ଚାଳିଶ ବର୍ଷ ତଳର

ଜ୍ଵର ହେଇଛି କାହାକୁ - ଦେହକୁ ନା ଆତ୍ମାକୁ ? କିଏ ଭୋଗୁଛି ଏ ନିଃସଙ୍ଗ ପୀଡା । ଏକୁଟିଆ ଆତ୍ମାର ଏ ଛାତିଥରା ସ୍ଵଗତୋକ୍ତି ।


କିଛି ଭଲ ଲାଗୁନାହିଁ ।

କିଛି ଠିକ୍ ଲାଗୁନାହିଁ ।

ଚାଳିଶ ବର୍ଷ ତଳର ଆକାଶରେ
ଏକାପରି,
ଇସ୍ପାତ ତିଆରି ସୂର୍ଯ୍ୟ
ଧୂଳି ଘର ଛାଇ ।

ମୋତେ ଖୁବ ଜର ହୋଇଥାଇପାରେ ।

ଜର କେଉଁଠାରେ ?
କପାଳରେ, ବେକତଳେ, ଜିଭତଳେ
ଥର୍ମୋମିଟରରେ ?
ମୋ ମନରେ ହୁଏତ
ଜର ଅଛି । ମୋ ଶବ୍ଦଙ୍କୁ, କବିତାଙ୍କୁ
୧୧୦ ଉତ୍ତାପ ଘାରିଛି ।

ମୋ ଆତ୍ମାରେ ଦରଜ ଅଛି ?
ଆତ୍ମା କେଉଁଠାରେ ?
ମୁଁ ଆତ୍ମାକୁ ଖୋଜିଥିଲି କେତେଥର
ଗଙ୍ଗାସ୍ନାନବେଳେ ।

ମଦୁରାଇ ମିନାକ୍ଷୀଙ୍କ ମନ୍ଦିରରେ,
ଦଶ ଲକ୍ଷ ମନ୍ତ୍ର ଜପ କଲି ।

ମୁଁ ହୋମ କରିଥିଲି କାମାକ୍ଷା ତନ୍ତ୍ରପୀଠରେ
ମୁଁ ବାଇଶି ପାହାଚ ପାଖେ ହାତଯୋଡି
ଅନେକ କାନ୍ଦିଲି ।

ମୁଁ ଖୋଜିଲି ମୋ ଆତ୍ମାର ଇତିହାସ
ଜୀବନର ପ୍ରତିଟି ଧାଡିରେ,
ପ୍ରସ୍ତ ପ୍ରସ୍ତ ଭିତର ଚିରିଲି କିନ୍ତୁ ନାରଖାର
ରକ୍ତ ହାଡ ଧମନୀ ଦେଖିଲି ।

ଚାଳିଶ ବର୍ଷ ତଳର
ଜହ୍ନ ଜୁଡୁବୁଡୁ ସେଇ ସାମୁଦ୍ରିକ ରାତି,
ଝାଇଁଝାଇଁ ଝାଉଁ ବଣ ।

ଏକେଲା ଡଙ୍ଗାରେ, ମୁଁ ଯାହାକୁ ଦେଖିଥିଲି
ସେ ଅଳୀକ ଚେହେରାଟି ପୁଣି
ଆସୁଚିକି ଝୁଲି ଝୁଲି ମୋ ପାଖକୁ ?

ସେ ତ ଆତ୍ମା ନୁହେଁ,
କାରଣ ଆତ୍ମା କାହାକୁ
ଜଳାଏନା, ନିଜେ ଜଳେ ନାହିଁ ।

ଆତ୍ମହତ୍ୟା କରେନାହିଁ, ହତ ହୁଏ ନାହିଁ,
ଆତ୍ମା ଥାଏ ସଦା ସ୍ଥିର
ଆଉ କିଛି ରହୁ ବା ନରହୁ ।

ଅଥଚ ସେ ଉଦ୍ଭଟ ଚେହେରାଟି କଣ କଲା ?

ଆତ୍ମାକୁ ପାଉଁଶ
ବୋଲି କହିଦେଇ ମିଛ ହୋଇଗଲା ?
କେତେ ଛଦ୍ମବେଶ ଧରି ସେ ଚେହେରା
ଅର୍ଥ ସହ ଅନର୍ଥ ବି ଦେଲା
ମୋ ବ୍ୟଥିତ ପୃଥିବୀକୁ ।

ମୁଁ ନିଜକୁ ସମ୍ବର୍ଦ୍ଧନା ଦେଉଚି ଯେ
କେତେ ସହଜରେ ମୁଁ
ଭାଙ୍ଗିଦେଲି କଇଁବଣ ପରି ବାସୁଥିବା
ମୋ କମନୀୟ ବିଶ୍ୱାସକୁ ।

ମୁଁ ନିର୍ଦ୍ୱନ୍ଦ୍ୱରେ ବିଲିବିଲା କରିଦେଲି
ଚାଳିଶ ବର୍ଷ ତଳର କ୍ୟାନଭାସରେ ଦାଉ ଦାଉ
ଜଳୁଥିବା ଚିତ୍ରପ୍ରତିମାକୁ ।

ମୋତେ ଭାରି ଜର, ମୋର ଆତ୍ମା ନାହିଁ,
ମୁଁ ଏକେଲା ।

ମୁଁ ଏକ ମିଛ ସମୁଦ୍ରର ଫେଣଟିଏ ଧରି
ଏତେ ବର୍ଷ ଖେଳିଥିଲି ନା ଖେଳିନାହିଁ ?
ମୋତେ ଭଲ ଲାଗୁନାହିଁ
ଠିକ୍ ଲାଗୁନାହିଁ,
ମନେ ହୁଏ
ଆଜି ନୁହେଁ, ଆଉ କିଛି କେବେ ମଧ୍ୟ
ଘଟିବାର ନାହିଁ ।

Report an Error