ନୀଳ ଭଅଁର

ସେ ଭଅଁରଟି ତ ଜାଣେ ଆମର ଗୋପନ କଥା - ସେ ଭଅଁରକୁ ନେଇ ଏ କବିତା ।


କେତେ ନିଶାର ପୂର୍ଣ୍ଣ ଅନ୍ଧକାର ହାରିଯାଇଛି,
ସରିଯାଇଛି କେତେ ଚନ୍ଦ୍ର ଚର୍ଚ୍ଚିତ ଆବେଶ କାଳ ।

କଳ୍ପିତ ବେଦୀ ଉପରେ ପରସ୍ପରକୁ ଦେଇଥିବା ବରଣ ମାଳ
ମଉଳି ଯାଇଚି କ୍ଷଣକେ, ଘେରି ଯାଇଚି ବିଚ୍ଛେଦ ଘନଘୋର ।

ଆସ, ତେଣୁ ଏ ପ୍ରଖର ସୂର୍ଯ୍ୟ ଜାଳରେ ହିଁ
ଗଢ଼ି ବସିବା ଆମର ଅଙ୍ଗୀକାର ।

ମନେ ପକାଇବା ଚାଲ, କେଉଁ ଜନ୍ମରେ କେବେ
ଆମେ ଠିଆ ହୋଇଥିଲେ ଏକ ସ୍ଫଟିକ ସ୍ୱଚ୍ଛ ହ୍ରଦ କୂଳରେ
ଆମ ଏକତ୍ର ଅସ୍ତିତ୍ବ ପ୍ରତିବିମ୍ବିତ ଥିଲା ତାର
ପ୍ରତି ଜଳକଣାରେ ।

କେବଳ ମାତ୍ର ଗୋଟିଏ ରକ୍ତ କମଳର
କୋଟିଏ ପାଖୁଡା ଭିତରେ
ଲୁଚିଥିଲା ଯେ ନୀଳ ଭଅଁର
ଚୁମ୍ବନ କରିଥିଲା ସେ ତମକୁ ଆଗ ମୋତେ ପଛରେ
ନା ମୋତେ ଆଗ ତମକୁ ପଛରେ ?

ମନେ ପକାଇବା ଚାଲ
କାରଣ ସେ ଭଅଁରଟି ତ ଜାଣେ ଆମର ଗୋପନ କଥା
ସେ ହିଁ ତ ଜାଣେ
ଗୋଟିଏ ଓଠରେ କଥା କହୁଥିଲେ ଆମେ,
ଭାବୁଥିଲେ ଏକ ହିଁ ମନରେ,
ଗୋଟିଏ ଦୃଶ୍ୟରେ ଲାଖିଥିଲା ଦୁଇଟି ଆଖି,
ଗୋଟିଏ ଅନୁଭୁତିରେ ଥିଲା ଦୁହିଁଙ୍କର ଶେଜ, - ନିଘୋଡ଼, କୋମଳ ।

ମନେ ପକାଇବା ଚାଲ, ସେଇ ନୀଳ ଭଅଁରକୁ,
କେବଳ ସେ ହିଁ ତ ଜାଣେ ଆମ କଥା ।

ସେ ଯଦି ଆସେ ଆଜି
ଚୁମ୍ବନ କରେ ତମକୁ ଆଗ କି ମୋତେ ପଛରେ,
ମତେ ପଛରେ କି ତମକୁ ଆଗେ,

ସେ ଯଦି ଆସେ ଆଜି,
ତାକୁଇ ସାକ୍ଷୀ ରଖି ଆମେ,
ଏ ପ୍ରଖର ସୂର୍ଯ୍ୟ ଜାଳରେ, ଚାଲ
ଗଢିବସିବା ଆମ ଅମର ଅଙ୍ଗୀକାର,
ଏଇ ଶେଷ ଥର ।

Report an Error