
ଆଉ କିଛି ଲୁଚିବାକୁ ନାହିଁ
ମୁଁ ସବୁ ଦେଖି ସାରିଛି
ଜିଭର ପଛ ପାଖରେ ବସିଥିବା ମିଛ
ପାଣିରେ ମିଶିଯିବାକୁ ରହିଥିବା ବିଷ
ତିନି ଗୋଡ଼ରେ ଠିଆ ଷଡ଼ଯନ୍ତ୍ର
ଖପୁରି ଭିତରେ
ଥାକ ଥାକ ସାଇତା ଅହଂକାର;
ସବୁ ଦେଖିଛି
ଅନ୍ଧାରର ଅଭ୍ୟନ୍ତର
ଆଲୁଅର କଙ୍କାଳ
ଛାତିକୁ କାମୁଡ଼ି ଧରି
ଭିତରକୁ ମାଡ଼ି ଯାଇଥିବା କଷଣର ଚେର ।
ଆଉ ଲୁଚାଇବାକୁ କିଛି ନାହିଁ କାହାର,
ଦିଶୁଛି ସବୁ ଗୋଦର ଗୋଡ଼
ଶିରା ପ୍ରଶିରାର ନିଭୃତ ପ୍ରବାହ,
ଦିଶୁଛି ସବୁ କାଦୁଅ ଓ ରଙ୍ଗର ପ୍ରଲେପ ତଳେ
ଲୁଚିଥିବା ପାଳ,
ଦିଶୁଛି ସବୁ କଥା ଆଉ ଅକଥାର
ଅଚଳ ବିତଳ ।
ଆଉ କ’ଣ ନୂଆ ଉପାୟ ଅଛି କୁହ
ମତେ ଠକିବାକୁ ?
ଆଉ କ’ଣ ମନ୍ତ୍ର ଅଛି
ମତେ ପୋଷା ମନାଇ ବାନ୍ଧି ରଖିବାକୁ ?
ଆଉ କ’ଣ ଅସ୍ତ୍ର ଅଛି
ଯାହା ଯଥେଷ୍ଟ ହେବ ମତେ ମାରିବାକୁ ?
ମୁଁ ଜାଣେ ସମସ୍ତଙ୍କର ଇତିହାସ
ମୁଁ ଜାଣେ ମୋର ଜନ୍ମର ବୃତ୍ତାନ୍ତ
ମୁଁ ଜାଣେ କେଉଁଠି ସେ ମଣିଷର ଘର
ମୁଁ ଜାଣେ
କେଉଁଠି ସ୍ଥାପିତ ହେବ କାହାର କବର ।
ମୋର କିଛି ଲୁଚି ନାହିଁ
ପେଟର ଭୋକ, ପିଠିର ଆଘାତ,
ଚର୍ମର ଉତ୍ତାପ, ରକ୍ତର ଆକ୍ରୋଶ,
କିଛି ନାହିଁ -
ମୁହଁର ଲାଜ ବା ମନର ବିକାର
ଯାହା ଦେଖିଛି ମୁଁ - ଦେଖିଛି ଏ ପୃଥ୍ୱୀ,
ଯାହା କହୁଛି ମୁଁ -
କହି ସାରିଛି ମଣିଷ ଅନେକ ଥର ।