ଚଂଦ୍ରବର୍ଣ୍ଣା

ଚନ୍ଦ୍ରାବଳୀ ଏବେ ଚନ୍ଦ୍ରବର୍ଣ୍ଣା । ଏକ ଦୀର୍ଘ କବିତା । ପୁରାଣର ଏକ ଚରିତ୍ର ଯିଏ ରାଧା ଓ କୃଷ୍ଣଙ୍କ ମଧ୍ୟରେ ପ୍ରେମର ଏକ ବିକଳ୍ପ ବିଭାଜନ ରେଖା । ଆଜିର ସମୟରେ କିଏ ଏ ଚଂଦ୍ରାବଳୀ ? କଣ ତାଙ୍କର ଅସ୍ତିତ୍ଵ ଓ ଅସ୍ମିତା ?


ଏ ରାସ୍ତାରେ ଦିଶୁନାହାଂତି କେହି !
ମୁଁ ଏକା, ଯଦିଓ ଯାଉନାଇଁ ଏକାକୀ;
ଅଛି ମୋ ସ' ଲୁଚକାଳି ଖେଳୁଥିବା ଛାଇ ।

ପାଣିଚିଆ ଖରାରେ ବସିଚି ପାହାଡ଼ଟା ଗୁମ୍'ହେଇ
କେତେକଥା ଦେଖିଚି ଯିଏ ସିଏ କ'ଣ ରହିପାରେ ଚୁପ୍ ହେଇ ?
ଯା'ଯା' ଘଟିଚି ସଭିଏଁ ଡରୁଚଂତି କହିବାକୁ କ'ଣ ପାଇଁ ?
ଅନ୍ୟର ଦୁଃଖକୁ ଦେଖି କୋଉ ମଣିଷ କି କେବେ ରହେ
ମୁହଁକୁ ବୁଲେଇ !
ଭାବିଲେ ମୁଂଡ ଉପରେ ପଡିଯାଉଚି ଆକାଶ ,
ବୋଧେ, ସମୟ ଆଉ ନାଇଁ ସମୟ ହେଇ ।

ମୁଁ କହୁଚି ଯେତେ ଯେ ଏଠି ଗୋଟେ ଥିଲା ନଈ
ଏଠିଥିଲା କେତେ ଗଛଲତା
ଚାରିଆଡ଼େ ଖେଳୁଥିଲା ଫୁଲ ଆଉ ଫୁଲ
ସେଠି ଜଣେ ବୁଢ଼ୀ ରହୁଥିଲା, ତା ପୁଅକୁ
ନେଇଯାଇଥିଲା ବାଂଧି ରଜାଂକ କଟୁଆଳ
ଏଠି ଗୋଟେ ଥିଲା ଗାଁ
ଯାର ଖୁସି ଲଂବିଥିଲା ଦିଗ ବିଦିଗକୁ
ଘିଅ-ମହୁର ବାସରେ ଫାଟୁଥିଲା ଦାଂଡ
ବଡ-ସାନ ମାନି ଚଳୁଥିଲେ,
ଯାଉଥିଲେ ଆସୁଥିଲେ ସାଥୀ ହେଇ ଦେଖିବାକୁ ନାଚ;
ବିଶ୍ବାସ ପାଉନି କା'ର ମୋତେ ଯେତେ ବି କହିଲେ !

ଦେଖ ଦେଖ
ମୋପାଦଂକୁ କିଏ ନେଇଯାଉଚି ଭିଡ଼ି
ଗୋଟେ ଗଛପାଖକୁ
ଯୋଉଠି ଲେଖାହେଇଚି ଦି'ଟା ନାଆଁ !
ଦେଖ ଦେଖ
କେମିତି ଜବରଦସ୍ତ କିଏ
ରଖେଇଦଉଚି ମୋ ହାତ ସେ ନାଆଁ ଉପରେ !
ଛୁଉଁଛୁଉଁ ସେ ନାଆଁକୁ
ହସି ଉଠୁଚଂତି ଅକ୍ଷରମାନେ
ହଠାତ୍ ସବୁଫୁଲ ଦିଶୁଚଂତି ନେଳୀ ନେଳୀ
ମେଘମାନେ ବୁଲୁଚଂତି ହରିଣ ପିଠିରେ ବସି
ଦେଖ ଦେଖ
କୁଆଡ଼ୁ ଆସୁଚଂତି ମାଡ଼ି ଦଳଦଳ ଗୋଲାପି ଗୋଲାପି କଂକି !

କା'କୁ କଣ ଦିଶୁନାଇଁ ନଈଟିଏ
ବହି ଯାଉଛି କୁଳୁକୁଳୁ ହେଇ !
ତା କୂଳକୁ ଲଂବିଥିବା ରାସ୍ତାରେ ମେଂଚାଏ ପିଂପୁଡ଼ି
ଚାଲିଚଂତି ଭିଡ଼ିଭିଡ଼ି ଅରୁଆଚାଉଳ ଗୋଟେ
ଅଥବା ନେଉଚଂତି ଟେକିଟେକି ହାତେ
ଚେତା ହରେଇ ପଡ଼ିଥିବା ଜଣେ କାହାକୁ ବାଟରେ !!
ଆଶ୍ଚର୍ଯ୍ୟ ମୁଁ ଦେଖିଲି ମୋତେ !!!

ବାରଂବାର ମଳିଲି ଆଖି, ସବୁଥିଲା ସତ
ଇଏ ଭ୍ରମ ନୁହଁ, ଭ୍ରମ ନୁହଁ ମୋଟେ ।

ଏତିକିବେଳେ
କାହୁଁ ଆସି କୋଇଲିଟିଏ କୁହୁକୁହୁ ଗୀତଗାଏ
ଗଛଡାଳେ !
ବସିପଡ଼େ ନଥ୍ ମୁଁ ତା'ତଳେ ।
ଡାକୁଥାଏ କେହିଜଣେ ମୋତେ ଦୂରେ
ମୟୂର ଚନ୍ଦ୍ରିକାଟିଏ କାହୁଁ ଆସି ଭୁସ୍
ପଡ଼ିଯାଏ ମୋରି କୋଳରେ !

ସିଏ କିଏ,
ମୋରି ପରି ଦିଶୁଥାଏ ଯିଏ ??

Report an Error