ଚିତ୍ରକର ପ୍ରଜାପତି

ଗପ ଅନେକ ସମୟରେ ପିଲାଙ୍କ ମନସ୍ତତ୍ତ୍ଵ ଉପରେ ଗଭୀର ପ୍ରଭାବ ପକାଏ । ଖାଲି ପିଲା କାହିଁକି ବଡ଼ମାନଙ୍କ ଉପରେ ବି । ତେଣୁ ସକାରାତ୍ମକ ଗପ ଲେଖିବା ଜରୁରୀ ହୋଇ ପଡ଼େ ।


ଚିତ୍ର - ସୁମିତ୍ରା ପାଢ଼ୀ

ଚୁଟକୁକୁ ଜଙ୍ଗଲ ବୁଲିବାକୁ ଭଲ ଲାଗେ । ସେଇଥିପାଇଁ ରଙ୍ଗ ତୂଳୀ ଧରି ଚିତ୍ର ଆଙ୍କିବାକୁ ସେ ଜଙ୍ଗଲ ଭିତରକୁ ପଳାଏ । ସେଥର ସେ କାଗଜ ଉପରେ ଗଛର ଚିତ୍ର ନଆଙ୍କି ଗୋଟେ ଗହଳ ଲତାର ଚିତ୍ର ଆଙ୍କିଥାଏ । ଲତା ଗହଳ ମଝିରେ ସୁନ୍ଦର ହସ ହସ ମୁହଁଟିଏ ବି ଆଙ୍କିଥାଏ । ସବୁଜ ଲତା ଗହଳ ମଝିରୁ ଫିକା ହଳଦୀ ରଙ୍ଗର ମୁହଁଟି ଫୁଟି ବାହାରୁଥାଏ । ଚିତ୍ରଟି ଆଙ୍କିସାରି ଚୁଟକୁ ନିଜେ ଆଖି ପୂରାଇ ଚିତ୍ରଟି ନିରେଖି ଦେଖୁ ଦେଖୁ ସେ ମୁହଁଟି ସତ ସତିକା ରୂପ ନେଉ ନେଉ ପରୀଟିଏ ହୋଇଗଲା । ଚୁଟକୁ ଏସବୁ ଦେଖି ଅବାକ୍ । କିନ୍ତୁ ଚିତ୍ରଟି ଆଙ୍କିଲାବେଳେ ସେ ଭାବୁଥିବା ଓ ଚାହୁଁଥିବା କଥା ସବୁ ସତ ହୋଇଯିବା ଦେଖି ସେ ଖୁବ୍ ଖୁସି ହୋଇଗଲା । ଭାବିଲା, ଯାହା ହେଉ ମୋତେ ସାଙ୍ଗଟିଏ ମିଳିଗଲା ବୁଲିବା ପାଇଁ, ଖେଳିବା ପାଇଁ, ଗପିବା ପାଇଁ, ଜଙ୍ଗଲର ନୂଆ ନୂଆ ଜାଗାମାନଙ୍କୁ ଖୋଜି ବାହାର କରିବା ପାଇଁ । କୁନି ପରୀ ବି ଚୁଟକୁ ପରି ସାଙ୍ଗ ପାଇ ଖୁସି ହୋଇଗଲା । ସାଙ୍ଗ ହେବା ଭିତରେ କେମିତି ଦିନ ସବୁ ବିତିଯାଏ ଜଣାପଡେ଼ନି ଦୁହିଁଙ୍କୁ ।

ସେଥର କୁନି ପରୀ ଓ ଚୁଟକୁ ନୂଆ କରି ଠାବ କରିଥିବା ଗୋଟିଏ ଜାଗାରେ ଅନେକ ଧଳା ରଙ୍ଗର ଫୁଲ ସବୁ ଦେଖିଲେ । ତାକୁ ଧିରେ କରି ହାତରେ ଛୁଇଁଲେ । ଏତେ ସୁନ୍ଦର ଅଦ୍ଭୁତ କୋମଳ ଜିନିଷକୁ ହାତରେ ଛୁଇଁବା ପରେ ଚୁଟକୁର ଆନନ୍ଦ କହିଲେ ନସରେ । ସେ ଆଗ୍ରହରେ କୁନି ପରୀକୁ ପଚାରିଲା;

“ଏମିତି ଫୁଲ କ’ଣ ଆହୁରି ଅଛି ?”

ତା ପ୍ରଶ୍ନରେ କୁନି ପରୀ ହଁ ଭରିଲା । ପୃଥିବୀ ସାରା ଏମିତି ହିଁ ଫୁଲ ସବୁଠି ଅଛି ବୋଲି ଜଣାଇଲା । ସବୁ ଫୁଲ ଏକା ପରି, ନାଁ କେହି ଅଲଗା ରଙ୍ଗର ନା ଅଲଗା ରୂପର ।

ଏତକ ଶୁଣି ଚୁଟକୁ ନିଜ ରଙ୍ଗ ତୂଳୀ ବାହାର କରି ଫୁଲମାନଙ୍କ ଦେହରେ ରଙ୍ଗ ଲେସିବାରେ ଲାଗିଗଲା । କେଉଁଥିରେ ବାଇଗଣି ତ କେଉଁଥିରେ ଘନ ନୀଳ, କେଉଁଥିରେ ନୀଳ ତ କେଉଁଥିରେ ସବୁଜ, କେଉଁଥିରେ ହଳଦିଆ ନହେଲେ ନାରଙ୍ଗୀ ଅବା ଲାଲ୍ । ରଙ୍ଗ ଦିଆ ସରିବାବେଳକୁ ଫୁଲ ସବୁ ଅଦ୍ଭୁତ ଭାବେ ସୁନ୍ଦର ଦିଶିଲେ । କୁନି ପରୀ ବି ଖୁସି ହୋଇଗଲା ।

ନିଜ ହାତ ତିଆରି ରଙ୍ଗୀନ୍ ଫୁଲ ସବୁକୁ ଦେଖି ଚୁଟକୁ କହିଲା; “କୁନି ପରୀ ! ମୋତେ ପୃଥିବୀର ସବୁ ଫୁଲମାନଙ୍କ ପାଖକୁ ନେଇ ଚାଲ । ମୁଁ ସେମାନଙ୍କୁ ବି ଏମିତି ରଙ୍ଗୀନ୍ କରିଦେବି ।”

କୁନି ପରୀ କହିଲା; “ଓଃ, ଏଇ କଥା, ଠିକ୍ ଅଛି । ଚାଲ୍, ମୁଁ ତୋତେ ପୃଥିବୀର ସବୁ ଦିଗକୁ ନେଇଯିବି ।”

କୁନି ପରୀ ନିଜ ଡେଣାକୁ ଚୁଟକୁ ଦେହରେ ଛୁଆଁଇ ଦେବାରୁ ଦୁହେଁ ଉଡ଼ି ଉଡ଼ି ଚାଲିଲେ । କିଛି ବାଟ ଯିବା ପରେ ଚୁଟକୁ କହିଲା, ‘ଆମେ ପୃଥିବୀ ସାରା ନବୁଲି ଯଦି ଇନ୍ଦ୍ରଧନୁକୁ ଯାଇ ରଙ୍ଗ ମାଗିବା, ସେ କ’ଣ ଫୁଲମାନଙ୍କ ଲାଗି ନିଜ ରଙ୍ଗରୁ କିଛି ଦେବନି ?’

ଏଥର ଚୁଟକୁ ନୂଆ ଦିଗରୁ କଥାଗୁଡ଼ିକୁ ଭାବିବା ଦେଖି କୁନିପରୀ ଖୁସି ହେଲା । ଇନ୍ଦ୍ରଧନୁକୁ ଡାକି ତା’ କାନ ପାଖରେ କ’ଣ ସବୁ ଫୁସଫୁସ୍ କରି କହିଦେଲା । ଚୁପି ଚୁପି କଥା ହୋଇସାରି ଇନ୍ଦ୍ରଧନୁ ଓ କୁନି ପରୀ ଦୁହେଁ ମନ ଖୋଲି ହସିଲେ । ସେମାନଙ୍କ ସୁନ୍ଦର ହସର ଶବ୍ଦ ଶୁଣି ଚାରିଆଡୁ ପ୍ରଜାପତି ସବୁ ଚାଲି ଆସିଲେ । ପ୍ରଜାପତିମାନଙ୍କୁ ପାଖରେ ପାଇ ଚୁଟକୁ ଖୁସି ହେବାବେଳକୁ କୁନି ପରୀ ସେମାନଙ୍କୁ ଇନ୍ଦ୍ରଧନୁ ପାଖରୁ ନିଜର ଡେଣା ଭର୍ତ୍ତି କରି ରଙ୍ଗ ଆଣିବାକୁ କହିଲା । ସେମାନେ ଇନ୍ଦ୍ରଧନୁ ପାଖରେ ପହଞ୍ଚି ତା' ଦେହରେ ଥରେ ଗଡ଼ିଗଲାବେଳକୁ ତାଙ୍କ ଡେଣା ସାରା ରଙ୍ଗ ମାଖିଗଲା । ସେମାନେ ଏକାଥରକେ ହଜାର ହଜାର ସଂଖ୍ୟାରେ ଇନ୍ଦ୍ରଧନୁର ରଙ୍ଗରେ ରଙ୍ଗବେରଙ୍ଗ ହୋଇ ଆକାଶରୁ ପୃଥିବୀ ଆଡ଼କୁ ଉଡ଼ି ଆସିଲେ । ତାଙ୍କୁ ଦେଖି ଲାଗୁଥାଏ ସତେଯେମିତି ଆକାଶ ଭର୍ତ୍ତି ତାରା ସବୁ ରଙ୍ଗୀନ୍ ହୋଇଯାଇଛନ୍ତି । ଆଉ ସେମାନଙ୍କ ଦେହରେ କିଏ ସୁନ୍ଦର ଚିତ୍ର ସବୁ କରିଦେଇଛି । ସମସ୍ତେ ମିଶି ଆକାଶଟାକୁ ସାଙ୍ଗରେ ଧରି ତଳକୁ ଓହ୍ଲାଇ ଆସିବା ପରି ଲାଗୁଥାଏ ଚୁଟକୁକୁ । ସେମାନଙ୍କ ଆସିବାର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ଚାହିଁ ରହିଥାଏ ଚୁଟକୁ । ପ୍ରଜାପତିମାନେ ତଳକୁ ଓହ୍ଲାଇ ପୃଥିବୀର ସବୁ ଫୁଲମାନଙ୍କ ପାଖକୁ ଖେଳିଯାଇ ନିଜ ନିଜର ଡେଣାମାନଙ୍କୁ ଟିକେ ଟିକେ ହଲେଇ ଦେବାରୁ ରଙ୍ଗ ସବୁ ସେମାନଙ୍କ ଡେଣାରୁ ନିଗିଡ଼ି ପଡ଼ି ଚିତ୍ରବିଚିତ୍ର କରିଦେଲେ ଫୁଲମାନଙ୍କୁ । ରଙ୍ଗ ପଡ଼ି ନୂଆ କରି ତିଆରି ହୋଇଥିବା ଚିତ୍ର ଅନୁସାରେ ପାଖୁଡ଼ାମାନଙ୍କର ଗଢ଼ଣ ବି ବଦଳିଗଲା ସଙ୍ଗେ ସଙ୍ଗେ ।

ସେଇ ଦିନଠୁ ପୃଥିବୀରେ କେତେ ରଙ୍ଗର ଓ କେତେ ପ୍ରଜାତିର କୁଟିକାମ ଭରା ଫୁଲ ସବୁ ଦେଖାହେଲେ । ଆଉ ପ୍ରଜାପତିମାନେ ସେମାନଙ୍କ ଦେହରେ ଏତେ ରଙ୍ଗ, ଏତେ ସୌନ୍ଦର୍ଯ୍ୟ ଫୁଟାଇଥିବାରୁ ଫୁଲମାନେ ଉପହାର ଭାବେ ଖୁସିରେ ନିଜ ମହୁ ପ୍ରଜାପତିମାନଙ୍କୁ ଦେଲେ । ଆଉ ମଉଳି ଝଡିଯିବା ପରେ ଚୁଟକୁକୁ ନିଜ ପାଖୁଡ଼ା ସବୁ ଦେଲେ ରଙ୍ଗ ତିଆରି କରି ଚିତ୍ର ଆଙ୍କିବା ଲାଗି ।