏ.ଏସ୍ କୋଚିଂ ନେବାକୁ ଦିଲ୍ଲୀ ଯିବି । ମୋର ପାଞ୍ଚଲକ୍ଷ ଟଙ୍କା ଦର୍କାର । ଦେବ ତ ମୋତେ ?"

ସ୍ନେହା ଏଥର ନରମ ହେଇ କହିଲେ, "କାହଁକି ତୁ ପାଞ୍ଚଲକ୍ଷ ନେଇ କୋଚିଂରେ ପ୍ରଥମରୁ ଭର୍ତ୍ତି ହେବୁ ? ପୁପୁନ୍ ଭଳି ଆଗ ଜେ.ଏନ୍.ୟୁ ଯାଆ ପି.ଜି. କରିବାକୁ, ସେଇଠି ପଢ଼ିଲେ ତୋର ଆଇଡ଼ିଆ ଆସିଯିବ କେମିତି ସିଭିଲ୍ସ୍ ପାଇଁ ପ୍ରସ୍ତୁତ ହୁଅନ୍ତି । ପାରିବୁ ? ଜେ.ଏନ୍. ୟୁ. ଏଣ୍ଟ୍ରାନ୍ସ୍ କ୍ୱାଲିଫାଇ କରିପାରିବୁ କି ?"

ପୁପୁନର ନାଁ ଶୁଣି ସୁକନ୍ୟାର ରାଗ ଆହୁରି ବଢିଗଲା । ରାଗିଯାଇ ସୁକନ୍ୟା କହିଲା, "ପୁପୁନ୍ ତ ଗୋଟେ ବଡ଼ ଜିନିୟସ୍ ଟା ଆଉ । ତୁମେ ତା'ର ଉଦାହରଣ ଏମିତି ଦେଉଛ ଯେମିତି ତା' ଠାରୁ ଭଲ ଭଲ ଷ୍ଟୁଡେଣ୍ଟ୍ ଏ ପୃଥିବୀରେ ଆଉ କେହି ନାହାଁନ୍ତି । ମୂର୍ଖ କେମିତି ଗୋଟେ ଏଣ୍ଟ୍ରାନ୍ସ୍ କ୍ୱାଲିଫାଇ କରିଯାଇଛି । ସେ ତା ସାତଜନ୍ମରେ କେବେ ସିଭିଲ୍ ସର୍ଭିସ୍ ଏକ୍ଜାମ୍ ର ପ୍ରିଲିମ୍ ବି କ୍ୱାଲିଫାଇ କରିପାରିବନି ।"

ସୁକନ୍ୟାର କଥା ଶୁଣି ସ୍ନେହା ହସି ହସି କହିଲେ, "ତୋର ଗର୍ବ, ଅହଂକାର ହିଁ ତୋର ଶତ୍ରୁ ସୁକନ୍ୟା । ଅନ୍ୟର ପରିଶ୍ରମ ଆଉ ସାମର୍ଥ୍ୟକୁ ଅଣ୍ଡରଏଷ୍ଟିମେଟ୍ କରିବା ତୋର ଗୋଟେ ବହୁତ ବଡ଼ ଖରାପ ଗୁଣ । ତୁ ବି ଆଉ କ'ଣ ଶିଖନ୍ତୁ ତୋର ସେ କିରାଣୀ ସାଙ୍ଗଙ୍କଠାରୁ ? କିରାଣୀ ଚାକିରି କରୁଥିବା ପିଲାଙ୍କ ସହ ମିଶି ସେ ବାଜେ ଆଜେ କବିତା ଆଉ ପତ୍ରିକା ପାଇଁ ଚିତ୍ର ଆଙ୍କିଲେ, ସେହିଭଳି କିରାଣୀ ବୁଦ୍ଧି ହିଁ ମୁଣ୍ଡରେ ଭର୍ତ୍ତି ହେବ ତୋର । ଯୋଉ ପୁପୁନକୁ ତୁ ମୂର୍ଖ କହୁଛୁ, ସେ ଏବେ ଓ.ଏ.ଏସ୍ ଅଫିସର୍ । ତହସିଲଦାର ଭାବେ ପୋଷ୍ଟିଙ୍ଗ୍ ହେଇଛି । ତାର ବାହାଘର ବି ଠିକ୍ ହେଇଯାଇଛି । ଛବି ଭାଉଜ ଫୋନ୍ କରିଥିଲେ, କହୁଥିଲେ ତୋତେ ଆଉ ଦୀପୁକୁ ସାଙ୍ଗରେ ନେଇକରି ଯିବାକୁ ପୁପୁନର ବାହାଘରରେ । ଝିଅଟା ତୁମରି କଲେଜରେ ପଢ଼େ, ତୋରି ହଷ୍ଟେଲର ଝିଅ ।

ସ୍ନେହାଙ୍କ କଥା ଶୁଣି ସୁକନ୍ୟା ସେ ଜାଗା କିଣା କଥା ଭୁଲିଯାଇ ରୂପଶ୍ରୀର ନିର୍ବନ୍ଧ ମୁଦିକୁ ମନେପକେଇଲା । ସୁକନ୍ୟାକୁ ଚୁପ୍ ପଡିଯିବା ଦେଖି ସ୍ନେହା ଆଶ୍ଵସ୍ତ ଅନୁଭବ କଲେ । ମାଧବୀ ଇନଭିଟେସନ୍ କାର୍ଡ୍ ଦୁଇଟି ଆଣି ସୁକନ୍ୟା ସାମ୍ନାରେ ଥୋଇଲେ । ଗୋଟିଏରେ ଲେଖା ଥିଲା ପୁପୁନ୍ ସହ ରୂପା (ରୂପଶ୍ରୀ) । ଆର କାର୍ଡଟି ଥିଲା ବୁନି ସହ ରମେଶ୍ ର ବାହାଘର ନିମନ୍ତ୍ରଣ ପତ୍ର । "ବୁନିଅପା ବାହା ହେଉଛି ?", କାର୍ଡଟି ଦେଖୁ ଦେଖୁ ସୁକନ୍ୟା ପାଟିରୁ ଏଇ କଥାଟି ବାହାରିଆସିଲା । ସେ କାର୍ଡ୍ ରଖିଦେଇ ନିଜ ରୁମ୍ କୁ ଯାଇ ଭିତରୁ କବାଟ ବନ୍ଦ କରିଦେଲା । ବିକିକୁ ଫୋନ୍ ଲଗେଇଲା । ଫୋନ୍ ରିସିଭ୍ କରୁ କରୁ ବିକି କହିଲା, "ମୁଁ ଜାଣେ ସେ ବାହା ହେଉଛି । ତୁମେ ବ୍ୟସ୍ତ ହୁଅନା ସୁକନ୍ୟା, ମୁଁ ବେଶ୍ ଭଲ ଅଛି ।"

ବୁନିଅପାର ବାହାଘର ପାଇଁ ସୁକନ୍ୟାର ମନ ବିଶେଷ କଷ୍ଟ ହେଉନଥିଲା । କିନ୍ତୁ ରୂପଶ୍ରୀ ଭଳି ସରଳ, ସୁନ୍ଦର ଝିଅଟା ପୁପୁନକୁ ବାହା ହେଉଥିବା କଥା ତାକୁ ବହୁତ ବେଶି ଯନ୍ତ୍ରଣା ଦେଉଥିଲା । ତା'ର ଇଚ୍ଛା ହେଉଥିଲା ରୂପଶ୍ରୀକୁ ଫୋନ୍ କରି ରୂପଶ୍ରୀର ଘର ଲୋକଙ୍କୁ ପୁପୁନ ତା' ସହ କରିଥିବା ଦୁର୍ବ୍ୟବହାର ବିଷୟରେ ସବୁକିଛି କହିଦେବା ପାଇଁ । ସୁକନ୍ୟା ରାଗରେ ହାତ ମୁଠା ମୁଠା କରୁଥିଲା ଓ ତାକୁ ଲାଗୁଥିଲା ତା ହୃଦୟରେ ପୁପୁନ୍ ପ୍ରତି ଥିବା ତା'ର ଭୀଷଣ ଘୃଣା ଓ ପ୍ରଚଣ୍ତ ରାଗର ଅନ୍ତ ତା'ର ଏ ଜନ୍ମରେ କେବେ ହେବନାହିଁ ।

ସୁକନ୍ୟା ଯିବ ଟ୍ରେନିଂ ପାଇଁ ମହୀଶୂର । ସେ ସବୁ ଜିନିଷ ସଜଡ଼ା ସଜଡ଼ି କରି ରଖି ଯିବାକୁ ପ୍ରସ୍ତୁତ ହେଉଥାଏ । ସ୍ନେହା ସୁକନ୍ୟାକୁ ବିଭିନ୍ନ ଉପଦେଶମାନ ଦେଉଥାନ୍ତି ଯାହାକୁ ଶୁଣିବାକୁ କିମ୍ବା ମାନିବାକୁ ସୁକନ୍ୟାର ତିଳେ ମାତ୍ର ଆଗ୍ରହ ନଥାଏ । ବିକେଶ୍ ସହ କଥା ହୋଇ ସୁକନ୍ୟା ଟ୍ରେନ୍ ରେ କିପରି ଯିବ ସେସବୁ ବିଷୟରେ ବୁଝିନେଇଥାଏ । ଆଉ ବି କିଛି ଜଣ ସୁକନ୍ୟାର କଲେଜ ସାଙ୍ଗ ସୁକନ୍ୟା ସାଙ୍ଗରେ ଯାଉଛନ୍ତି ସେହି ସମାନ ଜାଗାକୁ ଟ୍ରେନିଂ ପାଇଁ । ସେଥିପାଇଁ ସୁକନ୍ୟାର ବିଶେଷ କିଛି ଚିନ୍ତା କିମ୍ବା ବ୍ୟସ୍ତତା ନଥାଏ । ମନ ତା'ର ବେଶ୍ ଫୂର୍ତ୍ତି ଥାଏ । ଆକାଶକୁ ଉଡ଼ି ଯିବା ପାଇଁ ତା' ଦୁଇ କାନ୍ଧ ତଳେ ଛୋଟ ଛୋଟ ଡେଣା ଦୁଇଟି ଗଜୁରି ଉଠୁଥାଏ ।

ସୁକନ୍ୟା ଯିବା ପୂର୍ବଦିନ ଅପରାହ୍ନରେ ସ୍ନେହାଙ୍କ ପାଖକୁ ଫୋନ୍ ଆସିଲା ମୋନାଲିର ମାଆଙ୍କର । ସେ କହୁଥିଲେ ମୋନାଲି କୋଉଠି ମିଳୁନି । ସୁକନ୍ୟା ପାଖକୁ ଯାଇଛିକି ବୋଲି ସେ ସ୍ନେହାଙ୍କଠୁ ବୁଝିଥିଲେ । ସ୍ନେହା ଦୁଃଖର ସହ ତାଙ୍କୁ ଜଣେଇଲେ ଯେ ମୋନାଲି ସୁକନ୍ୟାକୁ ଭେଟିବାକୁ ଆସିନାହିଁ । ଥାନାକୁ ଯାଇ ମିସିଂ ରିପୋର୍ଟ କରିବାକୁ ସେ ମୋନାଲିର ମାଆଙ୍କୁ ପରାମର୍ଶ ଦେଇ ଆସି ଘରେ ସୁକନ୍ୟାକୁ ମୋନାଲି ବିଷୟରେ ପଚାରିଲେ । ସୁକନ୍ୟା କହିଲା ତା'ର ଅନେକ ଦିନ ହେବ ମୋନାଲି ସହ କୌଣସି କଥାବାର୍ତ୍ତା ହେଇପାରିନି ।

ବିକି ସୁକନ୍ୟାକୁ ଷ୍ଟେସନରେ ଛାଡ଼ି ଦେଇ ଆସିଲା । ସୁକନ୍ୟା ଛଳଛଳ ଆଖିରେ ବିକିଠୁ ବିଦାୟ ନେଲା ବେଳେ ବିକି କହିଲା, "ପାଗିଳୀଟା, ଶାଶୁଘରକୁ ଗଲା ଭଳି କାନ୍ଦୁଛି । ଯାଆ, ମୋତେ ଛୁଟି ମିଳିଲେ ମୁଁ ନିଶ୍ଚୟ ଯିବି ତୋତେ ଭେଟିବାକୁ ।"

ବିକି ପ୍ରଥମ ଥର ପାଇଁ ସୁକନ୍ୟାକୁ 'ତୁ' ସମ୍ବୋଧନ କରୁଥିଲା । ସୁକନ୍ୟାର ହୃଦୟରେ ଏକ ମିଶାମିଶି ଆବେଗ ସୃଷ୍ଟି ହେଇ ଆଖି ତା'ର ଆହୁରି ଓଦାଳିଆ ହେଇଯାଉଥିଲା ।

ଟ୍ରେନରେ ଶୋଇଥିବାବେଳେ ଗୋଟେ ଅଜଣା ନମ୍ବରରୁ ସୁକନ୍ୟାକୁ ଫୋନ୍ ଆସିଲା । ସେପଟୁ ଝିଅଟେ କହିଲା, "ସୁକନ୍ୟା, ମୁଁ ଘର ଛାଡ଼ି ଚାଲି ଆସିଛି । ଆମେ କୋର୍ଟ୍ ମ୍ୟାରେଜ୍ କରି ସାରିଛୁ ।"

ସୁକନ୍ୟା ବ୍ୟସ୍ତ ହେଇପଡ଼ି କହିଲା, "କିଏ ମୋନାଲି କହୁଛୁ ? ତୁ ଏବେ କୋଉଠି ? ମୋ ନମ୍ବର୍ କୋଉଠୁ ପାଇଲୁ ?"

(କ୍ରମଶଃ..)
ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୩୭)