ଚିକିତ୍ସକ

ଚିକିତ୍ସା କେବଳ ଦେହର ନୁହେଁ, ମନ ଓ ଆତ୍ମାର ବି ଆବଶ୍ୟକ । ଆତ୍ମିକ ବ୍ୟାଧିର ମହାନତମ ଚିକିତ୍ସକ ଗୌତମ ବୁଦ୍ଧଙ୍କୁ ସମର୍ପିତ ଏ କବିତା ।


ଫଟୋ - ୱିକି ମିଡିଆ କମନ୍ସ

(ସିଦ୍ଧାର୍ଥ ଗୌତମଂକୁ ସମର୍ପିତ)

ତାଂକର ବ୍ୟକ୍ତିଗତ ବୋଲି ଦୁଃଖ କିଛି ନଥିଲା
କିଂତୁ ପ୍ରଥମ ଦେଖାରେ ବୁଝିଗଲେ ଯେ
ପର୍ଯ୍ୟାୟକ୍ରମେ ଏ ଦୁଃଖ ସଭିଂକର
ଅସ୍ତିତ୍ବର ସହଜାତ ଗୋଟେ ଅମୋଘ ବ୍ୟାଧି

ସେ କବି ନଥିଲେ
ଦୁଃଖ ଲାଘବ ପାଇଁ ରଚନା କରିନଥିଲେ
ସୁଲଳିତ ପଦାବଳୀ
ସେ ସନ୍ଥ ବି ନଥିଲେ
ଦୁଃଖକୁ ଘଉଡାଇବା ପାଇଁ
ବିତରଣ କରୁନଥିଲେ ହିତୋପଦେଶ
ସେ ଖୋଜୁଥିଲେ ବ୍ୟାଧିର କାରଣ
ଓ ଉପଚାର ପାଇଁ ଗୋଟେ ଉପକରଣ

ନା ତାଂକର ସ୍ବୀକାରୋକ୍ତି ଥିଲା ଦୁଃଖକୁ
ନା ଅସହାୟ ଆଦରି ନେବାର ଥିଲା ନର୍କ
ସବୁ ଛାଡିଦେଲେ ରାତାରାତି
ପତ୍ନୀ, ପୁତ୍ର, ସିଂହାସନ ଆରୋହଣର ସୁଖ
ପଥରୋଧ କରି ପାରିଲା ନାହିଁ ସ୍ବାର୍ଥପରତାର ଅପବାଦ
ଅଂଧାରରେ ଅଣ୍ଡାଳି ଅଣ୍ଡାଳି ଖୋଜିଲେ ଆଲୁଅ
ଅଧିକରୁ ଅଧିକତର ହେଲା ଦୁଃଖ
ସମର୍ପଣ ହିଁ ଦେଲା ସବୁ ସମାଧାନର ସୂତ୍ର

ଠିକ୍ ସେତିକିବେଳେ
ଝଣଝାଣ୍ ଶିକୁଳି ଖୋଲିବାର ଶବ୍ଦ ଶୁଭିଲା ଭିତରୁ
ଜଳ ଜଳ ଦିଶିଲା ଦେହ ଓ ମନର ଚକ୍ରବ୍ୟୂହରେ
ଛନ୍ଦି ହୋଇଥିବା ଜୀବନର ମୂଳ
ବ୍ୟାଧିର କାରଣ ଓ ନିଦାନର ସନ୍ଧିସ୍ଥଳ,
ଭୋକ୍ତାର ଭୂମିକା ଛାଡି
ଛିଡାହୋଇ ପଡିଲେ ଦ୍ରଷ୍ଟାର ଭୂମିକାରେ
ଦୃଷ୍ଟି ଖୋଲିଦେଲା ଦୁଃଖ ପକାଇଥିବା ସବୁ ଗଣ୍ଠି

କବି ନଥିଲେ ସେ
ସନ୍ଥ ବି ନଥିଲେ
ଥିଲେ ଜଣେ ଚିକିତ୍ସକ ।