ଚଂଦ୍ରାବଳୀ - ୨

"ଚଂଦ୍ରାବଳୀ" ଏକ ଦୀର୍ଘ କବିତା । ପୁରାଣର ଏକ ଚରିତ୍ର ଯିଏ ରାଧା ଓ କୃଷ୍ଣଙ୍କ ମଧ୍ୟରେ ପ୍ରେମର ଏକ ବିକଳ୍ପ ବିଭାଜନ ରେଖା । ଆଜିର ସମୟରେ କିଏ ଏ ଚଂଦ୍ରାବଳୀ ? କଣ ତାଙ୍କର ଅସ୍ତିତ୍ଵ ଓ ଅସ୍ମିତା ?


ଥରେ ମାତ୍ର ଛୁଇଁଥିଲ ମୋତେ ଓ କୋମଳ ପାହାଡ଼
ଥରେ ମାତ୍ର ଛୁଇଁଥିଲ‌‌‌ ଏ ପୃଥିବୀ
ଯା'ର ଶିରାପ୍ରଶିରାରେ ଶୁଭେ ମୃଦୁ କୋଳାହଳ
ଗଛବୃଚ୍ଛ ନଦନଦୀ କ୍ଷେତ ଓ ପ୍ରାଂତରେ
ଖାଲି ବର୍ତ୍ତମାନ କାଳ !

ଭୟଥିଲା, କାଳେ ମିଶିଯିବ ମାଟିରେ ମାଟିହେଇ
ପବନରେ ମିଶିଯିବ ମୋ ପ୍ରଶ୍ବାସ
କାଳେ କପାଳରେ ଦିଶିବ ଲଂବାଲଂବା ଗାରମାନ
ଆଖିକୁ ଦିଶିବନାଇଁ ନିତିଚଲା ରାସ୍ତା
ଶୁଭିବ ନାଇଁ କାଳେ ତମ ବଂଶୀସ୍ବନ !

ଅଥଚ ସେଦିନ ହିଁ ମୃତ୍ୟୁହେଇଥିଲା ମୋର
ସଂଶୋଧନ ହେଇ ଭବିଷ୍ୟତ ହେଇଥିଲା ଲେଖା
ସେପରି ଯେପରି ହବାର ଥିଲା,
ଯୋଉଦିନ ଥୁଂଟାଗଛ ସବୁ କଅଁଳି କଅଁଳି ଗଲେ
ଝରଣାମାନେ ହେଲେ ମୁଖର ଝାଡ଼ିଝାଡ଼ି ଫୁଲ
ପାହାଡ଼ଂକ କାଂଧରେ ବସି ମୂକ ପକ୍ଷୀମାନେ ଗାଇଲେ
ସୁଂଦର ଓ ସାବଲୀଳ ଗୀତ
ପବନ ଓଳେଇନେଲା ଶୁଖିଲାପତ୍ରଂକୁ ଦୂରଦୂରାଂତର
ମହୁମାଛି ଗୁଣୁଗୁଣୁ ବଜେଇଲେ ଶଂଖ,
ଆସୁଚଂତି କେତେ ଦେବାଦେବୀ
ଅନଂତ ଅପେକ୍ଷା ଅଂତେ ପାଳିବାକୁ ଜନ୍ମଦିନ କା'ର !

ସମୟ ଚତୁର ବଡ଼
ବୁଝିବାକୁ ଦିଏ ନାଇଁ କା’ ପାଇଁ ଏ ଆୟୋଜନ !!
ମୋ ଛୋଟ ପାପୁଲି ଯୋଡ଼ିହେଇ କେବଳ
ପ୍ରାର୍ଥନା କରେ ପରବର୍ତ୍ତୀ ଜୀବନ ପାଇଁ ତମ ଆଲିଂଗନ ।

Report an Error