ଚଂଦ୍ରାବଳୀ - ୬

"ଚଂଦ୍ରାବଳୀ" ଏକ ଦୀର୍ଘ କବିତା । ପୁରାଣର ଏକ ଚରିତ୍ର ଯିଏ ରାଧା ଓ କୃଷ୍ଣଙ୍କ ମଧ୍ୟରେ ପ୍ରେମର ଏକ ବିକଳ୍ପ ବିଭାଜନ ରେଖା । ଆଜିର ସମୟରେ କିଏ ଏ ଚଂଦ୍ରାବଳୀ ? କଣ ତାଙ୍କର ଅସ୍ତିତ୍ଵ ଓ ଅସ୍ମିତା ?


ତମେ ଆଉ ଆସିବ ନାଇଁ - କହିଲା ପବନ
ମୁଁ କହିଲି, ହେ ପବନ !
ଯାଅ ଯାଅ ଯେତେ ଗାଁ ପଡ଼ା ଓ ନଗର
ପ୍ରତି ଗଳି କଂଦି ଆକାଶ ଜଂଗଲ
ଦିଅ ଦିଅ ପ୍ରତିଘରେ ଏ ବିଶେଷଖବର !

ଏ ବନରେ ଫୁଲ ଆଉ ଫୁଟିବାର ନାଇଁ
ପକ୍ଷୀଏ ପ୍ରସ୍ତୁତ ହେଲେଣି ମରିଯିବା ପାଇଁ
ପତ୍ରସବୁ କୁଢ଼କୁଢ଼ ପାଲଟିଲେଣି କେତେ ଯେ ପର୍ବତ
ଲତା ଆଉ ଗୁଳ୍ମମାନେ ଶୁଖିସାରିଲେଣି
ଝରଣା ଆଉ ନଦୀମାନେ ଯିବାର ନାଇଁ ବି ସମୁଦ୍ର ପର୍ଯ୍ଯନ୍ତ ।

କିଛି କହୁଚି ସତରେ ?
କିଛି କହିବି ଏମିତି ଭାବିଲାବେଳକୁ
ପାଟି ମୋର ଖୋଲୁନାଇଁ
ଅଥଚ ରହିପାରୁଚି ବା କୋଉ ମୁଁ ନକହି !
ହେ ପବନ, ତମେ ବରଂ ଦେଖିନିଅ
କେଉଁପରି ଆସଂତି ତାରାଏ ପୁଣି ଯାଂ'ତି ଲୁଚି
କେଉଁପରି ଜହ୍ନ ନାଚେ କଳାମୁଖା ନାଇ
କେବେ ପଛରେ ମୋ କେବେ ଆଗରେ
ଶ୍ୟାମଳ ମେଘଖଂଡେ ଯାଏ ଦୂରେଇ ଦୂରେଇ ।

ମୁଁ ଖୋଜୁଚି କାହାକୁ ଏ ସମୟେ ?
କାହାକୁ ଖୋଜୁଚି ନିଃଶ୍ବାସେ ପ୍ରଶ୍ଵାସେ
ଆଣିବାକୁ ଅକ୍ଷରର ଛୋଟଛୋଟ ଦ୍ବୀପକୁ ?
ତମେ କଣ ନିର୍ବାସନରୁ ଆସି
ଶୀତଳ କରିବ ଅକସ୍ମାତ ଶୀତର ଏପରି ନିଆଁକୁ ??

ଚାରିଆଡ଼ ଅଂଧାର
କିଂତୁ ଏମିତି କେମିତି ଦିଶୁଚି ଅଂଧାରର ନୂଆ କଳେବର ??

Report an Error