ଚଂଦ୍ରାବଳୀ - ୫

"ଚଂଦ୍ରାବଳୀ" ଏକ ଦୀର୍ଘ କବିତା । ପୁରାଣର ଏକ ଚରିତ୍ର ଯିଏ ରାଧା ଓ କୃଷ୍ଣଙ୍କ ମଧ୍ୟରେ ପ୍ରେମର ଏକ ବିକଳ୍ପ ବିଭାଜନ ରେଖା । ଆଜିର ସମୟରେ କିଏ ଏ ଚଂଦ୍ରାବଳୀ ? କଣ ତାଙ୍କର ଅସ୍ତିତ୍ଵ ଓ ଅସ୍ମିତା ?


କ'ଣ ଭୁଲ୍ ହେଲା କେଜାଣି
ହୁକୁମ ହେଲା ରହିବାକୁ ଗାଁ ବାହାରେ
ଫରମାନ ଜାରି ହେଲା ନ ମାଡ଼ିବାକୁ ତୁଠ
ଯିଏ କଥାହବ ତାକୁ ବି କୋରଡ଼ାମାଡ଼
କା'କୁ ମାଗିବି ନ୍ୟାୟ ?
କା'କୁ ପଚାରିବି:
ଅଂଧାରର କ'ଣ କିଛି ନାଇଁ ପରିଚୟ ??

ପ୍ରଶ୍ନପଚାରିବା ମନା ସେମାନଂକୁ ।
ସେମାନେ, ସତକହୁଚି, ବୋକାଠାରୁ ବୋକା
ସେମାନେ କ'ଣ ଜାଣଂତି ସେମାନଂକ କଥା !
ଛାଡ଼ଛାଡ଼
ଦୁଃଖଂକର କୋଉ ଋତୁ ଥାଏ ଯେ ମିଛେ ମୁଂଡବଥା !

ସବୁ ମୋ ମୁଂଡରେ ଯାଉ
ଯେତେ କଳଂକ ଅପବାଦ ଓ ଯେତେ ଅପମାନ,
ଏତକ ପାଇବା ବି କମ ଭାଗ୍ଯ ନୁହଁ ବୋଲି ଯଦି ମୁଁ କହିବି
ଖାସ୍ କରି ତମପାଇଁ
ହାଟବସିଯିବ ପୁଣି ଦାଂଡରେ ଘାଟରେ;
ହସିବାକୁ କି ମରିବାକୁ ସମୟ ମିଳିବନାଇଁ
ଏସମୟରେ ।

ଯିଏ କଳଂକର କଳା ନାଇ ନାଇଁ
ସିଏକି ଜାଣିବ ତମକୁ ?
ତମେ ତ କଳାର କଳଂକର ନେଂଥାଏ ଅଂଗୁର
ଯେମିତି ସୀମା ବାହାର ଅପମାନସବୁ
ମୋର ଅଳଂକାର !

ଦୋଷଦଉନି କା'କୁ କି ଧରୁନି କା'ର
ବରଂ କେତେଜନ୍ମ କେତେ ତପସ୍ୟାର ଫଳ ମୋ'ର !
ତାରାଂକ ଗହଳଠାରୁ ଦୂରରେ
ଚଂଦ୍ର ପରି ରହିବି ମୁଁ ମୋ କୁଡ଼ିଆରେ ,
ଏ ଭାଗ୍ଯ କି ମିଳେ କା'କୁ ସହଜରେ !
କି ଯାଏ ରହିଲେ କୋଉଠାରେ
ତମକୁ ଦେଖିବି ପାଇବି ନିଶ୍ଚେ ଗୋଟାପଣେ !!
ମୁଁ କ'ଣ ମିଛକୁ ପାଳିଚି ମୋତେ ତମରି ନାଆଁରେ !!!

Report an Error