ଚଂଦ୍ରାବଳୀ - ୮

"ଚଂଦ୍ରାବଳୀ" ଏକ ଦୀର୍ଘ କବିତା । ପୁରାଣର ଏକ ଚରିତ୍ର ଯିଏ ରାଧା ଓ କୃଷ୍ଣଙ୍କ ମଧ୍ୟରେ ପ୍ରେମର ଏକ ବିକଳ୍ପ ବିଭାଜନ ରେଖା । ଆଜିର ସମୟରେ କିଏ ଏ ଚଂଦ୍ରାବଳୀ ? କଣ ତାଙ୍କର ଅସ୍ତିତ୍ଵ ଓ ଅସ୍ମିତା ?


ସମୟର ଚକ୍ରବାଳେ ଜଳୁଥାଏ ଦୀପଟିଏ
ବୁଢ଼ୀ ପରି ଥୁରୁଥୁରୁ ଶୀତରେ
କେତେଋତୁ ଆସେ, ଯାଏ
ଠିକ୍ ତମ ଯିବା ପରେପରେ ।

ଯାହା ଛୁଇଁଲି ମୋ ନିଷ୍ପାପ ଓଠରେ
ମଳିନ ଦିଶିଲେ ସବୁ
ସ୍ଵାମୀର ମୃତ୍ୟୁ ପରେ ସ୍ତ୍ରୀ ମୁହଁରେ
ଲୁହ ଯେଉଁପରି ଶୁଖି ଦିଶେ
ବିଜୁଳିର ଗାର ପରି ପତ୍ରଂକ ପିଠିରେ !

କାଲିଠାରୁ କେହି ମୋତେ ଡାକିବେ ନାଇଁ
କାଲିଠାରୁ ଆରଂଭ ହବ ଯାତ୍ରା ଗୋଟେ ଭିନେ ରାସ୍ତା ଦେଇ
ଯୋଉ ରାସ୍ତା ଦେଇ ଯାଇଥିବ
ଆସିଥିବ ଏକ ଶ୍ଯାମଳ ଅଥଚ ଉଜ୍ଜ୍ୱଳ ଛାଇ !

ସବୁ ଶୂନ୍ୟସ୍ଥାନ ପରା ପୂର୍ଣ୍ଣ ହୁଏ କେମିତି ନା କେମିତି ଭାବରେ !
ତ, ତମେ ନଥାଅ ଯଦି କିଏ ଡାକେ, କିଏ ଥାଏ ମୋ ପାଖରେ
କେହି କୁଆଡ଼େ ଦିଶୁନଥିବା ବେଳରେ ?

Report an Error