
ହକିର ମହାକୁମ୍ଭ
ଖୁବ୍ ଗର୍ଵ ଓ ଗୌରବର କଥା
ସେ ପୁଣି ମୋ ରାଜ୍ୟରେ
ମୋ ସହରରେ
ସହରରୁ ଗାଁ
ଗାଁର ଚାରିଆଡ
ଉତ୍ସଵ ମୁଖର ।
ଏତେ ଖୁସିର ଆସର
କିନ୍ତୁ, କାହିଁକି ମନଟା ଖୁସି ଲାଗୁନି
ମନ ଭିତରେ ସେ ଉଲ୍ଲାସ ନାହିଁ
କେମିତି ଗୋଟେ
ଖାଁ ଖାଁ ଲାଗୁଛି
ସାରା ସହରଟା,
ଶୁନଶାନ ରାସ୍ତାଘାଟ
ରାସ୍ତାର ଦୁଇ କଡେ
କେହି କାହିଁ ନାହିଁ ।
ସହରଟା ସଜେଇ ହେଇଛି ଯେମିତି
ଶିଳ୍ପୀର ତୂଳୀରେ
ଆହୁରି ସଜେଇ ଦେଇଛି ତାକୁ
ଗୀତ, ନାଚ, ଵାଦ୍ୟ ଆଉ
କବି ତାହାର କଵିତାରେ ।
ତୋଫା ସଫା ସଫା
ଅଙ୍କାବଙ୍କା କାନ୍ଥ
କାନ୍ଥରେ ରଙ୍ଗ ଵେରଙ୍ଗର ଚିତ୍ର
ଚିତ୍ରରେ ଅଛନ୍ତି
କାଁ ଭାଁ ସେମାନେ
ହେଲେ, ସତରେ
କୁଆଡେ ଗଲେ ସେମାନେ ?
ସହରର ପଥଚାରୀକୁ
ସକାଳୁ, ସଞ୍ଜ ଆଉ
ରାତି ପର୍ଯ୍ୟନ୍ତ
ଆହାର ବାଢି ଦେଉଥିଲେ
ଯେଉଁମାନେ,
ଗରିବର ପକେଟ
ଆଉ ପେଟକୁ ଦେଖି
ଥାଳି, ଭରି ଦେଉଥିଲେ ଯେଉଁମାନେ ।
କୁଆଡେ ଗଲା ତାଙ୍କର ଠେଲା
କୁଆଡେ ଗଲା ତାଙ୍କ ଛତା
ଛତା ତଳେ ତାଙ୍କ
ଜୀବିକାର ଛୋଟିଆ ସାମ୍ରାଜ୍ୟ ।
କୁଆଡ଼େ ସେମାନେ
ଚାଲିଗଲେ
ତମେ କେହି ଦେଖିଛ କି ?
ସହରର ସୁନ୍ଦରତା ଭିତରେ
ତାଙ୍କର ଅସ୍ତିତ୍ବ କୋଉଠି
ତମେ କେହି ପାଇଛ କି ?
ବିଦେଶୀଙ୍କୁ ତମ ଫମ୍ପା ସହରର
ଚକ୍ ଚକ୍ ଦେଖେଇବା ପାଇଁ
ଅଳିଆ ଭାବି
ଆଖିଠୁ ଦୂରକୁ
କୁଆଡେ ଫିଙ୍ଗିଦେଲ
ଲୋଚାକୁଚା, ଚିରାଫଟାଙ୍କୁ
କୁଆଡେ ଲୁଚେଇ ଦେଲ,
ସେ ଫୁଙ୍ଗୁଳା ଦେହଗୁଡା
ହାଡ଼ଭଙ୍ଗା ଶୀତରେ
କୋଉଠି ଥରୁଥିବେ
କେମିତି ଅଛନ୍ତି କେଉଁଠି ଅଛନ୍ତି
କିଛି ଖାଇଥିବେ କି ନାହିଁ
ପଛକୁ ଚାହିଁ
ଥରେ କେହି ଭାବିଛ କି ?
ସତରେ କଣ
ସେମାନଙ୍କ ଭାଗ୍ୟ ଖୋଲିଗଲା
ହକି ପାଇଁ
ସେମାନଙ୍କ ଉଚ୍ଛେଦ ପରେ
କିଛି ସ୍ଥାୟୀ ଥଇଥାନ କରାଗଲା,
ତମେ କେହି ଜାଣିଛ କି ?
ଯଦି, ନୁହେଁ
କେମିତି ଜିଉଥିବେ
କଣ କରୁଥିଵେ
ତାଙ୍କ ପିଲାଛୁଆ
ବୁଢ଼ା ବାପାମାଆଙ୍କ ଖାଦ୍ୟ ପାଇଁ
କୁଆଡେ କୁଆଡେ ବୁଲୁଥିବେ
କେହି କିଛି ଖବର ନେଇଛ କି ?
ତେଵେ ଧ୍ବଂସ ସ୍ତୂପ ଉପରେ
ରାଜା ହୋଇ ଵସିବାର କି ବାହାଦୁରୀ,
ସହରର ପିଠି, ଛାତି, ମୁହଁ ସିନା
ରଙ୍ଗ ଵେରଙ୍ଗ କରାଇ
ନାଚ ଗୀତରେ ମସଗୁଲ, କିନ୍ତୁ
ତା ପେଟକୁ ଅଣ୍ଡାଳି
ତାର ପୋଡି ଯାଉଥିବା ପେଟରେ
ଭୋକକୁ କେହି ମାପିଛ କି ?