ଚଂଦ୍ରାବଳୀ - ୪

"ଚଂଦ୍ରାବଳୀ" ଏକ ଦୀର୍ଘ କବିତା । ପୁରାଣର ଏକ ଚରିତ୍ର ଯିଏ ରାଧା ଓ କୃଷ୍ଣଙ୍କ ମଧ୍ୟରେ ପ୍ରେମର ଏକ ବିକଳ୍ପ ବିଭାଜନ ରେଖା । ଆଜିର ସମୟରେ କିଏ ଏ ଚଂଦ୍ରାବଳୀ ? କଣ ତାଙ୍କର ଅସ୍ତିତ୍ଵ ଓ ଅସ୍ମିତା ?


ଗାଧେଇବାବେଳେ ପ୍ରାୟତଃ
ହସମଜା କରୁ, ପିଟାପିଟି ଗୋଡ଼ହାତ କରୁ
କିଏ କା'କୁ ପାଣି ଛାଟେ କିଏ ତୁଚ୍ଛା ଧମକାଏ
ପରଦିନମାନଂକରେ ଦେଖା କି କଥା ନହବାର କହି
ମୁଠା ପୁଣି ଆପେ ଖୋଲିଯାଇଥାଏ ।

ପରସ୍ପର ଆମେ କାନ ଦେଇ ଛାତିରେ
ଶୁଣୁ ଯେତେ ଅକୁହା କଥା
ଇଚ୍ଛାମତେ କେତେ ଯୋଡ଼ାଯୋଡ଼ି କରି ପରିହାସ କରୁ
ଏମିତି ଇ ଆମେ ପରସ୍ପରଠୁ ଦୂରରେ ଥାଇ ବି
ପରସ୍ପରକୁ ଜାଣିପାରୁ ଖୁବ୍ ନିକଟରୁ ।

ଯେତେ ଯାହା କଥା ହେଉଥିଲୁ ସବୁ ଲାଗୁଥିଲା ତମରି !
କେତେବେଳେ କୋଉଠି କହିଥିଲ କା'କୁ କେମିତି
ତା'ର ଗୋଟେ ଛୋଟମୋଟ ଇତିହାସ ଲେଖାହଉଥିଲା
କେହି କା' କଥା ଖୋଲି ପୂରା ନକହୁଥିଲେ ବି
ସବୁକଥା ହାଟରେ ପଦାରେ ପଡ଼ିଯାଉଥିଲା ।

ଏମିତି କାଂଡଟିଏ ଘଟେଇ ଦେଇଚ କାଲି !
ଶୁଣି ମୋ ମନରେ ଗୁଡ଼ାଏ ରାଗ ଆସିଗଲା
ମୁଁ ଥିଲେ ନିଶ୍ଚେ ହେଇଥାଂତା କିଛି ଆଉ ଅଘଟଣ !
ତମେ କ'ଣ ଭାବୁଚ ଖାଲି ଦି'ହାତ ଟେକିଦବାଟା ଇ ସମର୍ପଣ ?

ଯଦି ଥାଂ'ତି,
କହିଥାଂତି: ଥାଉ, ଲୁଗା ଥାଉ ଗଛଡାଳେ ମୋର,
ବରଂ ଦେଖ, ବହୁବାର ଦେଖି ବି
ଦେଖିନଥିବା ଶରୀର !

Report an Error