ଛାଇ ସଂଜର ଛବି

ସୁନି ଅପା ଲଣ୍ଠନ ଆଲୁଅକୁ ଆଉ ଟିକେ ତେଜି ଦେଇ କହିଲା - ଝିଅ ଜନମର ରହସ୍ୟ ତୁ ବୁଝିପାରିବୁନି । ନଈଟିଏ ପରି ତାକୁ ପ୍ରତିକ୍ଷଣରେ ମୋଡ଼ ବଦଳେଇବାକୁ ପଡ଼େ ।


ତୁ ଝିଅ ପିଲାଟେ ହେଇକି କାହିିଁକି ବନିଶୀ କଣ୍ଟା ପକଉଛୁ ?

ତୋର କ’ଣ ଗଲା ମୁଁ ଯାହା କଲି ?

ମୁଁ କାଲିଠୁ ଏଠି ଦଳ ସଫା କରିଛି କଣ୍ଟା ପକେଇବି ବୋଲି, ତୁ କେମିତି ଆସି ବନିଶୀ ପକେଇଲୁ ?

ଦଳ ସଫା କଲୁ ବୋଲି କ’ଣ ପୋଖରୀଟା ତୋର ?

ଆଉ କ’ଣ ତୋର ?

ତୁ ଯା ଏଠୁ କହି ଦଉଚି, ମୋତେ ରଗାନା । ଏଇ ବନିଶୀକଣ୍ଟା ଛଡ଼ିରେ ପିଟିପିଟି ଫଳେଇ ଦେବି । ମୋତେ ତୁ ଚିହ୍ନିନୁ, ମୋ ରାଗ ଜାଣିନୁ । ଭଲଦଶା ଯଦି କଣ୍ଟା ଉଠା ଏଠୁ ଆଉ ପଳା ।

ହ.ଅଁ..ନା, ସତରେ, ଭାରି ମାରିଲାବାଲା ନୁହେଁ ଦେଲୁ ମୋ ଦେହରେ ହାତ, ତୋ ହାତକୁ ଯଦି ମୋଡ଼ିକି ଭାଙ୍ଗି ନଦେଇଛି ମୋ ନାଁ ସୁନି ନୁହେଁ ।

କ’ଣ ହେଲା ମୋ ଜାଗାରେ କଣ୍ଟା ପକଉଛୁ, ମୁଁ କହିଲାବେଳକୁ ମୋ ଉପରେ ଗରମ ଦେଖଉଛୁ, ତୋର ସାହସ ତ କମ୍ ନୁହେଁ ?

ହଁ...ଅଁ...ତୋ ବାପା ଜାଗା ଆଉ..

ଆଉ ସହି ପାରିଲିନି । ତା’ ମୁଖୁରା ଗୁଣ ମୋତେ ଭାରି ଚିଡେଇ ଦେଲା । ସେଇ ବନିଶୀ ଖାଡ଼ିରେ ପାହାରେ ଦେବାକୁ ଉଠାଇଲାବେଳକୁ ସେ ଧରି ପକାଇଲା ଛଡ଼ିଟିକୁ । ମୁଁ ଝିଙ୍କି ଆଣିଲି । ବୋଉଲୋ ମରିଗଲି ଲୋ.. । ରାଗତମରେ ମୁଁ ଭୁଲିଯାଇଥିଲି ଯେ ସେ ଛଡ଼ିରେ କଣ୍ଟା ଲାଗିଛି ବୋଲି । ତା ଆଖିପତାରେ ଲାଖି ଯାଇଛି ବନିଶୀ କଣ୍ଟା । ଧାର ଧାର ରକ୍ତ । ମୋର ସବୁ ରାଗ ଉଭାନ୍ । ତାକୁ କେମିତି ବଞ୍ଚେଇବି ସେଇ ଚିନ୍ତାରେ ଦେହ ହାତ ଥରୁଥାଏ । ଡାକୁଣୀଖିଆ ମାରି ପକେଇଲା ମୋ ଝିଅକୁ କହି ଧାଇଁ ଆସିଲା ତା ବୋଉ । ତା’ପରେ ଆମ ଗାଁସାରା ଲୋକ । ଟ୍ରଲିରେ ବନିଶି କଣ୍ଟା ଖାଡ଼ି ସହ ସେ ଗଲା ଡାକ୍ତରଖାନା । ଅବଶ୍ୟ ଆମ ଗାଁ ରାସ୍ତାପାଖିଆ ଗାଁ ଓ ଖଣ୍ଡେ ଦୂରରେ ଡାକ୍ତରଖାନା । ଡାକ୍ତରଖାନାରୁ ଆସିଲା ପରେ ତା’ବୋଉ କହିଲା ଆଉ ଦିନେ ଯଦି ସେ ଭୋଦାବାଡ଼ିଆ ସାଙ୍ଗରେ ଖେଳିଛୁ, ସେଦିନ ଦେଖିବୁ ତୋର ଦିନେକୁ ମୋର ଦିନେ ।

ତା’ ଘା’ ଶୁଖିଗଲା । ଚିହ୍ନ କିନ୍ତୁ ରହିଗଲା ସାରାଜୀବନ । ଏମିତି ବି ତା ଦେହରେ ବହୁତ ଚିହ୍ନ । ଆମ ଗାଁର ସେ ପ୍ରଥମ ଝିଅ ଯିଏ ସାଇକେଲ୍ ଚଲାଏ । ଗଛ ଚଢ଼େ । ସୁନି ଅପା ମୋ ଠୁ ବୟସରେ ଦି’ବର୍ଷ ବଡ଼ । ବଡ଼ ହେଲେ ବି ଆମେ ସାଙ୍ଗ । ତା’ବୋଉର ଆକଟ, ସେଦିନର ସେ ଲୋମହର୍ଷଣକାରୀ ଦୁର୍ଘଟଣା ପରେ ବି ଆମେ ସାଙ୍ଗ ହେଲୁ । କେନ୍ଦୁ, ତେନ୍ତୁଳି, ଆମ୍ବ, କୋଳି ତୋଳିଲୁ । ପୁଣି ବନିଶୀ ପକେଇଲୁ । ସୁନିଅପା ବଡ଼ ହେଲା, ମୁଁ ବି । ବଡ଼ ହେଲା ପରେ ବି ସୁନିଅପା ମୋତେ ସାଙ୍ଗ ବୋଲି ଭାବୁଥିଲା ଆଉ ତା’ମନର ସବୁକଥା ମୋତେ କହୁଥିଲା । ଗୋଟେ ଡିଟେକ୍ଟିଭ୍ ବହିକୁ ବିଭିନ୍ନ ଆଙ୍ଗଲ୍‌ରୁ ଦଶଥର ଆଲୋଚନା କରୁ । ଗାଁରେ ଭିଡ଼ିଓ ହେଲେ ଗୋଟେ ଫିଲ୍ମ ଆମର ଆଠ ଦଶ ଦିନ ଯାଏ ଆଲୋଚନା ହୁଏ । ତା’ର ମାଧୁରୀ ଦିକ୍ଷିତ୍ ଓ ଅମୀର ଖାନ୍ ପ୍ରିୟ । ମୋର ଦିବ୍ୟା ଭାରତୀ ଓ ଅଜୟ ଦେବଗନ୍ । ଯୁକ୍ତି କରୁ । ହେଲେ ଆଉ ଝଗଡ଼ା କରେନି ମୁଁ । ଜାଣି ଜାଣି ତା’କଥାରେ ସହମତ ହେଇଯାଏ । କ’ଣ ଟିକେ ଭୋଗ କି ଭଲ ତର୍କାରୀ ହେଇଥିଲେ ସେ ମୋ ପାଇଁ ନିଶ୍ଚୟ ରଖିଥିବ । ଦେବଭାଇ ତାକୁ ପ୍ରତାରଣା କଲାପରେ ସୁନିଅପା ଭାଙ୍ଗିପଡ଼ିବା କଥା । ହେଲେ ସୁନିଅପା କହିଲା ମାର୍ ଗୁଲି କେତେ ଆସିବେ, କେତେ ଯିବେ । ମୁଁ ଆଶ୍ଚର୍ଯ୍ୟ । କେଡ଼େ ଚଣ୍ଡୀଟା ଏଇ ସୁନିଅପା । ୟାର ହୃଦୟ ବୋଲି କ’ଣ କିଛି ନାହିଁ ?

ସୁନି ଅପା ବାହାହେଇକି ଚାଲିଗଲା ପରେ ମୋତେ କାହିଁକି କେଜାଣି ଆମ ଗାଁ ଭାରି ନିରିକ୍ଷେତ୍ରିଆ ଲାଗିଲା । ଚିନ୍ତା ବି ଲାଗିଲା । କେବେବି ସଂସାରମନସ୍କ ନଥିବା ସୁନି ଅପା କେମିତି ଚଳିବ ତା’ ଶାଶୂଘରେ ? କଳିଆଣୀକୁ ମୁହଁଖୋର୍ । ନବାବ୍ ମୁହଁରେ ଜବାବ୍ ଦେଲାବାଲା । ସେଥର ରଜରେ ରଜଭାର ଯିବ ସୁନିଅପା ଘରକୁ । ଦାୟିତ୍ୱ ଦିଆଗଲା ମୋତେ । ମୁଁ କହିଲି ଦୂର୍‌, ମୋର କିଏ ଯିବ ସେ ଅପନ୍ତରା ଗାଁକୁ ? ରାସ୍ତାଘାଟ କିଛି ନାହିଁ । ଚାଲି ଚାଲି ଆଠ କି.ମି ରାସ୍ତା କିଏ ଯିବ ? ଆଉ କାହାକୁ କୁହ । ତା’ ବୋଉ ମୋର ହିସାବରେ ସାଆନ୍ତ ମା’ ହେବ । ଗାଳି କଲା ସାଆନ୍ତ ମା, କହିଲା - ସାଙ୍ଗ ହେଇକି କେତେ ଖେଳୁଥିଲ, କେତେ ମାଡ଼ଗୋଳ ହେଉଥିଲ, ତୋତେ ସେ କେତେ ଭଲପାଏ ଆଉ ତୁ ତା’ଘରକୁ ଯିବାକୁ ରାଜି ପଡୁନୁ ? ଆଉ କିଏ ଅଛି କାହାକୁ କହିବି ? ମୋ ଧନଟା ପରା ଯାଆ ଟିକେ ?

ହଉ ହଉ ତୁ ଆଉ ଏତେ ସକେଇ ହଅନା ମୁଁ ଯିବି । ଭାର ନେଇ ସୁନି ଅପା ଘରେ ପହଞ୍ଚିଲାବେଳକୁ ଦିନ ଏଗାର । ଶଳା କି ଅପାଣ୍ଡବା ଗାଁ । ଖରାଦିନରେ ବି ରାସ୍ତାରେ କାଦୁଅ । ଏଠି ମଣିଷ ରହୁଛନ୍ତିଟି ? ସୁନିଅପା କହିଲା ଚୁପ୍‌! ବେଶୀ କଥା କହୁଛି । କିଏ ଯଦି ଶୁଣିବ ମୋ ଅବସ୍ଥା କ’ଣ ହେବ ତୁ ଜାଣିଛୁ ?

ଭଲା କଥା ! ଯୋଉଟା ସତ ସେଇଟା କହିଲି ।

ତୁ ଆଉ ଏତେ ସତ କହନା । ସୁନିଅପାର ଏକାନ୍ନବର୍ତ୍ତୀ ପରିବାର । କଠୋର ଅନୁଶାସନ । ପିଉସା ବହୁତ ରାଗୀ, ଜିଦ୍‌ଖୋର୍ ଓ ସ୍ୱାଭିମାନୀ ମଣିଷ । ଦିନ ତମାମ ଘରଘର ହେଇ ମେସିନ୍ ଭଳି କାମ କରୁଥିବା ସୁନିଅପାକୁ ଦେଖି ମୁଁ ପୁରା ଟେରା । ଯିଏ ଗାଁସାରା ୟା ବାଡ଼ି ତା’ବାଡ଼ିରେ ପଶି ପିଜୁଳି, କୋଳି ତୋଳି ଖାଉଥିଲା । ଘରକାମରେ ହାତ ମାରେନି । ସିଏ ପୁଣି.. । ନା ମୋତେ ବିଶ୍ୱାସ ହେଇନଥାଏ । ଫିଲ୍ମ ଭଳି ଲାଗୁଥାଏ ସୁନିଅପାର ବୋହୂପଣିଆ ।

ମୁଁ ଜିଦ୍ ଧରିଲି ଭାର ନେଇ ଯାଇଥିବା ଭାରୁଆଙ୍କ ସହ ଫେରିବା ପାଇଁ । ତା’ଶଶୁର ହୁକୁମ୍ କଲା ଭଳି କହିଲା - କାଇଁ! ତମେ କ’ଣ ଭୂତଖାନାରେ ରହିଛ ନା ଆମେ ମଫସଲିଆ ହେଲୁ ବୋଲି ଗନ୍ଧଉଛୁ ? ତମ ଗାଁ ଲୋକେ କ’ଣ ଭାବିବେ ? ଏମିତି ଲୋକ ନା ସେମାନେ ଆତିଥ୍ୟତା ଜାଣନ୍ତିନି ? ପିଲାଟାକୁ ଗୋଟିଏ ଦିନବି ଅଟକାଇ ପାରିଲେନି ?

ମୁଁ ଚୁପ୍ । ଭାରୁଆ ପଳେଇ ଆସିଲେ ମୋତେ ଛାଡ଼ି ସୁନି ଅପା ଘରେ । ସଂଜ ନଇଁ ଆସିଲା । ସୁନି ଅପା ତା’ଘର ସାମ୍ନାରେ ଥିବା ମାଟି ଚଉଁରାମୂଳେ ସଂଜବତୀ ଜାଳିଲା । ମୁଁ ବିଶ୍ୱାସ କରିପାରୁନଥାଏ, ଉଗ୍ରଚଣ୍ଡୀ ସୁନିଅପାର ୟେ ଲାଜ ଲାଜ ବୋହୂ ବେଶକୁ । ଫିଲ୍ମରେ ଦେଖିଥିବା ଦୃଶ୍ୟଟିଏ ଯେମିତି ସତ ହେଇଯାଇଛି । ଆହା! ୟେ ସୁନିଅପା ନା ମାଆ ବୃନ୍ଦାବତୀ ? ସୁନିଅପା କହିଲା - ଧେତ୍ ତୋର ଯେତେ ସବୁ ଅଭିଲା କଥା । ମୁଁ କହିଲି ନା ଲୋ ସୁନି ଅପା ମୋ ରାଣ ଖାଉଛି ଏପର୍ଯ୍ୟନ୍ତ ସୁଦ୍ଧା ମୁଁ ବିଶ୍ୱାସ କରିପାରୁନି ଚଉରାମୂଳେ ସଂଜ ଦେଉଥିବା ବୋହୂଟି ତୁ ବୋଲି !

ସୁନି ଅପା ଲଣ୍ଠନ ଆଲୁଅକୁ ଆଉ ଟିକେ ତେଜି ଦେଇ କହିଲା - ଝିଅ ଜନମର ରହସ୍ୟ ତୁ ବୁଝିପାରିବୁନି । ନଈଟିଏ ପରି ତାକୁ ପ୍ରତିକ୍ଷଣରେ ମୋଡ଼ ବଦଳେଇବାକୁ ପଡ଼େ ।

ଲଣ୍ଠନ ଆଲୁଅରେ ସୁନିଅପାର ମୁହଁ ଆହୁରି ସୁନ୍ଦର ଦିଶୁଥିଲା ଓ ତା’ ଆଖିପତାର ସେ ଦାଗଟା ବି । ମୁଁ ତା’ର ସେ ଦାର୍ଶନିକ କଥା ସବୁ ଶୁଣିବା କି ବୁଝିବା ଅବସ୍ଥାରେ ନଥାଏ ।

ଘୋଡ଼ାମୁହାଁ କ’ଣ ଏମିତି ବଲବଲ କରି ମୋ ମୁହଁଟାକୁ ଚାହିଁଛୁ ଯେ, କ’ଣ ଖାଇବୁ କହ ?

ଛାତି ଭିତରେ ସାଇତା ଗୋଟେ ସଂଜର ଛବି ମୁଁ ମଲା ପରେ ଯାଇଁ ଲିଭିଲେ ଲିଭିବ । ଏ ଜୀବଦ୍ଦଶାରେ ତ ଆଦୌ ନୁହଁ ।