ବିଷାଦ ବେଳା - ୭

ବିଷାଦ ଏକ ବେଳା ନା ବିଷାଦ ଏକ ଋତୁ । ବିଷାଦକୁ ନେଇ ଏ କବିତାର ଗତିପଥ ଏକ ବିସ୍ମୟ ଆଡକୁ । କବିତାର ଏମିତି ଏକ ବିସ୍ମୟ ଉପତ୍ୟକା ଯେଉଁଠି ସବୁ ବିଷାଦ ଅନୁରାଗରେ ରୂପାନ୍ତରିତ ହୋଇଯାଇପାରନ୍ତି ।


ତୃଷ୍ଣା ତମର ବି ଥିଲା ।

ଆଖିରେ ଚେଷ୍ଟା ଥିଲା ସ୍ୱାଭାବିକତାର
ଛୁଇଁବାର ଇଚ୍ଛା କିନ୍ତୁ
ତମର ବି ଥିଲା ।

ଠିକ ହେଇଚି ।
ମୁଁ ଏଥର ନିର୍ବିକାର ହେବି
ହାତ ମୋ ଦେବିନି ହାତକୁ
ଉପଭୋଗ କରିବି
ତମ ବ୍ୟାକୁଳତା ।

କିମ୍ବା ଏସବୁ ମୋ କେବଳ କଳ୍ପନା ?
ତମେ ନାହଁ
ମୁଁ ଖାଲି ଭାବୁଛି ଯେ ଅଛ ?

ମୋ ଆକାଶ,
ମୋ ପୃଥିବୀ,
କୋଉଠି ବି ତମର କିଛି
ଚିହ୍ନବର୍ଣ୍ଣ ନାହିଁ ।

ତାହେଲେ କେମିତି
ତମ ନିଶ୍ୱାସର ସ୍ପର୍ଶ ପାଇଯାଏ ?
ଏକୁଟିଆବେଳେ ଶୁଭେ
ତମ କଣ୍ଠସ୍ୱର ?

ମିଛ ସତ ନେଇ ଭାରି ଦ୍ୱନ୍ଦ୍ୱରେ ପଡିଛି ।

ତମେ ଆସ,
ସମାଧାନ କର ।

Report an Error