ଚଂଡାଳ - ୧୩

"ଚଂଡାଳ", ଓଡିଆ କବିତାରେ କବି ଆଶୁତୋଷ ପରିଡାଙ୍କର ଏକ କ୍ରାନ୍ତିକାରୀ ନାୟକ । ଓଡିଆ କବିତାରେ ଦଳିତ ଚେତନାର ପ୍ରଥମ ଓ ଅନନ୍ୟ ସ୍ଵର ଭାବରେ ଏହି କବିତା ସବୁର ବିଶେଷ ମହତ୍ତ୍ଵ ରହିଛି । ସେହି ବିଶେଷ କବିତାର କ୍ରମ ପ୍ରକାଶ ।


ନିଜକୁ ଛାତିରେ ଧରି ମୁଁ ରହିଚି ଏଠି
ଯେତେବେଳେ ସମସ୍ତେ ବାନ୍ଧି ସାରିଛନ୍ତି
ପରସ୍ପରକୁ ଜନ୍ମ ଜନ୍ମାନ୍ତର ଅହମିକାରେ,
ଯେତେବେଳେ -
ଶିଶୁ ଆଉ ବୃଦ୍ଧମାନେ ଦିଶୁଛନ୍ତି ଏକାଭଳି
କୌଣସି ପାର୍ଥକ୍ୟ ନାହିଁ
ରାଜା ଆଉ ଦସ୍ୟୁଙ୍କ ଭିତରେ ।

ଶବ ଆଉ ଶାଗୁଣା ଭିତରେ କୌଣସି ଦୂରତ୍ୱ ନାହିଁ,
ଆକାଶରୁ ବର୍ଷିଯାଉନାହିଁ ଆଶୀର୍ବାଦ
ସବୁ ଜୀବିତ ବିଶ୍ୱାସ ଉପରେ ।

ଅନ୍ୟମନସ୍କ ମୃତ୍ତିକାର ଜରାୟୁ ଭିତରୁ
ଜନ୍ମ ନେଉଛନ୍ତି ବିଷବୃକ୍ଷମାନେ,
ମୁଁ ପାଟି ଖୋଲା ରଖିଛି
ପିଇବାକୁ ପୃଥିବୀର ପ୍ରାଚୀନ ହଳାହଳ,
ମୁଁ ଅଦ୍‌ଭୁତ ଶବ୍ଦଟିଏ ହୋଇ ଖସି ପଡ଼ୁଛି
ସଂଗଠିତ ଅପରାଧଙ୍କ ମଝିରେ,
ମୁଁ ଝରି ଆସୁଚି ରକ୍ତ ହୋଇ
ସକାଳମାନେ ଶହୀଦ୍ ହୋଇଯିବାର ମୁହୂର୍ତ୍ତରେ ।

ମୁଁ ମୁକୁଳି ଆସିଚି
ସବୁ ଗ୍ରହ ଓ ନକ୍ଷତ୍ରମାନଙ୍କ ପ୍ରଭାବରୁ,
ମୋ ଅଙ୍ଗାରର ମୁହଁ ପହଁଚି ଯାଉଛି
ସବୁ ଅମ୍ଳଜାନବିହୀନ ଗଳିରେ,
ମୁଁ ଶୁଭିଯାଉଛି
ଗୁମ୍ଫାରେ ଧକ୍‌କା ଖାଇ ଫେରିଆସୁଥିବା ପବନ ପରି
ଓ ଲେଖି ହୋଇ ଯାଉଛି
ରାତିକୁ ଦି’ ଭାଗ କରି ମାଡ଼ିଯାଉଥିବା ପଦଚିହ୍ନରେ ।

ମୁଁ ଏଠାରେ ମଣିଷର ଶେଷତମ ଇଚ୍ଛା
ବଂଚି ରହିବାର କଠିନତମ ଶବ୍ଦ,
ମୁଁ କଥା କହିଲେ -
ଜନ୍ମ ନେଉଛି ଜିଭ ଭିତରେ ହାଡ଼,
ମୁଁ ପାଦ ଥାପିଲେ -
କଅଁଳ ଉଠୁଛନ୍ତି ବଣ ଓ ଜଙ୍ଗଲ;
ରକ୍ତରେ ଗଣ୍ଠି ପକାଇ ମୁଁ ରହିଚି ଏଠି
ନିଜକୁ ଛାତିରେ ଧରି ମୁଁ ରହିଚି ଏଠି
ନିଷ୍ପାପ ଜନ୍ମାନ୍ତରରେ
ସମ୍ରାଟ ଓ ପଣ୍ଡିତମାନଙ୍କୁ ଦୟା କରିବାକୁ ।