ବ୍ରୋଡ୍‌ୱେ ଥିଏଟର: ନୂଆ ସମୟର ଆହ୍ଵାନ

ବ୍ରୋଡ୍‌ୱେ ଥିଏଟର ପ୍ରୟୋଗଧର୍ମୀ ହେବା ସହ ସ୍ଥାପିତ ତଥା ପ୍ରଚଳିତ ରଂଗମଂଚର ସମସ୍ତ ଧାରାକୁ ଏଡ଼ାଇ ନୂଆ ଧାରା ସୃଷ୍ଟି କରିଥାଏ । ନୂଆ ଆକାର, ନୂଆ ରଂଗ, ନୂଆ ମୂଲ୍ୟ ଦେଇ ନୂଆ କିଛି ସୃଷ୍ଟି କରିଥାଏ । ଏହା ପ୍ରବୁଦ୍ଧ ରଂଗକର୍ମୀଙ୍କ ଦ୍ୱାରା ଆଦୃତ ହେବା ଯୋଗୁ ପରିବେଷଣ ସଫଳତା ପାଇଥାଏ ।


ବିଂଶ ଶତାବ୍ଦୀରେ ଜଗତୀକରଣର ପ୍ରଭାବ ସବୁଠି ଅନୁଭୂତ ହେଲା । ନାଟକ ବା ସେଥିରୁ କିପରି ଅଛୁଆଁ ରହନ୍ତା ? ଜଗତୀକରଣର ବୈଜ୍ଞାନିକ ପ୍ରଭାବ ସାରା ବିଶ୍ୱରେ ପଡ଼ିବା ସହ ଭାରତରେ ମଧ୍ୟ ପ୍ରଭାବ ବିସ୍ତାର କଲା । ଏହାର ପ୍ରଭାବ ସାମାଜିକ ଓ ଅର୍ଥନୈତିକ ପରିପ୍ରେକ୍ଷୀରେ ସର୍ବନ୍ମୁଖୀ ବିକାଶର ନୂଆ ଦିଗ୍‌ବଳୟ ସୃଷ୍ଟି କଲା ସତ ମାତ୍ର ସାଂସ୍କୃତିକ କ୍ଷେତ୍ରରେ, ବୈଚାରିକ କ୍ଷେତ୍ରରେ ମାନବ ମୂଲ୍ୟ କ୍ଷେତ୍ରରେ ଏହାର କିଛି ନକରାତ୍ମକ ପ୍ରଭାବ ଦେଖିବାକୁ ମିଳିଲା ଏହା ସ୍ୱୀକାର କରିବାରେ ଦ୍ୱିଧା ନାହିଁ ।

ବିକାଶଶୀଳ ତଥା ଅର୍ଦ୍ଧବିକଶିତ ରାଷ୍ଟ୍ରଗୁଡ଼ିକର କଳା, ସଂସ୍କୃତି ତଥା ପାରମ୍ପରିକ ଜାତୀୟବୋଧ ଉପରେ ଅନେକାଂଶରେ ଦୂରଗାମୀ ପ୍ରଭାବ ପଡ଼ିଲା ।

ପ୍ରଦର୍ଶନକାରୀ କଳା କ୍ଷେତ୍ରରେ ଏହାର ପ୍ରଭାବ ଅଧିକ ରହିବା ସ୍ୱାଭାବିକ । ଜଗତୀକରଣର ପ୍ରଭାବ ଭାରତୀୟ ପରିବେଷଣ କଳାରେ ଅଧିକ ସମ୍ପୃକ୍ତି ହେବା ଦ୍ୱାରା ଆମ ପରିବେଷଣ ଯେ ଅଧିକ ଉର୍ବର ନ ହୋଇଛି; ତା ନୁହେଁ ।

ଭାରତୀୟ ପରିପ୍ରେକ୍ଷୀରେ ବିଶ୍ୱ ରଂଗମଞ୍ଚର ଅତ୍ୟାଧୁନିକ ଶୈଳୀ ଭାରତୀୟ ପରିବେଷଣକୁ ସାମାନ୍ୟ ପ୍ରଭାବିତ କରିବା ସହିତ ଭାରତୀୟ ରଂଗମଞ୍ଚ ନିଜର ମୌଳିକତା ହରାଇବାକୁ ଳାଗିଲା ।

ଶମ୍ଭୁ ମିତ୍ର, ହବିବ୍ ତନ୍‌ଭୀର, ପାଣିକ୍କର, ବିବି କାରାନ୍ତ ଓ ରତନ୍ ଥିୟାମ୍ ଆଦି ଭାରତୀୟ ନାଟ୍ୟବିଦ୍‌ମାନେ ଦେଶରେ ଓ ଅନ୍ତଃରାଷ୍ଟ୍ରୀୟସ୍ତରରେ ନିଜର ଖ୍ୟାତି ବିସ୍ତାର କରିବା ସହିତ ସ୍ୱକୀୟ ଆଭାମଣ୍ଡଳକୁ ଅଧିକ ଆଲୋକିତ କଲେ । କିନ୍ତୁ ଏହାର ପ୍ରଭାବ ଭାରତୀୟ ରଂଗମଞ୍ଚରେ ଖୁବ୍ ବେଶୀ ଦେଖିବାକୁ ମିଳିଲା ନାହିଁ । ସାରା ଉପଲବ୍‌ଧି ବ୍ୟକ୍ତିଗତ ଖ୍ୟାତିରେ ସୀମିତ ରହିଲା ।

ନୂଆ ପ୍ରୟୋଗ ଓ ନୂଆ ବିଚାରଧାରା ସ୍ତାନିସ୍ତାବ୍ଲିସ୍କି,ବ୍ରେଖ୍‌ତଙ୍କ ନାଟ୍ୟ ଅବଧାରଣା ସହ ଏକ ମିଶ୍ରିତ ରସାୟନ ପ୍ରସ୍ତୁତ୍ କଲା । ଯାହାର ବିବେଚନା କରିବା ଅସାଧ୍ୟ ନୁହେଁ ତ ଦୁସାଧ୍ୟ ହେଲା ।

ବିଶ୍ୱ ରଂଗମଞ୍ଚର ପ୍ରଭାବରେ ଭାରତୀୟ ନାଟ୍ୟପରମ୍ପରା ନିଜର ମୌଳିକତାକୁ ଭୁଲି ରିୟଲିଜିମ୍‌, ଫିଜିକାଲ ରିୟଲିଜିମ୍ ତଥା ସାଇକ୍ଲୋରିୟଲିଜିମ୍‌କୁ ଆଦରିନେଲା । ଫଳରେ ଯେଉଁ ନାଟ୍ୟଶୈଳୀ ବିକଶିତ ହେଲା ସେଥିରେ ମିଶ୍ରଣର ଅଧିକ ପ୍ରଭାବ ରହିଲା । ଦେଶର ମୁଖ୍ୟଧାରାର ରଂଗମଞ୍ଚ ଅଲଗା ଦିଗ ଆଡ଼େ ଆଗେଇବାକୁ ଲାଗିଲା ।

ଯଦିଓ ଏହା ଚିନ୍ତା କରିବାକୁ ଖୁରାକ ଯୋଗାଏ, ଜଟିଳ ଲାଗେ, କିନ୍ତୁ ଭାରତୀୟ ରଂଗ ପରମ୍ପରାରେ ଏକ ଗମ୍ଭୀର ପ୍ରଶ୍ନ ଠିଆ କରେ ।

ଅଧିକାଂଶ ଭାରତୀୟ ନାଟ୍ୟକର୍ମୀଙ୍କ ନିକଟରେ ରିଚାର୍ଡ ଶେଖନର ଅପରିଚିତ ନୁହଁନ୍ତି । ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର କଳା ବିଭାଗର ମୁଖ୍ୟ ହେବା ସହିତ ସେ ପ୍ରଖ୍ୟାତ ନାଟପତ୍ରିକା ଟିଡିଆର୍‌ର ପ୍ରମୁଖ ସମ୍ପାଦକ । ଏସିଆ ଦେଶର ନାଟ୍ୟ ପରମ୍ପରା ଉପରେ ଶେଖନରଙ୍କ ଗଭୀର ରୂଚି ତାଙ୍କୁ ଭାରତୀୟ ନାଟ୍ୟବିଦ୍‌ଙ୍କ ନିକଟରେ ଅଧିକ ଲୋକପ୍ରିୟ କରାଇଛି । ସେ ଭାରତୀୟ ପାରମ୍ପରିକ ନାଟକ ଉପରେ ଗଭୀର ଅଧ୍ୟୟନ କରିଛନ୍ତି । ରାମନଗରର ରାମଲୀଳାକୁ ବିଶ୍ୱସ୍ତରରେ ପରିଚିତି ଦେବାରେ ତାଙ୍କର ଭୂମିକା ଉଲ୍ଲେଖନୀୟ । ନିଜ ରଚିତ ପୁସ୍ତକ “ପର୍ଫର୍ମିଙ୍ଗ ସର୍କମ୍‌ଷ୍ଟାନ୍ସେସ୍ ଫ୍ରମ ଆଭାଣ୍ଟଗାର୍ଡେ ଟୁ ରାମଲୀଳା’ ମାଧ୍ୟମରେ ସେ ଭାରତୀୟ ନାଟ୍ୟ ପରମ୍ପରାର ସମ୍ବେଦନଶୀଳତା, ଦର୍ଶକ-ଅଭିନେତା ମଧ୍ୟରେ ଥିବା ସୁକ୍ଷ୍ମ ଅନ୍ତରଙ୍ଗତାକୁ ଓ ଭାବନାତ୍ମକ ସମ୍ବନ୍ଧକୁ ଆଲୋଚନା କରିଛନ୍ତି । କଥକଲୀ, ଓଡ଼ିଶୀ, ଛଉ, ଭରତନାଟ୍ୟମ୍‌, ଯକ୍ଷଗାନ ଆଦି ଅନେକ ନାଟ୍ୟପରମ୍ପରାକୁ ସେ ନାଟ୍ୟଶାସ୍ତ୍ର ସନ୍ଦର୍ଭରେ ଯାଞ୍ଚ ପଡ଼ତାଲ କରିଛନ୍ତି । ତୁଳନାତ୍ମକ ବିଶ୍ଲେଷଣ କରିଛନ୍ତି । ସମକାଳୀନ ଭାରତୀୟ ନାଟ୍ୟ ପରମ୍ପରା ଦିଗରେ ତାଙ୍କର ଆଲୋଚନା ଉଲ୍ଲେଖନୀୟ ।

ବ୍ରୋଡ୍‌ୱେ ଥିଏଟର; ଆମେରିକାର ମୁଖ୍ୟଧାରାର ରଂଗମଞ୍ଚ । ବ୍ରୋଡ୍‌ୱେ ଥିଏଟର୍‌ର ପ୍ରଭାବ ବିଶ୍ୱର ଅନେକ ଦେଶରେ ଦୃଶ୍ୟମାନ । ଏହାର ଅଭିନୟ ପଦ୍ଧତି ମୁଖ୍ୟତଃ ପ୍ରଚଳିତ ଓ ସ୍ଥାପିତ ନାଟ୍ୟ ମାନ୍ୟତା ଉପରେ ଆଧାରିତ । ଯାହାକୁ କନ୍‌ଭେନ୍‌ସନାଲ ଥିଏଟର କୁହାଯାଇଥାଏ । ଯାହା ଯଥାର୍ଥବାଦୀ । ପ୍ରଯୋଜନ ତଥା ମନ୍ତବ୍ୟକୁ ଖଣ୍ଡିତ କରିବା ଉଦ୍ଦେଶ୍ୟରେ ସଂଗୀତ, ନୃତ୍ୟାତ୍ମକ ମୁଦ୍ରାର ଆଂଶିକ ପ୍ରୟୋଗ କରାଯାଇଥାଏ । ବ୍ରୋଡ୍‌ୱେ ଥିଏଟରରେ ନୃତ୍ୟାତ୍ମକ ଗତିବିଧାନ ଆଙ୍ଗିକ କିନ୍ତୁ କଥା ତଥା ସଂଳାପ ଓ ଅନ୍ୟାନ୍ୟ ପ୍ରସଂଗରେ ପ୍ରତୀକାତ୍ମକର ସମାବେଶ ହୋଇଥାଏ । ଏଥିରେ ଅଭିନୟ ଶୈଳୀକୁ ଆକର୍ଷଣ କରିବାକୁ ଟେକ୍‌ନିକ୍‌ର ଉପଯୋଗ କରାଯାଇଥାଏ । ଦୃଶ୍ୟ ବଦଳିବା ସହ ସେଟ୍‌ରେ ପରିବର୍ତ୍ତନ, କଥା ତଥା ବିଷୟବସ୍ତୁ ସହ ପ୍ରାସଙ୍ଗିକତା ରଖିଥିବା ପ୍ରତୀକାତ୍ମକ ଦୃଶ୍ୟର ସଂରଚନା, କଳାକାରମାନଙ୍କ ଦ୍ୱାରା ଗାୟନ, ଗାୟନ ଅନୁରୂପ ଶାରୀରିକ ସଂରଚନା, କଳାତ୍ମକ ଆଲୋକସମ୍ପାତ ଆଦି । ସଂକ୍ଷେପରେ କୁହାଯାଇପାରେ କି ନାଟକ ପରିବେଷଣରେ ସବୁ ପଦ୍ଧତିର ଉପଯୋଗ । ଯାହା କେବଳ ଦର୍ଶକୀୟ ଅନୁଭବକୁ ସଫଳ କରିବାର ଉଦ୍ଦେଶ୍ୟ ରଖିଥାଏ । ଦର୍ଶକ ଆନନ୍ଦ ପାଇଥାନ୍ତି । ବିଶ୍ୱପ୍ରସିଦ୍ଧ ନାଟ୍ୟକାରଙ୍କ କୃତିକୁ ଆଧୁନିକ ଶୈଳୀରେ ପରିବେଷଣ ମଧ୍ୟ ଏହାର ଅନ୍ୟ ଏକ ଆକର୍ଷଣ ।

ଏ ପ୍ରକାର ରଂଗମଞ୍ଚ ଆମେରିକାରେ ବ୍ୟବସାୟିକ ଦୃଷ୍ଟିକୋଣରୁ ଅଧିକ ସଫଳ । ଗୋଟିଏ ଗୋଟିଏ ନାଟକ ମାସାଧିକ କାଳ ପରିବେଷଣ ହୋଇଥାଏ ।

ଏକଥା ମଧ୍ୟ ସ୍ୱୀକାର୍ଯ୍ୟ ଯେ ଏ ପ୍ରକାର ନାଟକ ପାଇଁ ମାସାଧିକ କାଳ ଅଭ୍ୟାସର ଆବଶ୍ୟକତା ପଡ଼ିଥାଏ । ଯାହା ଭାରତୀୟ ପରିବେଶରେ ସମ୍ଭବ ହୋଇନଥାଏ । ଅଭିନୟ ଦକ୍ଷତା, ପରିବେଷଣ, ସଂଗୀତ, ଆଲୋକ ଓ ସେଟ୍‌ରେ କୌଣସି ପ୍ରକାର ବୁଝାମଣା କରାଯାଇନଥାଏ । ସାମାନ୍ୟ ଭାବେ ଦର୍ଶକମାନେ ଏ ପ୍ରକାର ନାଟକରେ ଅତିଶୟ ଆନନ୍ଦ ପାଇଥାନ୍ତି ।

ବ୍ରୋଡ୍‌ୱେ ଥିଏଟର ପ୍ରୟୋଗଧର୍ମୀ ହେବା ସହ ସ୍ଥାପିତ ତଥା ପ୍ରଚଳିତ ରଂଗମଂଚର ସମସ୍ତ ଧାରାକୁ ଏଡ଼ାଇ ନୂଆ ଧାରା ସୃଷ୍ଟି କରିଥାଏ । ନୂଆ ଆକାର, ନୂଆ ରଂଗ, ନୂଆ ମୂଲ୍ୟ ଦେଇ ନୂଆ କିଛି ସୃଷ୍ଟି କରିଥାଏ । ଏହା ପ୍ରବୁଦ୍ଧ ରଂଗକର୍ମୀଙ୍କ ଦ୍ୱାରା ଆଦୃତ ହେବା ଯୋଗୁ ପରିବେଷଣ ସଫଳତା ପାଇଥାଏ । ଏହା ଅନ୍ତସଚେତନାକୁ ଉଜାଗର କରିଥାଏ । ରଂଗମଞ୍ଚର ପ୍ରମୁଖ ତତ୍ତ୍ୱକୁ ବାହାର କରିଥାଏ । ଉତ୍ତରଆଧୁନିକ ବୈଚାରିକ ସତ୍ୟକୁ ଉଦ୍‌ଘାଟିତ କରିଥାଏ । ଏହା କିଛି ପୂର୍ବ ପରିକଳ୍ପିତ ନାଟ୍ୟଉଲ୍ଲେଖ ଉପରେ ବିଶ୍ୱାସ କରିନଥାଏ । ଏହା ବିଶ୍ୱାସ କରେ ଯେ, ନାଟ୍ୟରଚନା ମାନବ ମନସ୍ତତ୍ତ୍ୱଠୁ ସମ୍ପୂର୍ଣ୍ଣ ଅଲଗା । କଳାର ଧର୍ମ ମଣିଷର ଆନ୍ତରିକ ସଂଘର୍ଷର ସତ୍ୟକୁ ବାହାରକୁ ଆଣିବାକୁ ପ୍ରୟାସରତ ହେବା ଦରକାର । ଏହି ସତ୍ୟ ଅନ୍ୟ କେଉଁଠି ସମ୍ପୂର୍ଣ୍ଣ ରୁପେ ବାହାରିବା ସମ୍ଭବ ନୁହେଁ । କେବଳ ନାଟକରେ ହିଁ ସମ୍ପୂର୍ଣ୍ଣ ସତ୍ୟ ଆଲୋକକୁ ଆସିପାରିବ । ମନୁଷ୍ୟକୁ ସେହି ଲୁକ୍କାୟିତ ସତ୍ୟ ଆଡ଼କୁ ନେଇଯିବା ରଂଗମଂଚର ଦାୟିତ୍ୱ । ରଂଗମଞ୍ଚକୁ ଏହି ଦାୟିତ୍ୱ ତୁଲାଇବାକୁ ପଡ଼ିବ ।

ବ୍ରୋଡ୍‌ୱେ ଥିଏଟରରେ ନୂଆ ଓ ପୁରୁଣା ବିଚାରଧାରାକୁ ତନଖାଯାଏ । ବିଶ୍ଲେଷଣ କରାଯାଏ । ନିଷ୍କର୍ସ ବାହାରିବା ପରେ ହିଁ ଗ୍ରହଣ କରାଯାଏ । ମୁଁ କାହିଁକି ଏ ଅଭିନୟ କରିବି, କାହିଁକି ଏ ସଂଳାପ କହିବି, କାହିଁକି ନୀରବ ରହିବି, କାହିଁକି ଶବ୍ଦ କରିବି, କାହିଁକି ଚାହିଁବି, କାହିଁକି ଆଖି ବୁଜିବି ଏହାର ଆଲୋଚନା ଦରକାର ।

ବ୍ରୋଡ୍‌ୱେ ଥିଏଟର ବିଲୁପ୍ତ ହୋଇଥିବା ନାଟ୍ୟ ପରମ୍ପରାକୁ ଖୋଜେ । ପାଇବା ପରେ ତାକୁ ନେଇ ଗବେଷଣା କରେ; କଳା ସଂସ୍କୃତି, ରୀତିନୀତି ଉପରେ କାମ କରେ । ନୂଆ ରୂପରେ ପ୍ରସ୍ତୁତ୍ କରେ ।

ଏଇଠି ଭାରତୀୟ ସମକାଳୀନ ନାଟ୍ୟ ପରମ୍ପରା ଦୁର୍ବଳ । ଆମକୁ ଖୋଜିବାକୁ ହେବ । ଆମ ପରମ୍ପରା । ଆମ ପରମ୍ପରା ଓ ନାଟ୍ୟ ଶୈଳୀକୁ ଆଧୁନିକତାର ଛୁଙ୍କ ଦେଇ ଆମ ନାଟକ ଶୈଳୀକୁ ପରିବେଷଣ କରାଯିବା ଉଚିତ୍ ।

ଆମ ପରମ୍ପରାକୁ ସାଥିରେ ନେଇ ସେଥିରେ ଆଧୁନିକତାର ମିଶ୍ରଣ କରି ଆମକୁ ଆମେ କ’ଣ ଦେଖାଇବାକୁ ହେବ । ଏହା ହିଁ ରଂଗମଞ୍ଚର ଆହ୍ୱାନ ।

Report an Error