ସୁନା ରଙ୍ଗର ଘାସ

କାଇଁସ ପରି ବଣୁଆ ଘାସକୁ ନେଇ ଟୋକେଇ ବୁଣିବାର ଗୋଟେ ଲମ୍ବା ପରମ୍ପରା ଅଛି ଓଡ଼ିଶାରେ । ଶୁଖିଗଲା ପରେ ସୁନା ରଙ୍ଗ ହୋଇଯାଉଥିବା ଓ ଆକର୍ଷଣୀୟ ଦିଶୁଥିବା ଏହି ଘାସଟି ଏକ ପ୍ରକାର ଜଙ୍ଗଲୀ ଘାସ । ନଈକୂଳିଆ ସନ୍ତସନ୍ତିଆ ଜାଗାରେ ବର୍ଷାଦିନ ପରେ ପରେ ମାଡୁଥିବା ଏହି ଘାସ ଖୁବ୍ ଡେଙ୍ଗା ହୁଏ ।


ଫଟୋ - ସୁମିତ୍ରା ପାଢ଼ୀ

ଓଡ଼ିଶାର କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ପୁରୀ ଆଦି ଅଞ୍ଚଳର ନଈକୂଳିଆ ଗାଁରେ ଖରାବେଳେ ପହଞ୍ଚିଗଲେ ଦେଖିବେ ଘରର ସ୍ତ୍ରୀଲୋକମାନେ ବସି କାଇଁସ କାଠିରେ ତିଆରି କରୁଥିବେ ତାଟ, ଡାଲା, ବାକ୍ସ, ବିଞ୍ଚଣା ଆଦି ଘରକରଣା ଜିନିଷ । ସେମାନେ ଘରର କାମଦାମ, ଖିଆପିଆ, ବାସନମଜା ଆଦି ସବୁ କାମ ସାରି ଆରାମ କରିବାକୁ ଥିବା ସମୟରେ ଏସବୁ କରନ୍ତି । ଆଗରୁ ଘରର ବ୍ୟବହାର୍ଯ୍ୟ ଜିନିଷ ତିଆରି କରିବାରେ ସମୟ ଯାଉଥିଲା ଓ ଏବେ ନିଜ ଘରର ଆର୍ଥିକ ସ୍ଥିତି ସୁଦୃଢ କରିବା ପାଇଁ ସେମାନେ ଲାଗିପଡିଛନ୍ତି ।

ଯେଉଁ ସୁନା ରଙ୍ଗର କାଇଁସ କାଠିରୁ ଏତେ ଏତେ ଜିନିଷ ତିଆରି ହୁଏ, ତାହା ହେଉଛି ବେଣା ଘାସର ଶସ୍ୟ । ଧାନ କି କାଶତଣ୍ଡୀରୁ ଯେମିତି କେଣ୍ଡା ବାହାରେ, ଠିକ୍ ସେମିତି ବେଣା ଘାସର ବି କେଣ୍ଡା ବାହାରେ । ଆମେ ତାକୁ ବେଣାଘାସର ଫୁଲ ବି କହିପାରନ୍ତି । ସେଇ ଫୁଲର ନାଡ଼ ବା କେଣ୍ଡା ହିଁ ଅମଳ ହୋଇ ଆସେ । ଆଗରୁ ଗାଈଗୋଠ ନେଇ ଯାଇଥିବା ଘରର ପୁରୁଷମାନେ ଏଇ କାମଟି କରୁଥିଲେ । ଏବେ ତ ଅନେକେ ଏଇଟିକୁ ରୋଜଗାରର ମାଧ୍ଯମ କରି ବିକ୍ରିବଟା କରି ବଞ୍ଚିଲେଣି । ଅମଳ କଲାବେଳେ ଫୁଲକୁ କାଟି ସେଇ କ୍ଷେତରେ ପକେଇ ଦେଇ ଖାଲି ନାଡ଼ଟିକୁ ବିଡ଼ା ବାନ୍ଧି ଅଣାଯାଏ । ବର୍ଷା ଆରମ୍ଭ ହେଉ ହେଉ ଜୁଲାଇ ମାସବେଳକୁ ନଈକୂଳିଆ ଅପନ୍ତରା ଗୋଚର ଜାଗା ସବୁ ସନ୍ତସନ୍ତିଆ ହୋଇଯାଏ । ତାପରେ ହୁ ହୁ କରି ମାଡ଼ିଯାଏ ବେଣା ଘାସ । ଅଗଷ୍ଟବେଳକୁ ସେଥିରୁ କେଣ୍ଡା ବାହାରି ଫୁଲ ସବୁ ହୁଏ । ତେବେ ଅମଳ ହେଲାବେଳକୁ ଯାଇ ଶୀତଦିନ । ସେପ୍ଟେମ୍ବର ଅକ୍ଟୋବର ମାସ । ଏସବୁ ବିଷୟରେ ବିଷଦ ଭାବରେ ମୋତେ ଦୀପ୍ତି ଓ ପ୍ରଶାନ୍ତ କୁହନ୍ତି ।

ଦୀପ୍ତିର ଘର ବ୍ରାହ୍ମଣୀ ନଈ କୂଳ ଅଣ୍ଟିଆ ଗାଁରେ । ସେ ତା' ପିଲାଦିନରୁ ମାଆ, ଜେଜେମା ଓ ପଡ଼ୋଶୀମାନଙ୍କୁ କାଇଁସରେ ଜିନିଷ ତିଆରି କରିବାର ଦେଖି ଆସିଛି । ନିଜେ ବୁଣି ଶିଖିଛି ମଧ୍ୟ । ତେଣୁ ସେ ଯେତେବେଳେ ଗେଙ୍ଗୁଟି ନଈ କୂଳର ଚମ୍ପାପୁର ଗାଁକୁ ପ୍ରଶାନ୍ତର ସ୍ତ୍ରୀ ହୋଇ ଆସିଲା, ସେତେବେଳେ କେବେ କେମିତି ସେସବୁ ଜିନିଷ ତିଆରି କଲା । ପ୍ରଶାନ୍ତ ଏଥିରେ ଦୀପ୍ତିକୁ ଖୁବ୍ ସହଯୋଗ କଲେ ମଧ୍ୟ । ଏପଟେ ଠିକ୍ ସେଇ ସମୟରେ ସରକାରଙ୍କର ହସ୍ତଶିଳ୍ପକୁ ସମୃଦ୍ଧ କରିବାର ଯୋଜନାମାନ ଚାଲିଥାଏ । ତେଣୁ ଉଭୟ ସ୍ୱାମୀ - ସ୍ତ୍ରୀ କାଇଁସ କାମକୁ ଓ କଳା କାରିଗରିକୁ ଆଗକୁ ନେବାକୁ ଚାହିଁଲେ । ଡିଜାଇନ୍‌ ଗତ ପରିବର୍ତ୍ତନ କଲେ ପ୍ରଶାନ୍ତ ଓ କୁଶଳୀ ହାତରେ ସେସବୁକୁ ବୁଣି ଚାଲିଲେ ଦୀପ୍ତି । ସେମାନଙ୍କ ଘରେ ଗଲେ ଦେଖିବେ ଦିନରାତି କିଛି ନା କିଛି ତିଆରି ଚାଲିଥିବ । ଆଉ ଚାଲିଥିବ ବି ନୂଆ ପରୀକ୍ଷା ନିରୀକ୍ଷା I ମୁଁ ତେଣୁ ସେମାନଙ୍କ ସହ ଓ ଅନ୍ୟ କେତେକ କାରିଗରଙ୍କ ସହ ଏହି ହସ୍ତଶିଳ୍ପ ବିଷୟରେ ଓ ଏହାକୁ କିପରି ଦୈନନ୍ଦିନ ବ୍ୟବହାରକୁ ଆହୁରି ଆଣି ହେବ ସେ ସମ୍ପର୍କରେ କଥା ହୁଏ ।

ମାଟିର ଜିନିଷ ପରି ଘରୋଇ ବ୍ୟବହାର ପାଇଁ ଟୋକେଇ ବୁଣିବା କାହିଁ କେଉଁ କାଳର କଥା । କେତେବେଳେ ବାଉଁଶ ପାତିଆ ତ କେତେବେଳେ ବେତ ଅବା କଣନା କ'ଣ ଜଙ୍ଗଲୀ ଘାସ, କାଠି ବ୍ୟବହାର କରି ବୁଣାଯାଇଛି ରକମ ରକମର ଟୋକେଇ । ଓଡ଼ିଶାର କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ପୁରୀ ଆଦି ଜିଲ୍ଲାରେ ତିଆରି ହୁଏ ସୂକ୍ଷ୍ମ ପ୍ୟାଟର୍ଣ୍ଣ ଥିବା କାଇଁସର ଜିନିଷ । ଉତ୍ତର ପ୍ରଦେଶ ଓ ବିହାରରେ ସିକ୍କି ଗ୍ରାସରୁ ମଧ୍ଯ ତିଆରି ହୁଏ ଟୋକେଇ । ତେବେ ଉତ୍ତରପ୍ରଦେଶର ଥରୁସ୍ ସମ୍ପ୍ରଦାୟ ସିକ୍କି ଗ୍ରାସରୁ ତିଆରି କରୁଥିବା ଟୋକେଇରେ ଏକ ବୋଲ୍ଡ ଫର୍ମ ଅଛି । ଏହି ଟୋକେଇ ଉପରେ ମଣିଷ ଓ ପଶୁ ଚିତ୍ରମାନ ଅଙ୍କା ଯାଇଥାଏ ରଙ୍ଗରେ । ଓଡ଼ିଶା ଓ ବଙ୍ଗଳାର ବାଉଁଶ ତିଆରି କୁଲାରେ ରହିଛି ଏକ ସ୍ୱତନ୍ତ୍ର ପ୍ୟାଟର୍ଣ୍ଣ । ଦକ୍ଷିଣରେ ମହୀଶୂର ଏହାର ବେତ ତିଆରି ଟୋକେଇ ପାଇଁ ପ୍ରସିଦ୍ଧ । ଚେତିଆର୍ ସମ୍ପ୍ରଦାୟ ତିଆରି କରୁଥିବା ଚେତିନାଡ ଟୋକେଇ ପାଇଁ ତାମିଲନାଡୁ ପ୍ରସିଦ୍ଧ । ଭାରତର ଉତ୍ତର - ପୂର୍ବ ଅଞ୍ଚଳ ବେତ ଏବଂ ବାଉଁଶ ଟୋକେଇ କାମ ପାଇଁ ଖୁବ୍ ପ୍ରସିଦ୍ଧ । ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଏବଂ ତ୍ରିପୁରାରେ ଏମିତି ଜିନିଷ ସବୁ ପ୍ରାୟତଃ ଦେଖିବାକୁ ମିଳେ । ଆକାର, ପ୍ରକାର, ରଙ୍ଗ ଓ ଡିଜାଇନ୍‌ର ଭିନ୍ନତା ଏସବୁକୁ ପରସ୍ପରଠାରୁ ସ୍ୱତନ୍ତ୍ର କରି ରଖିଛି । ପ୍ରକାଶ ପାଇଛି ଲୋକଙ୍କ କୁଶଳୀ ହାତର କଳା କାରିଗରି । ତେବେ ଏଇ କିଛି ବର୍ଷ ହେବ ଗୋଲ୍ଡେନ ଗ୍ରାସ୍ ହସ୍ତଶିଳ୍ପ ବିଶ୍ୱ ବଜାରରେ ନିଜର ଏକ ସ୍ଥାନ ତିଆରି କରିପାଇଛି । ଇକୋଫ୍ରେଣ୍ଡଲି, ବାୟୋଡିଗ୍ରେଡେବଲ୍ ଏବଂ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରୁଥିବାରୁ କାଇଁସରୁ ତିଆରି ଜିନିଷର ଚାହିଦା ଆଜି ବଢୁଛି । ଏଥିରୁ ତିଆରି ଜିନିଷଗୁଡ଼ିକ ବହୁଦିନ ଧରି ରହେ । ସହଜରେ ନଷ୍ଟ ହୁଏନି । ତେଣୁ ଏହାର ଲମ୍ବା ଆୟୁଷ ପାଇଁ ହିଁ ଏବେ କାଇଁସରେ ନୂଆ ନୂଆ ଜିନିଷ ତିଆରି ହେଉଛି । ବିଭିନ୍ନ ପ୍ରକାରର ଛୋଟ ବଡ଼ ବାକ୍ସ, ଟ୍ରେ, ଜୁଏଲାରୀ, ପେନ୍‌ଷ୍ଟାଣ୍ଡ, ଟୋପି, ଫୁଲଦାନୀ, କୋଷ୍ଟର୍ ଏମିତି କେତେନା କେତେ ବ୍ୟାବହାରିକ ଜିନିଷ ଦେଖିବାକୁ ମିଳୁଛି ବଜାରରେ ।

କାଇଁସ ପରି ବଣୁଆ ଘାସକୁ ନେଇ ଟୋକେଇ ବୁଣିବାର ଗୋଟେ ଲମ୍ବା ପରମ୍ପରା ଅଛି ଓଡ଼ିଶାରେ । ଶୁଖିଗଲା ପରେ ସୁନା ରଙ୍ଗ ହୋଇଯାଉଥିବା ଓ ଆକର୍ଷଣୀୟ ଦିଶୁଥିବା ଏହି ଘାସଟି ଏକ ପ୍ରକାର ଜଙ୍ଗଲୀ ଘାସ । ନଈକୂଳିଆ ସନ୍ତସନ୍ତିଆ ଜାଗାରେ ବର୍ଷାଦିନ ପରେ ପରେ ମାଡୁଥିବା ଏହି ଘାସ ଖୁବ୍ ଡେଙ୍ଗା ହୁଏ । ସାତ ଆଠ ଫୁଟ୍ ଉଚ୍ଚତା ଯାଏ ବଢ଼େ । ଅଗରେ ଥିବା ଫୁଲର ଅଂଶ ହସ୍ତଶିଳ୍ପ ତିଆରି ପାଇଁ ବ୍ୟବହୃତ ହେଉନଥିବାରୁ ଏହାକୁ ଅମଳବେଳେ ଫିଙ୍ଗି ଦିଆଯାଇଥାଏ ସେଇ କ୍ଷେତରେ । କାଇଁସକୁ ବ୍ୟବହାରଯୋଗ୍ୟ କରିବା ପାଇଁ ଏହାକୁ ପ୍ରଥମେ ମୂଳରୁ କାଟି କିଛି ଦିନ ପାଇଁ ଶୁଖାଯାଏ । ଭଲ ଭାବରେ ଶୁଖିଗଲା ପରେ ଏହାର ସବୁଜ ରଙ୍ଗ ପରିବର୍ତ୍ତିତ ହୋଇ ସୁନା ପରି ହଳଦୀ ଗରଗର ଦିଶେ । କାମ ଆରମ୍ଭ କଲାବେଳକୁ କାଇଁସ କାଠିକୁ ଛୁରୀ, ବ୍ଲେଡ୍ କିମ୍ବା ଦାନ୍ତ ସାହାଯ୍ୟରେ କାଟି ମଝିରୁ ଦି ଫାଳ କରିଦିଆଯାଏ । ପତଳା କଲା ପରେ ସେଥିରେ ବୁଣିବା ସମ୍ଭବପର ହୁଏ । ଘାସକୁ ଅଧିକ ନମନୀୟ କରିବା ପାଇଁ ବୁଣିବା ପୂର୍ବରୁ ଏହାକୁ କିଛି ସମୟ ପାଣିରେ ଭିଜାଇ ରଖାଯାଏ । ତାପରେ ବୁଣା ଆରମ୍ଭ ହୁଏ ଗୋଟିଏ ବଡ଼ ଛୁଞ୍ଚି ସାହାଯ୍ୟରେ । କାଇଁସକୁ ଏପଟରୁ ସେପଟକୁ ନେଇ ବୁଣିବା ଲାଗି ଏହା ଦରକାର ପଡେ । ଜିନିଷ ତିଆରି ହୋଇସାରିବା ପରେ ତାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କେହି କେହି ଏହାର ପ୍ରାକୃତିକ ସୁନେଲି ରଙ୍ଗ ସହିତ ଲାଲ, ହଳଦିଆ, ସବୁଜ, ନୀଳ, ବାଇଗଣୀ, ଏବଂ ଗୋଲାପୀ ଆଦି ଭିନ୍ନ ଭିନ୍ନ ରଙ୍ଗ ମିଶାନ୍ତି ।

କାଇଁସ ହସ୍ତଶିଳ୍ପରେ କାଇଁସ କାଠି, ଛୁରୀ, ପାଣି ଓ ଛୁଞ୍ଚିକୁ ଛାଡ଼ି ଦେଲେ ଆଉ କୌଣସି ଜିନିଷ ଦରକାର ପଡ଼େନି । ତେବେ ଏହା ଖୁବ୍ ସମୟ ସାପେକ୍ଷ କାମ । ଗୋଟିଏ ଗୋଟିଏ ଛୋଟ ବାକ୍ସ ବୁଣିବା ପାଇଁ ଖାଲି ପୂରା ଦୁଇ ଦିନ ସମୟ ଲାଗିଯାଏ । ଏପଟେ ଘାସରୁ ତିଆରି ବୋଲି ମୂଲ୍ୟ କମ୍ ରଖିବାକୁ ପଡେ । କାରିଗରର ମଜୁରୀ ବି ଉଠେନି ସେଥିରୁ । ଆମ ଘରୋଇ ବ୍ୟବହାରରେ ଯଦି ପ୍ଲାଷ୍ଟିକ ବଦଳରେ କେତେକ ସ୍ଥାନରେ ଏହାର ବ୍ୟବହାର କରିହୁଅନ୍ତା, ତେବେ ପରିବେଶର ତ ଅନେକ ଉପକର ହୁଅନ୍ତା ନିଶ୍ଚିତ, ଆମ କାରିଗରମାନେ ବି ଖୁବ୍ ଉପକୃତ ହୁଅନ୍ତେ।

Report an Error